Unknown

 

 

 

 

 

 

 

 

 

ସାରସ୍ୱତ ସାଧକ ନୀଳମାଧବ ପାଣିଗ୍ରାହୀ

ଡକ୍ଟର ବୀଣାପାଣି ପ୍ରଧାନ

 

ପ୍ରାଗ୍‍ଭାଷ

 

ସ୍ଵର୍ଗତ ଡକ୍ଟର ନୀଳମାଧବ ପାଣିଗ୍ରାହୀ ଜଣେ ପ୍ରତିଭାବାନ୍ ସାହିତ୍ୟିକ, ଭାଷାବିତ୍ ତଥା ସମ୍ବଲପୁରୀ-କୋଶଳୀ ପତ୍ରିକା ‘ନିସାନ୍’ର ସମ୍ପାଦକ ଭାବେ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ବେଶ୍ ସୁପରିଚିତ । ସମ୍ବଲପୁର ସହର ନିକଟବର୍ତ୍ତୀ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ‘ଗୁଲଣ୍ଡା’ ଗ୍ରାମ ହେଉଛି ତାଙ୍କର ଜନ୍ମମାଟି । ୧୯୧୯ ମସିହାରେ ଜନ୍ମିତ ଏହି ସାରସ୍ୱତ ବ୍ୟକ୍ତିତ୍ଵର ଶାରୀରିକ ଅବସାନ ୨୦୧୨ ମସିହାରେ ଘଟିଛି । ନିକାଞ୍ଚନ ପଲ୍ଲୀ ଜୀବନ ସାଙ୍ଗକୁ ଗ୍ରାମୀଣ ସଂସ୍କୃତିର ପୃଷ୍ଠଭୂମିରେ ନିଜର ଶୈଶବ ତଥା କିଶୋର ଜୀବନକୁ ବିତେଇବାର ସୌଭାଗ୍ୟ ସେ ଅର୍ଜନ କରିଥିଲେ । ବୃତ୍ତିଭିତ୍ତିକ ଜୀବନରେ ଅବକାରୀ ବିଭାଗର ଜଣେ ଅଧିକାରୀ ଭାବେ ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିଜର କର୍ମଦକ୍ଷତା ପ୍ରତିପାଦନ କରିଛନ୍ତି । ଉତ୍ତୀର୍ଣ୍ଣ ବୟସରେ ଜଣେ ଗବେଷକ ଭାବେ ନିଜର ଅନନ୍ୟ ପ୍ରତିଭାକୁ ସେ ଭାରତୀୟ ଓ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରସମ୍ମତ ତାତ୍ତ୍ଵିକ ଗବେଷଣାରେ ନିୟୋଜିତ କରିଛନ୍ତି । କବି ଜୟଦେବଙ୍କ ଅମର କୃତି ‘ଗୀତଗୋବିନ୍ଦ’ ପ୍ରସଙ୍ଗରେ ସେ ବହୁଗୁଡ଼ିଏ ନିଜସ୍ଵ ମନ୍ତବ୍ୟ ଉତ୍‌ଥାପନ କରିଛନ୍ତି ଯାହା ତାଙ୍କର ମୌଳିକ ଦୃଷ୍ଟିରଙ୍ଗୀର ପରିଚୟ ଦିଏ । ବହୁ ଆଗରୁ ‘ଝକାର’ ତଥା ଓଡ଼ିଶାର ଅନେକ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାରେ ସେ ଉଚ୍ଚକୋଟୀର ପ୍ରବନ୍ଧ ଲେଖି ସାହିତ୍ୟ ସଂସ୍କୃତି ଜନିତ ତାଙ୍କ ଗଭୀର ବ୍ୟୁତ୍ପତ୍ତିର ସୂଚନା ଦେଇଛନ୍ତି । ସ୍ଵର୍ଗୀୟ ପାଣିଗ୍ରାହୀ ୧୯୬୫ ମସିହାରେ ତାଙ୍କ ଲିଖିତ ‘ଭାରତୀୟ ସଙ୍ଗୀତ’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଥିଲେ ।

 

ପୁନଶ୍ଚ ‘ସମ୍ବଲପୁରୀ କୋଶଲୀ ବ୍ୟାକରଣ’ ଓ ‘ସମ୍ବଲପୁରୀ ମାହାଭାରତ କଥା’ର ମହାପ୍ରସ୍ଥାନିକ ପର୍ବଠୁ ଆଦିପର୍ବ (ଭାଗ-୩) ଭଳି ଛଅଖଣ୍ଡର ସେ ହେଉଛନ୍ତି ଲେଖକ । ୨୦୦୫ ମସିହାରେ ପ୍ରକାଶିତ ‘ପାଣିଗ୍ରାହୀ ପଦ୍ୟାବଳୀ’ ତାଙ୍କର ଅନ୍ୟ ଏକ ଉତ୍‌କୃଷ୍ଟ ସୃଷ୍ଟି । ତାଙ୍କର ଏଭଳି ଅସାମାନ୍ୟ କୃତି ପାଇଁ କେହି କେହି ତାଙ୍କୁ କୋଶଳ ବ୍ୟାସ ବୋଲି କହୁଥିବାର ଶୁଣାଯାଏ ।

 

ଡକ୍ଟର ବୀଣାପାଣି ପ୍ରଧାନ ଓଡ଼ିଆ ଭାଷା ଓ ସାହିତ୍ୟରେ ଦୀର୍ଘକାଳ ଅଧ୍ୟାପନା କରି ନିକଟ ଅତୀତରେ ଅବସର ନେଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁରୋଧ ରକ୍ଷା କରି କମ୍ ସମୟରେ ଏହି ପାଣ୍ଡୁଲିପିଟି ପ୍ରସ୍ତୁତ କରିଛନ୍ତି । ତାଙ୍କ ନିଷ୍ଠା ଓ ଏକାଗ୍ରତା ଯୋଗୁଁ ସ୍ଵର୍ଗତ ପାଣିଗ୍ରାହୀଙ୍କ ସମ୍ପର୍କରେ ନ ଜାଣିଥିବା ତଥା ଜାଣିବାକୁ ଆଗ୍ରହ ରଖିଥିବା ପାଠକ ପାଠିକା ଏହି ଜୀବନୀ ମୂଳକ ପୁସ୍ତିକାରୁ ନିଜର ଜିଜ୍ଞାସାଜନିତ ଅଭାବବୋଧ ପୂରଣ କରିପାରିବେ । ଏ ବିଶ୍ୱାସ ଆମର ରହିଛି ।

 

 

ଅଶ୍ୱିନୀ କୁମାର ମିଶ୍ର

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସୂଚୀପତ୍ର

 

୧.      ପ୍ରଥମ ପରିଚ୍ଛେଦ

ନୀଳମାଧବଙ୍କ ଜୀବନବୃତ୍ତ ଓ ସୃଷ୍ଟିସମ୍ଭାର

(କ) ଜୀବନବୃତ୍ତ

(ଖ) ସୃଷ୍ଟି ସମ୍ଭାର

୨.      ଦ୍ଵିତୀୟ ପରିଚ୍ଛେଦ

ନୀଳମାଧବଙ୍କ ଓଡ଼ିଆ ପ୍ରବନ୍ଧ ଓ ଗଦ୍ୟସୃଷ୍ଟି

(କ) ପ୍ରାବନ୍ଧିକ ନୀଳମାଧବ

(ଖ) ଭାରତୀୟ ସଙ୍ଗୀତ (୧୯୬୫)

(ଗ) ଗୀତଗୋବିନ୍ଦ ଓ ଜୟଦେବ-ଆଲୋଚନା

(ଘ) ଜ୍ୟୋତିର୍ମୟୀ (୧୯୯୪)

୩.      ତୃତୀୟ ପରିଚ୍ଛେଦ

ସମ୍ବଲପୁରୀ କାବ୍ୟକବିତା ଓ କବି ନୀଳମାଧବ

(କ) ସମଲ୍‌ପୁରର କଥା (୧୯୯୦)

(ଖ) କୋଶଲୀକା (୧୯୯୩)

(ଗ) ଝାରେଁ ଝାରେଁ ଫୁଟୁ ଝାର୍‌ମଲ୍ଲୀ ଭାର୍‌ ଭାର୍‌

(ଘ) ଅନ୍ୟାନ୍ୟ କବିତା

୪.      ଚତୁର୍ଥ ପରିଚ୍ଛେଦ

ସମ୍ବଲପୁରୀ ଗଦ୍ୟ

(କ) ମହରା ଆର୍‌ ମହୁ

(ଖ) ନିସାନ୍‌- ସମଲ୍‌ପୁରୀ ସାହିତ୍ୟ (୧୯୯୦)

(ଗ) ସମ୍ବଲପୁରୀ କୋଶଲୀ ବ୍ୟାକରଣ (୨୦୦୧)

୫.      ପଞ୍ଚମ ପରିଚ୍ଛେଦ

ସମ୍ବଲପୁରୀ (କୋଶଲୀ) ମାହାଭାରତ କଥା (୧୯୯୬)

(କ) ବର୍ଣ୍ଣନା ବୈଶିଷ୍ଟ୍ୟରେ ଭୂମି ସଂଲଗ୍ନତା

(ଖ) ସମ୍ବଲପୁରୀ ମାହାଭାରତର ଭାଷା

(ଗ) ସମ୍ବଲପୁରୀ ମାହାଭାରତର ଛନ୍ଦ

(ଘ) କୀଚକ୍‌ ବିନାଶ୍‌ ଆର୍‌ କୌର୍‌ବ ଦଲନ୍‌

୬.      ଉପସଂହାର

 

ପ୍ରଥମ ପରିଚ୍ଛେଦ

ନୀଳମାଧବଙ୍କ ଜୀବନବୃତ୍ତ ଓ ସୃଷ୍ଟିସମ୍ଭାର

 

(କ) ଜୀବନବୃତ୍ତ

ସମ୍ବଲପୁର ଉପକଣ୍ଠସ୍ଥ ମାନେଶ୍ଵର ବ୍ଳକ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମ, ଯାହାର ନିକଟରେ ପ୍ରବାହିତ ହେଉଛି ମାଳତୀ ନାମକ ଏକ କ୍ଷୁଦ୍ର ଉପନଦୀ । ସ୍ଵଭାବକବି ଗଙ୍ଗାଧର ମେହେରଙ୍କର ‘ଉତ୍କଳଲକ୍ଷୀ’ରେ ଏହାର ଉଲ୍ଲେଖ ଅଛି-

 

ଭେଡ଼ନ ମାଳତୀ ଅଣିକା ଘୋଷାଳୀ ସହିତ ମିଶି ଉତ୍ତାଳୀ

ସରଳ ତରଳ ଗୀତ ଗାଇ ସୁଖେ ମାରୁଥିଲେ କରତାଳି ।

 

ଉତ୍କଳଲକ୍ଷ୍ମୀଙ୍କ ଅଭିଷେକ କାଳରେ ଅଂଶ ଗ୍ରହଣ କରିଥିବା କ୍ଷୁଦ୍ର ନଦୀ ମାଳତୀ ତୀରସ୍ଥ ଗ୍ରାମ ଗୁଲୁଣ୍ଡାରେ ନୀଳମାଧବ ପାଣିଗ୍ରାହୀଙ୍କର ଜନ୍ମ । ପାଣିଗ୍ରାହୀ ପଦ୍ୟାବଳୀରେ ସ୍ଥାନିତ ‘ମାଲ୍‌ତୀ ନୁହେଁ ସୁରୁସାରି ଜୋର୍‌’ ଶୀର୍ଷକ କବିତାରେ ସେ ଏହାର ସ୍ମୃତିଚାରଣ କରିଛନ୍ତି-

 

ମାଲ୍‌ତୀ ମାଁଗୋ ! ମାଲ୍‌ତୀ ମାଆଁ

ତୋର କୁଲେତ ଜନମ୍‌ ହେଲା ମୋର୍‌

କେନ୍‌ତା କରି ମାନମି ତୁଇ ମାମ୍‌ଲି ଗୁଟେ ସୁରୁସାରିଜୋର

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୦)

 

ଗୁଲୁଣ୍ଡା ଗ୍ରାମର ଏକ ସମ୍ପନ୍ନ ତଥା କୁଳୀନ ବ୍ରାହ୍ମଣ ପରିବାରରେ (ତା.୧୪.୧୧.୧୯୧୯ରେ) ନୀଳମାଧବଙ୍କର ଜନ୍ମ । ପିତାଙ୍କର ନାମ ଥିଲା ପଣ୍ଡିତ ଦୈତାରୀ ପାଣିଗ୍ରାହୀ ଏବଂ ମାତା ଥିଲେ ରାଧାଦେବୀ । ନୀଳମାଧବ ଥିଲେ ପିତାମାତାଙ୍କର ଜ୍ୟେଷ୍ଠ ସନ୍ତାନ-। ଦୁଇ କନିଷ୍ଠା ଭଗ୍ନୀଙ୍କର ନାମ ଲୋକଜନନୀ ଓ ଯୋଜନଗନ୍ଧା । କନିଷ୍ଠ ଭ୍ରାତା ଥିଲେ ସତ୍ୟନାରାୟଣ । ନୀଳମାଧବ ପାଣିଗ୍ରାହୀଙ୍କର ପିତା ଜଣେ ସଂସ୍କୃତଜ୍ଞ ପଣ୍ଡିତ ହୋଇଥିବାରୁ ତାଙ୍କୁ ‘କାବ୍ୟକଣ୍ଠ’ ବୋଲି କୁହାଯାଉଥିବା ଶୁଣାଯାଏ । ଉଭୟ ପିତାମାତା ଥିଲେ ଶିକ୍ଷିତ ଓ ମାର୍ଜିତ ସଂସ୍କୃତି ସମ୍ପନ୍ନ । ସେମାନଙ୍କର ତତ୍ତ୍ୱାବଧାନ ଯେ ବାଳକ ନୀଳମାଧବଙ୍କର ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥଲା, ଏହା ନିଶ୍ଚିତ । ଜନ୍ମଦାତ୍ରୀ ଓ ମାଳତୀ ଜୋର ଉଭୟେ ଥିଲେ କବିଙ୍କର ମାଆ । ନିଜର ବାଲ୍ୟସ୍ମୃତି ଚାରର କରି ମାଆଙ୍କ ସମ୍ପର୍କରେ ନୀଳମାଧବ ଲେଖିଛନ୍ତି- “କୁଆ ଯଦି ତା’ର ବେଁକ୍‌ ଡେବ୍ରିଆ ମୁଡ଼ି କରି ଥର କେତେ କା’ କା’ କରି ଦେଲାରେ ବୟଲେଁ ମୋର୍‌ ମାଆ ମାହାନ୍‌ ଆଦର କରି କେନ୍ତାଗୁଟେ ଭାବାଦେଶର ସୁରେ କହୁଥିଲେ’’- ‘‘କୁଆରେ, ଖିରି ଖା-ପୁରି ଖା-ଶୁଭର୍‌ ବାର୍‌ତା ଦେଇ ଉଡ଼ିଯା ।’’

(ମହରା ଆର୍‌ ମହୁ-ପୃ-୬୮)

 

ମାଳତୀ ଜୋରକୁ ମଧ୍ୟ କବି ନୀଳମାଧବ ମାଆ ବୋଲି ମନେକରିଛନ୍ତି । ଯାହାର କୂଳ-ବାଲୁକାରେ ଶୈଶବକାଳୀନ କ୍ରୀଡ଼ା ହଂସରାଳୀ ପରି ପହଁରି ବୁଡ଼ି ସମୟ କଟାଇଥିବା ଅତିକ୍ରାନ୍ତ ଅତୀତର ସୁଖର ସ୍ମୃତିକୁ ସେ ଉତ୍ତୀର୍ଣ୍ଣ ବୟସରେ ମଧ୍ୟ ବିସ୍ମୃତ ହୋଇନାହାନ୍ତି-

 

ମାଆଁ ଗୋ ତୋର୍‌ ପୁଟ୍‌ ବାଲି ଥିଁ ବାଲକ୍‌ ମୁଇଁ

ଖେଲ୍‌ଲି କେତେ ଖେଲ୍‌

ତୋର୍‌ ପାନିଥିଁ ମୁଇଁ ହଁସରେଲ୍‌ ପହଁରି ବୁଡ଼ି

ପାସ୍‌ରି ଦିଏଁ ବେଲ୍‌

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୧)

 

ପାଞ୍ଚବର୍ଷ ବୟସରେ ଶିଶୁ ନୀଳମାଧବଙ୍କର ବିଦ୍ୟାରମ୍ଭ ହୋଇଥିଲା । ଅବଶ୍ୟ ଆନୁଷ୍ଠାନିକ ଶିକ୍ଷାଲାଭ ପୂର୍ବରୁ ପିତାଙ୍କ ତତ୍ତ୍ଵାବଧାନରେ ସେ ଓଡ଼ିଆ ବର୍ଣ୍ଣ, ମାତ୍ରା, ଫଳା, ଅଙ୍କ, ପଣିକିଆ ଇତ୍ୟାଦି କିଛି କିଛି ଶିକ୍ଷା କରିସାରିଥିଲେ । ତେଣୁ ବିଦ୍ୟାଳୟ ଯିବା ତାଙ୍କ ନିମନ୍ତେ ଆନନ୍ଦ ଓ ଆମୋଦପ୍ରଦ ଥିଲା, କିନ୍ତୁ ୧୯୨୪ ମସିହାରେ ଗାଆଁଠାରୁ ତିନି କିଲୋମିଟର ଦୂର ସର୍ଗିପାଲି ନିମ୍ନପ୍ରାଥମିକ ବିଦ୍ୟାଳୟକୁ ପାଞ୍ଚବର୍ଷ ବୟସ୍କ ଶିଶୁ ପୁତ୍ରକୁ ଏକାକୀ ଯିବାକୁ ଦେବା ସମ୍ଭବ ନଥିଲା । ଏଣୁ ପିତାମାତା ଶିଶୁପୁତ୍ରକୁ ସ୍କୁଲ ନେବା ଆଣିବା ନିମନ୍ତେ ଘରର ଜଣେ ହଳିଆଙ୍କୁ ନିୟୋଜିତ କରିଥିଲେ । ନକୁଳ ଉଁଠା ନାମକ ଏହି ନିରକ୍ଷର ବ୍ୟକ୍ତି ନୀଳମାଧବଙ୍କୁ ରାସ୍ତାରେ ଗୀତ ଗପ ଶୁଣାଇବା ସହିତ ପଶୁପକ୍ଷୀ, ଜୀବଜନ୍ତୁ, କୀଟପତଙ୍ଗଙ୍କ ସହିତ ପରିଚୟ କରାଇ ଦେଉଥିଲେ । ବିଭିନ୍ନ ଫୁଲର ସୁଗନ୍ଧରେ ଉଭୟେ ସମ୍ମୋହିତ ହୋଇ ପଥ ଅତିକ୍ରମ କରୁଥିଲେ । ଗୀତଗପ ମାଧ୍ୟମରେ ଏହି ବ୍ୟକ୍ତିଜଣକ ଶିଶୁ ନୀଳମାଧବଙ୍କର ମନରେ ଯେପରି ସାହିତ୍ୟ ପ୍ରତି ପ୍ରବଣତା ସୃଷ୍ଟିକରିଥିଲେ, ସେହିପରି ପ୍ରକୃତି ସହିତ ପରିଚୟ ସ୍ଥାପନ କରାଇ ତାଙ୍କର ସାହିତ୍ୟିକ ବ୍ୟକ୍ତିତ୍ଵର ଭିତ୍ତିସ୍ଥାପନ କରିଥିଲେ । ପରିଣତ ବୟସରେ ମଧ୍ୟ ଏହି ବ୍ୟକ୍ତିଙ୍କର ସ୍ମୃତି ସମୟ ବିଶେଷରେ କବିଙ୍କୁ ଭାବବିହ୍ଵଳ କରିଦେଉଥିଲା ।

 

ସର୍ଗିପାଲିରେ ପ୍ରଥମରୁ ତୃତୀୟଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଶେଷ କରିବା ପରେ ‘ଧମା’ ଗ୍ରାମର ଭର୍ଣ୍ଣାକୁଲାର ସ୍କୁଲରେ ତାଙ୍କର ନାମ ଲେଖା ଯାଇଥଲା । ନିକଟବର୍ତ୍ତୀ ବାଲପୁର ନାମକ ଗ୍ରାମରେ (ଯାହା ତାଙ୍କର ପିତାଙ୍କର ମାତୁଳାଳୟ ଥିଲା) ଅବସ୍ଥାନ କରି କିଛି ମାସ ସେ ଏହି ସ୍କୁଲରେ ବିଦ୍ୟାଶିକ୍ଷା କରିଥିଲେ । କୌଣସି କାରଣରୁ ଚତୁର୍ଥ ଶ୍ରେଣୀରେ ଶିକ୍ଷା ଅସମାପ୍ତ ରଖି ସେ ଘରକୁ ଫେରିଆସି କିଛି ମାସ କଟାଇଥିଲେ । ପରେ ସମ୍ବଲପୁର ପଟ୍ଟନାୟକ ପଡ଼ାରେ ଥିବା ମଧ୍ୟ-ଇଂରାଜୀ ବିଦ୍ୟାଳୟରେ ୧୯୨୮ ମସିହାରୁ ୧୯୩୨ ମସିହା ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ । ୧୯୩୨ ମସିହାରେ ସମ୍ବଲପୁର ଜିଲ୍ଲା ସ୍କୁଲରେ ତାଙ୍କର ନାମ ଲେଖାଗଲା । ଏଠାରେ ସେ ସାହିତ୍ୟ, ସଂସ୍କୃତ, ପାଟୀଗଣିତ, ଭୂଗୋଳ, ଇତିହାସ, ବିଜ୍ଞାନ ଓ ଇଂରାଜୀ ବିଷୟରେ ଶିକ୍ଷାଲାଭ କରିଥିଲେ । ବିଶେଷତଃ ସାହିତ୍ୟରେ ପ୍ରାଚୀନ କାବ୍ୟକବିତାଂଶଗୁଡ଼ିକ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା । ଏହି ସୂତ୍ରରେ ତାଙ୍କର ମଥୁରାମଙ୍ଗଳ, ବୈଦେହୀଶ ବିଳାସ, ରସ କଲ୍ଲୋଳ, ବିଦଗ୍ଧ ଚିନ୍ତାମଣି ଆଦି ପ୍ରାଚୀନ କାବ୍ୟକବିତା ସହ ସେ ପରିଚିତ ହୋଇଥିଲେ । ସ୍କୁଲ ପାଠ୍ୟ ବ୍ୟତୀତ ଛାନ୍ଦ, ଗ୍ରନ୍ଥ, ଅଳଙ୍କାର, ସାହିତ୍ୟ, ବ୍ୟାକରଣ ତଥା କାବ୍ୟ କବିତା ପଠନରେ ତାଙ୍କର ଗଭୀର ରୁଚି ଥିଲା । ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ବହୁ ପ୍ରବୀଣ ଶିକ୍ଷକ ସମୟକ୍ରମେ ଯୋଗଦାନ କରିଥିଲେ । ନୀଳମାଧବଙ୍କ ଅଧ୍ୟୟନ ସମୟରେ ପ୍ରଧାନ ଶିକ୍ଷକ ଥିଲେ ମହେଶଚନ୍ଦ୍ର ପ୍ରଧାନ । ତାଙ୍କ ବ୍ୟତୀତ ୧୯୩୫ ମସିହାରୁ ଏ.କେ. ବେନର୍ଜି, ଜଗନ୍ନାଥ ତ୍ରିପାଠୀ ତଥା ରତ୍ନାକର ପତି କିଛି କିଛି ମାସ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । ସେତେବେଳେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ ଉତ୍ତମ ଥିଲା । ବିଶେଷତଃ ସାହିତ୍ୟ ଓ ସଂସ୍କୃତ ଶିକ୍ଷକ କାବ୍ୟତୀର୍ଥ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଥିଲେ ଜଣେ ବିଦ୍ଵାନ ବ୍ୟକ୍ତି ଏବଂ ନୀଳମାଧବ ଥିଲେ ତାଙ୍କର ପ୍ରିୟ ଛାତ୍ର ।

 

ଏହି ବିଦ୍ୟାଳୟରୁ ୧୯୩୬ ମସିହାରେ ନୀଳମାଧବ ମେଟ୍ରିକ୍ୟୁଲେଶନ ପାଶ୍‌ କରିଥିଲେ-। ଯେହେତୁ ତତ୍କାଳୀନ ସମୟରେ ଓଡ଼ିଶାରେ ଏକମାତ୍ର ମହାବିଦ୍ୟାଳୟ ଭାବରେ ରେଭେନ୍ସା କଲେଜ ଥିଲା । ତେଣୁ ଓଡ଼ିଶାର ଯେ କୌଣସି ପ୍ରାନ୍ତର ଅଧ୍ୟୟନ ପିପାସୁ ଛାତ୍ର ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ୧୯୩୬ ମସିହାରୁ ୧୯୩୮ ମସିହା ପର୍ଯ୍ୟନ୍ତ ନୀଳମାଧବ ମଧ୍ୟ କଟକର ଏହି ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଏହି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଥିଲେ ସମ୍ବଲପୁର ଜିଲ୍ଲା ସ୍କୁଲରେ ତାଙ୍କର ପ୍ରିୟ ହେଡ଼ମାଷ୍ଟର ଥିବା ରତ୍ନାକର ପତି । ଏହି ସମୟାବଧିରେ ଅନେକ ଆଲୋଚନା ଲେଖି ସେ ମହାନ୍ତିଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ସମୟରେ ମହାବିଦ୍ୟାଳୟ ତରଫରୁ ଯେଉଁ ସଙ୍ଗୀତ, ସାହିତ୍ୟ ତଥା କବିତାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେଉଥିଲା, ନୀଳମାଧବ ସେଗୁଡ଼ିକରେ ଅଂଶ ଗ୍ରହଣ କରୁଥିଲେ । ସେ ରହୁଥିବା ପୂର୍ବ-ଛାତ୍ରାବାସର ମୁଖପତ୍ର ଥିଲା ଉର୍ମି । ଏ ଉଭୟ ମୁଖପତ୍ର ଅନ୍ତେବାସୀ ଛାତ୍ରଙ୍କର ମନରେ ସାହିତ୍ୟ ପିପାସା ଜାଗ୍ରତ କରିବାରେ ସହାୟତା କରୁଥିଲେ । ଅଧିକନ୍ତୁ ସେ କନିକା ଲାଇବ୍ରେରୀରୁ ଅନେକ ପ୍ରାଚୀନ ଗ୍ରନ୍ଥ ତଥା ଉତ୍କଳ ଦୀପିକା, ଉତ୍କଳ ସାହିତ୍ୟ, ସମ୍ବଲପୁର ହିତୈଷିଣୀ, ମୁକୁର, ସତ୍ୟବାଦୀ, ଦୈନିକ ଆଶା ଆଦି ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଇଥିଲେ । ସେତେବେଳେ ଡଃ ପ୍ରାଣକୃଷ୍ଣ ପରିଜା ଏବଂ ଡ. ଶ୍ୟାମଚନ୍ଦ୍ର ତ୍ରିପାଠୀଙ୍କ ପରି ଅଧ୍ୟକ୍ଷ, ରତ୍ନାକର ପତି ଏବଂ ବିପିନ ବିହାରୀ ରାୟଙ୍କ ପରି ଦର୍ଶନ ଶାସ୍ତ୍ରର ଅଧ୍ୟାପକ । ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପରି ସାହିତ୍ୟ ଓ ସଂସ୍କୃତର ବିଦ୍ଵାନ ଅଧ୍ୟାପକ, ଗିରିଜାଶଙ୍କର ରାୟଙ୍କ ପରି ଇଂରାଜୀ ଏବଂ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ଭଳି ସଂସ୍କୃତ ଅଧ୍ୟାପକଙ୍କଠାରୁ ଶିକ୍ଷାଲାଭ କରିବାର ସୁଯୋଗ ସେ ପ୍ରାପ୍ତ ହୋଇଥିଲେ ।

 

୧୯୩୮ ମସିହାରେ ତାଙ୍କର ଛାତ୍ରଜୀବନର ପରିସମାପ୍ତି ହୋଇଥିଲେ ସୁଦ୍ଧା ସେ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା, ଇଂରାଜୀ ଭାଷାର ଅନେକ ଗ୍ରନ୍ଥ, ସଂସ୍କୃତର ଅମର କୋଷ ଅଭିଧାନ, ଓଡ଼ିଆରେ ଗୋପୀନାଥ ନନ୍ଦଙ୍କ ଦ୍ୱାରା ଲିଖିତ ଓଡ଼ିଆ ଭାଷାତତ୍ତ୍ଵ, ଶବ୍ଦ ତତ୍ତ୍ୱବୋଧ ଅଭିଧାନ ଆଦି ଗ୍ରନ୍ଥ ଅଧ୍ୟୟନ କରିଥିଲେ । ଆଇ.ଏ. ପଢ଼ା ଶେଷକରି ୧୯୪୦ ମସିହାରେ ସେ ଓଡ଼ିଶା ସରକାରଙ୍କର ଅବକାରୀ ବିଭାଗରେ ଜଣେ କର୍ମଚାରୀ ଭାବରେ ଯୋଗ ଦେଇଥିଲେ ଏବଂ ୧୯୭୭ ମସିହାରେ ଅବସର ଗ୍ରହଣ କରିଥିଲେ । ଅଧ୍ୟୟନ ସ୍ପୃହା ହେତୁ ସେ ୧୯୬୫ ମସିହାରେ ବ୍ରହ୍ମପୁରରେ ଚାକିରୀ କରୁଥିବା ସମୟରେ ତାଙ୍କର ଦ୍ଵିତୀୟା କନ୍ୟା ଶାରଦାଙ୍କ ସହିତ ବି.ଏ. ପରୀକ୍ଷା ନିମନ୍ତେ ଦୁଇଟି ଫର୍ମ ପୂରଣ କରି ଖଲିକୋଟ୍‌ କଲେଜର ତତ୍କାଳୀନ ପ୍ରିନ୍‌ସପାଲ୍‌ ମାୟାଧର ମାନସିଂହଙ୍କର ଟେବୁଲରେ ରଖିଦେଇ ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଥିଲେ । ତେବେ ୧୯୬୫ ମସିହାରେ ସେ ବି.ଏ. ପାଶ୍‌ କରିଥିଲେ ।

 

ଚାକିରୀରେ ଯୋଗଦେବା ପୂର୍ବରୁ ୧୯୩୯ ମସିହାରେ ସମ୍ବଲପୁର ସହରର ଜଣେ ପଦସ୍ଥ କର୍ମଚାରୀ ବିପିନ ବିହାରୀ ପୂଜାରୀଙ୍କ କନ୍ୟା ସୁମେଧାଦେବୀଙ୍କୁ ନୀଳମାଧବ ବିବାହ କରିଥିଲେ । ପାଣିଗ୍ରାହୀ ପଦ୍ୟାବଳୀରେ ସ୍ଥାନିତ ‘ରାଗିଣୀ ନୀଳାମ୍ବରୀ’ ଶୀର୍ଷକ କବିତାରେ କବି ପତ୍ନୀଙ୍କ ସହିତ ପ୍ରଥମ ସାକ୍ଷାତର ମଧୁର ସଙ୍ଗୀତସିକ୍ତ ମୁହୂର୍ତ୍ତର ସ୍ମୃତିଚାରଣ କରି ଲେଖିଛନ୍ତି -

 

ତମ୍‌ହେ ଗାଉଥିଲ ମନସିଜ ମନମୋହନ ହେ ଘନଶ୍ୟାମ

ଗୀତ୍‌ ସୁରେଁ ସୁରେଁ ବଜଉଥିଲ ଭି ସୁରୁତ୍‌ ହାର୍‌ମୋନିୟମ୍‌

‘ମଧ୍ୟ’ ଆଉର୍‌ ତାର ସ୍ଥାନେ ଜହ ଖେଲି ବୁଲୁଥାୟ ଗାନା’

ଲାଗୁଥାୟ ସଥେଁ ଜେନ୍‌ତା ଗାୟିକା ପରବିନ୍‌ ସୁଲ୍‌ତାନା ।

x      x      x      x      x

ଦେଖ୍‌ଲି ରାଗ୍‌ନୀ ନାମ୍‌ ଲେଖା ଥିଲା ନବୀନ ନୀଳାମ୍ବରୀ

ନୀଲ୍‌ ଅକ୍ଷର୍‌ ମୋର୍‌ ନାଆଁ ସାଂଗେ ଏକ୍‌ ଥିଲା ବଲିକରି

ତମ୍‌ହେ ରାଗନୀର ନାଆଁ ନାଇଁ କହୁଥାଇ ଅପସରି, ଡରି ।

ଅପ୍‌ସରୀ ଲେଖେଁ ଘଲେ ତମ୍‌ହେ ଲାଜ୍‌କେ ମୁଠେଇ ଧରି ।

 

ଶ୍ରୀମତୀ ହ୍ରୀମତୀ ଦୁଇ ଉପାଧିର ଥିଲ ଅଧିକାରୀ ପ୍ରିୟେ ।

ସବ୍‌କଥା ଖୁଦି ହେଇଛେ ହୁର୍‌ଦେଁ କିନ୍ତୁ ଭିଲ ମେଟେ ନିହେ ।।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୦୬)

 

ଏହି ସୁଖୀ ଏବଂ ସଫଳ ଦମ୍ପତ୍ତିଙ୍କର ଥିଲେ ଦଶଟି ସନ୍ତାନ । ପାଞ୍ଚଟି ଝିଅ ଓ ପାଞ୍ଚଟି ପୁଅ-। କନ୍ୟାମାନେ ହେଲେ କ୍ଷଣଦା, ଶାରଦା, ସୁନନ୍ଦା, ସଂଯୁକ୍ତା, ନମିତା ଏବଂ ପୁତ୍ରମାନେ, ବିବେକଭୂଷଣ, ପ୍ରଭାତ କୁମାର, ପ୍ରଶାନ୍ତ କୁମାର, ପ୍ରଦୀପ୍ତ କୁମାର ଓ ପ୍ରଣତ କୁମାର । ସମସ୍ତ ସନ୍ତାନ ଥିଲେ ସୁଶିକ୍ଷିତ, ବ୍ୟବହାରରେ ମାର୍ଜିତ ସଂସ୍କୃତି ସମ୍ପନ୍ନ । ଏମାନଙ୍କ ମଧ୍ୟରୁ ଦ୍ଵିତୀୟାକନ୍ୟା ଶାରଦା ଏବଂ କନିଷ୍ଠ ପୁତ୍ର ପ୍ରଣତ ବର୍ତ୍ତମାନ ପରଲୋକଗତ । ନୀଳମାଧବଙ୍କର ପ୍ରତିଭାର ପ୍ରଚ୍ଛନ୍ନ ପ୍ରେରଣା ସ୍ରୋତ ଥିଲେ କନ୍ୟା ସୁନନ୍ଦା ଏବଂ ଜାମାତା ଓଡ଼ିଶାର ଭୂତପୂର୍ବ ମନ୍ତ୍ରୀ ତଥା ପୂର୍ବତନ ଲୋକସଭା ସଦସ୍ୟ ସ୍ଵର୍ଗତଃ ଶ୍ରୀବଲ୍ଲଭ ପାଣିଗ୍ରାହୀ । ଉତ୍ତର ଜୀବନରେ ଏହି ଦମ୍ପତ୍ତିଙ୍କର ପ୍ରେରଣା ଓ ପ୍ରୋତ୍ସାହନ ତାଙ୍କୁ ସମ୍ବଲପୁରୀ ସାହିତ୍ୟ ସୃଷ୍ଟି ନିମନ୍ତେ ପ୍ରରୋଚିତ କରିଥିଲା । ୧୯୪୪ ମସିହାରୁ ଓଡ଼ିଆ ଛନ୍ଦ, ସଙ୍ଗୀତ ଓ ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରି ପ୍ରସିଦ୍ଧି ଅର୍ଜନ କରିଥିବା ନୀଳମାଧବ ପାଣିଗ୍ରାହୀ ୧୯୯୦ ମସିହାରେ ୭୧ ବର୍ଷ ବୟସରେ ସମ୍ବଲପୁରୀ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ଏହାପରେ ଜୀବନର ଚତୁର୍ଥ ପର୍ଯ୍ୟାୟର ୨୨ ବର୍ଷ ସେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ସେବାରେ ନିଜକୁ ନିୟୋଜିତ କରିଥିଲେ ।

 

ଇତି ମଧ୍ୟରେ ସେ ବହୁ ପାରିବାରିକ ଝଡ଼ଝଂଜାର ସମ୍ମୁଖୀନ ହୋଇଥିଲେ । ପିତା ଦୈତାରୀ ପାଣିଗ୍ରାହୀଙ୍କର ୧୯୬୪ ମସିହାରେ ଏବଂ ମାତା ରାଧିକା ଦେବୀଙ୍କର ୧୯୭୭ ମସିହାରେ ପରଲୋକ ହୋଇଥିଲା ଏହାର ମାତ୍ର ପାଞ୍ଚବର୍ଷ ପରେ ୨୨।୨।୧୯୮୨ ମସିହାରେ ମହାଶିବରାତ୍ରିର ପବିତ୍ର ତିଥି‌ରେ କବିପତ୍ନୀ ସୁମେଧା ଦେବୀଙ୍କର ମହାପ୍ରୟାଣ ଘଟିଥିଲା । ମର୍ମାହତ କବି ହୁଏତ ଶେଷ ସାକ୍ଷାତ କରିପାରି ନଥିଲେ ।

 

‘ଓଃ ତାଜ୍‌’ ଶୀର୍ଷକ କବିତାରେ ତେଣୁ ସେ ଲେଖିଥିଲେ -

 

ଦୁନିଆଁରୁ ତୁମେ ବିଦାୟ ନେଇଚ ସଖୀ

ବିଦାୟ ଆଗରୁ ଦେଲ ନାହିଁ ଶେଷଦେଖା

ଚାଲିଗଲ ଏକା ଏକା

 

ଏକାକରି ମୋତେ ଏପାରେ ଦେଇଚ ରଖି

ଜାଣିପାରୁ ନାହିଁ, କି ଥିଲା ତୁମର ଅନ୍ତିମ ଅଭିଳାଷ

ରହିଗଲା ତାହା ଉହ୍ୟ, ଅପ୍ରକାଶ୍ୟ ।

(ପାଞ୍ଚଜନ୍ୟ-୩/୧-ଜାନୁୟାରୀ- ମାର୍ଚ୍ଚ-୧୯୮୨)

 

‘ପାଣିଗ୍ରାହୀ ପଦ୍ୟାବଳୀ’ର ‘ବିଧାତାକେ ମୁମୂର୍ଷୁ ଯୋଦ୍ଧାର ପ୍ରାର୍ଥନା’ ଶୀର୍ଷକ କବିତାରେ ମଧ୍ୟ ଏହି ବିରହ ବେଦନା ପ୍ରତିଧ୍ୱନିତ ହୋଇଛି-

 

ଜାନ୍‌କା ଇଥିର୍ ଭିତ୍‌ରେଁ ପ୍ରୀତିର୍‌ ପ୍ରତିମା ଗୁଟ୍‌କ ତା’ର

ନାଇଁନ ଇପାରେଁ ଘାଟ୍‌ ପାର୍‌ ହେଇ ଗଲାନ ପହିଲ୍‌ ପାର

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୦୮)

 

କବି ରାଧାମୋହନ ଗଡ଼ନାୟକ ମଧ୍ୟ ସୁମେଧାଦେବୀଙ୍କର ସ୍ମୃତିରେ ଲେଖିଥିଲେ-

 

ହେ ବିଦଗ୍ଧ ବନ୍ଧୁ ଯା’ରେ ଧରିଥିଲ ନିଭୃତ ହିଆରେ

ଲହୁଲୁହ ପ୍ରୀତିରେ ଅଭିନ୍ନ

କାଳ ଆସି ତୁମର ସେ ଜୀବନ ପ୍ରିୟାରେ

ତୁମଠାରୁ କରିଦେଲା ଛିନ୍ନ ।

କବି ତୁମେ, ଗୁଣୀ ତୁମେ, କଳାକାର ତୁମେ

ଢାଳି ଢାଳି ଅଶ୍ରୁର ବିଥିକା

ଇୟୁରିଡାଇସ୍‌ ପାଇଁ ଅର୍ଫିୟସ୍‌ ପରି

ବୀଣାଧରି ତୁମେ ନିଜେ ଗାଇ ଅଛ

ବିରହର ବିଧୂର ଗୀତିକା ।

(ସୁମେଧା ଦେବୀ ସ୍ମରଣିକା-୧୯୩୮)

 

କବିଙ୍କ ଜୀବନରେ ଦ୍ୱିତୀୟ ଦୁଃଖଦ ଘଟଣା ଘଟିଗଲା ୫।୨।୨୯୯୬ ମସିହାରେ । କନିଷ୍ଠ ପୁତ୍ର ପ୍ରଣତ କୁମାରଙ୍କର ବମ୍ବେରେ ମାତ୍ର ସାଢ଼େ ବତିଶ ବର୍ଷ ବୟସରେ ଏକ ଆକ୍ସିଡେଣ୍ଟ୍‌ରେ ପରଲୋକ ହୋଇଗଲା । ସେତେବେଳେ ସେ ସମ୍ବଲପୁରୀ ମହାଭାରତ ଆଦିପର୍ବ ଲେଖିଥାନ୍ତି, କିନ୍ତୁ ପ୍ରକାଶିତ ହୋଇନଥାଏ । ଅଥଚ ଆଶ୍ଚର୍ଯ୍ୟର କଥା ତାଙ୍କର ସ୍ଵର୍ଗାରୋହଣ ପର୍ବ ଲେଖିବାର ଇଚ୍ଛା ଜାଗ୍ରତ ହେଲା । ଯେଉଁଦିନ ରାତିରେ ସ୍ଵର୍ଗାରୋହଣ ପର୍ବ ଶେଷ ହେଲା, ପରଦିନ ପ୍ରତ୍ୟୁଷରେ ପହଞ୍ଚିଲା ଦାରୁଣ ଦୁଃସମ୍ବାଦଟି । ଏ ସମ୍ପର୍କରେ ସେ ରଚନାର ମୁଖବନ୍ଧରେ ଲେଖିଥିଲେ-

 

‘‘ତା’ର ସ୍ଵର୍ଗାରୋହଣ ସାଂଗେ ମୋର ଇ ସ୍ଵର୍ଗାରୋହଣ ପର୍ବ ଲେଖାର ରହସ୍ୟମୟ ଯୋଗାଯୋଗ ଅଛି । ହେଥିର୍‌ ଲାଗି ବହିର୍ ପହିଲ୍‌ ଭାଗ୍‌ ଆଦିପର୍ବ ବାହାରବାର ଆଘୁଁଇ ‘ସ୍ଵର୍ଗାରୋହଣ ପର୍ବ’ ବାହାର କରୁଛେଁ ।’’ ସେହିପରି ସ୍ଵୀୟ ଜୀବିତାବସ୍ଥାରେ ଦ୍ୱିତୀୟା କନ୍ୟା ଶାରଦାର ମୃତ୍ୟୁ ମଧ୍ୟ ତାଙ୍କ ନିମନ୍ତେ ଦୁଃଖାବହ ଥିଲା ।

 

ସାଂସାରିକ ଦୁଃଖଶୋକର ଊର୍ଦ୍ଧ୍ୱରେ ସେ ଥିଲେ ସାରସ୍ଵତ ସାଧକ । ବିଶେଷତଃ ସମ୍ବଲପୁରୀ ଭାଷା ଓ ସାହିତ୍ୟର ସ୍ଵାତନ୍ତ୍ର୍ୟ ଏବଂ ସ୍ଵୀକୃତି ଥିଲା ତାଙ୍କର ଉତ୍ତର ଜୀବନର ଏକମାତ୍ର ଆକାଂକ୍ଷିତ ସ୍ଵପ୍ନ । ସମ୍ବଲପୁରୀ ଭାଷାରେ ଅଠରଖଣ୍ଡ ମହାଭାରତ ରଚନାର ପରିକଳ୍ପନା ତାଙ୍କର ଥିଲା । କିନ୍ତୁ କାଳ ତାହା କରାଇ ଦେଲା ନାହିଁ । ଆଉ ମାତ୍ର ଛଅବର୍ଷ ଅତିକ୍ରାନ୍ତ ହୋଇଥିଲେ ସେ ଶତାୟୁ ହୋଇଥାନ୍ତେ, ୯୪ ବର୍ଷ ବୟସରେ ତା ୨୮.୧୧.୨୦୧୨ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ତାଙ୍କର ମହାପ୍ରୟାଣ ମୁହୂର୍ତ୍ତ ଉପସ୍ଥିତ ହୋଇଥିଲା । କବିଙ୍କର ଶେଷ ଇଚ୍ଛା ଅନୁକ୍ରମେ ମାତୃସମା ମାଳତୀ ଜୋର ତୀରରେ ତାଙ୍କର ଜୁଇ ଜଳିଥିଲା । ମାଳତୀ ମାଆର କୋଳରେ ଶେଷ ବିଶ୍ରାମ ନେବା ଥିଲା ତାଙ୍କର ବହୁଦିନର ଅଭିଳଷିତ ସ୍ଵପ୍ନ-

 

କାନ୍ଦବୁ ନାଇଁ ରଡ଼୍‌ବୁ ନାଇଁ

ମୋର ଶରୀରୁଁ ଛାଡ଼୍‌ବା ଜେଭେଁ ପ୍ରାନ୍‌

ମାଟି ପାନିର୍‌ ମୋର୍‌ ଇ ଶରୀର

ତୋର କୁଲେ ମାଁ ଶୁଇବା ଦେବୁଠାନ୍‌

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୩)

 

ତାଙ୍କ ମୃତ୍ୟୁରେ ବ୍ୟଥିତ ସମ୍ବଲପୁର ଅଞ୍ଚଳର ଅଗଣିତ ଭାଷା ଓ ସାହିତ୍ୟପ୍ରେମୀ ଶେଷଦର୍ଶନ ନିମନ୍ତେ ମାଳତୀ ଜୋର ତୀରରେ ଏକତ୍ରିତ ହୋଇଥିଲେ । ଦୈନିକ ‘ସମାଜ’ ତାଙ୍କ ସମ୍ପର୍କରେ ପରଦିନ ଲେଖିଥିଲେ- ‘‘ତାଙ୍କ ଦେହାବସାନରେ ଏକ ସ୍ଵର୍ଣ୍ଣିମ ସାରସ୍ଵତ ଅଧ୍ୟାୟର ଅନ୍ତଘଟିବା ସହିତ ଅଞ୍ଚଳର ବୌଦ୍ଧିକ ଜଗତରେ ଅପୂରଣୀୟ କ୍ଷତି ଘଟିଛି ।’’

 

ସେହିପରି ‘ସଂବାଦ’ ଦୈନିକ ଲେଖିଥିଲେ-(୨୯.୧୧.୧୨) ଚାରିଆଡ଼େ ଭଜନ କୀର୍ତ୍ତନ ନାମଯଜ୍ଞ ଚାଲିଥିଲା । ନଈ ପୋଖରୀରେ ଭାସୁଥିବା ବୋଇତଗୁଡ଼ିକର ସଳିତାରୁ ଅଗ୍ନିଶିଖା ଲିଭି ନଥିଲା । ଆଉ ଏହିଭଳି ପବିତ୍ର ବେଳାରେ ଦୀପଶିଖା ଲିଭିଗଲା ଜଣେ ମହାନ୍‌ ସାରସ୍ଵତ ସାଧକଙ୍କର । ଦୈନିକ ‘ଧରିତ୍ରୀ’ ମଧ୍ୟ ଲେଖିଥିଲେ । (୨୯ ।୧୧।୧୨)

 

ସମ୍ବଲପୁରୀ-କୋଶଲୀ ଭାଷା ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି । ସମ୍ବଲପୁରୀ-କୋଶଲୀ ଭାଷାରେ ମହାଭାରତ ପ୍ରଣେତା ତଥା ସଙ୍ଗୀତ ଶାସ୍ତ୍ରର ବିଦ୍ଵାନପଣ୍ଡିତ ଡଃ ନୀଳମାଧବ ପାଣିଗ୍ରାହୀଙ୍କର ପରଲୋକ ହୋଇଯାଇଛି ।

 

ସ୍ଵପ୍ନ ଥିଲା ଅନେକ, ସମୟ ନଥିଲା । ଅସମାପ୍ତ ରହିଗଲା କୋଶଳ ବ୍ୟାସଙ୍କର ମହାଭାରତ । ସମ୍ବଲପୁରୀ ଭାଷା-ସାହିତ୍ୟ ଜଣେ ପିତୃପୁରୁଷଙ୍କୁ ହରାଇଲା । ଯେଉଁ ଭିତ୍ତିଭୂମି ସେ ନିର୍ମାଣ କରି ଯାଇଛନ୍ତି, ତାହା ଉପରେ ଭାଷା ଓ ସାହିତ୍ୟ ସୌଧ ନିର୍ମାଣ ହେବ ତାଙ୍କ ନିମନ୍ତେ ଯଥାର୍ଥ ଶ୍ରଦ୍ଧା ଓ ସମ୍ମାନ ।

 

(ଖ) ସୃଷ୍ଟି ସମ୍ଭାର

ନୀଳମାଧବଙ୍କର ଲେଖକୀୟ ଜୀବନ ଆରମ୍ଭ ହୋଇଥିଲା ପଚିଶ ବର୍ଷ ବୟସରେ । ୧୯୪୦ ମସିହାରେ କର୍ମମୟ ଜୀବନ ଆରମ୍ଭ କରିବା ପରେ, ୧୯୪୪ ମସିହାରୁ । ଅର୍ଥାତ୍‌ ତାଙ୍କର ଅନୁଗୁଳ ଅବସ୍ଥାନ ସମୟରୁ ଶେଷ ପର୍ଯ୍ୟନ୍ତ ଲେଖନୀର ସାହଚର୍ଯ୍ୟ ସେ ପରିତ୍ୟାଗ କରିନାହାନ୍ତି । ପୂର୍ବରୁ ହୁଏତ ସେ ଛାତ୍ରଜୀବନରେ କିଛି ଗଦ୍ୟରଚନା କରିଥିଲେ । କିନ୍ତୁ ତାଙ୍କର ସାହିତ୍ୟିକ ଜୀବନର ଭିତ୍ତିଭୂମି ଅନୁଗୁଳ ଅବସ୍ଥାନ କାଳରେ ସ୍ଥାପିତ ହୋଇଥିଲା । ଏକ ଶ୍ରାବଣୀ ସଂଧ୍ୟାର ବର୍ଷଣମୁଖର ତିଥିରେ ଉଭୟଙ୍କର ହୃଦୟ ଯେଉଁ ପ୍ରୀତିବନ୍ଧନରେ ଆବଦ୍ଧ ହୋଇଥିଲା, ତାହା ଗଡ଼ନାୟକଙ୍କର ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ପଚାଶ ବର୍ଷ ଅବ୍ୟାହତ ରହିଥିଲା । ଏ ସମ୍ପର୍କରେ ତାଙ୍କର ଭାରତୀୟ ସଙ୍ଗୀତର ‘ବାକ୍ୟାଳାପ’ ଶୀର୍ଷକ ମୁଖବନ୍ଧରେ ସେ ଲେଖିଥିଲେ-‘‘ମୋ ପକ୍ଷରେ ଆଉ ଗୋଟିଏ ମୌଳିକ, ଦୀପ୍ତିମନ୍ତ ରତ୍ନ ହେଉଛନ୍ତି କାବ୍ୟସଙ୍ଗୀତକାର ସୁହୃଦ ଶ୍ରୀଯୁକ୍ତ ରାଧାମୋହନ ଗଡ଼ନାୟକ । ୧୯୪୪ରେ ମୋର ଅନୁଗୁଳ ଅବସ୍ଥାନ ବେଳେ ତାଙ୍କ ସହିତ ମୋର ପ୍ରଥମ ପରିଚୟ ହୁଏ । ତା’ ପୂର୍ବରୁ ବୀଣାପାଣି ସରସ୍ଵତୀଙ୍କର ମୁଁ ଯତ୍‌କିଞ୍ଚିତ୍‌ ଦର୍ଶନ କରିଥିଲି, ପୁସ୍ତକ ପାଣିଙ୍କର ଦର୍ଶନ ପାଇ ନଥିଲି । ଦର୍ଶନ କରାଇଲେ ବନ୍ଧୁ ଗଡ଼ନାୟକ । ତେଣୁ ସେ ମୋର ଆଦ୍ୟ ସ୍ମରଣୀୟ ଓ ଚିରସ୍ମରଣୀୟ ।’’ ପ୍ରସଙ୍ଗ କ୍ରମେ କୁହାଯାଇପାରେ, ରାଧାମୋହନଙ୍କ ପ୍ରଥମ ସଫଳ ସୃଷ୍ଟି ‘କାବ୍ୟନାୟିକା’ ୧୯୪୫ ମସିହାରେ ପ୍ରକାଶିତ ହୋଇଥିଲା । ଛାନ୍ଦସିକ କବି ଗଡ଼ନାୟକଙ୍କର ମଧୁର ସାନ୍ନିଧ୍ୟ ନୀଳମାଧବଙ୍କୁ କାବ୍ୟକବିତାରେ ଛନ୍ଦବିଚାର ନିମନ୍ତେ ପ୍ରରୋଚିତ କରିଥିବ ନିଶ୍ଚୟ । ତେଣୁ ୧୯୪୪ ରୁ ସେ ଜଣେ ଛନ୍ଦ ଆଲୋଚକ ଭାବରେ ଓଡ଼ିଆ ସାହିତ୍ୟରେ ଆତ୍ମପ୍ରକାଶ କରିଥିଲେ । ଓଡ଼ିଆ ଓ ସଂସ୍କୃତ ଛନ୍ଦ ଉପରେ ନୀଳମାଧବଙ୍କର ଗଭୀର ଅବବୋଧ କବିବନ୍ଧୁ ଗଡ଼ନାୟକଙ୍କୁ ମୁଗ୍ଧ କରିଥିଲା । ଏହି ସାରସ୍ଵତ ସମ୍ପର୍କ ବ୍ୟକ୍ତିଗତ ତଥା ପାରିବାରିକ ଆତ୍ମୀୟତାରେ ପରିଣତ ହୋଇଯାଇଥିଲା । କବି ରାଧାମୋହନ ଅନେକବାର ନୀଳମାଧବଙ୍କର ଗୁଲୁଣ୍ଡା ଘରେ ଅତିଥି ହୋଇ ସାତଆଠ ଦିନ ଅତିବାହିତ କରିଥିଲେ । ଉଭୟଙ୍କର ପତ୍ରାଳାପରୁ ମଧ୍ୟ ସେମାନଙ୍କର ସମ୍ପର୍କର ଗଭୀରତା ଅନୁଭୂତ ହୋଇଥାଏ । ଗଡ଼ନାୟକଙ୍କ ସମ୍ପର୍କରେ ଏକଦା ବନ୍ଧୁ ନୀଳମାଧବ ଲେଖିଥିଲେ-‘‘ଗଡ଼ନାୟକ-ବାଣୀ ଅତି ବିଚିତ୍ର, ତା’ର ସମ୍ଭାର ବିପୁଳ, ପରିସର ବିରାଟ, ଗଭୀରତା ଅଥଳ । ସେ ବାଣୀର ଠାଣି ଓ ଛଟା ନାଟକୀୟ, ନାଟ୍ୟରେ ଯେପରି ସଂଳାପ, ଗୀତ, ବାଦ୍ୟ ଓ ନୃତ୍ୟର ସମାବେଶ, ଗଡ଼ନାୟକ ବାଣୀରେ ବି ସେଇଭଳି ସଂଳାପ, ଧ୍ୱନି, ଛନ୍ଦ ଓ ଦୋଳନର ପ୍ରତ୍ୟେକ ବିଭବ ବିଦ୍ୟମାନ । ବେଦବାଣୀବତ୍‌ ତାହା କାହିଁ ଉଦାତ୍ତ, କାହିଁ ଅନୁଦାତ୍ତ ଓ କାହିଁ ବା ସ୍ୱରିତ । ତାହା ଯେପରି ମନ୍ଦ୍ର ଗମ୍ଭୀର, ସେହିପରି ଲଳିତ ।’’

(ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ-୧୯୭୧-ପୃ. ୬୯/୭୦)

 

୨୦୦୦ ମସିହା ଫେବୃୟାରୀ ମାସରେ ରାଧାମୋହନଙ୍କ ମୃତ୍ୟୁ ନୀଳମାଧବଙ୍କୁ କିପରି ମର୍ମାହତ କରିଥିଲା, ତାଙ୍କ ପ୍ରତିଫଳନ ତା. ୨୧.୨.୨୦୦୧ରେ ଅନଗୁଳ ଜିଲ୍ଲା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ଶ୍ରାଦ୍ଧ ସଭାରେ ପରିଲକ୍ଷିତ ହୋଇଥିଲା । ମୀନକେତନ ପୁରୋହିତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହେଉଥିବା ଏହି ସଭାରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥାନ୍ତି ନୀଳମାଧବ ପାଣିଗ୍ରାହୀ । ସଭାସ୍ଥଳରେ ବକ୍ତବ୍ୟ ଉପସ୍ଥାପନ ନିମନ୍ତେ ଦଣ୍ଡାୟମାନ ହୋଇ ମଞ୍ଚାସୀନ ଅତିଥିବୃନ୍ଦ ଏବଂ ସମବେତ ଜନତାଙ୍କୁ ସମ୍ୱୋଧନ କରିବା ପରେ କବିବନ୍ଧୁଙ୍କର ନାମମାତ୍ର ଉଚ୍ଚାରଣ କରି ସଂଜ୍ଞାହୀନ ଭାବରେ ବିଳାପ କରିବାକୁ ଲାଗିଲେ । ସଭା ଅସମାପ୍ତ ରହିଗଲା । ଶ୍ରୋତାଗଣ ମଧ୍ୟ ଅଶ୍ରୁ ସମ୍ୱରଣ କରିପାରିଲେ ନାହିଁ । ଶୋକାକୁଳ ହୋଇଗଲା ପ୍ରଥମ ଶ୍ରାଦ୍ଧବାର୍ଷିକୀର ସମଗ୍ର ପରିବେଶ ।

 

ରାଧାମୋହନଙ୍କ ବ୍ୟତୀତ ନୀଳମାଧବଙ୍କର ଅନ୍ୟଜଣେ ହିତୈଷୀ ସୁହୃଦ୍‌ ଥିଲେ ଡଃ ମାୟାଧର ମାନସିଂହ । ଡଃ ମାନସିଂହ ଇଷ୍ଟର୍ଣ୍ଣ ଷ୍ଟେଟ୍‌ ଏଜେନ୍‌ସିର ଶିକ୍ଷା ପରାମର୍ଶଦାତା ଥିବା ସମୟରେ ୧୯୪୫ ମସିହାରେ ‘ଶଙ୍ଖ’ ନାମକ ସାହିତ୍ୟ ପତ୍ରିକାର ସମ୍ପାଦନା ଦାୟିତ୍ଵରେ ରହିଥିଲେ । ଏହି ସମୟରେ ନୀଳମାଧବଙ୍କ ସହ ତାଙ୍କର ସାରସ୍ଵତ ପରିଚୟ । ନୀଳମାଧବଙ୍କର ଛନ୍ଦ, ସଙ୍ଗୀତ ତଥା ସାହିତ୍ୟ ଜ୍ଞାନରେ ମୁଗ୍ଧ ମାନସିଂହ ତାଙ୍କର ନିମ୍ନୋକ୍ତ କେତେକ ପ୍ରବନ୍ଧ ଶଙ୍ଖ ପତ୍ରିକାରେ ସ୍ଥାନିତ କରିଥିଲେ-

 

୧.

ଛନ୍ଦ ବିଚାର (ପ୍ରବନ୍ଧ) - ଶଙ୍ଖ- ପ୍ରଥମ ବର୍ଷ ୧୦ମ ସଂଖ୍ୟା ୧୯୪୫

୨.

କି ଥିଲା କି ହେଲା ହାୟ- (ପ୍ରବନ୍ଧ) ଶଙ୍ଖ ପ୍ରଥମ ବର୍ଷ ଏକାଦଶ / ଦ୍ଵାଦଶ ସଂଖ୍ୟା- ୧୯୪୫

୩.

ଶାସ୍ତ୍ରୀୟ ସଙ୍ଗୀତର ସାମାନ୍ୟ ବିଚାର- (ପ୍ରବନ୍ଧ) - ଶଙ୍ଖ - ଦ୍ୱିତୀୟ ବର୍ଷ -୨ୟ ସଂଖ୍ୟା-୧୯୪୬

୪.

ଶାସ୍ତ୍ରୀୟ ସଙ୍ଗୀତର ନାଦ ଓ ଶ୍ରୁତିର ସୂଚନା- (ପ୍ରବନ୍ଧ) ଶଙ୍ଖ - ଦ୍ଵିତୀୟ ବର୍ଷ - ଚତୁର୍ଥ ସଂଖ୍ୟା- ୧୯୪୬

 

ନୀଳମାଧବ ପାଣିଗ୍ରାହୀ ମଧ୍ୟ ମାନସିଂହଙ୍କର ସମ୍ପର୍କରେ ଏକ ସ୍ଥାନୀୟ ଦୈନିକରେ ଲେଖିଥିଲେ- ‘‘ତାକର୍‌ ମାନବିକ୍‌ ସଦ୍‌ଗୁନର ଆଉ ଉଦାରତାର କଥା ମୁଇଁ ନାଇଁ କହେଁ । ୧୯୪୫ ମସିହା ଥିଁ ତାକର୍‌ ସାଂଗେ ମୋର ବ୍ୟକ୍ତିଗତ ପରିଚୟର ସୌଭାଗ୍ୟ ମତେ ମିଳିଥିଲା ଆଉ ତାଙ୍କର ମହାପ୍ରସ୍ଥାନ ତକ୍‌ ସେ ମକେ ଭାୟବାଗିର୍‌ ଦେଖୁଥିଲେ- ମୋର୍‌ ବାଗିର୍‌ ପ୍ରତିଭାହୀନ ଅଧମ ଟାକେ ସେ ସାହିତ୍ୟର ଇଲାକାକେ ଆନିଥିଲେ । ‘ଶଙ୍ଖ’ ପତ୍ରିକା ଥିଁ ମୋର୍‌ କଚ୍ଚାରଚନା କେତେଟାକେ ଠାନ୍‌ ଦେଇ କରି ସାରାଜୀବନ୍‌ ତ ହଁ କେଇଥିଲେ ।

(ଅଗ୍ନିଶିଖା-୮.୧୨.୨୦୦୧)

 

ରାଧାମୋହନଙ୍କ ପ୍ରେରଣା ଓ ମାନସିଂହଙ୍କର ପ୍ରୋତ୍ସାହନର ପରିଣତି ସ୍ଵରୂପ ପରବର୍ତ୍ତୀ କାଳରେ ନୀଳମାଧବ ଝଙ୍କାର, କୋଣାର୍କ ପରି ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକାରେ ପ୍ରବନ୍ଧ ଓ ସମାଲୋଚନାମାନ ଲେଖି ଆଲୋଡ଼ନ ସୃଷ୍ଟି କରିଥିଲେ । ୧୯୪୫ ମସିହାରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଛନ୍ଦ ଓ ସଙ୍ଗୀତଶାସ୍ତ୍ର ବିଷୟକ ବହୁ ତତ୍ତ୍ଵ ଓ ତଥ୍ୟମୂଳକ ଆଲୋଚନା ଲେଖିଥିଲେ । ଝଙ୍କାର ପତ୍ରିକାରେ ପ୍ରକାଶିତ ତାଙ୍କର କେତେକ ପ୍ରବନ୍ଧ ହେଉଛି -

 

୧ -

ଭାରତୀୟ ଲୋକସଙ୍ଗୀତ ଓ ରାଗ ସଙ୍ଗୀତର ପ୍ରକୃତି-

 

(ଝଙ୍କାର-୯ମ ବର୍ଷ-ଅଷ୍ଟମସଂଖ୍ୟା- ନଭେମ୍ବର -୧୯୫୭)

୨ -

ଦୀନକୃଷ୍ଣଙ୍କର ଛାୟାଲାଗେ ପ୍ରୀତିର ପ୍ରକୃତ ଅର୍ଥ

 

(ଝଙ୍କାର ୯ମ ବର୍ଷ-ନବମ ସଂଖ୍ୟା-ତିସେମ୍ବର-୧୯୫୭)

୩ -

ବଙ୍ଗୀୟ ବୈଷ୍ଣବ କବିଙ୍କ ତଥାକଥିତ ‘ସଙ୍ଗୀତସାର ସଂଗ୍ରହ’ -

 

(ଝଙ୍କାର-୯ମ ବର୍ଷ-ଏକାଦଶ ସଂଖ୍ୟା- ଫେବୃୟାରୀ । ୧୯୫୮)

୪ -

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କି ?

 

(ଝଙ୍କାର-୧୦ମ ବର୍ଷ-୭ମ ସଂଖ୍ୟା- ଅକ୍ଟୋବର-୧୯୫୮)

୫ -

ଓଡ଼ିଶୀ ସଙ୍ଗୀତର ଆଲୋଚନା

 

(ଝଙ୍କାର-୧୦ମ ବର୍ଷ- ଦ୍ୱାଦଶ ସଂଖ୍ୟା- ମାର୍ଚ୍ଚ-୧୯୫୮)

୬ -

ଓଡ଼ିଶୀ ସଙ୍ଗୀତର ଆଲୋଚନାର ପ୍ରତିବାଦ

 

(ଝଙ୍କାର-ଏକାଦଶ ବର୍ଷ ତୃତୀୟ ସଂଖ୍ୟା ଜୁନ୍‌ ୧୯୫୯)

 

ରେ ପ୍ରକାଶିତ ହୋଇଥିଲା । ଏହାପରେ ଲେଖକଙ୍କର ‘ଓଡ଼ିଶୀ ସଙ୍ଗୀତର ସମାଲୋଚନା’ ଶୀର୍ଷକରେ ପ୍ରାୟ ପାଞ୍ଚଟି ପ୍ରବନ୍ଧ ‘ଝଙ୍କାର’ର ଅଗଷ୍ଟ ୧୯୫୯ ଠାରୁ ଜୁନ୍‌ ୧୯୬୦ ମସିହା ପର୍ଯ୍ୟନ୍ତ କେତେକ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏହାବ୍ୟତୀତ-

 

ଇତିହାସ ଚକ୍ଷୁରେ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ପଦ୍ଧତି, (ଝଙ୍କାର ମେ- ୧୯୬୦)

 

ସଙ୍ଗୀତସାର ଓ ସଙ୍ଗୀତ ଦାମୋଦର ।

 

(ଝଙ୍କାର-ଜୁନ୍‌- ୧୯୬୧)

 

କିଶୋର ଚନ୍ଦ୍ରାନନ ଚମ୍ପୂର ଚମ୍ପୂ ଆଖ୍ୟା କାହିଁକି ?

 

(ଝଙ୍କାର...ଫେବୃୟାରୀ- ୧୯୬୮)

 

ଚୋଖିଚର୍ଚ୍ଚା- (ଝଙ୍କାର - ଅଗଷ୍ଟ-୧୯୬୮) ଆଦି ପ୍ରାୟ ପନ୍ଦରଟି ପ୍ରବନ୍ଧ ଝଙ୍କାରରେ ପ୍ରକାଶିତ ହୋଇଥିଲା । ଏହି ପ୍ରବନ୍ଧ ଝଙ୍କାରରେ ପ୍ରକାଶିତ ହୋଇଥିଲା । ଏହି ପ୍ରବନ୍ଧଗୁଡ଼ିକର ଶୀର୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ବିଦ୍‌ବତ୍ତା ଓ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରନ୍ତି ।

 

ନୀଳମାଧବ ପାଣିଗ୍ରାହୀଙ୍କର ଛନ୍ଦ ଓ ସଙ୍ଗୀତ ବିଷୟକ ଗଭୀର ଅବବୋଧର ଦୃଷ୍ଟାନ୍ତ ବହନ କରି ୧୯୬୫ ମସିହାରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ ମୁଦ୍ରିତ ପୁସ୍ତକ ‘ଭାରତୀୟ ସଙ୍ଗୀତ’ । ସଙ୍ଗୀତ ଶାସ୍ତ୍ର ବିଷୟକ ଆଲୋଚନା କ୍ଷେତ୍ରରେ ଏହା ଥିଲା ସ୍ଵକୀୟ ବୈଶିଷ୍ଟ୍ୟରେ ଅନନ୍ୟ । ଡଃ ନୀଳମାଧବଙ୍କର ସଂସ୍କୃତ ସାହିତ୍ୟ, ଛନ୍ଦ ଓ ସଙ୍ଗୀତ ସମ୍ପର୍କରେ ବିଶେଷ ଅବଧାରଣା ରହିଥିଲା । ସେ ସଂସ୍କୃତ ଭାଷାରେ ରଚିତ କେତେ ପୋଥି-ଗୀତ ପ୍ରକାଶଃ (୧୯୮୦), ସଙ୍ଗୀତ କଳ୍ପଲତିକା (୧୯୮୪), ଅଭିନୟ ଦର୍ପଣ ପ୍ରକାଶଃ (୧୯୯୫), ସଙ୍ଗୀତ କୌମୁଦୀ (୧୯୯୫), ସଂଗୀତାର୍ଣ୍ଣବ ଚନ୍ଦ୍ରିକା ଆଦି ୫ଟି ଗ୍ରନ୍ଥ ସମ୍ପାଦନା କରିଥିଲେ । ଓଡ଼ିଆ ଭାଷାରେ ରଚିତ ତାଙ୍କର ଗ୍ରନ୍ଥଗୁଡ଼ିକ ହେଉଛି-

 

୧.

ଭାରତୀୟ ସଙ୍ଗୀତ (୧୯୬୫)

୨.

ସଙ୍ଗୀତ ସମାର୍ଜନୀ (୧୯୭୧)

୩.

ଗୀତ ଗୋବିନ୍ଦ (୧୯୮୨)

୪.

ଓଡ଼ିଶାରେ ଉପକୂଳିଆ ପ୍ରଦେଶ କେବେ ଓ କାହିଁକି ? (୧୯୯୨)

୫.

ଓଡ଼ିଶା ସହିତ ସମ୍ବଲପୁର ମିଶ୍ରଣର ଅଜ୍ଞାତ ଦିଗନ୍ତ (୧୯୯୨)

୬.

ଜ୍ୟୋତିର୍ମୟୀ (୧୯୯୪)

୭.

ଗୀତଗୋବିନ୍ଦର ସାଂଗୀତିକ ଦିଗ୍‌ଦର୍ଶନ (୧୯୯୭)

୮.

ଗୀତଗୋବିନ୍ଦ ଓ ଜୟଦେବ- (୨୦୧୩)

 

ଶେଷୋକ୍ତ ଗ୍ରନ୍ଥଟି ୧୯୮୪ ମସିହାରେ ରଚିତ ହୋଇଥିଲା, କିନ୍ତୁ ଏହା ଲେଖକଙ୍କର ମୃତ୍ୟୁପରେ ୨୦୧୩ ମସିହାରେ ପ୍ରକାଶିତ ହୋଇଥିଲା ।

 

ଏହା ବ୍ୟତୀତ ତାଙ୍କର ଅନେକ ଉପାଦେୟ ପ୍ରବନ୍ଧ ପାଞ୍ଚଜନ୍ୟ, ଦିଗନ୍ତ, ସପ୍ତର୍ଷି, କୋଣାର୍କ, ହୀରାଖଣ୍ଡ ଆଦି ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏ ସମସ୍ତ ମୁଖ୍ୟତଃ ଛନ୍ଦ ସଙ୍ଗୀତ ସଙ୍ଗୀତକାର ସମ୍ପର୍କିତ ତଥ୍ୟଭିତ୍ତିକ ଥିଲା । ୧୯୭୧ ମସିହାରେ ପ୍ରକାଶିତ ‘ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ’ର ‘ଗଡ଼ନାୟକ ବାଣୀ ବିଳାସ’, ‘କୋଣାର୍କରେ ପ୍ରକାଶିତ- ଖାରବେଳ ଓ ଗାନ୍ଧର୍ବ ବେଦ (୪୮ଶ ସଂଖ୍ୟା- ୧୯୮୨ ), ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା (୫୦ତମ ସଂଖ୍ୟା- ୧୯୮୩) ଓଡ଼ିଶୀ ନୃତ୍ୟ ସମ୍ପର୍କରେ କେତେକ ଭ୍ରମାତ୍ମକ ତଥ୍ୟର ପ୍ରତିବାଦ (୫୪ ସଂଖ୍ୟା- ୧୯୮୪)

 

‘ପାଞ୍ଚଜନ୍ୟ’ରେ ପ୍ରକାଶିତ- ଓଡ଼ିଶୀ ଅନୁଧ୍ୟାନ, ପର ପ୍ରଭାବର ଗ୍ରହଣ ଯୋଗ୍ୟତା (ପ୍ରଥମ ବର୍ଷ- ଏପ୍ରିଲ୍‌ ଜୁନ୍‌ ୧୯୮୦) ଅଦ୍ୱିତୀୟ ଉମର ଖୈୟାମ (ପ୍ରଥମ ବର୍ଷ-ଦଶହରା ୧୯୮୦) ଜୟଦେବ ଜୟନ୍ତୀ (ଦ୍ୱିତୀୟ ବର୍ଷ-ରଥଯାତ୍ରା ସଂଖ୍ୟା- ୧୯୮୧) ପୂର୍ବ ଓ ପଶ୍ଚିମ ଓଡ଼ିଶାର ଭାଷା ପ୍ରସଙ୍ଗ (ଦୋଳସଂଖ୍ୟା ୧୯୮୩) ସଙ୍ଗୀତତାର ? ଭଞ୍ଜ ଅଧ୍ୟାପକଙ୍କ ଅପଧାରଣା (ରଥଯାତ୍ରା ସଂଖ୍ୟା- ୧୯୮୪) ସଙ୍ଗୀତ ଓ ନୃତ୍ୟଗବେଷଣା ( ଜାନୁୟାରୀ- ମାର୍ଚ୍ଚ- ୧୯୮୫) ଏହା ବ୍ୟତୀତ ‘ଦିଗନ୍ତ’ରେ ପ୍ରକାଶିତ- ଓଡ଼ିଶାର ସଙ୍ଗୀତ ଶାସ୍ତ୍ର (ଜାନୁୟାରୀ- ୧୯୮୧) ‘ସପ୍ତର୍ଷି’ରେ ପ୍ରକାଶିତ- ସଙ୍ଗୀତ ବିଜ୍ଞାନ ଓ ପାରକଳାତ୍ମକତାର ବିଭିନ୍ନ ଦିଗ (ଫେବୃୟାରୀ- ୧୯୮୧) ଏହା ବ୍ୟତୀତ ଶ୍ୟାମସୁନ୍ଦର ରାଜଗୁରୁଙ୍କର ଛନ୍ଦୋଜିଜ୍ଞାସା (ଅଭିନବ ଭଞ୍ଜଭାରତୀ- ୧୯୯୩)

 

ଆଦି ଓଡ଼ିଆ ଭାଷାରେ ପ୍ରକାଶିତ ତାଙ୍କର ପ୍ରାୟ ସମସ୍ତ ପ୍ରବନ୍ଧ ଛନ୍ଦ, ସଙ୍ଗୀତ ଓ ସଙ୍ଗୀତକାରଙ୍କ ବିଷୟକ । ଏଗୁଡ଼ିକ ତାଙ୍କର ଛନ୍ଦ ବିଷୟକ ଗଭୀର ଅବବୋଧ, ସଙ୍ଗୀତ ଶାସ୍ତ୍ର, ରାଗରାଗିଣୀ, ନୃତ୍ୟ ଆଦି ପ୍ରସଙ୍ଗରେ ଗବେଷଣାତ୍ମକ ଅନ୍ତର୍ଦୃଷ୍ଟିର ପରିଚାୟକ । ବିଶେଷତଃ ଲୋକସଙ୍ଗୀତ, ରାଗ ସଙ୍ଗୀତ, ଓଡ଼ିଶୀ ସଙ୍ଗୀତ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ସହିତ ସଙ୍ଗୀତ ସାର ସଂଗ୍ରହ ? ସଙ୍ଗୀତ ଦାମୋଦର, କିଶୋର ଚନ୍ଦ୍ରାନନ ଚମ୍ପୂ, ଚୋଖିଚର୍ଚ୍ଚା ଆଦି ତାଙ୍କର ପାଣ୍ଡିତ୍ୟ ଓ ସଙ୍ଗୀତ ଶାସ୍ତ୍ରରେ ଗଭୀର ପ୍ରବେଶ ସହିତ ବିଶ୍ଲେଷଣଧର୍ମୀ ଅନ୍ତର୍ଦୃଷ୍ଟିର ପରିଚାୟକ ।

 

ତାଙ୍କର ଓଡ଼ିଆ ଭାଷାରେ ରଚିତ ଗ୍ରନ୍ଥଗୁଡ଼ିକରେ କେବଳ ଛନ୍ଦ ଓ ସଙ୍ଗୀତଶାସ୍ତ୍ର ନୁହେଁ, ଉତ୍କଳର କବି ଜୟଦେବଙ୍କର ସଂସ୍କୃତ ଭାଷାରେ ରଚିତ ସୁକୋମଳ ପଦାବଳୀ ସମନ୍ଵିତ ଗୀତଗୋବିନ୍ଦର ସଙ୍ଗୀତ ସ୍ଵରଲିପି ତଥା ସଙ୍ଗୀତକାରଙ୍କ ବିଷୟରେ ବିଶେଷ ବ୍ୟାଖ୍ୟା କରାଯାଇଛି-। ଦୁଇଟି କ୍ଷୁଦ୍ର ପୁସ୍ତକ ‘ଓଡ଼ିଶାରେ ଉପକୂଳିଆ ପ୍ରଦେଶ କେବେ ଓ କାହିଁକି’ ଏବଂ ଓଡ଼ିଆ ସହିତ ସମ୍ବଲପୁର ମିଶ୍ରଣର ଅଜ୍ଞାତ ଦିଗନ୍ତ ତାଙ୍କର ଜାତୀୟ ଚେତନାର ପରିଚାୟକ । ‘ଜ୍ୟୋତିର୍ମୟୀ’ ଶୀର୍ଷକ ଗ୍ରନ୍ଥରେ ସେ ବିଭିନ୍ନ ଯୁକ୍ତି ଦର୍ଶାଇ ଗଙ୍ଗାଧର ମେହେରଙ୍କର ତପସ୍ଵିନୀ ମହାକାବ୍ୟର ପ୍ରଥମ ୧୬ପଦରେ ବର୍ଣ୍ଣିତ- ‘‘କିଏ ଗୋ ତୁ ଜ୍ୟୋତିର୍ମୟୀ’’କୁ ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ସମଲେଶ୍ୱରୀଙ୍କ ଉଦ୍ଦେଶ୍ୟରେ ବର୍ଣ୍ଣିତ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ତାଙ୍କର ଓଡ଼ିଆ ଭାଷାରେ ରଚିତ ଗ୍ରନ୍ଥ ଓ ପ୍ରବନ୍ଧଗୁଡ଼ିକ ତାଙ୍କର ପାଣ୍ଡିତ୍ୟ ଓ ଜାତୀୟତାର ପରିଚୟ ।

 

୧୯୭୭ ମସିହାରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଗ୍ରନ୍ଥ ସମ୍ପାଦନା ଓ ପ୍ରବନ୍ଧ ରଚନାରେ ସେ ମନୋନିବେଶ କରିଥିଲେ । ଇତି ମଧ୍ୟରେ ପ୍ରାୟ ଦୁଇବର୍ଷ ନିମନ୍ତେ ସେ ବେଦବିଜ୍ଞାନ ବିଦ୍ୟାପୀଠରେ ଗାନ୍ଧର୍ବବେଦ ବିଭାଗର ଡିନ୍‌ ଭାବରେ କାର୍ଯ୍ୟ କରିଥିଲେ । ୧୯୮୪ ମସିହାରୁ ୬୫ ବର୍ଷ ବୟସରେ ସେ ସମ୍ବଲପୁରୀ ଭାଷା ଓ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ଏହି ଆକର୍ଷଣ ଏପରି ଆତ୍ମିକ ବନ୍ଧନରେ ରୂପାନ୍ତରିତ ହୋଇଗଲା ଯେ, ଲେଖକ ତାଙ୍କର ଅବଶିଷ୍ଟ ଜୀବନ ସମ୍ବଲପୁରୀ ଭାଷା ଓ ସାହିତ୍ୟର ସେବାରେ ନିୟୋଜିତ କରିଥିଲେ ।

 

ମାତୃଭାଷା ହୋଇଥିବାରୁ ସମ୍ବଲପୁରୀ ପ୍ରତି ତାଙ୍କର ଆବାଲ୍ୟ ଆକର୍ଷଣ ନିଶ୍ଚୟ ଥିଲା । ବାଲ୍ୟସ୍ମୃତି ପ୍ରସଙ୍ଗରେ ସେ ଲେଖିଥିଲେ ଯେ, ତାଙ୍କର କୈଶୋର କାଳରେ ଯେଉଁ ସଜନୀ, ଡାଲଖାଇ, ରସର କେଲି ପ୍ରଭୃତି ଲୋକଗୀତ ସମାଜର ନିମ୍ନବର୍ଗର ନାରୀ କଣ୍ଠରେ ଯେପରି ଶୁଣାଯାଉଥିଲା, ଏହା ସହିତ ଢୋଲ୍‌ ମହୁରୀ ନିସାନ୍ ବଜେଇ ପୁରୁଷ ଲୋକମାନେ ମଧ୍ୟ ନୃତ୍ୟଗୀତରେ ସାମିଲ୍‌ ହେଉଥିଲେ । କିନ୍ତୁ ଏ ଗୀତନୃତ୍ୟ ଉପଭୋଗ କରିବା କୁଳୀନ ପରିବାରର ସନ୍ତାନମାନଙ୍କୁ ଅନୁମତି ଦିଆଯାଉ ନଥିଲା । ଏହିପରି ଜଣେ ଲୋକଗୀତ ଗାୟକର ସ୍ମୃତିଚାରଣ କରି ସେ ଲେଖିଛନ୍ତି ଯେ- ‘‘ମୋର ଜନମ୍‌ ଗାଁ ଗୁଲୁଣ୍ଡାର ବାଜାନାଚ ବହୁତ ନାମଜାଦା ଥିଲା ଆର୍‌ ଆମ୍‌ହର ଗାଁର ବିଷ୍ଣୁ ଗଁଡ଼ା ନାନା ଜାତିର ଲୋକଗୀତ ଏନ୍ତା ସୁନ୍ଦର୍‌ ସୁର୍‌ତାଲ୍‌ ଥିଁ ଗାଉଥିଲା ଯେ ଆକବର ବାଦଶାର୍‌ ଜାମାନା ହେଇଥିତା ବୟଲେଁ ସେ ସଙ୍ଗୀତ ସମ୍ରାଟ । ତାନ୍‌ସେନ୍‌ କାନକାଟି ଦେଇଥିତା xxx ।’’

(ମହରା ଆର୍‌ ମହୁ-ପୃ-୨୭)

 

ମାଲ୍‌ତୀ ଜୋର୍‌ ତୀରର ଆମ୍‌ ଚୁରେଇ କିପରି ଦଶହରା ମାସର ଡାଲ୍‌ଖାଇ, ରସର୍‌କେଲି ଗୀତରେ ଦୁଲ୍‌କି ଉଠେ ତାହା ସ୍ମରଣ କରି ସେ ପରିଣତ ବୟସରେ ମଧ୍ୟ ବିଭୋର ହୋଇଉଠିଛନ୍ତି । ସମ୍ବଲପୁରର ବିଶିଷ୍ଟ କବି ସତ୍ୟନାରାୟଣ ବହିଦାରଙ୍କ କବିତ୍ଵ ସମ୍ପର୍କରେ ଜାଣିବା ପରେ ସେ ଲେଖିଥିଲେ- ‘‘ଖାଁଟି ଭାଷା ଖାଁଟି ଲେଖା ଶୀର୍ଷକ ପ୍ରବନ୍ଧ ଏହା ପ୍ରଥମେ ‘ଉକିଆ’ ଦ୍ଵିତୀୟ ବର୍ଷ ୧୯୮୫ ରେ ପ୍ରକାଶିତ ହୋଇଥିଲା, ପରେ ମହରା ଆର୍‌ ମହୁ (୧୯୯୦) ରେ ସଙ୍କଳିତ ହୋଇଥିଲା । ତାଙ୍କର ସମ୍ବଲପୁରୀ ଭାଷାରେ ରଚିତ ଗ୍ରନ୍ଥଗୁଡ଼ିକ ହେଉଛି-

 

୧.

ସମଲ୍‌ପୁର୍‌ର କଥା (୧୯୯୦)

୨.

ମହରା ଆର୍‌ ମହୁ (୧୯୯୩)

୩.

କୋଶଳିକା (୧୯୯୩)

୪.

ମାହାଭାରତ୍‌ କଥା (ମହାପ୍ରସ୍ଥାନିକ ପର୍ବ) (୧୯୯୬)

୫.

ମାହାଭାରତ କଥା-ଆଦିପର୍ବ-ଭାଗ ୧ (୧୯୯୬)

୬.

ମାହାଭାରତ କଥା- ଆଦିପର୍ବ-ଭାଗ ୨ (୧୯୯୭)

୭.

ମାହାଭାରତ କଥା-ଆଦିପର୍ବ-ଭାଗ-୩ (୧୯୯୯)

୮.

ମାହାଭାରତ କଥା

୯.

ମାହାଭାରତ କଥା

 

(ବର୍ତ୍ତମାନ ପର୍ଯ୍ୟନ୍ତ ଛଅଖଣ୍ଡ ପ୍ରକାଶିତ ହୋଇଛି । ଆଉ ୧୦ ଖଣ୍ଡ ମହାଭାରତ କଥା ପାଣ୍ଡୁଲିପି ଅବସ୍ଥାରେ ରହିଥିବା ଜଣାଯାଏ । ଦୁଇଖଣ୍ଡ ସେ ଲେଖିପାରି ନାହାନ୍ତି)

 

୧୦.

ସମ୍ବଲପୁରୀ କୋଶଲି ବ୍ୟାକରଣ-(୨୦୦୧)

(ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସହ ଯୁଗ୍ମ ଲେଖକ ଭାବରେ ରଚିତ)

୧୧.

ପାଣିଗ୍ରାହୀ ପଦ୍ୟାବଳୀ-୨୦୦୫

୧୨.

କୀଚକ ବିନାଶ ଆର୍‌ କୌରବ ଦଲନ୍‌-୨୦୦୭)

 

ସମ୍ବଲପୁରୀ ଭାଷାରେ ସମ୍ବଲପୁରର ଐତିହ୍ୟ ବର୍ଣ୍ଣନା କରି ‘ସମ୍ବଲପୁରର କଥା’ ସେ ଲେଖିଛନ୍ତି । ଏଥିରେ ସମ୍ବଲପୁର ସହର ସ୍ଥାପନର ପୃଷ୍ଠଭୂମି, ସମଲେଶ୍ଵରୀ ଦେବୀଙ୍କର ମନ୍ଦିର ନିର୍ମାଣ, ଜନଶ୍ରୁତିର ଉପସ୍ଥାପନା ଆଦି କରାଯାଇଛି । ଏହି ୧୯୯୦ ମସିହାରେ ପ୍ରକାଶିତ ହୋଇଥିଲା ସମ୍ବଲପୁରୀ, ଭାଷାରେ ରଚିତ ସମାଲୋଚନା ଗ୍ରନ୍ଥ- ‘ମହରା ଆର୍‌ ମହୁ’ । ସମ୍ବଲପୁରୀ ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସଂସ୍କୃତିର ସ୍ଵାତନ୍ତ୍ର୍ୟ ପ୍ରସଙ୍ଗ ଏଥିରେ ସେ ଆଲୋଚନା କରିଛନ୍ତି । ୧୯୯୩ ମସିହାରେ ପ୍ରକାଶିତ ‘କୋଶଲିକା’ ଏକ କବିତା ସଙ୍କଳନ । ପରେ ଏହା ପାଣିଗ୍ରାହୀ ପଦ୍ୟାବଳୀରେ ସଙ୍କଳିତ ହୋଇଛି । ୧୯୯୬ ମସିହାରୁ ସମ୍ବଲପୁରୀ ଭାଷାରେ ମହାଭାରତ ରଚନା ସେ ଆରମ୍ଭ କରିଥିଲେ । ‘ଗୀତାପ୍ରେସ୍‌’ ପ୍ରକାଶିତ ମହାଭାରତ ଅବଲମ୍ବନରେ ଏହାର ପରିକଳ୍ପନା । ମହାଭାରତ-ଆଦିପର୍ବ ରଚନା ସମୟରେ ତାଙ୍କୁ ୭୫ ରୁ ଅଧିକ ବୟସ ହୋଇଥିଲା । ତଥାପି ତାଙ୍କର ଜୀବଦ୍ଦଶାରେ ଛଅଖଣ୍ଡ ପ୍ରକାଶିତ ହୋଇଥିଲା । ଦଶଖଣ୍ଡର ପାଣ୍ଡୁଲିପି ପ୍ରସ୍ତୁତ ହୋଇଥିଲା । ଆଉ ଦୁଇଖଣ୍ଡ ଲେଖିବା ସମ୍ଭବ ହେଲା ନାହିଁ । ପକ୍ଷାଘାତ ରୋଗରେ ତାଙ୍କର ଦକ୍ଷିଣ ହସ୍ତ ଅଚଳ ହୋଇଗଲା । ମୁହେଁ ମୁହେଁ ଡାକି ସମ୍ପୂର୍ଣ୍ଣ କରିବାର ପ୍ରୟାସ ମଧ୍ୟ ସେ କରିଥିଲେ, କାଳ ତାଙ୍କୁ ଆଉ ସେ ସୁଯୋଗ ଦେଲା ନାହିଁ ।

 

ସମ୍ବଲପୁରୀ ଭାଷାର ପ୍ରତିଷ୍ଠା ଓ ସ୍ଵୀକୃତି ନିମନ୍ତେ ଏହି ଭାଷାରେ ଏକ ବ୍ୟାକରଣ ଗ୍ରନ୍ଥର ଆବଶ୍ୟକତା ଥିଲା । ଯୁଗ୍ମ ଲେଖକ ଭାବରେ ସେ ‘ସମ୍ବଲପୁରୀ-କୋଶଲୀ ବ୍ୟାକରଣ’ ଲେଖିଥିଲେ-। ଏହାକୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରକାଶ କରିଥିଲେ । ତାଙ୍କର ସମସ୍ତ ସମ୍ବଲପୁରୀ କବିତା ସଙ୍କଳନ ୨୦୦୫ ମସିହାରେ ‘ପାଣିଗ୍ରାହୀ ପଦ୍ୟାବଳୀ’ ଶୀର୍ଷକରେ ପ୍ରକାଶିତ ହୋଇଛି । ଏଥିରେ ରାଧାମୋହନଙ୍କ କେତେକ ଓଡ଼ିଆ କବିତାର ଅନୁବାଦ, କେତେକ ମୌଳିକ, କେତେକ କଥାକବିତା ‘ସମଲପୁରର କଥା’ ଓ ‘କୋଶଲିକା’ର କବିତା ସଙ୍କଳିତ ହୋଇଛି । ଅନ୍ୟ ଏକ ପୌରାଣିକ କାବ୍ୟଗ୍ରନ୍ଥ ‘କୀଚକ ବିନାଶ ଆର୍‌ କୌରବ ଦଲନ୍‌’ ୨୦୦୭ ମସିହାରେ ପ୍ରକାଶିତ ହୋଇଥିଲା । ଏହା ତାଙ୍କର ଶେଷ ପ୍ରକାଶିତ ଗ୍ରନ୍ଥ । ଅବଶ୍ୟ ୨୦୦୯ ମସିହାରେ ମହାଭାରତ କଥା- ପହେଲାଭାଗର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇ ତାଙ୍କର ୯୦ ତମ ଜନ୍ମତିଥିରେ ଉନ୍ମୋଚିତ ହୋଇଥିଲା । ସଭାରେ ସେ ଅଂଶଗ୍ରହଣ କରିଥିଲେ ।

 

ଏହା ବ୍ୟତୀତ ୧୯୯୦ ମସିହା ମେ’ ମାସରେ ଶ୍ରୀଯୁକ୍ତ ପାଣିଗ୍ରାହୀ ସମ୍ୱଲପୁରୀ ଭାଷାରେ ‘ନିସାନ୍‌’ ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ । ‘ନିସାନ୍‌’ ଏକ ସମ୍ବଲପୁରୀ ବାଦ୍ୟ ବିଶେଷ । ଏହାର ବଜନିଆଁ ବା ସମ୍ପାଦକ ଥିଲେ ସ୍ଵୟଂ ନୀଳମାଧବ । ଏହି ଅବସରରେ ଡଃ ଶ୍ରଦ୍ଧାକର ସ୍ଵପକାର ଓ ଡଃ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କ ସମେତ ଅନେକ ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ‘ନିସାନ’ର ମାତ୍ର ପାଞ୍ଚଟି ସଂଖ୍ୟା ପ୍ରକାଶିତ ହୋଇଥିଲେ ସୁଦ୍ଧା ଏହା ଉଚ୍ଛ୍ୱସିତ ପାଠକୀୟ ଆଦୃତି ଲାଭ କରିଥିଲା । ପ୍ରଥମ ସଂଖ୍ୟା ଶୀତଳଷଷ୍ଠୀ, ଦ୍ୱିତୀୟ ରଥଦ୍ୱିତୀୟା, ତୃତୀୟା- ‘ଗଙ୍ଗାଧର ଦୟାନିଧି-ସତ୍‌ନାରେନ୍‌ ସ୍ମରଣିକା’ ଭାବରେ ଏବଂ ଏହାପରେ ଆଉ ମାତ୍ର ଦୁଇଟି ସଂଖ୍ୟା ପ୍ରକାଶିତ ହୋଇଥିଲା । ଶାରୀରିକ, ମାନସିକ ତଥା ଆର୍ଥିକ କାରଣରୁ ହୁଏତ ସେ ବାଧ୍ୟ ହେଲେ ଏହାକୁ ବନ୍ଦ କରିବାକୁ । ନିଜର ପେନ୍‌ସନ୍‌ ଲବ୍ଧ ଅର୍ଥରେ, ଗାଁରୁ ପ୍ରେସ୍‌କୁ ଲୁନାରେ ପ୍ରୁଫ୍‌ ସଂଶୋଧନ ନିମନ୍ତେ ଦୌଡ଼ିବା ଏବଂ ଅନ୍ୟାନ୍ୟ କେତେକ କାରଣରୁ ଏହାର ପରିସମାପ୍ତି ଘଟିଥିଲା । ଏହାର ପ୍ରଥମ ତିନୋଟି ସଂଖ୍ୟାର ସମସ୍ତ ଗଦ୍ୟପଦ୍ୟକୁ ଏକତ୍ର ସେ ‘କବ୍ରାଚିତ୍ରା’ (୧୯୯୧) ଶୀର୍ଷକରେ ପ୍ରକାଶ କରିଥିଲେ ।

 

ଏହାବ୍ୟତୀତ ସେ କେତେକ ସମ୍ବଲପୁରୀ ପ୍ରବନ୍ଧ ମଧ୍ୟ ଲେଖିଥିଲେ । ସେଗୁଡ଼ିକ ହେଉଛି- ୧. ଖାଁଟି ଭାଷା ଖାଁଟି କଥା (ଉକିଆ- ଦ୍ୱିତୀୟ ବର୍ଷ-୧୯୮୫), ୨. ଇତିହାସର ବୌଦ୍ଧତପସ୍ଵୀ ନବୀନବାବୁ (ଡଃ ନବୀନ ସାହୁ ସ୍ମରଣିକା- ଓଡ଼ିଶା ସାହିତ୍ୟ ଏକାଡେମୀ- ସେପ୍ଟେମ୍ବର (୧୯୯୦), ୩-ହାମର ଭାଷାପ୍ରେମୀ ଡଃ ମାନସିଂହ- ଅଗ୍ନିଶିଖା- ୮.୧୨.୨୦୦୧, ୪. ସମ୍ବଲପୁରୀ ଲୋକ ସାହିତ୍ୟ- ଝଙ୍କାର (ଜୁନ୍‌- ୧୯୮୪)

 

୫.

ଅମର ଆତ୍ମାର କବି ସତ୍‌ନାରେନ୍‌ ବହିଦାର-

(ସମ୍ବଲପୁରୀ ସାହିତ୍ୟ- ସମ୍ବଲପୁରୀ ଲେଖକ ପରିଷଦ (୨୦୦୪)

୬.

କୋଶଲୀ (ସମ୍ବଲପୁରୀ) ପଦ୍ୟର ଛନ୍ଦ- ଲୋକମହୋତ୍ସବ ସ୍ମରଣିକା- ସମ୍ବଲପୁର (୨୦୦୧)

 

ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସାହିତ୍ୟ ସୃଷ୍ଟି ନିମନ୍ତେ ସେ ବହୁବାର ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କର ପ୍ରଥମ ଆଲୋଚନାଗ୍ରନ୍ଥ ଭାରତୀୟ ସଙ୍ଗୀତ (୧୯୬୫) ନିମନ୍ତେ ୧୯୭୦ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିଲେ । ୧୯୮୧ ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ସମ୍ବଲପୁର ବିଶ୍ଵବିଦ୍ୟାଳୟ ତରଫରୁ ଭରତଚନ୍ଦ୍ର ସ୍ମାରକୀ ପୁରସ୍କାର ମଧ୍ୟ ଏହି ୧୯୮୧ ମସିହାରେ ପାଇଥିଲେ । ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବ ଅବସରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ୧୯୯୮ ମସିହାରେ ତାଙ୍କୁ ଡି.ଲିଟ୍‌ ଉପାଧି ପ୍ରଦାନ କରିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତାଙ୍କୁ ୨୦୦୬ ମସିହାରେ ଜୟଦେବ ସମ୍ମାନ ଅର୍ପଣ କରିଥିଲେ । ଜୀବନର ଅନ୍ତିମବର୍ଷ ୨୦୧୨ ମସିହାରେ ସେ ତାଙ୍କର ଜୀବନବ୍ୟାପୀ ସାଧନା (Life time Achivement) ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଟେଗୋର ସମ୍ମାନ ପ୍ରାପ୍ତ ହୋଇଥିଲେ । ଏହିବର୍ଷ ଥିଲା କବିଗୁରୁ ରବୀନ୍ଦ୍ରନାଥଙ୍କର ୧୫୦ତମ ଜନ୍ମ ବାର୍ଷିକୀ । ଏହି ଉପଲକ୍ଷେ ସଙ୍ଗୀତ ନାଟକ ଓ କଳା କ୍ଷେତ୍ରରେ ପାରଦର୍ଶିତା ନିମନ୍ତେ ସମଗ୍ର ଦେଶରୁ ପ୍ରଥମେ ୧୦୦ ଜଣକୁ ବାଛି ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଚୁଡ଼ାନ୍ତ ପର୍ଯ୍ୟାୟରେ ସମ୍ମାନିତ କରାଯାଇଥିଲା । ରବୀନ୍ଦ୍ରନାଥଙ୍କୁ ନିଜର ସାହିତ୍ୟିକ ଗୁରୁଭାବେ ଗ୍ରହଣ କରିଥିବା ନୀଳମାଧବ ଏହି ସମ୍ମାନ ପ୍ରାପ୍ତ ହୋଇ ନିଜକୁ ଗୌରବାନ୍ଵିତ ମନେକରିଥିଲେ ।

 

ଏହା ବ୍ୟତୀତ ଅନେକ ଅନୁଷ୍ଠାନ ତାଙ୍କୁ ସ୍ଵତଃପ୍ରବୃତ୍ତ ଭାବରେ ସମ୍ମାନିତ କରିଥିଲେ । ସେ କେଳୁଚରଣ ପୁରସ୍କାର ପାଇଥିଲେ । ଓଡ଼ିଶାର ମର୍ଯ୍ୟାଦାଜନକ ସାରଳା ପୁରସ୍କାର ନିମନ୍ତେ ମନୋନୀତ ହୋଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରି ନଥିଲେ ବୋଲି ଶୁଣାଯାଏ । ‘ପଦ୍ମଶ୍ରୀ’ ଉପାଧି ନିମନ୍ତେ ଆବେଦନ କରିବାକୁ ତାଙ୍କର ଅନେକ ଶୁଭେଚ୍ଛୁଙ୍କ ଅନୁରୋଧକୁ ସେ ସ୍ଵାଭିମାନ ବିରୋଧି ମନେକରି ସେ ପ୍ରତ୍ୟାଖ୍ୟାନ କରିଥିଲେ । ବରଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସେ ନିଜର ପେନ୍‌ସନ୍‌ ଅର୍ଜିତ ଅର୍ଥରୁ ଟ ୩୫୦୦୦ ଜମା କରି ସମ୍ବଲପୁରୀ ଭାଷାରେ ପ୍ରକାଶିତ ପୁସ୍ତକ ନିମନ୍ତେ ବାର୍ଷିକ ପୁରସ୍କାରର ବ୍ୟବସ୍ଥା କରିଥିଲେ ।

 

ଏ ସମସ୍ତ ସମ୍ମାନର ଊର୍ଦ୍ଧ୍ୱରେ ସେ ତାଙ୍କର ସମ୍ବଲପୁରୀ ଭାଷାରେ ‘ମାହାଭାରତ କଥା’ ରଚନା ନିମନ୍ତେ ଅଞ୍ଚଳବାସୀଙ୍କଠାରୁ ଶ୍ରଦ୍ଧାରେ କୋଶଳ ବ୍ୟାସ ରୂପେ ପରିଚିତ ହେବା ତାଙ୍କ ନିମନ୍ତେ ବୋଧହୁଏ ଶ୍ରେଷ୍ଠତମ ସମ୍ମାନ । ସମ୍ବଲପୁରୀ ଭାଷା ଓ ସାହିତ୍ୟର ପ୍ରତିଷ୍ଠା ଓ ସ୍ଵୀକୃତିନିମନ୍ତେ ସେ ଯେଉଁ ବଳିଷ୍ଠ ଭିତ୍ତିଭୂମି ନିର୍ମାଣ କରିଯାଇଛନ୍ତି, ସେଥିପାଇଁ ସେ ସ୍ମରଣୀୟ ରହିବେ । ଉଭୟ ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟକ୍ଷେତ୍ର ତାଙ୍କର ଅବଦାନରେ ବହୁଭାବରେ ସମୃଦ୍ଧ-। ବିଶେଷତଃ ସେ ଓଡ଼ିଆ ଛନ୍ଦ, ସଙ୍ଗୀତ ଓ ରାଗରାଗିଣୀ ବିଷୟକ ଗବେଷଣା ଓ ସମ୍ବଲପୁରୀ ସାହିତ୍ୟର ସମସ୍ତ ଦିଗରେ ଲେଖନୀଚାଳନା ନିମନ୍ତେ ଯଶୋଦେହରେ ଆୟୁଷ୍ମାନ ।

 

***

 

ଦ୍ୱିତୀୟ ପରିଚ୍ଛେଦ

ନୀଳମାଧବଙ୍କ ଓଡ଼ିଆ ପ୍ରବନ୍ଧ ଓ ଗଦ୍ୟସୃଷ୍ଟି

 

(କ) ପ୍ରାବନ୍ଧିକ ନୀଳମାଧବ

ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ନୀଳମାଧବଙ୍କର ପ୍ରଥମ ପ୍ରବେଶ ପ୍ରବନ୍ଧରୁ ହୋଇଥିଲା । ୧୯୪୫ ମସିହାରେ ‘ଶଙ୍ଖ’ ନାମକ ସାହିତ୍ୟ ପତ୍ରିକା ଡଃ ମାୟାଧର ମାନସିଂହଙ୍କର ସମ୍ପାଦନାରେ ପ୍ରକାଶିତ ହୋଇଥିଲା । ସେହି ସମୟରେ ଡଃ ମାନସିଂହ ଇଷ୍ଟର୍ଣ୍ଣ ଷ୍ଟେଟ୍‌ ଏଜେନ୍‌ସିର ଶିକ୍ଷାପରାମର୍ଶଦାତା ଥିଲେ । ସମ୍ବଲପୁର ଅବସ୍ଥାନ କାଳରେ ନୀଳମାଧବଙ୍କ ସହ ତାଙ୍କର ପରିଚୟ କ୍ରମେ ସାରସ୍ୱତ ସମ୍ପର୍କର ରୂପ ନେଇଥିଲା । ଡଃ ମାନସିଂହ ‘ଶଙ୍ଖ’ ପତ୍ରିକାରେ ନୀଳମାଧବ ପାଣିଗ୍ରାହୀଙ୍କର କେତେକ ପ୍ରବନ୍ଧ ସ୍ଥାନିତ କରିଥିଲେ । ଏହା ପୂର୍ବରୁ ନୀଳମାଧବଙ୍କ ମନୋଭୂମିରେ ଛାତ୍ରଜୀବନରୁ ସମ୍ଭବତଃ ପ୍ରବନ୍ଧ ରଚନାର ବୀଜ ରୋପିତ ହୋଇସାରିଥିଲା । ସମ୍ବଲପୁର ଜିଲ୍ଲା ସ୍କୁଲରେ ଅଧ୍ୟୟନ କରୁଥିବା ସମୟରେ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ ପ୍ରାବନ୍ଧିକ ରତ୍ନାକର ପତି ଜିଲ୍ଲା ସ୍କୁଲରେ ୧୯୩୫ ମସିହାରେ କିଛିମାସ ପ୍ରଧାନ ଶିକ୍ଷକ ଥିଲେ । ସେହି ସମୟରେ ନୀଳମାଧବ ତାଙ୍କର ଛାତ୍ର ଥିଲେ । ପୁନର୍ବାର ରେଭେନ୍‌ସା କଲେଜରେ ଆଇ.ଏ. ଶ୍ରେଣୀରେ ଅଧ୍ୟୟନ କାଳରେ ଦର୍ଶନ ଅଧ୍ୟାପକ ରତ୍ନାକର ପତି ଜିଲ୍ଲାସ୍କୁଲରେ ୧୯୩୫ ମସିହାର କିଛିମାସ ପ୍ରଧାନ ଶିକ୍ଷକ ଥିଲେ-। ସେହି ସମୟରେ ନୀଳମାଧବ ତାଙ୍କର ଛାତ୍ର ଥିଲେ । ପୁନର୍ବାର ରେଭେନ୍‌ସା କଲେଜରେ ଆଇ.ଏ. ଶ୍ରେଣୀରେ ଅଧ୍ୟୟନ କାଳରେ ଦର୍ଶନ ଅଧ୍ୟାପକ ରତ୍ନାକର ପତିଙ୍କ ସହ ପୁନର୍ବାର ସାନ୍ନିଧ୍ୟ ଘଟିଥିଲା, ସେହି ସମୟରେ ଆର୍ତ୍ତବଲ୍ଲଭ ମହାନ୍ତି, ଗିରିଜାଶଙ୍କର ରାୟ, ବିପିନ ବିହାରୀ ରାୟ ଆଦି ଗବେଷକ ତଥା ପ୍ରାବନ୍ଧିକ ଥିଲେ ରେଭେନ୍‌ସା କଲେଜର ଅଧ୍ୟାପିକା । ନୀଳମାଧବଙ୍କ ଗଦ୍ୟରଚନା ନିମନ୍ତେ ଏମାନେ ଥିଲେ ପ୍ରେରଣା ସ୍ରୋତ । ଏହା ବ୍ୟତୀତ ୧୯୪୪ ମସିହାରେ ତାଙ୍କର ଅନୁଗୁଳଠାରେ ଅବସ୍ଥାନ କାଳରେ ରାଧାମୋହନ ଗଡ଼ନାୟକଙ୍କ ସାନ୍ନିଧ୍ୟ ତାଙ୍କୁ ସାହିତ୍ୟ ସାଧନା ନିମନ୍ତେ ନିଶ୍ଚିତ ପ୍ରରୋଚିତ କରିଥିଲା । ‘ଶଙ୍ଖ’ରୁ ସେ ଯେଉଁ ଗଦ୍ୟସୃଷ୍ଟି ଆରମ୍ଭ କରିଥିଲେ, ଓଡ଼ିଆ ଭାଷାରେ ପ୍ରାୟ ବିଂଶ ଶତାବ୍ଦୀର ନବମ ଦଶକ ପର୍ଯ୍ୟନ୍ତ ଓ ସମ୍ବଲପୁରୀ ଭାଷାରେ ପ୍ରାୟ ୨୫ ବର୍ଷ ଅବ୍ୟାହତ ରହିଥିଲା । ନିମ୍ନରେ ତାଙ୍କର ଉଭୟ ଓଡ଼ିଆ ତଥା ସମ୍ବଲପୁରୀ ଭାଷାରେ ରଚିତ ପ୍ରବନ୍ଧର ଉଲ୍ଲେଖ କରାଯାଉଛି ।

 

୧.

ଛନ୍ଦ ବିଚାର- (ଶଙ୍ଖ- ପ୍ରଥମ ବର୍ଷ ୧୦ ମ ସଂଖ୍ୟା- ୧୯୪୫)

୨.

କି ଥିଲା କି ହେଲା ହାୟ (ଶଙ୍ଖ- ପ୍ରଥମ ବର୍ଷ- ୧୧/୧୨ ସଂଖ୍ୟା- ୧୯୪୫)

୩.

ଶାସ୍ତ୍ରୀୟ ସଙ୍ଗୀତର ସାମାନ୍ୟ ବିଚାର (ଶଙ୍ଖ- ୨ୟ ବର୍ଷ ୨ୟ ସଂଖ୍ୟା ମେ- ୧୯୪୬)

୪.

ଶାସ୍ତ୍ରୀୟ ସଙ୍ଗୀତର ନାଦ ଓ ଶୃତିର ସୂଚନା (ଶଙ୍ଖ- ୨ୟ ବର୍ଷ ୪ର୍ଥ ସଂଖ୍ୟା- ଜୁଲାଇ ୧୯୪୬)

୫.

ଭାରତୀୟ ଲୋକ ସଙ୍ଗୀତ ଓ ରାଗ ସଙ୍ଗୀତର ପ୍ରକୃତି (ଝଙ୍କାର- ନବମ ବର୍ଷ- ୮ମ ସଂଖ୍ୟା- ନଭେମ୍ବର ୧୯୫୭)

୬.

ଦୀନକୃଷ୍ଣଙ୍କର ଛାୟାଲାଗେ ପ୍ରୀତିର ପ୍ରକୃତ ଅର୍ଥ (ଝଙ୍କାର- ୯ମ ବର୍ଷ ୯ମ ସଂଖ୍ୟା-ଡିସେମ୍ବର ୧୯୫୭)

୭.

ବଙ୍ଗୀୟ ବୈଷ୍ଣବ କବିଙ୍କ ତଥାକଥିତ ସଙ୍ଗୀତ ସାର ସଂଗ୍ରହ (ଝଙ୍କାର- ୯ମ ବର୍ଷ-ଏକାଦଶ ସଂଖ୍ୟା- ଫେବୃୟାରୀ- ୧୯୫୮)

୮.

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କି ? (ଝଙ୍କାର ୧୦ମ ବର୍ଷ- ୭ମ ସଂଖ୍ୟା, ଅକ୍ଟୋବର- ୧୯୫୮)

୯.

ଓଡ଼ିଶୀ ସଙ୍ଗୀତର ଆଲୋଚନା (୧) (ଝଙ୍କାର- ୧୦ମ ବର୍ଷ ଦ୍ୱାଦଶ ସଂଖ୍ୟା ମାର୍ଚ୍ଚ-୧୯୫୯)

୧୦.

ଓଡ଼ିଶୀ ସଙ୍ଗୀତର ଆଲୋଚନାର ପ୍ରତିବାଦ-ଝଙ୍କାର (୧୧ଶ ବର୍ଷ - ତୃତୀୟ ସଂଖ୍ୟା-ଜୁନ୍‌ ୧୯୫୯)

୧୧.

ଓଡ଼ିଶୀ ସଙ୍ଗୀତର ସମାଲୋଚନା (୩) ଝଙ୍କାର-୧୧ଶ ବର୍ଷ ୫ମ ସଂଖ୍ୟା- ଅଗଷ୍ଟ ୧୯୫୯)

୧୨.

ଓଡ଼ିଶୀ ସଙ୍ଗୀତର ସମାଲୋଚନା (୪) ଝଙ୍କାର-୧୧ଶ ବର୍ଷ ୭ମ ସଂଖ୍ୟା, ଅକ୍ଟୋବର- ୧୯୫୯)

୧୩.

ଓଡ଼ିଶୀ ସଙ୍ଗୀତର ସମାଲୋଚନା (୫) ଝଙ୍କାର-୧୧ଶ ବର୍ଷ ୯ମ ସଂଖ୍ୟା- ଡିସେମ୍ବର-୧୯୫୯ ।

୧୪.

ଓଡ଼ିଶୀ ସଙ୍ଗୀତର ସମାଲୋଚନା (୬) ଝଙ୍କାର ୧୧ଶ ବର୍ଷ ୧୧ଶ ସଂଖ୍ୟା- ଫେବୃୟାରୀ- ୧୯୬୦ ।

୧୫.

ଇତିହାସ ଚକ୍ଷୁରେ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ପଦ୍ଧତି (ଝଙ୍କାର-୧୨ଶ ବର୍ଷ-୨ୟ ସଂଖ୍ୟା-ମେ- ୧୯୬୦

୧୬.

ଓଡ଼ିଶୀ ସଙ୍ଗୀତର ସମାଲୋଚନା (୭) ଝଙ୍କାର ୧୨ଶ ବର୍ଷ ୩ୟ ସଂଖ୍ୟା-ଜୁନ୍‌ ୧୯୬୦ ।

୧୭.

ସଙ୍ଗୀତସାର ଓ ସଙ୍ଗୀତ ଦାମୋଦର - ଝଙ୍କାର ୧୩ଶ ବର୍ଷ - ୩ୟ ସଂଖ୍ୟା- ଜୁନ୍‌ ୧୯୬୧

୧୮.

କିଶୋର ଚନ୍ଦ୍ରାନନ ଚମ୍ପୁର ଚମ୍ପୁ ଆଖ୍ୟା କାହିଁକି ?- ଝଙ୍କାର ୧୯ଶ ବର୍ଷ- ୧୧ଶ ସଂଖ୍ୟା-ଫେବୃୟାରୀ- ୧୯୬୮

୧୯.

ଚୋଖୀ ଚର୍ଚ୍ଚା- ଝଙ୍କାର- ୨୦ଶ ବର୍ଷ- ୫ମ ସଂଖ୍ୟା ଅଗଷ୍ଟ- ୧୯୬୮

୨୦.

ଗଡ଼ନାୟକ ବାଣୀବିଳାସ - ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ ଅଗଷ୍ଟ-୧୯୭୧

୨୧.

ଓଡ଼ିଶୀ ଅନୁଧ୍ୟାନ, ପର ପ୍ରଭାବର ଗ୍ରହଣ ଯୋଗ୍ୟତା- ପାଞ୍ଚଜନ୍ୟ ୧ମ ବର୍ଷା- ତୃତୀୟ ସଂଖ୍ୟା, ଏପ୍ରିଲ- ଜୁନ୍‌ ୧୯୮୦

୨୨.

ଅଦ୍ଵିତୀୟ ଉମର ଖୈୟାମ- ପାଞ୍ଚଜନ୍ୟ- ଦଶହରା -୧୯୮୦

୨୩.

ଓଡ଼ିଶାର ସଙ୍ଗୀତ ଶାସ୍ତ୍ର- ଦିଗନ୍ତ- ଜାନୁୟାରୀ- ୧୯୮୧

୨୪.

ସଙ୍ଗୀତ ବିଜ୍ଞାନ ଓ ତା’ର କଳାତ୍ମକତାର ନାନା ଦିଗ- ସପ୍ତର୍ଷି ଫେବୃୟାରୀ- ୧୯୮୧

୨୫.

ଜୟଦେବ ଜୟନ୍ତୀ- ପାଞ୍ଚଜନ୍ୟ- ଦ୍ୱିତୀୟ ବର୍ଷ ୨ୟ ସଂଖ୍ୟା ୧୯୮୧

୨୬.

ଖାରବେଳ ଓ ଗାନ୍ଧର୍ବ ବେଦ- କୋଣାର୍କ-୪୮ଶ ସଂଖ୍ୟା- ୧୯୮୨

୨୭.

ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା- କୋଣାର୍କ ୫୦ ତମ ସଂଖ୍ୟା- ୧୯୮୩

୨୮.

ପୂର୍ବ ଓ ପଶ୍ଚିମ ଓଡ଼ିଶାର ଭାଷା ପ୍ରସଙ୍ଗ- ପାଞ୍ଚଜନ୍ୟ ଦୋଳ ସଂଖ୍ୟା- ୧୯୮୩

୨୯.

ଶଙ୍ଖ ମର୍ମର ଗୁଡ଼ି ଉପରେ ପଙ୍କ ନିକ୍ଷେପ- ହୀରାଖଣ୍ଡ-୨୪.୧.୧୯୪୮

୩୦.

ପଦ୍ମାବତୀ, ଜୟଦେବ ଓ ଗୀତଗୋବିନ୍ଦ-ଏକ ସ୍ଵପ୍ନିଳ ସଂସ୍କରଣ (ହୀରାଖଣ୍ଡ ବସନ୍ତ ମିଳନ ସ୍ମରଣିକା- ୧୯୮୪)

୩୧.

ଓଡ଼ିଶୀ ନୃତ୍ୟ ସମ୍ପର୍କରେ କେତେକ ଭ୍ରମାତ୍ମକ ପ୍ରତିବାଦ- କୋଣାର୍କ -୫୪ ଶ ସଂଖ୍ୟା-୧୯୮୪ ।

୩୨.

ସଙ୍ଗୀତକାର ? ଭଞ୍ଜ ଅଧ୍ୟାପକଙ୍କର ଅପଧାରଣା- ପାଞ୍ଚଜନ୍ୟ ରଥ ସଂଖ୍ୟା - ୧୯୮୪ ।

୩୩.

ସଙ୍ଗୀତ ଓ ନୃତ୍ୟ ଗବେଷଣା- ପାଞ୍ଚଜନ୍ୟ- ଜାନୁୟାରୀ- ମାର୍ଚ୍ଚ ୧୯୮୫

୩୪.

ଖାଁଟି ଭାଷା ଖାଁଟି ଲେଖା- ଉକିଆ -୨ୟ ବର୍ଷ- ୧୯୮୫

୩୫.

ଇତିହାସର ବୌଦ୍ଧ ତପସ୍ଵୀ ନବୀନବାବୁ- (ନିସାନ୍‌-୧-୧୯୯୦)

୩୬.

ଶ୍ୟାମସୁନ୍ଦର ରାଜ୍‌ଗୁରୁଙ୍କର ଛନ୍ଦୋଜିଜ୍ଞାସା- ଅଭିନବ ଭଞ୍ଜଭାରତୀ- ୧୯୯୩

୩୭.

ହାମର ଭାଷା ପ୍ରେମୀ ମାନସିଂହ- ଅଗ୍ନିଶିଖା-୮.୧୨.୨୦୦୧

୩୮.

କୋଶଲୀ (ସମ୍ବଲପୁରୀ) ପଦ୍ୟର ଛନ୍ଦ୍- ଲୋକମହୋତ୍ସବ ସ୍ମରଣିକା- ସମ୍ବଲପୁର- ୨୦୦୧

୩୯.

ଅମର ଆତ୍ମାର କବି-ସମ୍ବଲପୁରୀ ସାହିତ୍ୟ-୨୦୦୪, ସମ୍ବଲପୁରୀ ଲେଖକ ପରିଷଦ ।

 

ଗଦ୍ୟଲେଖକ ଭାବରେ ଓଡ଼ିଆ ସାହିତ୍ୟରେ ଆତ୍ମପ୍ରକାଶ କରିଥିବା ଡଃ ପାଣିଗ୍ରାହୀ ୧୯୪୫ ରୁ ୨୦୦୪ ମଧ୍ୟରେ ପ୍ରାୟ ୪୦ଟି ପାଖାପାଖି ପ୍ରବନ୍ଧ ଲେଖିଛନ୍ତି । ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ କାଳ ମଧ୍ୟରେ ରଚିତ ଏହି ପ୍ରବନ୍ଧଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ସଙ୍ଗୀତ ପ୍ରାଣ, ଛନ୍ଦ, ରାଗ, ସଙ୍ଗୀତ ଶାସ୍ତ୍ରଜ୍ଞ ନୀଳମାଧବ ପାଣିଗ୍ରାହୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ‌ର ଏକ ବିଶେଷ ଦିଗ ଉପରେ ଆଲୋଚନାରତ ଥିଲେ । ଶାସ୍ତ୍ରୀୟ ସଙ୍ଗୀତ, ରାଗସଙ୍ଗୀତ, ଲୋକ ସଙ୍ଗୀତ, ଓଡ଼ିଶୀ ସଙ୍ଗୀତ, ହିନ୍ଦୁସ୍ଥାନୀ କର୍ଣ୍ଣାଟକୀ ସଙ୍ଗୀତ, ଚମ୍ପୂ ଚୋଖି, ଛନ୍ଦ, ସଙ୍ଗୀତ ଶାସ୍ତ୍ର, ସଙ୍ଗୀତକାର ଭାଷା, ସାହିତ୍ୟ ଓ ସଂସ୍କୃତିର ପୃଷ୍ଠପୋଷକଙ୍କ ସମ୍ପର୍କରେ ହିଁ ଲେଖିଛନ୍ତି । ‘ଛନ୍ଦ ବିଚାର’ରୁ ‘ସଙ୍ଗୀତ ନୃତ୍ୟ ଗବେଷଣା’ ପର୍ଯ୍ୟନ୍ତ ପ୍ରାୟ ୪୦ ବର୍ଷ ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ, ବିଶେଷତଃ ଛନ୍ଦ, ସଙ୍ଗୀତ, ରାଗ, ନୃତ୍ୟ ଆଦି ଲଳିତ କଳାତ୍ମକ ଆଲୋଚନା ହିଁ କରିଛନ୍ତି । ମଧ୍ୟେ ମଧ୍ୟେ ଉମର ଖୈୟାମ, ଜୟଦେବ, ଖାରବେଳ, ରାଧାମୋହନ ଗଡ଼ନାୟକଙ୍କ ପ୍ରସଙ୍ଗ ମଧ୍ୟ ଆଲୋଚିତ ହୋଇଛି । ରାଗ ଓ ସଙ୍ଗୀତର ଗବେଷକ ନୀଳମାଧବ ପାରସ୍ୟର ପ୍ରେମିକ କବି ଉପର ଖୈୟାମଙ୍କର ରୁବାଇୟାତ୍‌’ କି ସେ ଦାର୍ଶନିକ ଦୃଷ୍ଟିକୋଣରୁ ବିଚାର କରିଛନ୍ତି- ‘‘ପାରସ୍ୟ ମରୁଦେଶର ମଧ୍ୟଯୁଗୀୟ ମହାତ୍ମା ଉପର ଖୈୟାମ୍‌ ତାଙ୍କ ରସସ୍ରାବୀ ରୁବେଇ (ଚତୁଷ୍ପଦୀ କବିତା), ମାନଙ୍କ ପାଇଁ ସାହତ୍ୟ ସଂସାରରେ ସୁବିଖ୍ୟାତ । ସେଇ ରୁବାଇଗୁଡ଼ିକର ଆବେଦନ ସାର୍ବଜନୀନ ଓ ସନାତନ, ମାତ୍ର ପ୍ରେମକବିତା ଭାବରେ ନୁହେଁ, ସାର୍ବଜନୀନ ଓ ସନାତନ, ମାତ୍ର ପ୍ରେମ କବିତା ଭାବରେ ନୁହଁ । ଏକ ନିର୍ମମ, ନିୟତି ନିୟନ୍ତ୍ରିତ ସୃଷ୍ଟିଯନ୍ତ୍ର ଭିତରକୁ ନିକ୍ଷିପ୍ତ ଏବଂ ନିଃସହାୟ ଭାବରେ ନିଷ୍ପେଷିତ, ନିପୀଡ଼ିତ, ପରାହତମାନବର ବିଦ୍ରୋହୀ ଅନ୍ତର୍ଦାହ ସହିତ ଆନନ୍ଦସ୍ୱରୂଯ ସୃଷ୍ଟିକର୍ତ୍ତାଙ୍କଠାରେ ଅବିଚଳିତ ଆସ୍ଥା-ଏଇ ଧରଣର ଦୋଦୁଲ୍ୟମାନ ଦ୍ଵୈତଭାବର ସ୍ଵାନୁଭୂତି ରସାଣିତ ଅଭିବ୍ୟକ୍ତି ଉପର କବିତାର ନାନ୍ୟତ୍ର ଲବ୍ଧ ନିଜସ୍ୱ । ସଂକ୍ଷେପରେ କହିବାକୁ ଗଲେ ବିଶ୍ୱ ସାହିତ୍ୟରେ ଉମର କବିତାର ପଟାନ୍ତର ନାହିଁ । ଉମର ଯେ ବିଶ୍ୱଶ୍ରେଷ୍ଠ କବି- ଏକଥା ଏଠାରେ କୁହାଯାଉ ନାହିଁ । ମାତ୍ର ସେ ଯେଉଁ ଶ୍ରେଣୀର, ଯେଉଁ ପ୍ରକାରର ବା ଭାବଧାରାର କବିତା ରଚନା କରିଯାଇଛନ୍ତି ସେଥିରେ ସେ ଅତୁଳନୀୟ । ଅପ୍ରତିଦ୍ୱନ୍ଦ୍ୱୀ (ପାଞ୍ଚଜନ୍ୟ-ଦଶହରା-୧୯୮୦-ପୃ. ୩୯) କବିବନ୍ଧୁ ରାଧାମୋହନ ଗଡ଼ନାୟକଙ୍କ ସମ୍ପର୍କରେ ସେ ଲେଖିଥିଲେ-

 

‘ଗଡ଼ନାୟକ ବାଣୀ ଅତି ବିଚିତ୍ର, ତା’ର ସମ୍ଭାର ବିପୁଳ ପରିସର ବିରାଟ, ଗଭୀରତା ଅଥଳ । ସେ ବାଣୀର ଠାଣି ଓ ଛଟା ନାଟକୀୟ । ନାଟ୍ୟରେ ଯେପରି ସଂଳାପ, ଗୀତବାଦ୍ୟ ଓ ନୃତ୍ୟର ସମାବେଶ, ଗଡ଼ନାୟକ ବାଣୀରେ ବି ସେଇଭଳି ସଂଳାପ, ଧ୍ୱନି, ଛନ୍ଦ, ଓ ଦୋଳନର ପ୍ରତ୍ୟେକ ବିଭବ ବିଦ୍ୟମାନ, ବେଦ ବାଣୀବତ୍‌ ତାହା କାହିଁ ଉଦାତ୍ତ, କାହିଁ ଅନୁଦାତ୍ତ ଓ କାହିଁ ବା ସ୍ଵରିତ । ତାହା ଯେପରି ମନ୍ଦ୍ର ଗମ୍ଭୀର, ସେହିପରି ଲଳିତ ।

 

(ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ-୧୯୭୧-ପୃଷ୍ଠା ୬୯/୭୦) ‘ଶ୍ୟାମସୁନ୍ଦର ରାଜଗୁରୁଙ୍କର ଛନ୍ଦୋଜିଜ୍ଞାସା’ ପ୍ରବନ୍ଧରେ ସେ ଲେଖିଥିଲେ ।

 

‘‘ଯେତେଦୂର ଜଣାପଡ଼େ, ଓଡ଼ିଆ କାବ୍ୟର ଛନ୍ଦ ବିଷୟରେ ପଣ୍ଡିତ ଶ୍ୟାମସୁନ୍ଦରଙ୍କର ପୂର୍ବରୁ କେହି ତାତ୍ତ୍ୱିକ ଆଲୋଚନା କରି ନଥିଲେ । ଅବଶ୍ୟ ମହାକବି ଓ ମହାପଣ୍ଡିତ ଉପେନ୍ଦ୍ର ଭଞ୍ଜ ନିଜ ପ୍ରଣୀତ ରସପଞ୍ଚକରେ ଆତ୍ମପରିଚୟ ଦେବା ଅବସରରେ ନିଜକୁ ‘କଳା ପିଂଗଳ ଶାସ୍ତ୍ର ଅନର୍ଗଳ’ ବୋଲି ଘୋଷଣା କରିଥିବା କଥା ଆମେ ପଢ଼ିବାକୁ ପାଉଁ । ହେଲେ ବି, ପୂର୍ବକ କବିମାନଙ୍କର କିମ୍ବା ନିଜର ବିଶାଳ କାବ୍ୟ ବାଙ୍‌ମୟରେ ପ୍ରଯୁକ୍ତ ଛନ୍ଦ ବିଷୟରେ ସେ ନିଜେ କିମ୍ବା ଅନ୍ୟ କେହି କୌଣସି ଆଲୋଚନା କରିଥିବା ଜଣାପଡ଼େ ନାହିଁ । ଅନ୍ତତଃ ବିଶୁଦ୍ଧ ଛନ୍ଦ କହିଲେ ଯାହା ବୁଝାଯିବା ଉଚିତ୍‌, ସେ ବିଷୟରେ ରୀତିଯୁଗୀୟ କୌଣସି ଗୀତିକାର କିଛି କିଛି ଆଲୋଚନା କରିଥିବା ଜଣାପଡ଼େ ନାହିଁ ।’’

(ଅଭିନବ ଭଞ୍ଜଭାରତୀ ୧୯୯୨-ପୃ. ୫୩)

 

ଏହା ବ୍ୟତୀତ ନୀଳମାଧବ ପାଣିଗ୍ରାହୀ ଦୁଇଟି ଦୀର୍ଘ ପ୍ରବନ୍ଧଧର୍ମୀ କ୍ଷୁଦ୍ର ପୁସ୍ତକ ରଚନା କରିଥିଲେ, ‘‘ଓଡ଼ିଶା ସହିତ ସମ୍ବଲପୁର ମିଶ୍ରଣର ଅଜ୍ଞାତ ଦିଗନ୍ତ ଏବଂ ‘ଓଡ଼ିଶାରେ ଉପକୂଳିଆ ପ୍ରଦେଶ କେବେ ଓ କାହିଁକି ଶୀର୍ଷକରେ ଏଗୁଡ଼ିକ ପ୍ରକାଶିତ ହୋଇଥିଲା । ଓଡ଼ିଆ ଭାଷାରେ ୧୯୯୨ ମସିହାରେ ପ୍ରକାଶିତ ଏ ଉଭୟ ରଚନାରେ ଲେଖକଙ୍କର ଜାତୀୟ ସ୍ଵାଭିମାନ ସ୍ପଷ୍ଟ । ତାଙ୍କ ମତରେ- ‘‘ଯାହାହେଉ, ଓଡ଼ିଆ ଭାଷାକୁ ଭିତ୍ତିକରି ସମ୍ବଲପୁରାଦି ଭୂଖଣ୍ଡକୁ ଓଡ଼ିଶା ଶାସନାଧୀନ କରିବା ଫଳରେ ଭୂଖଣ୍ଡର ଅନ୍ୟାନ୍ୟ ଦିଗରେ କିପରି ଉନ୍ନତି ଓ ବିକାଶ ହୋଇଛି ସେ ସବୁର ଆଲୋଚନା ଖୁବ୍‌ ପ୍ରାସଙ୍ଗିକ ହେଲେ ବି ତାହା ଏ ଭୂଖଣ୍ଡର ସମସ୍ତ ସଚେତନ ବ୍ୟକ୍ତି ମର୍ମେ ମର୍ମେ ଅନୁଭବ କରୁଥିବା ଦୃଷ୍ଟିରୁ ଏଠାରେ ନକଲେ ଚଳିବ, କିନ୍ତୁ ସାହିତ୍ୟ ଓ ସଂସ୍କୃତିର ଅଗ୍ରଗତି ଦିଗରୁ ବିଚାର କଲାପରେ ଏ ନିବନ୍ଧ ଲେଖକର ତିଳାର୍ଦ୍ଧ ସନ୍ଦେହ ନାହିଁ ଯେ ଏ ଭୂଖଣ୍ଡର ଜନତା ଉପକୂଳିଆ ଜନତାଙ୍କ ଅପେକ୍ଷା ଅନ୍ତତଃ ଦୁଇଶହ ମାଇଲ୍‌ ଓ ପାଞ୍ଚଶହ ବର୍ଷ ପଛରେ ପଡ଼ିଛନ୍ତି ।

(ଓଡ଼ିଶା ସହିତ ସମ୍ବଲପୁର ମିଶ୍ରଣର ଅଜ୍ଞାତ ଦିଗନ୍ତ-ପୃ. ୨୮)

 

୧୯୯୦ ମସିହାରୁ ସମ୍ବଲପୁରୀ ଭାଷାରେ ଲେଖୁଥିବା ଆଲୋଚକ ଏହି ଉଭୟ ରଚନାରେ ସମ୍ବଲପୁର ଓ ସମ୍ବଲପୁରୀ ଭାଷାର ସ୍ଵାତନ୍ତ୍ର୍ୟ ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷତଃ ଓଡ଼ିଶା ସହିତ ସମ୍ବଲପୁରର ମିଶ୍ରଣ ଓ ଏ ଅଞ୍ଚଳରେ ଆନୁଷ୍ଠାନିକ ଓ ଆଇନ୍‌ ସମ୍ମତ ଭାବରେ ଓଡ଼ିଆ ଭାଷାର ଆରୋପଣ ଓ ପ୍ରଚଳନକୁ ସେ ଅନୁଚିତ୍‌ ବୋଲି ଏଥିରେ ଦର୍ଶାଇଛନ୍ତି ।

 

ସମ୍ବଲପୁରୀ ଭାଷାରେ ରଚିତ ପ୍ରବନ୍ଧ

ସମ୍ବଲପୁରୀ ଭାଷାରେ ରଚିତ ତାଙ୍କର ପ୍ରବନ୍ଧଗୁଡ଼ିକ ମଧ୍ୟରେ ‘ଅମର ଆତ୍ମାର କବି ସତ୍‌ନାରେନ୍‌ ବହିଦାର’ ଉଲ୍ଲେଖଯୋଗ୍ୟ । ୨୦୦୪ ମସିହାରେ ଏହି ପ୍ରବନ୍ଧଟି ‘ସମ୍ବଲପୁରୀ ସାହିତ୍ୟ’ ଶୀର୍ଷକ ପୁସ୍ତକରେ ପ୍ରକାଶ ପାଇବା ପୂର୍ବରୁ ୧୯୮୫ ମସିହାରେ ସତ୍ୟନାରାୟଣଙ୍କର କବିତା ସମ୍ପର୍କରେ ସେ ‘ଖାଁଟି ଭାଷା ଖାଁଟି ଲେଖା’ ଶୀର୍ଷକରେ ଏକ ଆଲୋଚନା ଲେଖିଥିଲେ, ଯାହାକୁ ସେ ‘ମହରାଆର ମହୁ’ ପୁସ୍ତକରେ ସ୍ଥାନିତ କରିଥିଲେ । ସତ୍ୟନାରାୟଣ ବହିଦାର ଯେଉଁ ସମୟରେ ଶ୍ରୀପଞ୍ଚମୀ (୧୯୫୩), ଘୁବୁକୁଡ଼ୁ (୧୯୬୪), ଘବ୍‌ ଘବୋ (୧୯୬୯) ଆଦି କବିତା ଗ୍ରନ୍ଥ ଲେଖିଥିଲେ, ସେତେବେଳେ ସମ୍ବଲପୁରୀ ଭାଷାରେ ସାହିତ୍ୟ ସୃଷ୍ଟି ଯତ୍‌ସାମାନ୍ୟ ଥିଲା । ବିଦ୍ୱାନ୍‌ କବି ସତ୍‌ନାରେନ୍‌ ବହିଦାର ଯେନ୍‌ ଫୁଲ୍‌ମାଲ୍‌ ମାନ ଗଁଥି ଥିଲେ ସେଟା ମାନ୍‌ ଜହ ସୁନ୍ଦର ଆର୍‌ ସଂଖ୍ୟା ଦୃଷ୍ଟି ଥୁଁ ଭିଜହ ।

(ସମ୍ବଲପୁରୀ ସାହିତ୍ୟ -ପୃ.୩୯)

 

‘ରାୟ ରାମାନନ୍ଦ ହାୟ ହାୟ’ ଶୀର୍ଷକ ଆଲୋଚନାତ୍ମକ ପ୍ରବନ୍ଧରେ ସେ ଷୋଡ଼ଶ ଶତାବ୍ଦୀରେ ବୈଷ୍ଣବ ଧର୍ମର ପ୍ରଭାବ ସମ୍ପର୍କରେ ଲେଖିଛନ୍ତି- ‘‘ଇ ଶତାବ୍ଦୀ ଉନ୍‌ଶାକେ ତା’ର ଗୌରବ୍‌ର ସଗୁଁ ହିନିସ୍ତାର ରସାନ୍ତାଲ ଭିତର୍କେ ହପ୍‌କେଇ ଦେଇଥିଲା । ରସାନ୍ତାଲେଁ ପଡ଼ିକରିଁ ଉଡ଼ିଶା ଏନ୍ତା ଖଣ୍‌ହିଆ ଡଣିଆ ହେଇଥିଲା ଯେ, ତାହିର୍‌ ଘାଁ ଦା’ ମାନ୍‌ ଶହଶହ ବଛରତକ୍‌ ଉସ୍ରି ନାଇଁ ପାର୍ଲା । କେତେଟା ଘା’ ତ ଭର୍ଭରୈ କରି ସେଟା ମାନ୍‌କେଁ ଅଁସେଇ ପଡ଼ିଗଲେ ଆର୍‌ ଉଡ଼୍‌ଶାର ଶରୀର କେତେଠାନେ କୁହିଡ଼ୁମ୍ରି ଗଲା । କେତେଟା ‘ଘା’ ଆୟଜ୍‌ତକ୍‌ନିହେ ଶୁଖେ ଆର୍‌ ଅଜାଗାର୍‌ ଘା ହେଇ କରି ରହିଛେ । (ନିସାନ୍‌-୧-ପୃ. ୩୦)

 

ସ୍ପଷ୍ଟଭାଷୀ ନୀଳମାଧବ ପାଣିଗ୍ରାହୀ ୧୯୮୦ ମସିହାରେ ଓଡ଼ିଶା ସାଂସ୍କୃତିକ ସମାଜ-ସମ୍ବଲପୁର ଦ୍ଵାରା ପ୍ରକାଶିତ ଓଡ଼ିଶା ଦିବସ ସ୍ମରଣିକାର ଏକ ଲେଖା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସାଂସ୍କୃତିକ ସମାଜର ତତ୍କାଳୀନ ସଭାପତି ‘ରାଏ ରାମାନନ୍ଦ’ ଶୀର୍ଷକ ରଚନାରେ ଲେଖିଥିଲେ - ‘‘ଷୋଡ଼ଶ ଶତାବ୍ଦୀର ଗୌରବମୟ ସମୟ ସ୍ମରଣ କଲେ ଯେ କୌଣସି ଓଡ଼ିଶାବାସୀ ଗୌରବ ଅନୁଭବ କରିବେ ।’’ (ପୃ.୫)। ଆଲୋଚକଙ୍କ ମତରେ ୧୫୬୮ ସାଲ୍‌ ପୂର୍ବରୁ ଯେଉଁ ସ୍ଵାଧୀନ ଦେଶର ଗୌରବ ଥିଲା, ତାହା ଷୋଡ଼ଶ ଶତାବ୍ଦୀର ମଧ୍ୟବର୍ତ୍ତୀ ସମୟ ବା ୧୫୬୮ରେ ଅନ୍ତର୍ହିତ ହୋଇଯାଇଛି । ଏହି ସମୟକୁ ଗୌରବମୟ କହିବା ଅସମୀଚିନ ବୋଲି ବ୍ୟଙ୍ଗାତ୍ମକ ରୀତିରେ ସେ ଲେଖିଛନ୍ତି- ‘‘ସ୍ୱାଧୀନ ହେଇକରି କିଏ ରାଏତ୍‌ଦିନ୍‌ ହରୋବଟୋ, ଅଥୋଥାଲି ହେଇପାରେ ହୋ ? ହରୁହର୍ଦ୍ଦମ ଖଁଡ଼ା ତଲବାର୍‌ ଧରିକରି ଲଢ଼ୈକର, ହାତ୍‌ଗୋଡ଼୍‌ ଖଁଡ଼୍‌ହିଆକର, ମର, ମାୟକିନା କେ ରାଆଁଡ଼ିକର ! ଇ ସବୁଥୁଁ ଶହେଗୁନ୍‌ ଭଲ୍‌ ପରାଧୀନ ହେଇକରି ମାଲିକ୍‌କେ ଟିକେ ଜଡ଼ାତେଲ୍‌ ମାସିଲ୍‌ କରିଦିଅ । ତେହରୁଁ ନିଜର ନାହି ଥିଁ ମାଲିକର ଠେଁକି ଥୁଁ ଆନ୍‌ଲା ଜଡ଼ାତେଇ ବୁଂଦେ ବାଗିର୍‌ ଦେଇକରି ଛିଡ଼ା ବୁଂଧୁଆ ଖଟ୍‌ ଖଣ୍‌କେଁ ପଡ଼ିଯା । ‘ଶୀତ୍‌ କଲେଁ କଁଥାଟେ ଉଢ଼ିପକା ଅୟତ୍‌କା ହେଲେଁ ଖଟେଁ ବସିକରିଁ ଜପ୍‌-ମୁନିଥିଁ ହାଥ୍‌ ଭର୍ତ୍ତି କରି ତୁଲ୍‌ସୀ ମାଲିର୍‌ ଗୁଟି ଗନ, ହରେକୁଷ୍ଟଁ ହରେରାମ୍‌ ଜପ । ଇ ସୁଖ୍‌ ଥୁଁ ଆର୍‌ ସୁଖ୍‌ ଅଛେ ?’’ (ନିସାନ-୧, ପୃ. ୩୧) ଲେଖକ ଏହି ପତନ ନିମନ୍ତେ ପ୍ରତାପରୁଦ୍ରଙ୍କୁ ମଧ୍ୟ ଦାୟୀ କରିଛନ୍ତି । ଆଉ ରାମାନନ୍ଦ ? ସେ ଥିଲେ ପୁରୀ ବେଣ୍ଟପୁରର ଭବାନନ୍ଦ ପଟ୍ଟନାୟକଙ୍କ ପାଞ୍ଚପୁତ୍ରଙ୍କ ମଧ୍ୟରେ ଅନ୍ୟତମ । ସଂସ୍କୃତଜ୍ଞ ପଣ୍ଡିତ ହେଇଥିବେ, ସେଥିପାଇଁ ସେ ଜଗନ୍ନାଥବଲ୍ଲଭ ସଂସ୍କୃତ ନାଟକ ରଚନା କରି ପ୍ରତାପରୁଦ୍ରଙ୍କୁ ଉପହାର ଦେଇଥିଲେ । ଏହା ୧୫୩୫ ମସିହାରେ ମାଧବ ପଟ୍ଟନାୟକଙ୍କ ରଚିତ ବୈଷ୍ଣବ ଲୀଳାମୃତ ପୁସ୍ତକରେ ଅଛି । ପ୍ରତାପରୁଦ୍ର ପ୍ରୀତ ହୋଇ ହୁଏତ ତାକୁ ରାଜ୍‌ମହେନ୍ଦ୍ରୀର ପରିଚାଳନା ଭାର ଦେଇ ରାୟ ଉପାଧି ଦେଇଥିଲେ । ଯେତେବେଳେ ଓଡ଼ିଶାର ଉତ୍ତର ଦିଗରେ ବଙ୍ଗର ସୁଲତାନ ହୁସେନ ସାହା ଓଡ଼ିଶା ଆକ୍ରମଣର ପ୍ରସ୍ତୁତି କରୁଥି‌ଲେ ଏବଂ ଦକ୍ଷିଣରେ ବିଜୟ ନଗର ଓଡ଼ିଶାରୁ କିଛି ଅଂଶ ଅକ୍ତିଆର୍‌ କରିନେବାକୁ ପ୍ରସ୍ତୁତ ହେଉଥିଲା । ଏହା ଜାଣି ଗଜପତି ପ୍ରତାପରୁଦ୍ର ରାଜମହେନ୍ଦ୍ରୀ ଗଲେ ଏବଂ ବହୁତ ବିରକ୍ତ ହେଲେ । ଏହା ‘ବୈଷ୍ଣବ ଲୀଳାମୃତ’ରେ ଅଛି-

 

ଗଳାରେ ଲାଗିଲାଣି ଫାଶ । ତୁ ବୋଲୁ ଏବେ କୃଷ୍ଣରାସ

ଏତେବେଳେ ଏ ଭଲ ନୋହେ । ସଇନୀ ସଜାଅ ବେଢ଼ାଏ ।

(୧୪୯- ୧୫୦)

 

ଇତିମଧ୍ୟରେ ୧୫୧୦ ମସିହାରେ ପୁରୀକ୍ଷେତ୍ରରେ ଶ୍ରୀଚୈତନ୍ୟ ପଦାର୍ପଣ କଲେ । ରାୟରାମାନନ୍ଦଙ୍କର ବୈଷ୍ଣବ ପ୍ରେମ ଜାଣି ସେ ରାଜମହେନ୍ଦ୍ରୀରେ ତାଙ୍କୁ ସାକ୍ଷାତ କଲେ । ବର୍ଷେ ପରେ ରାଜା ରାୟ ରାମାନନ୍ଦଙ୍କୁ ପୁରୀ ଜଗନ୍ନାଥ ମନ୍ଦିରର ପ୍ରବନ୍ଧକ ଭାବେ ଫେରାଇ ଆଣିଲେ । ଡଃ ହରେକୃଷ୍ଣ ମହତାବ ମଧ୍ୟ ତାଙ୍କର ‘ହିଷ୍ଟୋରି ଅଫ୍ ଓଡ଼ିଶା’ ବହିର ପ୍ରଥମ ସଂସ୍କରଣ ୧୯୫୯ ର ୩୨୮/୨୯ ପୃଷ୍ଠାମାନଙ୍କରେ ଏ ପ୍ରସଙ୍ଗ ଲେଖିଥିବା ଆଲୋଚକ ଉଦ୍ଧାର କରିଛନ୍ତି । ଯଦି ରାୟରାମାନନ୍ଦ ତାଙ୍କର ବେଣ୍ଟପୁରସ୍ଥ ଘରେ ବସି ‘‘ହାୟକୁଷ୍ଣ, ହାୟ କୁଷ୍ଣ’’ କହିଥାନ୍ତେ ସମସ୍ୟା ନଥିଲା । କିନ୍ତୁ ସେ ଯେନ୍‌ ଭାବେଁ ନିଜର କାଲକାଟ୍‌ଲେ ସେଟା ଉଡ଼୍‌ଶାର୍‌ ଟଁଟି କାଟି ଦେଲା (ନିସାନ-୧, ପୃ-୩୬) ରାୟ ରାମାନନ୍ଦଙ୍କ ଯଦି ସଂସ୍କୃତରେ ନାଟକ ଓ ବ୍ରଜବୋଲି ଭାଷାରେ କବିତା ଲେଖିଥିଲେ, ତେବେ, ମାତୃଭାଷାରେ ଲେଖି ନଥିବା, ମାତୃଭାଷାରେ ମମତା ନଥିବା ବ୍ୟକ୍ତିଙ୍କୁ ଜ୍ଞାନୀ ଥିଲେ ବୋଲି କିପରି କୁହାଯିବ ? ସେହି ସମୟରେ ଓଡ଼ିଶାର କେବଳ ରାଜନୈତିକ ସ୍ଵାଧୀନତା ନୁହେଁ, ସାଂସ୍କୃତିକ ସ୍ଵାଧୀନତା ମଧ୍ୟ ଲୋପପାଇଥିଲା । ଆଲୋଚକ ପଣ୍ଡିତ ନୀଳକଣ୍ଠଙ୍କର ମତ ଉଦ୍ଧାର କରିଛନ୍ତି- ‘‘ସ୍ଵାଦ୍ୟ ଭକ୍ତିଧର୍ମର କବଳରେ ପଡ଼ି ପରେ ପ୍ରତାପରୁଦ୍ର ଯେପରି ରାୟ ରାମାନନ୍ଦ ଓ ଗୋପୀନାଥ ବଡ଼ଜେନାଙ୍କ ପରି କର୍ତ୍ତବ୍ୟ ପରାଙ୍‌ମୁଖ ଓ ଦାୟିତ୍ୱ- ଜ୍ଞାନହୀନ ପ୍ରତିନିଧି ଶାସନକର୍ତ୍ତାଙ୍କୁ ଧରି ଭକ୍ତିର ହୀନତାକୁ ରାଜତ୍ଵର ଧାର୍ମିକତା ବୋଲି ବୁଝି ରାଜ୍ୟକୁ ଓ ରାଜ୍ୟ ଲୋକଙ୍କୁ...’’ ରାୟ ରାମାନନ୍ଦ ଗୌରବମୟ କାଳର ଗୌରବମୟ ବ୍ୟକ୍ତି ନଥିଲେ ଥିଲେ କାଳର କଳଙ୍କ । ଏହା ଡଃ. ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ।

 

ଅନ୍ୟପକ୍ଷରେ ସେ ସୋରସୁର୍ତ୍ତା କ୍ରମେ ସ୍ମରଣ କରିଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ନବୀନ କୁମାର ସାହୁଙ୍କୁ ।

 

ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଐତିହାସିକ ଡ. ନବୀନ କୁମାର ସାହୁଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା । ‘ସୋର ସୁର୍‌ତା’ ଶୀର୍ଷକରେ ସେ ଲେଖିଛନ୍ତି- ‘‘ସେତେବେଲେଁ କେନ୍‌ଗୁଟେ ଐତିହାସିକ ବିଷୟ ନେଇକରି ଉଡ଼୍‌ଶାର୍‌ ଝନେ ନାମୀ ସଂସ୍କୃତ ବିଦ୍ୱାନ୍‌ ସାଁଗେଁ କାଗଜ କଲମ୍‌ଥିଁ ତାଙ୍କର ଜବ୍‌ବର ଘିଚାଟନା ଲାଗି ଥାୟ, ଝନେ ଝନ୍‌କେ ମଜାକିଆ ଟପାଗୁଲି ଭି ମରାମରି ହଉଥାଆନ୍‌ । ପତ୍ରପତ୍ରିକାଥୁଁ ସେଟା ମୋର ନଜର୍‌କେ ଆୟଲା । କର୍ନାର୍ଜୁନ୍‌ ଲଢ଼େଇ ଦେଖ୍‌ବାକେ ଆର୍‌ ଦେଖି ନିଁ ପାର୍ଲେ ଭି ସୁନ୍‌ ବାକେ କାକେ ନିକୋ ନିଲାଗେ ? ତ ନବୀନ୍‌ ବାବୁର ଦର୍ଶନ୍‌ ଆର ପରିଚୟ ଲାଗି ମୁଇଁ ମନେମନେ ଘିଚି ହେଉଥାୟଁ (ନିସାନ-ପୃ ୨୧) ତାଙ୍କର ପ୍ରିୟବନ୍ଧୁ ରାଧାମୋହନ ଗଡ଼ନାୟକ ସେତେବେଳେ ପ୍ରାୟ ପଚାଶବର୍ଷ ବୟସରେ କଟକ କ୍ରାଏଷ୍ଟ କଲେଜର ଛାତ୍ର ଥିଲେ ଓ ସେହି କଲେଜରେ ଡଃ ନବୀନ ସାହୁ ଅଧ୍ୟାପକ ଥିଲେ । ନବୀନମାବୁଙ୍କର ବଣିଆ ସାହିସ୍ଥ ବାସଭବନରେ ଭେଟ ହେଲା । ସେ ସମୟରେ ନୀଳମାଧବଙ୍କର ପ୍ରବନ୍ଧଗୁଡ଼ିକ ଝଙ୍କାରରେ ପ୍ରକାଶିତ ହେଉଥାଏ । ଦ୍ଵିତୀୟତଃ ନବୀନ ସାହୁ ପଶ୍ଚିମ ଓଡ଼ିଶାର ବରପାଲି ଅଧିବାସୀ । ସେଭେଁ ସମଲ୍‌ପୁର୍‌ ଆଡ଼୍‌ର ବିଲ୍‌କୁଲ୍‌ କମ୍‌ ଲୋକ-ଜହ ହେଲେଁ ଝନା ଚାରେ ପାଁଚେ’’ (ନିସାନ୍‌ ୧-ପୃ. ୨୨) ଓଡ଼ିଆ ପତ୍ର ପତ୍ରିକାରେ ସାମୟିକ ଲେଖୁଥିଲେ । ନବୀନବାବୁଙ୍କ ସମାଦର ସମ୍ପର୍କରେ ସେ ଲେଖିଛନ୍ତି- ‘‘ମତେ ସମଲ୍‌ପୁର୍‌‌ ଫାଲ୍‌ର ଲୋକ୍‌ଟେ ହେଉ କି ପୁଥି ପତର କଟା ଛୋଟ୍‌ ପୋକ୍‌ଟେ ହଉ) ବଲି ଜାନ୍‌ଲେ କି ନବୀନ୍‌ ବାବୁର ଚେହେରା ଥିଁ ଯେନ୍‌ ଉଷତ୍‌ ଆଦର, ଗୌରବବୋଧର ଭାବ୍‌ ଚହଲି ଗଲା, ସେଥୁ ମୁଇଁ ଜାନିଗଲିଁ ଯେ, ଯେନ୍ ଗୁଢ଼ିଟାକେଁ ମିଶେ ମା’ ସର୍‌ସତୀର ପାହାର ଧୁଇଲ୍‌ ଟିକେ ଲଟ୍‌କିଛେ ବଲିଁ ଜାନ୍‌ଲେଁ ନବୀନବାବୁ ସେ ଗୁଡ଼ିକେ ମିଶେ ଗୁଡ଼୍‌ ଭେଲିଟେ ଲେଖେଁ ଆଦର୍ କରନ୍‌ କାୟଁସେ । ସେହି ୧୯୫୮ ରୁ ୧୯୮୧ ପର୍ଯ୍ୟନ୍ତ ଉଭୟଙ୍କର ସାକ୍ଷାତ୍‌ ହୋଇନଥିଲା । ୧୯୮୧ ମସିହାରେ ନବୀନ ସାହୁ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଥିବା ସମୟରେ ଭରତଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର ନିମନ୍ତେ ନୀଳମାଧବ ପାଣିଗ୍ରାହୀ ମନୋନୀତ ହୋଇଥିଲେ । ସେହି ପୁରସ୍କାର-ସଭାରେ କିଛି କହିବା ନିମନ୍ତେ ଯେତେବେଳେ ଅନୁରୋଧ କରାଗଲା, ସେ କହିଲେ- ‘‘ଉଡ଼ିଆ ଭାଷାଥିଁ ମୁଇଁ କିଛି କିଛି ଲେଖାଲେଖି ସିନେ କର୍‌ସିଁ, ଭାଷନ୍‌ ଦେବାକେ ବସ୍‌ଲେଁ ସଙ୍କଟ୍‌ ସାଗର୍‌ଥିଁ ଭାସ୍‌ଲା ଲେଖେଁ ଅନ୍‌ଭବ୍‌ କରସିଁ । କାଁ ଯେ ବୟଲେଁ, ଉଡ଼ିଆ ଭାଷା ମୋର୍‌ପକ୍ଷେଁ ମାଷ୍ଚ୍ରିଭାଷା । ମୋର ମାତ୍ରିଭାଷା ନୁହେଁ । ହେଁ ଭାଷା ମୁଇଁ ମୋର୍‌ ମାଁର୍‌ ଟୁଣୁ କି ମୋର୍‌ ବୁଆର୍ ଟୁଣୁ କି ମୋର୍‌ ଛୁଆବେଲ୍‌ର ସାଂଗ ସର୍‌ସା ମାନ୍‌ କରନୁଁ ନାଇଁ ଶିଖିଁ, ମାଷ୍ଟ୍ରେ ବେତ୍‌ ଧରିକରି ମତେ ଡରେଇ ଧୁପେଇ କରି ସେ ଭାଷା ଇସ୍କୁଲେଁ ଶିଖେଇଥିଲେ । ସେଟା ମୋର ମାତୃଭାଷା ନୁହେଁ । (ନିସାନ ୧- ପୃ. ୨୩) ନବୀନବାବୁ ଏ ସମସ୍ତ ଉକ୍ତି ଅବିକଳ ସପ୍ତର୍ଷିରେ ପ୍ରକାଶ କରିଥିଲେ ବୋଲି ସେ ଲେଖିଛନ୍ତି (୧୯୮୧-ଫେବୃୟାରୀ ସଂଖ୍ୟା) ୧୯୮୧-୮୪ ମଧ୍ୟରେ ଲେଖକଙ୍କର ସମ୍ପର୍କ ନବୀନବାବୁଙ୍କ ସହ ପ୍ରଗାଢ଼ ହୋଇଥିଲା । ଏହି ସମୟରେ ତାଙ୍କର ଭୁବନେଶ୍ୱରସ୍ଥ ବାସଗୃହର କିଛି ଦୂରରେ ସରକାରୀ ଫ୍ଲାଟ୍‌ର ଉପର ମହଲାର ଦକ୍ଷିଣ ପାର୍ଶ୍ଵରେ ରହୁଥିଲେ ସେ ସମୟର ସାହିତ୍ୟ ଏକାଡେମୀର ଉପସଭାପତି ରାଧାମୋହନ ଗଡ଼ନାୟକ ଏବଂ ବାମପାର୍ଶ୍ଵରେ ରହୁଥିଲେ ସରକାରୀ ପ୍ରତ୍ନତତ୍ତ୍ୱ ପରାମର୍ଶଦାତା ଡଃ ନବୀନ କୁମାର ସାହୁ । ନୀଳମାଧବ ବାବୁ ଆସିଛନ୍ତି ବୋଲି ଜାଣିଲେ ସେ ଡାକୁଥିଲେ- ‘‘ଆଜ୍ଞା ଆସୁନ୍‌-ଇନ୍‌କେ ପାନ୍‌ ଖାୟମା ।’’ ନିଜେ ଚାଲି ଆସନ୍ତି, ଆସର ସରଗରମ ହୁଏ, ସଂସ୍କୃତି, ସାହିତ୍ୟ ଓ ଇତିହାସ ଚର୍ଚ୍ଚାରେ । ସେ ସମୟର ତିନିବନ୍ଧୁଙ୍କର ଆଳାପ, ପ୍ରଳାପ ଓ ଫୁର୍ତ୍ତି ସମ୍ପର୍କରେ ସ୍ମରଣ କରି ଡଃ ପାଣିଗ୍ରାହୀ ଲେଖିଛନ୍ତି- ‘‘ଆୟଜ୍‌ ସେ ସବ୍‌ ବହୁ ମୂଲ୍ୟବାନ୍ ମୁହୂର୍ତ୍ତମାନ୍‌ ମାହାକାଲର୍‌ ସୁହତିଥି କେନ୍‌ ଆଉଣ୍ଡ ଭିତରେଁ ପଡ଼ିକରି ବୁଡ଼ିହଜି ଗଲାନେଁ, ହେଲେଁ ମୋର ମନର ଭିତ୍ତି ଥିଁ ବିକ୍ରମ୍‌ଖୋଲ୍‌ର ଶିଳାଲିପି ଲେଖେଁ ଖୁଦି ଦେଇ କରିଁ ସେ ସବୁର୍‌ ଛାପା ଇଛେନ୍‌ ଭି ନିହେ ମେଟେ । ଥରେ ଥରେ ଡକ୍ଟର ସାହୁ ଉଡ଼୍‌ଶା ଇତିହାସ୍‌ର କେନ୍‌ ଗୁଟେ ଅକ୍‌ଲିଆ କାଁଡ଼ି ଉପ୍ରେଁ କହୟତେ କହୟତେ ଅନାୟତେଁ କେନେ ପାନୁ ଚୁନ ଟିକେ ଖସ୍‌ରି ପଡ଼ଳାକି ଧଡ଼୍‌କରି ମାଡ଼ିବସନ୍‌ ଶଙ୍କରାଚାର୍ଯ୍ୟ ବନ୍ଧୁ ଗଡ଼ନାୟକ ବୃଦ୍ଧାବତାର୍‌ ଡକ୍ଚର ସାହୁ ଉପ୍ରେଁ । ଡଃ. ସାହୁର କଥା ଯେଡ଼େ ନିଦା ହେଇଥିଲେ ହେଁ ଭି କୁଶାଗ୍ର ବୁଦ୍ଧି ଗଡ଼୍‌ନାୟକ୍‌ ସେଟା ପୁଲା ମଠିଆ ବଲି ସାବ୍ୟସ୍ତ କରିବାର ଚେରେଷ୍ଟା ଧରନ୍‌ ଆର୍ ରୁଷ୍ଟ ମୂର୍ତ୍ତି ରୁଦ୍ରାବତାର୍‌‌ ଧରିକରି ନିଜର ସ୍ପଷ୍ଟବାଦିତା ଆର୍‌ ବାକ୍‌ଚାତୁରୀର ବାଁକୁଟ ବାଡ଼ି ପଘେଇ ଦିଅନ ଏନ୍ତା ଜୋର୍‌ ସେଁ ଯେ, ମଠିଆ କାୟଁ ଫାଟ୍‌ତା, ଭାଂଗତା, ବାଡ଼ିଟା ହିଁ ଭାଙ୍ଗିଯାୟ ।’’ (ନିସାନ୍‌ ୧-ପୃ ୨୪/୨୫) ଏହି ରୁଷ୍ଟତା କିନ୍ତୁ ବେଶୀକ୍ଷଣ ରହେ ନାହିଁ, ଦୁର୍ବାସା ପରି ଫେରିଯାଇଥିବା ଗଡ଼ନାୟକ ପୁନର୍ବାର ଫେରିଆସନ୍ତି ରନ୍ଧାଘରୁଁ ସଧ୍ୱମ ଚାହାଧରି- ‘‘ମତେ ଜବରଦସ୍ତି ଚାହା ପି’ବାକେ କହି ଦୁହି ବନ୍ଧୁ ସିଗ୍ରେଟ୍‌ ଲାଁଗେ ଲାଗେଁ ଲେଛେଇ କରି, ମୁହୁର୍ମୁହୁ ନିଜର୍‌ ନିଜର୍‌ ମୁହୁଁ କୁହୁଲା ଫୁ ଫୁ କରି ମୁହୁର୍ତ୍ତେ ଆଘର୍‌ ମାହାଭାରତ୍‌ ଲଢ଼େଇର ସ୍ମୃତିକେ ଧୁଂଗିଆ ଥିଁ ଢାପି ଦିଅନ୍‌ କୁହଲାବାନ୍‌ ମାରିକରି । ଦୁହି ମହାରଥୀର୍‌ ମଝି ‘ମୁଇଁ ବସିକରିଁ ଖୁସି ଥିଁ ଛଟ୍‌ପଟଉ ଥାୟଁ । (ନିସାନ୍‌୧-ପୃ.୨୫) ଡ. ସାହୁ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରବର୍ତ୍ତନ, ବିକାଶ, ବିକୃତି, ବିନାଶ୍‌, ମୃତାବଶେଷର ଯେଉଁ ବିବରଣୀ ଦେଇ ଯାଇଛନ୍ତି, ବିଶେଷତଃ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନର ପ୍ରୋତ୍‌ଥିତ ଇତିହାସକୁ ଲୋକଲୋଚନକୁ ଆଣିବାରେ ତାଙ୍କର ଭୁମିକା ଅବିସ୍ମରଣୀୟ । ତାଙ୍କର ହଜାର ବ୍ୟକ୍ତିତ୍ୱର କଥା ମଧ୍ୟ ସେ ପ୍ରସଙ୍ଗକ୍ରମେ ଉଲ୍ଲେଖ କରିଛନ୍ତି । ଏକଦା ହାତୀଗୁମ୍ଫାର ପ୍ରସ୍ତର ଗାତ୍ରରେ ଖୋଦିତବୀଣାର ତା’ର ସଂଖ୍ୟା ୫ ଅଥବା ୭, ଏନେଇ ମତଭେଦ ହେବାରୁ ଉଭୟେ ଯାଇ ପରୀକ୍ଷା କରି ଦେଖିଥିଲେ ଓ ସାତଟି ତାର ଥିବା ଡ. ସାହୁ ସ୍ଵୀକାର କରିନେଲେ । ଡଃ ସାହୁ ବୌଦ୍ଧଧର୍ମର ଇଂଦ୍ରଭୂତି ପଦ୍ମସଂଭବ, ଲକ୍ଷ୍ମୀଙ୍କରା, ଜଳେନ୍ଦ୍ର ଆଦିଙ୍କୁ ସେ ସମ୍ବଲପୁର ଅଞ୍ଚଳର ବୋଲି ସମ୍ଭାବନା ସୃଷ୍ଟି କରିଥିଲେ । ମୁଚୁଲିନ୍ଦ ବୌଦ୍ଧ ମୂର୍ତ୍ତି ପଶ୍ଚିମ ଓଡ଼ିଶାରେ ଯେପରି ମିଳିଛି । ଅନ୍ୱେଷଣ କଲେ ଏପରି ସାମଗ୍ରୀ ଅନେକ ମିଳିବ । ତାଙ୍କୁ ଓଡ଼ିଶା, ପଶ୍ଚିମ ଓଡ଼ିଶା, ବିଶେଷତଃ ସମ୍ବଲପୁର ନିଶ୍ଚୟ ସ୍ମରଣ କରିବ ।

 

ଡଃ ନବୀନ ସାହୁଙ୍କର ମୃତ୍ୟୁରେ ବ୍ୟଥିତ ହୋଇ ନୀଳମାଧବ ପାଣିଗ୍ରାହୀ ଲେଖିଥିଲେ- ‘‘ମୋର୍‌ ଆତ୍ମାର ସଦ୍‌ଗତି ସେ କାମନା କର୍‌ବାର୍‌ ଥିଲା । ଇଟା ବିଧିର ବିଡ଼ମ୍ବନା ଯେ, ତାକର୍‌ ଆତ୍ମାର ସଦ୍‌ଗତି କାମନା ମତେ କରବାର କେ ପଡ଼ୁଛେ, ଇ ପୀଡ଼ା ସହିଯିବାର୍‌ ଛଡ଼ା କାଏଁ ଗତି ଅଛେ ? ତାକର୍‌ ସ୍ମୃତିପୀଠର୍‌ ତଲିପାଉଁଛେ ମୋର୍‌ ଇ ବାଚନିକ୍‌ ଫୁଲ୍‌ ଗୁଛାକ ଥୁଇ ଦଉଛେଁ (ନିସାନ୍‌-୧-ପୃ. ୨୯)। ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଡ. ସାହୁ ଇଂରାଜୀରେ ଏକ ଗ୍ରନ୍ଥ ଲେଖିଥିଲେ, ଯାହାର ଉଦ୍‌ଘାଟନ ସମ୍ବଲପୁରଠାରେ ଓଡ଼ିଶାର ରାଜ୍ୟପାଳ କରିଥିଲେ । ଏହାର ତିନିଦିନ ପରେ ଡଃ ନବୀନ କୁମାର ସାହୁଙ୍କର ପରଲୋକ ହୋଇଥିଲା । ନୀଳମାଧବଙ୍କ ସହିତ ତାଙ୍କର ଆତ୍ମୀୟତାର ସମ୍ବନ୍ଧ ମାତ୍ର ଦୁଇବର୍ଷ ପର୍ଯ୍ୟନ୍ତ ସ୍ଥାପିତ ହୋଇଥିଲା, କିନ୍ତୁ ସୌହାର୍ଦ୍ଦ୍ୟ ଅବ୍ୟାହତ ରହିଥିଲା ।

 

ନୀଳମାଧବ ତତ୍ତ୍ଵସନ୍ଧାନୀ ଥିଲେ । ଔଚିତ୍ୟ ପ୍ରମାଣ ଓ ଯୁକ୍ତିସିଦ୍ଧତା ବ୍ୟତୀତ କୌଣସି ମନ୍ତବ୍ୟକୁ ଗ୍ରହଣ କରୁ ନଥିଲେ । ଅଥଚ କୌଣସି ତଥ୍ୟର ପ୍ରାମାଣିକତା ପ୍ରାପ୍ତ ହେଲେ ସାଦରେ ସ୍ଵୀକୃତି ଦେଉଥିଲେ । ବିନୋଦ କାନୁନ୍‌ଗୋଙ୍କର ଜ୍ଞାନମଣ୍ଡଳ, ସମ୍ପର୍କରେ ସେ ଲେଖିଛନ୍ତି- ‘‘ବିନୋଦବାବୁ ମତେ ତାଙ୍କର ଜ୍ଞାନମଣ୍ଡଲ୍‌ କୁଠିକେ ନେଇକରି ଗୁଟ୍‌ ଗୁଟ୍‌ କରି ତାକର୍‌ ବନ୍ଦ୍‌ବସ୍‌ ଆର୍‌ ଯୋଜ୍‌ନା ବୁଝାଲେ । ସେଟାମାନ ମୁଇଁ ବହୁତ୍‌ କମ୍‌ ବୁଝଲିଁ, କେନ୍ତା ବୟଲେଁ ତାକର୍‌ ସେ ଫାଇଲ୍‌ମାନ ଦେଖିକରି ମୁଇଁ ଆକାଭୂତ୍‌ ହେଇ ଦେଖୁଥାୟଁ, ବିନୋଦ୍‌ ବାବୁର ମୁହୁଁକେ ଖାଲି ଭକୁଆ ଲେଖେଁ ଡଗ୍‌ରୌଥାୟଁ ।

(ଜ୍ଞାନମଣ୍ଡଲର୍‌ ଏକଲବ୍ୟ ବିନୋଦ କାନୁନ୍‌ଗୋ, ନିସାନ-୨)

 

ନିସାନ୍-୨ ରେ ସେ ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ସ୍ମୃତିଚାରଣ କରିଛନ୍ତି- ‘‘୧୯୫୭-୫୮ ଆଡ଼େ ‘ଝଙ୍କାର’ ମାସିକ ପତ୍ରିକାଥି ‘‘ଦୀନକୁଷ୍ଣଙ୍କ ଛାୟା ଲାଗେ ପ୍ରୀତିର ପ୍ରକୃତ ଅର୍ଥ’’ ବଲି ମୋର୍‌ ଗୁଟେ ପ୍ରବନ୍ଧ ବାହାର୍ଲା ଉତ୍‌ରୁଁ ମୋର୍‌ନୁ ବହୁତ୍‌ ସିଆନ୍‌ (ବୟୋଜ୍ୟେଷ୍ଠ) ପ୍ରଫେସର ପ୍ରଧାନ ମତେ ନିଜର ସାଂଗ୍‌ଟେ ବଲି ଭାବୁଥିଲେ, ଯଦି ଭି ମୁଇଁ କେନ୍‌ ଅପନ୍ତରା କ୍ଷେତ୍‌ର ଢେଲ୍‌ଟେ (ଜଗନ୍ନାଥ ପରି ଚିନ୍ତନ୍‌ ଆର୍‌ ପ୍ରଫେସର୍‌ ପ୍ରହଲ୍ଲାଦ ପ୍ରଧାନ ନିସାନ୍‌-୨) ପ୍ରସଙ୍ଗ କ୍ରମେ ସେ ଲେଖିଛନ୍ତି ଯେ, ଇନ୍ଦ୍ରଭୂତିଙ୍କର-

 

‘ଜ୍ଞାନସିଦ୍ଧି’ରେ ବର୍ଣ୍ଣିତ-ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍‌

ସର୍ବବୁଦ୍ଧମୟଂ ସିଦ୍ଧି ବ୍ୟାପିନେଂ ଗଗନୋପମମ୍‌

 

ଭକ୍ତି ପୁରୀର ଜଗନ୍ନାଥଙ୍କୁ ଲକ୍ଷ୍ୟ କରି ନୁହେଁ, ସର୍ବଘଟରେ ସମାନ ଭାବରେ ବିରାଜିତ । ପ୍ରଫେସର ପ୍ରଧାନଙ୍କ ସହ ଆଲୋଚନା ଆଧାରରେ ସେ ଲେଖିଛନ୍ତି- ‘‘ସଭେ ସମାନ, କେନ୍‌ସିଜୀବ କାହାରିନୁ ହୀନ୍‌ ନୁହେଁ xxx ସମ୍‌କର୍‌ ସମାନ୍‌ ମାନ୍‌ ମହତ୍‌ ଆର୍‌ ଠାନ୍-ଇ ମହାନ୍‌ ଭାବ୍‌ ହି ଜଗନ୍ନାଥ କଲ୍‌ପନା ଆର୍‌ ଜଗନ୍ନାଥ ଭାବ୍‌ନା ଭିତରେଁ ଅଛେ । (ନିସାନ୍‌-୨) ‘କୋଶ୍‌ଲୀ- ସମଲ୍‌ପୁରୀ ପଦ୍ୟର ଛନ୍ଦ’ ଶୀର୍ଷକରେ ଏକ ଆଲୋଚନାରେ ସେ ସମ୍ବଲପୁରୀ କବିତାରେ ପ୍ରୟୋଗ କରାଇପାରୁଥିବା ଛନ୍ଦ ସମ୍ପର୍କରେ ଆଲୋଚନା କରିଛନ୍ତି । ନୀଳମାଧବ ପାଣିଗ୍ରାହୀ ପ୍ରଥମ ପର୍ଯ୍ୟାୟରେ ଛନ୍ଦ, ରାଗ, ସଙ୍ଗୀତ ଆଦିର ଆଲୋଚନା ପ୍ରବନ୍ଧମାନଙ୍କରେ କରିଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ କେତେକ ଜୀବନୀମୂଳକ ପ୍ରବନ୍ଧ ଲେଖିଥିଲେ । ଏଗୁଡ଼ିକରେ ଆଂଗିକ ସଚେତନତା ଅପେକ୍ଷା ବକ୍ତବ୍ୟର ପ୍ରାଥମିକତା ଅଧିକ ।

 

(ଖ) ଭାରତୀୟ ସଙ୍ଗୀତ (୧୯୬୫)

ଆଲୋଚ୍ୟ ଗ୍ରନ୍ଥର ପୃଷ୍ଠଭୂମି ସମ୍ପର୍କରେ ଲେଖକ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଆ ଜ୍ଞାନକୋଷର ତତ୍କାଳୀନ ମୁଖ୍ୟ ସଙ୍କଳକ ଡକ୍ଟର ମାୟାଧର ମାନସିଂହ ତାଙ୍କୁ ‘ସଙ୍ଗୀତ’ ସମ୍ପର୍କରେ ଗୋଟିଏ ନିବନ୍ଧ ଲେଖିବାର ଦାୟିତ୍ୱ ନ୍ୟସ୍ତ କରିଥିଲେ । ଲେଖକ ସଙ୍ଗୀତ ଉପରେ ଏକ ସୁଦୀର୍ଘ ନିବନ୍ଧ ରଚନା କରୁଥିଲେ, ଯାହା ପରବର୍ତ୍ତୀ ସମୟରେ ଜ୍ଞାନକୋଷର କ୍ଷୁଦ୍ର କଳେବର ପ୍ରକାଶନର ସିଦ୍ଧାନ୍ତ ହେତୁ ସେଥିରେ ସ୍ଥାନିତ ହୋଇପାରି ନଥିଲା । ଇତିମଧ୍ୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ସଙ୍ଗୀତ ସମ୍ବନ୍ଧୀୟ ଲେଖକଙ୍କର କେତେକ ପ୍ରକାଶିତ ପ୍ରବନ୍ଧ ପାଠକରି ସଙ୍ଗୀତ ସମ୍ପର୍କରେ ଗ୍ରନ୍ଥ ରଚନା କରିବାକୁ ପ୍ରରୋଚିତ କରିଥିଲେ । ସୁତରାଂ ଜ୍ଞାନକୋଷ ନିମନ୍ତେ ରଚିତ ନିବନ୍ଧଟି ପଲ୍ଲବିତ ହୋଇ ‘ଭାରତୀୟ ସଙ୍ଗୀତ’ରେ ପରିଣତ ହୋଇଥିଲା ।

 

ଗ୍ରନ୍ଥଟି ୧୯୬୫ ରୁ ୧୯୬୭ ମସିହା ମଧ୍ୟରେ ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରୁ ବୈଜ୍ଞାନିକ ସାହିତ୍ୟ ଓ ଶିଶୁ ସାହିତ୍ୟ ବିଭାଗରେ ‘ଭାରତୀୟ ସଙ୍ଗୀତ’ ଶ୍ରେଷ୍ଠ ବୈଜ୍ଞାନିକ ସାହିତ୍ୟ ଭାବରେ ବିବେଚିତ ହୋଇଥିଲା । ଏଥି ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ପ୍ରମାଣ ପତ୍ର ସହିତ ଏକ ସହସ୍ର ମୁଦ୍ରା ପ୍ରଦାନ କରାଯାଇଥଲା । ଗ୍ରନ୍ଥଟି ଲେଖକ ନିତ୍ୟାନନ୍ଦ କାନୁନ୍‌ଗୋଙ୍କୁ ଉତ୍ସର୍ଗ କରିଥିଲେ । ଏହା ସହିତ ଏଥିରେ ସଙ୍ଗୀତଜ୍ଞ ତଥା ସରୋଜବାଦକ ସତ୍ୟେନ୍ଦ୍ର ଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ମନ୍ତବ୍ୟ, ଡକ୍ଟର ମାୟାଧର ମାନସିଂହଙ୍କର ‘ପରିଚୟ ଓ ପ୍ରରୋଚନା ଗ୍ରନ୍ଥର ମୁଖବନ୍ଧ ଭାବରେ ସଂଯୋଜିତ ହୋଇଥିଲା । ଲେଖକଙ୍କର ସ୍ଵକୀୟ ମନ୍ତବ୍ୟ ‘ବାକ୍ୟାଳାପ’ ଶୀର୍ଷକରେ ସ୍ଥାନିତ ହୋଇଛି ।

 

ଭାରତୀୟ ସାହିତ୍ୟରେ ସଙ୍ଗୀତ ବିଷୟକ ପ୍ରବନ୍ଧମାନ ଯଥାକ୍ରମେ, ଉଦ୍‌ଗ୍ରାହ, ମେଳାପକ, ଧ୍ରୁବ ଓ ଆଭୋଗ ଏହିପରି ଚାରିଖଣ୍ଡରେ ସମ୍ପୂର୍ଣ୍ଣ ହେଉଥିଲା । ଲେଖକ ଭାରତୀୟ ସଙ୍ଗୀତର ‘ଉଦ୍‌ଗ୍ରାହ ଖଣ୍ଡ’ ଟି ରଚନା କରିଛନ୍ତି । ତାଙ୍କର ପରିକଳ୍ପନା ହୁଏତ ଥିଲା ଅନ୍ୟ ଖଣ୍ଡଗୁଡ଼ିକ ରଚନା କରି ‘ଭାରତୀୟ ସଙ୍ଗୀତ’କୁ ଚାରିଖଣ୍ଡରେ ସମ୍ପୂର୍ଣ୍ଣ କରିବା, କିନ୍ତୁ ତାହା ସମ୍ଭବପର ହୋଇପାରି ନାହିଁ । ଆଲୋଚ୍ୟ ‘ଉଦ୍‌ଗ୍ରାହ ଖଣ୍ଡ’ରେ ସେ ଚାରୋଟି ଅଧ୍ୟାୟ ସନ୍ନିବିଷ୍ଟ କରିଛନ୍ତି । ପ୍ରଥମ ଅଧ୍ୟାୟର ଶୀର୍ଷକ କଳା, ଦ୍ୱିତୀୟ ଅଧ୍ୟାୟର ଶୀର୍ଷକ ନାଦ, ତୃତୀୟ ଅଧ୍ୟାୟର ଶୀର୍ଷକ ସଙ୍ଗୀତରେ ଶ୍ରୁତି ଓ ସ୍ଵର ତଥା ଚତୁର୍ଥ ଅଧ୍ୟାୟର ଶୀର୍ଷକ ଶ୍ରୁତିର ପର୍ଯ୍ୟାଲୋଚନା ।

 

ପ୍ରଥମ ଅଧ୍ୟାୟ ‘କଳା’ ଶୀର୍ଷକର ଆଲୋଚନାକୁ ଛଅ ଭାବରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗ ହେଉଛି- ‘ସଙ୍ଗୀତ ଗୋଟିଏ ପ୍ରାଚୀନ କଳା, ଏଥିରେ ସେ ଦର୍ଶାଇଛନ୍ତି ଯେ, ପଞ୍ଚଭୂତ ମଧ୍ୟରେ ଆକାଶ ପ୍ରଥମ ଓ ସୂକ୍ଷ୍ମତମ । ଆକାଶର ଗୁଣ ହେଉଛି ଶବ୍ଦ । ପ୍ରାଚୀନ ଶାସ୍ତ୍ରରୁ ଉଦ୍ଧାର କରି ସେ କହିଛନ୍ତି ଯେ-

 

ଧ୍ଵନି ର୍ଯୋନିଃ ପରାଜ୍ଞେୟା ଧ୍ଵନିଃ ସର୍ବବ୍ୟ କାରଣମ୍‌

ଆକ୍ରାନ୍ତଂ ଧ୍ଵନିନାଂ ସର୍ବଂ ଜଗତ୍‌ ସ୍ଥାବର ଜଙ୍ଗମମ୍‌

(ମତଙ୍କ-ବୃହଦ୍ଦେଶୀ-୧୧)

 

ଧ୍ଵନି କାହିଁକି ଯେ ‘ସର୍ବସ୍ୟ କାରଣମ୍‌’ ତାହା ଦର୍ଶନତତ୍ତ୍ୱର କଥା, କିନ୍ତୁ ଧ୍ଵନିନାଂ ସର୍ବଂ ଜଗତ ଆକ୍ରାନ୍ତମ୍‌’ ଏହା ସର୍ବ ବିଦିତ । ଧ୍ୱନି ଉତ୍ପନ୍ନ ହେବା ମାତ୍ରେ ସଂକ୍ରମିତ ହୋଇଥାଏ । ଏହି ଧ୍ଵନିରୁ ମାନବ ସୃଷ୍ଟି କରିଛି ଶବ୍ଦ ଓ ଶବ୍ଦରୁ ଭାଷା। ଧ୍ଵନ୍ୟାତ୍ମକ ଶବ୍ଦ ସାହାଯ୍ୟରେ ମନୁଷ୍ୟ ଗଢ଼ିଛି ସଙ୍ଗୀତକଳା, ଯାହା ସଂବେଦନା ଓ ସହୃଦୟତା ସମନ୍ୱିତ ହୋଇ ବ୍ୟକ୍ତି ହୃଦୟରେ ଆନନ୍ଦ ସଂଚାର କରିଥାଏ ।

 

ସଙ୍ଗୀତ ପ୍ରାୟ ଦୁଇହଜାର ବର୍ଷ ପ୍ରାଚୀନ କଳା । ପ୍ରାମାଣିକ ଭାବରେ ‘ଭରତ ନାଟ୍ୟଶାସ୍ତ୍ର’ ହେଉଛି ପ୍ରାଚୀନତମ ଗ୍ରନ୍ଥ ଏଥିରେ ସମ୍ଭବତଃ ହସ୍ତକର୍ମଗୁଡ଼ିକୁ ଶିଳ୍ପ ଏବଂ ବର୍ଦ୍ଧକୀ, ନାପିତ, ବସ୍ତ୍ରବୟନକାରୀ, ରଜକ ଓ ଚର୍ମକାର ଆଦିଙ୍କୁ ଶିଳ୍ପୀ କୁହାଯାଉଥିଲା ଏବଂ ଗୀତବାଦ୍ୟ ଆଦିକୁ କଳା କୁହାଯାଉଥିଲା । କାରଣ ନାଟ୍ୟଶାସ୍ତ୍ରରେ-

 

ନତତ୍‌ଜ୍ଞାନ ନ ତଚ୍ଛିଳଂ ନସାବିଦ୍ୟା ନ ସା କଳା

 

ନା ସୌ ଯୋଗେ ନ ତତ୍କର୍ମ ନାଟ୍ୟେଦ୍ଧସ୍ମିନ୍‌ ଯନ୍ନ ଦୃଶ୍ୟତେ ବୋଲି କୁହାଯାଇଛି । ଶିଳ୍ପ ଏବଂ କଳା ଦୁଇଟି ପୃଥକ୍‌ ଶବ୍ଦ ଏହି ପାର୍ଥକ୍ୟ ସୂଚିତ କରେ । ଗୀତ, ବାଦ୍ୟ, ନୃତ୍ୟ, କାବ୍ୟ, ଚିତ୍ର, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଆଦି ସୂକ୍ଷ୍ମ ବା ଚାରୁକଳା । ଏଗୁଡ଼ିକ ମଧ୍ୟରେ ସଙ୍ଗୀତକୁ ଲେଖକ ସୂକ୍ଷ୍ମତମ କଳା ବୋଲି କହିଛନ୍ତି । ପ୍ରଥମ ଅଧ୍ୟାୟର ଦ୍ୱିତୀୟ ଭାଗରେ କଳାର ପ୍ରୟୋଜନ ସମ୍ପର୍କରେ ଲେଖକ ଆଲୋଚନା କରିଛନ୍ତି । କେହି ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ଚତୁର୍ବଗ ଫଳପ୍ରାପ୍ତି ନିମନ୍ତେ ବୋଲି କହୁଥିବା ସମୟରେ ଅନ୍ୟ କେତେଜଣ ଆଲୋଚକ ଏହାକୁ ଆନନ୍ଦର ଆଧାର ରୂପେ ବିବେଚନା କରିଛନ୍ତି । ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ସଭାର ପ୍ରୟୋଜନ ଦର୍ଶାଇ ଲେଖକ, ‘‘ଲୋକରଞ୍ଜନ ହିଁ ସଙ୍ଗୀତ କଳାର ପ୍ରମୁଖ ପ୍ରୟୋଜନ’ ବୋଲି କହିଛନ୍ତି, କିନ୍ତୁ ଏହା ସାଧାରଣ ଆନନ୍ଦ ନୁହେଁ, ପ୍ରୟୋଜନସିଦ୍ଧ ଏହାର ଲକ୍ଷ୍ୟ ନୁହେଁ । ଅହେତୁକ ଓ ଅଲୌକିକ ଆନନ୍ଦ ସଂଚାର ଏହାର ଚରମ ଲକ୍ଷ୍ୟ । ତୃତୀୟ ଭାଗରେ ସେ କଳାର ପ୍ରକାର ଭେଦ ନିରୂପଣ କରିଛନ୍ତି । ଦୃଶ୍ୟକଳା ହେଉଛି ଚିତ୍ର, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ । ଶ୍ରାବ୍ୟକଳା ସଙ୍ଗୀତ । ସଙ୍ଗୀତର ଭାଷା ହେଉଛି ଧ୍ଵନ୍ୟାତ୍ମକ, ନାଦାତ୍ମକ ଓ ସ୍ଵରାତ୍ମକ । ସଙ୍ଗୀତରେ ଭାଷାର ସ୍ଵରୂପ ଅବଶ୍ୟ ଥାଏ, କିନ୍ତୁ ତାହା ହୋଇଯାଏ ସ୍ଵରଧର୍ମୀ । ଚତୁର୍ଥ ଭାଗରେ ଲେଖକ ସଙ୍ଗୀତର ସଂଜ୍ଞା ନିରୂପଣ କରିଛନ୍ତି । ସାଧାରଣ ଧାରଣାରେ ଗୀତ, ବାଦ୍ୟ ଓ ନୃତ୍ୟ ହେଉଛି ସଙ୍ଗୀତ, ଅବଶ୍ୟ ଏହା ମଧ୍ୟଯୁଗୀୟ ସଂଜ୍ଞା ଉପଲବ୍ଧ ସଙ୍ଗୀତ ଶାସ୍ତ୍ରଗୁଡ଼ିକ ମଧ୍ୟରେ ସପ୍ତମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ରଚିତ ନାରଦଙ୍କର ସଙ୍ଗୀତ ମକରନ୍ଦ, ତ୍ରୟୋଦଶ ଶତାବ୍ଦୀର ଶାର୍ଙ୍ଗଦେବଙ୍କର ସଙ୍ଗୀତ ରତ୍ନାକର ମଧ୍ୟରୁ ସଙ୍ଗୀତ ରତ୍ନାକର ଶ୍ରେଷ୍ଠଗ୍ରନ୍ଥ ବୋଲି ଲେଖକଙ୍କର ମତ । ଏହି ଗ୍ରନ୍ଥରେ ଗୀତର ଲକ୍ଷଣ ନିରୂପଣ କରିବାକୁ ଯାଇ କୁହାଯାଇଛି-ରଞ୍ଜକ ସ୍ଵର ସନ୍ଦର୍ଭୋ ଗୀତମିତ୍ୟ ଭିଧିୟତେ

(ସଙ୍ଗୀତ ରତ୍ନାକର ୪/୧)

 

ଅର୍ଥାତ୍‌ ପରସ୍ପର ସହ ସମ୍ୟକ ରୂପେ, ସୂଚାରୁ ରୂପେ ସମ୍ବନ୍ଧ ସ୍ଵରାବଳୀର ମନୋରଞ୍ଜକ ରଚନା ବିଶେଷକୁ ଗୀତ କୁହାଯାଏ । ପରବର୍ତ୍ତୀ ସମୟରେ ଏହି ମତ ପରିବର୍ତ୍ତେ ଅର୍ଥଯୁକ୍ତ ଓ ଗୁଣାଳଂକାର ଯୁକ୍ତ ପଦାବଳୀର ଏକତ୍ରୀକରଣକୁ ଗୀତ କୁହାଗଲା-

 

ଧାତୁମାତୁ ସମାଯୁକ୍ତଂ ଗୀତ ମିତ୍ୟଭିଧୀୟତେ

 

(ନାରଦ ସଂହିତା-ସଙ୍ଗୀତ ନାରାୟଣରେ ଉଦ୍ଧୃତି) ଅର୍ଥାତ୍‌ ଧାତୁ ବା ସ୍ଵର ଓ ମାତୁ ବା ବାଣୀର ସଂଯୁକ୍ତ ପ୍ରକାରକୁ ଗୀତ କୁହାଯାଏ । ନୃତ୍ୟ ସହିତ ଗୀତର ପାର୍ଥକ୍ୟ ଦର୍ଶାଇ ଲେଖକ କହିଛନ୍ତି ଯେ, ନୃତ୍ୟ ସାକାର କଳା, ଏହା ରୂପରମ୍ୟତାର ଅଭିବ୍ୟଞ୍ଜକ, ଅନ୍ୟପକ୍ଷରେ ଗୀତ ହେଉଛି ନିରାକାର, ଏହା ରୂପ ନୁହେଁ ଗୁଣମୂଳକ । ଗୀତ, ବାଦ୍ୟ ଓ ନୃତ୍ୟର ସାଧାରଣ ବିଷୟ ଛନ୍ଦ, କିନ୍ତୁ ନୃତ୍ୟରେ ଛନ୍ଦ ଚାକ୍ଷୁଷ, ଗୀତ ବାଦ୍ୟରେ ଏହା ଅଦୃଶ୍ୟ ଓ ଶାବ୍ଦିକ ସଙ୍ଗୀତର ପ୍ରକାରଭେଦ ଶୀର୍ଷକରେ ସେ ରାଗସଙ୍ଗୀତ ଓ ସଂଧ୍ଵନି ସଙ୍ଗୀତର ଆଲୋଚନା କରିଛନ୍ତି । ଯେଉଁ ସଙ୍ଗୀତରେ ଗୋଟିଏ ଗୋଟିଏ ଧ୍ଵନି ବ୍ୟଷ୍ଟି ଭାବରେ ଗୋଟିକ ପରେ ଗୋଟିଏ ବ୍ୟବହୃତ ହୋଇଥାଏ ସେଭଳି ପଦ୍ଧତିରେ ଗତି କରୁଥିବା ସଙ୍ଗୀତକୁ ରାଗସଙ୍ଗୀତ କୁହାଯାଏ । ସ୍ଵରଗୁଚ୍ଛଗୁଡ଼ିକ ଧ୍ଵନିତ ହେଲେ ସଂଧ୍ଵନି ସଙ୍ଗୀତ ହୁଏ । ଭାରତରେ ରାଗ ସଙ୍ଗୀତର ପ୍ରସାର ଅଧିକ-। ଏହା ଦୁଇପ୍ରକାର ମାର୍ଗ ଓ ଦେଶୀ । ମତଙ୍ଗଙ୍କ ପ୍ରଣୀତ ‘ବୃହଦ୍ଦେଶୀ’ ନାମକ ଗ୍ରନ୍ଥରେ ପ୍ରଥମେ ଏହାର ଉଲ୍ଲେଖ ଦେଖାଯାଏ । ଏହି ଲେଖକ ଖ୍ରୀଷ୍ଟିୟ ପଞ୍ଚମରୁ ନବମ ଶତାବ୍ଦୀ ମଧ୍ୟବର୍ତ୍ତୀ ବୋଲି ବିବେଚନା କରାଯାଏ । ଇଚ୍ଛା ଅନୁସାରେ ଅନୁରାଗ ହେତୁ ନିୟମ ଅନଭିଜ୍ଞ ରୀତିରେ ଗାଇବା ଦେଶୀ ଏବଂ ଯହିଁରେ ଆଳାପ ଆଦି ଥାଏ ତାହା ମାର୍ଗ । ସ୍ପନ୍ଦନ ଆବେଗ, ଅନୁଚିନ୍ତାର ଅଭିବ୍ୟକ୍ତି ଦେଶୀ ଓ ନିୟମ, ଶୃଙ୍ଖଳା, ସଂଯମ ଆବଦ୍ଧ ହେଲେ ମାର୍ଗ ସଙ୍ଗୀତ ହୋଇଥାଏ । ମତଙ୍ଗ, ଶାର୍ଙ୍ଗଦେବ ଓ ଭରତ ଆଦିଙ୍କ ମତ ଓ ମତାନ୍ତର ଲେଖକ ଉଲ୍ଲେଖ କରି ପରିଶେଷରେ ଲୋକଗୀତ ଆଦିକୁ ଦେଶୀ ଏବଂ ଉନ୍ନତ ରାଗସଙ୍ଗୀତକୁ ମାର୍ଗ ସଙ୍ଗୀତ ବୋଲି ସେ କହିଛନ୍ତି । ଏହି ଗାନ୍ଧର୍ବ, ମାର୍ଗ ବା କ୍ଲାସିକାଲ୍‌ ସଙ୍ଗୀତର ପୃଷ୍ଠଭୂମି ସେ ଆଲୋଚନା କରିଛନ୍ତି । କୁହାଯାଏ, ବ୍ରହ୍ମା ୩୬୦୦୦ ଶ୍ଳୋକବିଶିଷ୍ଟ ନାଟ୍ୟବେଦ ବା ଗାନ୍ଧର୍ବ ବେଦ ରଚନା କରିଥିଲେ । ଏହା ଏ ପର୍ଯ୍ୟନ୍ତ ଅନୁପଲଭ୍ୟ ଥିବାରୁ ଖ୍ରୀପୂ ୧ମରୁ ଖ୍ରୀଷ୍ଟିୟ ମଧ୍ୟରେ ରଚିତ ଭରତ ନାଟ୍ୟଶାସ୍ତ୍ରକୁ ଗାନ୍ଧର୍ବ ଯୁଗର ଶ୍ରେଷ୍ଠଗ୍ରନ୍ଥ ବୋଲି ଲେଖକ କହିଛନ୍ତି । ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀରୁ ସ୍ୱତ ସଂଜୟ, କୁଶୀଲବ ଆଦି ନାଟ୍ୟ ଓ ସଙ୍ଗୀତକୁ ଉପଜୀବ୍ୟ କରି ଚଳୁଥିବା ସେ ଲେଖିଛନ୍ତି । ଏହା ବ୍ୟତୀତ ମାଗଧ, ବୈତାଳିକ, ବନ୍ଦି, ପାଣିଧ୍ୱନିକ, ନଟ, ଗନ୍ଧର୍ବ, କିନ୍ନର ଆଦିଙ୍କ ମଧ୍ୟରୁ ଗନ୍ଧର୍ବମାନେ ସମ୍ଭବତଃ ଥିଲେ ଶ୍ରେଷ୍ଠ ସଙ୍ଗୀତ ଶିଳ୍ପୀ । ସେମାନେ ବୀଣା, ବେଣୁ, ଶଙ୍ଖ, ତୁର୍ଯ୍ୟ, ମୃଦଂଗ, ପୁଷ୍କର, ଭେରୀ, ଦୁନ୍ଦୁଭି, ସୁରଜ, ପଟହ, ପଣବ, ଘଣ୍ଟା ଆଦି ବ୍ୟବହାର କରୁଥିଲେ । ଏହି ଗନ୍ଧର୍ବମାନଙ୍କର କାଳ ବା ଗାନ୍ଧର୍ବ ଯୁଗରେ ବୈଦିକ ସଙ୍ଗୀତର ସ୍ଵରନାମ ପରିବର୍ତ୍ତେ ସାତୋଟି ନୂତନ ସ୍ଵରର ନାମକରଣ ହୋଇଥିଲା । ପରବର୍ତ୍ତୀ ଅଧ୍ୟାୟରେ ଲେଖକ ଗାନ୍ଧର୍ବର ନାଦ, ଶ୍ରୁତି ଓ ସ୍ଵର ସମ୍ପର୍କରେ ବିଶ୍ଲେଷଣ କରିଛନ୍ତି ।

 

ଦ୍ଵିତୀୟ ଅଧ୍ୟାୟର ଶୀର୍ଷକ ‘ନାଦ’ । ଏଥିରେ ଚାରୋଟି ଶୀର୍ଷକରେ ଆଲୋଚନା କରାଯାଇଛି । ନାଦ ଓ ତାହାର ଉତ୍ପତ୍ତି, ନାଦର ଉଚ୍ଚତା ଓ ନୀଚ୍ଚତା, ଅନୁରଣନ ତତ୍ତ୍ୱ ବା ସ୍ଵୟଂଭୁ ନାଦ ଏବଂ ନାନ୍ଦନାଦର ସମ୍ପର୍କ । ସଙ୍ଗୀତର ମୌଳିକ ଉପାଦାନ ନାଦ । ଭାରତୀୟ ସଙ୍ଗୀତଶାସ୍ତ୍ର ଅନୁସାରେ ନାଦ ଆହତ ଓ ଅନାହତ ଭେଦରେ ଦୁଇପ୍ରକାର । ଅନାହତ ସାଧାରଣଙ୍କର ଶ୍ରୁତିଗୋଚର ହୁଏ ନାହିଁ । କମ୍ପନ ଦ୍ଵାରା ନାଦ ସୃଷ୍ଟି ହୁଏ । ଏହା ବ୍ୟତୀତ ସେ ନାଦର ବିସ୍ତାର ସମ୍ପୃକ୍ତ ଆପେକ୍ଷିକ କାରଣ, ନାଦର ଜାତି, ଚତୁର୍ବିଧ ବାଦ୍ୟ, ନାଦର ଉଚ୍ଚତା ଓ ନୀଚ୍ଚତା, ଆଦିର ବିସ୍ତୃତ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ନାଦ, ନାଦର ସମ୍ପର୍କ, ମିଳନବାଦ, ସମ୍ୱାଦ, ଅନୁବାଦ ଓ ବିବାଦ ଆଦି ବିଭିନ୍ନ ନାଦର ଉଲ୍ଲେଖ କରି ସେଗୁଡ଼ିକର ଯଥୋଚିତ ଓ ଯଥାଭାଗ ସମ୍ପର୍କରେ ଆଲୋଚନା କରିଛନ୍ତି ।

 

ତୃତୀୟ ଅଧ୍ୟାୟର ଶୀର୍ଷକ ‘ସଙ୍ଗୀତରେ ଶ୍ରୁତି ଓ ସ୍ଵରା’ ଏହା ୭ ଭାଗରେ ଆଲୋଚନା କରାଯାଇଛି । ସଙ୍ଗୀତର ବୈଚିତ୍ର୍ୟ ସମ୍ପାଦନ ନିମନ୍ତେ ବିଭିନ୍ନ ଉଚ୍ଚତା ବିଶିଷ୍ଟ ନାଦ ଆବଶ୍ୟକ । ଗୋଟିଏ ନାଦ ଓ ଏହାର ମିଳନବାଦୀ ନାଦର ମଧ୍ୟସ୍ଥିତ ଆକାଶର ସାଂଗୀତକ ନାମ ସ୍ଥାନ । ଏହା ମନ୍ଦ୍ର, ମଧ୍ୟ ଓ ତାର ଏହି ତିନିଭାଗରେ ବିଭକ୍ତ । ଏହାକୁ ଉଦାରା, ମୁଦାରା ଓ ତାରା ବୋଲି ମଧ୍ୟ କୁହାଯାଏ । ଏହା ମଧ୍ୟରୁ ମଧ୍ୟ ସ୍ଥାନୀୟ ନାଦ ହିଁ ମାନବ କଣ୍ଠରୁ ସହଜରେ ଉଚ୍ଚାରିତ ହୋଇଥାଏ । କଣ୍ଠ ସଙ୍ଗୀତ କ୍ଷେତ୍ରରେ ମଂଦ୍ର, ମଧ୍ୟ ଓ ତାର ବ୍ୟବହୃତ ହେଉଥିଲେ ସୁଦ୍ଧା ଯନ୍ତ୍ର ସଙ୍ଗୀତରେ ଅତିପର ଓ ଅନୁମନ୍ଦ୍ର ବ୍ୟବହୃତ ହୋଇଥାଏ । ସଙ୍ଗୀତ ଶାସ୍ତ୍ରରେ ୨୨ଟି ନାଦ ଅନୁମୋଦନ କରାଯାଇଛି । ଏହିପରି ସୂକ୍ଷ୍ମନାଦମାନଙ୍କର ନାମ ଶ୍ରୁତି । ଏକକାଳୀନ ସାତୋଟି ଶ୍ରୁତି ରଞ୍ଜକ ଭାବେ ବ୍ୟବହୃତ ହୋଇପାରେ । ସେମାନଙ୍କର ନାମ ଯଥାକ୍ରମେ ଷଡଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ ଓ ନିଷାଦ । ଏଗୁଡ଼ିକର ଆଦ୍ୟବର୍ଣ୍ଣରେ ଆକାର, ଇକାର ବା ଏକାର ଯୋଗ କରାଯାଇ ସାରେଗାମାପାଧାନି କରାଯାଇଛି । ସ୍ଵରଗୁଡ଼ିକୁ ଲିପିବଦ୍ଧ କଲାବେଳେ ମଧ୍ୟ ଏଇ ସବୁ ସାଂକେତିକ ସ୍ଵରନାମ ବ୍ୟବହୃତ ହୋଇଥାଏ । ଯେପରିକି ମନ୍ଦ୍ରସ୍ଥାନୀୟ ସ୍ଵର ନିମନ୍ତେ ତଳେ ଗୋଟିଏ ବିନ୍ଦୁ, ତା’ର ସ୍ଥାନୀୟ ସ୍ଵର ଚିହ୍ନାଇବାକୁ ଉପରେ ଗୋଟିଏ ବିନ୍ଦୁ ଏବଂ ଉପରେ କିମ୍ବା ତଳେ ବିନ୍ଦୁ ନଥିଲେ ତାକୁ ମଧ୍ୟସ୍ଥାନୀୟ ସ୍ଵର କୁହାଯିବ । ସ୍ଵରର ସଂଜ୍ଞା ସମ୍ପର୍କରେ ସେ ଲେଖିଛନ୍ତି- ‘‘ରାଜ୍‌ ଶବ୍ଦର ଅର୍ଥ ଦୀପ୍ତି ପ୍ରକାଶ କରିବା ତାହାର ପୂର୍ବେ ସ୍ଵଯୋଗ କରି ସ୍ଵର ଶବ୍ଦ ଉତ୍ପନ୍ନ ହେଇଛି । ସ୍ଵୟଂ ରାଜତେ ବା ଦୀପ୍ତି ପ୍ରକାଶ କରେ ଅର୍ଥାତ୍‌ ମନୋରଞ୍ଜନ କରେ ବୋଲି ତାହାକୁ ସ୍ଵର କୁହାଯାଏ । ଶୁଭଙ୍କର କୃତ ‘ସଙ୍ଗୀତ ଦାମୋଦର’ ଗ୍ରନ୍ଥ ଅନୁସାରେ ସ ସ୍ଵରୋ ଯଃ ଶ୍ରୁତିସ୍ଥାନେ ସ୍ଵରନ୍‌ ହୃଦୟରଞ୍ଜକ (୩ୟ ସ୍ତବକ) ବିଶିଷ୍ଟ ଶ୍ରୁତି ସ୍ଥାନରେ ଧ୍ୱନିତ ହୋଇ ଯାହା ହୃଦୟ ରଞ୍ଜନ କରେ ତାହା ସ୍ଵର । ଲେଖକ ଶ୍ରୁତି ଓ ସ୍ଵରର ସମ୍ପର୍କ, ଗଡ଼ଜାଦି ସ୍ଵର ନାମର ନିରୁକ୍ତି ସପ୍ତସ୍ଵର ଓ ମୟୁରାଦି ପଶୁପକ୍ଷୀ, ମହାକବି କାଳିଦାସ ଓ ଷଡ଼ଜ ସ୍ଵର, ସପ୍ତ ସ୍ଵରବର୍ଣ୍ଣ ଆଦି ପ୍ରସଙ୍ଗ ଆଲୋଚନା କରିଛନ୍ତି । ପ୍ରଚଳିତ ସଯଗୀତରେ ସ୍ଵରଭେଦ, ସ୍ଵରମାନଙ୍କର ଉଚ୍ଚତା, ହାରମୋନିୟମ, ପାଶ୍ଚାତ୍ୟ ସ୍ଵର ପାଶ୍ଚାତ୍ୟ ପୂର୍ଣ୍ଣ ସ୍ଵରାନ୍ତର, ମଧ୍ୟ ସ୍ଵରାନ୍ତର, ଅର୍ଦ୍ଧ ସ୍ଵରାନ୍ତର ତମ୍ବୁରା ଆଦିର ପରିଚୟ ପ୍ରଦାନ କରି ସେ ଭାରତୀୟ ସଙ୍ଗୀତରେ ଶୁଦ୍ଧ ଓ ଅଶୁଦ୍ଧ ମିଶି ୧୨ଟି ସ୍ଵର ସ୍ଵୀକୃତ ହେଉଥିବା ଲେଖିଛନ୍ତି ।

 

ଚତୁର୍ଥ ଅଧ୍ୟାୟର ଶୀର୍ଷକ ହେଉଛି ଶ୍ରୁତିର ପର୍ଯ୍ୟାଲୋଚନା । ଏଥିରେ ସେ ୨୨ଟି ଶ୍ରୁତିର ନାମକରଣ ଓ ସ୍ଥିତି, ଶ୍ରୁତିର ମାନ, ସ୍ଵରମାନଙ୍କର ଚତୁର୍ବିଧତ୍ୱ, ଅଂଶ ସ୍ଵର, ସମ୍ବାଦୀ ସ୍ୱର, ଗ୍ରାମ, ବିବାଦୀସ୍ଵର ଅନୁବାଦୀ ସ୍ଵର, ଷଡ଼ଜଗ୍ରାମିକ ଉପସ୍ଥାପନା ଆଦି ପ୍ରସଙ୍ଗକ୍ରମେ ସେ ସଙ୍ଗୀତ ଶାସ୍ତ୍ରର ସୂକ୍ଷ୍ମତମ ପାର୍ଥକ୍ୟ ଓ ବୈଶିଷ୍ଟ୍ୟକୁ ଦର୍ଶାଇଛନ୍ତି । ଶ୍ରୁତିନିଦର୍ଶନ ପାଇଁ ପ୍ରକ୍ରିୟା ଚତୁଷ୍ଟୟ । ପ୍ରମାଣ ଶ୍ରୁତିର ଗାଣିତିକ ମୂଲ୍ୟ ଆଦିର ବିଶ୍ଳେଷଣ ଲେଖକଙ୍କର ସଙ୍ଗୀତଶାସ୍ତ୍ରରେ ଗଭୀର ପ୍ରବେଶର ପ୍ରମାଣ । ସଙ୍ଗୀତର ସ୍ଥିତି, ଗତି, ଲୟ, ଲିପି, ଭରତ ନାଟ୍ୟଶାସ୍ତ୍ରଠାରୁ ଆଧୁନିକ ପଣ୍ଡିତଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗର ଯଥୋଚିତ ଓ ପ୍ରାସଙ୍ଗିକ ଆଲୋଚନା ସେ କରିଛନ୍ତି ।

 

‘ଭାରତୀୟ ସଙ୍ଗୀତ’ ଗ୍ରନ୍ଥରେ ସ୍ଵକୀୟ ମନ୍ତବ୍ୟ ଉପସ୍ଥାପନା କ୍ରମେ ସତ୍ୟେନ୍ଦ୍ର ଚନ୍ଦ୍ର ଚକ୍ରବର୍ତ୍ତୀ ଲେଖିଛନ୍ତି- In spite of his absolutely non-musical engagements Sri Panigrahi is keen upon performing a national duty and that with none to help him expect the past and present writers in the field. The alphabets of all music and the notes, the sruties and swaras which form the subject of enquiry in his first book on music.

 

ସେହିପରି ‘ପରିଚୟ ଓ ପ୍ରରୋଚନା’ ଶୀର୍ଷକରେ ଡକ୍ଟ‌ର ମାୟାଧର ମାନସିଂହ ଲେଖିଥିଲେ-ଶ୍ରୀ ନୀଳମାଧବ ପାଣିଗ୍ରାହୀଙ୍କର ଭାରତୀୟ ସଙ୍ଗୀତର କେତେକାଂଶ ପଢ଼ି ମୁଁ ମୁଗ୍‌ଧ ହୋଇଛି । ଇଦାନୀନ୍ତନ ଉତ୍କଳରେ ଶ୍ରୀ ପାଣିଗ୍ରାହୀ ଜ୍ଞାନ ତପସ୍ୟାର ଏକ ଅସାଧାରଣ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ନିଶା ବିଭାଗରେ ଅନ୍ନାର୍ଜନ ମାତ୍ରର ବ୍ୟବସ୍ଥା କରି ଏହି ଜ୍ଞାନସାଧକ ଏକ ବୃହତ୍‌ ପରିବାରର ଭାର ନିଜର ଦୁର୍ବଳ ସ୍କନ୍ଧରେ ବହନ କରିବା ସାଥେ ସାଥେ ଗତ ୨୦/୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କୌଣସି ପାର୍ଥିବ ଲାଭାଶାକୁ ଚିତ୍ତରେ ଆଦୌ ସ୍ଥାନ ନ ଦେଇ ସଙ୍ଗୀତ ବିଦ୍ୟାର ଚର୍ଚ୍ଚାରେ ଯେପରି ଲାଗି ରହିଛନ୍ତ ତାହା ଉତ୍କଳ କାହିଁକି, ଭାରତର ଯେକୌଣସି ପ୍ରାନ୍ତରେ ମଧ୍ୟ ଏକ ଅସାମାନ୍ୟ ଦୃଶ୍ୟ । xxx ଅଧିକନ୍ତୁ ଏ ଗ୍ରନ୍ଥ ଉତ୍ତମ ଓଡ଼ିଆ ଗଦ୍ୟବାଣୀର ଏକ ପୁଷ୍କଳ ଓ ମନୋଜ୍ଞ ଦୃଷ୍ଟାନ୍ତ । ବାଣୀର ଏ ପ୍ରକାର ପ୍ରାଞ୍ଜଳତା ଓ ପ୍ରସାଦଗୁଣ ଆସେ ପ୍ରକୃତ ପାଣ୍ଡତ୍ୟରୁ । ତରୁଣ ଓ ଡିଗ୍ରୀହୀନ ନୀଳମାଧବଙ୍କର ତାହାହିଁ ପ୍ରକୃତ ପୁଞ୍ଜି ।

 

ଗ୍ରନ୍ଥାରମ୍ଭରେ ଲେଖକଙ୍କର ନିଜସ୍ଵ ବକ୍ତବ୍ୟର ଶୀର୍ଷକ ‘ବାକ୍ୟାଳାପ’ । ଏଥିରେ ସେ ଲେଖିଛନ୍ତି- ‘‘କିନ୍ତୁ ଆମ ଓଡ଼ିଶାରେ ସଙ୍ଗୀତ ସମ୍ପର୍କରେ ଯଥାର୍ଥ ଆଲୋଚନାତ୍ମକ ବହିର ଉତ୍କଟ ଅଭାବ । ବିଶୁଦ୍ଧ, ଉନ୍ନତ ସଙ୍ଗୀତ ପ୍ରତି ଶିକ୍ଷିତମାନଙ୍କର ଦୃଷ୍ଟି ଫେରାଇ ଆଣିବାକୁ ହେଲେ ସଙ୍ଗୀତ ସମ୍ପର୍କରେ ସାହିତ୍ୟ ସୃଷ୍ଟି କରିବାକୁ ହେବ, ଏଇ ଆଶାରେ ଭାରତୀୟ ସଙ୍ଗୀତ ବହିଟି ମୁଁ ଲେଖିଚି । କୌଣସି ଆଲୋଚନା ଗର୍ଭକ ଗ୍ରନ୍ଥ ଲେଖିବାକୁ ହେଲେ ଯେପରି ସନ୍ଥସଂସର୍ଗ ଓ ଗ୍ରନ୍ଥାଗାର ଆବଶ୍ୟକ ତାହା ବି ମୋର ଅନ୍ନାର୍ଜନ ପାଇଁ ଅବଲମ୍ବିତ ଭ୍ରାମ୍ୟମାଣ ଓ ହୀନମାନ କର୍ମଜୀବନରେ ଦୁର୍ଲ୍ଲଭ । × × × ସଙ୍ଗୀତ କଳା ସମ୍ପର୍କରେ ମୁଁ କେବଳ ସ୍ଵାଧ୍ୟୟନରୁ ଯତ୍‌କିଞ୍ଚିତ୍‌ ଜାଣିଚି ।’’

 

ଲେଖକଙ୍କର ଏ ବିନମ୍ରୋକ୍ତି ସତ୍ତ୍ୱେ ଗ୍ରନ୍ଥଟି ଯଥେଷ୍ଟ ଆଦୃତି ଲାଭ କରିଥିଲା । ଗ୍ରନ୍ଥ ଉପରେ ଅଭିମତ ଦେଇ କେତେ ସଂବାଦ ପତ୍ର ଏହାର ଭୂୟସୀ ପ୍ରଶଂସା କରିଥିଲେ । × × × ଭାରତୀୟ ସଙ୍ଗୀତ ଗ୍ରନ୍ଥଟି ଓଡ଼ିଆ ଭାଷାରେ ତା’ର ସ୍ୱନକ୍ଷେତ୍ରରେ ଅଗ୍ରଦୂତ ସ୍ଵରୂପା ସଙ୍ଗୀତ ବିଦ୍ୟାରେ ଶ୍ରୀ ନୀଳମାଧବ ପାଣିଗ୍ରାହୀଙ୍କର ମୌଳିକତା ଏବଂ ପାରଦର୍ଶିତା ଅନସ୍ଵୀକାର୍ଯ୍ୟ । ଓଡ଼ିଆ ଗଦ୍ୟଲେଖାରେ ତାଙ୍କର କୃତିତ୍ଵ ଏବଂ ଉନ୍ନତ ଶୈଳୀ ମଧ୍ୟ ପ୍ରଶଂସନୀୟ । ଆଲୋଚ୍ୟଗ୍ରନ୍ଥରେ କଳା, ନାଦ, ସ୍ଵର, ଶ୍ରୁତି ସମ୍ବନ୍ଧରେ ବହୁ ତତ୍ତ୍ୱ ଓ ତଥ୍ୟର ସମନ୍ଵୟ ସହିତ ତାଙ୍କର ବଳିଷ୍ଠ ଯୁକ୍ତି ପରିସ୍ଫୁଟ । ନାନା ଶାସ୍ତ୍ରରୁ ଉଦ୍ଧୃତ ପ୍ରମାଣସମୂହ ଦ୍ଵାରା ଗ୍ରନ୍ଥଟିର ଉପାଦେୟତା ଯଥେଷ୍ଟ ବୃଦ୍ଧିପାଇଛି-। × × × ସଙ୍ଗୀତ ବିଦ୍ୟାରେ ଶ୍ରୀ ପାଣିଗ୍ରାହୀଙ୍କର ବ୍ୟୁତ୍ପତ୍ତି ଅଛି । ତାଙ୍କର ଅସାଧାରଣ ସାଧନା ସେ ଲିପିବଦ୍ଧ କରି ଓଡ଼ିଶାର ସଙ୍ଗୀତଜ୍ଞ ତଥା ସଙ୍ଗୀତପ୍ରେମୀମାନଙ୍କୁ ସଙ୍ଗୀତଲୋକର ପ୍ରଶସ୍ତ ପଥ ପ୍ରଦର୍ଶନ କରାଇଛନ୍ତି । ତାଙ୍କର କୃତି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସୁନିଶ୍ଚିତ । ତାଙ୍କର ସାଧୁ ଉଦ୍ୟମର ସଂପ୍ରସାରଣ ଓ ସାଫଲ୍ୟ ଆମର କାମ୍ୟ । ‘ଭାରତୀୟ ସଙ୍ଗୀତ’ ଓଡ଼ିଶାରେ ଆଦୃତ ହେବ ହିଁ ହେବ ଏବଂ ଭବିଷ୍ୟତରେ ସଙ୍ଗୀତ ସମ୍ବନ୍ଧରେ ଗବେଷଣା ସକାଶେ ପ୍ରେରଣାଦେବ ।

ମାତୃଭୂମି-ତା ୨୫-୪-୬୬

 

ଭାରତୀୟ ସଙ୍ଗୀତ ସମ୍ପର୍କରେ ଓଡ଼ିଆରେ ଏ ପର୍ଯ୍ୟନ୍ତ କୌଣସି ନିର୍ଭରଯୋଗ୍ୟ ପୁସ୍ତକ ନଥିଲା । ଲେଖକ ଆଲୋଚିତ ପୁସ୍ତକଟି ଲେଖି ସେ ଦିଗରେ ଏକ ଅଭାବ କେତେକାଂଶରେ ପୂର୍ଣ୍ଣ କରିଅଛନ୍ତି । - କଳିଙ୍ଗ, ତା.୩.୪.୬୬

 

ଭାରତୀୟ ସଙ୍ଗୀତ ଆଲୋଚନା ଚାରୋଟି ଖଣ୍ଡରେ ସମ୍ପୂର୍ଣ୍ଣ ହେଉଥିବା ହେତୁ ସେ ଏହି ଗ୍ରନ୍ଥଟିର ଚାରୋଟି ଖଣ୍ଡ ଉଦ୍‌ଗ୍ରାହ, ମେଳାପକ, ଧ୍ରୁବ ଓ ଆଭୋଗ ରଚନା କରିବାକୁ ସେ ପରିକଳ୍ପନା କରିଥିଲେ । ପ୍ରଥମ ଗ୍ରନ୍ଥ ଉଦ୍‌ଗ୍ରାହ ଖଣ୍ଡରେ ସଙ୍ଗୀତକଳା, ନାଦ, ଶ୍ରୁତି ଓ ସ୍ୱରର ଆଲୋଚନା କରିବା ପରେ ପରବର୍ତ୍ତୀ ଖଣ୍ଡମାନଙ୍କରେ ମୂର୍ଚ୍ଛନା, ଥାଟ ବା ମେଳ, ତାରାପ୍ରକାଶର ବିଭିନ୍ନ ଶୈଳୀ, ତାଳ, ସଙ୍ଗୀତର ଇତିହାସ ଆଦିର ଆଲୋଚନା ପରବର୍ତ୍ତୀ ଖଣ୍ଡମାନଙ୍କରେ କରିବାକୁ ସେ ମନସ୍ଥ କରିଥିଲେ ଯାହା କାର୍ଯ୍ୟକାରୀ ହୋଇପାରି ନାହିଁ । ତଥାପି ଏହି ପ୍ରଥମ ଖଣ୍ଡ ବା ଉଦ୍‌ଗ୍ରାହ ଖଣ୍ଡ ଯାହା ‘ଭାରତୀୟ ସଙ୍ଗୀତ’ ଶୀର୍ଷକରେ ପ୍ରକାଶିତ ହୋଇଛି ତାହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ବିଶୁଦ୍ଧ, ଉନ୍ନତ ସଙ୍ଗୀତ ପ୍ରତି ଶିକ୍ଷିତମାନଙ୍କର ଦୃଷ୍ଟି ଫେରାଇ ଆଣିବାକୁ ହେଲେ ସଙ୍ଗୀତ ସମ୍ପର୍କରେ ସାହିତ୍ୟ ସୃଷ୍ଟି କରିବାକୁ ହେବ ବୋଲି ହୃଦୟଙ୍ଗମ କରି ସେ ଏହି ‘ଭାରତୀୟ ସଙ୍ଗୀତ’ ରଚନା କରିଥିବା ‘ବାକ୍ୟାଳାପ’ ଶୀର୍ଷକରେ ସ୍ଵୀକାର କରିଛନ୍ତି । ତାଙ୍କର ଅଧ୍ୟବସାୟ ପ୍ରସୂତ ଏ ଗ୍ରନ୍ଥଟି ଓଡ଼ିଆ ସଙ୍ଗୀତ ଆଲୋଚନା ତଥା ସାହିତ୍ୟ ଭଣ୍ଡାର ନିମନ୍ତେ ମହତ୍ତ୍ଵପୂର୍ଣ୍ଣ ।

 

(ଗ) ଗୀତଗୋବିନ୍ଦ ଓ ଜୟଦେବ- ଆଲୋଚନା

ପ୍ରଥମ ଭାଗ-(୧୯୮୨) ସାଂଗୀତିକ ମୂଲ୍ୟ

ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ପାଳନ ଅବସରରେ ଜୟଦେବ ଓ ଗୀତଗୋବିନ୍ଦ ସମ୍ପର୍କରେ ଉଭୟ ଓଡ଼ିଆ ତଥା ଇଂରାଜୀରେ ଖଣ୍ଡେ ଦ୍ଵିଭାଷିକ ପୁସ୍ତକ ରଚନା କରିବା ନିମନ୍ତେ ଏବଂ ଗୀତଗୋବିନ୍ଦକୁ ଭିତ୍ତି କରି ଏକ ନୃତ୍ୟନାଟିକାର ପ୍ରଯୋଜନା ନିମନ୍ତେ ଏକାଡେମୀ ତରଫରୁ ଲେଖକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସେହି ସମୟରେ ଏକାଡେମୀ ତରଫରୁ ଏହି ପୁସ୍ତକଟି ପ୍ରକାଶିତ ହୋଇଥିଲା ।

 

ସଂସ୍କୃତ ସାହିତ୍ୟର ପ୍ରାଚୀନତା ଓ ବିଶାଳତା ଅକଳନୀୟ । ମନୁଷ୍ୟର ଦେହ, ମନ, ଆତ୍ମା, ଓ ପରମାତ୍ମା ଏ ସମସ୍ତ ପ୍ରସଙ୍ଗକୁ ସଂସ୍କୃତ ସାହିତ୍ୟର ବହୁ କବି ଓ କୋବିଦବର୍ଗ ସ୍ଵକୀୟ ଅନୁଭୂତି, କଳ୍ପନା ଓ ସୌନ୍ଦର୍ଯ୍ୟବୋଧ ମାଧ୍ୟମରେ କରିଛନ୍ତି ମାଧୁର୍ଯ୍ୟମଣ୍ଡିତ, ରସସିକ୍ତ ତଥା ବିଗ୍ରହବନ୍ତ । ଲେଖକ ନୀଳମାଧବ ପାଣିଗ୍ରାହୀ ସଂସ୍କୃତ କାବ୍ୟ ପରିସର ରୂପକ ଆକାଶରେ ଗୀତଗୋବିନ୍ଦଙ୍କୁ ରାକାଶଶୀ ରୂପେ କଳନା କରିଛନ୍ତି । ଆକାଶର ସୂର୍ଯ୍ୟ ବୃହସ୍ପତି ଆଦି ଗ୍ରହ ନକ୍ଷତ୍ର ତୁଳନାରେ ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ମାତ୍ର, କିନ୍ତୁ ଏହାର ଶୁଭ୍ର ଶୀତଳ ଜ୍ୟୋତ୍ସ୍ନାସୁଧାର ପ୍ଲାବନ ଚତୁର୍ଦ୍ଦିଗକୁ ଯେପରି ଆମୋଦିତ କରେ, ତୃଷିତ ଚକୋରକୁ ତୃପ୍ତିଦାନ କରେ, ତା’ର ପଟାନ୍ତର ନାହିଁ-। ଲେଖକଙ୍କ ଭାଷାରେ-ପ୍ରାୟ ସାର୍ଦ୍ଧ ଆଠଶହ ବର୍ଷ ପୂର୍ବେ ସେଇ କାବ୍ୟ ଚନ୍ଦ୍ରମାର ଅଭ୍ୟୁଦୟ ହୋଇଥିଲା ଚଉଷଠୀ କଳାର ଲୀଳାଭୂମି ଆମର ଏହି ଓଡ଼ିଶାର ଚକ୍ରବାଳର । ସଂସ୍କୃତ କାବ୍ୟାକାଶରେ କ୍ରମଶଃ ଘୋଟି ଆସୁଥିବା ତମିସ୍ରାକୁ ସେଇ ଏକଶ୍ଚନ୍ଦ୍ର ଗୀତଗୋବିନ୍ଦ ଯେଉଁ ପରିମାଣରେ ନିବାରିତ କରିଛି, ଉତ୍ତରକାଳୀନ ଶତଶତ କାବ୍ୟତାରା ପ୍ରତିସ୍ପର୍ଦ୍ଧା ବହନ କରି ହେଉ ଅଥବା ସେଇ ଗୀତଗୋବିନ୍ଦର ପ୍ରତିଫଳନ ପ୍ରକ୍ରିୟାର ପରିଣତି ସ୍ଵରୂପ ହେଉ, ସେଇ ଆକାଶରେ ଦେଖାଦେଇ ସେ ତମିସ୍ରାର ଅଂଶମାତ୍ର ସୁଦ୍ଧା ଦୂର କରିଥିବା ମନେହୁଏ ନାହିଁ । ବରଂ ମନେହୁଏ, ତହିଁରୁ କେତେକ ସେଇ ତମିସ୍ରା ଦ୍ଵାରା କବଳିତ ଓ ଅବଶିଷ୍ଟ କୃତି ଗୀତଗୋବିନ୍ଦର ପ୍ରଭାବରେ ନିଷ୍ପ୍ରଭ । ଗୀତଗୋବିନ୍ଦର ଦ୍ୟୁତି ଆଗରେ ସେଗୁଡ଼ିକ ଖଦ୍ୟୋତ । ଅବଶ୍ୟ ମହାକବି ଶ୍ରୀହର୍ଷ, ମାଘ, ଭାରବୀ, ବାଣଭଟ୍ଟ, ଭବଭୂତି, କାଳିଦାସ ପ୍ରମୁଖଙ୍କ କାବ୍ୟକୃତିର ବିଭୂତି ତୁଳନାରେ କ୍ଷୁଦ୍ରାକୃତି ଗୀତଗୋବିନ୍ଦଙ୍କୁ କେହି କେହି ଖଦ୍ୟୋତ ଆଖ୍ୟା ଦେବାର ପକ୍ଷପାତୀ, ତଥାପି ଏ ଖଦ୍ୟୋତଟି ତା’ର ସ୍ଵକୀୟ ରଜତଦ୍ୟୁତିରେ ଅଦ୍ୱିତୀୟ ବୋଲି ସେମାନେ ମଧ୍ୟ ସ୍ଵୀକୃତି ଦିଅନ୍ତି ।’’

(ଗୀତଗୋବିନ୍ଦ ଓ ଜୟଦେବ-ପୃ.୮)

 

ଶ୍ରୀଯୁକ୍ତ ପାଣିଗ୍ରାହୀ ଗୀତଗୋବିନ୍ଦକୁ ମେଘଦୂତ ତୁଲ୍ୟ ଲୋକପ୍ରିୟ ତଥା ସମାଦରପ୍ରାପ୍ତ ବୋଲି ଲେଖିଛନ୍ତି । ଗୀତଗୋବିନ୍ଦର ଏତାଦୃଶ ଲୋକପ୍ରିୟତାର କାରଣ ନିରୂପଣ ତଥା ଏହାର ପ୍ରକାର ନିର୍ଣ୍ଣୟ ନିମନ୍ତେ ମଧ୍ୟ ଅନେକ ପ୍ରୟାସ କରାଯାଇଛି । କେହି ଏହାକୁ କାବ୍ୟ, କେହି ଗୀତିନାଟ୍ୟ ଆଖ୍ୟା ଦେଇଥାନ୍ତି । କେହି ଏହାକୁ ଗ୍ରାମ୍ୟ ଜନୋଦ୍ଦିଷ୍ଟ ରଚନା ବୋଲି ମନେକରନ୍ତି । ତାଙ୍କର ରହସ୍ୟାଚ୍ଛନ୍ନ କାବ୍ୟାତ୍ମା କାବ୍ୟରସିକ ସୁଧୀବର୍ଗଙ୍କର ସମାଦର ଯେପରି ଲାଭ କରିଛି, ସେହିପରି ସଙ୍ଗୀତ ସାଧକ ତଥା ବୈଷ୍ଣବଜନଙ୍କର ମନକୁ ଅନାୟାସରେ ଆକର୍ଷିତ କରିଛି, କିନ୍ତୁ ଗୀତଗୋବିନ୍ଦର ମର୍ମବାଣୀ କବିଙ୍କ ଭାଷାରେ-

 

ଯଦ୍‌ ଗାନ୍ଧର୍ବକଳାଷୁ କୌଶଲ ମନୁଧ୍ୟାନଞ୍ଚ ଯଦ୍‌ ବୈଷ୍ଣବମ୍‌

ଯଚ୍ଛୃଂଗାର ବିବେକ ତତ୍ତ୍ୱମପି ଯତ୍‌ କାବ୍ୟେଷୁ ଲୀଳାୟିତମ୍‌

ତତ୍‌ ସର୍ବଂ ଜୟଦେବ ପଣ୍ଡିତ କବେଃ କୃଷ୍ଣୈକତଦାତ୍ମନଃ

ସାନଂଦା ପରିଶୋଧୟନ୍ତୁ ସୁଧୀୟଃ ଶ୍ରୀ ଗୀତଗୋବିନ୍ଦଃ

 

ଜୟଦେବ କବିର ଆତ୍ମା ବା ଆତ୍ମଧ୍ଵନି ଶ୍ରୀକୃଷ୍ଣ ବା ଶ୍ରୀକୃଷ୍ଣଙ୍କର ବଂଶୀଧ୍ଵନି ସହିତ ଏକତାନବଦ୍ଧ । ତାହାର ଗୀତଗୋବିନ୍ଦଟି ଏକାଧାରାରେ ଗାନ୍ଧର୍ବ କଳା ସମୂହର ଅନ୍ତର୍ନିହିତ କୌଶଳ, ଶୃଙ୍ଗାର କାବ୍ୟରେ ଲୀଳାୟିତ ତତ୍ତ୍ଵ ଓ ବୈଷ୍ଣବ ଅନୁଧ୍ୟାନର ତ୍ରିବେଣୀ ସଙ୍ଗମ । ସୁଧୀବୃନ୍ଦ-! ଏଇ ସଙ୍ଗମରେ ଅବଗାହନ କରନ୍ତୁ, ଯଥାରୁଚି ମାଧୁର୍ଯ୍ୟ ପାନ କରନ୍ତୁ । ଆଲୋଚକ ଗୀତଗୋବିନ୍ଦର ବାହ୍ୟ, ମଧ୍ୟ ଓ ଅନ୍ତଃସ୍ତରର ଆଲୋଚନା କରିବାର ପ୍ରୟାସ କରିଛନ୍ତି । ପ୍ରଥମତଃ ଗନ୍ଧର୍ବକଳା ବା ଐହିକ ଓ ଲୌକିକ ଗୀତବାଦ୍ୟ କଳାର କୌଶଳ ହିଁ ଗୀତଗୋବିନ୍ଦର ଅନ୍ୟତମ ପ୍ରତିପାଦ୍ୟ ପ୍ରସଙ୍ଗ । ଗୀତଗୋବିନ୍ଦର-

 

‘‘ମଧୁର କୋମଳକାନ୍ତପଦାବଳୀଂ

ଜୟଦେବ ସରସ୍ଵତୀ ଶୃଣୁ’’

 

ଆଦି ବର୍ଣ୍ଣନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଏହା ଲାସ୍ୟମୟୀ ନର୍ତ୍ତକୀର ଚରଣପାତ ପରି ରମଣୀୟ ଓ ଛନ୍ଦାୟିତ, ବୀଣାଧ୍ଵନି ପରି ମନୋରଞ୍ଜକ । ସେହି କାନ୍ତକୋମଳ ପଦାବଳୀର ରାଗରାଗିଣୀ ସମ୍ମତ ସ୍ଵର ପ୍ରୟୋଗ ମଣିକାଞ୍ଚନ ଯୋଗତୁଲ୍ୟ, କିନ୍ତୁ ଗୀତଗୋବିନ୍ଦର ସ୍ଵର ସଂଯୋଜନା କରାଯାଇନାହିଁ । ‘ସଙ୍ଗୀତ ରତ୍ନାକର’ ପରି ଗ୍ରନ୍ଥ ସମ୍ମତ ରୀତିରେ ଏହାକୁ ସ୍ଵର ଲୟ ବନ୍ଧ କରାଯାଇ ନାହିଁ । ଏହାର କାରଣ ଏହା ଏକ କାବ୍ୟଗ୍ରନ୍ଥ । ତେଣୁ ଏଥିରେ ସଙ୍ଗୀତ ସଂଯୋଜନାର ଦାୟିତ୍ଵ କବିଙ୍କର ନଥିଲା । ତଥାପି ଏଥିରେ ପାୟ ଦଶଟି ରାଗର ଉଲ୍ଲେଖ ଅଛି-

 

୧. ମାଳବ (ମାଳବ ଗୌଡ଼ା ବା ଗୌଡ଼ ମାଳବ)

୨. ବସନ୍ତ

୩. ରାମକ୍ରୀ (ରାମକିରୀ, ରାମକେରୀ )

୪. ଗୁର୍ଜରୀ (ଗୁଜ୍ଜରୀ ବା ଦକ୍ଷିଣ ଗୁଜ୍ଜରୀ)

୫. ଗୋଣ୍ଡକ୍ରୀ (ଗୁଣ୍ଡକୀ, ଗୁଣ୍ଡକିରୀ)

୬. କର୍ଣ୍ଣାଟ

୭. ଦେଶାକ୍ଷ

୮. ଦେଶୀ ବରାଡ଼ୀ (ଦେଶ ବରାଡ଼ୀ)

୯. ଭୈରବୀ

୧୦. ବିଭାଗ (ବିଭାସ)

 

ଗୀତଗୋବିନ୍ଦରେ ଚବିଶଟି ଗୀତ ଅଛି । ଏହି ଦଶଟି ରାଗରୁ କେତେକ ଦୁଇ, ତିନି ବା ଚାରୋଟି ଗୀତରେ ବ୍ୟବହୃତ ହୋଇଛନ୍ତି । ଅବଶ୍ୟ ଏହି ରାଗ ନିର୍ଦ୍ଦେଶ ଓ ନାମରେ ପାଠାନ୍ତରରେ ଭିନ୍ନତା ଦେଖାଯାଏ । ଚତୁର୍ଦ୍ଦଶ, ପଞ୍ଚଦଶ ଶତାବ୍ଦୀର ପାଣ୍ଡୁଲିପିମାନଙ୍କରେ ରାଗର ଯେଉଁ ସ୍ଵରୂପ ଥିଲା, ତାହା ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ହୋଇଛି ନିଶ୍ଚୟ । ତେଣୁ ଗୀତଗୋବିନ୍ଦର ଗାୟନ, ଗୁରୁ ଗାୟକ ଓ ସଙ୍ଗୀତଜ୍ଞଙ୍କର ରୁଚି, ସୌନ୍ଦର୍ଯ୍ୟବୋଧ ଓ କଳାକୌଶଳ ଉପରେ ନିର୍ଭରଶୀଳ । ଗୀତଗୋବିନ୍ଦର ଅନେକ ଗୀତକୁ ଭିତ୍ତିକରି ନୃତ୍ୟ ପ୍ରଦର୍ଶନ କରାଯାଏ । ଗୀତଟିର ଭାବାଭିବ୍ୟକ୍ତି ଏଥିରେ ମୁଖ୍ୟ । ଗାନ ଓ ନୃତ୍ୟ ପରେ ତାଳ ହେଉଛି ଗାନ୍ଧର୍ବକଳାର ତୃତୀୟ ଉପାଦାନ । ଗୀତଗୋବିନ୍ଦର ଛନ୍ଦ ଓ ତାଳ ଅନନ୍ୟ ।

 

ଗୀତଗୋବିନ୍ଦର ଚାରୋଟି ପଦ ସମନ୍ଵିତ ଶ୍ଳୋକଗୁଡ଼ିକ ଗୋଟିଏ ଗୋଟିଏ ବୃତ୍ତ । ଆର୍ଯ୍ୟା ନାମକ ରଚନା ବ୍ୟତୀତ ଅନ୍ୟ ଛନ୍ଦଗୁଡ଼ିକ ଅକ୍ଷର (Syllable)ର ସଂଖ୍ୟା ଓ ଅବସ୍ଥିତି ଦ୍ୱାରା ନିୟନ୍ତ୍ରିତ । ପ୍ରତ୍ୟେକ ପଂକ୍ତିର ଅକ୍ଷରସଂଖ୍ୟା ଏବଂ ଏହାର ଲଘୁଗୁରୁ ବିନ୍ୟାସ ଦ୍ୱାରା ଛନ୍ଦର ଅପୂର୍ବ ପାଟବତା ଗୀତଗୋବିନ୍ଦକୁ କରିଛି ରମଣୀୟ । ଗୀତଗୋବିନ୍ଦରେ ଶାର୍ଦ୍ଦୁଳ ବିକ୍ରୀଡ଼ିତ ନାମକ ଛନ୍ଦର ବ୍ୟବହାର ବହୁ ପଦ୍ୟରେ ଦେଖାଯାଏ । ଏହି ଗୁରୁଗମ୍ଭୀର ଛନ୍ଦ ଜୟଦେବଙ୍କ ଲଳିତ ଲେଖନୀରେ କୋମଳ ମାଧୁର୍ଯ୍ୟ ଗୁଣଯୁକ୍ତ ହୋଇଯାଇଛି । ଉଦାହରଣ ସ୍ଵରୂପ-

 

ଆବାସୋ ବିପିନାୟତେ ପ୍ରିୟସଖୀ ମାଳାପିଜାଳାୟତେ

ତା’ ପୋପି ଶ୍ଵସିତେନ ଦାବଦହନଜ୍ଜ୍ୱାଳା କଳାପାୟ ତେ

ସାପି ତ୍ଵଦ୍‌ ବିରହେଣ ହନ୍ତହରିଣୀ ରୃପାୟତେହା କଥଂ

 

କଂଦର୍ପୋଦ୍ଧପି ଯମାୟତେ ବିରଚୟନ୍ ଶାର୍ଦ୍ଦ୍ୱଳ ବିକ୍ରୀଡ଼ିତମ୍‌ ଛନ୍ଦର ନାମ ବ୍ୟବହାର କରାଯାଇ ଏହି ପଦଟି ରଚିତ ହୋଇଛି । ସେହିପରି ଏଥିରେ ହରିଣୀ, ବସନ୍ତ ତିଳକ, ଶିଖରିଣୀ, ପୁଷ୍ପିତାଗ୍ରା, ବଂଶସ୍ଥ, ମାଳିନୀ, ଶ୍ଲୋକ, ଦ୍ରୁତ ବିଳମ୍ବିତ, ଉପେନ୍ଦ୍ର ବଜ୍ରା, ପୃଥ୍ୱୀ (କେତେକ ପୋଥିରେ ସୃଗ୍‌ଧରା) ଆଦି ବୃତ୍ତ ଗୀତ ଗୋବିନ୍ଦରେ ବ୍ୟବହୃତ ହୋଇଛି । ଆଲୋଚକଙ୍କ ମତରେ, ଗୀତଗୋବିନ୍ଦର ଛନ୍ଦ ମାତ୍ରା ତଥା ମାତ୍ରାର ସଂଖ୍ୟା ଦ୍ୱାରା ନିୟନ୍ତ୍ରିତ । ଏହା ଜାତି ନୁହେଁ, କାରଣ ଜାତି ପଦ୍ୟ ସହିତ ସଂପୃକ୍ତ । ଚତୁଷ୍ପଦୀ ପଦ୍ୟ ହୋଇଥିବାରୁ ଏହାକୁ ମାତ୍ରିକ ଛନ୍ଦ କହିବା ସମୀଚିନ-

 

ଗୀତଗୋବିନ୍ଦ ଆବୃତ୍ତି ନିମନ୍ତେ ଅନୁକୂଳ ନୁହେଁ, କାରଣ ଏଥିରେ ସ୍ଵର ଓ ତାଳ ସମ୍ମତ ଗାୟନ ମୁଖ୍ୟ । ଏହାର ଗୀତଗୁଡ଼ିକର ତ୍ରିମାତ୍ରିକ, ଚତୁର୍ମାତ୍ରିକ, ପଞ୍ଚମାତ୍ରିକ । ଆଦି ପର୍ବବିଭାଗ କଲେ ଜଣାଯାଏ ଯେ, ଏ ଗୀତଗୁଡ଼ିକ ଛନ୍ଦଶାସ୍ତ୍ରର ମାନଦଣ୍ଡ ଦ୍ୱାରା ସର୍ବଦା ପରିମେୟ ନୁହନ୍ତି । ଆଲୋଚକ ବିଶେଷ ବିଶ୍ଳେଷଣ କରି ଦର୍ଶାଇଛନ୍ତି ଯେ, ଛନ୍ଦଶାସ୍ତ୍ରର ବିଧିନିଷେଧ ଅନୁସାରେ ଗୀତଗୋବିନ୍ଦର ‘ତାଳ ଅଧୀନ ଗୀତଗୁଡ଼ିକୁ ‘ଛନ୍ଦ ଅଧୀନ’ ଭାବରେ ବିବେଚନା କଲେ ବିଭ୍ରାଟ ହୋଇଯିବ । ଅନ୍ୟପକ୍ଷରେ ତାଳ ନିୟମରେ ପର୍ବ ବିଭାଗ କଲେ ଏହି ସମସ୍ୟା ରହେ ନାହିଁ । ଗୀତଗୋବିନ୍ଦର ଗୀତଗୁଡ଼ିକରେ ଛନ୍ଦମାନଙ୍କର ଯେପରି ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ପରିଲକ୍ଷିତ ହୁଏ, ତାହାର ପଟାନ୍ତର ନାହିଁ ବୋଲି ଅନେକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ପଣ୍ଡିତଙ୍କ ଭଳି ଆଲୋଚକ ମଧ୍ୟ ମୁକ୍ତକଣ୍ଠରେ ସ୍ଵୀକାର କରିଛନ୍ତି । ଗୀତଗୋବିନ୍ଦରେ ତ୍ରିମାତ୍ରିକ, ଚତୁର୍ମାତ୍ରିକ ପଞ୍ଚମାତ୍ରିକ ଓ ସପ୍ତମାତ୍ରିକ ଆଦି ଛନ୍ଦ ଥିଲେ ସୁଦ୍ଧା କବି ଜୟଦେବଙ୍କର ଚତୁର୍ମାତ୍ରିକ ଛନ୍ଦ ପ୍ରତି ବିଶେଷ ଅନୁରାଗ ରହିଥିବା ଉଦାହରଣ ସହିତ ଲେଖକ ଉଲ୍ଲେଖ କରିଛନ୍ତି ।

 

ଜୟଦେବ ନାମରେ ଅନେକ କବି ଅଛନ୍ତି, କିନ୍ତୁ ଜୟଦେବ କହିବା ମାତ୍ରେ ଲଳିତ ଲବଙ୍ଗଲତା ପରି କାନ୍ତ ପଦାବଳୀର ସ୍ରଷ୍ଟାଙ୍କୁ ଲୋକେ ଜାଣନ୍ତି । ଅନ୍ୟ ଜୟଦେବଙ୍କ ମଧ୍ୟରେ ପ୍ରସନ୍ନ ରାଘବ ନାଟକର ପ୍ରଣେତା ଜୟଦେବ, ଓଡ଼ିଶାର କବି ଡିଣ୍ଡିମ ଜୀବଦ୍ଦେବଙ୍କର ପୁତ୍ର ପୀୟୁଷଲହରୀର ଲେଖକ ଜୟଦେବଙ୍କ ନାମ ଉଲ୍ଲେଖନୀୟ । ପ୍ରସନ୍ନ ରାଘବକାର ଜୟଦେବ ‘ଚନ୍ଦ୍ରାଲୋକ’ ନାମକ ଅଳଙ୍କାର ଗ୍ରନ୍ଥ ରଚନା କରି ସ୍ଵୀୟ ପାଣ୍ଡିତ୍ୟ ଓ କବିତ୍ୱ ପ୍ରଦର୍ଶନ କରିଥିଲେ । କିନ୍ତୁ ଗୀତଗୋବିନ୍ଦକାର ଜୟଦେବଙ୍କ ତୁଲ୍ୟ କମନୀୟ ପଦବିନ୍ୟାସରେ ସେ ସମକକ୍ଷ ନଥିଲେ, ଯଦିଓ ଉଭୟଙ୍କର ସମୟ ବ୍ୟବଧାନ ଅଧିକ ନୁହେଁ, ‘ପୀୟୁଷଲହରୀ’ ପ୍ରଣେତା ଜୟଦେବ ପଞ୍ଚଦଶ ଶତାବ୍ଦୀର ।

 

ଜୟଦେବଙ୍କର ସମୟ ନିରୁପଣ ପ୍ରସଙ୍ଗରେ ଶ୍ରୀଯୁକ୍ତ ପାଣିଗ୍ରାହୀ ଲେଖିଛନ୍ତି- ‘‘ଗୀତଗୋବିନ୍ଦରେ ସ୍ଥାନ ପାଇଥିବା ଗୋଟିଏ ପଦ୍ୟରେ ଉମାପତିଧର ଶରଣ, ଆଚାର୍ଯ୍ୟ ଗୋବର୍ଦ୍ଧନ ଏବଂ ଧୋୟୀ ଏମାନଙ୍କ ନାମ ସହିତ ‘ଜୟଦେବ’ ନାମଟି ରହିଥିବା ଦେଖାଯାଏ । ତହିଁରେ ଜୟଦେବ ନିଜର ତୁଳନାମୂଳକ ବୈଶିଷ୍ଟ୍ୟ ପ୍ରତିପାଦନ କରିଥିଲା ପରି ଆପାତତଃ ମନେହୁଏ । ତେଣୁ ପ୍ରୋକ୍ତ କବିମାନଙ୍କୁ ସମସାମୟିକ ଏବଂ ବଂଗାଧିପତି ଲକ୍ଷ୍ମଣସେନଙ୍କ ସଭାସଦ୍‌ ବୋଲି କେହି କେହି ଯାହା ଚିନ୍ତା କରନ୍ତି ତାହା ଭ୍ରାନ୍ତ ଓ ଅସଙ୍ଗତ ବୋଲି ଅନେକ ଆଧୁନିକ ଗବେଷକ ସିଦ୍ଧ କରିଛନ୍ତି (ଗୀତଗୋବିନ୍ଦ ଓ ଜୟଦେବ-ପୃ.୧୯) ୧୧୫୬-୫୮ ଖ୍ରୀଷ୍ଟାବ୍ଦର ଏକ ଶିଳାଲେଖ ଦେଓପାଡ଼ା ପ୍ରଶସ୍ତିରେ ଉମାପତି ଧରଙ୍କ ଉଲ୍ଲେଖ ଅଛି । ଶରଣଙ୍କ କୃତିତ୍ଵ ଅଜ୍ଞାତ । ଧୋୟୀକବି ଲକ୍ଷ୍ମଣସେନ (୧୧୭୮-୧୨୦୫)ଙ୍କର ଚାଟୁକାର ଭାବରେ ପବନ ଦୂତମ୍‌ ଲେଖିଥିଲେ । ଶ୍ରୀଧର ଦାସ ନାମକ ଜଣେ ପଣ୍ଡିତଙ୍କ ଦ୍ଵାରା ସଙ୍କଳିତ ‘ସଦୁକ୍ତି କର୍ଣ୍ଣାମୃତ’ ନାମକ ଗ୍ରନ୍ଥରେ ବଂଗାଧିପତିଙ୍କୁ ସ୍ଵୟଂ ଭଗବାନ, ମହାରଥୀ ଭୀଷ୍ମ, ବଙ୍ଗପ୍ରିୟ ଆଦି ବିଶେଷଣ ପ୍ରୟୋଗ କରି ଚାଟୁ କରାଯାଇଛି, ଏହି ପଦ୍ୟସହ ଯେଉଁ ୩୧ଟି ପଦ୍ୟ ଏହି ଗ୍ରନ୍ଥରେ ସଙ୍କଳିତ ହୋଇଛି, ସେଥିରୁ ପାଞ୍ଚୋଟି ପଦ୍ୟ ଗୀତଗୋବିନ୍ଦର । ଏହି ପଦଗୁଡ଼ିକ ପ୍ରକ୍ଷିପ୍ତ ବୋଲି ଆଲୋଚକ କହିଛନ୍ତି । ‘ସଦୁକ୍ତି କର୍ଣ୍ଣାମୃତ’ ୧୨୦୫ ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ହୋଇଥିବାରୁ ଜୟଦେବ ଏହାର ପୂର୍ବବର୍ତ୍ତୀ ବୋଲି ବିଶ୍ଵାସ କରାଯାଏ । ସମ୍ଭବତଃ ଏହି ସମୟରେ ଗୀତଗୋବିନ୍ଦ ରଚିତ ଓ ଲୋକପ୍ରିୟ ହୋଇସାରିଥିଲା ।

 

ପୁରୀଜିଲ୍ଲାର ପ୍ରତାପରୁଦ୍ର ପୁର ଅନ୍ତର୍ଗତ କେନ୍ଦୁଲୀ ଶାସନର ଅମ୍ବିକା ମନ୍ଦିରରେ ନବଗ୍ରହ ପାଟର ତଳେ ଜୟଜୟ ଦେବ ହରେ ପଦାବଳୀ ଖୋଦିତ ହୋଇଛି । ଏହା ଗୀତଗୋବିନ୍ଦର ଦ୍ଵିତୀୟ ଗୀତର ଧ୍ରୁବ । ଏହାର ରଚନାକାଳ ୧୧୦୨ ଅଥବା ୧୧୧୨ ଶକାବ୍ଦ (ଅସ୍ପଷ୍ଟ ହେତୁ) ତେଣୁ ଗୀତଗୋବିନ୍ଦର ରଚନାକାଳ ୧୧୮୦ ବା ୧୨୯୦ ଖ୍ରୀଷ୍ଟାବ୍ଦ ପରବର୍ତ୍ତୀ ନୁହେଁ । ଓଡ଼ିଶାର ଗଙ୍ଗବଂଶୀୟ ରାଜା ରାଘବ ଦେବ (୧୧୫୬-୧୧୭୦)ଙ୍କ ରାଜତ୍ଵ କାଳରେ ଖୋଦିତ ଓ ଲିଙ୍ଗରାଜ ମନ୍ଦିର କାନ୍ଥ ସଂଲଗ୍ନ ଗୋଟିଏ ଶିଳାଲେଖ ଅନୁସାରେ-ସାଧୁ ପ୍ରଧାନ ଜୟଦେବଙ୍କ ସହ ମେଡ଼ମାଦେବୀ ନାମ୍ନୀ ଜଣେ ମହିଳା ଠାକୁରଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ । ସେତେବେଳେ ଜୟଦେବ ଗୀତଗୋବିନ୍ଦ ରଚନା କରିସାରି ତତ୍କାଳୀନ ଓଡ଼ିଶା ଅନ୍ତର୍ଗତ ଶ୍ରୀକୂର୍ମଠାରେ ଅବସ୍ଥାନ କରୁଥିଲେ ଏବଂ ସେଠାରୁ ଜଣେ ପଦସ୍ଥ ବ୍ୟକ୍ତି କୋପି ନାୟକ ଓ ତାଙ୍କର କନ୍ୟା ମେଡ଼ମାଦେବୀଙ୍କ ସହ ଭୁବନେଶ୍ଵର ଆସିଥିଲେ । ଏଥିରୁ ଜୟଦେବ ୧୧୫୬ ରୁ ୧୧୭୦ ମଧ୍ୟରେ ଗୀତଗୋବିନ୍ଦ ରଚନା କରିଥିବା ଅନୁମତି ହୋଇଥାଏ । ଜନଶ୍ରୁତି କ୍ରମେ-ଗଙ୍ଗବଂଶର ଜଣେ ରାଜା କାମାର୍ଣ୍ଣବ ଦେବ ଥିଲେ ନୈଷ୍ଠିକ ବୈଷ୍ଣବ ଏବଂ ଗୀତଗୋବିନ୍ଦ ଶ୍ରବଣ ନ କଲେ ସେ ଜଳସ୍ପର୍ଶ କରୁ ନଥିଲେ । କାମାର୍ଣ୍ଣବ ଦେବଙ୍କ ସମୟ ଖ୍ରୀ ୧୧୪୬-୧୧୫୬ । ଏହା ବ୍ୟତୀତ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଭାଇ, ମେଘେଶ୍ଵର ଓ ଶୋଭନେଶ୍ଵର ମନ୍ଦିରର ଶିଳାଲେଖ ପଦ୍ୟକାର ଉଦୟନାଚାର୍ଯ୍ୟ, ପ୍ରାୟ ୧୧୭୦ ଖ୍ରୀଷ୍ଟାବ୍ଦରେ ‘ଭାବବିଭାବିନୀ’ ନାମକ ଗୀତଗୋବିନ୍ଦର ଟୀକା ଲେଖିଥି‌ଲେ ତେଣୁ ଗୀତଗୋବିନ୍ଦ ୧୧୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ରଚିତ ହୋଇଥିବା ସମ୍ଭବ ।

 

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭରେ ବଙ୍ଗଦେଶ ସ୍ୱାଧୀନତା ହରାଇଥିଲା, କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗବେଳକୁ ଇଂରେଜମାନଙ୍କଦ୍ଵାରା ବଙ୍ଗ ଦେଶରେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମୟରେ ବଙ୍ଗର ବୀରଭୂମି ଜିଲ୍ଲାର ଅଜୟ ନଦୀ ତୀରବର୍ତ୍ତୀ ‘କେନ୍ଦୁଲୀ’ ନାମକ ମେଳା ବସୁଥିବା ସ୍ଥାନକୁ ଜୟଦେବଙ୍କର ଜନ୍ମସ୍ଥାନ ବୋଲି ପ୍ରଚାର କରାଯାଇଥିଲା । ଆଲୋଚକ ଏହାକୁ ଅବାସ୍ତବ ଏବଂ ପୁରୀ ଜିଲ୍ଲାର କେନ୍ଦୁଲୀ ହିଁ ଜୟଦେବଙ୍କର ଜନ୍ମସ୍ଥାନ ବୋଲି ଲେଖିଥିଲେ । ପରେ ସେ ଏହି ଗତାନୁଗତିକ ଧାରଣାକୁ ଭ୍ରାନ୍ତ ମନେକରିଛନ୍ତି ।

 

ତାଙ୍କ ପିତାଙ୍କ ନାମ ଭୋଜଦେବ ଓ ମାତାଙ୍କ ନାମ ରାମା କିମ୍ବା ରାଧା । ତାଙ୍କର ପ୍ରିୟବନ୍ଧୁ ଥିଲେ ପରାଶର । ପତ୍ନୀ ଥିଲେ ପଦ୍ମାବତୀ । ସେ ଜଣେ ବିଦୁଷୀ ଓ ନୃତ୍ୟନିପୁଣା ଦେବଦାସୀ ଥିଲେ । ମଙ୍ଗଳାଚରଣର ପରବର୍ତ୍ତୀ ପଦ୍ୟରେ କବି ନିଜକୁ ‘ପଦ୍ମାବତୀ ଚରଣ ଚାରଣ ଚକ୍ରବର୍ତ୍ତୀ’ ବୋଲି କହିଛନ୍ତି । ୧୯ ଏବଂ ୨୧ ଗୀତର ଆଭୋଗରେ ପଦ୍ମାବତୀଙ୍କର ନାମ ଅଛି । ଯଥାର୍ଥ ଅର୍ଥରେ ସେ ଥିଲେ ଜୟଦେବଙ୍କର ଅର୍ଦ୍ଧାଙ୍ଗିନୀ ।

 

ଗୀତଗୋବିନ୍ଦର ଶୃଙ୍ଗାର ରସ, ବୈଷ୍ଣବ ଭାବ ଓ ଗାନ୍ଧର୍ବ କଳା କୌଶଳ ବିଶେଷ ଲୋକପ୍ରିୟ ଥିଲା । କେବଳ ସଂସ୍କୃତ ଭାଷାରେ ଏହାର ଚାଳିଶଖଣ୍ଡ ଟୀକାଗ୍ରନ୍ଥ ରହିଛି । ଏଗୁଡ଼ିକ ମଧ୍ୟରୁ ଉଦୟନାଚାର୍ଯ୍ୟଙ୍କର ‘ଭାବ ବିଭାବିନୀ’ (ପ୍ରାୟ ୧୧୭୦) କବିରାଜ ନାରାୟଣ ଦାସଙ୍କର ‘ସର୍ବାଙ୍ଗ ସୁନ୍ଦରୀ’ (୧୩୫୦) ଧନଂଜୟ ଦ୍ଵିଜଙ୍କର ‘ସର୍ବାଙ୍ଗ ସୁନ୍ଦରୀ’ (୧୬୮୮) କୃଷ୍ଣଦାସ କବିରାଜଙ୍କର ‘ସର୍ବାଙ୍ଗ ସୁନ୍ଦରୀ’ (୧୭୦୨) ଲକ୍ଷ୍ମଣ ଭଟ୍ଟଙ୍କର ‘ରସିକ ରଂଗଦା’ (୧୭୪୨) । ଏଗୁଡ଼ିକ ମଧ୍ୟରୁ ପ୍ରଥମଟି ବ୍ୟତୀତ ଅନ୍ୟ ସମସ୍ତ ଟୀକା ରାଜ୍ୟ ସଂଗ୍ରହାଳୟରେ ଥିବା ସେ ଲେଖିଛନ୍ତି । ଓଡ଼ିଶା ବାହାରେ ରଚିତ ଟୀକାଗୁଡ଼ିକ ମଧ୍ୟରେ ମାନାଙ୍କ ଙ୍କର ‘ଟିପ୍‌ପଣିକା’, ରାଣା, କୁମ୍ଭକର୍ଣ୍ଣଙ୍କର ରସିକ ପ୍ରିୟା, ଲକ୍ଷ୍ମଣସୂରୀଙ୍କର ‘ଶ୍ରୁତି ରଞ୍ଜନୀ’, ଜଗନ୍ଧରଙ୍କର ‘ସାରଦୀପିକା’, ଶଙ୍କର ମିଶ୍ରଙ୍କର ‘ରସ ମଞ୍ଜରୀ, ଆଦି ଉଲ୍ଲେଖଯୋଗ୍ୟ । ଓଡ଼ିଆ ଭାଷାରେ ଧରଣୀଧରଙ୍କର ପଦ୍ୟାନୁବାଦ, ବଜରୀ ଦାସଙ୍କ ‘ଅର୍ଥଗୋବିନ୍ଦଂ’ ବ୍ୟତୀତ ପିଣ୍ଡିକ ଶ୍ରୀଚନ୍ଦନକୃତ ‘ବସନ୍ତ ରାସ’କୁ ମଧ୍ୟ ଏହାର ପଦ୍ୟାନୁବାଦ କୁହାଯାଇପାରେ । ଗୀତଗୋବିନ୍ଦର ପଦ୍ୟ ଓ ଗୀତଗୁଡ଼ିକର ଛନ୍ଦ ଅନୁସାରୀ ଅନୁବାଦ କାଳୀଚରଣ ପଟ୍ଟନାୟକ ଓ ରାଧାମୋହନ ଗଡ଼ନାୟକ ଏହାର ଛନ୍ଦଧର୍ମୀ ସୁଲଳିତ ଅନୁବାଦ କରିଛନ୍ତି ।

 

ଗୀତଗୋବିନ୍ଦ ଅନୁସରଣରେ ଭକ୍ତକବି ମହୀପତିଙ୍କ ମରାଠୀ ଭାଷାରେ ରଚିତ ‘ଭକ୍ତ ବିଜୟ’ ଗ୍ରନ୍ଥର ବିବରଣୀ ଅନୁସାରେ, ଓଡ଼ିଶାର ଜଣେ ରାଜା ଜୟଦେବଙ୍କ ଗୀତଗୋବିନ୍ଦ ପରିବର୍ତ୍ତେ ନିଜ ଦ୍ଵାରା ରଚିତ ଅନ୍ୟ ଏକ ଗୀତଗୋବିନ୍ଦ ପ୍ରଚଳନ ନିମନ୍ତେ ଉଦ୍ୟମ କରିଥିଲେ । ସ୍ଵୟଂ ଜଗନ୍ନାଥ ତାଙ୍କୁ ସ୍ଵପ୍ନାଦେଶ ଦେଇ ଏଥିରୁ ନିବୃତ୍ତ କରିଥିଲେ ତଥା ତାଙ୍କର କେତେକ ପଦ୍ୟ ଗୀତଗୋବିନ୍ଦରେ ଅଂଶୀଭୂତ କରିବାକୁ ଆଦେଶ ଦେଲେ । ଏହି ସମୟ (ଖ୍ରୀ ୧୪୫୦ ପୂର୍ବରୁ) ଗୀତଗୋବିନ୍ଦରେ ଅନେକ ପ୍ରକ୍ଷେପ ହୋଇଛି । କିନ୍ତୁ ଏହି ପ୍ରଥମ ପ୍ରକ୍ଷେପ ‘ଗୀତଗୋବିନ୍ଦ’ରେ ଏପରି ଅଙ୍ଗୀଭୂତ ହୋଇଛି ଯେ, ତାହାକୁ ସ୍ଵତନ୍ତ୍ର ଭାବେ ଜାଣି ହୁଏ ନାହିଁ ।

 

ପ୍ରାୟ ତ୍ରୟୋଦଶରୁ ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମ ଭାଗ ମଧ୍ୟରେ ମୈଥିଳୀ ଭାନୁକବି କୃଷ୍ଣ ଓ ରାଧାଙ୍କ ସ୍ଥାନରେ ହର-ଗୌରୀଙ୍କୁ ରଖି ‘ଗୀତ ଗୌରୀ ପତି’ ଲେଖିଥିଲେ । ଓଡ଼ିଶାର ସୂର୍ଯ୍ୟବଂଶୀୟ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ନାମରେ ଭଣିତ ‘ଅଭିନବ ଗୀତ ଗୋବିନ୍ଦ’ର ପ୍ରକୃତ ଲେଖକ ଥିଲେ ସଭାକବି କବିଚନ୍ଦ୍ର ରାୟ ଦିବାକର ମିଶ୍ର । ଏହାର ରଚନାକାଳ ପଞ୍ଚଦଶ ଶତାବ୍ଦୀ । ପରବର୍ତ୍ତୀ ସମୟରେ ରାୟ ରାମାନନ୍ଦଙ୍କର ‘ଜଗନ୍ନାଥ ବଲ୍ଲଭ ନାଟକ’ ସହ ପ୍ରାୟ ୧୪୦ଟି ଗ୍ରନ୍ଥ ଗୀତଗୋବିନ୍ଦ ଅନୁସରଣରେ ଓଡ଼ିଶା ଓ ଓଡ଼ିଶା ବାହାରେ ରଚିତ ହୋଇଛି । ଅନେକ ଗୀତ ମଧ୍ୟ ଅନୁସୃତ ହୋଇଛି । ଲେଖକ ଗୀତଗୋବିନ୍ଦର ସୌନ୍ଦର୍ଯ୍ୟ ଓ ମହତ୍ତ୍ଵ ପ୍ରତିପାଦନ ସହିତ ଏହାର ଲୋକପ୍ରିୟତା ଉଲ୍ଲେଖ କରିଛନ୍ତି ।

 

କେବଳ କବି-କୋବିଦ ଓ କଳାକାରମାନଙ୍କୁ ନୁହେଁ, ଗୀତଗୋବିନ୍ଦର ଭାବ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ଚିତ୍ରକଳା, ଓଡ଼ିଆ ଭାସ୍କର୍ଯ୍ୟରେ ଏବଂ ବିଭିନ୍ନ ଶିଳ୍ପକଳାରେ ମଧ୍ୟ ସ୍ରଷ୍ଟାଙ୍କୁ ଯେପରି ପ୍ରରୋଚିତ କରିଛି, ଗୁଣଗ୍ରାହକଙ୍କୁ ସେହିପରି ପ୍ରଲୋଭିତ, ମୁଗ୍ଧ କରିଆସିଛି । ଗଜପତି ପ୍ରତାପରୁଦ୍ର ୧୫୦୦ ଖ୍ରୀଷ୍ଟାବ୍ଦରେ ଏକ ଶିଳାଲିପି ମନ୍ଦିର ପ୍ରାଚୀରରେ ସଂଲଗ୍ନ କରି ଘୋଷଣା କରିଦେଲେ ଯେ, ଜଗନ୍ନାଥ ମନ୍ଦିରରେ କେବଳ ‘ଗୀତଗୋବିନ୍ଦ’ ଗାନ କରାଯିବ ।

 

ରାଧାମାଧବଙ୍କୁ ନାୟକ ନାୟିକାଭାବେ ଗ୍ରହଣ କରି ଶୃଙ୍ଗାର ରସାତ୍ମକ କାବ୍ୟ ଗୀତଗୋବିନ୍ଦ ରଚିତ ହୋଇଛି । ଏହାର ପ୍ରଥମ ଓ ଦ୍ଵିତୀୟ ପଦ୍ୟରୁ ଯଥାକ୍ରମେ ୧ମ- ରାଧାମାଧବଯୋର୍ଜୟନ୍ତି ଯମୁନା କୂଳେ ରହଃ କେଳାୟଃ ଓ ୨ୟ ପଦ୍ୟର -

 

ଶ୍ରୀ ବାସୁଦେବ ରତିକେଳି କଥା ସମେତ

ମେତଂ କରୋତି ଜୟଦେବ କବିଃ ପ୍ରବନ୍ଧମ୍‌

 

ଆଦି ଦୃଷ୍ଟାନ୍ତ ଦେଇ ଆଲୋଚକ କହିଛନ୍ତି ଯେ ପ୍ରାଚୀ ନଦୀ ଉପତ୍ୟକାରେ ସେତେବେଳେ ରାଧାମାଧବ ଉପାସନାର ପ୍ରାଧାନ୍ୟ ଥିଲା, ତେଣୁ ରାଧାମାଧବଙ୍କୁ କାବ୍ୟରେ ଆଲମ୍ବନରୂପେ ରଖିଥିଲେ ସୁଦ୍ଧା ଆଲୋଚକ ଏକଥା ମଧ୍ୟ ସମ୍ଭାବନା କରିଛନ୍ତି ଯେ, ‘‘ଆଧ୍ୟାତ୍ମିକତାର ପୁଟ ଦେଇ ଐହିକ ଓ ଦୈହିକ କାମ ପ୍ରବୃତ୍ତିର ଛଳନାମୂଳକ ପରିପ୍ରକାଶ ତାହାର ଅନ୍ତର୍ନିହିତ ଲକ୍ଷ୍ୟ-ସେକଥା କଳନା କରିବା ଅତ୍ୟନ୍ତ କଷ୍ଟକର ।

(ଗୀତଗୋବିନ୍ଦ ଓ ଜୟଦେବ-ପୃ.୩୦)

 

ଏହା ପୂର୍ବରୁ ଖ୍ରୀଷ୍ଟିୟ ନବମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ରଚିତ ଚର୍ଯ୍ୟାଗୀତିକାମାନଙ୍କରେ ଯୌନତାର ପଙ୍କିଳ ଆବରଣ ମଧ୍ୟରେ ପଙ୍କଜ ଅପେକ୍ଷା ଆହୁରି ପବିତ୍ର ଭାବ ପଦ୍ମ ଅନ୍ତର୍ନିହିତ ରହୁଥିଲା । ତେଣୁ ଆଲୋଚକ ଜୟଦେବ ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ ପ୍ରଚ୍ଛନ୍ନ ଭାବରେ ଏହି ଭାବାନୁରାଗ ଥିବା ସମ୍ଭାବନା କରିଛନ୍ତି । ପୁନଶ୍ଚ ପଦ୍ମାବତୀ ଶବ୍ଦଟି ଚର୍ଯ୍ୟାର ନୈରାତ୍ମା ଅର୍ଥରେ ମଧ୍ୟ ବ୍ୟବହାର କରାଯାଇପାରିଥାଏ ବୋଲି ସେ ଲେଖିଛନ୍ତି । -‘‘ଏଇ ଦୃଷ୍ଟିରୁ ଗୀତଗୋବିନ୍ଦ ଏକ ଉତ୍ତରକାଳୀନ ‘ଚର୍ଯ୍ୟାକାବ୍ୟ’ ଯହିଁରେ ରାଧାକୃଷ୍ଣଙ୍କର ଦୈହିକ ମିଳନ କାବ୍ୟର ଚରମ ପରିଣତି ରୂପେ ଉପସ୍ଥାପିତ ହୋଇଥିଲେ ସୁଦ୍ଧା ଆତ୍ମା-ପରମାତ୍ମାର ମିଳନ ହିଁ ତାହାର ଅନ୍ତର୍ନିହିତ ତତ୍ତ୍ୱ-ଏପରି ଚିନ୍ତାକଲେ ମଧ୍ୟ ବିଶେଷ ବାଧା ନାହିଁ । (ଗୀତଗୋବିନ୍ଦ ଓ ଜୟଦେବ- ପୃ.୩୧) କାରଣ ଯାହା ହେଉ ଗୀତଗୋବିନ୍ଦର ପ୍ରାଣପ୍ରାଚୁର୍ଯ୍ୟ, ଆବେଗ, ମଧୁର ଶବ୍ଦ ବିନ୍ୟାସ ଓ ସାଂଗୀତିକତା ଗୀତଗୋବିନ୍ଦକୁ କରିଛି ଅନବଦ୍ୟ ।

 

ଗୀତଗୋବିନ୍ଦ ଶୃଙ୍ଗାର ରସାତ୍ମକ କାବ୍ୟ ଦ୍ଵାଦଶ ସର୍ଗାତ୍ମକ କାବ୍ୟ ଗୀତଗୋବିନ୍ଦରେ କୃଷ୍ଣ କେତେବେଳେ ଦକ୍ଷିଣ, ଶଠ, ଧୃଷ୍ଟ, ଅଥବା ଅନୁକୂଳ ନାୟକ । ରାଧା ମଧ୍ୟ ଏହି କାବ୍ୟରେ କେତେବେଳେ ମୁଗ୍ଧା, ମଧ୍ୟନାୟିକା ତ ଅନ୍ୟ କେତେବେଳେ ଖଣ୍ଡିତା, କଳହାନ୍ତରିତା କୃଷ୍ଣଙ୍କର ସନ୍ଧାନରେ ଯାଇ ତାଙ୍କୁ ଗୋପାଙ୍ଗନାଙ୍କ ଗହଣରେ ଦେଖି ବିରହୋତ୍କଣ୍ଠିତା ରାଧା ମର୍ମାହତା ହୋଇପଡ଼ିଛନ୍ତି । ଅନୁତପ୍ତ କୃଷ୍ଣ ମଧ୍ୟ-

କିଂ କରିଷ୍ୟତି କିଂ ବଦିଷ୍ୟତି ସାଚିର ବିରହେଣ × × ×

 

ଇତ୍ୟାଦି କହି କ୍ଷମା ମାଗିଛନ୍ତି । ଉଭୟଙ୍କର ବିରହ ଜନିତ ଅନୁଭୂତି ମିଳନକୁ କରିଛି ମଧୁରତର । ରାଧାଙ୍କର ବିରହ ଅବସ୍ଥା ବର୍ଣ୍ଣନା କରି ସଖୀ କୃଷ୍ଣଙ୍କୁ କହିଛି-ନିନ୍ଦତି ଚନ୍ଦନ ମିନ୍ଦୁ କିରଣ ମନୁ ବିଂଦତି ଖେଦମଧୀରମ୍‌ × × ×

 

ସେହିପରି କୃଷ୍ଣଙ୍କ ଅବସ୍ଥା ସଖା ରାଧାଙ୍କ ନିକଟରେ ପ୍ରକାଶ କରିଛନ୍ତି-ବସତି ବିପିନ ବିତାନେ ତ୍ୟଜତିଲଳିତଧାମ × × × ଇତ୍ୟାଦି । ରାଧା ସ୍ୱାଧୀନ ଭର୍ତ୍ତୁକା ଭାବରେ ଯାଇଛନ୍ତି, କିନ୍ତୁ ରଜନୀ ଶେଷରେ ଅନ୍ୟନାୟିକାର ସଙ୍କେତ କୃଷ୍ଣଙ୍କଠାରେ ଦେଖି ରୋଷ ପ୍ରକାଶ କରିଛନ୍ତି ଖଣ୍ଡିତା ନାୟିକା ରାଧା-

 

ହରିହର ଯାହି ମାଧବ ଯାହି

କେଶବ ମା ବଦ କୈତବ ବାଦମ୍‌ × × ×

 

ନବମ ସର୍ଗରେ କଳହାନ୍ତରିତା ରାଧାଙ୍କୁ ସଖୀ ଅନୁରୋଧ କରିଛି-ମାଧବେ ମା’ କୁରୁ ମାନିନି ମାନମୟେ × × ×

 

ଦଶମ ସର୍ଗରେ ସ୍ଵୟଂ ଶ୍ରୀକୃଷ୍ଣ ମାନଭଂଗ କରିବା ପରେ ମଧୁର ମିଳନରେ କାବ୍ୟର ପରିସମାପ୍ତି ହୋଇଛି।

 

ଗୀତଗୋବିନ୍ଦର ଗାନ୍ଧର୍ବ କଳା,

 

କବିଙ୍କର ପରିଚୟ, ସମୟ, ପରିବାର, ଟୀକାଗ୍ରନ୍ଥ, ଅନୁସୃତି ଓ ଅନୁକୃତି, ଶିଳ୍ପକଳାରେ ପ୍ରଭାବ, ଗୀତଗୋବିନ୍ଦର କାବ୍ୟିକ ଓ ଆଧ୍ୟାତ୍ମିକ ଦିଗ ଇତ୍ୟାଦି ସମସ୍ତ ପ୍ରସଙ୍ଗର ସପ୍ରମାଣ ଯୁକ୍ତିନିଷ୍ଠ ଆଲୋଚନା ଡଃ ପାଣିଗ୍ରାହୀ କରିଛନ୍ତି । ଗୀତଗୋବିନ୍ଦର ଲଳିତ ଭାଷା ଓ ତରଳ ଭାବର ସ୍ଵଚ୍ଛନ୍ଦ ପ୍ରବାହ କିପରି ଏହି କାବ୍ୟର ଲେଖକଙ୍କୁ ଏକ ମର୍ଯ୍ୟାଦାବନ୍ତ ଆସନର ଅଧିକାରୀ କରାଇଛି, ତାହାର ବିସ୍ତୃ‌ତ ବ୍ୟାଖ୍ୟା କରିଛନ୍ତି । ବିଶେଷତଃ ଛନ୍ଦ, ରାଗରାଗିଣୀ ଓ ସଙ୍ଗୀତ ଶାସ୍ତ୍ରଜ୍ଞ ଶ୍ରୀଯୁକ୍ତ ପାଣିଗ୍ରାହୀ ଗୀତଗୋବିନ୍ଦର ସାଂଗୀତିକ ମୂଲ୍ୟର ଯଥାର୍ଥ ଆକଳନ ଏହି ଆଲୋଚନାରେ କରିଛନ୍ତି-

 

***

 

Unknown

ଦ୍ୱିତୀୟ ଭାଗ-(୧୯୮୪)

ପଦ୍ମାବତୀ, ଜୟଦେବ ଓ ଗୀତଗୋବିନ୍ଦ (ଏକ ସ୍ଵପ୍ନିଳ ସଂସ୍କରଣ)

 

କେନ୍ଦ୍ର ସରକାରଙ୍କର ଶିକ୍ଷାମନ୍ତ୍ରଣାଳୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୧୯୮୪ ମସିହାରେ ଶ୍ରୀଯୁକ୍ତ ପାଣିଗ୍ରାହୀ ଗୀତଗୋବିନ୍ଦର ସାଂଗୀତିକ ବିଭାବ ଉପରେ ଗବେଷଣା କରିବା ନିମନ୍ତେ ଫେଲୋସିପ୍‌ ପାଇଥିଲେ । ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ପରଲୋକ ପରେ ୨୦୧୩ ମସିହାରେ ପ୍ରକାଶିତ ‘ଗୀତଗୋବିନ୍ଦ ଓ ଜୟଦେବ’ ପୁସ୍ତକର ଦ୍ଵିତୀୟ, ତୃତୀୟ ଓ ଚତୁର୍ଥଭାଗ ସେହି ଗବେଷଣାର ପରିଣତି ମାତ୍ର ।

 

ଏକ ସ୍ଵପିଳ ଭାବାବେଗମୟ ସ୍ମୃତିଚାରଣରୁ ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି । ଜଗନ୍ନାଥଙ୍କର ନାଟ ମଣ୍ଡପ । ଦେବଦାସୀ ନୃତ୍ୟ ନିମନ୍ତେ ପ୍ରସ୍ତୁତ । ତାଙ୍କର ଆନ୍ତରିକ ଭକ୍ତିପ୍ରୀତିର ନିବେଦନ ଯେଉଁ ଅନ୍ତରଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପିତ, ସେ ନୀଳ ଶୈଳର ଦାରୁଦେବତା ଅବା ତାଙ୍କ ସ୍ଵପ୍ନର କଳାବନ୍ତ ନରଦେବତା ? ଆଲୋଚକଙ୍କ ମନରେ ଦ୍ୱନ୍ଦ୍ୱ । କଳାବତୀ ଦେବଦାସୀଙ୍କର ନୃତ୍ୟ କାହାପ୍ରତି ସମର୍ପିତ ? ନୃତ୍ୟର ତରଳତା ସହିତ ତାଳ ଦେଇ ସୁଦର୍ଶନ ପୁରୁଷ କଣ୍ଠରୁ ମନ୍ଦ୍ର ମଧୁର ଗୀତ ଧ୍ଵନିତ ହେଲା-

 

ମେଘୈର୍ମେଦୁର ମମ୍ବରଂ ବନଭୁବଃ ଶ୍ୟାମାସ୍ତମାଲଦ୍ରୁମୈର୍‌‌

ନକ୍ତଂ ଭୀରୁରୟଂ ତ୍ଵମେବ ତଦିମଂ ରାଧେଗୃହଂ ପ୍ରାପୟ × ×

 

ଇତ୍ୟାଦି । ମେଘାମର୍ଦ୍ଦଳ ଧ୍ଵନିତ ହେଲା, ଧା-ଧିନ୍‌-ଧା-ତେଟେ ଧା ଗୀତର ତାଳେତାଳେ ଲୀଳାୟିତ ହେଉଛି ଲଳନାଙ୍କ ଅଂଗଭଙ୍ଗୀ । ତାଙ୍କ ରମଣୀୟ ଚରଣଚାରଣ ସହ ଗଦ୍‌ଗଦ୍‌ କଣ୍ଠରେ ଗାୟକଙ୍କର ଉଚ୍ଚାରଣ-

 

ଜୟ ଜଗଦୀଶହରେ × × × ଜୟ ଜୟ ଦେବ ହରେ × × ×

 

ଶ୍ରୀକ୍ଷେତ୍ର ଜନତାଙ୍କର ଉଦ୍‌ଗ୍ରୀବ ଉତ୍ତମାଂଗ ଯାହାଙ୍କର ପ୍ରତୀକ୍ଷାରେ ଅନେକ ସଂଧ୍ୟା ଅତିବାହିତ କରିସାରିଥିଲା, ବହୁଦିନ ପରେ ପୁଣି ନାଟମଣ୍ଡପରେ ଆବିର୍ଭୂତ ହେଲେ ଗାୟକ ଓ ନର୍ତ୍ତକୀ । ଜୟଦେବ ଓ ପଦ୍ମାବତୀ ।

 

ଅନେକ ଦିନର ବ୍ୟବଧାନ ପରେ ଗାୟକ ଖଣ୍ଡିଏ ତାଳପତ୍ର ପୋଥି‌ ଫିଟାଉଛନ୍ତି । ଯାହା ଅଦ୍ଵିତୀୟ, ମାତ୍ର ଅସମ୍ପୂର୍ଣ୍ଣ ପ୍ରଣୟ କାବ୍ୟ । ଯାହାର ନାୟକ ନାରାୟଣ ଓ ନାୟିକା ଲକ୍ଷ୍ମୀ । ପରମାତ୍ମା ଓ ଆତ୍ମା ଅଥବା ଜୟଦେବ ଓ ପଦ୍ମାବତୀ । ମଙ୍ଗଳ ଗାନ ପରେ ନୃତ୍ୟାଙ୍ଗନା ଦେବପ୍ରଣାମ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ ଉଦ୍ୟତା, ଗାୟକ ସ୍ଵରାଳାପ ଶେଷକରି ପଦ ଆରମ୍ଭ କରିଛନ୍ତି, ଯାହାର ପ୍ରଥମ ଦୁଇପାଦ ତିନିଶତ ବର୍ଷ ପୂର୍ବବର୍ତ୍ତୀ ଅନର୍ଘ ରାଘବର ଲେଖକ ମୁରାରୀ କବି ଗଦ୍ୟରେ ଲେଖିଥିଲେ । ତାଙ୍କ କଳ୍ପିତ ଶୃଙ୍ଗାର ରସ ଲୀଳାର ଅର୍ଦ୍ଧୋନ୍ମୁକ୍ତ ଯବନିକା ସମ୍ପୂର୍ଣ୍ଣ ଅପସାରଣ କରିଦେଲେ କବିରାଜ ଜୟଦେବ । କେତେଜଣ ଗୁଣଗ୍ରାହୀ ମୁଗ୍ଧ ହେଲେ ତ କେତେକ ନିନ୍ଦୁକ ସମାଲୋଚନା କଲେ । ଏ ସମସ୍ତ ପ୍ରତିକ୍ରିୟାରେ ଅବିଚଳିତ ଉଭୟ ନର୍ତ୍ତକୀ ଓ ଗାୟକ ତଲ୍ଲୀନ । ଜୟଦେବ ଗାନ କଲେ-

 

ଲଳିତ ଲବଙ୍ଗ ଲତା ପରିଶୀଳନ କୋମଳମଳୟସମୀରେ

ମଧୁକର ନିକର କରଂବିତ କୋକିଳ କୂଜିତ କୁଂଜକୁଟୀରେ ।

 

ନିନ୍ଦୁକମାନେ ମଧ୍ୟ ସ୍ତବ୍‌ଧ ହୋଇଗଲେ । ନୃତ୍ୟମଣ୍ଡପର ଆଲୋକିତ ପୃଷ୍ଠଭୂମିର ଅନ୍ତରାଳରେ ବେଶାନ୍ତରଧାରଣ କରି ଜଣେ କନ୍ଦର୍ପ କାନ୍ତି ସୁପୁରୁଷ ଉପଭୋଗ କରୁଥିଲେ ସଙ୍ଗୀତ ଓ ନୃତ୍ୟର ଚମତ୍କାର ଯୁଗଳବନ୍ଦୀ । ଆନନ୍ଦର ଧାରା ତାଙ୍କର ମୁଖମଣ୍ଡଳକୁ ଆଭା ମଣ୍ଡିତ କରୁଥିଲା-। ସେ ହୋଇପାରନ୍ତି କାମାର୍ଣ୍ଣବ ଦେବ ଅଥବା ତାଙ୍କର ବୈମାତ୍ରେୟ ଭ୍ରାତା ରାଘବ । ନୃତ୍ୟଗୀତ ଶେଷରେ ଅନେକ ଆକାଂକ୍ଷା ଓ ବାସନା ନେଇ ବହିର୍ଗତ ହେଲେ ରାଜପୁରୁଷ । ଆଲୋଚକ ଏକ ସ୍ଵପ୍ନିଳ ପୃଷ୍ଠଭୂମିରେ ଇତିହାସର, ବିଗତ ଦିନର ସଜୀବ ସ୍ମୃତିଚାରଣ କରିଛନ୍ତି ନୃତ୍ୟଗୀତର ଅନ୍ୟ ଏକ ଆସରର ଦୃଶ୍ୟ ଚିତ୍ରଣ କରିଛନ୍ତି ଆଲୋଚକ । ଏହି ତୃତୀୟ ଆସରରେ ପଦ୍ମାବତୀଙ୍କ ବଦନରେ ବିଷର୍ଣ୍ଣତା, ନିରୁତ୍ସାହ, ବିଷମତାଳ ଅଙ୍ଗଭଙ୍ଗୀ, କିନ୍ତୁ ନୃତ୍ୟର ତାଳେ ତାଳେ ଯେତେବେଳେ ଜୟଦେବ ଗାନ କଲେ-

 

କଂସାରରପି ସଂସାର ବାସନାବଦ୍ଧ ଶୃଂଖଳାମ୍‌

ରାଧାମାଧାୟ ହୃଦୟେ ତ୍ୟୋଜ ବ୍ରଜସୁନ୍ଦରଃ।

 

ପଦ୍ମାବତୀଙ୍କ ପ୍ରସନ୍ନତାର ଗୋଟିଏ ପାଖୁଡ଼ା ଖୋଲିଗଲା ଏବଂ ଯେତେବେଳେ ଜୟଦେବ ସପ୍ତମପଦ ଗାନ କଲେ-

 

କ୍ଷମ୍ୟତା ମପରଂ କଦାପି ତବେଦୃଶଂ ନ କରୋମି

ଦେହି ସୁନ୍ଦରୀ । ଦର୍ଶନଂ ମମ ମନ୍ମଥେନ ଦୁନୋମି ।

 

ପଦ୍ମବତୀଙ୍କ ମୁଖମୁଦ୍ରା ସମ୍ପୂର୍ଣ୍ଣ ପ୍ରସନ୍ନ ଦେଖାଗଲା । ସେ ଆତ୍ମବିସ୍ମୃତା, ଭାବବିହ୍ୱଳା ଭାବରେ ନୃତ୍ୟ କରିବାକୁ ଲାଗିଲେ ।

 

ଏହି ଆସରରେ ଜୟଦେବ ଗାଇଥିଲେ-

 

ବର୍ଣ୍ଣିତଂ ଜୟଦେବ କେନ ହରେରିଦଂ ପ୍ରଣତେନ

କିଂଦୁବିଲ୍ୱ ସମୁଦ୍ର ସଂଭବ ରୋହିଣୀ ରମଣେନ ।

 

ଜୟଦେବ ଜଣାଇଦେଲେ ଯେ, ସେ କିନ୍ଦୁବିଲ୍ଵ ଅଧିବାସୀ । ନୃତ୍ୟ ଉପରାନ୍ତେ ପଣ୍ଡିତ ଗଣ ପରସ୍ପର ଆଲୋଚନା କଲେ, ଏ ବୈରାଗୀ କ’ଣ ବାଲିଅନ୍ତା କେଂଦୁଲିରେ ? ଅଶୀତିପର ବୃଦ୍ଧ ଜଣେ ଉତ୍ତର ଦେଲେ, ବିଲ୍ଵ ଅର୍ଥ ନଟ, ଶୌଳୁଷ । କବି ଲୀଳାଶୁକ ଏହିପରି ଅନେକ ଗୀତ କୃଷ୍ଣକର୍ଣ୍ଣାମୃତମ୍‌’ରେ ଲେଖିଛନ୍ତି ତାଙ୍କୁ ବିଲ୍ଵମଙ୍ଗଳ କୁହାଯାଏ । ଏହିପରି ଗୀତ ନୃତ୍ୟ ଉପଯୋଗୀ ଏଥି‌ରେ ମୁଦ୍ରା ପ୍ରଦର୍ଶନର ସୁଯୋଗ ଥାଏ । ଏଥି‌ପାଇଁ ରାଜକୋଷରୁ ଅର୍ଥ ବା ମୁଦ୍ରା ମଧ୍ୟ ମିଳେ । ଏଣୁ ଏସବୁ ବିଲ୍ଵମାନଙ୍କର ମଙ୍ଗଳ । ସେଥି‌ପାଇଁ ବିଲ୍ୱ, ସମୁଦ୍ର ଆଦି ପଦ ଯୋଡ଼ିଥିବେ !!

 

ଏହାପରେ ଆଲୋଚକ ଚତୁର୍ଥ ଆସରର ବର୍ଣ୍ଣନା କରିଛନ୍ତି । ଅନେକ ପାରମ୍ପରିକ ପଣ୍ଡିତଙ୍କ ଈର୍ଷା ଓ ଅସୂୟାରେ ପରିବେଶ ବିଷାକ୍ତ ହୋଇଉଠୁଛି । ଯଥାବିଧି ପୁଷ୍ପାଞ୍ଜଳି ଓ ମଙ୍ଗଳାଚରଣ ପରେ ଜୟଦେବ ଗାନ କରୁଛନ୍ତି-

 

ବଦସିଯଦି କିଞ୍ଚିଦପିଦନ୍ତରୁଚି କୌମୁଦୀ

ହରତି ଦରତିମିର ମତି ଘୋରମ୍‌ ।

 

ଆଜି ଗାନ ଅପେକ୍ଷା ଗୀତର ଭାବରେ ଗାୟକ ନିମଗ୍ନ । ଶ୍ରୋତା ମନ୍ତ୍ରମୁଗ୍ଧ, କିନ୍ତୁ ଯେତେବେଳେ ଜୟଦେବ ଗାଇଲେ-

 

ଜୟତି ପଦ୍ମାବତୀ ରମଣ ଜୟଦେବ କବି

      ଭାରତୀ ଭଣିତ ମତି ଶାତମ୍‌ ।

 

ପଣ୍ଡିତ ମଣ୍ଡଳୀ ଘୋର ବିରୋଧ, ଅପମାନିତ କଲେ ଉଭୟଙ୍କୁ । ସେହିଦିନଠାରୁ ବନ୍ଦ ରହିଲା ନୃତ୍ୟଗୀତର ଆସର । କାମାର୍ଣ୍ଣବ ଦେବ କିନ୍ତୁ ଭୁଲିପାରିଲେ ନାହିଁ ଗୀତଗୋବିନ୍ଦକୁ । ପ୍ରତିଦିନ ସେଥି‌ରୁ କିଛି ପାଠ ନକଲେ ସେ ଜଳସ୍ପର୍ଶ କରୁ ନଥିଲେ ।

 

ଏହାର ଅନେକ ବର୍ଷ ପରେ ଭୁବନେଶ୍ଵର କୀର୍ତ୍ତିବାସେଶ୍ଵର ମନ୍ଦିରରେ ଉପସ୍ଥିତ ହେଲେ ସାଧୁ ପ୍ରଧାନ ଜୟଦେବ । ସଙ୍ଗରେ ଶ୍ରୀକୂର୍ମର ଜଣେ ସମ୍ଭ୍ରାନ୍ତ କୋମି ନାୟକ ଓତ ଓ ତାଙ୍କର କନ୍ୟା ମେଡ଼ମା ଦେବୀ । କୀର୍ତ୍ତିବାସେଶ୍ଵର ମନ୍ଦିରରେ ଅଖଣ୍ଡ ପ୍ରଦୀପ ପ୍ରଜ୍ଵଳନ ନିମନ୍ତେ ଗ୍ରାମଦାନ କରିବାକୁ ଆସିଥିଲେ । କିମ୍ବଦନ୍ତୀ ଅନୁସାରେ, ପଦ୍ମାବଦୀ ଦକ୍ଷିଣର ପ୍ରଶିକ୍ଷିତା ନର୍ତ୍ତକୀ, ବିଦୁଷୀ ଥିଲେ । ଜୟଦେବ ପଦ୍ମାବତୀଙ୍କର ନାମ ଅନେକବାର କାବ୍ୟରେ ଉଚ୍ଚାରଣ କରିଥିଲେ, ଅଥଚ ବଙ୍ଗୀୟ, ଉତ୍କଳୀୟ ଅଥବା ଶ୍ରୀକ୍ଷେତ୍ରର କୌଣସି ରାଜାଙ୍କର ନାମ ଉଚ୍ଚାରଣ କରି ନଥିଲେ । ଆଲୋଚକ କହନ୍ତି, ଜୟଦେବଙ୍କର ସ୍ନାନଜନିତ ଅନୁପସ୍ଥିତି କାଳରେ ବିଦୁଷୀ ପତ୍ନୀ ପଦ୍ମାବତୀ ପତିଙ୍କର ଦ୍ୱିଧା ଲକ୍ଷ୍ୟ କରି ଲେଖିଦେଇଥାଇ ପାରନ୍ତି-

 

ଦେହ ପଦପଲ୍ଲବମୁଦାରମ୍‌ ।

 

ଆଲୋଚକ ଡଃ ପାଣିଗ୍ରାହୀ ଏହି ‘‘ମେଡ଼ମା ଦେବୀଟି ପଦମା ଦେବୀ ବା ପଦ୍ମାବତୀ ନୁହନ୍ତି ତ ?’’ ବୋଲି ଲେଖିଛନ୍ତି । ତାଙ୍କ ସହ ଅଖଣ୍ଡବର୍ତ୍ତିକା ଦାନ ନିମନ୍ତେ ଜୟଦେବ କାହିଁକି ଆସିଲେ ? ପୁନଶ୍ଚ ବିଲ୍ଵର ଅନ୍ୟ ଏକ ଅର୍ଥ ନଟ । ଚିନ୍ଦୁ ଏକ ପ୍ରକାର ନୃତ୍ୟ । ତାହା କିନ୍ଦୁର ଅପଭ୍ରଂଶ ନୁହେଁ ତ ? ଏହିପରି ଅନେକ ଯୁକ୍ତିନିଷ୍ଠ ଅସମାହିତ ପ୍ରଶ୍ନ ଲେଖକଙ୍କ ମନରେ । ମୂଳଗ୍ରନ୍ଥ ରଚିତ ହେବାର ଶହଶହ ବର୍ଷ ପରେ ଲେଖାଯାଇଥିବା ଟୀକାଗ୍ରନ୍ଥଗୁଡ଼ିକ ବେଦବାଣୀ ନୁହନ୍ତି । ତେଣୁ ସର୍ବାଂଗ ସୁନ୍ଦରୀ ଟୀକାକାର ନାରାୟଣ ଦାସଙ୍କ ମତ ଶେଷକଥା ବୋଲି କୁହାଯାଇ ପାରିବ ନାହିଁ । ଆଉ ପଦ୍ମାବତୀ ? ସେ ଲକ୍ଷ୍ମୀ, ଦେବଦାସୀ, ଜୟଦେବ ପ୍ରେୟସୀ ଅଥବା ନୈରାତ୍ମା, ସେକଥା କିଏ କହିପାରିବ ? ଜୟଦେବ ଉତ୍କଳ ରାଜାଙ୍କର ସଭାକବି ଥିଲେ ବୋଲି ଷୋଡଶ ଶତାବ୍ଦୀର ଗୋଟିଏ ଗ୍ରନ୍ଥକୁ ଆଧାର କରି ବିଶ୍ଵାସ କରାଯିବା ଉଚିତ ନୁହେଁ, କିନ୍ତୁ ସେ ଥିଲେ କବିରାଜ, କବି ଶ୍ରେଷ୍ଠ । କୌଣସି ଧନାଧିପ ବା ରାଜାଙ୍କ ନାମରେ ସେ ଗୀତଗୋବିନ୍ଦ ଭଣିତା କରି ନାହାନ୍ତି । ଏହା ମଧ୍ୟ ହୋଇପାରେ ଯେ, ପଦ୍ମାବତୀଙ୍କ ସହ ସମ୍ପର୍କକୁ ନେଇ ସେ ରାଜସଭାଶ୍ରିତ ରକ୍ଷଣଶୀଳ ପଣ୍ଡିତମାନଙ୍କର ଚକ୍ଷୁଶୂଳ ହୋଇଥିବେ ।

 

ଗୀତଗୋବିନ୍ଦକାର ଜୟଦେବଙ୍କ ଜୀବିତାବସ୍ଥାରେ ଅଥବା ପରେ କୌଣସି ରାଜା ଅଥବା ରାଜାଙ୍କ ଆଶ୍ରୟରେ ଥିବା ପଣ୍ଡିତ ପ୍ରକ୍ଷେପ ସୃଷ୍ଟି କରିଛନ୍ତି ନିଶ୍ଚୟ । ଏହା ସହ ଜୟଦେବଙ୍କ ପ୍ରସଙ୍ଗରେ ସଂଯୁକ୍ତ ହୋଇଯାଇଛି ଅନେକ କିମ୍ବଦନ୍ତୀ । ଆଲୋଚକ ଏ ସମସ୍ତ ବିବେଚନାର ଉର୍ଦ୍ଧ୍ୱରେ କେବଳ ଗୀତଗୋବିନ୍ଦ ଗାଇଜାଣିବା, ଶୁଣି ଜାଣିବା ବୁଝିପାରିବା ଉପରେ ଅଧିକ ଗୁରୁତ୍ଵ ଦେବାକୁ ଚାହିଁଛନ୍ତି । (ଏହି ରଚନାଟି ‘ଖୁସ୍‌ରୋ’ ଛଦ୍ମ ନାମରେ ହୀରାଖଣ୍ଡ ବସନ୍ତ ମିଳନ ସ୍ମରଣିକା-୧୯୮୪ ମସିହାରେ ପ୍ରକାଶିତ ହୋଇଥିଲା ।

 

ତୃତୀୟ ଭାଗ-(୧୯୮୪) ଜୟଦେବଙ୍କ ଜନ୍ମସ୍ଥାନ

ପ୍ରାଚ୍ୟ ବିଦ୍ୟା ଅନୁରାଗୀ ସାର୍‌ ଉଇଲିୟମ ଜୋନ୍‌ସ ‘ଏସିଆଟିକ ରିସର୍ଚ୍ଚସ୍‌’ ପତ୍ରିକାରେ ୧୭୮୪ ରୁ ୧୮୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗୀତଗୋବିନ୍ଦ ଓ ଜୟଦେବଙ୍କ ସମ୍ପର୍କରେ ପ୍ରଥମେ ଆଲୋଚନା କରିଥିଲେ । ଏହି ସମୟରେ ଯେଉଁ ବିଦ୍ଵାନମାନେ ଏସିଆଟିକ୍‌ ସୋସାଇଟି ସହ ସଂପୃକ୍ତ ଥିଲେ, ସେମାନେ ବଙ୍ଗଦେଶର କେନ୍ଦୁଲିକୁ ଜୟଦେବଙ୍କର ଜନ୍ମସ୍ଥାନ ବୋଲି ପ୍ରମାଣିତ କରିବାକୁ ଲାଗିଲେ । ବଙ୍ଗଦେଶର ବୀରଭୂମ୍‌ ଜିଲ୍ଲାର କେନ୍ଦୁଲିରେ ଜନ୍ମିତ ଜୟଦେବ ବଙ୍ଗର ଶେଷ ହିନ୍ଦୁରାଜା ଲକ୍ଷ୍ମଣ ସେନ୍‌ଙ୍କ ସଭାକବି ଥିବା ସେମାନେ ପ୍ରଚାର କରିଥି‌ଲେ । ସେହି ବକ୍ତବ୍ୟରେ ବିଶ୍ଵାସ ରଖି କୀଥ୍‌, ମେକ୍‌ଡୋନେଲ୍‌ ପ୍ରମୁଖ ଇଂରାଜୀ ବିଦ୍ଵାନ ସଂସ୍କୃତ ଗ୍ରନ୍ଥରାଜିର ଆଲୋଚନା କ୍ରମେ ଏହି ପ୍ରଚାରିତ ମିଥ୍ୟା ତତ୍ତ୍ଵକୁ ଗ୍ରହଣ କରି ନେଇଥି‌ଲେ । ଭାରତର ଇଂରାଜୀ ଶିକ୍ଷିତ ବିଦ୍ଵାନଗଣ ମଧ୍ୟ ଏହାର ଆଧାରରେ ଏ ମତକୁ ଗ୍ରହଣ କରିନେଲେ । ପରେ ଅବଶ୍ୟ ଓଡ଼ିଆ ଆଲୋଚକମାନଙ୍କର ପ୍ରତିବାଦ ଏହାକୁ ଏକ ବିବାଦୀୟ ପ୍ରସଙ୍ଗରେ ପରିଣତ କରିଦେଲା ।

 

ଜୟଦେବ ବଙ୍ଗଦେଶର କେନ୍ଦୁଲିଠାରେ ଜନ୍ମ ଗ୍ରହଣ କରିଥି‌ବା ମତର ଜଣେ ବଳିଷ୍ଠ ପ୍ରବକ୍ତା ଥିଲେ ହରେକୃଷ୍ଣ ମୁଖୋପାଧ୍ୟାୟ । ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏବଂ ସହକର୍ମୀ ଥି‌ଲେ ଡଃ ସୁନୀତିକୁମାର ଚାଟାର୍ଜୀ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଥିବା ସମୟରେ ଓଡ଼ିଶା ବ୍ୟତୀତ ଅନ୍ୟପ୍ରାନ୍ତୀୟ ସାହିତ୍ୟ ସ୍ରଷ୍ଟାଙ୍କ ସମ୍ପର୍କରେ ଏକ ଇଂରାଜୀ ଗ୍ରନ୍ଥମାଳା Makers of Indian Literature ଶୀର୍ଷକରେ ପ୍ରକାଶ କରିଥିଲେ । ଏଥି‌ରେ ଓଡ଼ିଶାର କୌଣସି କବି ବା ଲେଖକ ସ୍ଥାନିତ ହୋଇ ନଥିଲେ, କିନ୍ତୁ ଜୟଦେବ ବଙ୍ଗୀୟ ଲେଖକ ଭାବରେ ଆଲୋଚକଙ୍କ ଭାଷାରେ ଥିଲେ ‘କେନ୍ଦ୍ର କୁସୁମ’ । ଏହାର ଉତ୍ସର୍ଗ କରାଯାଇଥିଲା ହରେକୃଷ୍ଣ ମୁଖୋପାଧ୍ୟାୟଙ୍କର ତେୟାଅଶୀତମ ଜନ୍ମତିଥିରେ । ଡଃ ସୁନୀତି କୁମାର ଚାଟାର୍ଜୀ ତାଙ୍କୁ ବଙ୍ଗର ରାଜା ଲକ୍ଷ୍ମଣ ସେନ୍‌ ‘କବିରାଜ’ ଉପାଧି ଦେଇଥିବା ଲେଖିଛନ୍ତି । ନୀଳମାଧବ ପାଣିଗ୍ରାହୀ ଏହି ମତ ଖଣ୍ଡନ କରି କହିଛନ୍ତି ଯେ, ଲକ୍ଷ୍ମଣ ସେନ ଧୋୟୀ କବିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ରାଜାଙ୍କଠାରୁ ଧୋୟୀ କବି ଅନେକ ପୁରସ୍କାର ପ୍ରାପ୍ତ ହୋଇ ନିଜକୁ କବିକ୍ଷ୍ମାଭୃତାଂ ଚକ୍ରବର୍ତ୍ତୀ ବୋଲି ଉଲ୍ଲେଖ କରିଥିଲେ । ଯେହେତୁ ଗୋଟିଏ ରାଜସଭାରେ ଦୁଇଜଣ କବିରାଜ ରହିନଥାନ୍ତି, ତେଣୁ ଲକ୍ଷ୍ମଣ ସେନଙ୍କ ରାଜସଭାରେ ନିଶ୍ଚୟ ନଥିବେ ବୋଲି ଆଲୋଚକ ଡଃ ପାଣିଗ୍ରାହୀ ସମ୍ଭାବନା କରିଛନ୍ତି । ଏହା ବ୍ୟତୀତ ୧୮୦୧ ମସିହାରେ ବନମାଳୀ ଦାସ ନାମକ ଜଣେ ଲେଖକ ବଙ୍ଗ ଭାଷାରେ ଜୟଦେବ ଚରିତ ଲେଖିଥିଲ । ୧୬୫୦ ରୁ ୧୭୫୦ ମସିହା ମଧ୍ୟରେ ମିଥିଳାର ଚନ୍ଦ୍ରଦତ୍ତ ସଂସ୍କୃତ ଭାଷାରେ ଲେଖିଥିବା ‘ଭକ୍ତମାଳା’ ଗ୍ରନ୍ଥର ତିନୋଟି ସର୍ଗର ବୃତ୍ତାନ୍ତକୁ ସାମାନ୍ୟ ପରିବର୍ତ୍ତନ କରାଯାଇ ଏହି ଗ୍ରନ୍ଥ ଲେଖାଯାଇଛି । ସଂସ୍କୃତ ‘ଭକ୍ତମାଳା’ ରେ ଅଛି-

 

ଜଗନ୍ନାଥ ପୁରୀ ପ୍ରାନ୍ତେ ଦେଶେ ଚୈବୋତ୍କଳା ଭିଧେ ।

କିନ୍ଦୁବିଲ୍ଵ ଇତି ଖ୍ୟାତୋ ଗ୍ରାମୋ ବ୍ରାହ୍ମଣ ଶଙ୍କୁଳ x x x ଆଦି

 

ଏହି ଗ୍ରନ୍ଥରେ ଦେବଶର୍ମା ନାମକ ବ୍ରାହ୍ମଣ ଦେବ ଅର୍ଚ୍ଚନା କରି କନ୍ୟାସନ୍ତାନ ପ୍ରାପ୍ତ ହୋଇଥିଲେ ଏବଂ ବୟଃପ୍ରାପ୍ତ ହେବା ପରେ ତାହାକୁ ଜଗନ୍ନାଥଙ୍କଠାରେ ଅର୍ପଣ କରିଥିଲେ ବୋଲି ଉଲ୍ଲେଖ ଅଛି । ପରେ ଜଗନ୍ନାଥଙ୍କର ସ୍ଵପ୍ନାଦେଶ ପାଇ ସେ ପର୍ଣ୍ଣକୁଟୀରବାସୀ ଜୟଦେବଙ୍କୁ ସ୍ଵକନ୍ୟା ସମର୍ପଣ କରିଥି‌ଲେ । ବଙ୍ଗଳା ‘ଜୟଦେବଚରିତ’ରେ ଅନ୍ୟକଥା ଅଛି- ଚଞ୍ଚଳା ଲକ୍ଷ୍ମୀ ଓ ମୁଖରା ବାଗ୍‌ଦେବୀଙ୍କୁ ନେଇ ପୁରୀଧାମରେ ଜଗନ୍ନାଥ ଏତେ ବ୍ୟତିବ୍ୟସ୍ତ ଥିଲେ ଯେ ଦେବଶର୍ମାଙ୍କୁ କନ୍ୟାଟି ଅନ୍ୟ ସ୍ଥାନକୁ ନେଇଯିବା ପାଇଁ କହିଲେ-‘‘ଦେବଶର୍ମା ମୋ ଶାୟ ! ଉର୍ବର ମସ୍ତିଷ୍କ ସନ୍ତାନ ପ୍ରସବିନୀ ବଙ୍ଗଭୂମିର ଅଜୟ ନଦୀତଟରେ ମୋର ଏକ ଧାମ ଅଛି । ପୁନରୁତ୍‌ଥାନ ପାଇଁ ମୋର ଅଂଶ ରୂପେ ବ୍ରାହ୍ମଣ ବଂଶରେ ଜନ୍ମ ନେଇଛନ୍ତି କବିକୂଳ ତିଳକ ଜୟଦେବ । ତୁମ କନ୍ୟାରତ୍ନକୁ ନେଇ ତାଙ୍କର କଣ୍ଠରେ ପିନ୍ଧାଇଦିଅ । (ଗୀତଗୋବିନ୍ଦ ଓ ଜୟଦେବ-ପୃ.୫୫)

 

ଏହି ବୃତ୍ତାନ୍ତ ବର୍ଣ୍ଣିତ ଏ ‘ଜୟଦେବ ଚରିତ’ ପୁସ୍ତକର ଅବତାରଣା କରି ଡଃ ସୁନୀତି କୁମାର ଚାଟାର୍ଜୀ ଲେଖିଥିଲେ-There is no point in insisting upon Jaxadeva’s provenance, merely on the basis of the strong tradition which in current Bengal that Jayadeva belongs to the village Kenduli in Birbhum. ଏହି ତଥ୍ୟ ଉପରେ ଗୁରୁତ୍ୱଦେବା ଫଳପଦ ନୁହେଁ ବୋଲି ହଠାତ୍‌ କାହିଁକି ଡଃ ଚାଟାର୍ଜୀ ଲେଖିଲେ ବୋଲି ଆଲୋଚକ ପ୍ରଶ୍ନ କରିଛନ୍ତି । ଏହାପରେ ସେ ଶ୍ରୀଧର ଦାସଙ୍କର ସଦୁକ୍ତିକର୍ଣ୍ଣାମୃତର ଆଧାରରେ ଜୟଦେବଙ୍କୁ ଲକ୍ଷ୍ମଣ ସେନ୍‌ଙ୍କର ସଭାକବି କହିଥି‌ଲେ । ଆଲୋଚକ ଶ୍ରୀଯୁକ୍ତ ପାଣିଗ୍ରାହୀ ବିସ୍ତୃତ ଆଲୋଚନା କରି ଦର୍ଶାଇଛନ୍ତି ଯେ, କିପରି ସଦୁକ୍ତିକର୍ଣ୍ଣାମୃତ’ର ୨୪୦୦ଟି ସଂସ୍କୃତ ପଦ୍ୟରୁ ୫୦୦ଟିର ଲେଖକଙ୍କର ନାମ ନାହିଁ । ଏଥିରେ ଜୟଦେବଙ୍କ ନାମରେ ୩୦ ବା ୩୧ଟି ପଦ୍ୟ ଅଛି । ସେଥିରୁ ୨ଟି ମାତ୍ର ଗୀତଗୋବିନ୍ଦର । ତେଣୁ ଅନ୍ୟ କୌଣସି ଜୟଦେବ (ଯେପରି ପ୍ରସନ୍ନ ରାଘବର ଲେଖକ)ଙ୍କର କବିତା ଏହି ଗ୍ରନ୍ଥରେ ଥାଇପାରେ । ସେହିପରି ଆଚାର୍ଯ୍ୟ ଗୋବର୍ଦ୍ଧନଙ୍କ ନାମରେ ଏଥି‌ରେ ଯେଉଁ ଛଅଟି ପଦ୍ୟ ଅଛି, ତ।ହ। ଗୋବର୍ଦ୍ଧନଙ୍କର ‘ଆର୍ଯ୍ୟାସପ୍ତସତୀ’ରେ ନାହିଁ, କିନ୍ତୁ ‘ଆର୍ଯ୍ୟାସପ୍ତଶତୀ’ର ଗୋଟିଏ ବି ପଦ୍ୟ ଏଥି‌ରେ ନାହିଁ । ଆଲୋଚକଙ୍କ ମତରେ, ସଂସ୍କୃତ ପରି ପ୍ରାଚୀନ ସାହିତ୍ୟରେ କୃତି ବିଦ୍ୟମାନ ଥିଲେ ସୁଦ୍ଧା କବିଙ୍କର ବିବରଣୀ କାଳଦ୍ଵାରା କବଳିତ ହୋଇଥାଇପାରେ । ତେଣୁ ସଙ୍କଳକ ଭ୍ରମର ବଶବର୍ତ୍ତୀ ହେବା ସ୍ଵାଭାବିକ । ଜୟଦେବଙ୍କ ନାମରେ ‘ସଦୁକ୍ତି କର୍ଣ୍ଣାମୃତ’ରେ ଯେଉଁ ୩୦ ବା ୩୧ଟି ପଦ୍ୟ ରହିଛି, ସେଗୁଡ଼ିକ ସବୁ ଗୀତଗୋବିନ୍ଦ କାରଙ୍କର ନୁହେଁ । ତାଙ୍କ ସମୟରେ ପ୍ରସନ୍ନ ରାଘବନାଟକର ଲେଖକ ଜଣେ ଜୟଦେବ ମଧ୍ୟ ଥିଲେ । ଅନ୍ୟ କେହି ଜୟଦେବ ମଧ୍ୟ ପଦ୍ୟ ଲେଖିଥାଇ ପାରନ୍ତି ।

 

ପଦ୍ୟର ବର୍ଣ୍ଣନା ଆଧାରରେ ତିନୋଟି ଦୃଷ୍ଟାନ୍ତ ଦର୍ଶାଇ ସେ କଳ୍‌କୀ ଅବତାରର ଉଲ୍ଲେଖ କରିଛନ୍ତି ପ୍ରଥମଟି ଗୀତଗୋବିନ୍ଦର, କିନ୍ତୁ ଦ୍ଵିତୀୟ ଓ ତୃତୀୟ ନୁହେଁ । ସେହିପରି ସଦୁକ୍ତି କର୍ଣ୍ଣାମୃତର ଅନ୍ୟଏକ ପଦ୍ୟରେ ଶିବଙ୍କୁ ପଞ୍ଚଭୂତେଶ୍ଵର ଓ ବିଶ୍ଵବିସ୍ତାରକାରୀ ବୋଲି କୁହାଯାଇଛି । ପରମ ବୈଷ୍ଣବ ଜୟଦେବ ଶିବ ଉପାସକ ନଥି‌ଲେ ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି । ଜୟଦେବଙ୍କ ଶୈଳୀରେ ରଚିତ ପଦ୍ୟ ଉମାପତିଧର ବା ଅନ୍ୟକବି ହୁଏତ ଲେଖିଥାଇପାରନ୍ତି ବୋଲି ଅନ୍ୟ ଏକ ଦୃଷ୍ଟାନ୍ତ ଦେଇ ଲେଖିଛନ୍ତି ଗୀତଗୋବିନ୍ଦର ପାଞ୍ଚୋଟି ପଦ୍ୟ ବ୍ୟତୀତ ଅନ୍ୟ ୨୫ ବା ୨୬ଟିରେ ରାଜା, ଯୁଦ୍ଧ, ଦିଗ୍‌ବିଜୟ ଆଦି ବୀର, ରୌଦ୍ର, ଭୟାନକ ରସାତ୍ମକ ବର୍ଣ୍ଣନା ଅଛି, ଯାହା ଶୃଙ୍ଗାର ରସାତ୍ମକ କାବ୍ୟର ଲେଖକ ଜୟଦେବଙ୍କ ପ୍ରକୃତି ବିରୁଦ୍ଧ । ଡଃ ସୁନୀତି କୁମାର ଚାଟାର୍ଜୀ ଏ ସମ୍ପର୍କରେ ସମ୍ଭାବନା କରିଛନ୍ତି ଯେ, ଜୟଦେବ ଅନ୍ୟ ଏକ କୃଷ୍ଣକାବ୍ୟ ରଚନା କରିଥିଲେ ତଥା ଲକ୍ଷ୍ମଣ ସେନ୍‌ଙ୍କର ବୀରତ୍ଵ ବର୍ଣ୍ଣନା କରି ରାଜାନୁଗ୍ରହ ପ୍ରତ୍ୟାଶୀ ମଧ୍ୟ ଥି‌ଲେ । ‘ସଦୁକ୍ତି କର୍ଣ୍ଣାମୃତ’ରେ ସନ୍ନିବିଷ୍ଟ ଏବଂ ଜୟଦେବଙ୍କ ନାମରେ ଥିବା ଏକ ପଦ୍ୟରେ ଗୌଡ଼ ଦେଶର ରାଜାଙ୍କର ପ୍ରଥମ ଦର୍ଶନରେ ଉଚ୍ଚ ପ୍ରଶଂସା କବି ଜଣେ କରିଛନ୍ତି, କିନ୍ତୁ ଏ କବି ଜୟଦେବ ନୁହନ୍ତି । କାରଣ ଲକ୍ଷ୍ମଣ ସେନ୍‌ ୧୧୮୪ ବା ୧୧୭୮ରେ ସିଂହାସନ ଆରୋହଣ କରିଥିଲେ । କିନ୍ତୁ ଜୟଦେବ ୧୧୬୨ ମସିହାରେ କୀର୍ତ୍ତିବାସେଶ୍ଵର ମନ୍ଦିର ଆଗମନ କାଳରେ ସାଧୁପ୍ରଧାନ ଭାବେ କଥିତ ହୋଇଥିବାରୁ ପ୍ରୌଢ଼ ହୋଇସାରିଥିବେ । ‘ଗୀତଗୋବିନ୍ଦ’ ପ୍ରାୟ ୧୧୫୦ ମସିହାରେ ରଚିତ ହୋଇଥିବ । ଯେଉଁ କବି ହରିଚରଣ ଶରଣ ଲେଖୁଥିଲେ, ସେ ଲକ୍ଷ୍ମଣସେନ୍‌ ଶରଣ କିପରି ଲେଖିବେ ? ଏପରି କୌଣସି କାବ୍ୟ ଆବିଷ୍କୃତ ହୋଇନାହିଁ ଲକ୍ଷ୍ମଣ ସେନ୍‌ ସଭାକବି ଧୋୟୀ କବିଙ୍କୁ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ ଚାମର, ହାତୀ ଆଦି ଦେଇଥିଲେ, ଜୟଦେବଙ୍କୁ କିଛି ଦେଲେ ନାହିଁ ? ଜୟଦେବ ‘ଲ’ ବର୍ଣ୍ଣବହୁଳ ଅନେକ ବର୍ଣ୍ଣନା ଗୀତଗୋବିନ୍ଦରେ କରିଛନ୍ତି । ଲକ୍ଷ୍ମଣ ସେନଙ୍କର ନାମ ମାତ୍ର ଲେଖିନାହାନ୍ତି । ଯଦି ଲକ୍ଷ୍ମଣ ସେନ୍‌ଙ୍କ ରାଜସଭାରେ ଜୟଦେବ ଥିଲେ, ତେବେ ଉମାପତି ଧରଙ୍କ ପରି କ୍ଷମତାଶାଳୀ ଅମାତ୍ୟ ଓ ଅନ୍ୟମାନଙ୍କର ନାମ ଉଲ୍ଲେଖ କରି ଦୋଷ ଦର୍ଶାଇଲେ, ଅଥଚ ସେମାନେ ପ୍ରତିବାଦ କରିନାହାନ୍ତି । ଏହିସବୁ ଯୁକ୍ତି ସହିତ ଆଲୋଚକ ଅନ୍ୟଏକ ଦୃଷ୍ଟାନ୍ତ ଦେଇଛନ୍ତି, ଯାହାକୁ ‘ଗ୍ରୀତଗୋବିନ୍ଦ’ର ପ୍ରଥମ ପଦ୍ୟ ବୋଲି ଧରାଯାଇପାରେ । ଏହା ଲକ୍ଷ୍ମଣସେନ୍‌ଙ୍କ ପୁତ୍ର କେଶବ ସେନଙ୍କ ରଚନା ବୋଲି କୁହାଯାଏ । ଅନ୍ୟଏକ ପଦ୍ୟର ଲେଖକ ଥିଲେ ସ୍ଵୟଂ ଲକ୍ଷ୍ମଣ ସେନ୍ । ଏ ଦୁଇଟିଯାକ ପଦ୍ୟ କବିଙ୍କ ‘ଗ୍ରୀତଗୋବିନ୍ଦ’ର । ମେଘୈମେଁଦୁର ମମ୍ବରଂ...ରାଧାମାଧବ ଯୋର୍ଜୟନ୍ତି ଯମୁନାକୂଳେ ରହକେଳୟଃ ଆଦିର ରୂପାନ୍ତର ମାତ୍ର । ଆହୁରି ମଧ୍ୟ ଆଲୋଚକ କହିଛନ୍ତି-ଯଦି ଜୟଦେବ ଲକ୍ଷ୍ମଣସେନଙ୍କର ସଭାକବି ହୋଇଥାନ୍ତେ, ତାଙ୍କ ରଚିତ ପଦ୍ୟଟି ବିକୃତ ଭାବେ ଉପସ୍ଥାପିତ ହୋଇ ନଥାନ୍ତା । ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ମତରେ, ଜୟଦେବ ଲକ୍ଷ୍ମଣ ସେନ୍‌ଙ୍କୁ ଦର୍ଶନ କରି ‘‘ଦୃଦ୍ଧଷ୍ଟୋସି ତୁଷ୍ଟାବୟଂ’’ କହି ନଥି‌ବେ, ବରଂ ଲକ୍ଷ୍ମଣ ସେନ ମୃତ୍ୟୁପରେ ସ୍ଵର୍ଗର ସୁଧର୍ମା ସଭାରେ ଜୟଦେବଙ୍କୁ ଦର୍ଶନ କରି ‘‘ଦୃଷ୍ଟୋଦ୍ଧସି ତୁଷ୍ଟାବୟମ୍‌’’ ବୋଲି କହିଥିବେ । ଡଃ ଚାଟାର୍ଜୀଙ୍କ ପରି କେତେକ ବିଦ୍ଵାନ ଅକାରଣରେ ତାଙ୍କୁ ବଙ୍ଗୀୟ ବୋଲି ପ୍ରତିପାଦନ କରିବାର ପ୍ରଚେଷ୍ଟା କରିଛନ୍ତି ବୋଲି ଆଲୋଚକ କହିଛନ୍ତି । ଯେଉଁ ପଦ୍ୟ ଭିତ୍ତିରେ ଜୟଦେବ ଉମାପତିଧର, ଶରଣ, ଗୋବର୍ଦ୍ଧନ ଓ ଧୋୟୀ କବିମାନଙ୍କର ଦୋଷ ଏବଂ ନିଜର ଉତ୍କର୍ଷ ଦର୍ଶାଇଛନ୍ତି ବୋଲି କୁହାଯାଏ, ତାହା ପ୍ରକ୍ଷିପ୍ତ ଏବଂ ଜନପ୍ରିୟ ଗୀତଗୋବିନ୍ଦର ପରବର୍ତ୍ତୀ ସମୟର ସୃଷ୍ଟି ବୋଲି ସେ କହିଛନ୍ତି । ଐତିହାସିକ କେଦାରନାଥ ମହାପାତ୍ରଙ୍କ ମତରେ-‘‘ଶ୍ରୀ ଗୀତଗୋବିନ୍ଦ ରଚନାର ଅଳ୍ପକାଳ ପରେ ଏବଂ ଖ୍ରୀ ୧୨୦୦ ପୂର୍ବରୁ ଏଥରେ ପ୍ରକ୍ଷିପ୍ତ ଶ୍ଳୋକ ସମୂହ ସନ୍ନିବିଷ୍ଟ ହୋଇଥିବା ଆପାତତଃ ସ୍ଥିର କରାଯାଇପାରେ ।’’ (ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ, ପୃ. ୩୫୨) ଶ୍ରୀଯୁକ୍ତ ପାଣିଗ୍ରାହୀ ଏହାକୁ ସମର୍ଥନ କରିଛନ୍ତି । କବି ଥିଲେ କୃଷ୍ଣ ଉପାସକ ବୈଷ୍ଣବ । ଅନ୍ୟର ନିନ୍ଦା ଓ ଆତ୍ମପ୍ରଶଂସା ବୈଷ୍ଣବ ଜନୋଚିତ ନୁହେଁ । ରାଧାମାଧବଙ୍କ ଲୀଳା ବର୍ଣ୍ଣିତ କାବ୍ୟରେ ଏପରି ଆତ୍ମପ୍ରୌଢ଼ି ଶୋଭନୀୟ ମଧ୍ୟ ନୁହେଁ । ତେଣୁ କବି ଜୟଦେବ ବଙ୍ଗଦେଶର ନଥିଲେ, କିମ୍ବା ସେ ଲକ୍ଷ୍ମଣ ସେନ୍‌ଙ୍କର ସଭା କବି ନଥି‌ଲେ । ଏ ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ଭିତ୍ତିହୀନ ବୋଲି ପ୍ରମାଣିତ କରିଛନ୍ତି । ଜୟଦେବଙ୍କର କବିତ୍ୱର ଲାଲିତ୍ୟ ଭାରତର ସମସ୍ତ ପ୍ରାନ୍ତୀୟ ପାଠକଙ୍କୁ ବିମୋହିତ କରିଥାଏ, କିନ୍ତୁ ଏଥି‌ନିମନ୍ତେ ତାଙ୍କୁ ଅଜୟ ନଦୀ ତୀରବର୍ତ୍ତୀ କେନ୍ଦୁଲିଠାରେ ଜନ୍ମିତ ବୋଲି କହିବାର କୌଣସି ଯଥାର୍ଥତା ନାହିଁ । ଡଃ ପାଣିଗ୍ରାହୀ ବିଭିନ୍ନ ଯୁକ୍ତି ଓ ପ୍ରମାଣ ଦର୍ଶାଇ ଜୟଦେବଙ୍କର ଉତ୍କଳୀୟତ୍ୱ ଏହି ପରିଚ୍ଛେଦରେ ପ୍ରତିପାଦନ କରିଛନ୍ତି ।

 

ଚତୁର୍ଥ ଭାଗ-କିମ୍ବଦନ୍ତୀ ଭିତ୍ତିକ ଜୀବନ ବୃତ୍ତାନ୍ତ

ଜୟଦେବ ବିଷୟକ ଆଲୋଚନାଗ୍ରନ୍ଥର ଚତୁର୍ଥଭାଗରେ ଶ୍ରୀଯୁକ୍ତ ପାଣିଗ୍ରାହୀ କବିଙ୍କ ସମ୍ବନ୍ଧରେ କେତେକ କିମ୍ବଦନ୍ତୀର ଅବତାରଣା କରିଛନ୍ତି । ଜୀବନବୃତ୍ତାନ୍ତ ଆରମ୍ଭ କରାଯାଇଛି ଜନ୍ମସ୍ଥାନ ନିରୂପଣରୁ । ‘ଗୀତଗୋବିନ୍ଦ’ର ତୃତୀୟ ସର୍ଗରେ ଥିବା ଗୀତର ଶେଷ ପଦରେ ଜୟଦେବ ଲେଖିଛନ୍ତି-

 

ବର୍ଣ୍ଣିତଂ ଜୟଦେବକେନ ହରେରିଦଂ ପ୍ରବଣେନ

କିଂଦୁବିଲ୍ଵ ସମୁଦ୍ର ସମ୍ଭବ ରୋହିଣୀ ରମଣେନ ।

 

କେନ୍ଦୁବିଲ୍ୱ ଗ୍ରାମରୂପକ ସମୁଦ୍ରରୁ ଜାତ ରୋହିଣୀରମଣ ବା ଚନ୍ଦ୍ର ବୋଲି ସେ ନିଜର ପରିଚୟ ଦେଇଛନ୍ତି । ସପ୍ତଦଶ ଅଥବା ଅଷ୍ଟ୍ରାଦଶ ଶତାବ୍ଦୀରେ ମିଥିଳାର ଚନ୍ଦ୍ରଦତ୍ତ ରଚନା କରିଥିବା ‘ଭକ୍ତମାଳା’ ଗ୍ରନ୍ଥରେ ମଧ୍ୟ ଜଗନ୍ନାଥ- ପୁରୀ ପ୍ରାନ୍ତେ ଉତ୍କଳ ଦେଶରେ କିନ୍ଦୁବିଲ୍ଵ ନାମକ ବ୍ରାହ୍ମଣ ସଂକୁଳ ଗ୍ରାମରେ ଜୟଦେବଙ୍କର ଜନ୍ମ ବୋଲି କୁହାଯାଇଛି । ଏଥିରେ ପ୍ରଦତ୍ତ ବର୍ଣ୍ଣନା ଅନୁସାରେ-ପତ୍ରକୁଡ଼ିଆରେ ବିଦ୍ୟାଭ୍ୟାସ କରୁଥିବା ଜୟଦେବଙ୍କ ନିକଟରେ ଦେବଶର୍ମା ନାମକ ବ୍ରାହ୍ମଣ ଜଗନ୍ନାଥଙ୍କ ଦ୍ୱାରା ସ୍ଵପ୍ନାବିଷ୍ଟ ହୋଇ ଉପସ୍ଥିତ ହେଲେ ଏବଂ ସ୍ଵକନ୍ୟା ପଦ୍ମାବତୀଙ୍କୁ ତାଙ୍କୁ ସମର୍ପଣ କରିଥିଲେ । ତୃତୀୟ କିମ୍ବଦନ୍ତୀ ଅନୁସାରେ କୌଣସି ଗୀତର ପାଦପୂରଣ ନିମନ୍ତେ ଇତଃସ୍ତତଃ ହେଉଥିବା ଜୟଦେବ ସ୍ନାନାର୍ଥେ ବହିର୍ଗତ ହେବା ସମୟରେ ସ୍ଵୟଂ କୃଷ୍ଣ ଜୟଦେବଙ୍କ ବେଶରେ ଆସି ପଦପୂରଣ କରିଦେଲେ-‘ଦେହି ପଦପଲ୍ଲବ ମୁଦାରମ୍‌’ । ଜୟଦେବଙ୍କୁ ସ୍ଵପ୍ନରେ ଏହା ଜଗନ୍ନାଥ ଜଣାଇଲେ । ରଚନା ଶେଷହେବା ପରେ କବି ଏହା ପୁରୁଷୋତ୍ତମରେ ଅର୍ପଣ କଲେ । ଚତୁର୍ଥ କିମ୍ବଦନ୍ତୀ ଅନୁସାରେ ରାଜା ଏକ ଅନ୍ୟ ଗୀତ ଗୋବିନ୍ଦ ଲେଖି ଶ୍ରୀମନ୍ଦିରରେ ବୋଲାଇବାକୁ ଇଚ୍ଛା କଲେ । ଜୟଦେବ ଏଥିରେ ସମ୍ମତ ହେଲେ ନାହିଁ । ଶେଷରେ ପରୀକ୍ଷା ନିମନ୍ତେ ଉଭୟ ଗୀତଗୋବିନ୍ଦକୁ ଜଗନ୍ନାଥଙ୍କ ସମ୍ମୁଖରେ ରଖି କବାଟ ବନ୍ଦ କରାଗଲା । ଦେଖାଗଲା ଯେ, ଜୟଦେବଙ୍କ ଗୀତଗୋବିନ୍ଦ ରାଜାଙ୍କ ଗୀତ ଗୋବିନ୍ଦର ଉପରେ ରହିଛି । ରାଜା ସେହିଦିନଠାରୁ ଜୟଦେବଙ୍କୁ ଭକ୍ତି କଲେ ଓ ଗୀତଗୋବିନ୍ଦ ପ୍ରସିଦ୍ଧ ହେଲା । ପଞ୍ଚମ କିମ୍ବଦନ୍ତୀ ଅନୁସାରେ, ଶରତର ଏକ ଜ୍ୟୋତ୍ସ୍ନାୟିତ ରାତ୍ରିରେ ପରିବା ବିକାଳୀ ନାରୀଟିଏ ଗୀତଗୋବିନ୍ଦ ଗାଇ ବାଡ଼ିର ବାଇଗଣ ତୋଳୁଥି‌ଲା । ଜଗନ୍ନାଥ ଗୀତଶୁଣି ଶୁଣି ଯାଉଥାନ୍ତି, ବସ୍ତ୍ରରେ କଣ୍ଟାଲାଗି ଛିନ୍ନ ଭିନ୍ନ ହୋଇଥାଏ । ପରଦିନ ରାଜା ଓ ପୂଜକ ବିସ୍ମିତ ହେଲେ ବସ୍ତ୍ର କିପରି କଣ୍ଟାଲାଗି ଛିଣ୍ଡିଯାଇଛି ? ଜଗନ୍ନାଥ ଉଭୟଙ୍କୁ ସ୍ଵପ୍ନରେ ସମସ୍ତ ବୃତ୍ତାନ୍ତ ଶୁଣାଇଲେ । ଷଷ୍ଠ କିମ୍ବଦନ୍ତୀ ଅନୁସାରେ, ଦିନେ ପଦ୍ମାବତୀ ରାଣୀଙ୍କ ନିକଟକୁ ଆସିଥାନ୍ତି । ରାଜାଙ୍କର ଭାଇଜଣେ ମରିଯାଇଥାନ୍ତି ଏବଂ ତାଙ୍କର ରାଣୀ ସତୀ ହେବାକୁ ପ୍ରସ୍ତୁତ ହେଉଥାନ୍ତି । ରାଣୀ ପଦ୍ମାବତୀଙ୍କୁ ସତୀଦର୍ଶନ କରିବାକୁ କହିବାରୁ ପଦ୍ମାବତୀ କହିଲେ-ସ୍ଵାମୀର ମୃତ୍ୟୁ ସଂବାଦ ଶ୍ରବଣ ମାତ୍ରେ ଯେ ମୃତ୍ୟୁବରଣ କରେ, ସେ ହିଁ ସତ୍ୟରାଣୀ ଏହା ପରୀକ୍ଷା କରିବାକୁ ଚାହିଁଲେ । ଦିନେ ରାଣୀ ମିଥ୍ୟାରେ ପଦ୍ମାବତୀଙ୍କୁ ସମ୍ବାଦ ଦେଲେ ଯେ, ଜୟଦେବଙ୍କର ମୃତ୍ୟୁ ହୋଇଯାଇଛି । ପଦ୍ମାବତୀ ଶ୍ରବଣ ମାତ୍ରେ ଟଳି ପଡ଼ିଲେ । ଅନୁତପ୍ତା ରାଣୀଙ୍କଠାରୁ ସମସ୍ତ ସମ୍ବାଦଶୁଣି ରାଜା ତାଙ୍କୁ ଦଣ୍ଡବିଧାନ କରିବାକୁ ଚାହିଁଲେ । ଜୟଦେବ ବାରଣ କରି ବାଦ୍ୟଯନ୍ତ୍ର ସହ ଗାନ କରିବାକୁ ଲାଗିଲେ-‘‘ପ୍ରିୟେ ଚାରୁଶୀତଳ × × ×’’ ଇତ୍ୟାଦି । ପଦ୍ମାବତୀ ପୁନର୍ଜୀବନ ଲାଭ କଲେ । ସପ୍ତମ କିମ୍ବଦନ୍ତୀ ଦସ୍ୟୁ ଓ ଜୟଦେବଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇ ଜୟଦେବଙ୍କର ଉଦାରତା ଓ ଅଲୌକିକ ଅନୁଭୂତି ବର୍ଣ୍ଣନା କରାଯାଇଛି । ଅଷ୍ଟମ କିମ୍ବଦନ୍ତୀ ଅନୁସାରେ, ଜରାଗ୍ରସ୍ତ ଜୟଦେବ ସ୍ଵୟଂ ଗଙ୍ଗାସ୍ନାନ ନିମନ୍ତେ ଯିବାକୁ ଅସମର୍ଥ ହେବାରୁ ଗଙ୍ଗା ସ୍ଵୟଂ ତାଙ୍କର ଗୃହ ସନ୍ନିକଟ ବାପୀରେ ରହିବାକୁ ଆସିଲେ ସେଠାରେ ସ୍ନାନମନ୍ତ୍ର ପଢି ଜୟଦେବ ଜଳରେ ପ୍ରବେଶ କଲେ । ବାପୀର ମାଟି ଗଙ୍ଗାବାଈ ପରି ଶୁଭ୍ରବର୍ଣ୍ଣ ଧାରଣ କଲା । ଜଳ ଶୁଭ୍ରବର୍ଣ୍ଣ ହେଲା ଏବଂ ଦେବୀ ସ୍ଵପ୍ନରେ ଦେଖାଇଥିବା ପଦ୍ମଫୁଲ ଫୁଟିଗଲା । ଏହି ସମସ୍ତ ବର୍ଣ୍ଣନା ଚନ୍ଦ୍ରଦତ୍ତଙ୍କର ‘ଭକ୍ତିମାଳା’ରେ ଅଛି । ଏହାକୁ ଆଲୋଚକ ଭାକ୍ତିକ ମିଥ୍ୟା ମାତ୍ର ବୋଲି କହିଛନ୍ତି ।

 

ଜୟଦେବଙ୍କ ଜନ୍ମର ଛଅଶହ ବର୍ଷ ପରେ ରଚିତ ଏ ଗ୍ରନ୍ଥରେ ଭାକ୍ତିକ ମିଥ୍ୟା ସତ୍ତ୍ୱେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ଯେ, କିନ୍ଦୁବିଲ୍ୱ ଗ୍ରାମ ଜଗନ୍ନାଥ ପୁରୀ ପ୍ରାନ୍ତେ ଅବସ୍ଥିତ । ୧୭୬୨ ମସିହାରେ ଭକ୍ତକବି ମହୀପତି ମହାରାଷ୍ଟ୍ରରେ ରଚନା କରିଥିବା ‘ଭକ୍ତବିଜୟ’ ଗ୍ରନ୍ଥରେ ମଧ୍ୟ ଜଗନ୍ନାଥ କ୍ଷେତ୍ର ନିକଟସ୍ଥ କିନ୍ଦୁବିଲ୍ଵ ଜୟଦେବଙ୍କର ଗ୍ରାମ ବୋଲି କୁହାଯାଇଛି । ଏହି ଗ୍ରନ୍ଥଗୁଡ଼ିକ ଲେଖା ହେବା ପରେ ବଙ୍ଗୀୟ ଜୟଦେବ ଚରିତ ରଚନା କରାଯାଇ ତାକୁ ବଙ୍ଗ-ଅଧିବାସୀ ବୋଲି କୁହାଗଲା । ଏହାର ପ୍ରତିସ୍ପର୍ଦ୍ଧାରେ ଓଡ଼ିଆ ଆଲୋଚକମାନେ ମଧ୍ୟ ବିଭିନ୍ନ ସପକ୍ଷ ଯୁକ୍ତି ଦର୍ଶାଇଲେ-। କେତେଜଣ ଆଲୋଚକ ଅନ୍ୟକଥା ମଧ୍ୟ କହିଛନ୍ତି । ଡଃ ସତ୍ୟନାରାୟଣ ରାଜଗୁରୁ ୧୯୬୮ ମସିହାରେ ଜୟଦେବ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରକାଶିତ ‘Souvenir on Sir Jayadeva’ ରେ ‘ଜୟଦେବଙ୍କ ଜନ୍ମସ୍ଥାନ ଅନୁସନ୍ଧାନ ପଶ୍ଚିମ ଓଡ଼ିଶାରେ ହେବା ଉଚିତ୍ ବୋଲି ଲେଖିଥି‌ଲେ । ହୁଏତ ସେ କେନ୍ଦୁଲିକୁ କବିଙ୍କର ଜନ୍ମସ୍ଥାନ ବୋଲି ସ୍ଵୀକାର କରୁ ନଥି‌ଲେ, କିନ୍ତୁ ଏହା ସ୍ପଷ୍ଟ କରି ନଥିଲେ । ଡଃ ହରେକୃଷ୍ଣ ମହତାବଙ୍କ ମତ ବଙ୍ଗୀୟ ସପକ୍ଷରେ ଯାଇପାରେ । ପଣ୍ଡିତ ନୀଳକଣ୍ଠ ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ରେ ଓଡ଼ିଶାର ସ୍ଵଧର୍ମ ଓ ସଂସ୍କୃତି ପକ୍ଷେ ଜୟଦେବଙ୍କ ଗୀତଗୋବିନ୍ଦ ବଙ୍ଗଦେଶୀୟ ବୈଷ୍ଣବଧର୍ମର ଆକ୍ରମଣାତ୍ମକ ଅସ୍ତ୍ରଟିଏ’’ ବୋଲି ସୂଚନା ଦେଇଛନ୍ତି । ସଚ୍ଚିଦାନନ୍ଦ ରାଉତରାୟ ତାଙ୍କୁ ‘ବଙ୍ଗସନ୍ତାନ’ ବୋଲି କହିଛନ୍ତି ।

 

ଜୟଦେବଙ୍କ ଜନ୍ମର ଅଢ଼େଇଶହ ବର୍ଷ ପର୍ଯ୍ୟନ୍ତ କବିଙ୍କ ଜନ୍ମସ୍ଥାନ ବିଷୟକ ସଚେତନତା ନଥିଲା । ଏପରିକି ତାଙ୍କ ଜନ୍ମର ଆଠଶହ ବର୍ଷ ମଧ୍ୟରେ ଏ ପ୍ରସଙ୍ଗରେ କୌଣସି ବିବାଦ ନଥିଲା । ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ଯେତେ ଆଲୋଚନା ହୋଇଛି, ସେସବୁ ପରିବର୍ତ୍ତେ ଲେଖକ ଐତିହାସିକ କେଦରନାଥ ମହାପାତ୍ରଙ୍କର ୧୯୭୩ ମସିହାରେ ପ୍ରକାଶିତ ସାଢ଼େ ତିନିଶହ ପୃଷ୍ଠାର ବହି ‘‘ଶ୍ରୀଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ’’ କୁ ନେଇଛନ୍ତି ସେ ପୁରୀଜିଲ୍ଲା ବାଲିଅନ୍ତାର ପ୍ରତାପରୁଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାଚୀ ନଦୀ ତୀରରେ ଅବସ୍ଥିତ କେନ୍ଦୁବିଲ୍ଵ, କିନ୍ଦୁବିଲ୍ୱ ବା କେନ୍ଦୁଲିକୁ ଜୟଦେବଙ୍କର ଜନ୍ମସ୍ଥାନ ବୋଲି ଚିହ୍ନିତ କରିଛନ୍ତି ।

 

ଐତିହାସିକ ମହାପାତ୍ରଙ୍କ ମତରେ-ପୂର୍ବେ ବିଭିନ୍ନ ଦେବତା, ରାଜା, ଫୁଲ, ଫଳ ଆଧାରରେ ମାନବ ବସତିର ନାମକରଣ ହେଉଥିଲା । କେନ୍ଦୁ ଓ ବିଲ୍ଵ ବୃକ୍ଷର ବହୁଳତା ହେତୁ ଏହାର ନାମ କେନ୍ଦୁବିଲ୍ୱ । ଆଲୋଚକଙ୍କ ମତରେ ଦୁଇଟି ବୃକ୍ଷର ନାମ ଏକତ୍ର ରହିବା ଅପ୍ରାସଙ୍ଗିକ ତଥା କେନ୍ଦୁ ଗୋଟିଏ ତଦ୍ଭବ ଓଡ଼ିଆ ଶବ୍ଦ ଏବଂ ବିଲ୍ଵ ତତ୍ସମ ଶବ୍ଦ । ସଂସ୍କୃତରେ କେନ୍ଦୁକୁ ତିନ୍ଦୁକ କୁହାଯାଏ । ପୁନଶ୍ଚ ଏହା ‘କେନ୍ଦୁବେଲ’ ଅଥବା ‘ତିନ୍ଦୁବିଲ୍ଵ’ ହେଲ। ନାହିଁ କାହିଁକି ? ଏହାର ଉତ୍ତର ସେ ଚକ୍ରଧର ମହାପାତ୍ରଙ୍କର ୧୯୮୦ ମସିହାରେ ପ୍ରକାଶିତ ‘ଶ୍ରୀ ଜୟଦେବ’ ପୁସ୍ତକରୁ ଉଦ୍ଧାର କରିଛନ୍ତି । ତାଙ୍କ ମତରେ, ୫୯୪ ଖ୍ରୀଷ୍ଟାବ୍ଦରେ ଯଯାତି ରକ୍ତବାହୁ ହେତୁ ପାତାଳୀ ହୋଇଥିବା ଜଗନ୍ନାଥଙ୍କୁ ଅନ୍ଵେଷଣ କରି ପ୍ରାଚୀ ଓ କୁଶଭଦ୍ରା ନଦୀର ଉପତ୍ୟକାରେ ପହଞ୍ଚି ଥିଲେ । ସେଠାରେ ଦୁଇଟି ପ୍ରାଚୀନ ଓ ବିଶାଳ କେନ୍ଦୁ ଏବଂ ବିଲ୍ଵବୃକ୍ଷର ଛାୟାରେ ବିଶ୍ରାମ ନେଲେ । ସେଠାକାର ଉନ୍ମୁକ୍ତ ସ୍ଥାନରେ ଏକ ଶିବଲିଙ୍ଗ ଦେଖି ତାହାକୁ ମୁକ୍ତେଶ୍ଵର ନାମ ଦେଇ ଏକ ସହସ୍ର ବ୍ରାହ୍ମଣଙ୍କ ବସତି ସ୍ଥାପନ କରି ପାଞ୍ଚସହସ୍ର ବାଟି ଜମି ଖଞ୍ଜା କରାଇଥି‌ଲେ । ଏହାକୁ ଏକ କପୋଳକଳ୍ପିତ ମିଥ୍ୟା ବୋଲି ଆଲୋଚକ ପାଣିଗ୍ରାହୀ ମତ ଦେଇଛନ୍ତି । କାରଣ ଏହା କେନ୍ଦୁବିଲ୍ଵ ନୁହେଁ, କିନ୍ଦୁବିଲ୍ଵ ଥିଲା । ୫୯୪ ମସିହାରେ ଓଡ଼ିଆ ଭାଷାରେ କେନ୍ଦୁ ଶବ୍ଦ ସୃଷ୍ଟି ହୋଇଥିଲା କି ନାହିଁ ଜଣା ନାହିଁ । ଶ୍ରୀ ଜୟଦେବ ପୁସ୍ତକର ବର୍ଣ୍ଣନା ଅନୁସାରେ, ଦଶଟି ବିଶାଳ ସାହିର ଉପର ମୁଣ୍ଡରେ ଥିଲେ ମୁକ୍ତେଶ୍ଵର ମହାଦେବ । ସେହି ମନ୍ଦିରରୁ ଦୃଷ୍ଟିପାତ କଲେ ଗ୍ରାମଟି ମନ୍ଦିର ପରି ଦେଖାଯାଏ । ଐତିହାସିକ ମହାପାତ୍ର ମଧ୍ୟ ଆଞ୍ଚଳିକ ମୋହର ବଶବର୍ତ୍ତୀ ହୋଇ ହୁଏତ କିନ୍ଦୁବିଲ୍ଵକୁ ଅନେକତ୍ର କେନ୍ଦୁବିଲ୍ୱ ଲେଖିଛନ୍ତି । ଜୟଦେବଙ୍କ ଜନ୍ମର ଦୁଇଶହ ବର୍ଷ ପରେ ନାରାୟଣ ଦାସଙ୍କର ‘ସର୍ବାଙ୍ଗ ସୁନ୍ଦରୀ’ ଟୀକାଗ୍ରନ୍ଥରେ ପ୍ରଥମେ କିନ୍ଦୁବିଲ୍ଵକୁ ଜୟଦେବଙ୍କର ଜନ୍ମସ୍ଥାନ ବୋଲି ଅର୍ଥ କରାଯାଇଥିଲା । କେଦାରନାଥ ମହାପାତ୍ର ଯେଉଁ ପଣ୍ଡିତମାନଙ୍କୁ ଅନୁସରଣ କରି ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁବିଲ୍ଵ ବୋଲି ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଥମେ ବାଣଭଟ୍ଟଙ୍କ ପ୍ରସଙ୍ଗ ଆସିଅଛି । ‘କାଦମ୍ବରୀ’ ଏବଂ ‘ହର୍ଷଚରିତ’ର ଲେଖକ ବାଣଭଟ୍ଟ ଥିଲେ ହର୍ଷବର୍ଦ୍ଧନଙ୍କ ସମସାମୟିକ । ତାଙ୍କ ରଚନାରେ ସେ ସମୟର ସକାଳ ଏବଂ ରାଜବ୍ୟାପାର ଏବଂ ନିଜ ଜୀବନ ଚିତ୍ର ଅଙ୍କିତ ହୋଇଛି, କିନ୍ତୁ ଜୟଦେବ ଥିଲେ ନବନିର୍ମିତ ବିରାଟ ପୁରୀ ମନ୍ଦିରର ଗାୟକ । ନର୍ତ୍ତକୀ ପଦ୍ମାବତୀ ଓ ବନ୍ଧୁ ପରାଶରଙ୍କ ସହ ନୃତ୍ୟଗୀତ ନିମଗ୍ନ । ବାଣଭଟ୍ଟ ତାଙ୍କର ‘ପାର୍ବତୀ ପରିଣୟ’ ଶୀର୍ଷକ ନାଟକରେ ବ୍ରହ୍ମାମୁଖ ନର୍ତ୍ତକୀ ବାଣୀଙ୍କୁ ନିଜ ରସନା-ନର୍ତ୍ତକୀରେ ପରିଣତ କରିଛନ୍ତି, କିନ୍ତୁ ଜୟଦେବ ଯେ ନିଜକୁ ସାଗରସମ୍ଭୂତ ଚନ୍ଦ୍ର ବୋଲି କହିଥି‌ବେ । ଏହା ଆଲୋଚକ ବିଶ୍ୱାସ କରିପାରି ନାହାନ୍ତି । କବି ଜୟଦେବ ଭବଭୂତିଙ୍କ ସହ ମଧ୍ୟ ତୁଳନୀୟ ନୁହନ୍ତି । କାରଣ ‘ଭବତଭୂତିଙ୍କର ବାଣୀର ଉତ୍ତାଳ ତରଂଗାୟିତ ଓ ଭୟଙ୍କର ଗତି ଏବଂ ଜୟଦେବଙ୍କର ‘ଅମୃତ ମଧୁର ମୃଦୁତର ବଚନ’’ର ଗତିରେ ସାମ୍ୟ ଅପେକ୍ଷା ବୈଷମ୍ୟ ଅଧିକ ବୋଲି ଆଲୋଚକ କହିଛନ୍ତି । ଭବଭୂତି ନିଜ ଜନ୍ମସ୍ଥାନର ସ୍ପଷ୍ଟ ଉଲ୍ଲେଖ-ଅସ୍ତି ଦକ୍ଷିଣାପଥେ ବିଦର୍ଭେଷୁ ପଦ୍ମପୁର ନାମ ନଗରମ୍‌ ଆଦି ମାଧ୍ୟମରେ କରିଥିଲେ, କିନ୍ତୁ ଜୟଦେବ ତାହା କରିନାହାନ୍ତି କିନ୍ଦୁବିଲ୍ୱର ଅବସ୍ଥିତି ଦର୍ଶାଇବା ନିମନ୍ତେ ସେ କୀର୍ତ୍ତିବାସେଶ୍ଵର ବା ଲିଙ୍ଗରାଜ ମନ୍ଦିରର ଉଲ୍ଲେଖ ଯଦ୍ୟପି ଶୈବକ୍ଷେତ୍ର ବୋଲି କରି ନଥିବେ, ତେବେ ପୁରୁଷୋତ୍ତମ କ୍ଷେତ୍ରର ଉଲ୍ଲେଖ ନିଶ୍ଚୟ କରିଥାନ୍ତେ । ଏଣୁ କିନ୍ଦୁବିଲ୍ଵ ସମୁଦ୍ର ସମ୍ଭବ ସ୍ଥାନବାଚକ ନୁହେଁ । ‘ସଗର୍ବରେ’ ସମୁଦ୍ର ସମ୍ଭବ ରୋହିଣୀରମଣ ବୋଲି ନିଜକୁ ଘୋଷିତ କରିନାହାନ୍ତି । ଯେଉଁ ନମ୍ର ସ୍ଵଭାବଯୁକ୍ତ ଜୟଦେବ ‘ପ୍ରବଣେନ ଜୟଦେବେ ନ’ ଲେଖିଛନ୍ତି, ତାଙ୍କର ଗର୍ବଭାବଜନିତ ଚିନ୍ତା କାବ୍ୟାପକର୍ଷକାରକ ହେବା ସାଧାରଣତଃ କବିମାନେ ପ୍ରାରମ୍ଭ ଅଥବା ପ୍ରାପ୍ତରେ ଆତ୍ମ ପରିଚୟ ଦେଇଥାନ୍ତି । ଜୟଦେବ ତୃତୀୟ ସର୍ଗରେ କାହିଁକି ଏହା ଦେଇଛନ୍ତି ? କାଳିଦାସଙ୍କ ପରି ନିଜର ପରିଚୟ ସମ୍ପର୍କରେ ସେ ଉଦାସୀନ ଥିଲେ । କାବ୍ୟର ଶେଷରେ କେବଳ କେତେକ ପୋଥିରେ ପିତାଙ୍କ ନାମ ଭୋଜଦେବ ମାତାଙ୍କ ନାମ ରାମାଦେବୀ (ପାଠାନ୍ତରେ ବାମାଦେବୀ, ରାଧାଦେବୀ) ଏବଂ ବନ୍ଧୁଙ୍କ ନାମ ପରାଶର ଲେଖିଛନ୍ତି । ଗୀତଗୋବିନ୍ଦ ଜୟଦେବଙ୍କର ଏକମାତ୍ର ଗ୍ରନ୍ଥ । ଏହା ସମ୍ପୂର୍ଣ୍ଣ ହେବା ପୂର୍ବରୁ ତୃତୀୟ ସର୍ଗରେ ସେ ଆତ୍ମପରିଚୟ ତେଣୁ ଦେଇ ନଥିବେ । ଗୀତଗୋବିନ୍ଦରେ ସନ୍ନିବିଷ୍ଟ ଚବିଶଟିଯାକ ଗୀତର ଶେଷରେ ଜୟଦେବଙ୍କର ନାମ ଅଛି । ଏହାର କାରଣ ଦର୍ଶାଇ ଆଲୋଚକ କହିଛନ୍ତି ଯେ, ତତ୍କାଳୀନ ରୀତି ଅନୁସାରେ ଗୀତର ଶେଷରେ ଆଭୋଗ ବା ଭଣତିରେ କବିଙ୍କର ନାମ ରହିବା କଥା । ଚତୁର୍ଦ୍ଦଶ ଶତାବ୍ଦୀର ‘ସାରଦୀପିକା’ ପରି ଟୀକାଗ୍ରନ୍ଥର ଲେଖକଙ୍କର ‘ସଙ୍ଗୀତ ସର୍ବସ୍ୱ’ ଆଧାରରେ ଓଡ଼ିଆ ଭାଷାରେ ରଚିତ ‘ଗୀତ ପ୍ରକାଶ’ରେ ଅଛି ଯେ-ଆଭୋଗରେ କବିନାମ ରହିଥାଏ । ବିଧି ରକ୍ଷା ପାଇଁ ଜୟଦେବ ଏହା କରିଥିବେ । ଏହା ବ୍ୟତୀତ ଗୀତଗୋବିନ୍ଦ ରଚନାର ପୂର୍ବବର୍ତ୍ତୀ କାଳରେ ଯେଉଁ ଚର୍ଯ୍ୟାଗୀତିକାଗୁଡ଼ିକର ରଚିତ ହୋଇଥିଲା, ତାହାର ରୀତି ଓ ଛନ୍ଦ କେତେକତ୍ର ଅନୁସରଣ କରିଛନ୍ତି-। ଏହି ଚର୍ଯ୍ୟାପଦଗୁଡ଼ିକରେ ରଚୟିତାଙ୍କର ନାମ ରହୁଥିଲା । ତେଣୁ ଚର୍ଯ୍ୟାଗୀତ ଅନୁକ୍ରମେ ଓ ସଙ୍ଗୀତ ଶାସ୍ତ୍ର ଅନୁମୋଦିତ ରୀତିରେ ସେ ଗୀତରେ ନିଜର ନାମ ଦେଇଥିଲେ, କିନ୍ତୁ ତୃତୀୟ ସର୍ଗରେ ଏପରି ଉଲ୍ଲେଖର ଆବଶ୍ୟକତା ନଥିଲା । ବିଶ୍ଳେଷଣ ପୂର୍ବକ ବିଚାର ନକରି କେବଳ ‘ସର୍ବାଙ୍ଗ ସୁନ୍ଦରୀ’ ଟୀକାଗ୍ରନ୍ଥର ମତକୁ ଗ୍ରହଣ କରିବା ଅନୁଚିତ୍ ବୋଲି ଆଲୋଚକ କହିଛନ୍ତି ।

 

ଗୀତଗୋବିନ୍ଦର କେତେକ ଆଭୋଗପଦରେ କବି ନିଜର ନାମ ସହ ଗୁଣ, ଚରିତ୍ର, ବ୍ୟକ୍ତିତ୍ଵ ଆଦି ଉଲ୍ଲେଖ କରିଛନ୍ତି । ସେହି କ୍ରମରେ ହୁଏତ ‘ପଦ୍ମାବତୀ’ଙ୍କର ଗୀତଗୋବିନ୍ଦ ମଧ୍ୟରେ ଉଲ୍ଲେଖପରି ଏକ ସ୍ଥାନରେ ‘ରୋହିଣୀରମଣ’ ଲେଖିଥିବା ଏକନାରୀ ସମ୍ପର୍କ ସୂଚିତ କରେ ବୋଲି କହିବା ଅସଙ୍ଗତ ହେବ ନାହିଁ ବୋଲି ସେ କହିଛନ୍ତି । ତାଙ୍କ ଭାଷାରେ-

 

ରୋହିଣୀ ଓ ପଦ୍ମାବତୀଙ୍କ ସହିତ ତାଙ୍କ ସମ୍ପର୍କ ହୋଇ ନଥିଲେ, ସେ ରୋହିଣୀ ରମଣ ହୋଇ ନଥିଲେ ଏବଂ ପଦ୍ମାବତୀ ରମଣ ହୋଇ ନଥିଲେ, ରାଧାରମଣ ଓ ରାଧାଙ୍କୁ ନାୟକ ନାୟିକା ରୂପେ ରଖି, ତାଙ୍କ ପ୍ରେମଜୀବନର ଘଟଣାମାନଙ୍କୁ ନେଇ ‘ଗୀତଗୋବିନ୍ଦ’ ପରି କମନୀୟ ଓ କୋମଳ ପଦାବଳୀମୟ କାବ୍ୟରଚନା କରିବା ଆଦୌ ସମ୍ଭବପର ହୋଇ ନଥାନ୍ତା କବି ଜୟଦେବଙ୍କ ପକ୍ଷେ ।

(ଗୀତଗୋବିନ୍ଦ ଓ ଜୟଦେବ-ପୃ. ୯୫)

 

ଜୟଦେବ ତାଙ୍କର ସମଧର୍ମା ଗାୟକ ଗାୟିକା, ବାଦକବାଦିକା, ନଟନଟୀମାନଙ୍କୁ ତାଙ୍କର କୃତି ଉତ୍ସର୍ଗ କରିଛନ୍ତି । ‘ଗୀତଗୋବିନ୍ଦ’ର ଶେଷଶ୍ଳୋକର ପରପାଦରେ ଅଛି- ‘‘ପରାଶରାଦି ପ୍ରିୟବର୍ଗ କଣ୍ଠେ ଶ୍ରୀଗୀତଗୋବିନ୍ଦ କବିତ୍ୱମସ୍ତୁ ।’’ ତେଣୁ ଆଲୋଚକ ବଙ୍ଗ-ଉତ୍କଳ କଳହର କେନ୍ଦ୍ର କେନ୍ଦୁଲି ପରିବର୍ତ୍ତେ ‘ଗୀତଗୋବିନ୍ଦ’କୁ କବିତ୍ଵ କଳାର କୋମଳ ନିଦର୍ଶନ ରୂପେ କେବଳ ଦେଖିବାକୁ କହିଛନ୍ତି ।

 

ପଞ୍ଚମ ଭାଗ-ପଦ୍ମାବତୀ, ରୋହିଣୀ ଓ କିଂଦୁବୁଲ୍ୱ

ଜୟଦେବଙ୍କ ଗୀତଗୋବିନ୍ଦର ଏକ ଟୀକାଗ୍ରନ୍ଥ ପ୍ରଥମେ ଲେଖିଥିଲେ ଚତୁର୍ଦ୍ଦଶ ଶତାବ୍ଦୀର ଗଙ୍ଗବଂଶୀୟ ରାଜା ତୃତୀୟ ନରସିଂହ ଦେବଙ୍କ ଆଶ୍ରୟରେ ରହିଥିବା ପଣ୍ଡିତ କବିରାଜ ନାରାୟଣ ଦାସ । ଜୟଦେବଙ୍କ ଜନ୍ମର ଅଢ଼େଇଶହ ବର୍ଷ ପରେ ରଚିତ ‘ସର୍ବାଙ୍ଗସୁନ୍ଦରୀ’ ନାମକ ଏହି ଟୀକାରେ ଜୟଦେବ କିନ୍ଦୁବିଲ୍ଵ ନାମକ ବ୍ରାହ୍ମଣଶାସନରେ ଜନ୍ମିତ ବୋଲି ଲେଖିଥି‌ଲେ । ‘କିନ୍ଦୁବିଲ୍ୱ ସମୁଦ୍ର ସମ୍ଭବ ରୋହିଣୀରମଣେନ’ର ଟୀକା କରିବାକୁ ଯାଇ-

 

କିନ୍ଦୁବିଲ୍ଵାଖ୍ୟଂ ଶାସନଂ। ତଚ୍ଚ ମହତ୍ତ୍ୱାତ୍‌ ସମୁଦ୍ରତେନ ରୂପିତମ୍‌ × × ×

 

ଆଦି ଲେଖିଥିଲେ । ପରେ ଅନ୍ୟ ଆଲୋଚକମାନେ ଏହାକୁ ଗ୍ରହଣ କରି ନେଇଥିଲେ । ଏ ସମ୍ପର୍କରେ ଆଲୋଚକ ଦର୍ଶାଇଛନ୍ତି ଯେ, ନାଭାଦାସଙ୍କ ହିନ୍ଦୀ ‘ଭକ୍ତମାଳା’ ଗ୍ରନ୍ଥରେ ଜୟଦେବଙ୍କ ଜନ୍ମସ୍ଥାନ ସମ୍ପର୍କରେ କିଛି ଉଲ୍ଲେଖ ନଥିଲେ ସୁଦ୍ଧା ଏହାର ଟୀକାଦାର ବିଦ୍ଵାନ ପ୍ରିୟାଦାସ ୧୭୧୨ ଖ୍ରୀଷ୍ଟାବ୍ଦରେ ଲେଖିଥି‌ଲେ-

 

କିନ୍ଦୁବିଲ୍ଵ ଗ୍ରାମ ତାମୈଭୟ କବିରାଜ ରାଜ × × ×

 

ଏହାର ପଚାଶ/ଷାଠିଏ ବର୍ଷ ଆଗେ କିମ୍ବା ପଛେ ସଂସ୍କୃତ ଭାଷାରେ ‘ଭକ୍ତମାଳା’ ଲେଖାଯାଇଥିଲା ଓ ତାହାର ବିଭିନ୍ନ ଅଲୌକିକ ବର୍ଣ୍ଣନା ଲୋକପ୍ରିୟ ହୋଇଥିଲା । ଆଲୋଚକ ଅନୁମାନ କରିଛନ୍ତି ଯେ, ସଂସ୍କୃତ ‘ଭକ୍ତମାଳା’ର ଲେଖକ ଚନ୍ଦ୍ରଦତ୍ତ ସମ୍ଭବତଃ ସର୍ବାଙ୍ଗସୁନ୍ଦରୀ’ ଟୀକା ପଢ଼ିଥି‌ବେ ଓ ଏହି କାରଣରୁ କିନ୍ଦୁବିଲ୍ୱ ଏକ ବ୍ରାହ୍ମଣଶଙ୍କୁଳ ଗ୍ରାମ ଏବଂ ଜୟଦେବଙ୍କର ଜନ୍ମସ୍ଥାନ ବୋଲି ଲେଖିଥିବେ । କ୍ରମଶଃ ଏହାକୁ ସମସ୍ତେ ଗ୍ରହଣ କରିନେଲେ ।

 

ଗୀତଗୋବିନ୍ଦର ଦ୍ୱିତୀୟ ଚତୁଷ୍ପଦୀ-

ବାଗ୍‌ଦେବତା ଚରିତ ଚିତ୍ରିତ ଚିତ୍ତସଦ୍ମା

 

ପଦ୍ମାବତୀ ଚରଣ ଚାରଣ ଚକ୍ରବର୍ତ୍ତୀ । ଏହାର ଅର୍ଥ କରିବାକୁ ଯାଇ ନାରାୟଣ ଦାସ ‘ପଦ୍ମାବତୀ’କୁ ଲକ୍ଷ୍ମୀଙ୍କ ଅର୍ଥରେ ଗ୍ରହଣ କରି କବିଙ୍କୁ ତାହାଙ୍କର ସେବକ ଶ୍ରେଷ୍ଠ ବୋଲି ଲେଖିଛନ୍ତି । ଅଧିକନ୍ତୁ ତାଙ୍କ ମତରେ-ଅବଶ୍ୟଂ କବିନା ଦାରିଦ୍ର୍ୟୋପଣମୟ ଯତନୀୟମ୍‌ ।’’ ଅର୍ଥାତ୍‌ କବି ଜଣେ ଧନଦାସ ମଧ୍ୟ ହୋଇଥାଇପାରନ୍ତି । ଆଲୋଚକ କହିଛନ୍ତି, ସମ୍ଭବତଃ ଜୟଦେବଙ୍କ ଗାନ୍ଧର୍ବକଳା ସମ୍ପର୍କରେ ତାଙ୍କର ଜ୍ଞାନ ନଥିଲା । ଅବଶ୍ୟ ଦଶମ ସର୍ଗର ଶେଷପଦର-‘ଜୟତି ପଦ୍ମାବତୀ ରମଣ ଜୟଦେବ କବି’କୁ ସେ ପଦ୍ମାବତୀ ଏକ ମାନବୀ ବୋଲି ଲେଖିଛନ୍ତି । ଏକାଦଶ ସର୍ଗର ଦ୍ଵିତୀୟ ଗୀତର-ବିହିତ ପଦ୍ମାବତୀ ସୁଖ ସମାଜେ ଆଦିର ଆଲୋଚନା କ୍ରମେ ସେ ଉଚିତ୍‌ ବିଶ୍ଳେଷଣ କରିଛନ୍ତି ।

 

ଆଲୋଚକ ଡଃ ପାଣିଗ୍ରାହୀଙ୍କ ମତରେ, ରୋହିଣୀରମଣ ଚନ୍ଦ୍ର ନୁହନ୍ତି । ରୋହିଣୀ କବିଙ୍କର ଅନ୍ୟତମା ପ୍ରେୟସୀ । ଡଃ ସୁନୀତିକୁମାର ଚାଟାର୍ଜୀ ‘ଜୟଦେବ’ ପୁସ୍ତକରେ ରୋହିଣୀ ପଦ୍ମାବତୀଙ୍କର ଅନ୍ୟନାମ ବୋଲି ଲେଖିଛନ୍ତି, କିନ୍ତୁ ଏହା କେଉଁ ସୂତ୍ରରୁ ସଂଗୃହୀତ କହି ନାହାନ୍ତି । ଏହା ସହ ସଂଶ୍ଳିଷ୍ଟ ସମୁଦ୍ର ଶବ୍ଦର ଅର୍ଥସଙ୍ଗତି ନିମନ୍ତେ ରୋହିଣୀଙ୍କୁ କବିଙ୍କର ଅନ୍ୟ ଏକ ପତ୍ନୀ ହୋଇଥାଇ ପାରନ୍ତି ବୋଲି ଡଃ ପାଣିଗ୍ରାହୀ ସମ୍ଭାବନା କରିଛନ୍ତି । ଗୀତଗୋବିନ୍ଦର ଗୋଟିଏ ହିନ୍ଦୀ ଅନୁବାଦରେ ତାଙ୍କର ଜୀବନ ଚରିତ ପ୍ରସଙ୍ଗରେ କୁହାଯାଇଛି ଯେ-ପ୍ରଥମାପତ୍ନୀଙ୍କ ମୃତ୍ୟୁପରେ ସେ ପୁରୁଷୋତ୍ତମରେ ବାସ କଲେ । ଦ୍ଵିତୀୟା ପତ୍ନୀ ପଦ୍ମାବତୀଙ୍କ ସହ ବିବାହ ପରେ ଗୀତଗୋବିନ୍ଦ ରଚନା କରିଥିଲେ ।

 

ଗୀତଗୋବିନ୍ଦର ତୃତୀୟ ସର୍ଗରେ କୃଷ୍ଣ ଯେତେବେଳେ ଅନୁତପ୍ତ, ବିଷର୍ଣ୍ଣ, ବିଧୁର, ସେତେବେଳେ ଜୟଦେବ ନିଜକୁ ସମୁଦ୍ର ପରି ମହାନ୍‌ କିନ୍ଦୁବିଲ୍ଵ ଶାସନରୁ ଜାତ ଚନ୍ଦ୍ର ବୋଲି କହିଥିବେ କିମ୍ବା ମୋର ପ୍ରଥମା ପ୍ରେୟସୀ ରୋହିଣୀଙ୍କ ଅବର୍ତ୍ତମାନରେ ଏହି ଦଶା ଭୋଗିଥିଲି ବୋଲି ଲେଖିଥିବେ ? ଏଥି‌ରୁ କେଉଁଟି ଅଧିକ ଯୁକ୍ତିସିଦ୍ଧ ବୋଲି ଆଲୋଚକ ପ୍ରଶ୍ନ କରିଛନ୍ତି । କୃଷ୍ଣଙ୍କ ବିଷାଦଗ୍ରସ୍ତ ବିରହଦଶା ବର୍ଣ୍ଣନା କାଳରେ ନିଜକୁ ଚନ୍ଦ୍ର ବୋଲି କବି ବର୍ଣ୍ଣନା କରିବା ଅପ୍ରାସଙ୍ଗିକ । ସେହିପରି କବିପତ୍ନୀ ପଦ୍ମାବତୀ ଥିଲେ ଜଣେ ନର୍ତ୍ତକୀ ଏବଂ ଜୟଦେବ ତାଙ୍କର ଚରଣ ଚାରଣ ଚକ୍ରବର୍ତ୍ତୀ ଥିଲେ । ଅନେକ ଟୀକାକାର ପଦ୍ମାବତୀଙ୍କୁ ଜୟଦେବଙ୍କ ପତ୍ନୀର ମାନ୍ୟତା ଦେଇଥିଲେ ସୁଦ୍ଧା ରୋହିଣୀଙ୍କ ସମ୍ପର୍କରେ ଏପରି ସମ୍ଭାବନା କରାଯାଇନାହିଁ । ଆଲୋଚକଙ୍କର ମତରେ-ଜୟଦେବ ଯେହେତୁ ତାଙ୍କର କୈଶୋର ଓ ଯୌବନ ଗାନ୍ଧର୍ବ କଳା ସାଧନ ମଧ୍ୟରେ ଅତିବାହିତ କରିଥିଲେ, ନଟନଟୀ ଗାୟକଙ୍କ ସଂସ୍ପର୍ଶରେ ଆସିଥିଲେ ପଦ୍ମାବତୀ ଥିଲେ ତାଙ୍କର ପ୍ରିୟଶିଷ୍ୟା ଲଳିତକଳା ବିଧୌ । ତେଣୁ ରୋହିଣୀଙ୍କୁ ଯଦି ସେହିପରି ଜଣେ ନଟ-କନ୍ୟା ବୋଲି ଜୟଦେବଙ୍କ ନିଜ ଭକ୍ତିରୁ ଯଦି ପ୍ରତିପାଦନ କରାଯାଇପାରନ୍ତା, ତେବେ ସତ୍ୟ ଉନ୍ମୋଚିତ ହୋଇପାରନ୍ତା ।

 

‘ଭକ୍ତମାଳା’ ଗ୍ରନ୍ଥରେ ଜୟଦେବଙ୍କୁ ଜଣେ କୃଷ୍ଣଭକ୍ତ ରୂପେ ଉପସ୍ଥାପିତ କରାଯାଇଛି । ତାଙ୍କର ଗାନ୍ଧର୍ବ କଳାଜନିତ ସମ୍ପର୍କ ଏଥିରେ ଆଦୌ ନାହିଁ । ଜୟଦେବଙ୍କ ସମୟ ପରେ ମୁସଲମାନ ଶାସନରେ ସମଗ୍ର ଦେଶ ଅଶାନ୍ତ ଥିବାବେଳେ ପାରମ୍ପରିକ ଗୀତନୃତ୍ୟର ପ୍ରବାହ ଇତଃସ୍ତତଃ ହୋଇଗଲା । ବିଭିନ୍ନ ପାରିଭାଷିକ ଶବ୍ଦ ଦୁର୍ବୋଧ୍ୟ, ଅପଭ୍ରଷ୍ଟ, ଅପ୍ରଚଳିତ ହୋଇଗଲା । ସେହିପରି ନିଟର ପ୍ରତିଶବ୍ଦ ବିଲ୍ଵ ବା ଶୈଳୁଷେର ଉଲ୍ଲେଖ ଆଲୋଚକ କରିଛନ୍ତି । ତାଙ୍କ ମତରେ-ଭାରତର ଜଣେ ଅନନ୍ୟ ଭକ୍ତ କବିଙ୍କର ନାମ ଥିଲା ବିଲ୍ଵମଙ୍ଗଳ, କିନ୍ତୁ ତାଙ୍କର ପ୍ରକୃତ ନାମ ଲୀଳାଶୁକ । ସେ ସଂସ୍କୃତ ଭାଷାରେ କୃଷ୍ଣକର୍ଣ୍ଣାମୃତ ବା କୃଷ୍ଣଲୀଳାମୃତ ଲେଖିଥିଲେ । ବିଲ୍ଵମଙ୍ଗଳଙ୍କ ରଚନାଗୁଡ଼ିକ ଲୋକଙ୍କର ମଙ୍ଗଳର କାରଣ ହୋଇଥିବାରୁ ତାଙ୍କର ନାମ ହେଲା ବିଲ୍ଵମଙ୍ଗଳ । ବିଲ୍ଵ ଶବ୍ଦର ଅର୍ଥ ନଟ । ଅମରକୋଷରେ-ବିଲ୍ୱେ ଶାଣ୍ଡିଲ୍ୟ ଶୈଳୁଷେ (୨-୮୫) ଅଛି । ଶୈଳୁଷେ ଅର୍ଥ-an actor dancer, a musician leader of a brand, the bilva tree ବୋଲି ଏକ ସଂସ୍କୃତ ଶବ୍ଦ କୋଷରେ କୁହାଯାଇଛି । ଜନଶ୍ରୁତି କ୍ରମେ ଆଲୋଚକ ଲେଖିଛନ୍ତି ବିଲ୍ଵମଙ୍ଗଳ ହିଁ ପରବର୍ତ୍ତୀ ଜନ୍ମରେ ଜୟଦେବ । ବିଲ୍ଵମଙ୍ଗଳଙ୍କର କୃଷ୍ଣକର୍ଣ୍ଣାମୃତ ଓ ଜୟଦେବଙ୍କର ଗୀତଗୋବିନ୍ଦକୁ ତୁଳନା କଲେ ଏଥିରେ କୃଷ୍ଣକର୍ଣ୍ଣାମୃତର ଆଦର୍ଶ କେତେକାଂଶରେ ପରିଲକ୍ଷିତ ହୁଏ ବୋଲି ଆଲୋଚକ ଲେଖିଛନ୍ତି ।

 

ବିଲ୍ଵ ଅର୍ଥ ନଟ ଏବଂ ସମୁଦ୍ର ଜଣେ ବ୍ୟକ୍ତିଙ୍କର ନାମ ରୂପେ ଗ୍ରହଣ କଲେ ରୋହିଣୀ ଜଣେ ନଟ ସମୁଦ୍ରଙ୍କ କନ୍ୟା ବୋଲି ଅର୍ଥ କରାଯାଇପାରିବ । ସମୁଦ୍ର ବିରଳ ହେଲେ ମଧ୍ୟ ଏକ ନିଷିଦ୍ଧ ନାମ ନୁହେଁ । ପ୍ରୟାଗ ସ୍ତମ୍ଭଲେଖର ଗୁପ୍ତବଂଶୀୟ ରାଜା ଥିଲେ ସମୁଦ୍ରଗୁପ୍ତ । ସେ ଗାନ୍ଧର୍ବକଳା ପ୍ରବୀଣ ଥି‌ଲେ । ତେଣୁ ରୋହିଣୀଙ୍କୁ ସମୁଦ୍ର ନାମକ ନଟଙ୍କ କନ୍ୟା ଏବଂ ଜୟଦେବଙ୍କ ପତ୍ନୀ ବୋଲି ଡଃ ପାଣିଗ୍ରାହୀ ସମ୍ଭାବନା କରିଛନ୍ତି । ତାଙ୍କ ମତରେ କିନ୍ଦୁ ଗୀତନୃତ୍ୟରେ କୁଶଳ ବିଲ୍ଵ ବା ନଟ କିନ୍ଦୁବିଲ୍ଵ ପଦବାଚ୍ୟ । ରୋହିଣୀଙ୍କ ପିତା ସମୁଦ୍ର କିନ୍ଦୁ ଗୀତନୃତ୍ୟକୁଶଳ ଥିବାରୁ ତାଙ୍କ ନାମ କିନ୍ଦୁବିଲ୍ୱ ହୋଇଥାଇପାରେ । ମଧ୍ୟଯୁଗର ସଙ୍ଗୀତ ଗ୍ରନ୍ଥରେ ଚିନ୍ଦୁ ନାମକ ନାଟର ଉଲ୍ଲେଖ ଅଛି। ଏହାର ଉଭୟ ନୃତ୍ୟଗୀତ ଅଛି । ଓଡ଼ିଶାରେ ହଳଧର ମିଶ୍ରଙ୍କର ‘ସଙ୍ଗୀତ କଳ୍ପଲତିକା’ ନାମକ ଗ୍ରନ୍ଥ ସାହିତ୍ୟ ଏକାଡେମୀ ତରଫରୁ ପ୍ରକାଶିତ ତଥା ନୀଳମାଧବ ପାଣିଗ୍ରାହୀଙ୍କ ଦ୍ଵାରା ସମ୍ପାଦିତ ହୋଇଥି‌ଲା । ତହିଁରେ ପରିଶିଷ୍ଟରେ ଥିବା କେତୋଟି ଗୀତ ‘ଚେନ୍ଦୁ’ ନାମରେ ଚିହ୍ନିତ । ଏହା ମଧ୍ୟଯୁଗୀୟ ‘ଚିନ୍ଦୁ’ ଗୀତର ରୂପାନ୍ତର; ଏହାର ଅନ୍ୟନାମ ‘କିନ୍ଦୁ’ ହୋଇପାରେ । ଅତଏବ ଆଲୋଚକ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ, ରୋହିଣୀ ନକ୍ଷତ୍ରବାଚକ ନୁହେଁ, ରୋହିଣୀରମଣ ମଧ୍ୟ ଚନ୍ଦ୍ରବାଚକ ନୁହେଁ, ସମୁଦ୍ର ମଧ୍ୟ ସାଗରବାଚକ ନୁହେଁ । କିନ୍ଦୁବିଲ୍ୱ‌ ନୃତ୍ୟଗୀତ ପ୍ରବୀଣ ଜଣେ କୁଶଳ ବିଲ୍ଵ ବା ନଟ । ରୋହିଣୀ କିନ୍ଦୁ ନୃତ୍ୟକାରୀ ସମୁଦ୍ରଙ୍କ କନ୍ୟା ଏବଂ ବିଲ୍ଵ ଶ୍ରେଷ୍ଠ ଜୟଦେବଙ୍କର ପତ୍ନୀ ଥିଲେ । ଅନ୍ୟପକ୍ଷରେ କିନ୍ଦୁବିଲ୍ୱ ପରି ଅପ୍ରସିଦ୍ଧ ଗ୍ରାମକୁ ସମୁଦ୍ର ଏବଂ ନିଜକୁ ଚନ୍ଦ୍ର କହିବା କବିଙ୍କ ଅଭିପ୍ରେତ ନଥିବା ମନେହୁଏ ବୋଲି ସେ ଲେଖିଛନ୍ତି ।

 

ଜୟଦେବଙ୍କ ବହୁପୂର୍ବରୁ ଓଡ଼ିଶାର କେତେକ ଦେବାଳୟରେ ଦେବସେବା ନିମନ୍ତେ ନୃତ୍ୟଗୀତର ଆୟୋଜନ କରାଯାଉଥିଲା । ଏହାକୁ ଅବ୍ୟାହତ ରଖିବା ନିମନ୍ତେ ପ୍ରବୀଣ ଶିକ୍ଷକ ଓ ଆଚାର୍ଯ୍ୟମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉଥିଲା । ଏହି ସୂତ୍ରରେ ଚୋଳଗଙ୍ଗଦେବ ମଧ୍ୟ ପୁରୀ ମନ୍ଦିର ନିର୍ମାଣ ପରେ (୧୧୨୬-୧୧୪୭ ମଧ୍ୟରେ) ସ୍ଥାୟୀ ଭାବରେ ନୃତ୍ୟ, ବାଦ୍ୟ, ଗୀତର ବ୍ୟବସ୍ଥା କରିଥିବେ । ଶ୍ରୀକୂର୍ମରୁ ଜୟଦେବଙ୍କ ସହ ଆସିଥିବା କୋମିନାୟକଙ୍କ କନ୍ୟା ମେଡ଼ମା ଦେବୀଙ୍କ ମାତା ଥିଲେ ଜଣେ ଦେବଦାସୀ । ପଦ୍ମାବତୀ ନିଜେ ଥି‌ଲେ ଜଣେ ଦେବଦାସୀ । ନଟ ଓ ଦେବଦାସୀଙ୍କ ସହ ଆଜୀବନ ସମ୍ପର୍କିତ କବି ଜୟଦେବ କିନ୍ଦୁବିଲ୍ଵ ଗ୍ରାମର ଅଧିବାସୀ ନୁହନ୍ତି । କିମ୍ବା ନୁହନ୍ତି ବୀରଭୂମି କେନ୍ଦୁଲିରେ ଜନ୍ମିତ ଲକ୍ଷ୍ମଣ ସେନଙ୍କ ସଭାକବି । ବରଂ ସେ ଶ୍ରୀକୂର୍ମ ଅଞ୍ଚଳରେ ଜନ୍ମ ହୋଇ ଶ୍ରୀକ୍ଷେତ୍ରକୁ ଆସିଥିବା ସମ୍ଭବ । ଶ୍ରୀକୂର୍ମ ସେତେବେଳେ ଓଡ଼ିଶାର ଗଙ୍ଗ ରାଜାଙ୍କର ଶାସନାଧୀନ ଥିବାରୁ ସେ ଶ୍ରୀକୂର୍ମରୁ ପୁରୀ ଆସିଥିବା ଆଲୋଚକ ସମ୍ଭାବନା କରିଛନ୍ତି । ବହୁ ତଥ୍ୟ ପ୍ରମାଣ ଓ ଯୁକ୍ତି ଦର୍ଶାଇ ଆଲୋଚକ ଡଃ ପାଣିଗ୍ରାହୀ ଜୟଦେବଙ୍କର ଜୀବନ, ଜନ୍ମସ୍ଥାନ ଓ ସାମାଜିକ ସ୍ଥିତି ସହିତ ଗାନ୍ଧର୍ବ କଳା ଦୃଷ୍ଟିରୁ ଗୀତଗୋବିନ୍ଦର ସାଂଗୀତିକ ଅନବଦ୍ୟତା ନିରୂପଣ କରିଛନ୍ତି ।

 

(ଘ) ଜ୍ୟୋତିର୍ମୟୀ (୧୯୯୪)

‘ଜ୍ୟୋତିର୍ମୟୀ’ ଶୀର୍ଷକ ପଚାଶ ପୃଷ୍ଠାର ଏହି ଗ୍ରନ୍ଥଟି ଏକ ସାହିତ୍ୟିକ ବିତର୍କଧର୍ମୀ ରଚନା-। ଏଥିରେ ଲେଖକ ନିଜର ପ୍ରକୃତ ନାମ ନୀଲ୍‌ମାଧବ୍‌ ପାଣିଗ୍ରାହୀ ସହିତ ଖୁସ୍‌ ସେ, ଶ୍ୟାମ୍‌ କମଲେଶ୍‌କର, କପିତ୍‌ଥ, ଶ୍ରୀ ଲେଖକ ଇତ୍ୟାଦି ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ଭାରତୀୟ ପରମ୍ପରାରେ ସାଧାରଣତଃ ସରସ୍ୱତୀଙ୍କୁ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ଭାବେ ଗ୍ରହଣ କରାଯାଏ । ଏହି କାରଣରୁ ମଙ୍ଗଳାଚରଣମାନଙ୍କରେ ଲେଖକମାନେ ସରସ୍ୱତୀଙ୍କୁ ବନ୍ଦନା କରି କାବ୍ୟ ଆରମ୍ଭ କରିଥାନ୍ତି । ଗଙ୍ଗାଧର ମେହେରଙ୍କର ‘ତପସ୍ଵିନୀ’ ମହାକାବ୍ୟର ପ୍ରଥମ ୩୨ ପଂକ୍ତିକୁ ସାଧାରଣତଃ ମଙ୍ଗଳାଚରଣ ବୋଲି ଧରାଯାଏ । ‘ତପସ୍ୱିନୀ’ର ପ୍ରାରମ୍ଭ ଏହିପରି-

 

କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ ଶୁଭ୍ର ବେଶା

ଇନ୍ଦ୍ରନୀଳ ଦ୍ୟୁତିଜିତ ମନୋହର କେଶା

କୌମୁଦୀ କି ଘନ ହୋଇ ବହିଛୁ ଶରୀର

କେଶ ଛନ୍ଦେ ଚରଣେ ତୋ ଲୋଟୁଛି ତିମିର

ସୁବିରଳ ସମୁଜ୍ଜ୍ୱଳ ଚାରୁତାରା ଗ୍ରହ

ମଣ୍ଡିଛନ୍ତି ରତ୍ନଭାଷା ରୂପେ ତୋ ବିଗ୍ରହ ।

 

କାବ୍ୟବର୍ଣ୍ଣିତ ଏହି ଜ୍ୟୋତିର୍ମୟୀ ଜଣକ, କେଉଁ ଦେବୀ ? ଏହି ପ୍ରସଙ୍ଗରେ କିଏ ସେହି ଜ୍ୟୋତିର୍ମୟୀ ଶୀର୍ଷକ ଏକ ଆଲୋଚନା ‘ଅଗ୍ନିଶିଖା’ ନାମକ ପତ୍ରିକାର ୧।୮।୯୩ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏଥିରେ ଲେଖକ ଲେଖିଥିଲେ ଯେ, ‘‘ସାଧାରଣ ଭାବେ ଅଧିକାଂଶ ଆଲୋଚକ କବି ଗଙ୍ଗାଧର ସରସ୍ୱତୀଙ୍କୁ ଲକ୍ଷ୍ୟ କରି ଆରାଧନା କରିଛନ୍ତି ବୋଲି ମତବ୍ୟକ୍ତ କଲାବେଳେ କେହି କେହି ଆଲୋଚକ କବି ଗଙ୍ଗାଧର ସରସ୍ୱତୀଙ୍କୁ ବନ୍ଦନା କରିନାହାନ୍ତି ଏବଂ ଏକ କଳ୍ପନାପ୍ରସୂତ ଦେବୀଙ୍କ ଆରାଧନା କରିଛନ୍ତି ବୋଲି ମତବ୍ୟକ୍ତ କରିଥାନ୍ତି । ତେଣୁ ପ୍ରଶ୍ନ ଉଠେ କିଏ ସେହି ଜ୍ୟୋତିର୍ମୟୀ ଲେଖକ ‘ତପସ୍ଵିନୀ’ର ପ୍ରଥମ ସର୍ଗ, ପ୍ରଣୟବଲ୍ଲରୀ କାବ୍ୟର ପ୍ରଥମ ସର୍ଗ ଓ ଅନ୍ୟାନ୍ୟ କାବ୍ୟଗୁଡ଼ିକ ବିଚାରିକୁ ନେଇ ଜ୍ୟୋତିର୍ମୟୀ ସରସ୍ଵତୀଙ୍କ ଭିନ ଅନ୍ୟକେହି ନୁହନ୍ତି ବୋଲି ଲେଖିଥିଲେ । ସାଧାରଣତଃ କାବ୍ୟରଚନା ପ୍ରାରମ୍ଭରେ ରଚନାର ନିର୍ବିଘ୍ନ ସମାପ୍ତି ନିମନ୍ତେ କବିମାନେ ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ‘ତପସ୍ଵିନୀ’ କାବ୍ୟରେ ସେହି ଜ୍ୟୋତିର୍ମୟୀ ଦେବୀଙ୍କ ଆରାଧନା କରିବାର କାରଣ ନିର୍ଦ୍ଦେଶ କରି ସେହି ରଚନାର ଲେଖକ ତପସ୍ଵିନୀର ନିମ୍ନୋକ୍ତ ଅଂଶ ଉଦ୍ଧାର କରିଥିଲେ-

 

ବାଲମୀକ ଆଶ୍ରମକୁ ଧାଇଁଅଛି ମନ

କରିବାକୁ ନିର୍ବାସିତା ସୀତାଙ୍କ ଦର୍ଶନ

କେମନ୍ତେ ସେ କଲେ ଜୀର୍ଣ୍ଣ ହୃଦୟସୀବନ

କାହା ସଂଗେ କେମନ୍ତେ ବା ଯାପିଲେ ଜୀବନ

କୃପାବହି କୃପାମୟୀ, ଶକ୍ତିଦାନ କର

ପବିତ୍ର ହେଉ ମୋ ମନ ଦେଖି, ଲେଖି କର ।

 

ଯେହେତୁ କଳ୍ପନାଶକ୍ତି ନିମନ୍ତେ କବି ଦେବୀଙ୍କର କୃପାଭିକ୍ଷା କରିଛନ୍ତି ଏବଂ ହିନ୍ଦୁଧର୍ମରେ ଥିବା ଦେବୀମାନଙ୍କ ମଧ୍ୟରେ କଳ୍ପନାଶକ୍ତିରୂପକ କ୍ଷମତା ପ୍ରଦାନର ଅଧିକାରିଣୀ ଦେବୀ କେବଳ ସରସ୍ଵତୀ । ତେଣୁ ଜ୍ୟୋତିର୍ମୟୀ ଦେବୀ ସରସ୍ଵତୀଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି । ଦ୍ଵିତୀୟତଃ କବି ଗଙ୍ଗାଧର ‘ପ୍ରଣୟବଲ୍ଲରୀ’ ଓ ‘ପଦ୍ମିନୀ’ କାବ୍ୟରେ କେବଳ ଜଣେ ଦେବୀଙ୍କ ଆରାଧନା କରିଥିଲେ । ସେ ହେଉଛନ୍ତି ସରସ୍ଵତୀ । ସରସ୍ଵତୀଙ୍କର ଅନ୍ୟନାମ ଭାରତୀ । ‘ପ୍ରଣୟ ବଲ୍ଲରୀ’ରେ ଗଙ୍ଗାଧର ଲେଖିଥି‌ଲେ-ତୁମ ପଛେ ଥାଇ ଭାରତୀଚରଣେ ବିନୟେ କରେ ବନ୍ଦନ । ଲେଖିଥାନ୍ତେ-ନମୋନମୋ ଜ୍ୟୋତିର୍ମୟୀ ଶୁଦ୍ଧ ଶୁଭ୍ରବେଶା । ତେଣୁ ଏହି ଜ୍ୟୋତିର୍ମୟୀ ସରସ୍ଵତୀଙ୍କଠାରୁ ଭିନ୍ନ ବୋଲି ଶ୍ରୀଯୁକ୍ତ ପାଣିଗ୍ରାହୀ ଲେଖିଥିଲେ । ‘ପ୍ରଣୟ ବଲ୍ଲରୀ’ ଓ ‘ପଦ୍ମିନୀ’ କାବ୍ୟରେ ସରସ୍ଵତୀଙ୍କର ବନ୍ଦନା କରିଥିବାରୁ ସମସ୍ତ କାବ୍ୟରେ ଯେ ସେହି ସରସ୍ୱତୀଙ୍କ ବନ୍ଦନା କରିବେ, ଏହା କୁହାଯାଇପାରିବ ନାହିଁ । କାରଣ ଦର୍ଶାଇ ଆଲୋଚକ କହିଛନ୍ତି ଯେ, ଉପେନ୍ଦ୍ର ଭଞ୍ଜ ଭିନ୍ନ ଭିନ୍ନ କାବ୍ୟରେ ଭିନ୍ନ ଭିନ୍ନ ଦେବାଦେବୀଙ୍କର ବନ୍ଦନା କରିଥିଲେ । ଗଙ୍ଗାଧର ତାଙ୍କର ‘ରସରତ୍ନାକର’ରେ ରାମଙ୍କର ଏବଂ ‘ତୁଳସୀ ରାମାୟଣ’ରେ ଉଭୟ ବାଣୀ ଓ ବିନାୟକଙ୍କର ବନ୍ଦନା କରିଛନ୍ତି । ‘ଉତ୍କଳଲକ୍ଷ୍ମୀ’ ଓ ‘ମୃଗୟା ଦର୍ଶନ’ରେ ସରସ୍ଵତୀ ବନ୍ଦନା ନାହିଁ ।

 

ଏହାର ଉତ୍ତର ପୁନର୍ବାର ‘କିଏ ସେହି ଜ୍ୟୋତିର୍ମୟୀ’ର ଲେଖକ ଦେଇଥିଲେ । ‘ଅଗ୍ନିଶିଖା’ରେ ୧୮.୮.୯୩ ରେ ପ୍ରକାଶିତ ଏହି ଲେଖାର ଶୀର୍ଷକ ଥିଲା, ‘ଜ୍ୟୋତିର୍ମୟୀ ଜନିତ ଦୃଷ୍ଟି ବିଭ୍ରମ କାହିଁ ?’’ ସେଥି‌ରେ ଲେଖକ ଦର୍ଶାଇଥି‌ଲେ ଯେ, ‘ମାନସ ଚକ୍ଷୁରେ ବାଲ୍ମୀକି ଆଶ୍ରମର ଘଟଣାବଳୀ ଦେଖିବା ଓ କାବ୍ୟରଚନାର ସାମର୍ଥ୍ୟ ନିମନ୍ତେ ଗଙ୍ଗାଧର ଯେଉଁ ଦେବୀଙ୍କର କୃପାଭିକ୍ଷା କରିଛନ୍ତି, କେବଳ ଦେବୀ ସରସ୍ଵତୀ ସେଥି‌ପାଇଁ ସମର୍ଥ । କବି ଚାତୁର୍ଯ୍ୟ ପ୍ରଦର୍ଶନ ନିମନ୍ତେ ହୁଏତ ଦେବୀଙ୍କର ନାମୋଲ୍ଲେଖ କବି କରି ନାହାନ୍ତି । ଏହିପରି ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ଆରୋପର ଉତ୍ତର ସେ ଏଥିରେ ଦେଇଥିଲେ ।

 

ଏହି ଲେଖାପଢ଼ି ନୀଳମାଧବ ପାଣିଗ୍ରାହୀ ଅଗ୍ନିଶିଖାର ୩୧.୮.୯୩ ସଂଖ୍ୟାରେ ପୁନର୍ବାର ଲେଖିଲେ- ‘ଜ୍ୟୋତିର୍ମୟୀ ଜନିତ ଦୃଷ୍ଟିବିଭ୍ରମ (୧)’ ଏଥି‌ରେ ସେ ସରସ୍ୱତୀଙ୍କୁ କାହିଁକି ଜ୍ୟୋତିର୍ମୟୀ କୁହାଯିବ ନାହିଁ, ତାହାର କାରଣ ଦର୍ଶାଇଥିଲେ । ତାଙ୍କ ମତରେ ସରସ୍ୱତୀଙ୍କ ସହିତ ବୀଣା ଓ ପୁସ୍ତକ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଏଥିରୁ ଅନ୍ତତଃ ଗୋଟିଏର ସମାବେଶ ସରସ୍ୱତୀଙ୍କ ଫଟୋ କିମ୍ବା ମୂର୍ତ୍ତିରେ ଥାଏ । ସରସ୍ଵତୀଙ୍କର ଅନ୍ୟଏକ ବୈଶିଷ୍ଟ୍ୟ ହେଉଛି ତାଙ୍କର ଶୁଭ୍ରତା ବା ଶୁକ୍ଳତା । ତାଙ୍କର ବସ୍ତ୍ର, ଆସନ, ବାହନ, ମାଳା ସମସ୍ତ ଶୁକ୍ଳବର୍ଣ୍ଣା ସରସ୍ଵତୀ ବୈଦିକ କାଳରୁ ଆରାଧିତା ହେଉଛନ୍ତି । ବେଦରେ ସରସ୍ଵତୀ, ଭାରତୀ, ଇଳା, ମହୀ ଥିଲେ ଭିନ୍ନ ଭିନ୍ନ ଦେବୀ । କାଳକ୍ରମେ ସରସ୍ଵତୀ ଓ ଭାରତୀ ଏକାର୍ଥକ ହେଲେ । ବୈଦିକ ଯୁଗରେ ଏହି ଦେବୀମାନଙ୍କର ଆକାର କଳ୍ପନା କରାଯାଇ ନଥିଲା । କ୍ରମେ ତାଙ୍କୁ ଶୁଭ୍ରବସ୍ତ୍ରା, ଚନ୍ଦ୍ରାଙ୍କିତ କିରୀଟ ଧାରିଣୀ, ଶ୍ଵେତପଦ୍ମ ଆସୀନା, ଶ୍ଵେତ ରାଜହଂସ ବାହନରେ ଉପବିଷ୍ଟା ଆଦି ସାକାର ରୂପରେ କଳ୍ପନା କରାଗଲା । ହାତରେ ଥି‌ଲା ସ୍ପଟିକ ମାଳା, ବୀଣା ଓ ପୁସ୍ତକ । ଏଥିରୁ ଗୋଟିଏ ବା ଦୁଇଟି ସହିତ ତାଙ୍କର ଭାରତୀ, ବ୍ରାହ୍ମୀ, ବାଣୀ ଆଦି ନାମରୁ ଗୋଟିଏ ଥାଏ । ତେଣୁ ଏହି ଜ୍ୟୋତିର୍ମୟୀ ସରସ୍ଵତୀ ନୁହନ୍ତି । ଏହାର ଉତ୍ତର ପୂର୍ବୋକ୍ତ ଲେଖକ ପୁନର୍ବାର ‘ଅଗ୍ନିଶିଖା’ର ୪।୯।୯୩ ରେ ‘ଜ୍ୟୋତିର୍ମୟୀ ଜନିତ ଦୃଷ୍ଟିହୀନତା’ ଶୀର୍ଷକରେ ଦେଇଥିଲେ । ସେଥିରେ ସେ ଲେଖିଥିଲେ, ଦେବୀ ବନ୍ଦନାରେ ଅଛି-

 

କି ମନ୍ତ୍ର ଦେଉଛୁ ତୁହି ବାଛି ବାଛି ଲୋକ ।

ତମ ନାଶି ସୃଜିଛନ୍ତି ସେମାନେ ଆଲୋକ ।

 

ପଂକ୍ତିଟି ସ୍ପଷ୍ଟ ଭାବରେ ସୂଚେଇ ଦିଏ ଯେ, ଭକ୍ତ ଦେବୀଙ୍କ କୃପା ବଳରେ ସାହିତ୍ୟ ସୃଷ୍ଟି ସାମର୍ଥ୍ୟ ଆସେ । ତେଣୁ ସେ ସରସ୍ଵତୀ । ଏହା କ୍ରମଶଃ ନୀଳମାଧବ ପାଣିଗ୍ରାହୀ- ‘ଜ୍ୟୋତିର୍ମୟୀ-ଜନିତ ଦୃଷ୍ଟି ବିଭ୍ରମ (୩) । ଜ୍ୟୋତିର୍ମୟୀ ଜନିତ ଦୃଷ୍ଟିବିଭ୍ରମ (୪) ଜ୍ୟୋତିର୍ମୟୀ ଜନିତ ଦୃଷ୍ଟିବିଭ୍ରମ (୫) ଆଦିରେ ସ୍ଵୟଂ ଆଲୋଚନା କରିଛନ୍ତି । ଏ ସମସ୍ତ ଆଲୋଚନା ମାଧ୍ୟମରେ ସେ ପ୍ରମାଣିତ କରିବାକୁ ଚାହିଁଛନ୍ତି ଯେ, ‘ତପସ୍ଵିନୀ’ର ପ୍ରଥମ ୧୬ ପଦ ବା ୩୨ ପଂକ୍ତିରେ ବର୍ଣ୍ଣିତ ମଙ୍ଗଳାଚରଣର ବର୍ଣ୍ଣିତ ଦେବୀ ସରସ୍ଵତୀ ନୁହନ୍ତି, ଏଠାରେ ଆଲୋଚକ ସ୍ପଷ୍ଟ କରିଦେଇଛନ୍ତି ଯେ, ତପସ୍ଵିନୀର ମଙ୍ଗଳାଚରଣ ରହିତ ପ୍ରଥମ ସର୍ଗ ଏବଂ ଅନ୍ୟ କେତୋଟି ସର୍ଗ ‘ମୁକୁର’ର ୧୯୧୨ ମସିହାରେ ଜୁଲାଇ, ଅଗଷ୍ଟ, ୧୯୧୩ ଏପ୍ରିଲ, ୧୯୧୪ ଜାନୁୟାରୀ ଫେବୃୟାରୀ ସଂଖ୍ୟାମାନଙ୍କରେ ପ୍ରକାଶିତ ହୋଇଥିଲା । ତେଣୁ ସେହି ୩୨ପଂକ୍ତି ତପସ୍ଵିନୀ ସମ୍ପୂର୍ଣ୍ଣ ହେବା ପରେ ସଂଯୁକ୍ତ କରାଯାଇଥିବା ଲେଖକ ଏ ସମ୍ପର୍କରେ ଗଙ୍ଗାଧର ମେହେର ତା. ୨୫.୭.୧୯୧୩ ମସିହାରେ ବ୍ରଜମୋହନ ପଣ୍ଡାଙ୍କୁ ଲେଖିଥିବା ଏକ ପତ୍ରାଂଶ ଉଦ୍ଧାର କରିଛନ୍ତି ।

 

ତପସ୍ଵିନୀ ୨୦।୩୦ ପଂକ୍ତି ନିମନ୍ତେ ଅପୂର୍ଣ୍ଣ ରହିଯାଇଅଛି । ବାରମ୍ୱାର ଚେଷ୍ଟାକରି ସେତକ କରିପାରୁ ନାହିଁ । ଏଥି‌ରୁ ମୋର ଦୃଢ଼ ବିଶ୍ଵାସ ହେଉଅଛି ଯେ, ଈଶ୍ଵରାନୁଗ୍ରହ ବ୍ୟତୀତ ମାନବଦ୍ଵାରା କିଛି ହୋଇପାରେ ନାହିଁ ।

(ଗଙ୍ଗାଧର ପତ୍ରାବଳୀ-ପୃ. ୧୨୨)

 

ଏହାର ମାସକ ପରେ ତା. ୨୪।୮।୧୯୧୩ରେ ଅନ୍ୟ ଏକ ଚିଠିରେ ସେ ଲେଖିଥିଲେ-ତପସ୍ଵିନୀକୁ ପୂର୍ଣ୍ଣ କରିଅଛି । (ପୃ ୧୨୩)

ଯେଉଁ ମଙ୍ଗଳାଚରଣ ଗଙ୍ଗାଧର ପୁସ୍ତକରଚନା ପରେ ସଂଯୁକ୍ତ କରିଛନ୍ତି ଏବଂ ଯେଉଁ ଜ୍ୟୋତିର୍ମୟୀଙ୍କୁ ନେଇ ପୁସ୍ତକର ସୃଷ୍ଟି, ସେହି ଜ୍ୟୋତିର୍ମୟୀ ସରସ୍ଵତୀ ନୁହନ୍ତି, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ଵରୀ ବୋଲି କହିଛନ୍ତି । ଜ୍ୟୋତିର୍ମୟୀ ଜନିତ ଦୃଷ୍ଟିବିଭ୍ରମ (୫)ରେ ସେ କହିଛନ୍ତି ଯେ, ହିନ୍ଦୁଧର୍ମର ପୁରାଣରେ ସରସ୍ୱତୀଙ୍କ ବ୍ୟତୀତ କବିତ୍ଵ ପ୍ରଦାୟିନୀ ଅନ୍ୟ ଦେବୀ ମଧ୍ୟ ଅଛନ୍ତି । ସେହିପରି ଏକ ଶ୍ଳୋକ ଉଦ୍ଧାର କରିଛନ୍ତି, ଯାହା ସ୍ଵୟଂ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ରଚିତ ହୋଇଛି । ଗଙ୍ଗାଧର ମେହେର ‘ସମଲାଇ ଦେବୀଙ୍କ ପ୍ରତି’ ନାମକ ଏକ କବିତାରେ ଲେଖିଛନ୍ତି-

 

ତୁହି ଶକ୍ତି ତୁହି ବୁଦ୍ଧି ତୁହି ସରସ୍ଵତୀ

ତୁ ପ୍ରତିଭା ତୁହି ମାଗେ ଲକ୍ଷ୍ମୀ ସ୍ଵରୂପିଣୀ

ଜଗତଜନନୀ ତୁହି ଆଦ୍ୟା ଭଗବତୀ

ସମ୍ପତ୍ତିଦାୟିନୀ ସର୍ବ ବିପଦ ନାଶିନୀ ।

 

ଏଥିରେ ସରସ୍ଵତୀ ଓ ଲକ୍ଷ୍ମୀଙ୍କ ଉଲ୍ଲେଖ କବି ମେହେର କରିଛନ୍ତି । କାରଣ ସେ ଜାଣିଥିବେ ଯେ, ମୂଳପ୍ରକୃତି ବା ଶକ୍ତିଙ୍କୁ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପେ କଳ୍ପନା କରାଯାଏ । ଦେବୀ ମାହାତ୍ମ୍ୟରେ ଏହି ତ୍ରିବିଧା ମହାଶକ୍ତିଙ୍କ ଉଲ୍ଲେଖ, ଦେବୀ ଭାଗବତ ଓ ବ୍ରହ୍ମବୈବର୍ତ୍ତପୁରାଣରେ ଶକ୍ତିଙ୍କୁ ଦୁର୍ଗା, ରାଧା, ଲକ୍ଷ୍ମୀ, ସରସ୍ଵତୀ ଓ ସାବିତ୍ରୀ ରୂପେ କଳ୍ପନା କରାଯାଇଛି । ଡ. ପାଣିଗ୍ରାହୀଙ୍କ ମତରେ ଗଙ୍ଗାଧର ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ଵରୀଙ୍କୁ ଶକ୍ତି, ବୁଦ୍ଧି ଓ ପ୍ରତିଭାର ସମାହାର ବୋଲି ମାନିଛନ୍ତି । ସରସ୍ଵତୀଙ୍କଠାରେ କଳ୍ପିତ ସମସ୍ତ କ୍ଷମତା ସମଲେଶ୍ୱରୀଙ୍କଠାରେ ଅଛି ବୋଲି ଉଲ୍ଲେଖ କରି ତାଙ୍କୁ ଜଗତ୍‍ଜ୍ଜନନୀ, ଆଦ୍ୟା ଭଗବତୀ, ସମ୍ପତ୍ତିଦାୟିନୀ, ସର୍ବବିପଦନାଶିନୀ ବୋଲି କହିଛନ୍ତି । ଆଲୋଚକଙ୍କ ମତରେ, ଏହି ଶକ୍ତିଦେବୀ କବିଙ୍କୁ ଯେଉଁ ରୂପରେ ଦର୍ଶନ ଦେଇଥିବେ, ତାହା ‘ତପସ୍ଵିନୀ’ର ପ୍ରାରମ୍ଭରେ ଅଛି ।

 

ଆଲୋଚକ ଲେଖିଛନ୍ତି - ‘‘ମୁଁ ଯେତେବେଳେ ସେହି ମଙ୍ଗଳାଚରଣର ଭାବସରସୀରେ ଅବଗାହନ- ସ୍ନାନକରି ତନ୍ମଧ୍ୟବର୍ତ୍ତୀ ପୀଠରେ ପ୍ରତିଷ୍ଠିତ କରିବା ପାଇଁ କବି ପ୍ରୟାସ କରିଥିବା ଜ୍ୟୋତିର୍ମୟୀଙ୍କୁ ଧ୍ୟାନ ଲୋଚନରେ ଦର୍ଶନ କରିବାକୁ ଚେଷ୍ଟାକରେଁ ଏବଂ ସେହି ମହାମହୋମୟୀ, ଅନିର୍ବଚନୀୟା, ଅନୁଭୂତିଗମ୍ୟା, ଭାବାତ୍ମିକା ସ୍ଵରୂପ ଚାକ୍ଷୁସ କରିବା ଉଦ୍ଦେଶ୍ୟରେ ଧ୍ୟାନଲୋଚନ ଉନ୍ମୀଳନ କରେ, ସେତେବେଳେ ସେହି ‘ଜ୍ୟୋତିର୍ମୟୀ’ଙ୍କ ସମ୍ପୂର୍ଣ୍ଣ ଦର୍ଶନ ଲାଭ ପୂର୍ବରୁ ମୋର ଧ୍ୟାନ ଲୋଚନ ମଧ୍ୟ ଝଲସିଯାଏ (ଜ୍ୟୋତିର୍ମୟୀ-ପୃ.୨) ତାଙ୍କର ମନେହେଇଛି, ଦ୍ରଷ୍ଟା ଗଙ୍ଗାଧର, ଅତୀନ୍ଦ୍ରିୟକୁ ଇନ୍ଦ୍ରିୟଗମ୍ୟ କରିବା ପାଇଁ ଏକ ଶବ୍ଦମୂର୍ତ୍ତି ଗଢ଼ିଛନ୍ତି । ଚର୍ମଚକ୍ଷୁରେ ଅଦୃଷ୍ଟପୂର୍ବ ଏବଂ କେବଳ ଭାବସମାଧିରୁ ଉତ୍‌ଥିତ ସେହି ମୂର୍ତ୍ତି ଦେଖି ବିସ୍ମୟାବିଷ୍ଟ ହୋଇଛନ୍ତି । ପ୍ରଶ୍ନ କରିଛନ୍ତି- ‘କିଏ ଗୋ ତୁ ଜ୍ୟୋତିର୍ମୟୀ’ × × × ଇତ୍ୟାଦି

 

ଅଜ୍ଞେୟକୁ ଜ୍ଞାନଗୋଚର କରିବାକୁ ଗଲେ ଯେଉଁ ଅବସ୍ଥା ହୁଏ, ତାଙ୍କର ତାହାହିଁ ହୋଇଛି-। ପୂର୍ବରୁ ଜାଣିଥିବା ମୂର୍ତ୍ତି ପ୍ରତି ଏ ଜିଜ୍ଞାସା ରହି ନଥାନ୍ତା । ଗଙ୍ଗାଧର ଜ୍ୟୋତିର୍ମୟୀଙ୍କର ଯେଉଁ ବର୍ଣ୍ଣନା ଦେଇଛନ୍ତି, ତାହା କୌଣସି ମୂର୍ତ୍ତିବିଶେଷର ପରି ଲାଗେ ନାହିଁ । କାରଣ ଏ ଦେବୀଙ୍କର ଅଙ୍ଗପ୍ରତ୍ୟଙ୍ଗର ବର୍ଣ୍ଣନା ନାହିଁ । ତାଙ୍କ ଶରୀରରେ ଯେଉଁ ଅଳଙ୍କାର ଅଛି ତାହା ସମୁଜ୍ଜ୍ୱଳ ଚାରୁ ତାରା ଗ୍ରହ । ଏଣୁ ଗଙ୍ଗାଧର ଏହି ମଙ୍ଗଳାଚରଣ ବର୍ଣ୍ଣନାରେ ବାକ୍‌ ଓ ଅର୍ଥର ଅସ୍ପଷ୍ଟତା ରଖିଛନ୍ତି ଯାହା ସାଧାରଣ ପାଠକ ଓ ଆଲୋଚକଙ୍କର ଅବଧାରଣା ଅସାଧ୍ୟ ମନେ ହୋଇପାରେ ।

 

ଶ୍ରୀଯୁକ୍ତ ପାଣିଗ୍ରାହୀ- ‘କାବ୍ୟର ପ୍ରାରମ୍ଭରେ ମଙ୍ଗଳାଚରଣ ରହିବା ବାଧ୍ୟତାମୂଳକ ନୁହେଁ । କେବଳ ମହାକାବ୍ୟର ଆରମ୍ଭ ବା ମୁଖରେ ତାହା ରହିବା ବିଧି’’ ଲେଖିଛନ୍ତି । ମାତ୍ର ‘ତପସ୍ଵିନୀ’ ଏକ ମହାକାବ୍ୟ । ଏହି କାରଣରୁ ସମ୍ଭବତଃ ମଙ୍ଗଳାଚରଣ ସଂଯୋଜନା କରିବା ନିମନ୍ତେ କବି ବ୍ୟାକୁଳ ଥିଲେ । ତାଙ୍କର ପ୍ରଥମ ରଚନା ‘ରସରତ୍ନାକର’ରେ ମଙ୍ଗଳାଚରଣ ଥିଲା-

 

- ରଚିବାକୁ ଗୀତ ଚିତ୍ତ ବଳିଅଛି ମୋର

ରମେଶ କରୁଣାକରି ବାଞ୍ଛାପୂର୍ଣ୍ଣ କର ।

 

ସମ୍ଭବତଃ ସେ ସମୟର ଶ୍ରେଷ୍ଠକବି ରାଧାନାଥଙ୍କ କାବ୍ୟମାନଙ୍କରେ ମଙ୍ଗଳାଚରଣ ନଥିବାରୁ ଗଙ୍ଗାଧର ‘ଇନ୍ଦୁମତୀ’ ଓ କୀଚକବଧରେ ମଙ୍ଗଳାଚରଣ ଦେଇ ନଥିଲେ, ମାତ୍ର ‘ମହାଯାତ୍ରା’ ମହାକାବ୍ୟରେ ମଙ୍ଗଳାଚରଣ ଥିବାରୁ ଗଙ୍ଗାଧର ‘ପଦ୍ମିନୀ’ ଓ ‘ପ୍ରଣୟ ବଲ୍ଲରୀ’ରେ ମଙ୍ଗଳାଚରଣ ଦେଲେ ବୋଲି ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ମତ । ଏ ତୁଳନାତ୍ମକ ଦୃଷ୍ଟାନ୍ତ ସେ ଦେଇଛନ୍ତି-

 

‘ମହାଯାତ୍ରା’ର ପ୍ରାରମ୍ଭରେ ରାଧାନାଥ ଲେଖିଥିଲେ-

 

x x x କେମନ୍ତେ ଶୁଣିଲେ ସେହି ଦାରୁଣ ବାରତା

କି କଲେ ଶୁଣିଣ ଚିର ବିପଦ ବାନ୍ଧବ

ଯଦୁ ବଂଶ-ଅବତଂସ ଯାଦବପତିର

ତ୍ରିଦିବ ପ୍ରୟାଣବାର୍ତ୍ତା, କହ କୃପାବହି ।

 

ଗଙ୍ଗାଧର ‘ତପସ୍ଵିନୀ’ରେ ଲେଖିଛନ୍ତି -

 

କେମନ୍ତେ ସେ କଲେ ଜୀର୍ଣ୍ଣହୃଦୟ ସୀବନ

କାହା ସଂଗେ କେମନ୍ତେ ବା ଯାପିଲେ ଜୀବନ

କୃପାବହି କୃପାମୟୀ, ଶକ୍ତିଦାନ କର

ପବିତ୍ର ହେଉ ମୋ ମନ ଦେଖି, ଲେଖିକର ।

 

ଭାରତୀୟ ‘ମହାକାବ୍ୟ’ର ଲକ୍ଷଣ ଅନୁସାରେ, ମିଳନରେ କାବ୍ୟର ପରିସମାପ୍ତି ବାଞ୍ଛନୀୟ । ତେଣୁ ଯୋଗମାୟାଙ୍କର ଆବିର୍ଭାବ ଘଟାଇଛନ୍ତି । ଯାହାର ପ୍ରଭାବରେ କାବ୍ୟର ପରିସମାପ୍ତି ଅଂଶରେ ସ୍ଵର୍ଗୀୟ ଜ୍ୟୋତିରେ କାନନ ଉଜ୍ଜ୍ୱଳ ହୋଇଛି ଏବଂ ‘ଦିଶିଲା ଜାନକୀ ହୋଇଛନ୍ତି ଜ୍ୟୋତିର୍ମୟୀ’ । ଆଲୋଚକଙ୍କ ମତରେ- ‘‘ସେହି ଜ୍ୟୋତି ସହିତ କାବ୍ୟାରମ୍ଭରେ ବର୍ଣ୍ଣିତା ‘ଜ୍ୟୋତିର୍ମୟୀ’ଙ୍କର ଅବିଚ୍ଛେଦ୍ୟ ସମ୍ପର୍କ ରହିଛି । ସେ ଜ୍ୟୋତି ଥିଲା ‘‘ତଚ୍ଛଭ୍ରଂ ଜ୍ୟୋତିଷାଂ ଜ୍ୟୋତିଃ ।’’ (ଜ୍ୟୋତିର୍ମୟୀ-ପୃ.୪୧)

 

ଯେଉଁ ଜ୍ୟୋତିର୍ମୟୀଙ୍କୁ ଭଗବଦ୍‌ଗୀତା (ଅ-୮/୯)ରେ କୁହାଯାଇଛି- ସର୍ବସ୍ୟ ଧାତା, ଅଚିନ୍ତ୍ୟରୂପ, ତମସଃ ପରସ୍ତାତ୍‌ ତଥା ଜ୍ୟୋତିଷ୍ୟାମ୍‌ପି ତଜ୍ଜୋତି ସ୍ତମସ୍ୟଃ ପରମୁଖତେ (ଅ-୧୩/୧୭)

 

‘ତପସ୍ଵିନୀ’ର ଅନ୍ୟତ୍ର ଗଙ୍ଗାଧର ମଧ୍ୟ ଲେଖିଛନ୍ତି-

 

ଜ୍ୟୋତିଙ୍କ ଜନମଦାତା ସର୍ବ ତମୁପର

ଏକ ମହା ଜ୍ୟୋତିର୍ମୟୀ ପରମ ଈଶ୍ଵର

 

ସେହି ଜ୍ୟୋତିର୍ମୟଙ୍କୁ ‘ତପସ୍ଵିନୀ’, ମଙ୍ଗଳାଚରଣରେ ଜ୍ୟୋତିର୍ମୟୀ ରୂପେ ଦେଖିଛନ୍ତି, ଦେଖାଇଛନ୍ତି । ମୂଢ଼, ଅଜ୍ଞସିନା ଜାଣେ ନାହିଁ, ଅନ୍ୟମାନେ ଜାଣନ୍ତି ଯେ, ଜ୍ୟୋତିର୍ମୟୀଙ୍କ ଶକ୍ତି ଜ୍ୟୋତିର୍ମୟୀ × × × ତେଣୁ କବି ସେହି ଶକ୍ତିକୁ ଜ୍ୟୋତିର୍ମୟୀ ରୂପେ ବର୍ଣ୍ଣନା କରିଛନ୍ତି, ଯଦି ବା ସେ ଅଚିନ୍ତ୍ୟରୂପା । (ଜ୍ୟୋତିର୍ମୟୀ -ପୃ. ୪୨)

 

ପରିଶେଷରେ ଶ୍ରୀଯୁକ୍ତ ପାଣିଗ୍ରାହୀ ମତପ୍ରକାଶ କରଛନ୍ତି ଯେ, ‘‘ତେଣୁ ସରସ୍ଵତୀଙ୍କ ପଦସମୂଳ ପାଇବା ଏବଂ ତାଙ୍କଠାରେ ନିଜକୁ ସମର୍ପଣ କରିବା ଅପେକ୍ଷା ସବୁମତେ ସରସ୍ଵତୀଙ୍କଠାରୁ ଅଧିକ କ୍ଷମତାଶାଳିନୀ- ଶକ୍ତି, ବୁଦ୍ଧି, ପ୍ରତିଭା, ଧନସମ୍ପତ୍ତି, ନିରାପତ୍ତା - ଏ ସମସ୍ତର ସମାହାର ରୂପେ ଏବଂ ‘ଶକ୍ତି’ ଦେବୀ ରୂପେ ପରମେଶ୍ୱରଙ୍କଠାରୁ ଅଭିନ୍ନ ବୋଲି କବି ସ୍ଵୟଂ ମାନୁଥିବା ନିଜ ଦେଶର ଇଷ୍ଟଦେବୀ ସମଲାଇଙ୍କୁ ଧ୍ୟାନରେ ଦର୍ଶନ କରି ତାଙ୍କରି ପୟରତଳେ ପ୍ରଣିପାତ କରି, ତାଙ୍କରି ପବିତ୍ର ପୟର ସ୍ପର୍ଶ କରି, ତାଙ୍କରିଠାରେ ହିଁ ନିଜକୁ ସମର୍ପଣ କରିଥିବେ ।

 

ଯଦି ‘ତପସ୍ଵିନୀ’ ମଙ୍ଗଳାଚରଣରେ ବର୍ଣ୍ଣିତା ଓ ବନ୍ଦିତା ଦେବୀ କିଏ ବୋଲି କାହାରି ମନରେ ପ୍ରଶ୍ନ ଉଠେ, ତେବେ ସେ ନିଶ୍ଚିନ୍ତରେ, ନିଃସନ୍ଦେହରେ ନିଜେ ହିଁ ନିର୍ଣ୍ଣୟ କରିପାରିବେ ଯେ ସେ କବି ଗଙ୍ଗାଧରଙ୍କ ନିଜ ଗ୍ରାମରେ, ସମ୍ବଲପୁର ସହରରେ ଏବଂ ସମ୍ବଲପୁର ଅଞ୍ଚଳର ସର୍ବତ୍ର ଇଷ୍ଟଦେବୀ ରୂପେ ମାନ୍ୟତା ପ୍ରାପ୍ତ ଏବଂ ସ୍ଵୟଂ କବି ଗଙ୍ଗାଧରଙ୍କ ଦ୍ଵାରା ନିଜ କବିତାରେ ମାନ୍ୟତା ଦେଇଥିବା ଦେବୀ ସମଲାଈ (ଜ୍ୟୋତିର୍ମୟୀ-ପୃ.୪୮)

 

ତାଙ୍କ ମତରେ ଶକ୍ତି ହିଁ ସୃଷ୍ଟିକାରିଣୀ ଦେବୀ । ସେ ବିଭିନ୍ନ ରୂପା, ବିଭିନ୍ନ ନାମଧାରିଣୀ, ବିଭିନ୍ନ ଦେବୀ ରୂପେ ଉପାସିତା । ସରସ୍ଵତୀ ସେହି ଶକ୍ତିର ପ୍ରକାର ବିଶେଷ । ଯେହେତୁ ‘ତପସ୍ଵିନୀ’ର ମଙ୍ଗଳାଚରଣରେ ଜ୍ୟୋତିର୍ମୟୀଙ୍କର ରୂପଗୁଣକ୍ରିୟାଦିର ବର୍ଣ୍ଣନା ନାହିଁ । କୌଣସି ନାମ ନାହିଁ । ତେଣୁ ତାଙ୍କୁ ସରସ୍ଵତୀ ବୋଲି ପ୍ରମାଣିତ କରାଯାଇପାରିବ ନାହିଁ । ଅନ୍ୟପକ୍ଷରେ ‘‘ସମଲାଈଦେବୀଙ୍କ ପ୍ରତି କବିତା ଅନୁସାରେ, ଶକ୍ତିଦେବୀ ସମଲାଈଙ୍କଠାରେ ସରସ୍ଵତୀ ଓ ଲକ୍ଷ୍ମୀଙ୍କର ଅନ୍ତର୍ଭାବ ରହିଛି । ତେଣୁ ତପସ୍ପିନୀ ବର୍ଣ୍ଣିତ ଜ୍ୟୋତିର୍ମୟୀ ହିଁ ସମଲେଶ୍ଵରୀ ।

 

***

 

ତୃତୀୟ ପରିଚ୍ଛେଦ

ସମ୍ବଲପୁରୀ କାବ୍ୟକବିତା ଓ କବି ନୀଳମାଧବ

 

(କ) ସମଲ୍‌ପୁରର୍‌ କଥା-(୧୯୯୦)

୧୯୪୪ରୁ ୧୯୮୩ ମସିହା ମଧ୍ୟରେ ନୀଳମାଧବ ପାଣିଗ୍ରାହୀ ଓଡ଼ିଆ ଗଦ୍ୟ ଓ ପ୍ରବନ୍ଧ ଲେଖକ ଭାବରେ ପରିଚିତ ଥିଲେ । ତାଙ୍କର ସ୍ଵୀକାରୋକ୍ତି ଅନୁସାରେ -‘‘୧୯୭୦ ମସିହାତକ ମୁଇଁ ଗୁଟେ ଭି ପଦ୍ୟ ନାଇଁ ଲେଖି, କେବଲ୍‌ ଗଦ୍ୟ ଲେଖିଥିଲିଁ ଉଡ଼ିଆ ଭାଷାଥିଁ । ହେଲେ ମୋର ଛନ୍ଦ ବିଦ୍ୟାଗୁରୁ ସ୍ଵନାମଧନ୍ୟ କବି ରାଧାମୋହନ ଗଡ଼ନାୟକ ବଞ୍ଚିଥିଲେ ବେଲେଁ ତାକର୍‌ ଆରୁଦୁସର୍‌ କେତେକ୍ କବିର ସାନ୍ନିଧ୍ୟ ପାଇକରି ସେମାନଙ୍କର ପ୍ରଭାବ ଥୁଁ ୧୯୭୦- ୧୯୮୩ ମସିହା ଭିତରେ ମୁଇଁ ଉଡ଼ିଆଥିଁ କେତେକ ପଦ୍ୟ ଲେଖିଥିଲିଁ । ହେଁ ସବୁଥୁଁ କେତେଟା ପଦ୍ୟ କେତେଟା ଉଡ଼ିଆ ପତ୍ରିକା ଥିଁ ପ୍ରକାଶ୍‌ ପାଇଥିଲା (ଶେଷ୍‌ପତର୍- ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୩୯)

 

‘ସମ୍ୱଲ୍‌ପୁରର୍- କଥା’ ଲେଖକଙ୍କର ସମଲପୁରୀ ଭାଷାରେ ପ୍ରକାଶିତ ପ୍ରଥମ କାବ୍ୟ । ଏଥିରେ ସେ ସମ୍ବଲପୁରର ପ୍ରତିଷ୍ଠାତା- ରାଜା ବଳରାମଙ୍କ ଦେବଙ୍କର ନଗର ସ୍ଥାପନ ଓ ସମଲେଶ୍ଵରୀ ମନ୍ଦିର ନିର୍ମାଣ ପ୍ରସଙ୍ଗ ଇତିହାସ ଓ କିମ୍ବଦନ୍ତୀ ଆଧାରରେ ବର୍ଣ୍ଣନା କରିଛନ୍ତି । ପ୍ରାରମ୍ଭିକ ସୂଚନା କ୍ରମେ ଲେଖକ ସ୍ପଷ୍ଟ କରି ଦେଇଛନ୍ତି ଯେ, ‘ସମଲପୁରର କଥା’ କବିତା ନୁହେଁ କି ତା’ର୍‌ ଲେଖକ କବି ନୁହେଁ । ମାତ୍ର ଭାଷାକେ ଲିଖିତ ରୂପ ଦେବାକେ ସମଲ୍‌ପୁରର କଥା ଗୁଟେ ଗୁନ୍‌ଚି ମୂଷାର ଉଦ୍ୟମ ଆୟ । (ପାଣିଗ୍ରାହୀ ପଦ୍ୟାବଳୀ- ପୃ୪୭) ତାଙ୍କର ‘ଖୁସ୍‌ରେ’ ଛଦ୍ମନାମରେ ୧୯୯୦ ମସିହାରେ ପ୍ରକାଶିତ ହେବା ପୂର୍ବରୁ- ‘‘ଇ- ରଚନାର ପହିଲି ଦୁଇଟା ଅଧ୍ୟା ସମଲ୍‌ପୁରର କୋଶଲ ଖବର କାଗଜରେ ୧୯୪୮ ପୂଜା ବିଶେଷାଙ୍କ ଥିଁ ପ୍ରକାଶ୍‌ ପାଇଥିଲା । ସେଟାକେଟିକେ ମାଜିକରିଁ ଇ ବହିଥିଁ ରକା ହେଇଛେ । (ପାଣିଗ୍ରାହୀ ପଦ୍ୟାବଳୀ-ପୃ-୪୬) ।

 

ଏହାର ପୃଷ୍ଠଭାଗରେ କବିବନ୍ଧୁ ରାଧାମୋହନ ଗଡ଼ନାୟକଙ୍କର ଏଗାରଟି କବିତାର ସମ୍ବଲପୁରୀ ଅନୁବାଦ ସଂଯୋଜିତ କରାଯାଇଛି । ଏହି ପୁସ୍ତକଟି ମଧ୍ୟ ବନ୍ଧୁ ଗଡ଼ନାୟକଙ୍କୁ ସେ ସେମାନଙ୍କର ପଚାଶ ବର୍ଷର ବନ୍ଧୁତାର ସ୍ମାରକରୂପେ ସମର୍ପଣ କରିଥିଲେ । ନୀଳମାଧବଙ୍କର ଅନ୍ତରଙ୍ଗ କବିବନ୍ଧୁ ରାଧାମୋହନ ଗଡ଼ନାୟକ ଇତିହାସ, ଜନଶ୍ରୁତି ଓ କିମ୍ବଦନ୍ତୀର ଆଧାରରେ ଅନେକ କବିତା ଲେଖିଥିଲେ । ବିଶେଷତଃ ପଶ୍ଚିମ ଓଡ଼ିଶାର କେତେକ କିମ୍ବଦନ୍ତୀ ଓ ଜନଶ୍ରୁତିର ଆଧାରରେ ୧୯୮୬ ମସିହାରେ ରାଧାମୋହନ ନଅଟି ଗାଥା କବିତା ସମ୍ୱଳିତ ଗ୍ରନ୍ଥ ‘ହୀରାଖଣ୍ଡର ଗାଥା’ ରଚନା କରିଥିଲେ । ଏହାର ଚାରିବର୍ଷ ପରେ ପ୍ରକାଶିତ ନୀଳମାଧବଙ୍କ ସମଲପୁର୍‌ର କଥା ରଚନାକୁ କବିବନ୍ଧୁଙ୍କର ଗାଥା- ଗ୍ରନ୍ଥ ଯେ ପ୍ରରୋଚିତ୍‌ କରି ନଥିବ, ଏହା କୁହାଯାଇପାରିବ ନାହିଁ ଅବଶ୍ୟ ‘କୋଶଲ୍‌’ରେ ପ୍ରକାଶିତ କବିତାଂଶ ୧୯୮୪ରୁ ଲେଖକଙ୍କର ସମ୍ବଲପୁରୀ ଭାଷା ଓ ସାହିତ୍ୟର ସମୃଦ୍ଧି ସାଧନ ନିମନ୍ତେ ମାନସିକ ପ୍ରସ୍ତୁତିର ସୂଚନା ଦିଏ ।

 

ହୀରାଖଣ୍ଡ- ବସନ୍ତମିଳନ ସ୍ମରଣିକା- ୧୯୮୩ରେ ପ୍ରକାଶିତ ଲାଲ ରଘୁନନ୍ଦନ ସାଏଦେଓଙ୍କର ‘ସମ୍ବଲପୁର ଅଞ୍ଚଳର ମନ୍ଦିର ଓ ସ୍ଥାପତ୍ୟର ବୈଶିଷ୍ଟ୍ୟ ଶୀର୍ଷକ ପ୍ରବନ୍ଧ, ଶିବ ପ୍ରସାଦ ଦାସଙ୍କର ରଚିତ ପୁସ୍ତକ ସମ୍ବଲପୁର ଇତିହାସ, ଡଃ ନବୀନ କୁମାର ସାହୁଙ୍କର Buddhism in Orissa ଆଜି ଏହାର ଆଧାର ବୋଲି ସେ ଲେଖିଛନ୍ତି । ସମ୍ବଲପୁରର ଗଙ୍ଗାଧର ମିଶ୍ର ନାମକ ଜଣେ ସଂସ୍କୃତଜ୍ଞ ପଣ୍ଡିତ ସମ୍ବଲପୁରର ତତ୍‌କାଳୀନ ରାଜା ବଳିଆର ସିଂହ (୧୬୧୭-୫୭)ଙ୍କର ସଭାକବି ଥିଲେ । ସେ ସଂସ୍କୃତ ଭାଷାରେ ‘କୋଶଳ ନନ୍ଦ’ ନାମକ ଏକ କାବ୍ୟ ରଚନା କରିଥିଲେ । ଏହି କାବ୍ୟରେ ସେ ପାଟଣାର ଚୌହାଣ ବଂଶର ପ୍ରତିଷ୍ଠାତା ରମାଇଦେଓ ବା ରାମଚନ୍ଦ୍ର ଦେବଙ୍କୁ ହମ୍ବୀର ଦେବଙ୍କ ବଂଶଧର ବୋଲି ବର୍ଣ୍ଣନା କରିଥିଲେ । ତିରୋରୀ ଯୁଦ୍ଧରେ ତୃତୀୟ ପୃଥ୍ଵୀରାଜ ଚୌହାଣ ଏବଂ ତାଙ୍କର ପୁତ୍ର ରଣସିଂହ ନିହତ ହେବାପରେ (୧୧୯୩) ଚୌହାଣମାନେ ଗଡ଼ଶମ୍ଭର ଓ ଆଜମେରକୁ ପ୍ରତ୍ୟାବର୍ତ୍ତନ କରି କ୍ଷୁଦ୍ର କ୍ଷୁଦ୍ର ରାଜ୍ୟସ୍ଥାପନ କରି ରହିଥିଲେ । ବାରମ୍ୱାର ମୁସଲମାନମାନଙ୍କର ଆକ୍ରମଣ ହେତୁ ସେମାନେ ନିକଟସ୍ଥ ଏକ ପାର୍ବତ୍ୟଦୁର୍ଗରେ ଅବସ୍ଥାନ କରୁଥିବା ସମୟରେ ଦୁଇଜଣ ବିଶ୍ଵାସଘାତକଙ୍କୁ ହାତକରି ଆଲ୍ଲାଉଦ୍ଦୀନ ଖିଲଜି ଦୁର୍ଗ ଆକ୍ରମଣ କଲେ । ଏହି ଯୁଦ୍ଧରେ ହମ୍ବୀର ଦେବ ପରାସ୍ତ ଓ ମୃତ ହେଲେ । ସେତେବେଳେ ହମ୍ବୀର ଦେବଙ୍କ ରାଣୀ ଆଶାବତୀ ଅନ୍ତଃସତ୍ତ୍ଵା ଥିଲେ । ‘କୋଶଳାନନ୍ଦ’ କାବ୍ୟ ବ୍ୟତୀତ ଲକ୍ଷ୍ମଣ ମିଶ୍ରଙ୍କର ‘ନୃସିଂହ ମାହାତ୍ମ୍ୟ’ ଗ୍ରନ୍ଥରେ ମଧ୍ୟ ହମ୍ବୀର ଦେବ ଏବଂ ତାଙ୍କର ଅନ୍ତସତ୍ତ୍ୱାରାଣୀ ଆଶାବତୀଙ୍କର ଉଲ୍ଲେଖ ଅଛି । ୧୭୮୨ ମସିହାରେ ଛତିଶଗଡ଼ ଅନ୍ତର୍ଗତ ବିଳାସପୁର ଜିଲ୍ଲାର ସାରଙ୍ଗଗଡ଼ଠାରେ ପ୍ରହ୍ଲାଦ ଦୁବେ ନାମକ ଜଣେ ବ୍ରାହ୍ମଣ ହିନ୍ଦୀ ଭାଷାରେ ‘ଜୟ ଚନ୍ଦ୍ରିକା’ ନାମକ ଏକ କାବ୍ୟ ରଚନା କରିଥିଲେ । ଏହି ଅପ୍ରକାଶିତ କାବ୍ୟରେ ରମାଇ ଦେଓ ବା ରାମଚନ୍ଦ୍ର ଦେବଙ୍କୁ ଗଡ଼ଶମ୍ଭରର ଚୌହାଣ ବଂଶଜରୂପେ ବର୍ଣ୍ଣନା କରାଯାଇଛି । ଚୌହାଣ ବଂଶଲତା ସମ୍ବଲପୁର, ପାଟଣା ଓ ଖଡ଼ିଆଳ ଦରବାରରେ ରହିଥିବା ‘ସମ୍ବଲପୁର ଇତିହାସ’ର ଲେଖକ ଶିବପ୍ରସାଦ ଦାଶ ଲେଖିଛନ୍ତି । ରମାଇଦେଓଙ୍କ ମାତା ପାଟଣାଗଡ଼ରେ ପହଞ୍ଚି ସେଠାକାର ମୁଖ୍ୟ ମହଲ୍ଲିକ ଚକ୍ରଧର ପାଣିଗ୍ରାହୀଙ୍କ ଘରେ ଆଶ୍ରୟ ନେଲେ । ସେହିଠାରେ ରମାଇ ଦେଓ ବା ରାମଚନ୍ଦ୍ର ଦେବଙ୍କର ଜନ୍ମ । ନିଜର କ୍ଷତ୍ରିୟୋଚିତ ପରାକ୍ରମ ବଳରେ ସେ ପାଟଣା ସିଂହାସନ ଆରୋହଣ (୧୩୨୦- ୧୩୫୦) କରିଥିଲେ । ଏହି ବଂଶର ଜଣେ ରାଜା ବୈଜଳଦେବ ଥିଲେ କୃଷିଶିଳ୍ପ ଓ ସାହିତ୍ୟର ପୃଷ୍ଠପୋଷକ । ଏହି ଚୌହାଣ ବଂଶଜ ଜଣେ ରାଜା ହୀରାଧର ଦେବଙ୍କର ଦୁଇପୁତ୍ର ନରସିଂହ ଓ ବଳରାମଦେବ । ବଳରାମ ଦେବ ହୁମାଦେଶ ବା ସମ୍ବଲପୁର ଅଞ୍ଚଳର ଶାସନଭାର ପାଇଥିଲେ । ବଳରାମ ଦେବ (୧୫୪୦-୬୦) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ଵରୀଙ୍କ ମନ୍ଦିର ନିର୍ମାଣ କରାଇଥିଲେ । କାବ୍ୟର କଥାବସ୍ତୁ ବର୍ଣ୍ଣିତ ହେବା ପୂର୍ବରୁ ‘ସଲାମ୍‌ ହୋ ବଳୀରାମ’ କବିତାରେ ଭିତ୍ତିସ୍ଥାପନ କାଳରେ ଆତ୍ମବଳୀ ଦେଇଥିବା ବଳୀରାମ ନାମକ ବର୍ଣ୍ଣିତ ଚରିତ୍ରକୁ ‘ଲାଖ୍‌- ସଲାମ’ କରି କବି ପ୍ରସଙ୍ଗ ଆରମ୍ଭ କରିଛନ୍ତି । ତାଙ୍କ ଭାଷାରେ- ‘ବଲାଙ୍ଗୀର ପାଟଣାଗଡ଼ର ବୀର ବଳରାମ ଦେବ ଖ୍ରୀ ୧୫୪୦ ପାଶ୍‌ ପାଶ୍‌ ଆସିକରି ଶକ୍ତିଦେବୀ ସମ୍‌ଲେଇର ପହିଲ ଗୁଡ଼ି ତିଆର୍‌ କରେଇଥିଲେ ସମଲପୁର ବସ୍ତି ବସେଇ ଥିଲେ ।’’

 

ପ୍ରାଚୀନ କାଳରୁ ଓଡ଼ିଶାରେ ଶାକ୍ତଧର୍ମର ପ୍ରାଧାନ୍ୟ ରହିଥିଲା, କିନ୍ତୁ ଯେତେବେଳେ-

 

ଉଡ଼ିଆ ଜନ୍‌ତା ଶକ୍‌ତି ପୂଜାର କଲା ଘୋର ଅବହେଲା

ଭକ୍‌ତି-ସାଗରେଁ ବୁଡ଼େଇ ବସଲାଜାତିର ସ୍ଵାଧୀନ୍‌ଭେଲା

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୪୮)

 

ସେତେବେଳେ ଅର୍ଥାତ୍‌ ପ୍ରତାପରୁଦ୍ରଙ୍କର ଶାସନ କାଳରେ ଯେତେବେଳେ ଓଡ଼ିଶାର ଜନତା ତଳପାର ଛାଡ଼ି ତୁଳସୀମାଳି ଜପ କଲା, କୀର୍ତ୍ତନ, ମୃଦଙ୍ଗ, ବାଦ୍ୟ ସର୍ବତ୍ର ନିନାଦିତ ହେଲା, ଗାଆଁ ଗାଆଁରେ ‘ନିତେଇ ଗଉର ବୋଲଉଚ୍ଚାରଣ କରି ଭକ୍ତିର ଭାଙ୍ଗ ପିଇ ଲୋକେ ଭୋଜି ବା ଆତ୍ମବିସ୍ମୃତ ହେଉଥିଲେ, ଯେତେବେଳେ ପଠାଣ ମୋଗଲ ଅତ୍ୟାଚାରରେ ଦେଶ ଅତିଷ୍ଠ ହେଉଥିଲା, ସେତେବେଳେ ଶକ୍ତିରୂପିଣୀ ଦେବୀଙ୍କର ଅର୍ଚ୍ଚନା ନିମନ୍ତେ ମହୁରୀ, ନିସାନ୍‌, ଢୋଲର ପ୍ରବଳ ଧ୍ଵନି ସମ୍ବଲପୁରର ଗଗନ ପବନକୁ ପ୍ରକମ୍ପିତ କରୁଥିଲା । ଶହଶହ ବର୍ଷ ପର୍ଯ୍ୟନ୍ତ ଶକ୍ତିଙ୍କର ଅନୁଗ୍ରହ ଏ ମାଟିକୁ ଅପରାଜେୟ କରି ରଖିଥିଲା । ଶକ୍ତିରୂପିଣୀ ଦେବୀ ତାଙ୍କର ହତିଆର ଧରି ଏ ଦେଶକୁ ଜଗି ରହିଥିଲେ । ଶକ୍ତିଙ୍କ ବଳରେ ବୀରମାଟି ସମ୍ବଲପୁର ଥିଲା ବଳୀୟାର । ଆଉ ଏହି ଶକ୍ତିପୂଜାର ଥାଳୀରେ ବଳୀରାମ ନାମକ ଜଣେ ବ୍ରାହ୍ମଣ ସପତ୍ନୀକ ଜୀବନ କୁସୁମ ସମର୍ପଣ କରିଥିଲେ । ସମଲେଶ୍ଵରୀ ମନ୍ଦିର ନିର୍ମାଣର ପୃଷ୍ଠଭୂମିରେ ଥିବା ଏହି ବ୍ରାହ୍ମଣ ବଳୀରାମଙ୍କୁ ଲକ୍ଷ୍ୟକରି କବି ଲେଖିଛନ୍ତି-

 

-ବୀର ବଳୀରାମ ! ତୁମର୍‌ ମହାନ୍‌ ନାମ୍‌

ନେଇ ନେଇ କରି ଆୟଜ୍‌ ‘ଖୁସ୍‌ରୋ’ ଦଉଛେ ତୁମ୍‌କେ ଲାଖ୍‌ସଲାମ୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ- ପୃ.୪୮)

 

ଏହାର ପ୍ରଥମ କବିତାକୁ କବି ‘ନମସ୍କ୍ରିୟା’ ଆଖ୍ୟା ଦେଇଛନ୍ତି । ଏହି କଥା-କାବ୍ୟଟି ଦଶଭାଗରେ ବିଭକ୍ତ । ପ୍ରଥମ ଭାଗ ‘ଏକ’ରେ ଅଛି ‘କ’ ଠାରୁ ‘ଛ’ ପର୍ଯ୍ୟନ୍ତ ଶୀର୍ଷକରେ ସାତଟି ଅଂଶ, ଦୁଇରେ ଅଛି ‘କ’ ଠାରୁ ‘ଜ’ ପର୍ଯ୍ୟନ୍ତ ଆଠଟି ଭାଗ, ତିନିରେ ‘କ’ ଠାରୁ ‘ଙ’ ପର୍ଯ୍ୟନ୍ତ ପାଞ୍ଚଟି, ଚାରିରେ ‘କ’ଠାରୁ ଛ ପର୍ଯ୍ୟନ୍ତ ସାତଟି ଭାଗ, ପାଞ୍ଚଠାରୁ ନଅ ପର୍ଯ୍ୟନ୍ତ କୌଣସି ଭାଗ ନାହିଁ । ଦଶମ ଅଂଶର ଶୀର୍ଷକ ଉପସଂହାର ।

 

ପ୍ରଥମ ଅଂଶ ବା ‘ଏକ’ର ‘କ’ ରୁ ବଲାଙ୍ଗିର ଅନ୍ତର୍ଗତ ପାଟଣାଗଡ଼ର ନାମ ଉଲ୍ଲେଖ କରାଯାଇଛି । କାରଣ ପାଟଣା- ରଜାଙ୍କର ଭାଇ ଜଣେ ଦିନେ ସମ୍ବଲପୁର ସ୍ଥାପନ କରିଥିଲେ । ‘ଖ’ ରେ ସାତଶହ ବର୍ଷ ପୂର୍ବେ ‘ରମେଇ’ ନାମକ ଜଣେ ଚୌହାଣ ଯୁବକ ପାଟଣାଗଡ଼ରେ ଶୁଭ ଲଗ୍ନରେ ଜନ୍ମ ନେଇଥିଲେ । କ୍ରମଶଃ ସେ ମହାବଳୀୟାର ହୋଇ ପାଟଣାଗଡ଼ରେ ପ୍ରଥମ ଚୌହାଣ ରାଜା ‘ରମାଇଦେବ’ ଏବଂ ତାଙ୍କର ସୁପୁତ୍ର ହୀରାଧର ଜନ୍ମଗ୍ରହଣ କରିଥିଲେ । ‘ଗ’ ଅଂଶରେ କବି ବୈଜଳ ଦେବଙ୍କର ନରସିଂହ ନାଥଠାରେ ସ୍ଥାପିତ ‘ନୃସିଂହନାଥ ମନ୍ଦିର’ ରୂପକ କୀର୍ତ୍ତିର ଉଲ୍ଲେଖ କରି କହିଛନ୍ତି ଯେ, ସ୍ଥାପତ୍ୟ କଳାକୁ ହୁଏତ ଦିନେ କାଳ କବଳିତ କରିନିଏ । କିନ୍ତୁ ଅକ୍ଷର ବା ସାହିତ୍ୟିକ କୀର୍ତ୍ତି ଚିର ଭାସ୍ଵର ଥାଏ । ‘ଏକ’ର ‘ଘ’ ପର୍ଯ୍ୟାୟରେ କବି ବୈଜଳ ଦେବ ଅକ୍ଷର- କୀର୍ତ୍ତି ରଖିଯିବାକୁ ନିଶ୍ଚୟ କରିଥିବା ଉଲ୍ଲେଖ କରିଛନ୍ତି । କାରଣ ବୈଜଳ ବୋଧହୁଏ ଅନୁଭବ କଲେ ଯେ-

 

ଦେଖ୍‌ଲେ କାଏଁସେ, ନାନା ଫୁଲର

      ମାଲା ଗୁଁଥା ସୂତାଗୁଟେ ଲେଖେଁ

ସଁସ୍‌କୃତ୍‌ ହାମର୍‌ ଭିତରେଁ ଭିତ୍‌ରେଁ

      ଭାଷାର ଗୁଣ ରଖିଛେ ଅନେକେଁ ।

(ପାଣିଗ୍ରାହୀ ପଦ୍ୟାବଳୀ-ଶୃ-୫୬)

 

ସଂସ୍କୃତ ଆମର ‘ମାଈ, ଆଈ, ଧାଈ ।’ ତେଣୁ ସଂସ୍କୃତ ଭାଷାର ଉନ୍ନତିବିଧାନ ହେଲେ ଭାରତୀୟ ଭାଷାମାନଙ୍କ ମଧ୍ୟରେ ଏକତ୍ଵ ଭାବ ସୃଷ୍ଟି ହୁଅନ୍ତି । ତେଣୁ ‘ଙ’ ରେ କବି କହିଛନ୍ତି ଯେ, ସଂସ୍କୃତ ଜୁହ୍ନା (ପୁରୁଣା) ହେଲେ ମଧ୍ୟ ସୁନ୍ଦର ଓ ଖାଣ୍ଟି ସୁନା ପରି ନିତ୍ୟ ନୂତନ । ବର୍ତ୍ତମାନ ସଂସ୍କୃତର ବ୍ୟବହାର ପୂଜାପର୍ବରେ ପୁରୋହିତମାନଙ୍କର ତୁଣ୍ଡରେ ବିକୃତ ରୂପ ଉଚ୍ଚାରିତ ମାତ୍ର ହେଉଛି । ତାଙ୍କର ‘ନଜର୍‌’ ମାତ୍ର ସମ୍ପ୍ରଦାନରେ -

 

ଭୁଜ୍‌ନି ଦଦ୍ୟାତ୍, ଡେବ୍‌ରି ଦଦ୍ୟାତ୍‌

      ଦା’ ଧାତୁଟା ପକ୍‌କାଥିସି ଧ୍ୟାନେଁ

କେନ୍‌ଟା ସଂସ୍କୃତ କେନ୍‌ଟା ବିକୃତ୍‌

      ୟଜ୍‌ମାନ୍‌ ଘଲେ ନିଜେଁ ନାଇଁ ଜାନେ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୫୮)

 

ଆହୁରି ମଧ୍ୟ ସଂସ୍କୃତ ବ୍ୟାକରଣର କ୍ଳିଷ୍ଟତା, ଶବ୍ଦ- ଧାତୁରୂପ ସୂତ୍ର ଇତ୍ୟାଦି ଛାତ୍ରମାନଙ୍କୁ ‘ଜୁନ୍‌ହା ଅନ୍ଧକୂପମନେହୁଏ ଏହାର ପ୍ରତିକାର ସ୍ୱରୂପ ବୈଜଇଦେବ ରଚନା କଲେ ‘ପ୍ରବୋଧ ଚନ୍ଦ୍ରିକା’ ବ୍ୟାକରଣ ଗ୍ରନ୍ଥ । କ୍ଲିଷ୍ଟ ସୂତ୍ରମାନଙ୍କର ସରଳ ବ୍ୟାଖ୍ୟା ଏଥିରେ ସେ କରିଥିଲେ । ଅକ୍ଷରରୂପକ କୀର୍ତ୍ତିର ଯେହେତୁ ମୃତ୍ୟୁ ନାହିଁ, ବୈଜଇଦେବ ତାଙ୍କର ସାହିତ୍ୟ ମାଧ୍ୟମରେ ଅମର ହୋଇ ରହିଛନ୍ତି । ‘ଦୁଇ’ରେ ବୈଜଳ ଦେବଙ୍କର ସୁପୁତ୍ର ହୀରାଧର ଉଭୟ ଶସ୍ତ୍ର ଓ ଶାସ୍ତ୍ରରେ ଧୁରନ୍ଧର ଥିଲେ । ଏକଦା ଗୌଡ଼ର ହୁସେନ୍‌ ଶାହାଙ୍କର ନିର୍ଦ୍ଦେଶ କ୍ରମେ ଇସ୍‌ମାଇଲ୍‌ ଗାଜି ଓଡ଼ିଶା ଆକ୍ରମଣ କରିଥିଲା, ସେହି ସମୟରେ ଓଡ଼ିଶାର ଗଜପତି ହୀରାଧରଂକର ସହାୟତା ଲୋଡ଼ିଥିଲେ-। ହୀରାଧର ସେନାନାୟକ ପଦରେ ପୁତ୍ର ବଳରାମଙ୍କୁ ନିଯୁକ୍ତ କରି ଗୌଡ଼ଦେଶର ସୈନ୍ୟଙ୍କୁ ପରାଜିତ କରିଥିଲେ । ହୀରାଧରଙ୍କର ଦୁଇପୁତ୍ର, ନରସିଂହ ଓ ବଳରାମ, ନରସିଂହ ରାଜଗାଦୀ ଅଧିକାର କଲେ ସତ୍ୟ, ମାତ୍ର ବଳରାମ ଥିଲେ ବୀର ଓ ନିର୍ଭୀକ । ତାଙ୍କର ଉଦ୍ୟମରେ ପାଟଣାରାଜ୍ୟ ଓଡ଼ିଶା ଗଜପତିଙ୍କର କର୍ତ୍ତୃତ୍ଵରୁ ମୁକ୍ତ ହୋଇ ସ୍ଵାଧୀନତା ଘୋଷଣା କଲା । ନରସିଂହ ହେଲେ ସ୍ଵାଧୀନ ଚୌହାଣ ଭୂପତି । ସମୟ କ୍ରମେ ଉଭୟ ଭାଇଙ୍କ ମଧ୍ୟରେ ସ୍ଵାର୍ଥଜନିତ ବିଭେଦ ସୃଷ୍ଟି ହେଲା । ବଳରାମଙ୍କ ଚରିତ୍ରର ପରିଚୟ ଦେବାକୁ ଯାଇ କବି ଲେଖିଛନ୍ତି-

 

ମୁଁଡେ ବୁଦ୍ଧି, ଦିହେଁ ଶକ୍ତି, ମନେ ସାହସ ଯା’ର

ଲଡ଼୍‌ବାର୍‌ଟା ଯା’ର ବୁତା, ଜାର୍‌ନେ ଥିସି ହଥିଆର୍‌

ଥିସି ପୌରୁଷ, ଆରୁ ସଚ୍ଚା ସ୍ଵାଭିମାନ୍‌ର ଜ୍ଞାନ୍

ସେନ୍‌ତା ପୁରୁଷ, ନୁର୍‌ସି ନିଜର ଲାଗି ସ୍ଵାଧୀନ୍‌ ଠାନ୍‌

(ପାଣିଗ୍ରାହୀ ପଦ୍ୟାବଳୀ, ପୃ. ୬୭)

 

ରାଜ୍ୟବିସ୍ତାର ନିମନ୍ତେ ଫୌଜ ଓ ଅସ୍ତ୍ର ପାଇଁ ଜ୍ୟେଷ୍ଠଭ୍ରାତାଙ୍କ ନିକଟରେ ବାରମ୍ୱାର ଅଳିକରି ବଳରାମ ନିରାଶ ହେଲେ । ନରସିଂହ ଦେବଙ୍କ ମାତା ଜ୍ୟେଷ୍ଠା ରାଜମାତା, କନିଷ୍ଠା ରାଣୀଙ୍କ ପୁତ୍ର ବଳରାମଙ୍କ ଅସନ୍ତୋଷର ଆଭାସ ପାଇଲେ । ଉଭୟପୁତ୍ରଙ୍କୁ ରାଜମାତା ଅଙ୍ଗନଦୀ ତୀରବର୍ତ୍ତୀ କଳାପଥର ନାମକ ସ୍ଥାନକୁ ନେଇ ଅଙ୍ଗନଦୀର ଉତ୍ତରଭାଗ ବଳରାମଙ୍କୁ ଏବଂ ଦକ୍ଷିଣଭାଗ ନରସିଂହଙ୍କର ବୋଲି ଭାଗ କରିଦେଲେ । ଅଙ୍ଗନଦୀର ଉତ୍ତରଭାଗ ବଳରାମ ଶାସନ କରିଥିଲେ, ସେ ଯେପରି ସାମ୍ରାଜ୍ୟ ବିସ୍ତାର କରିଥିଲେ, ସେହିପରି ସମ୍ବଲପୁର ସହର ସ୍ଥାପନ ଓ ସମଲେଶ୍ଵରୀ ମନ୍ଦିର ନିର୍ମାଣକରି ସୁଖ୍ୟାତି ଅର୍ଜନ କରିଥିଲେ । ସମ୍ବଲପୁରର ଜନୈକ ରାଜା ବଳୀୟାର ସିଂହ ଦେବ (୧୯୧୭-୫୭)ଙ୍କର ରାଜସଭାର ପଣ୍ଡିତ ଗଙ୍ଗାଧର ମିଶ୍ର ତାଙ୍କର ‘କୋଶଳାନନ୍ଦ’ ନାମକ କାବ୍ୟରେ ଲେଖିଥିଲେ-

 

- ସ୍ୱଶୌର୍ଯ୍ୟ ନିଷ୍କାସିତ ବୈରୀସଂହତିଃ ନ ଯସ୍ୟରୂପେଣ

ସମୋରତେଃ ପତିଃ ।

ବିଭୂବ ଭୂମିତଳ ଶୀତଳଦ୍ୟୁତିଃ ବଳୋନ୍ନତିଃ ଶ୍ରୀବଳରାମଭୂପତିଃ

(କୋଶଳାନନ୍ଦ- ବିଂଶ ସର୍ଗ-ଶ୍ଳୋକ-୧)

 

ରାଜା ଛତ୍ରସିଂହ ଦେବ (୧୬୫୭-୧୬୯୫)ଙ୍କ ରାଜତ୍ୱ କାଳରେ ରାଜଦରବାରରେ ରାଜବୈଦ୍ୟ ଥିବା ଗୋପୀନାଥ ଷଡ଼ଙ୍ଗୀ ନାମକ ବ୍ୟକ୍ତି ‘ଚିକିତ୍ସା ମଞ୍ଜରୀ’ ନାମକ ଚିକିତ୍ସାଗ୍ରନ୍ଥ ରଚନା କରିଥିଲେ । ଏଥିରେ ମଧ୍ୟ ସେ ଲେଖିଛନ୍ତି-

 

ବଳରାମ ଇତି ଖ୍ୟାତୋ ଭୂପାନାଂ ଭୂତି ସନ୍ତତୈଃ

ଯେନ ବିସ୍ତାରିଣ କୀର୍ତ୍ତିଃ ସନ୍ତି ପ୍ରାଦେଶ ଭୂମିପା ।

 

ଗଙ୍ଗାଧର ମେହେର ମଧ୍ୟ ‘ଉତ୍କଳଲକ୍ଷ୍ମୀ’ରେ ଲେଖିଥିଲେ-

 

ଘାଣ୍ଟିହେଲା ମନ ନ ଦେଖି ତହିଁରେ

      ରମାଇ ବଂଶର ଜଣେ,

ବଳରାମ ଦେବ କମଳ କୁମାରୀ

      ପଡ଼ିଲେ ସେ କାଳେ ମନେ ।

(ଗଙ୍ଗାଧର ଗ୍ରନ୍ଥାବଳୀ - ୨ୟ ସଂସ୍କରଣ-ପୃ.୧୯୯୬)

 

‘ଅର୍ଘ୍ୟଥାଳୀ’ରେ ଗଙ୍ଗାଧର ‘ବଳରାମ ଦେବ’ ଶୀର୍ଷକ କବିତା ଲେଖିଥିଲେ । ପଶ୍ଚିମ ଓଡ଼ିଶାର ଏହି ପ୍ରବାଦ ପୁରୁଷ ବଳରାମ ଦେବଙ୍କ ପ୍ରସଙ୍ଗ ସହିତ ସମ୍ବଲପୁର ଓ ସମ୍ବଲପୁରୀର ବୈଶିଷ୍ଟ୍ୟ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ‘ସମଲପୁରର କଥା’ରେ ବର୍ଣ୍ଣିତ ହୋଇଛି ।

 

ପ୍ରଥମେ ବଳରାମ ବରପାଲି ବରଗଡ଼ ଓ ଭଟଲିରେ ଗଡ଼ ନିର୍ମାଣ କଲେ । କ୍ରମଶଃ ସ୍ଥାନୀୟ ସରଦାରମାନଙ୍କୁ ପରାସ୍ତ କରି କରି ହୁମା ରାଜ୍ୟ ବିସ୍ତାର କଲେ । ମହାନଦୀର ଦକ୍ଷିଣ ତୀରରେ ଥବା ଚାଉଁରପୁର ନିକଟରେ ମୃଗୟା ଅବସରରେ ବଳରାମ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ରାଜାଙ୍କର ଶିକାରୀ କୁକୁର ଗୋଟିଏ ଠେକୁଆକୁ କିଛିଦୂର ଗୋଡ଼ାଇ ଯିବା କିଛି ସମୟ ପରେ ରାଜା ଦେଖିଲେ ଯେ, ଠେକୁଆଟି କୁକୁରକୁ ଗୋଡ଼େଇଛି ଏବଂ କୁକୁରଟି ପ୍ରାଣବିକଳରେ ପଳାୟନ କରୁଛି । ରାଜା ଠେକୁଆକୁ ଅନୁସରଣ କରିବାକୁ ପ୍ରୟାସ କଲେ, କିନ୍ତୁ ତା’ର ସନ୍ଧାନ ଆଉ ପାଇଲେ ନାହିଁ । ଅର୍ଦ୍ଧରାତ୍ରରେ ରାଜାଙ୍କୁ ସ୍ଵପ୍ନରେ ଲଂକେଶ୍ଵରୀ ଦେଖାଦେଲେ । କହିଲେ-

 

ବୟଲେ, ମକେ ଖର୍‌ହା ରୂପେଁ ଦେଖ୍‌ଲୁଝାରେଁ ଆୟଜ୍‌

ଅଛେ ଇଚ୍ଛନ୍ ସେମେଲ୍‌କୁଦେଁ, ଇସବ୍‌ମୋର ରାୟଜ୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୭୮)

 

ହଜାର ହଜାର ବର୍ଷ ପୂର୍ବରୁ ଏଠାରେ ତାଙ୍କର ଅଧିଷ୍ଠାନ । କାଳର ‘ଧୁକାଗରେଲ୍‌ ମାଡ଼’ରେ କେତେ ରାଜାଙ୍କର ପତ୍ତା ଉଡ଼ିଯାଇଛି, ବିସ୍ମୃତ ହୋଇଯାଇଛି ସଭ୍ୟତା । ଦିନେ ଏଠାରେ ଇନ୍ଦ୍ରଭୂତିଙ୍କର, ଆବିର୍ଭାବ ହୋଇଥିଲା । ସାତଶହ ବର୍ଷ ପୂର୍ବେ ସେ ‘ଜ୍ଞାନସିଦ୍ଧି’ ରଚନା କରିଥିଲେ । ଅନେକ ଚକ୍ରବର୍ତ୍ତୀଙ୍କର ଅବସାନ ହୋଇଛି । କିନ୍ତୁ ଧର୍ମର ଆଶ୍ରୟରେ ରହିଥିବାରୁ ଇନ୍ଦ୍ରଭୂତି ଏବେ ମଧ୍ୟ ସ୍ମରଣୀୟ । ଧର୍ମହାନି ହେଲେ ପାପ, ଅଧର୍ମ ବୃଦ୍ଧିପାଏ ସତ୍ୟ, କିନ୍ତୁ ସେହି ସମୟରେ ଈଶ୍ଵର ଅବତାର ଗ୍ରହଣ କରି ଧର୍ମର ପ୍ରତିଷ୍ଠା କରନ୍ତି । ଏହି ଅଞ୍ଚଳରେ ଧର୍ମର ପ୍ରତିଷ୍ଠା ନିମନ୍ତେ ବଳରାମ ଦେବ ପ୍ରେରିତ ହୋଇଛନ୍ତି । ତେଣୁ ଯେତେ ରାଜ୍ୟବୃଦ୍ଧି ନିମନ୍ତେ ଯୁଦ୍ଧ କଲେ ମଧ୍ୟ ଧର୍ମକୁ ସର୍ବଦା ତୋର ଅସ୍ତ୍ର କରିଥିବୁ । ମହାନଦୀର ଅପର ପାର୍ଶ୍ଵରେ ସୁର୍‌ଗୁଜା । ସେଠାକାର ଅହଂକାରୀ ରାଜା ମୋତେ ପୂଜା କରେ ନାହିଁ ଦିନେ ତାକୁ ମୁଁ ସ୍ୱପ୍ନରେ ଜଣାଇବା ସତ୍ତ୍ୱେ ସେ ମତେ ଖଣ୍ଡେ ପ୍ରସ୍ତର ମାତ୍ର ବୋଲି ମନେକରେ ।

 

-ଜ୍ଞାନୀମାନେ ମାନ୍‌ସନ୍‌, ମୁଇଁ ମାଆ ମହାମାୟୀ

ଆଦିଶକ୍‌ତି, ମଙ୍ଗଳା, କାଲୀ, ଶ୍ରୀଦୁର୍ଗା ବାଗ୍‌ହୀ

ମାତଂଗୀ, ରାମଚଂଡ଼ୀ ଆରୁ ଭୁବନେଶ୍ଵରୀ ମୁଇଁ

ଲଂକେଶ୍ଵରୀ ଅଛେଁ, ହେମି ସମଲାଇ ଇଭୂଇଁ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୮୦)

 

ଯେଉଁ ସ୍ଥାନରେ ଦେବୀଙ୍କର ମନ୍ଦିର ନିର୍ମିତ ହେବ, ତାହା ବର୍ତ୍ତମାନ ସୁରଗୁଜାର ଇଲାକା-। ଯୁଦ୍ଧରେ ସେ ଅବଶ୍ୟ ପରାସ୍ତ ହେବ । ସେମେଲ୍‌ କୁଦ ପାର୍ଶ୍ଵରେ ପ୍ରାଚୀନ ସମ୍ବଲ ଜନବସତି । ମୋର ମନ୍ଦିର ଗଢ଼ିଲେ ମୁଁ ସମସ୍ତଙ୍କର ମଙ୍ଗଳ କରିବି । ନଗର ହେବ ସମ୍ବଲପୁର, ରାଜ୍ୟ ହୀରାଖଣ୍ଡ । ଏହି ଅବସରରେ କବି ଏ ଅଞ୍ଚଳର ବୈଶିଷ୍ଟ୍ୟ ବର୍ଣ୍ଣନା କରିଛନ୍ତି ।

 

ହୀରାସୁନାର ଏ ଅଞ୍ଚଳର ଜନସାଧାରଣଙ୍କର ଜୀବନଶୈଳୀ ସରଳ, କିନ୍ତୁ ବିଚାରଶୈଳୀ ଉନ୍ନତ । ଏଠାକାର ଭାଷା-

 

ଇନିର୍‌ ଲୁକ୍‌ର କଥା କେନ୍‌ନେ କଅଁଲ କେନ୍‌ନେଟାନ୍‌

ଯାହାହଉ, ନୁହେ ମହୁ ମେସାଲା ବିଷାନ୍‌ ।

ଇନିର୍‌ ଭାଷି ଅଲଗ୍‌ ଭାଷି, ନୁହେ ଫକତ୍‌ ‘ବୁଲି’

ଇଟା ଇନିର୍‌ ଲୁକେ ନିଜେ ଯାଉଥିବେ ଭୁଲି ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୮୧)

 

ଏଠାକାର ସରଳ କବି ଲେଖକମାନେ ଓଡ଼ିଆ ମାଇଁକୁ ମାଆ ମନେକରନ୍ତି । ଓଡ଼ିଆ ଭାଷାର ସେବା କରନ୍ତି । କିନ୍ତୁ ଭୁଲିଯାଆନ୍ତି ମାତୃଭାଷାର ସ୍ଵାତନ୍ତ୍ର୍ୟ । ଏ ଅଞ୍ଚଳର ଭାଷାରେ ଅ’କାର ରଖି ଶବ୍ଦ ଉଚ୍ଚାରଣ କଲେ ମାଆର ଅପମାନ ହୁଏ । କେବେ ଆଉ ଏଠାକାର ଜନସାଧାରଣ ମାତୃଭାଷା ସଚେତନ ହେବ ? ଆଗରୁ ଏଠାକାର ଜଣେ କବି-

 

-ଉଁ ଚା ହେବାର୍‌ ଲାଗି ୟଦି ଆଶା ଅଛେ ମନେଁ

ଉଁଚା କର ଆଘ ମାତ୍‌ରୁ ଭାଷା ବଲି ଝନେ

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୮୨)

 

ବୋଲ କହିଯାଇଛନ୍ତି । ସମୟ ଆସିବ ଏଠାକାର କବି ଓ ଲେଖକମାନେ ସମ୍ବଳପୁରୀରେ ଲିଖିତ ସାହିତ୍ୟ ସୃଷ୍ଟି କରି ଏହାର ସ୍ଵାତନ୍ତ୍ର୍ୟ ପ୍ରତିପାଦନ ନିମନ୍ତେ ପ୍ରତିଶୃତିବଦ୍ଧ ହେବେ । ଶେଷରେ ଦେବୀ କହିଲେ ଯେ, ଏ ଅଞ୍ଚଳ ତ୍ୟାଗର ଭୂମି, ଲୋକ ସେବାର ମହତ୍ତ୍ଵ ଜାଣନ୍ତି ଅତଏବ ସମସ୍ତଙ୍କର ସହଯୋଗରେ ହେ ରାଜା ସମ୍ବଲପୁର ନାମକ ନଗରସ୍ଥାପନ କର ।

 

ରାଜା ନିଦ୍ରାରୁ ଉଠି ଚିନ୍ତା କଲେ ଏହା ସ୍ଵପ୍ନ ବା ସତ୍ୟ ? ଯାହାହେଉ ଦେବୀଙ୍କ ନିମନ୍ତେ ମନ୍ଦିର ନିଶ୍ଚୟ ଗଢ଼ାଯିବ । କାର୍ଯ୍ୟ ଆରମ୍ଭ ହେଲା । ଆଶ୍ଚର୍ଯ୍ୟର କଥା ଯେତେଥର ଯୋଡ଼ିଲେ ମଧ୍ୟ ମୁଖଶାଳାର ମୁଖ୍ୟସ୍ତମ୍ଭ ଦୁଇଟି ଢଳି ପଡ଼ୁଥାଏ । ରାଜା ନିଜେ ରହି କାର୍ଯ୍ୟ ତଦାରଖ କଲେ । ତଥାପି ହେଲା ନାହିଁ । ଶେଷରେ ରାଜା ମା’ ଲଙ୍କେଶ୍ଵରଙ୍କର ପୂଜା, ଯଜ୍ଞ, ହୋମ ଆଦି କଲେ । ଦେବୀ ଆବିର୍ଭୂତା ହୋଇ ବଳୀରାମ ନାମକ ଏକ ଚିତ୍ରସାଧକଙ୍କୁ ଅନ୍ଵେଷଣ କରି ଆଣିବାକୁ ଆଦେଶ ଦେଲେ । ଶ୍ରୀଯୁକ୍ତ ପାଣିଗ୍ରାହୀ ଏଠାରେ କିଛି କାବ୍ୟିକ- କୌଶଳ ପ୍ରୟୋଗ କରି ତାନ୍ତ୍ରିକକୁ ସ୍ଵୟଂଶିବରୂପୀ ଏବଂ ତାଙ୍କର ପତ୍ନୀଙ୍କୁ ଦେବୀ-ସ୍ଵରୂପା ବୋଲି ବର୍ଣ୍ଣନା କରିଛନ୍ତି । ଯାହାକୁ ଶ୍ମଶାନରେ ଦର୍ଶନ କରି ଅର୍ଦ୍ଧରାତ୍ରରେ ରାଜା ଭୟଭୀତ ହୋଇଯାଇଥିଲେ । ସ୍ଵପ୍ନରେ ଦର୍ଶନ ଦେଇ ଦେବୀ ପୁନର୍ବାର ତାଙ୍କୁ କହିଲେ -

 

ଚିହ୍ନିନାଇଁ ପାର୍‌ଲୁ ନିଜର ମାଁ ବୁଆକେ ? ସୃଷ୍ଟିର କୌଣସି ମହାନ୍‌ କାର୍ଯ୍ୟ କରିବା ନିମନ୍ତେ ଶିବ ଓ ଶକ୍ତିଙ୍କର ମିଳିତ ସହଯୋଗ ଆବଶ୍ୟକ । ରାଜା ବୁଝିଗଲେ ଶକ୍ତିଙ୍କର ସହାୟତା ବ୍ୟତୀତ ଏ ପୃଥିବୀରେ ପତ୍ରଟିଏ ସୁଦ୍ଧା ହଲିପାରେ ନାହିଁ । ପରଦିନ ପ୍ରତ୍ୟୁଷରୁ ବଳରାମ ସସ୍ତ୍ରୀକ ଆସିଲେ ଓ ଉଭୟ ଖମ୍ବପାଖରେ ଜଣେଲେଖାଁ ଠିଆ ହୋଇଗଲେ । ଆଦେଶ ହେଲା, ଏଥର ପଥର ଯୋଡ଼ା ଯାଉ ରାଜା ବିସ୍ମିତ ହୋଇଗଲେ । ଜୀବନ୍ତ ନରନାରୀ ଦୁଇଜଣଙ୍କୁ ସମାଧି କିପରି ଦେବେ ? ରାଜାଙ୍କର ଇତଃସ୍ତତଃ ଭାବନା ମଧ୍ୟରେ କେଉଁ ଅଦୃଶ୍ୟ ପ୍ରେରଣାରେ ମିସ୍ତ୍ରୀମୀନେ କାମ ଆରମ୍ଭ କଲେ । ମେରୁ ଖମ୍ବ ପରି ଠିଆ ହୋଇଥିବା ନାରୀ ପୁରୁଷଙ୍କ ଚତୁଃପାର୍ଶ୍ଵରେ ପଥର ସଜାଡ଼ି ଯୋଡ଼ି ଦିଆଗଲା । କାର୍ଯ୍ୟର ସମାପ୍ତି କାଳରେ ଦୁଇଜଣ ଅପରିଚିତ ବୃଦ୍ଧ ଆସି ଦୁଃଖିତ ଭାବରେ ‘ସର୍‌ଲା’ ଓ ‘ବୁଡ୍‌ଲା’ ବୋଲି ଉଚ୍ଚାରଣ କଲେ । କିମ୍ବଦନ୍ତୀ କହେ, ଶାକ୍ତ ପୀଠ ନିମନ୍ତେ ଆତ୍ମୋତ୍ସର୍ଗ କରିଥିବା ‘ବୁର୍‌ଲା’ ଗ୍ରାମଦାନ କରିଥିଲେ ।

 

ଉପସଂହାରରେ କବି ଏହି ମନ୍ଦରରେ ଦେବୀ ସମଲେଶ୍ଵରୀଙ୍କର ଅଧିଷ୍ଠାନ ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି । ଏହାପରେ ରାଜା ବଳରାମଙ୍କର ସୁର୍‌ଗୁଜା ଉପରେ ବିଜୟ । ଗାଙ୍ଗପୁର ରାଜକନ୍ୟା କମଳକୁମାରୀଙ୍କର ପାଣିଗ୍ରହଣ, ସୁର୍‌ଗୁଜା ଉପରେ ପୁନର୍ବାର ଆକ୍ରମଣ ଏବଂ ଘମାଘୋଟ ଲଢ଼େଇ ପରେ ସୁର୍‌ଗୁଜାର ରାଜା ସନ୍ଧି ପ୍ରସ୍ତାବ ଦେଇ ନିଜର କନ୍ୟାକୁ ବଳରାମଙ୍କୁ ସମର୍ପଣ କରିଥିଲେ । ପନ୍ଦରଟି ଅଞ୍ଚଳ ଜୟକରି ରାଜା ସମଲେଶ୍ଵରୀଙ୍କର ବିଜୟବାନା ଉଡ଼ାଇବାକୁ ସମର୍ଥ ହୋଇଥିଲେ । ସମଲେଶ୍ଵରୀ ଓ ସମ୍ବଲପୁରର ଗୌରବ ଓ ସୁଖ୍ୟାତି ପରିବ୍ୟାପ୍ତ ହେଲା ।

 

‘ସମଲପୁରର କଥା’ ସଙ୍କଳନରେ କବି ଏ ଅଞ୍ଚଳର ଭୌଗୋଳିକ ଅବସ୍ଥିତି ଓ ଭାଷାର ଐତିହ୍ୟ ସହିତ ଶାକ୍ତପୀଠ ଭାବରେ ସମ୍ବଲପୁରର ମହତ୍ତ୍ଵ ଦର୍ଶାଇବା ନିମନ୍ତେ ରଚନା କରିଛନ୍ତି ।

 

ଏଥିରେ ପ୍ରୟୋଗ କରାଯାଇଥିବା ଭାଷା ସମ୍ପର୍କରେ ଲେଖକ କହିଛନ୍ତି- ‘ସମଲ୍‌ପୁରର୍‌ କଥା’ ନେ ଯେନ୍‌ ଭାଷାର୍‌ ବେଭାର କରା ହେଇଛେ ସେ ସମଲପୁରୀ ଭାଷା ସମଲ୍‌ପୁର୍‌ ସହର ପାଖେଁ ପାଖେଁ ଶିକ୍ଷିତ ସମଲ୍‌ପୁରିଆମାନ୍‌କର ଠାନୁ ‘ଶୁନା ଯାୟସି । ସେଟା ହିଁ ଲେଖକର ମାତୃଭାଷା । ହେଲେଁ, କେତେ ସଂସ୍କୃତ୍ ଶବ୍‌ଦ ଆର୍‌ ପଶ୍ଚିମ ଉଡ଼୍‌ଶାର୍‌ ଉନ୍ୟା ଆଡ଼୍‌ର ଗୁଟା କେତେ ଶବ୍‌ଦ ମିଶେ ସମଲପୁର୍‌ର କଥା’ ନେ ସାଦର୍‌ ଲଗା ହଇଛେ ।’’

 

ଏହାର ଛନ୍ଦଗତିକତା ସମ୍ପର୍କରେ ସେ କହିଛନ୍ତି - ‘ସମଲ୍‌ପୁରର କଥା’ କେ କିଛି ହଉ ଶ୍ରୁତିମଧୁର୍‌ କର୍ବାର ଲାଗି ମିତ୍ରାକ୍ଷରାନ୍ତ, ଛନ୍ଦୋବଦ୍ଧ ଧାଡ଼ିମାନ୍‌କେଁ ସଜା ହେଇଛେ । ଧାଡ଼ିମାନ୍‌କେ ମୁଖିଆ ଭାବେଁ ଅକ୍ଷରମିତ ଛନ୍ଦ (Syllabic metre) ପ୍ରଯୁକ୍ତ ହଇଛେ, କେନ୍‌ କେନ୍‌ ଠାନେ ମାତ୍ରିକ୍‌ ଛନ୍ଦ ଅଛେ ।’’ ( ପ୍ରାରମ୍ଭିକ ସୂଚନା ସମଲ୍‌ପୁରର୍‌ କଥା ।)

 

‘ସମଲ୍‌ପୁରର କଥା’ ଶୀର୍ଷକ ସଙ୍କଳନରେ ଦୁଇଟି ବ୍ୟଙ୍ଗକବିତା ସ୍ଥାନ ପାଇଛି । କବିସୂର୍ଯ୍ୟଙ୍କର ‘ସର୍ପଜଣାଣ’ ଅନୁକରଣରେ ‘ଡାୟଭର୍‌ଜନାନ୍‌’ ଏବଂ ‘ମମି ଆରୁ ଡେଡ଼ି’ ।

 

କୃପାସିନ୍ଧୁ ବଦନ ପରିବର୍ତ୍ତେ -

କୃପାସିଂଧୁ ହେ ଭଗବାନ

ତୁମର ପଦମ୍‌- ପାଦେଁ ଆମର୍‌ ଶରନ

ଆମେ ସଭେ ଯନ୍ତର, ତୁମେ ତା’ର ଚାଲକ୍‌

ସବ୍‌କେ ବାଟେନିଅହେ ନାରାୟନରୁ

ଆରମ୍ଭ କରି ଗୀତ ଲେଖିଛନ୍ତି-

ମାହାପ୍ରୁ ! ତୁଇଁ କଢ଼େ କୁର୍‌ପନ୍‌

କୁଚ୍ଛି, କୁହାପେଟା, ପଖନୁ- କରପନ୍‌

ହେଲେଁ ଭି ଗୁଲ୍‌ଗୁଲା ନିକରୁ ହୁଲ୍‌ଗୁଲା

ଜହ ଛାପ୍‌କି ଦେସୁ ତୋର୍‌ କୁପୀଧନ୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୦୭)

 

ବିଷମ ସଂସାରରୁ ପରିତ୍ରାଣ ପାଇବା ପାଇଁ ଜଣାଇଲେ ଫଳ ବିପରୀତ ହୁଏ –

 

ରିପଟ୍‌ କଲେଁ ତତେ ବଲ୍‌ସୁ, ନିସତ୍‌ ପୁତେ !

      ଖରସି ଲିପି ଧର୍‌ସା କର ଚିକନ ।

ତୁଇ ଡାଇଭର ବାହୁଛୁ ମଟର

      ଆମ୍‌ହେ ପାସେନ୍‌ଜର ଗୌଁଲିଆଜନ

ଟିକଟ୍‌ କାଟିକରିଁ ବିକଟ୍‌ ଝାରୁଁହରି

      ତୋର୍‌ ନିକଟ ନେବାକେ କଲୁଁ ଭଜନ

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୦୮)

 

ଏହି କବିତାର କବି ଭକ୍ତ ହନୁମାନ ଦାସ ବୋଲି ନିସାନ୍‌-୧ ରେ ପ୍ରକାଶିତ କବିତାରେ ଲେଖିଥିଲେ- ଉପସଂହାରରେ ଲେଖିଛନ୍ତି-

 

କରିଛେ ସର୍ଜନ ହେଦୁଜିନ ଗନ

      ଇ ସର୍ପ ଜନାନ ହନୁକରନ

ଉଡ୍ରୀ ସମ୍ବଲପୁରୀ ମିଶ୍ରନ ମାଧୁରୀ

      ପାନ କରି ପୂରି ଉଠିବାମନ ।

(ପାଣିଗ୍ରାହୀ ପଦ୍ୟାବଳୀ- ପୃ. ୧୦୮)

 

ଅନ୍ୟ ବ୍ୟଙ୍ଗ କବିତା ‘ମମି ଆରୁ ଡେଡି’ ନିସାନ୍‌‌ରେ ପ୍ରୌଢ଼ଶିକ୍ଷା ଶୀର୍ଷକରେ ପ୍ରକାଶିତ ହୋଇଥିଲା । ଇଂରାଜୀ ସଭ୍ୟତାର ପ୍ରଭାବରେ ଭାରତୀୟ ସଂସ୍କୃତିର କିପରି ଅବକ୍ଷୟ ଘଟୁଛି, ତାହା ଏହାର ପ୍ରତିପାଦ୍ୟ ପ୍ରସଙ୍ଗ । କବିଙ୍କ ଭାଷାରେ- ମା’ ଶବ୍ଦ ଯୁଗଯୁଗରୁ ପ୍ରଚଳିତ ହୋଇ ଜିହିଁ ଯାଇଛି ବା ଅବକ୍ଷୟ ପ୍ରାପ୍ତ ହୋଇଛି । ମିଇଁ ମିଇଁ କରି ବଁଚିବା ଅପେକ୍ଷା ସେ ଝଟ୍‌ ମରିଯାଉ । ହର୍‌ଦମ୍‌ ମମି କହ, ନ ହେଲେ ଏହାର ମା’ ମାନ୍‌କର୍‌ ମାନ କମିଯିବା ।

 

ବାପ୍‌ ନାଇଁ କହ ପାପ୍‌ ହେବା ଜହ କହନ ଫାଦର ଡେଡି

x      x      x      x      x      x

ସାସ୍‌ କି ସସୁର୍ ବୟଲେଁ କସୁର୍‌ ବଲିଶିଖ ଇନ୍- ହେଅ ।

 

ମୃଦଙ୍ଗ, ତବ୍‌ଲା ବଦଳରେ ଇଂଲିଶ୍‌ ବାଦ୍ୟ ବଜାଅ । ଭାରତର ସଂସ୍କୃତ ଆର୍‌ ସଂସ୍କୃତି ପୁରା ଅସ୍‌କଟ୍‌ । ନାଶ୍‌କର ଝଟ୍‌, ମାଗି ଆନ ସବ୍‌ ନୂଆଁ-

 

ଫୁଟୁ ଦେଶଭର୍‌ ଦେଖନ୍‌ ସୁନ୍ଦର ଫାଇନ୍ ଫରେନ୍ ଫୁଲ୍‌

ଉତ୍ସକ ନିଜର୍‌ ଭାଷା କଲ୍‌ଚର୍‌ ନାଇଁ ରଖ ବିଲକୁଲ୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୧୦)

 

‘ସମଲପୁରର କଥା’ ସଙ୍କଳନରେ ସ୍ଥାନିତ ଶେଷ କବିତା ‘ବିଦାୟ ଦଉଛେଁ ରାଜୀବ ରାୟ’-। ଏହି କବିତାଟି ନିସାନ୍‌-୫ରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ଦେଶର ଗଣତାନ୍ତ୍ରିକ ପଦ୍ଧତିର, ଭୋଟ୍‌ ରାକ୍‌ସର୍‌ ଲୋକ୍‌ ଖାଉ ଭୋକ୍‌କୁ ସମାଲୋଚନା କରିଛନ୍ତି । ଧର୍ମ-କରତରେ ବ୍ରିଟିଶ୍‌ ଶାସନ ଅନ୍ତେ ଦେଶକୁ ଦୁଇଭାଗ କରାଗଲା । ବର୍ତ୍ତମାନ ଧର୍ମ ନାମରେ ପାଗଳ ନୂଆ ଦଳ ଦେଶ ଭାଙ୍ଗିବାକୁ ଉଦ୍ୟତ । ଏହି ଧର୍ମୀୟ ରାଜନୀତିର ନାନା ଉତ୍‌ପାତ, ହାନ୍‌, ମାର୍‌ କାଟ୍‌, ଲୁଟ୍‌ପାଟ୍‌ ରାଜନୀତିରେ ରାଜୀବଙ୍କର ଜୀବନ ଅକାଳରେ ବଳି ପଡ଼ିଗଲା ବୋଲି କବି ଦୁଃଖ ପ୍ରକାଶ କରିଛନ୍ତି ।

 

(ଖ) କୋଶଲିକା- (୧୯୯୩)

ଅଠରଟି କବତା ସମ୍ୱଳିତ ଏ ସଙ୍କଳନ ୧୯୯୩ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ‘ସମଲ୍‌ପୁରର କଥା’ରେ ସମ୍ବଲପୁରର ଐତିହ୍ୟ ଓ ସଂସ୍କୃତି ପ୍ରସଙ୍ଗ ବର୍ଣ୍ଣନା କରିବା ପରେ ଏଥିରେ ସେ ଭାଷାର ବୈଶିଷ୍ଟ୍ୟ ଓ ସ୍ଵାତନ୍ତ୍ର୍ୟ ଦର୍ଶାଇଛନ୍ତି । ପ୍ରାଗ୍‌ଭାଷ ରୂପେ ଲିଖିତ, ‘ମୁହଁର ମୁହଁର୍‌ ରାଗାଲାପ’ରେ ସେ ଲେଖିଛନ୍ତି- ‘କୋଶଲୀ (ସମଲ୍‌ପୁରୀ) ମୋର୍‌ ଆରୁ ଜୁନ୍‌ହାଁ ଦଖିନ୍ କୋସଲ୍, ଏଭର୍ ହୀନ୍ କପାଲ୍‌ ପଛିମ୍‌ ଉଡ୍‌ସାର ଏକ୍‌ କୋଟି ଲୁକର୍‌ ମାତୃଭାଷା ନାୟଁତ ସଂଯୋଗ ଭାଷା । ଇ ଭାଷାକେ ଓଡ଼ିଆ ଭାଷାର ଗୁଟେ କୁଲ୍‌ବୁଡ଼ି, କିସ୍‌ମି ଭାଷା ବଲିଁ ପ୍ରାୟ ଶହେ ବଛର୍‌ ପୂବେଁ ପ୍ରଚାର କରାହେଲା x x x ହାମର୍ ସେତେବେଲେଁ ମାତୃଭାଷାର ଚେତନା ନାଇଁ-ଥାଇ ଆରୁ ସବୁଥୁ ବଡ଼୍‌ ଅଭାବ୍ ଥିଲା ଲିଖିତ ସାହିତ୍ୟ । (ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୧୫)

 

ବିଗତ ପଚାଶବର୍ଷ ମଧ୍ୟରେ ଅବଶ୍ୟ ଏହି ଭାଷାରେ ଲିଖିତ ସାହିତ୍ୟର ବିକାଶ ହୋଇଚାଲିଛି । ମୌଖିକ ଭାବରେ ପୂର୍ବରୁ ପ୍ରଚଳିତ, ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ଗୀତଗୁଡ଼ିକ ମଧ୍ୟ ଲିପିବଦ୍ଧ ହେବାରେ ଲାଗିଛି । ଏ ଭାଷାର ଅନୁଧ୍ୟାନ କରି ପଣ୍ଡିତଗଣ ଅନୁଭବ କଲେଣି ଯେ, ଏହା ଓଡ଼ିଆଠାରୁ ପ୍ରାଚୀନତର ଭାଷା । ଲେଖକଙ୍କ ମତରେ, ଆର୍ଯ୍ୟମାନେ ଉତ୍ତର ଭାରତରୁ ଦକ୍ଷିଣ ଦିଗକୁ ସଭ୍ୟତା ବିସ୍ତାର କରି ଅଗ୍ରସର ହେବା ସମୟରେ ବିନ୍ଧ୍ୟପର୍ବତର ଦକ୍ଷିଣପୂର୍ବ ଦିଗରେ ପ୍ରବାହିତ ମହାନଦୀବାଟେ ପୂର୍ବ ଓଡ଼ିଶାକୁ ଯାଇଥିଲେ । ଅନ୍ୟଦଳ ସିଧା ପୂର୍ବ ଉପକୂଳକୁ ଯାଇ ବସତି ସ୍ଥାପନ କରିଥିଲେ । ଏହି ପ୍ରସଙ୍ଗରେ ପଣ୍ଡିତ ଜୟଚନ୍ଦ୍ର ନାରଙ୍ଗ, ଡଃ ସୁନୀତି କୁମାର ଚାଟାର୍ଜୀଙ୍କ ପରି ବିଦ୍ଵାନ୍ ଗବେଷକଗଣଙ୍କର ଆଲୋଚନା ଲକ୍ଷ୍ୟଣୀୟ । ‘Cultural Heritage of India’ ଗ୍ରନ୍ଥମାଳାର ପ୍ରଥମ ଗ୍ରନ୍ଥର ବର୍ଣ୍ଣନା ଅନୁସାରେ, ଯେଉଁ ଆର୍ଯ୍ୟମାନେ ଦକ୍ଷିଣ କୌଶଳ ଅଞ୍ଚଳରେ ରହିଗଲେ ସେମାନେ ସ୍ଥାନୀୟ ଆଦିବାସୀଙ୍କର ସହିତ ପରସ୍ପରର ଭାଷା ବିନିମୟ କ୍ରମେ ସୃଷ୍ଟି କଲେ କୋଶଲୀ (ସମ୍ବଲପୁରୀ) ଭାଷା । ତେଣୁ ଏକ ପ୍ରାଚୀନ ତଥା ବହୁପୂର୍ବରୁ ପ୍ରଚଳିତ ଆର୍ଯ୍ୟଭାଷା ସ୍ଥାନୀୟ ଆଦିବାସୀ ଶବ୍ଦ ସମ୍ଭାର ସମନ୍ୱିତ ହୋଇ କିଞ୍ଚିତ୍‌ ନୂତନ ବା ପରିବର୍ତ୍ତିତ ରୂପ ଗ୍ରହଣ କରିଛି । ଏହି ଭାଷାରେ ସଂସ୍କୃତଠାରୁ ଅଧିକ ପ୍ରାଚୀନ ଅନେକ ବୈଦିକ ଶବ୍ଦର ପ୍ରୟୋଗ ପରିଲକ୍ଷିତ ହୁଏ । ବୈଦିକ କରୀଷ ଏବଂ ସମ୍ବଲପୁରୀ ଖର୍‌ସି (ଗୋବର) ଏହିପରି ସାଦୃଶ୍ୟଧର୍ମୀ ଶବ୍ଦ । ଏ ଭାଷା ତେଣୁ ଓଡ଼ିଆର ଉପଭାଷା ନୁହେଁ ଏକ ସ୍ଵତନ୍ତ୍ର ଓ ସମାନ୍ତରାଳ ଭାଷା । ଲେଖକଙ୍କ ମତରେ ଏକଦା ବଂଗାଳୀମାନେ ଓଡ଼ିଆକୁ ଯେପରି ସେମାନଙ୍କର ଉପଭାଷା ବୋଲି କହୁଥିଲେ, ବର୍ତ୍ତମାନ ସମ୍ବଲପୁରୀର ସ୍ଥିତି ତାହା, ପ୍ରାଥମିକ ସ୍ତରରେ ଏହି ଭାଷାରେ ଶିକ୍ଷାଦାନ କରାଯିବା ଉଚିତ୍‌ ବୋଲି ଲେଖକଙ୍କର ମତ । ‘କୋସ୍‌ଲିକା’ରେ ଅଠରଟି କବିତା ସଙ୍କଳିତ ହୋଇଥିବା ସ୍ଥଳେ ‘ପାଣିଗ୍ରାହୀ ପଦ୍ୟାବଳୀ’ରେ ‘ଭୋଟ୍‌ ସୁହ୍ନେଇ’ ନାମକ ଗୋଟିଏ ଅଧିକ କବିତା ସଂଯୋଜନ କରାଯାଇଛି । ଏହି ସଙ୍କଳନର ଅନେକ କବିତା କବିଙ୍କର ମାତୃଭାଷାପ୍ରୀତିର ନିଦର୍ଶନ ।

 

ସଙ୍କଳନର ପ୍ରଥମ କବିତାର ଶୀର୍ଷକ ‘କୋଶଲଗୀତିକା’ । ଏଥିରେ ସେ କୋଶଳ-ଜନନୀଙ୍କର ବନ୍ଦନା ଓଜଃଦୀପ୍ତ ଭାଷାରେ ଗାନ କରିଛନ୍ତି -

 

ଆଦିମ କୀର୍ତ୍ତିନିବହ ମହନୀୟା ହୀରକଜନନୀ ଜନନୀ ମଦୀୟା

ପାଦଯୁଗଲସୁତଶିର ବହନୀୟା ଜନନୀ

ଭୂତଲ ସଞ୍ଚିତ ରତ୍ନବିଶାଲା ଘନ ବନ ଗୁମ୍ଫିତ ଭୂଧରମାଲା

ପ୍ରକୃତି ମନୋରମ ଚିତ୍ରଣଶାଲା ଜନନୀ x x x

ବନ୍ଦେ କୋଶଲ ଜନନୀ । (ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୧୯)

 

ସଂସ୍କୃତ ଭାଷାରେ ରଚିତ ଏହି ଉଦ୍‌ବୋଧନଧର୍ମୀ ଗୀତିକାରେ କୋଶଲ ଜନନୀଙ୍କର ବନ୍ଦନା ପରେ କବି କଲମ୍‌ବୋ ମୋର୍‌ ଶୀର୍ଷକରେ ନିଜର ଲେଖନୀକୁ ଲକ୍ଷ୍ୟକରି ଲେଖିଛନ୍ତି-

 

ଲରୋଥରୋ ମୋର୍‌ କଲମ୍‌ ! ଜୁଆନ ଲୁହା ଖଁଡେ

ତୁଇ ବନିଯା’ ! ପଜେଇ ଦେବାନ ଲୁହୁର ।

ନିଜର ଖୁନ ଥିଁ ଶାନ୍‌ ଦେମିତକେ ମାନ୍‌କଥା ମୋର୍‌ ମାନିଯା’

ହାନ୍‌ବୁ ଆଘ୍‌ଲୋ ମକେ, ପଛେଁ ଫେର୍‌ ଛାଞ୍ଚବୁ

ଅସତ୍ ପୁହୁରା ।

x      x      x      x      x

ମୁଇଁ ସେତେବେଲେଁ ନାଇଁ ଥାୟଁ

ଲୁକି ଯାଇଥିବା ମୋର୍‌ ଚେହେରା ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ ୧୨୦/ ୧୨୧)

 

ଏହି ସଙ୍କଳନର ‘ହରି ହୋ ହରି’, ‘କଁସଲା ମାଆଁରନସ୍‌ଲାରୂପ’ ମାଆର ମାଟି ପାନି ହାମର୍ ଗଙ୍ଗାଗୟା କାଶୀ, ହାମେନାଇଁ ମାନୁ ଉଡ଼୍‌ଶା ଦିବସ, କୋଶଲ ହାମର୍ ଦେଶ୍‌ ଆଦି କବିତା ତାଙ୍କର ମାତୃଭୂମି ଓ ମାତୃଭାଷା ପ୍ରତି ଗଭୀର ଅନୁରାଗର ନିଦର୍ଶନ । ‘ମେହେର୍‌ କବିର କୁଶନ କମାନି’ ଓ ‘ଶାବନପୁନି’ ଶୀର୍ଷକ ଦୁଇଟି କବିତାରେ ସେ ଗଙ୍ଗାଧରଙ୍କର ମହାନ୍ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଛନ୍ତି । ବାମଣ୍ଡାର ସାହିତ୍ୟପ୍ରେମୀ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କର ଜ୍ୟେଷ୍ଠପୁତ୍ରର ବ୍ରତୋପନୟନ ଅବସରରେ ବରପାଲି ଜମିଦାରଙ୍କ ସହିତ ତାଙ୍କର କର୍ମଚାରୀ ଭାବରେ ଗଙ୍ଗାଧର ମଧ୍ୟ ଯାଇଥିଲେ । ବରପାଲି ଜମିଦାର କୁଶନରେ ଆସୀନ ଥିବା ସମୟରେ ଗଙ୍ଗାଧର ନିକଟରେ ଦଣ୍ଡାୟମାନ ଥିଲେ । ଏହି ଦୃଶ୍ୟ ଗୁଣଗ୍ରାହୀ ବାମଣ୍ଡା ରାଜାଙ୍କୁ ବ୍ୟଥିତ କରିଥିଲା ଓ ସେ ପରମ ଆଦରରେ ନିଜ ନିକଟରେ ଗଙ୍ଗାଧରଙ୍କୁ ଆସନ ପ୍ରଦାନ କଲେ । ବରପାଲି ଜମିଦାର ପ୍ରତିବାଦ କଲେ- ‘ଇଏ ମୋର ଜଣେ ଛୋଟ ନୌକର ।’ ବାମଣ୍ଡା ରାଜା ଉତ୍ତର ଦେଲେ- ‘ତମର ନୌକର୍‌ ସିନେ, ରଜା ମୋର ହୁର୍‌ଦର୍‌ ।’ ବରପାଲି ଜମିଦାର ବୁଝିପାରିଲେ-

 

କବିର ଅଧିନ ଅସୀମ ଆକାଶ ଆର୍‌ ସାରା ସଂସାର

ସମ୍ରାଟ ମିସେ କବିଠାରୁ ସାନ୍ ଜମିଦାର୍‌ କାଏଁ ଛାର୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୩୧)

 

ଏହି ଘଟଣା ଭଗବାନ ମେହେରଙ୍କର ପିତୃ ପ୍ରସଙ୍ଗରୁ ଉଦ୍ଧୃତ ହୋଇଛି । ଶାବନ ପୁନି କବିତାରେ-

 

ଉପେକ୍ଷିତା ଜନମ୍‌ ଭୂଇଁର ପଖନ୍‌ ଗୁଢ଼ିମାଟି

ନଦୀନାଲା ଝରନ୍‌ ପଗାର୍‌‌ ତିରିଥି ଡଁଗର୍‌ ଘାଟି ।

ଖୁଜି ନୁରି ନୂଆଁ କରି

କିଏ ଜୀବନ୍ ଦେଲା ଭରି ?

ସୃଜି ଦେଲା ମାଆର୍‌ ଲାଗି କିଏ ନୂଆଁ ଖ୍ୟାତି ?

ମା ଆର୍‌ ଲାଗି କାହାର ହୁରୁଦ୍‌ ହଉଥିଲା ଘାଁଟି ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୪୦)

 

‘କୋଶଲିକା’ରେ ସେ ସମ୍ବଲପୁରର ମହାନ୍‌ ବ୍ୟକ୍ତିତ୍ଵମାନଙ୍କର ସ୍ମୃତିଚାରଣ କରି ଲେଖିଛନ୍ତି, ‘ଋଷି ଜନାର୍ଦ୍ଦନ’ ‘ଶ୍ରଦ୍ଧାକର ସୂପକାର’ ଆଦି କବିତା । ଏହା ବ୍ୟତୀତ ଏଥିରେ ‘କର୍ଣ୍ଣକୁନ୍ତୀ ବଚନିକା’ ଏବଂ ‘ମାନବର ଚାହି ବୟରିର ଭଲ୍‌ଗୁନ୍’ ଦୁଇଟି ପୌରାଣିକ ଆଖ୍ୟାୟିକାଧର୍ମୀ ଦୀର୍ଘକବିତା । ଭାବୀ ମହାଭାରତ ଯୁଦ୍ଧର କଳ୍ପନାରେ ଅସ୍ଥିର ହୋଇ ରାଜମାତା କୁନ୍ତୀ ଗଙ୍ଗାନଦୀ ତୀରରେ ଦାନଧର୍ମରତ କର୍ଣ୍ଣଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ସଂଧ୍ୟାର ଅସ୍ତଗାମୀ ଆଲୋକରେ- ‘ଝୁର୍‌ମୁରାଲା ପଦମ୍‌ଫୁଲ ଲେଖେଁ କୁନ୍ତୀ କର୍ଣ୍ଣଙ୍କର ପାର୍ଶ୍ଵରେ ଦଣ୍ଡାୟମାନ ହେଲେ । କର୍ଣ୍ଣ ପ୍ରଣାମ କରି ପ୍ରଶ୍ନ କଲେ- ‘ସ୍ୱତ୍‌ କୁଲର୍‌ ଇ ପୁଓ ରାନୀର୍‌ କର୍‌ବାକାଣାସେବା ?’ କୁନ୍ତୀ ନିଜର ଅଭିପ୍ରାୟ ବ୍ୟକ୍ତକଲେ-

 

ବଡ଼ପୁଓରେ ! ଆ ମୋର୍‌ କୁଲ୍‌କେ, ଆପୁତା ! ଆ ଫିରି । କର୍ଣ୍ଣ ଉତ୍ତର ଦେଲେ-

କର୍ନ ମଲେ ପାଁଚ୍‌ କି ଅର୍‌ଜୁନ୍ ମଲେ ମିଶେ ପାଁଚ୍‌

ପୁଓ ତମ୍‌ହର୍‌ ରହିଥିବେ, ନାଇଁ ଆସେ ଆଞ୍ଚ୍‌ ।

କିଛି ଉନା ନାଇଁ ହୁଏ, ଥିବା ଅଛେ ଯାହା

ଆହା କେଡ଼େ ଯଶୋବନ୍ତୀ ତମ୍‌ ହେ ଗୋ ମୋର ମାଆଁ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୩୭)

 

କୁନ୍ତୀ କର୍ଣ୍ଣଙ୍କୁ ଆଳିଙ୍ଗନ କଲେ-ତୁ ଚାରିଟା ଭାଇଙ୍କର ପ୍ରାଣରକ୍ଷା କଲୁ, ରଣଭୂମିରେ ଏହା ପାଳନ କରିବୁ ନିଶ୍ଚୟ । କର୍ଣ୍ଣ ମାତାଙ୍କର ପାଦଛୁଇଁ ପ୍ରତିଜ୍ଞା କଲେ । ଏକ କରୁଣ ରସାତ୍ମକ ମିଳନର ଭାବପୂର୍ଣ୍ଣ ପ୍ରସଙ୍ଗ ଏଥିରେ ବର୍ଣ୍ଣିତ । କର୍ଣ୍ଣ ପ୍ରତି କବିଙ୍କର ଆକର୍ଷଣର ଅନ୍ୟ ଏକ ଦୃଷ୍ଟାନ୍ତ ହେଉଛି, ‘ମାନବାର୍‌ ଚାହି, ବୟରିର୍‌ ଭଲ୍‌ ଗୁନ୍‌’ କବିତା । କୃଷ୍ଣଙ୍କର ମୁଖରୁ କର୍ଣ୍ଣର ପ୍ରଶଂସା ବାରମ୍ବାର ଶୁଣି ଅର୍ଜୁନ ସାମାନ୍ୟ ବ୍ୟଥିତ ହେଲେ । ଅନ୍ତର୍ଯ୍ୟାମୀ କୃଷ୍ଣ ଏହା ଜାଣିପାରି ଦିନେ ସଖା ଅର୍ଜୁନଙ୍କୁ ନେଇ ଯୁଧିଷ୍ଠିରଙ୍କର ଦରବାରରେ ଛଦ୍ମବେଶୀ ବ୍ରାହ୍ମଣ ବେଶରେ ଉପସ୍ଥିତ ହେଲେ । ଯଜ୍ଞ ନିମନ୍ତେ ଶହେ ମହଣ ଚନ୍ଦନକାଠର ଆବଶ୍ୟକତା ଜଣାଇଲେ । ଦୋକାନ ବଜାର ହାଟରେ ଏତେ କାଠ ମିଳିଲା ନାହିଁ । କର୍ଣ୍ଣଙ୍କ ନିକଟକୁ ଉଭୟେ ଗଲେ । କର୍ଣ୍ଣ ଜାଣିଲେ କାଠ ଯୋଗାଡ଼ ହେବାର ଉପାୟ ନାହିଁ । ଜଙ୍ଗଲରୁ ଆଣିଲେ ମଧ୍ୟ କଞ୍ଚା ପଡ଼ିବ । ଜଳିବ ନାହିଁ । ଶେଷରେ କର୍ଣ୍ଣ ତାଙ୍କ ‘ମହଲ୍‌’ର ଝରକା କବାଟ ଦ୍ଵାରବନ୍ଧ ସବୁ ଭାଙ୍ଗି ଖଣ୍ଡଖଣ୍ଡ କଲେ ଏବଂ ଶହେ ମହଣରୁ ଅଧିକ ଚନ୍ଦନକାଠ ଗଦା କରିଦେଲେ । ଅର୍ଜୁନ ବୁଝିଗଲେ -

 

ମୁନ୍‌ସର‌୍ ଦିହେଁ ମିଶାମିଶି ହେଇ ଭଲମନ୍ଦ ଗୁନ୍‌ ଅଛେ

ମାନ୍‌ବାର୍‌ ଚାହି ତାର୍‌ ଯାହା ଭଲ୍‌ ବୟରୀ ହଉସେ ପଛେ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୪୮)

 

ଏହା ବ୍ୟତୀତ ଏ ସଙ୍କଳନରେ, ‘ଏହଲିଆବୋ’, ଅଗଷ୍ଟ ପନ୍ଦର ନବେର ଆବାଜ୍‌’, ଜାନା ଆନାର ହିସାବ୍‌ ବେକାର୍‌ ହାମର୍‌ ରାମରାୟଜ୍‌' ରବିର ଛାୟ ଆର୍‌ ଖରା’ ନିଜର କାଜେ ସ୍ଵକ୍ତି ଓ ‘ଭୋଟ ସୁହ୍ଲେଇ’ ଶୀର୍ଷକ କବିତା ଅଛି । ରବିର ଛାୟ ଆର୍‌ ଖରା ବିଶ୍ଵକବି ରବୀନ୍ଦ୍ରଙ୍କର ଦୁଇଟି କବିତାର ଅନୁବାଦ । ‘ଭୋଟ୍‌ ସୁହ୍ଲେଇ’ରେ ନିର୍ବାଚନୀ ସ୍ଵଚ୍ଛତା ପ୍ରସଙ୍ଗ ସେ ଉଠାଇଛନ୍ତି । ବିଶେଷତଃ ୧୯୯୧ ମସିହା ମେ’ ମାସର ନିର୍ବାଚନ ସମୟରେ ଏହା ରଚିତ । ତାଙ୍କର ବାଲ୍ୟକାଳରେ ଷୋହଳ ପ୍ରକାର ଦ୍ରବ୍ୟ ତେଲାନି (ମାଟି ପାତ୍ର ବିଶେଷ)ରେ ରଖି ଜ୍ଵାଇଁମାନଙ୍କୁ ସମର୍ପଣ କରାଯାଉଥିବା ଏକ ଅନୁଷ୍ଠାନ ବିଶେଷ ‘ସୁହ୍ଲେଇ’ । ତାଙ୍କର ଜାମାତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କୁ ସେ ଏହା ସମର୍ପଣ କରିଥିଲେ । ୧୬ଟି ପର୍ଯ୍ୟାୟରେ ବର୍ଣ୍ଣିତ ଏ କବିତାର ଉପସଂହାରରେ କବି କହିଛନ୍ତି-

 

ମୁଇଁ ନିଜେ କାଁୟ ଭଲ୍‌ଟେ ଭାୟଲ୍‌ ଯେ ?

      ନୁହେ ଭଲ୍‌ ଜାନ୍‌ବାର,

ଭଲ୍‌ ହେଲେ ମୁଇଁ ଭଲ୍‌କେ ବାଛ୍‌ମି

      ଭଲ୍‌ ହେବା ସରକାର ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୫୮)

 

‘ପ୍ରାଣିଗ୍ରାହୀ ପଦ୍ୟାବଳୀ’ରେ ସ୍ଥାନୀତ ‘କୋଶଲିକା’ର ଅଧିକାଂଶ କବିତା ନୀଳମାଧବଙ୍କର ମାତୃଭାଷା ପ୍ରୀତିର ନିଦର୍ଶନ । ବନ୍ଧୁ ରାଧାମୋହନଙ୍କ ‘ଉତ୍କଳିକା’, କୈଶୋରିକା ଆଦି ଶୀର୍ଷକର ଅନୁସରଣରେ ସେ ଏହାର ନାମ କୋଶଲିକା ରଖିଛନ୍ତି ।

 

(ଗ) ଝାରେଁ ଝାରେଁ ଫୁଟୁ ଝାର୍‌ମଲୀ ଭାର୍‌ ଭାର୍‌-

ନୀଳମାଧବ ପାଣିଗ୍ରାହୀ ଏହି ଦୀର୍ଘକବିତାଟି ରାଧାନାଥଙ୍କର ‘ଯଯାତି କେଶରୀ’ (୧୮୯୫)ର ବିଷୟ ବିନ୍ୟାସକୁ ସମାଲୋଚନା କରି ଲେଖିଛନ୍ତି । ମହାଯାତ୍ରା (୧୮୯୨) ପରେ ରାଧାନାଥଙ୍କର ପ୍ରତିଭାର ବିପର୍ଯ୍ୟୟ କାଳରେ ସୃଷ୍ଟି ହୋଇଥିବା ଏହି ପ୍ରଣୟ କାବ୍ୟରେ ଯଯାତି ଓ ଲଳିତାଙ୍କ ଗୁପ୍ତ-ପ୍ରଣୟ ପ୍ରସଙ୍ଗ କବି ବର୍ଣ୍ଣନା କରିଥିଲେ । ନୀଳମାଧବ ଏହି କାବ୍ୟର କଥାବସ୍ତୁ ଆରମ୍ଭ କରିବା ପୂର୍ବରୁ ରାଧାନାଥଙ୍କୁ ପ୍ରଣାମ ଜଣାଇ ଲେଖିଛନ୍ତି-

 

ହାମର୍‌ ଲାଗି ସେ କାବ୍ୟ ସାଗରେଁ

ମଗର୍‌, ସେ ଯୁଗେଁ ଗୁରୁ

(ଯାହାର୍‌ ପାହା କେ ମୋର୍‌ ଶହଶହ

ଜୁହାର ବହୁତ୍‌ ଧୁରୁଁ ।)

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୬୦)

 

କୋଶଲର୍‌ ରାଜା ଯଯାତିଙ୍କୁ ମଗଧ ନିବାସୀ ବୋଲି ବର୍ଣ୍ଣନା କରିଥିବାରୁ ରାଧାନାଥଙ୍କୁ ସେ ସମାଲୋଚନା କରିଛନ୍ତି । ମେହେର କବିଙ୍କର ‘କୀଚକବଧ’ର ‘ଛିନୁ’, ଶବ୍ଦକୁ ରାଧାନାଥ ନାପସନ୍ଦ କରିଥିଲେ । ଦକ୍ଷିଣକୋଶଳର ନାମଗନ୍ଧ ସୁଦ୍ଧା ତାଙ୍କର କାବ୍ୟରେ ଉଲ୍ଲେଖ ନଥିଲା, ବରଂ ‘ଯଯାତି କେଶରୀ’ର କାବ୍ୟନାୟକଙ୍କୁ ମଗଧର ବୋଲି ଉଲ୍ଲେଖ କରି ତାଙ୍କର ଚାରିତ୍ରିକ ଦୁର୍ବଳତା ଦର୍ଶାଇଥିବାରୁ ନୀଳମାଧବ ପାଣିଗ୍ରାହୀ ଦୁଃଖିତ ହୋଇଛନ୍ତି । ରାଧାନାଥ ପ୍ୟାରୀମୋହନଙ୍କ ‘ଓଡ଼ିଶାର ଇତିହାସ’ ପୁସ୍ତକକୁ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ପଢ଼ା ହେବା ନିମନ୍ତେ ସୁପାରିଶ୍‌ କରିଥିଲେ । ସେ କ’ଣ ଜାଣିନାହାନ୍ତି ଯଯାତି କିଏ ଓ କିପରି ବ୍ୟକ୍ତି ଥିଲେ ? ଯାଜପୁରର ରାଜ୍‌ମହଲକୁ ମହାରାଜା କୋଶଳେଶ ଯଯାତି କେଶରୀ ଚୋରଲଂପଟ ପରି ନାରୀବେଶ ଧାରଣ କରି ପ୍ରବେଶ କରିଥିଲେ ? ରାଜକନ୍ୟାର ସଖୀ ଭାବରେ ରାତିଏ ରହିବାର ଅନୁମତି ପାଇଗଲେ । ରାଧାନାଥ ଯଯାତି ଓ ରାଜକନ୍ୟା ଲଳିତାଙ୍କର ପ୍ରଣୟ-ଲୀଳାକୁ ଅନାବୃତ୍ତ ରୀତିରେ ବର୍ଣ୍ଣନା କରିଥିବାରୁ ଲେଖକ ମର୍ମାହତ ହୋଇଛନ୍ତି । ଶେଷରେ ଦେବାଦେଶ ମନେକରି ଅପୁତ୍ରିକ ରାଜା ଯଯାତିଙ୍କୁ କନ୍ୟା ସହିତ ସ୍ଵ ସାମ୍ରାଜ୍ୟ ସମର୍ପଣ କରିଦେଲେ । ଯଯାତି ଶ୍ଵଶୁରଙ୍କର ଅନୁଗ୍ରହରୁ ଓଡ଼ିଶାର ଅଧିଶ୍ଵର ହୋଇଗଲେ ।

 

ଏହାର ଘୋର ପ୍ରତିବାଦ କରିଛନ୍ତି ଶ୍ରୀଯୁକ୍ତ ପାଣିଗ୍ରାହୀ । ସୋନପୁର ଯାହାର ମୂଳ ରାଜଧାନୀ ଥିଲା, ଯେ ସୋମବଂଶୀ ‘ଜନ୍ମେଜୟ’, ଉଡ୍ର ବିଜୟୀବୀର, ଯିଏ ବିନିକାକୁ ନିଜର ଦ୍ଵିତୀୟ ରାଜଧାନୀ କରିଥିଲେ, କଟକର ଚୌଦ୍ଵାର ଯାହାର ଗଡ଼ ଥିଲା, ସେହି ବୀରପୁରୁଷଙ୍କୁ ମଗଧରୁ ଆଗତ ଏବଂ ଗୁପ୍ତପ୍ରେମରେ ଲିପ୍ତ ବୋଲି ରାଧାନାଥ ବର୍ଣ୍ଣନା କରିଥିବାରୁ ସେ ଦୁଃଖିତ ହୋଇଛନ୍ତି-। ଯେତେବେଳେ ରାଜା ଯଯାତି ଉପକୂଳରେ ରାଜଧାନୀ ସ୍ଥାପନ କଲେ, ସେତେବେଳେ ତାଙ୍କର ରାଜକୀୟ ବେଶପୋଷାକ, ସଂଭ୍ରମ, କୋଶଳ ଦେଶର ମହୁରୀ, ନିସାନ୍‌, ଢୋଲର ଧ୍ୱନି ଆକାଶ ପୃଥିବୀକୁ ପ୍ରକମ୍ପିତ କରିଥିବ । ରାଜାଙ୍କର ଶହ ଶହ ଧ୍ଵଜା ଫରଫର ଉଡ଼ିଥିବ । ମହାରାଣୀଙ୍କ ସହିତ ରାଜା ଯଯାତି ନୂତନ ରାଜଧାନୀ ସ୍ଥାପନର ବିଜୟ ଉତ୍ସବ ପାଳନ କରିଥିବେ । ଏକଥା ନ ଲେଖି ରାଧାନାଥ ଯଯାତିଙ୍କୁ ଚୋର କରିଦେଲେ ? ‘ସମ୍ବଲପୁର ଇତିହାସ’ର ଲେଖକ ଶିବପ୍ରସାଦ ଦାଶଙ୍କ ମତରେ, ସୋମଗୁପ୍ତ ବଂଶର ରାଜା ଥିଲେ ଚଣ୍ଡୀହର ଯଯାତି । ମାଦଳାପାଞ୍ଜି ଅନୁସାରେ ଏହାଙ୍କଠାରୁ କେଶରୀବଂଶ ଆରମ୍ଭ ହୋଇଥିଲା । ସେ କୌଣସି ତାମ୍ର ଶାସନରେ ନିଜକୁ କର୍ଣ୍ଣାଟ, ରାଢ଼, ଗୌଡ଼, ଲାଟ ଓ ଗୁର୍ଜର ବିଜେତା ବୋଲି କହିଛନ୍ତି ? ସେ ଜଣେ ପରାକ୍ରମୀ ରାଜା ଥିଲେ । ତାଙ୍କ ସମୟରେ ଭୁବନେଶ୍ୱରର ପର୍ଶୁରାମେଶ୍ୱର ଓ ବ୍ରହ୍ମେଶ୍ୱର ମନ୍ଦିର ନିର୍ମିତ ହୋଇଥିଲା । ବ୍ରହ୍ମେଶ୍ଵର ମନ୍ଦିର ଯଯାତିଙ୍କ ପତ୍ନୀ କୋଳାବତୀ ନିର୍ମାଣ କରିଥିବା ଶିଳାଲିପିରେ ବର୍ଣ୍ଣିତ ଅଛି । ‘ଓଡ଼ିଶା ଇତିହାସ’ରେ ଡଃ ହରେକୃଷ୍ଣ ମହତାବ ଯଯାତିଙ୍କ ଶାସନକାଳ ୭୯୫ ରୁ ୮୪୦ ଖ୍ରୀଷ୍ଟାବ୍ଦ ବୋଲି ନିରୂପଣ କରିଛନ୍ତି । ବ୍ରହ୍ମେଶ୍ଵର ମନ୍ଦିରର ଶିଳାଲିପିରୁ ଏହା ମଧ୍ୟ ଜଣାଯାଏ ଯେ, ସୋମଗୁପ୍ତ ବଂଶର ଜନ୍ମେଜୟ ଭୌମକର ବଂଶୀୟ ରାଜାଙ୍କୁ ପରାସ୍ତ ଏବଂ ନିହତ କରିଥିଲେ । କଳିଙ୍ଗ ଖଣ୍ଡର ଶାସନ ନିମନ୍ତେ ଜନମେଜୟ ଚୌଦ୍ଵାରଠାରେ ଏକ ଦୁର୍ଗ ରାଜଧାନୀ କରିଥିଲେ । ଭୌମକର ବଂଶୀୟ ରାଜା ଅପୁତ୍ରିକ ଥିଲେ । ତାଙ୍କ କନ୍ୟା ଦଣ୍ଡୀ ମହାଦେବୀ ଥିଲେ ସିଂହାସନର ଉତ୍ତରାଧିକାରିଣୀ । ସମ୍ଭାବନା କରାଯାଏ ଯେ, ଏହି ଦଣ୍ଡୀ ମହଦେବୀ ଚଣ୍ଡୀହର ଯଯାତିଙ୍କୁ ପତିରୂପେ ଗ୍ରହଣ କରିଥିଲେ । ଯଯାତି କେଶରୀ ଚୌଦ୍ୱାର ପରିବର୍ତ୍ତେ ଯାଜପୁରକୁ ରାଜଧାନୀ ଉଠାଇ ଆଣିଥିଲେ ଏବଂ କୋଶଳର ବିନୀତପୁର (ବିନକା) ପରିବର୍ତ୍ତେ ପ୍ରଥମେ ଯାଜପୁର ଓ ପରେ ଭୁବନେଶ୍ଵରରେ ରାଜଧାନୀ ସ୍ଥାପନ କରିଥିଲେ । ଜନଶ୍ରୁତି ଅନୁକ୍ରମେ, ଯଯାତି କେଶରୀ ଯାଜପୁରରେ ଏକ ଅଶ୍ଵମେଧ ଯଜ୍ଞ କରିଥିଲେ । ବୈତରଣୀର ଦଶାଶ୍ଵମେଧ ଘାଟ ନିର୍ମାଣ କରାଇଥିଲେ । ସେ କାନ୍ୟକୁବ୍‌ଜରୁ ଯାଜ୍ଞିକ ବ୍ରାହ୍ମଣମାନଙ୍କୁ ଅଣାଇଥିଲେ । ଏହି ସମସ୍ତ ବିବରଣୀ ଓ ଜନଶ୍ରୁତି ଆଧାରରେ ଡଃ ପାଣିଗ୍ରାହୀ ଆଲୋଚ୍ୟ କବିତାରେ ବର୍ଣ୍ଣନା କରିଛନ୍ତି- ଯାଜପୁରରେ ରାଜଧାନୀ ସ୍ଥାପନ ପରେ ରାଜା ନୂତନ ମନ୍ଦିରମାନ ଗଢ଼ାଇଥିଲେ । ମୁଗୁନି ପଥରରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ । କନୌଜରୁ ଦଶହଜାର ବେଦବିତ୍‌ ବ୍ରାହ୍ମଣଙ୍କୁ ଅଣାଇ ଦଶାଶ୍ଵମେଧ ଘାଟରେ ଯଜ୍ଞ କରାଇଲେ । ଗ୍ରାମମାନଙ୍କରେ ବ୍ରାହ୍ମଣ ଶାସନ ବସାଇ ସଂସ୍କୃତ ଭାଷାଜ୍ଞାନର ପ୍ରସାର କରାଇଲେ । ଯାହା ଫଳରେ ସେ ଅଞ୍ଚଳର ଲୋକେ ଉପକୃତ ହେଲେ । ଭୁବନେଶ୍ଵରରେ ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଓ ପୁରୀ ମନ୍ଦିରର କାର୍ଯ୍ୟ ସମ୍ପୂର୍ଣ୍ଣ କରାଇଥିଲେ । ଲେଖକ ଏହା ମଧ୍ୟ ଲେଖିଛନ୍ତି ଯେ-

 

କୋଶଲ୍‌ ତ ଖାଲି ହଇଛେ

ମାନୁଷ୍‌ ପଶୁର୍ ଜନମସ୍ଥଲୀ

ରାଧାନାଥ କାହୁଁ ଲେଖ୍‌ତେ ଯଯାତି

କୋଶ୍‌ଲୁଁ ଆୟଲେ ବଲିଁ ?

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୭୧)

 

ଶହେବର୍ଷ ପୂର୍ବେ କବି ରାଧାନାଥ, ‘ଯଯାତି କେଶରୀ’ କାବ୍ୟ ମାଧ୍ୟମରେ ଯେଉଁ ଅବିଚାର କରିଥିଲେ, ତାହା ସମୟର ରଥଚକ ପରିବର୍ତ୍ତନ ଅବଶ୍ୟ କରିଦେବ । ଦିନେ ନା ଦିନେ ଏ ଅଞ୍ଚଳର ସାଂସ୍କୃତିକ ମହତ୍ତ୍ଵ ସ୍ଵୀକୃତ ହେବ । ଏଇ ଆଶାରେ କବି ପରିଶେଷରେ ଲେଖିଛନ୍ତି-

 

ହଉ, ଉପକୂଲେଁ ଫୁଟୁନ୍ କଟକୀ-

      ଉଡ଼ିଅ।- କମଲ୍‌ - କଲୀ

ହାମର୍‌ କୋଶଲେଁ ଝାରେଁ ଝାରେଁ ଫୁଟୁ

      ଭାର୍‌ଭାର୍‌ ‘ଝାର୍‌ମଲୀ’ ।

 

ଏ ଅଞ୍ଚଳର ପ୍ରତିଭାମାନଙ୍କୁ ଲେଖକ ହୁଏତ ‘ଝାର୍‌ମଲୀ’ ବା ଅରଣ୍ୟପ୍ରସୂନ ଆଖ୍ୟା ଦେଇଛନ୍ତି, ଯାହାର ସୌରଭ ଦିନେ ଦିଗନ୍ତ-ବିସ୍ତାରୀ ନିଶ୍ଚୟ ହେବ । ଏହି ସଙ୍କଳନରେ ସ୍ଥାନିତ ହୋଇଛି ଶଙ୍କରାଚାର୍ଯ୍ୟଙ୍କର ଭବାନ୍ୟଷ୍ଟକ ସ୍ତୋତ୍ରମ୍‌ର ଭାବାନୁବାଦ ସମ୍ୱଳିତ କବିତାଟିଏ । ରବୀନ୍ଦ୍ରଙ୍କର ‘ମୁକ୍ତି’ ଶୀର୍ଷକ କବିତାର ପଂକ୍ତି ବିଶେଷର ଭାବ ସମ୍ପ୍ରସାରିତ କବିତା, ବିନତି- ୧, ବିନତି- ୨ କବିତାରେ ସେ ନିଜକୁ ସୁରଦାସ କିମ୍ୱା ଭୀମଭୋଇଙ୍କ ପରି ଅନ୍ଧ କରିଦେବାକୁ ଭଗବାନଙ୍କୁ ଅନୁରୋଧ କରିଛନ୍ତି ଯେ, ଅନ୍ୟ କୌଣସି ବସ୍ତୁ ନ ଦେଖି ମୋର ଆଖି କେବଳ ଅନ୍ତର୍ମନରେ ଆପଣଙ୍କୁ ଦେଖୁଥାଉଁ । ରବୀନ୍ଦ୍ରନାଥଙ୍କର ‘ନୈବେଦ୍ୟ’ ସଙ୍କଳନର ‘ମୁକ୍ତି’ କବିତାର ଭାବ ଅବଲମ୍ବନରେ ସେ ‘ମୁକ୍‌ତି’ ଶୀର୍ଷକ ଲେଖିଛନ୍ତି । ରବୀନ୍ଦ୍ରଙ୍କର-

 

ବୈରାଗ୍ୟ ସାଧନେ ମୁକ୍ତି ସେ ଆମାର ନୟ

ଅସଂଖ୍ୟ ବଂଧନ ମାଝେ ମହାନନ୍ଦମୟ

ଲଭିବ ମୁକ୍ତିର ସ୍ଵାଦ x x x

 

ଅନୁରୂପ ସେ ଲେଖିଛନ୍ତି-

ମୁକ୍‌ତିର୍‌ ଲାଗି ୟୋଗୀ ବୈରାଗୀ ନାଇଁ ହୁଏ ମାହାପୁରୁ

ୟୋଗ୍‌ ବୈରାଗ୍‌ ସାଧନାକେ ମୁଇଁ ଜୁହାର କରସିଁ ଧୁରୁ ।

ଘର୍‌ ସଂସାରର ହଜାର୍‌ ଜଁଜାଲ ବଁଧନ ଭିତରେଁ ଥାଇ

ମାହାନ୍‍ ଆନନ୍ଦମୟ ମୁକ୍‌ତିର୍‌ ସୁଆଦ୍‌ ପାୟମି ତାହିଁ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ. ୧୯୩)

 

ରବୀନ୍ଦ୍ରଙ୍କର ‘କଥା’ର କବିତାର ଆଧାରରେ ‘ଅଭିସାର’ ସେ ଲେଖିଛନ୍ତି । ଏଥିରେ ବ୍ରହ୍ମଚାରୀ ଉପଗୁପ୍ତ ଏବଂ ନଟୀ ବାସବଦତ୍ତାଙ୍କର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି । ଶ୍ରାବଣର ବର୍ଷଣଉନ୍ମୁଖ ମେଘ ଅନ୍ଧାର ରାତ୍ରରେ ମଥୁରାର ପ୍ରାଚୀର ପାର୍ଶ୍ଵରେ ଶୟନରତ ଉପଗୁପ୍ତଙ୍କର ଉନ୍ମୁକ୍ତ ବକ୍ଷରେ ଅଭିସାରିକା ବାସବଦତ୍ତାର ଅଳଙ୍କୃତ ପାଦ ଅକସ୍ମାତ୍‌ ପଡ଼ିଗଲା ନଟୀ ପ୍ରଦୀପର ଅନୁଜ୍ଵଳ ଆଲୋକରେ ବ୍ରହ୍ମଚାରୀଙ୍କର ଉଜ୍ଜ୍ୱଳ ରୂପକାନ୍ତି ଦର୍ଶନ କରି ଅଭିଭୂତ ହୋଇଗଲା । ଆମନ୍ତ୍ରଣ କଲା-

 

କ୍ଷମା କର ମକେ କୁମାର୍‌ କିଶୋର ପାଖେଁ ଅଛେ ମୋର ଘର୍‌

ଆସ, ଜିମା ତୁମେ ନାଇଁ ଶୁଅତଲେଁ ଭୂଇଁ ତଲ୍‌ ସୁକଠୋର୍ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୯୧)

 

ଉପଗୁପ୍ତ ଉତ୍ତର ଦେଲେ - ‘‘ସମୟ ଆୟଲେଁ ନିଜେଁ ପୁହୁଁଚିମି ସୁନ୍ଦରୀ ତମର୍‌ ଘରେଁ ।’’ ଏବେ ତୁମେ ଯାଅ । କିଛିକାଳ ପରେ ବସନ୍ତଋତୁ ଉପସ୍ଥିତ ହେଲା । ବସନ୍ତର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି କବି ଲେଖିଛନ୍ତି -

 

ବଉଲ୍‌ଫୁଲର ବାଁସେ ମତୁଆଲ୍‌ ଚଲ୍‌ଲା ମହୁଲିଧୁକା

ରସାଲ୍‌ବିଟ୍‌ପୀ ହଁସୁଛନ୍‌ ଧରି ବଉଲର୍‌ ଝୁଁକା ଝୁଁକା,

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୯୧)

 

‘ଫୁଲର୍‌ ତିହାର୍‌ ମାନ୍‌ବାର’ ପାଇଁ ମଥୁରାବାସୀ ମଧୁବନକୁ ଯାତ୍ରା କରିଛନ୍ତି । ନିର୍ଜନ ପଥର ସନ୍ନ୍ୟାସୀ କୌଣସି କାର୍ଯ୍ୟରେ ଆସିଛନ୍ତି । ଦୂରରୁ ବେଣୁର ମନ୍ଦ୍ରସ୍ଵନ ଶୁଣାଯାଉଛି । ବିରହୀ କୋକିଳର କୁହୁଧ୍ୱନିରେ ଆମ୍ରକାନନ କୁହରିତ ହେଉଛି । ଆକାଶରେ ପୂର୍ଣ୍ଣମୀଚନ୍ଦ୍ରର ଉଲ୍ଲାସ । ଯତିକଣ ନଟୀର ଅଭିସାର ଉଦ୍ଦେଶ୍ୟରେ ଗମନରତ ? ଉପଗୁପ୍ତ ନିର୍ଜନ ପଥଧାରରେ ଆବିଷ୍କାର କଲେ ସେଦିନର ଯୌବନପ୍ରମତ୍ତା ନଟୀର ରୋଗଜୀର୍ଣ୍ଣ, ନିଷ୍ପ୍ରଭ ପରିତ୍ୟକ୍ତ ଶରୀର । ଅତି ଯତ୍ନରେ କୋଳରେ ନଟୀର ମସ୍ତକ ରଖି ସେ ଉପଚାରରେ ଲାଗିଗଲେ । ଶୀତଳଜଳ ଓ ଚନ୍ଦନର ପ୍ରଲେପ ଦେଇ ଅମୋଘ ମନ୍ତ୍ର ଉଚ୍ଚାରଣ କଲେ । ଝରୁଥାଏ କଳିକା, ଜ୍ୟୋତ୍ସ୍ନାପ୍ରମତ୍ତ ରାତି, କୋଇଲି ଡାକୁଥାଏ । ନଟୀ ପ୍ରଶ୍ନକଲା- କିଏ ତୁମେ ? କାର୍‌ ଏଡ଼େ ଦୟାମୟ ଛାତି । ଭିକ୍ଷୁ ଉତ୍ତର ଦେଲେ- ଆଇଛେ ଭିକ୍ଷୁ ! ଇଟାହିଁ ତାର୍‌ ସମୟ, ବାସବଦତ୍ତା ହୁଏତ ଜୀବନର ବାସ୍ତବତା ସେଦିନ ବୁଝିପାରିଥିଲା । ‘ସୌମିତ୍ରର ଆତ୍ମତ୍ୟାଗ’ ରାମାୟଣର ପ୍ରସଙ୍ଗ ଆଧାରିତ ଏକ କଥା କବିତା । ସୀତାଙ୍କର ପାତାଳ ପ୍ରବେଶ ପରବର୍ତ୍ତୀ ବର୍ଣ୍ଣନା ଏଥିରେ ରହିଛି । ରାମ ସିଂହାସନରେ ଆସୀନ ଥିବା ସମୟରେ ତପସ୍ୱୀ ରୂପ ଧାରଣ କରି କାଳ ପ୍ରବେଶ କଲା । ସତ୍କାର ପରେ ନିଜର ଉଦ୍ଦେଶ୍ୟ ବ୍ୟକ୍ତ କରିବାକୁ ତପସ୍ଵୀ ଏକାନ୍ତ ଇଚ୍ଛା କଲେ । ସର୍ତ୍ତ ରଖିଲେ ଯେ, ଭଭୟଙ୍କର ବାର୍ତ୍ତାଳାପ ସମୟରେ ଯେ କେହି ପ୍ରବେଶ କଲେ ତା’ର ଶିରଚ୍ଛେଦ ହେବ । ରାମ ସମ୍ମତ ହେଲେ ଓ ଲକ୍ଷ୍ମଣଙ୍କୁ ଦ୍ଵାର ଜଗିବାର ଆଦେଶ ଦେଲେ । ତପସ୍ଵୀରୂପୀ କାଳ କହିଲେ-

 

ତୁମର ସମିୟା ସରି ଆସ୍‌ଲାନ୍‌ ମୁନୁଷ୍‌ ରୂପେ ଇଠାନେ

ଫୁନ୍‌ ବିଷଣୁର୍‌ ରୂପେଁ ପାୟବାକେ ଆତୁର୍‌ଦେବ୍‌ତାମାନେ

(ପାଣିଗ୍ରାହୀ ପଦ୍ୟାବଳୀ, ପୃ.୧୮୪)

 

ଏହି ବାର୍ତ୍ତାଳାପ କାଳରେ ଦୁର୍ବାସା ଋଷି ଉପସ୍ଥିତ ହୋଇ ରାମଙ୍କ ସହିତ ସାକ୍ଷାତ କରିବାକୁ ଚାହିଁଲେ । ଲକ୍ଷ୍ମଣ ଅସମ୍ମତ ହେବାରୁ ଦୁର୍ବାସା କହିଲେ -

 

ଅଭିଶାପ୍‌ ଦେମି ରାମ୍‌କେ ଦେଶ୍‌କେ ଅୱଧନଗର ସାଂଗେ

ତିନ୍‌ହି ଭାୟକର୍‌ ପୁଓଭିପୁଡ଼ବେ ମୋର୍‌ ହୁତାସନ ରାଗେ

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୮୫)

 

ଲକ୍ଷ୍ମଣ ନିରୁପାୟ ହୋଇ ରାମଙ୍କୁ ଦୁର୍ବାସାଙ୍କର ଆଗମନ ସଂବାଦ ଦେଲେ । ରାମ ମଧୁର ସମ୍ଭାଷଣ ପରେ ଅଭିପ୍ରାୟ ଜାଣିବାକୁ ଚାହିଁବାରୁ ଦୁର୍ବାସା ଏକହଜାର ବର୍ଷର ତପସ୍ୟା ଉପରାନ୍ତେ ଭୋଜନ ମାତ୍ର କାମନା କରିଥିଲେ ।-

 

ଖାନା ଅନାହେଲା, ଦୁର୍ବାସା ଋଷି ଟାଓଟାଓ ଗିଲିକରି

ଟଂଗନୁ ଭାଗ୍‌ଲେ ମୁଲ୍‌ମୁଲ୍‌ ହଁସି ଢେଁକାର୍‌ଗୁଟାଦୁ ମାରି

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୮୬)

 

ଏହାପରେ ରାମ ‘କାଳ’ ନିକଟରେ କରିଥିବା ସର୍ତ୍ତ ଅନୁସାରେ ଉଭୟଙ୍କର ବାର୍ତ୍ତାଳାପ କାଳରେ ଯିଏ ପ୍ରବେଶ କରିବ, ତା’ର ଶିରଚ୍ଛେଦ ହେବ । ଯେଉଁ ଲକ୍ଷ୍ମଣ ତାଙ୍କର ପ୍ରାଣରୁ ପ୍ରିୟ, ଅରଣ୍ୟରେ ନିଜକୁ ରାମ ସୀତାଙ୍କ ସେବାରେ ସମ୍ପୂର୍ଣ୍ଣ ସମର୍ପିତ କରିଥିଲେ, ସେହି ପ୍ରିୟ ଭ୍ରାତାଙ୍କର ଶିରଚ୍ଛେଦ ? ଅନ୍ୟପକ୍ଷରେ ସତ୍ୟଭଙ୍ଗର ଆଶଙ୍କା । କୁଳଗୁରୁ ବଶିଷ୍ଠ ସମାଧାନ କରିଦେଲେ –

 

‘ଭାୟକେ ତ୍ୟାଗ୍‌ କଲେଁ ହେବା ସର୍‌କଟା ସାଗେଁସରି’

 

ଲକ୍ଷ୍ମଣ ମୌନ ବିଷାଦମଗ୍ନ ରାମଙ୍କୁ ତରବାରୀ ଧରାଇ କହିଲେ- ‘ଧର୍‌ ତରବାରୀ, ମୋର ଶିର୍‌ କାଟ, ରଖ ଆପନାର୍‌ ପନ୍‌ ।’’

 

ବିଧି ଯାହା କିଛୁ ବିଧାନ୍‌ କରିଛେ ସେଟା ହେସିଫଲ୍‌ବାନ୍‌

ମୁନ୍‌ଷର୍‌ ହାଥେଁ କାଣା ଅଛେ ? ବିଧି ଏକ୍‌ଲା ହି ବଲ୍‌ବାନ୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୮୬)

 

ରାମ ତାଙ୍କୁ ତ୍ୟାଗ କରିଥିବା ନିଷ୍ପତ୍ତି ଶୁଣାଇଦେଲେ, ସଭାଗୃହରୁ ଲକ୍ଷଣ ସିଧା ସରଯୁ ତଟକୁ ଗଲେ । ସେଠାରେ ଇନ୍ଦ୍ରିୟ ନିରୋଧ କରି ପ୍ରାଣ ବିସର୍ଜନ କଲେ । ରାମଙ୍କ ସେବାରେ ସମ୍ପୂର୍ଣ୍ଣ ଜୀବନ କଟାଇଥିବା ସୌମିତ୍ରୀଙ୍କର ଏହା ଥିଲା ଶେଷ ଏବଂ ଶ୍ରେଷ୍ଠ ବଳିଦାନ । ‘ପାଣିଗ୍ରାହୀ ପଦ୍ୟାବଳୀ’ରେ ସ୍ଥାନିତ ପ୍ରାୟ ସମସ୍ତ କଥାଧର୍ମୀ କବିତା କରୁଣ ରସରେ ଆପ୍ଲୁତ ଏବଂ ଏହି କାରୁଣ୍ୟ ସତ୍ୟ ନ୍ୟାୟର ଔଚିତ୍ୟର ପକ୍ଷ ସମର୍ଥନ କରି ଆତ୍ମପ୍ରକାଶ କରୁଥିବାରୁ ହୃଦୟସ୍ପର୍ଶୀ ହୋଇଥାଏ ।

 

‘ହଲ୍‌ଧର୍‌’ କବିତା ରଚନା ସମୟରେ କବି ଗୀତଗୋବିନ୍ଦର-

 

ବହସି ବପୁଷି ବିଶଦେ ବସନଂ ଜଳଦାଭମ୍‌

ହଲହତି ଭୀତି ମିଲିତ ୟମୁନାଭମ୍‌

କେଶବ ! ଧୃତ ହଳଧର ରୂପ !

ଜୟ ଜଗଦୀଶ ହରେ ।।

 

ଉଚ୍ଚାରଣ କରି କବିତାର କଥାବସ୍ତୁ ଆରମ୍ଭ ହେଇଛି । କବି ଏହାକୁ ଉଶାସ (ଲଘୁ) କଥା ବୋଲି କହିଛନ୍ତି । ବଳରାମଙ୍କର ଚରିତ୍ରର ପରିଚୟ ଦେଇ ଶ୍ରୀଯୁକ୍ତ ପାଣିଗ୍ରାହୀ ଲେଖିଛନ୍ତି-

 

କୁସ୍‌ଟଁର ଦଦା ବଲ୍‌ରାମ୍‌ ଗଦା- ୟୁଦ୍ଧର ବିଶାରଦ୍‌

ମାଡୁଥାନ୍‌ ଟେଁଡ଼ି ହରୁଁହର୍‌ଘଡ଼ି କଦମ୍‌ଫୁଲର୍‌ ମଦ୍‌

ହେଁ ମଦ୍‌ ବହୁତ କଡ଼ା

ଭାଉ ବି ବହୁତ୍‌ ଚଢ଼ା × × ×

କଦମ୍‌ ଫୁଲର୍‌ ମଦର୍‌ ଅସଲ୍‌ ସୁନାମ କାଦମ୍ବରୀ

ଛାଁ କଲେଁ ଗୁର୍‌ଦୁ ପଦ୍‌ ବାହାର୍‌ସି ତେରିମେରି, ହାୟହରି

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୮୭)

 

ବାଁଦନ୍‌ କାଠର ମସ୍ତ ନଁଗଲ୍‌ ତାଙ୍କର ହଥିଆର୍‌ ।

‘‘ପର୍‌ଘାଲେୟଦି ଘାୟ ସେ କାହାକେ ଜାନ୍‌ ଉଡ଼ିଜାୟ ତା’ର ।

 

ତେଣୁ କବିଙ୍କ ଭାଷାରେ –

 

‘‘ହଲ୍‌ଧର୍‌ ସାଁଗେଁ ଲାଗ୍‌ଲେ କେହ୍‌ନି ପୋ’ର ନାଇଁ ନିସ୍‌ତାର ।’’

 

ସବୁ ସମୟରେ କାଦମ୍ବରୀ ପ୍ରମତ୍ତ ଓ ଲଙ୍ଗଳରୂପକ ଅସ୍ତ୍ରରେ ଆକ୍ରମଣ ଉଦ୍ୟତ, ତେଣୁ ତାଙ୍କୁ ସମସ୍ତଙ୍କର ପ୍ରାଣେ ଭୟ । ବଳରାମଙ୍କର ତୁଳନୀୟ ଭାବରେ ସମ୍ବଲପୁର ଅଞ୍ଚଳରେ ଏକଦା ଆତଙ୍କ ସୃଷ୍ଟି କରୁଥିବା ‘ରନ-ଖର୍‌ରା’ର ନାମ ଉଲ୍ଲେଖ କରି ତା’ଠାରୁ ଶହେଗୁଣ ଭୀତିପ୍ରଦ ବୋଲି କହିଛନ୍ତି । ଗିରିଗୋବର୍ଦ୍ଧନ ପର୍ବତରେ ଗଉଡ଼ କନ୍ୟାମାନେ ନାଚ ଗୀତର ମାଧୁର୍ଯ୍ୟରେ ବିଭୋର ଥିବା ସମୟରେ ବଳରାମ କ୍ଳାନ୍ତ ହେଇଗଲେ । ଶ୍ରାନ୍ତି ଅପନୋଦନ ନିମନ୍ତେ ନିକଟରେ ପ୍ରବାହିତ ଯମୁନାକୁ ଆହ୍ଵାନ କଲେ । ଯମୁନା ତ ଆସିଲେ ନାହିଁ । ନିଜେ ବଳରାମ ଯାଇ ଉତ୍ୟକ୍ତ କଣ୍ଠରେ କହିଲେ- ‘‘ହୟଲୋ ! ତୋର୍‌ ତ ରୁବାବ୍‌ ଖୋବ୍‌ ।

 

ହଲେ ଫାରିନେମି ତୋର୍‌ତନ୍‌ ! କାଣା ନାଇଁ ନ ପରାନ୍‌-ଲୋଭ ?’’

 

ଯମୁନା ହଳଧରଙ୍କର ପାଦତଳେ ପଡ଼ିଗଲେ । ସନ୍ତୁଷ୍ଟ ଚିତ୍ତରେ ସ୍ନାନ ସମାପନ ଅନ୍ତେ ‘ବଳରାମ ଦେଖିଲେ ଯେ, ତାଙ୍କର ଶ୍ଵେତ ଉତ୍ତରୀୟ ନୀଳବର୍ଣ୍ଣ ଧାରଣ କରିଛି । ହଳଧର କିନ୍ତୁ ଏଥର ବିରକ୍ତ ହେଲେ ନାହିଁ । କହିଲେ-

 

ତୋର୍‌ ନୀଲ୍‌ ଜଲେଁ ବୁତ୍‌ରି

ଧୁବ୍‌ଲା ଇ ମୋର୍‌ ଉତରୀ

ଶ୍ୟାମଘନ ଲେଖେଁ ଦିଶୁଛେ ଅୟେନ × × ×

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୮୯)

 

ସେହି ନୀଳବସ୍ତ୍ର ଧାରଣ କରି ସେ ହେଲେ ନୀଳାମ୍ବର ।

 

ବିଧାତାକେ ମୁମୂର୍ଷୁ ୟୋଦ୍ଧାର ପ୍ରାର୍ଥନା, ଅମରୁ ଶତକର ଗୋଟିଏ ଶ୍ଳୋକ ପରେ ଆରମ୍ଭ ହୋଇଛି । ଏହି କବିତା କବିଙ୍କର ସ୍ଵକୀୟ ଆତ୍ମିକ ଅନୁଭବର କାରୁଣ୍ୟରେ ପରିସିକ୍ତ । ମୃତ୍ୟୁମୁଖୀ ଯୁଦ୍ଧକ୍ଳାନ୍ତ ଆହତ ପରମବୀରକୁ ବିଧାତା ତାହାର ଶେଷଇଚ୍ଛା କ’ଣ ପ୍ରଶ୍ନକଲେ । ଯୋଦ୍ଧା ମାତୃଭୂମି ଓ ମାତୃଭାଷାର ରକ୍ଷାଦୀକ୍ଷା ନେଇ ଘରଠାରୁ ବହୁଦୂରରେ ମୃତ୍ୟୁବରଣ କରିବାକୁ ଯାଉଛି । ପ୍ରିୟା ସାବିତ୍ରୀ ନିମନ୍ତେ ଚିନ୍ତିତ ଯୋଦ୍ଧାର କର୍ଣ୍ଣରେ ବିଧାତାର ଉକ୍ତି ପୁନରାୟ ଶୁଣାଗଲା- ‘ମନୁଷ୍ୟ ଶରୀର ପଞ୍ଚଭୂତରେ ନିର୍ମିତ ଏକ ଓଲଟ ପିପ୍‌ପଳ ବୃକ୍ଷ । ଅବଶ୍ୟ ଦିନେ ତୋର ପଞ୍ଚପ୍ରାଣ ପଞ୍ଚଭୂତରେ ବିଲୀନ ହେବ ।’ ଯୋଦ୍ଧା ଉତ୍ତର ଦେଲା- “ମୁଁ ଜାଣେ, ପ୍ରାଣପକ୍ଷୀ ମୋର ଶରୀରରୁ ଦିନେ ଅବଶ୍ୟ ବିଚ୍ଛିନ୍ନ ହେବ । ଧରିତ୍ରୀମାତାର ସ୍ନେହର ରେଶମୀ ବନ୍ଧନକାଟି, ମୋର ପ୍ରିୟତମ ଦେଶ କୋଶଲ ସମଲ୍‌ପୁରକୁ ଛାଡ଼ି ଆତ୍ମାପକ୍ଷୀ ଉଡ଼ିଯିବ । ଯେଉଁଠାରେ କ୍ଷେତମାନଙ୍କରେ ଡାଳୁଅଧାନ ରୂପୀ ମଣିରତ୍ନ ଫଳେ, ହୀରାକୁଦଠାରେ ହୀରା ମିଳେ ଯେଉଁ ମାଟିର ଖିଣ୍ଡାଗ୍ରାମର ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଭାରତ ମୁକ୍ତିଯୁଦ୍ଧର ପ୍ରଥମ ଶଙ୍ଖଧ୍ୱନି ଶୁଣାଇଥିଲେ । ସେଇ ଭୂମିକୁ ଛାଡ଼ି ପ୍ରାଣପକ୍ଷୀ ମୋର ବହୁଦୂର ଉଡିଯିବ । ମର୍ତ୍ତ୍ୟରେ ମନୁଷ୍ୟ ଦେହ ଧାରଣ କଲେ ତ ସ୍ଵୟଂ କୃଷ୍ଣଙ୍କୁ ଶବର ଶରାଘାତରେ ମୃତ୍ୟୁବରଣ କରିବାକୁ ହୁଏ, ମୁଁ ତ ଜଣେ କ୍ଷତ୍ରୀୟ; ରଣାଙ୍ଗନରେ ବୀରତ୍ଵ ପ୍ରଦର୍ଶନ କରି ଏ ମୃତ୍ୟୁ ତ ମୋର ପରମ କାମ୍ୟ । ତଥାପି ହେ ବିଧାତା, ମୋର ଏକ ଅନୁରୋଧ, ମୋ ଶରୀରର ପଞ୍ଚତତ୍ତ୍ୱକୁ ଇତଃସ୍ତତଃ ନ କରି ମୋର ଇଚ୍ଛା ଅନୁସାରେ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳାଇ ଦେବ ।’’ ବିଧାତା ସ୍ଵଚ୍ଛନ୍ଦ ଭାବରେ କହିବାକୁ ପ୍ରଶ୍ନ କରିବାରୁ ‘ଜୁଆନ୍‌’ ତା’ର ଅଭିପ୍ରାୟ ବ୍ୟକ୍ତ କଲା- ହେ ପ୍ରଭୁ ମୋ ଦେହରୁ ସଲିଳ ତତ୍ତ୍ୱନେବ, ମୋର ବଗାନର ‘ବଂଧଲି ସଲିଲେଁ ସଲୀଲେଁ ମିଲେଇ ଦେବ । ଯେଉଁଠାରେ ‘ଖେଲଖେଲ୍‌ ଅତି ଫୁଲ୍ଲ ପଦମ୍‌ ଫୁଲ୍‌’ରେ ଚଞ୍ଚଲ ଅଲି ଗୁଞ୍ଜନ’ କରିଥାଏ, ଯେଉଁଠାରେ ମୋର ପ୍ରାଣପ୍ରିୟା ପତ୍ନୀ ସାବିତ୍ରୀ-

 

ଜାଇ ରୋଜ୍‌ ପହ ପହ

ପହଁରି ପହଁରି ଶିଥିଲ ବସନା

କେଳି କଲା କାଲେ କୁନ୍ଦଦଶନା

ତା’ର ଧାଜ୍‌ଗୁରା ଅନୁପମ୍‌ ତନ

ବାସୁଥିସି ମହମହ ।

 

ମୋର ଶରୀରର ତେଜ-ତତ୍ତ୍ଵ ନେଇ ମୋ ପ୍ରିୟାର ଦର୍ପଣରେ ମିଳାଇ ଦେବ । ଯେଉଁ ଦର୍ପଣରେ ମୋର ତନୁ ମଧ୍ୟମା ପତିଶୋହାଗିନୀ ପ୍ରାଣ ସଂଗିନୀ କେଶବିନ୍ୟାସ, ପ୍ରସାଧାନ ଆଦି କରିଥାଏ, ସେ ଦର୍ପଣ ସ୍ମୃତିର ଲଲାଟରେ ଭାସ୍ଵର ରହୁ । ମୋର ଶରୀରର ମୃତ୍ତିକା ଭାଗ ମୋର ବଗିଚାର ଚଲାବାଟରେ ଦସେଇ (ବିଛେଇ) ଦେବ । ବିଧାତା ‘ଜୁଆନ୍‌’ର ବୟାନରେ ମୁଗ୍ଧ ହୋଇ ଆହୁରି ଶୁଣିବାକୁ ଚାହିଁଲେ ଏବଂ ଜୁଆନ୍‌ର ବାକି ବୟାନ ଆରମ୍ଭ ହେଲା- ‘ସୁରୂଜ ଢଲ୍‌କା- ବେଲେଁ, ସାବିତ୍ରୀ ବାରିର ଗୁଲାପ ବଗାନ୍‌ରେ ଖିସିଖେଳରେ ମାତୁଥାଏ । ଦିନେ ଦିନେ ‘ପୁର୍‌ନି ବଁଧର ଘାଟୁଁ ଗରିଆ ଭରି’, ‘ଲହର ଝପର୍‌‌ ହେଇ’ ଫେରିବାର ମନୋରମ ଦୃଶ୍ୟ କବି ଭୁଲିପାରି ନାହାନ୍ତି । ସାବିତ୍ରୀର ଦରଫୁଟା ଗୋଲାପରେ ଆଗ୍ରହ ହେତୁ-

 

ମୋର୍‌ ସେ ବଗାନେଁ      ହରମେସାଥାଉ

କଲି ବା ଫୁଟ୍‌ଲା ଫୁଲ

ଭାବି ଲହୁଝାଲ୍‌            ଢାଲୁଥାୟ ମୁଇଁ

ପ୍ରେମ ବଝା ବୁଲ୍‌ ବୁଲ୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୦୩)

ବିଧାତାଙ୍କୁ ପ୍ରିୟାର ପୁଷ୍ପଚୟନ ପଥରେ ମୃତ୍ତିକାଭାଗ ବିଂଚିଦେବା ପାଇଁ ଅନୁରୋଧ କରି ସେ ଲେଖିଛନ୍ତି-

 

- ହେଁ ମାଟିର ଗୁଟେ ଅଣୁ ଲାଗିଗଲେଁ

ପ୍ରିୟାର ପଦମ୍‌ପାଦେଁ

ମୋର୍‌ ପରଶର୍‌‌ ସୁଖ୍‌ ତିଲେ ହଉ

ହେତାବା ଘୋର ବିଷାଦେଁ

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୦୫)

 

ଏହିପରି ବର୍ଣ୍ଣନା ସ୍ମରଣ କରାଇଦିଏ ମାୟାଧର ମାନସିଂହଙ୍କର ‘ଧୂପ’ର ‘ପ୍ରେମ ଓ ମୃତ୍ୟୁ’ କବିତାର ପଂକ୍ତି-

 

ପାରିବ ଯଦି ଭସ୍ମପରେ ପଦ୍ମପାଦ ଚାଲିବ ଧୀରେ

ଜୀବନ ପୁଣି ଲଭିବି ସଖୀ ନିଶ୍ଚୟ ସେ ମରଣତୀରେ ।

 

କବି ବିଧାତାଙ୍କୁ ପୁନର୍ବାର ଅନୁରୋଧ କରିଛନ୍ତି- ‘ମୋର ଶରୀରରୁ ବାୟୁତତ୍ତ୍ୱ ନେବ ଏବଂ ଯେଉଁ ତାଳପତ୍ର ‘ଧୁକ୍‌ନା’ରେ ମୋର ପ୍ରିୟା ମୋତେ ବିଞ୍ଚି ଦେଉଥିଲା, ସେଥିରେ ମିଳାଇଦେବ । ଶେଷରେ ମୋର ଶରୀରର ଆକାଶତତ୍ତ୍ୱ ନେଇ ତା’ର ମନ୍‌- ଆକାଶରେ ମିଳେଇ ଦେବ ।’’ ବିଧାତା ଏ ସମସ୍ତ ଅଭିଳାଷ ଅଙ୍ଗୀକାର କଲେ ଏବଂ କହିଲେ, ତୁ ସୁସ୍ଥ ହୋଇ ଘରକୁ ଫେରିଯିବୁ । ଯେଉଁ ଜୁଆନ୍‌ ମୃତ୍ୟୁମୁଖୀ ଥିଲା, ବିଧାତାର ବରଦାନରେ ସୁସ୍ଥ ଶରୀର ନେଇ ଉତ୍କଣ୍ଠିତ ମନରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲା, କିନ୍ତୁ -

 

“ଜାନ୍‌ଲା, ଇଥିର୍‌            ଭିତରେଁ ପ୍ରୀତିର୍‌

ପ୍ରତିମା ଗୁଟକ୍‌ ତା’ର

ନାଇଁ ନଇ ପାରେଁ            ଘାଟ୍‌ ପାର୍‌ ହେଇ

ଗଲାନ ପହିଲ ପାର

×      ×      ×      x

 

ୟମ୍‌ ନେଇଗଲା ଗଲା ସାବିତ୍ରୀ

      ରହିଛେ ସତ୍ୟବାନ

ଧୟନ୍‌ରେ ବିଧାତା ଧୟନ୍‌ ଧୟନ୍ ତୋର

      ଅଜବ୍‌ ସଂବିଧାନ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୦୮)

 

(ଘ) ଅନ୍ୟାନ୍ୟ କବିତା

ଡଃ ନୀଳମାଧବ ପାଣିଗ୍ରାହୀଙ୍କର ୨୦୦୫ ମସିହାରେ ପ୍ରକାଶିତ ସମ୍ବଲପୁରୀ କବିତାର ଏକ ଅନନ୍ୟ ସଙ୍କଳନ ‘ପାଣିଗ୍ରାହୀ ପଦ୍ୟାବଳୀ’ । କବିଙ୍କର ନିଜସ୍ଵ ସ୍ଵୀକାରୋକ୍ତି ଅନୁଯାୟୀ ୧୯୭୦ ମସିହା ପର୍ଯ୍ୟନ୍ତ ସେ ଗୋଟିଏ ମଧ୍ୟ ପଦ୍ୟ ଲେଖି ନଥିଲ । ଓଡ଼ିଆ ଭାଷାରେ କେବଳ ଗଦ୍ୟ ଲେଖିଥିଲେ । ଛାନ୍ଦସିକ କବିବନ୍ଧୁ ରାଧାମୋହନ ଗଡ଼ନାୟକଙ୍କ ପ୍ରଭାବ ତାଙ୍କୁ କବି ହେବା ନିମନ୍ତେ ପ୍ରରୋଚିତ କରିଥିଲା । ସମ୍ବଲପୁରୀ ଭାଷାରେ ଗଦ୍ୟପଦ୍ୟ ରଚନା ସେ ଆରମ୍ଭ କରିଥିଲେ ୧୯୮୪ ମସିହାରୁ । ସମ୍ବଲପୁରୀ ଭାଷା ଯେ, ଇଂରାଜୀ, ହିନ୍ଦୀ ଓ ବଂଗାଳୀ ପରି ହଳନ୍ତ ସମନ୍ୱିତ ଭାଷା, ଏକଥା ଅନୁଭବ କରିବା ପରେ ସେ ‘ବଙ୍ଗଳା ଭାଷାର କେତେକ ଛନ୍ଦ- ବିଜ୍ଞାନ ବିଷୟକ ଗ୍ରନ୍ଥ ଏବଂ ରବୀନ୍ଦ୍ରଙ୍କର କବିତାରାଜି ଅଧ୍ୟୟନ କରି ନୂତନ ଛନ୍ଦରେ ସମ୍ବଲପୁରୀ କବିତା ରଚନା ଆରମ୍ଭ କରିଥିଲେ । ଏହି ସଙ୍କଳନର ‘ଶେଷପତର୍‌’ ଶୀର୍ଷକ ପ୍ରାନ୍ତ ଭାଷରେ କବି କହିଛନ୍ତି ଯେ- ‘‘ମୁଇଁ ନିଜ୍‌କେ କବି ବଲିଁ କେଭେଁ ନାଇଁ ଭାବେଁ । ମୁଇଁ ଶବ୍ଦ ଫୁଲର ମାଲ୍‌ ଗୁନ୍ଥି ଜାନ୍‌ସି, କିନ୍ତୁ ଭାବର ଖୁସକୁଦାର ଫୁଲ ଫୁଟାବାର୍‌ଥିଁ ପାରଗ ନୁହେଁ । ଯାହାହଉ, ଭାଷା ମାଆଁର ଗରୀବୀ ଉନା କର୍‌ବାର୍‌ ଲାଗି ୟଦି ମୋର୍‌ ଇ ପଦ୍ୟାବଳୀ କିଛୁ ମଦଦ୍‌ କରବା ତ ମୋର ମେହେନତର ମଜୁରୀ ମକେଇ ପାରେଁ କି ଆରପାରେଁ ମିଲିଯିବା ।’’ (ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୪୦)

 

ଏଥିରେ ସନ୍ନିବିଷ୍ଟ ‘ସମଲ୍‌ପୁର୍‌‌ର କଥା’ ଓ କୋଶଲିକା ପର୍ଯ୍ୟାୟର କବିତାଗୁଡ଼ିକ ଯଥାକ୍ରମେ ୧୯୯୦ ଓ ୧୯୯୩ ମସିହାରେ ପ୍ରକାଶିତ ହୋଇଥିଲା । ଅନ୍ୟ କେତେକ କବିତା ନିସାନ୍‌’ ଆଦି ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏଥିରେ ପ୍ରାୟ ୪୦ଟି କ୍ଷୁଦ୍ର ଓ ଦୀର୍ଘ କବିତା ସଂଯୋଜିତ ହୋଇଛି । ପ୍ରଥମ ଦଶଟି କବିତା ନୀଳମାଧବଙ୍କର ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ବହୁବର୍ଣ୍ଣୀ ଭାବାବେଗର ଅଭିବ୍ୟକ୍ତି । ୫୦ ବର୍ଷର ପ୍ରିୟବନ୍ଧୁ ଛାନ୍ଦସିକ କବି ରାଧାମୋହନଙ୍କୁ ସେ ଏହି ସଙ୍କଳନର ପ୍ରଥମ କବିତା ‘କବିକେ ଉପହାର’ ଉତ୍ସର୍ଗ କରିଛନ୍ତି । ହୁଏତ ଏ କବିତାଟି କବିଙ୍କର କୌଣସି ଜନ୍ମତିଥିରେ ରଚିତ ହୋଇଥିଲା । ଅକୃତ୍ରିମ ଭାବରେ ହୃଦୟର ଭାବାନୁଭୂତି ବ୍ୟକ୍ତ କରି ନୀଳମାଧବ ଲେଖିଛନ୍ତି -

 

ମୁଇଁ କବିତାର ନୁହେ କଳାକାର୍‌

ଶବ୍ଦର କାହୁଁ ହେମି ମାଲାକାର୍‌

ମୋର ସଂଭାର୍‌ ତୁମ୍‌ହର୍‌ ଅପାର୍‌

ହାର୍‌ଦିକତାର ପଚାଶ ସାଲ୍‌ର ସ୍ମୃତି ।

(ପାଣିଗ୍ରାହୀ ପଦ୍ୟାବଳୀ, ପୃ.୯)

 

      ଦ୍ୱିତୀୟ କବିତା “ମାଳତୀ ନୁହେଁ ସୁରୁ ସାରି ଜୋର୍‌’’ କବିଙ୍କର ବାଲ୍ୟ- କୈଶୋର ସ୍ମୃତିର ସ୍ମାରକୀ । ବିନୋଦ ନାୟକଙ୍କର ‘ଗ୍ରାମପଥ’ ପରି ମାଳତୀ ଜୋର କବିଙ୍କ ଜୀବନଧାରାର ମୂକସାକ୍ଷୀ । ଏହି ଅଖ୍ୟାତ ନଦୀ ବାଲିରେ ବିତିଥିଲା ପ୍ରାରମ୍ଭିକ ଜୀବନ । ଜୀବିକା ନିମନ୍ତେ ବିଦେଶରେ ଜୀବନ କଟାଇଥିଲେ ସୁଦ୍ଧା ପରିଶେଷରେ ସେ ପ୍ରିୟ ଜନ୍ମମାଟିକୁ ଫେରିଛନ୍ତି ଏଇ ନଦୀତୀରରେ ଶେଷ ବିଶ୍ରାମ ନେବା ପାଇଁ । ପରବର୍ତ୍ତୀ ଅଞ୍ଚଳରେ ପୁନର୍ଜନ୍ମ ନେବାର ଅଭିଳାଷ ଏହି କବିତାରେ ସେ ବ୍ୟକ୍ତ କରିଛନ୍ତି । ତାଙ୍କ ଭାଷାରେ-

 

ସରଗ୍‌ନୁଁ ବଡ଼ ପୁରଥି -ଭୂଇଁ

ମୋର ଗାଆଁଟା ମୋର୍‌ଇ ସମଲପୁର

ମୋର ‘ଇ ଜୁନ୍‌ଭା -ପୁର୍‌ନା କୋଶଲ ଦେଶ

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୩)

 

ତୃତୀୟ କବିତା ‘ହୁସିଆର’ ଏକ ଜାତୀୟ ଚେତନା ମୂଳକ କବିତା । ‘କଟୁଷଟ୍‌ପଦୀ ଗୀତା’ କବିତାରେ ସେ ଗଙ୍ଗାଧରଙ୍କର ‘ବିଶ୍ଵଦେଖ ‘ମଧୁମୟ’ ଶୈଳୀରେ ଲେଖିଛନ୍ତି-

 

ବିଶ୍ଵକେ ଦେଖ୍‌ ବିଷମୟ ଆୟଜ୍‌

ବିସ୍‌ମୟ ନୁହେଁ ଇଟାରେ ଜୀବନ ! କଟୁ ସତକଥା ଇଟା

ମଧୁମୟ କଥା ସୁନିସୁନି କାନେ ଲାଗ୍‌ଲାନ୍‌ ଚିଟାଲିଟା

ରେ ଜୀବନ... ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୫)

 

ଜୀବନ ଆଜି ମଧୁମୟ ନୁହେଁ, ବରଂ ‘‘ମହରା ମିତାଲ ପିତା ।’’ ବର୍ତ୍ତମାନ ଜୀବନ ବିପରୀତ ଧାରାରେ ଗତି କରୁଛି । ଆଜି ମନ୍ଥରା, କୈକେୟୀ, ଶକୁନି, ଦୁଃଶାସନ କେହି ଏକାକୀ ନୁହନ୍ତି, ସମସ୍ତେ ବଳୀୟାନ । କବି ଆମନ୍ତ୍ରଣ କରିଛନ୍ତି ସମର ଭୂମିରେ ସବ୍ୟସାଚୀର ସାରଥୀ କୃଷ୍ଣକୁ, କଠୋର ଭାଷାରେ କଟୁ ଭଗବତ୍‌ ଗୀତା ଶୁଣାଇ ଲୋକଙ୍କୁ ସଚେତନ କରାଇବାକୁ ଗାଥା ସପ୍ତଶତୀ’ର ଗୋଟିଏ କବିତାର ଭାବାନୁବାଦ, ରବୀନ୍ଦ୍ରଙ୍କ ସମ୍ପର୍କରେ ଏକ କବିତା ପରେ କବି ନିଜର ପ୍ରିୟତମା ପତ୍ନୀଙ୍କୁ ଲକ୍ଷ୍ୟ କରି ଲେଖିଛନ୍ତି, ‘ରାଗିଣୀ ନୀଳାମ୍ବରୀ’ କବିତା । ଦାମ୍ପତ୍ୟ ଜୀବନର ମନୋଜ୍ଞ ଚିତ୍ର ଅକୃତ୍ରିମ ଭାଷାରେ ଏଥିରେ ବ୍ୟକ୍ତ ହୋଇଛି-

 

ମୁଇଁ ପଚ୍‌ରାଲିଁ, ହେଁ ଗୀତର ରାଗ ନାଆଁକାଣାବଲି କରି

ସୁନିକରି ତମ୍‌ ହେ ଆଗୋ ଲାଜ୍‌କୁରୀ ହଁସିଦେଲ ମୁଲ୍‌ମୁଲ୍‌

ଦେଖିଲିଁ ତମ୍‌ହର୍ ଧାଜ୍‌ଗୁରାଗାଲେ ଫୁଟ୍‌ଲା ଦୁଇଟା ଫୁଲ୍‌

ମୁଇଁ ବେଡ଼ା କାହୁଁ ଜାନ୍‌ତିଁ ରାଗନୀନାଆଁ ସାଂଗେଁ ନାଆଁ ମୋର

ଟିକେ ଏକା ବଲି ହେଁ ନାଆଁ ନେବାକେ ଲାଜ୍‌ କରୁଥିଲ ଜୋର୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୧୯)

 

‘ନାର୍ସିସସ୍‌, ଫୁଲ୍‌ ଆର୍‌ ନଦୀ’ କବିତାରେ କବି ନାର୍ସିସସ୍‌ର ଦୃଷ୍ଟାନ୍ତ ଦେଇ ନଦୀ ମାଧ୍ୟମରେ ଫୁଲକୁ ଶୁଣାଇଛନ୍ତି ଯେ, ନାର୍ସିସସ୍‌ କି ମଧୁପ ହେଉ କେହି ଅପରକୁ ନୁହେଁ ନିଜକୁ ହିଁ ଭଲପାଆନ୍ତି, ଆତ୍ମରତିରେ ବିଭୋର ହେଉଥାନ୍ତି । ଏହି ପର୍ଯ୍ୟାୟରେ ‘ମାଆଁ ପାର୍‌ବତୀ ଗିରି’ କବିତାରେ ଦୁଃଖୀ ଦରିଦ୍ର ଜନତାର ସହାୟ ମା’ ପାର୍ବତୀଗିରିଙ୍କର କଥା ସେ କହିଛନ୍ତି । ‘ବମ୍‌’ କବିତାରେ ସନ୍ତ୍ରାସବାଦୀ ଓସାମା ସମ୍ପର୍କରେ କିଛି ସ୍ଵପ୍ନ କିଛି ବାସ୍ତବ କଥା କହିଛନ୍ତି ।

 

(ଖ) ଅନୂଦିତ କବିତା -

ପରବର୍ତ୍ତୀ ଏଗାରଟି କବିତା କବି ରାଧାମୋହନ ଗଡ଼ନାୟକଙ୍କ କବିତାର ସମ୍ବଲପୁରୀ ଅନୁବାଦ । ଗଡ଼ନାୟକଙ୍କର ପ୍ରଭୁ ହେ ମୋତେ ଶକ୍ତି ଦିଅ, ଆଲୁଅ ପବନ ପାଣି, ସଜ ହୋଇ ମାମୁଁ ଏଥର ଥାଅ, ବୈଶାଖ ମୁଁ, ବେଙ୍ଗୁଲି ବେଙ୍ଗୁଲି ପାଣି ଦେ, ଆ’ରେ ମେଘ ଆ, ମୌସୁମୀ ତୁମେ, ସ୍ଵାଗତ ଲକ୍ଷ୍ମୀ ପଉଷ, କେତେ ଭଲପାଅ, କନିଅରଫୁଲ, ନିର୍ଝର ଆଦି କବିତାର ସମ୍ବଲପୁରୀ ଭାଷାନ୍ତର ସେ- ମାହାପ୍ରୁ ମକେ ଶକ୍‌ତି ଦିଅ, ଉକିୟା ପବନ ପାୟନ, ସଜ ହେଇ ମାମୁଁ ଇଥର ରହ, ମୁଇଁ ହଉଛେ ବୟଶାଖ୍‌, ବେଙ୍ଗ୍‍ଲ ବେଙ୍ଗ୍‍ଲି ପାୟନ୍‌ ଦେ, ଆ’ରେ ବାଦଲ୍‌ ଆ, ମୌସୁମୀ ତୁମେ, ସ୍ଵାଗତ ଲଖ୍‌ମୀ ପୁଷ୍‌ହେ, ଚମ୍ପାଫୁଲ୍‌ ଝରନ୍‌, ମତେ କେତେ ସୁଖ୍‌ ପାୟସ୍‌, ଶୀର୍ଷକରେ କରିଛନ୍ତି ।

 

ସମ୍ବଲପୁରୀ ସାହିତ୍ୟ ଭଣ୍ଡାରକୁ ଏହି କବିତାଗୁଡ଼ିକ ସମୃଦ୍ଧ କରିଛି ସତ୍ୟ, କିନ୍ତୁ ଗଡ଼ନାୟକଙ୍କ କବିତାର ଭାବ ଛଳଛଳ ଛନ୍ଦଗତିକତା ଏଥିରେ ବିଶେଷ ନାହିଁ । ରାଧାମୋହନଙ୍କର-

 

ଆଣିନାହଁ ତୁମେ ମନ ମତାଣିଆ ଜୋଛନା

କରିନାହଁ ତୁମେ ଫୁଲ- ମଉଛବ ରଚନା

ଭରୁନାହଁ ତୁମେ ମଳୟମଧୁ ସୁହାଗ

ଢାଳୁ ନାହଁ ତୁମେ ଶେଫାଳୀର ବାସତିଆଗ

(ସ୍ୱାଗତ ଲକ୍ଷ୍ମୀ ପଉଷ)

 

ସହିତ ନୀଳମାଧବଙ୍କର-

 

ତୁମେ ନାଇଁ ଆନି ଉନ୍‌ମାଦ କରା ଚାନ୍ଦ୍‌ନୀ

ଫୁଲର ତିହାରେ ମତେଇ ନି ଦେଇ ମେଦ୍‌ନୀ

ନାଇଁ ଭର୍‌ବାର୍‌ ମଧୁର ସୁହାଗ ମଲୟର୍‌

ନାଇଁ ଢାଲ୍‌ବାର୍‌ ଶେଫାଲି-କହଁର ରାୟତ୍‌ଭର୍‌

(ସ୍ୱାଗତ ଲଖ୍‌ମୀ ପୁଷ୍‌ ହେ)

 

ତୁଳନୀୟ ଭାବରେ ପାଠକଲେ ପାର୍ଥକ୍ୟ ଅନୁଭୂତ ହୋଇଥାଏ ।

 

‘ପାଣିଗ୍ରାହୀ ପଦ୍ୟାବଳୀ’ରେ ଅନ୍ୟ ଦୁଇଟି ପୌରାଣିକ କଥା ସ୍ଥାନିତ ହୋଇଛି । କର୍ନର କବଚ କୁଣ୍ଡଳଦାନ ଏବଂ ପାଣ୍ଡବ ମହାପ୍ରସ୍‌ଥାନ ।

 

କବିତାର ଆରମ୍ଭରେ ଇନ୍ଦ୍ରଙ୍କର ଚରିତ୍ରର ପରିଚୟ ଏହିପରି ଦିଆଯାଇଛି ଯେ, ସ୍ଵର୍ଗର ରାଜା ଇନ୍ଦ୍ର କାହାରି ଯଶ ସହିପାରନ୍ତିନି । ତାଙ୍କର ଇନ୍ଦ୍ରପଦ ଅନ୍ୟ କେହି ଅଧିକାର କରିନେବ ବୋଲି ସେ ସର୍ବଦା ଚିନ୍ତାଗ୍ରସ୍ତ ଥାଆନ୍ତି । କବି ଇନ୍ଦ୍ରକୁ ଲକ୍ଷ୍ୟ କରି ଲେଖିଛନ୍ତି-

 

ବଡ଼େ ନିର୍‌ଦୟ କାର୍‌ପଟ୍‌ଦାର ଘରଭଂଗାକେନ୍ଦ୍ରର୍‌

ପରର୍‌ ସୁଖର୍‌ ଘର ସଂସାର ଧ୍ୱଂସେଁ ଧୁରଂଧର୍‌ ।

ହାଁ ୟଁ ବଦ୍‌ଗୁନ୍‌ ଲାଗି ଇନ୍ଦ୍ରର୍‌ ନାଆଁଟେ ପୁରଂଦର୍‌ ।

(ପାଣିଗ୍ରାହୀ ପଦ୍ୟାବଳୀ ପୃ.୨୧୯)

 

ସ୍ଵାର୍ଥସାଧନ ନିମନ୍ତେ ଇନ୍ଦ୍ର ବିଶ୍ଵାମିତ୍ରଙ୍କର ତପଭଂଗ ନିମନ୍ତେ ମେନକା ଅପସରାକୁ ପଠାଇ କେତେବେଳେ ସଫଳ ହୁଅନ୍ତି ତ, ଅନ୍ୟ କେତେବେଳେ ଅପ୍‌ସରୀମାନେ ବିଫଳ ହେଲେ ବଜ୍ର, ଶକ୍ତି, ତୋମର୍‌, ବର୍ଚ୍ଛା ଆଦି ପ୍ରୟୋଗ କରନ୍ତି । ନିରୂପାୟ ହୋଇଗଲେ ବିଷ୍ଣୁ ଅବା ବ୍ରହ୍ମାଙ୍କର ଶରଣ ନେଇଥାନ୍ତି । ଅନ୍ୟପକ୍ଷରେ ମହାଦାନୀ କର୍ଣ୍ଣ ଆବଶ୍ୟକ ହେଲେ ନିଜର ପ୍ରାଣସୁଦ୍ଧା ସମର୍ପଣ କରିଦେବାକୁ ପ୍ରସ୍ତୁତ ରହିଥାନ୍ତି । ଇନ୍ଦ୍ର ପାଣ୍ଡବମାନଙ୍କୁ ବିଜୟୀ କରାଇବା ନିମନ୍ତେ କର୍ଣ୍ଣର କବଚକୁଣ୍ଡଳଦାନ ମାଗିବାକୁ ସ୍ଥିର କଲେ ।

 

ଖାକେଁ ଗୁଥି, ହାତେଁ ତମାର ପାତ୍‌ରି

ଗତ୍‌ରେଁ ଚିତ୍‌ରି- କାବ୍‌ରି ଉତ୍‌ରୀ

ମୁଡେଁ ଉଢ଼ି ଡାଲ୍‌ ପତର୍‌ ଛତ୍‌ରୀ

କର୍ମର ଠାନୁ ମାଗ୍‌ବେ ଜଦ୍‌ରୀ

(କବଚ୍‌ କୁଣ୍ଡଳ୍‌ ଦାନ୍‌)

 

କର୍ନ ଜରୁର୍‌, ଦେଇଦେବା, ସେଥିଁପାଇଁ ଯାଉପଛେ ତା’ର ଜାନ୍‌ (ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୧୩)

 

ପୂର୍ବଦିନ ସୂର୍ଯ୍ୟଦେବ କର୍ଣ୍ଣଙ୍କୁ ଏ ପ୍ରସଙ୍ଗରେ ସତର୍କ କରାଇଦେଇଥିଲେ । ତଥାପି ପରଦିନ କର୍ଣ୍ଣ ବିପ୍ରବେଶୀ ଦାନାର୍ଥୀ ଇନ୍ଦ୍ରଙ୍କୁ କହିଲେ, କେଉଁ ଦାନ ଆବଶ୍ୟକ ? ଇନ୍ଦ୍ର କବଚକୁଣ୍ଡଳ ଦାନ ମାଗିବାରୁ କର୍ଣ୍ଣ ଏ କବିତାରେ କହିଛନ୍ତି-

 

ଦେମି ବଢ଼େ ବଢ଼େ ଡୁଲିମାନ ଗଜ୍‌ ବାହାଲେଁ କଁଝାରତଲେଁ ।

ମର୍‌ଡ଼ି ପଡ଼୍‌ଲେ ଧାନ ନାଇଁମରେ, ମାୟଟ୍ଉଲ୍‌ହା ଥିସି ଜଲେଁ ।

ମୁଠ୍‌ନେ ମୁଠ୍‌ନେ ଖେଡ଼୍‌ ଦେବାଧାନ୍‌, ହଁସୁଥିବା ମୁଲ୍‌ମୁଲ୍‌

ତାସ୍‌ କରି ସୁଖେଁ କୁଟୁମବଁସିଆ ହଁସୁଥିବା ମୁଲ୍‌ସୁଲ୍‌

ତାସ୍‌ କରି ସୁଖେଁ କୁଟୁମ୍‌ ବଁସିଆ ହଁସୁଥିବ ଖୁଲ୍‌ଖୁଲ୍‌

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୧୮)

 

ଏ ଦାନ କର୍ନ କ’ଣ ଦେବରାଜ ଇନ୍ଦ୍ରଙ୍କୁ କବଚକୁଣ୍ଡଳ ପରିବର୍ତ୍ତେ ଦେଇ ସୁଖୀ କରାଇବେ ନା ଏହା ଜଣେ ସାଧାରଣ କୃଷକର ସ୍ଵପ୍ନ ଭଲ ଜମି ! ପ୍ରଚୁର ଫସଲ !! ଆନନ୍ଦ ଉଲ୍ଲାସ !! ଅନେକ ବାକ୍ୟ ବିନିମୟ ଇନ୍ଦ୍ରକୁ ପ୍ରଭାବିତ କରିପାରି ନାହିଁ । ଶେଷରେ କର୍ନ କବଚକୁଣ୍ଡଳ ଓହ୍ଲାଇ ଦାନ କରିଦେଲେ । କିନ୍ତୁ ବଦଳରେ ‘ଶକ୍ତି’ ନାମକ ଅସ୍ତ୍ର ମାଗିନେଲେ । ଏଠାରେ ପୌରୁଷଦୀପ୍ତ କର୍ନ ଓ ସ୍ଵାର୍ଥାନ୍ଧ ଇନ୍ଦ୍ରଙ୍କର ଚରିତ୍ର ଚିତ୍ରଣ କରାଯାଇଛି । ସେହିପରି ‘ପାଣ୍ଡବ ମହାପ୍ରସ୍‌ଥାନ’ ମହାଭାରତର ସମାପ୍ତି ଅଂଶ । ଏହାକୁ ଏକ ସ୍ଵତନ୍ତ୍ର ପୁସ୍ତକ ଭାବରେ ମହାଭାରତ କଥା-ମହାପ୍ରସ୍ଥାନିକ୍‌ (ସ୍ୱର୍ଗାରୋହଣ) ପର୍ବ ଶୀର୍ଷକରେ ପ୍ରଥମେ ୧୯୯୬ ମସିହାରେ ପ୍ରକାଶ କରିଥିଲେ-। ମହାଭାରତ ଆଦିପର୍ବ ପ୍ରକାଶିତ ହେବା ପୂର୍ବରୁ ଏହି କ୍ଷୁଦ୍ର ପୁସ୍ତିକାଟି ପ୍ରକାଶିତ ହେବା ସମ୍ପର୍କରେ ଲେଖକ ଯେଉଁ ମର୍ମସ୍ପର୍ଶୀ ବକ୍ତବ୍ୟ ରଖିଛନ୍ତି, ତାହା ଏହିପରି - ‘ମାହାଭାରତ୍‌ କଥା’ ବହିର୍‌ ପହିଲ୍‌ଭାଗ ଲେଖାସେସ୍‌ ହେଇଥାୟ କି ନେଇଁ, ମୋର୍‌ ସାନପୁଓ ପ୍ରଣତ୍ କୁମାର୍‌ ସେଟାକେ ଛପାବାର କାଜେ ବହୁତ ଆଗ୍ରହ ଦେଖେଇ କରି ପ୍ରାଥମିକ ବ୍ୟବସ୍ଥା କରିଦେଲା । ବହିର୍‌ ଦୁସ୍‌ରା ଭାଗ୍‌ ଲେଖି ଚାଲି ଥାୟଁ । ଅଚାନକ୍‌ ଇ ୧୯୯୬ ଜାନୁୟାରୀ ମାସେଁ କାଁ କରି କେଜାନେ, ମାହାଭାରତ୍ ଆଖ୍‌ରି ପର୍ବ ‘ସ୍ଵର୍ଗାରୋହଣ’ ଲେଖିବସ୍‌ ହିଁ । ଲେଖା ସେସ୍‌ କରିଁ ଫେଆର୍‌ କପି ତିଆର୍‌ କରୁଥାୟଁ, ଫେବ୍‌ରୁୟାରୀ ୫ ତାରିକ୍‌ ରାତିଁ ୬ ତାରିକ୍‌ ପହପହ ବେଲେଁ ବି ସେଥିଁ ଲାଗିଥାୟଁ । ଆକାଶ୍‌ ନିର୍ମଲ୍‌ ଥିଲା-ମେଘ୍‌ ବାଦଲ୍‌ର ସୂଚନା ନାଇଁ, ଅଚାନକ୍‌ ଗୁଟେ ଭୟାନକ ନିସବ୍‌ଦ ଚଡ଼ଚଡ଼ି ମୋର ଉପରେଁ ପଡ଼୍‌ଲା ଖବର ଆୟଲା, ୫ ତାରିକ୍‌ ରାତିଁ ମୋର ପ୍ରାଣପ୍ରିୟ ପୁଓ ସେହି ପ୍ରଣତ୍‌ କୁମାର ବମ୍‌ବେ ସହରେ ସ୍ଵର୍ଗାରୋହଣ କରିଛେ × × × ତା’ର ସ୍ଵର୍ଗାରୋହଣ ସାଂଗେ ମୋର ଇ ‘ସ୍ୱର୍ଗାରୋହଣ ପର୍ବ’ ଲେଖାର୍‌ ରହସ୍ୟମୟ ଯୋଗାଯୋଗ ଅଛେ । (ମହାଭାରତ କଥା-ପୃ.୩)

 

ଅର୍ଜ୍ଜୁନ ଯଦୁ ବଂଶର ସମ୍ବାଦ ନେଇ ହତଶ୍ରୀ- ହତଶକ୍ତି, ଗାଣ୍ଡୀବକୁ ଉଠାଇ ସୁଦ୍ଧା ପାରୁ ନଥିବା ପରି ଗ୍ଳାନି ଭୋଗ କରି ହସ୍ତିନା ଫେରିଆସିଲେ । ତାଙ୍କଠାରୁ ସମସ୍ତ ସମ୍ବାଦ ଶୁଣି ଯୁଧିଷ୍ଟିର କହିଲେ, ପାର୍ଥସାରଥୀ କୃଷ୍ଣ ଯଦି ମରତନୁ ତ୍ୟାଗ କରି ନିଜର ଅମରଧାନକୁ ପ୍ରତ୍ୟାବର୍ତ୍ତନ କଲେ, ତେବେ ମହାକାଳର ମୁଖରେ ପତିତ ହେବା ପୂର୍ବରୁ ଆମେ ଚାଲ ସଂସାର ପରିତ୍ୟାଗ କରି ଚାଲିଯିବା-

 

‘‘ଜାନିଛୁ ତ ଭାୟ ! ଆସ୍‌ତେ ଆସ୍‌ତେ ଆଉଛେକରାଲ୍‌କାଲ୍‌

ତା’ର ଜାଲେଁ ହାମେ ପଡ଼୍‌ବାର ଆଘୁଁ ତାହାକେ ଭେଟ୍‌ମାଚାଲ୍‌’’

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୨୪)

 

ଉତ୍ତରାସୁତ ପରୀକ୍ଷିତର ‘ରାଜ୍‌ ଅଭିଷେକ’ କରି ନାବାଳକ ଥିବାରୁ ବଡ଼ବାପାଙ୍କ ପୁଅ ଯୁଯୁତ୍ସୁଙ୍କୁ ତାଙ୍କର ତତ୍ତ୍ୱାବଧାନ ନିମନ୍ତେ ନିଯୁକ୍ତ କଲେ । ମାମୁଁ ବସୁଦେବ ଓ ମାମୁଁ ପୁଅ କୃଷ୍ଣବଳରାମ ଆଦିଙ୍କର ତର୍ପଣ କରି ‘‘ବାମ୍‌ହିନ୍‌ ମନ୍‌କେ ଖୁଆଲେ ଖୁୟେନ୍‌ ଦେଲେ ଜଜବଜ୍‌ଦାନ୍‌-।”

 

ପରଜାମାନେ ନ ଯିବା ପାଇଁ ଅଲି ଅରଦ୍‌ଲି କଲେ ।

-ହେଲେଁ, ସମଦର ଦିଗ୍‌କେ ନରବି ବସିଥିସିଯେନ୍‌ନଦୀ

ଛେକି ନାଇଁ ହୟତାକେ ଛେକ୍‌ବାର ପ୍ରୟାସ କରବ୍‌ ୟଦି ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୨୫)

 

ରଜାର ଭୂଷଣ ଉତ୍‌ରେଇ ଭାଇମାନେ ‘ବକଲ୍‌ ଛାଲି’ ପରିଧାନ କଲେ । ପାଞ୍ଚାଳୀ ସହିତ ପାଞ୍ଚଭାଇ ସାଂଗରେ କୁକୁରଟି ମଧ୍ୟ ଚାଲିବାକୁ ଲାଗିଲା । ସାଂସାରିକ ମାୟା-ମୁକ୍ତ ପାଣ୍ଡବଗଣ ପୂର୍ବମୁଖା ହୋଇ ବାଟ ଚାଲୁ ଚାଲୁ ବହୁ ଦେଶ, ନଦୀ, ପର୍ବତ, ସମୁଦ୍ର ପାର୍‌ ହୋଇ ‘ଲାଲ୍‌-ସମଦ୍‌ର’ ନିକଟରେ ପହଞ୍ଚିଲେ । ଅଗ୍ନିଙ୍କର ପରାମର୍ଶରେ ଅର୍ଜୁନ ଏହିଠାରେ ଧନୁଶର ସମୁଦ୍ରକୁ ଫିଙ୍ଗିଦେଇଥିଲେ । ମଣିହରା ଫଣୀ ପରି ଅର୍ଜୁନ ଅର୍ଦ୍ଧମୃତ ମନେହେଲେ । ଲବଣସାଗର ଉତ୍ତରତୀରରୁ ସେମାନେ ଦକ୍ଷିଣ ପଶ୍ଚିମ କୋଣରୁ ପଶ୍ଚିମ ଆଡ଼କୁ ଯାଇ ଜଳମଗ୍ନ ଦ୍ଵାରକା ନଗରୀ ଦେଖିଲେ । ସେଠାରୁ ଫେରି ଧରିତ୍ରୀ ପରିକ୍ରମଣ କରିବାକୁ ଉତ୍ତର ଦିଗକୁ ଗତି କଲେ ।

 

ହିମାଚଳ ପାର ହେବା ପରେ ଦୁସ୍ତର ପଥରେ ପାଞ୍ଚାଲୀ ସତୀ ଚାଲିପାରିଲେ ନାହିଁ । ତଳେ ପଡ଼ୁପଡ଼ୁ ତାଙ୍କର ପ୍ରାଣ ଚାଲିଗଲା । ଭୀମର ପ୍ରଶ୍ନର ଉତ୍ତର ଦେଇ ଯୁଧିଷ୍ଠିର ଦ୍ରୌପଦୀଙ୍କ ପତନର କାରଣ ସମ୍ପର୍କରେ କହିଲେ -

 

‘‘ପାଞ୍ଚାଲୀ ଅର୍‌ଜୁନ୍‌ ଆଡ଼େଁ ଜାଉଥିଲେ ଜହ ଢଲି ।

ହାଁୟ ଦୋଷ୍‌ ଲାଗି ଇଠାନେ ପଡ଼୍‌ଲେ ଟଲି ।’’

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୨୮)

 

ସହଦେବ ନିଜକୁ ବୁଦ୍ଧିମାନ ବିଦ୍ଵାନ ବୋଲି ଅଭିମାନ କରୁଥିବାରୁ, ବାନ୍ଧବପ୍ରିୟ ନକୁଳ ‘ରୂପର ରୁବାବ୍‌’ ଥିବାରୁ, ଅର୍ଜୁନ ଧନୁର୍ଦ୍ଧର ରୂପେ ଗର୍ବ କରୁଥିବାରୁ, ଭୀମ ଆତ୍ମଗର୍ବୀ ‘ଟିଂଗାଲି ବାଗିର୍‌’ ଥିବାରୁ ସେମାନଙ୍କର ପତନ ହେଲା । କିଛିକ୍ଷଣ ପରେ ରଥ-ନିର୍ଘୋଷରେ ଆକାଶ ପୃଥିବୀ ପ୍ରକମ୍ପିତ କରି ଦେବରାଜ ଇନ୍ଦ୍ର ଆବିର୍ଭୂତ ହେଲେ । ଯୁଧିଷ୍ଠିର କୁକୁରଟିକୁ ପରିତ୍ୟାଗ କରିଯିବାକୁ ସମ୍ମତ ହେଲେ ନାହିଁ । ଇନ୍ଦ୍ର କହିଲେ-ତୁମକୁ ମୋର ସମାନ ଅମର ପଦବୀ, ସିଦ୍ଧିପ୍ରାପ୍ତ ହେଉଛି । ‘‘କୁକୁର୍‌ ଚିପୋର୍‌ ସଂଗ୍‌ ଛାଡ଼ ।” ଯୁଧିଷ୍ଠିର ଅନୁଗତ ପ୍ରାଣୀକୁ ପରିତ୍ୟାଗ କରିଯିବାକୁ ଚାହିଁଲେ ନାହିଁ । ଇନ୍ଦ୍ରଙ୍କ ମୁଖରେ କବି ପ୍ରତ୍ୟୁତ୍ତର ରଖିଛନ୍ତି-

 

-କୁକୁର୍‌ ଗୁସିଆଁ ଲୋକ୍‌ ଲାଗି ଭଗବାନ୍

ନାଇଁ ରଖିଦେଇ ସର୍‌ଗେଁ କେହ୍‌ନିଠାନ୍‌

କୁକ୍‌ରିଆ ଯାହା ପୁଇନ୍‌ ପାୟସି

ଯଜ୍ଞ କରେଇ କରି, ବଁଧ କଟା କୁଆଁ ବାଉଲିକୁଡ଼େଇକରି

କ୍ରୋଧବଶ୍‌ ବଲି ରାକ୍ଷସ୍‌ ନେସି ସେ ସବ୍‌ ଚୁରେଇ କରି ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୩୨)

 

ପୁନଶ୍ଚ ତୁମେ ପ୍ରାଣପ୍ରିୟ ଚାରିଭାଇ ଓ ଦ୍ରୌପଦୀଙ୍କୁ ମୂର୍ଚ୍ଛି ସାରିଛ, ସାମାନ୍ୟ କୁକୁର ପ୍ରତି ଏ ଅନୁକମ୍ପା କାହିଁକି ? ଯୁଧିଷ୍ଠିର ଉତ୍ତର ଦେଲେ, ସେମାନେ ବର୍ତ୍ତମାନ ଶବ ମାତ୍ର । ଶ୍ଵାନ ବର୍ତ୍ତମାନ ମୋର ଆଶ୍ରିତ । ଶରଣାଗତକୁ ପରିତ୍ୟାଗ କରିବା ମୋର ଧର୍ମ ନୁହେଁ । ଏହା ଶୁଣି ଶ୍ଵାନରୂପୀ ଧର୍ମ ଆବିର୍ଭୂତ ହୋଇ ସମସ୍ତ ପ୍ରାଣୀଙ୍କ ପ୍ରତି ତାଙ୍କର ଉଦାର ମନୋଭାବ, ସଦାଚାର, ସଦ୍‌ବୁଦ୍ଧି ନିମନ୍ତେ ପ୍ରଶଂସା କଲେ । ଇନ୍ଦ୍ର ତାଙ୍କୁ ନେଇ ଦେବଲୋକର ଦୀପ୍ତି ଦେଖାଇଲେ । ଯୁଧିଷ୍ଠିର କହିଲେ -

 

‘‘ପହିଲୁଁ କହିଛେଁ ଫେର୍‌ ବି କହୁଛେଁ ସୁନ ସ୍ଵର୍‌ଗେଶ୍ଵର ।

ସରଗ୍‌ ଲାଗୁଛେ ମକେ ବିଲ୍‌କୁଲ୍‌ ଛିନା

ମୋର ପ୍ରିୟତମ ଭାୟ ମନ୍‌କର୍‌ ବିନା

ରହିଛନ୍‌ ଯେନ୍‌ ଠାନେ, ମୋର ପ୍ରିୟଭାୟମାନେ

ଆର୍‌ ସେ ଡେଁଗେଇ ଚତ୍‌ରୀ, ସତ୍ତ୍ୱଗୁନ୍‌ବତୀ ପାଂଚାଲୀ

ଶ୍ରେଷ୍ଠ ଯୁବତୀ, ଶୁଧ୍‌ ସୁନା ରଙ୍ଗୱାଲୀ

ସେନ୍‌କେ ଯିବାକେ ବହୁତ୍‌ ଚାହୁଁଛେ ପ୍ରାନ୍‌

ସେଠାନେ ରହୟମି ମିଳୁମକେ ସେ ହିଠାନ୍‌

ହଉସେ ଜହନ୍‌ନାମ, ହର ସେ ସରଗ୍‌ ଧାମ ।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୩୬)

 

ପାଣିଗ୍ରାହୀ ପଦ୍ୟାବଳୀ’ରେ ପ୍ରେମ ବିମୁଗ୍ଧା ନାୟିକା ପ୍ରସଙ୍ଗରେ ଅନୁଭବ ଶୀଲା ଭଟ୍ଟାରିକାର ସ୍ଥାନିତ ହୋଇଛି । ଯୁଗ ଆଦିମ ହେଉ କି ଆଧୁନିକ ପ୍ରେମର ଅନୁଭବ ସର୍ବଦା ସର୍ବତ୍ର ସମାନ । ଆଜି ଉତ୍ତୀର୍ଣ୍ଣ ବୟସରେ ଶୀଳା ଭଟ୍ଟାରିକା ସ୍ମରଣ କରୁଛି ପ୍ରଥମପ୍ରେମର ଅନୁଭବ-

 

ମୁଇଁ ଶୀଲା ଭଟ୍ଟାରିକାନନୀ

ସେତେବେଲେଁ ନୂତନ ଯୌବନୀ

ଦିନେ ମୋର୍‌ ସେ ଦିବ୍ୟ କୁଆଁରୀପନ୍‌

ଜେନ୍‌ ଅଭିରାମ ନୂଆଁ ଜୁଆନ୍‌ କରିଥିଲେ ହରନ୍‌

ଇନର୍ମଦା ନଦୀର୍‌ ଗଦ୍‌ଗଦ୍‌

ଉନ୍ମଦ ଶବଦ୍‌

ପରିପୂର୍ଣ୍ଣ, ଲୀଳା - ଚଞ୍ଚଲ୍‌ ତରେଁ

ବେତ୍ରଲତାର୍‌ ଅଲି- ଗୁଂଜନ୍‌- ମୁଖର୍‌ - କୁଂଜଘରେଁ

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୦୮)

 

ଆଜି ମଧ୍ୟ ଶୀଲା ଭଟ୍ଟାରିକାର ମନରେ ସେହି ଉନ୍ମାଦନା ସଂଜୀବିତା । କବି ପ୍ରେମର ଚିରନ୍ତନୀ ଅନୁଭବର କଥା ଏ କବିତାରେ କହିଛନ୍ତି ।

 

ତାଙ୍କର ‘ପାଣିଗ୍ରାହୀ ପଦ୍ୟାବଳୀ’ର ଶେଷ କବିତାର ଶୀର୍ଷକ ହେଉଛି- ଘେଁସ ମହାମିଲନ ସମ୍‌ମାନା’’ (୩.୧୧.୨୦୦୨) ରେ ଏ ସମ୍ମାନ ତାଙ୍କୁ ଘେଁସବାସୀ ଅର୍ପଣ କରିଥିଲେ । ନିଜର ନମ୍ରତା ପ୍ରଦର୍ଶନ କରି ସେ କହିଛନ୍ତି - ଘେଁସବାସୀ ଭାୟମାନେ, ମତେ ସମ୍ମାନିତ କରି ତୁମେମାନେ ମାନ୍‌ଟାକେ ତାମ୍ବି ବଲିଁ ଭାବୁଛ । ମାତୃଭାଷାର ସୁରକ୍ଷାଚିନ୍ତା ଓ ବୀରମାଟି ଘେଁସର ପ୍ରଶଂସା କରିଛନ୍ତି । ମାତୃଭୂମି ନିମନ୍ତେ ସମର୍ପିତ ହଟେ ସିଂ, କୁଂଜଲସିଂ ଆଦିଙ୍କର ସ୍ମୃତିଚାରଣ କରି ପରିଶେଷରେ ସେ କହିଛନ୍ତି-

 

ଭାଷା- ମାଆଁ ଲାଗି ସଭେ ଆସ ପନ୍‌ କର୍‌ମା

ତା’ର ସେବା କରି କରି ମର୍‌ମାତ୍‌ ମର୍‌ମା ।।

(ପାଣିଗ୍ରାହୀ ପଦ୍ୟାବଳୀ-ପୃ.୨୩୮)

 

***

 

Unknown

ଚତୁର୍ଥ ପରିଚ୍ଛେଦ

ସମ୍ବଲପୁରୀ ଗଦ୍ୟ

 

(କ) ମହରା ଆର୍‌ ମହୁ-(୮.୫.୧୯୯୦)

ସମ୍ବଲପୁରୀ ଭାଷାରେ ରଚିତ ସମାଲୋଚନାଗ୍ରନ୍ଥ ‘ମହରା ଆର୍‌ ମହୁ’ର ଅଗି ଅଗିର ଚାୟର୍‌ କଥା (ଅଗ୍ରଲେଖ)ରେ ସମାଲୋଚକ ଶ୍ରୀଯୁକ୍ତ ପାଣିଗ୍ରାହୀ ପ୍ରଥମରୁ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରି ଦେଇଛନ୍ତି - ‘‘ସମଲ୍‌ପୁରୀ ଭାଷା ମୋର୍‌ ମାତୃଭାଷା, ଉଡ଼ିଆ ମୋର ମାସ୍‌ଟ୍ରି ଭାଷା ଯାହା ମୋର ଇସ୍କୁଲ୍‌ ମାଷ୍ଟରମାନେ ମତେ ବେତ୍‌ବାଟେଁ ମାଡ଼୍‌ ମାରିକରି ଶିଖେଇଥିଲେ । ସମ୍‌କର୍‌ ମାତୃଭାଷାକେ ମୁଇଁ ସମ୍ମାନ ଦେସିଁ । କେହି ମୋର ମାତୃଭାଷାର୍ ଅପମାନ୍‌ କଲେଁ ସହିଯିବାର ଦୁର୍ବଲ, ଭଦ୍ରତା ଦେଖେଇ ନାଇଁପାରେଁ ।’’

 

ଏହି ଗ୍ରନ୍ଥ ରଚନାର ପୃଷ୍ଠଭୂମି ସମ୍ପର୍କରେ ସେ ଯାହା ଲେଖିଛନ୍ତି, ତାହାର ମର୍ମାର୍ଥ ଏହିପରି -

 

ତା. ୮.୧.୯୦ର ‘ମାତୃଭୂମି’ ଦୈନିକରେ ସାଂସ୍କୃତିକ ପରିକ୍ରମା ଶୀର୍ଷକରେ ସ୍ଵାମୀ ଚେତନାନନ୍ଦ ନାମକ ଜଣେ ଲେଖକ ତାଙ୍କର ମାତୃଭାଷା ସମ୍ବଲପୁରୀର ମାନହାନି କରୁଥିବା ଭଳି କେତେ କଥା ଲେଖିଥିବାରୁ ଲେଖକ ଏକ କ୍ଷୁଦ୍ର ପ୍ରତିବାଦପତ୍ର ପଠାଇଥିଲେ । ତାହା ‘ମାତୃଭୂମି’ରେ ପ୍ରକାଶିତ ନ ହେବାରୁ ଗୋଟିଏ ବଡ଼ ପ୍ରତିବାଦ ଲେଖି ସେ ସମ୍ବଲପୁରରୁ ପ୍ରକାଶିତ ଦୈନିକ ‘କୋଶଳ’କୁ ଦେଇଥିଲେ । ଏହି ପ୍ରତିବାଦ ପାଠ କରି ତାଙ୍କର ବନ୍ଧୁମାନେ ଏହିପରି ଅନ୍ୟପ୍ରସଙ୍ଗ ଲେଖିବାକୁ ଉତ୍ସାହିତ କଲେ । ଉପକୂଳ ଅଞ୍ଚଳର ଅନେକ ତାଙ୍କର ନିକଟବନ୍ଧୁ । ହୁଏତ ଓଡ଼ିଆ ଲେଖକମାନଙ୍କୁ କଷ୍ଟ ଦେବା ପରି କିଛି ଏ ଗ୍ରନ୍ଥରେ ଲେଖା ଥାଇପାରେ । ପ୍ରଥମରୁ ସେଥିପାଇଁ ସେ କ୍ଷମାମାଗି ନେଇଛନ୍ତି ଓ ଚେତନାନନ୍ଦଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଏଇଥିପାଇଁ ଯେ, ‘‘ତାକର୍‌ କଲମ୍‌ ମୋର୍ ବୀଣାର ତାର୍‌ ମାନ୍‌କେଁ ବାଜ୍‌ଲା ବଲିଁ ସିନେ ସେଥୁଁ ଏତେ ଆବାଜ୍‌ ବାହାରି ପାର୍‌ଲା ।’’

 

ଖାଂଟି ଭାଷା-ଖାଁଟି ଲେଖା

ଏଥିରେ ସ୍ଥାନିତ ପ୍ରଥମ ଲେଖା, ‘‘ଖାଁଟି ଭାଷା ଖାଁଟି ଲେଖା ।’’ ‘ଭକିଆ’ ଦ୍ଵିତୀୟ ବର୍ଷ-୧୯୮୫ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏହାପରେ ଏଥିରେ ‘ସମଲ୍‌ପୁରୀ ଭାଷା ସାହିତ୍ୟ (ପ୍ରତ୍ୟାଲୋଚନା) ଶୀର୍ଷକରେ ଷୋହଳଟି ଆଲୋଚନା ତଥା ଉପସଂହାର ସହିତ ମୋଟ ଅଠରଟି ରଚନା ଅଛି ।

 

ଖାଁଟି ଭାଷା ଖାଂଟି ଲେଖାରେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ଜଣେ ଅଗ୍ରସାରଥୀ ସତ୍ୟନାରାୟଣ ବହିଦାରଙ୍କ କବିତାଗୁଡ଼ିକର ଭାଷା, ଶବ୍ଦ ଓ ଛନ୍ଦ ଆଲୋଚନା କରାଯାଇଛି । ମିତ୍ରଭାନୁ ବହିଦାରଙ୍କ ସୁପୁତ୍ର ସତ୍ୟନାରାୟଣଙ୍କ ଜନ୍ମ ୧.୮.୧୯୧୩ ମସିହାରେ ହୋଇଥିଲା । ୧୯୧୯ ମସିହାରେ ମାତୃବିୟୋଗ ହେହୁ ସେ ତାଙ୍କର ପିଉସୀଙ୍କ ଦ୍ଵାରା ସମ୍ବଲପୁର ସହରରେ ପ୍ରତିପାଳିତ ହୋଇଥିଲେ । ୧୯୩୦ ମସିହାରେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମେଟ୍ରିକ୍ୟୁଲେସନ ପାସ୍‌ କରି ଶିକ୍ଷକତା କରିଥିଲେ । ୧୯୩୬ ମସିହାରେ ସିଟି ଟ୍ରେନିଂ ଶେଷକରି ବରଗଡ଼ ଜର୍ଜ ହାଇସ୍କୁଲ, ମେଲଛାମୁଣ୍ଡା ମିଡ଼ିଲ୍‌ ଭର୍ଣ୍ଣାକୁଲାର ସ୍କୁଲର ହେଡ଼ ପଣ୍ଡିତ ହେବାପରେ ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା କରିଥିଲେ । ୧୯୪୮ ମସିହାରେ ଆଇ.ଏ., ୧୯୫୬ ମସିହାରେ ବି.ଏ. ଏବଂ ୧୯୫୯ ମସିହାରେ ବି.ଇଡ଼ି ପାଶ୍‌ କରିଥିଲେ । ତାଙ୍କର କବିତାଗୁଡ଼ିକ ଆସନ୍ତାକାଲି, ଡଗର, ଆଶାପରି କେତେକ ପତ୍ରିକାରେ ବାହାରିଥିଲା । ୧୯୪୮ ମସିହାରୁ ଲେଖକ ଜୀବନ ଆରମ୍ଭ କରିଥିବା ଏହି ଲେଖକଙ୍କର ଶ୍ରୀପଞ୍ଚମୀ (୧୯୫୩) ପୁସ୍ତକର କେତେକ ଗୀତକୁ ନେଇ ସାରସ୍ଵତ ପୁସ୍ତକ ଭଣ୍ଡାର ‘ଘୁବୁକୁଡ଼ୁ’ ପୁସ୍ତକ ଛପାଇଥିଲେ, ଏହା ବ୍ୟତୀତ ଘବ୍‌ଘବୋ (୧୯୫୯), ସାଧକ ଚନ୍ଦଶେଖର ବେହେରା (୧୯୭୧), ଟିକ୍‌ ଚହଁରା (୧୯୭୫) ସମ୍ବଲପୁରୀ ବ୍ୟାକରଣ (୧୯୭୭) ଲେଖିଥିଲେ । ସତ୍ୟନାରାୟଣ ବହିଦାର ତାଙ୍କ କବିତାରେ ଭାରତ, ଓଡ଼ିଶା ଓ ସମ୍ବଲପୁରର ଜୟଗାନ କରିଥିଲେ ।

 

-ସମଲପୁରର ମାଟି ପାନି ଝର୍‌ସି ହୀରାନୀଳା

ଧଏନ୍‌ ଧଏନ୍ ମା ସମ୍‌ଲେଇ ଗୋ

ଧଏନ୍ ଧଏନ୍ ତୋର୍‌ ଲୀଳା ।

 

ସମ୍ବଲପୁରୀ ଭାଷାର ଲେଖକମାନଙ୍କ ସମ୍ପର୍କରେ ଆନ୍ତରିକ ଜିଜ୍ଞାସା ନୀଳମାଧବଙ୍କୁ ସତ୍ୟନାରାୟଣଙ୍କର ସାହିତ୍ୟପାଠ ନିମନ୍ତେ ପ୍ରେରିତ କରିଥିଲା । ତାଙ୍କ ଭାଷାରେ- ‘‘ଏନ୍ତା ବିଲ୍‌କୁ୍‌ଲ୍‌ ଖାଁଟି ସମଲ୍‌ପୁରୀ ନାଁ ମାନ ତ ମୋର୍‌ ମନେ ମହନି ଲଗେଇ ଦେଇଥିଲା ।’’ ସତ୍ୟନାରାୟଣଙ୍କ ମୁଦ୍ରିତ ପୁସ୍ତକରେ ସ୍ଥାନିତ ଦୁଇଧାଡ଼ି -

 

ଘୁବୁକୁଡ଼ୁ ଚାଂଗ୍‌ ଚାଂଗ୍‌

ପଇସା ଟାକେ ପତ୍ରେ ଭାଂଗ୍‌

 

ପାଠକରି ସେ ପଇସା ପରିବର୍ତ୍ତେ ପୟସା ହୋଇଥାନ୍ତା, ସମ୍ବଲପୁରୀ ଭାଷା କିପରି ହଳନ୍ତ୍‌ଯୁକ୍ତ ହୁଏ ଓ ଶବ୍ଦ ଶେଷରେ ସ୍ଵରବର୍ଣ୍ଣ ରହେ ନାହିଁ, ଓଡ଼ିଆରେ ଆରବୀ, ପାର୍‌ସୀ ଶବ୍ଦଗୁଡ଼ିକ, ଫୌଜ୍‌, ଫରିୟାଦ୍‌ ଖୟାଲ୍‌, ଚାକର୍‌ ଆଦି ସ୍ଵରାନ୍ତ ଭାବେ କିପରି ଉଚ୍ଚାରିତ ହୁଏ, ତାହା କବିସୂର୍ଯ୍ୟଙ୍କ କବିତାଂଶର ଆଧାରରେ ଉଦାହରଣ ଦେଇଛନ୍ତି । ନନ୍ଦକିଶୋରଙ୍କର ମେଘ ବରଷିଲା ଟପରଟପର, ସମ୍ବଲପୁରୀରେ ଟପର୍‌ଟପର୍‌ ହୁଏ । ସଂସ୍କୃତର କର୍ମ, ସର୍ପ, ଦନ୍ତ ଓଡ଼ିଆରେ କାମ, ସାପ, ଦାନ୍ତ ହେଉଥିବାବେଳେ ସମ୍ବଲପୁରୀରେ କାମ୍‌, ସାଁପ୍‌, ଦାଁତ୍‌, ହୁଏ । ଏହି ଆଲୋଚନା କ୍ରମରେ ସେ ସମ୍ବଲପୁରୀର ପ୍ରଥମ ବୈଶିଷ୍ଟ୍ୟ ଦର୍ଶାଇଛନ୍ତି ଯେ, ଏଥିରେ ଶବ୍ଦର ଅନ୍ତ୍ୟସ୍ଵର ଲୋପ ବା ସ୍ଵରାନ୍ତ ହୁଏ । ଏହିପରି ଅନ୍ତ୍ୟସ୍ଵର ଲୋପ ହିନ୍ଦୀ ଓ ବଙ୍ଗଳାରେ ମଧ୍ୟ ଅଛି । ସମ୍ବଲପୁରୀ ଶବ୍ଦର ଅନ୍ୟ ଏକ ବୈଶିଷ୍ଟ୍ୟ ସେ ଦର୍ଶାଇଛନ୍ତି ଯେ, ଓଡ଼ିଆର ପାଣି, ନଦୀ, ମାଟି, ଜାତି ଆଦିରେ ଥିବା ଅନ୍ତ୍ୟ ଇ ପଶ୍ଚାତ୍‌ଗାମୀ ହୋଇ ଏ ରେ ପରିଣତ ହୁଏ- ପାଏନ୍‌, ନଏଦ୍‌, ମାଏଟ୍‌, ଜାଏତ୍‌ ଆଦି । ଏହାକୁ ଲେଖକ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣରୁ ପାୟନ୍‌, ନୟଦ୍‌, ମାୟଟ୍‌, ଜାୟତ୍‌ ହେବା କଥା ବୋଲି ଲେଖିଛନ୍ତି, କିନ୍ତୁ ବାସ୍ତବରେ ସମ୍ବଲପୁରୀ ଭାଷାରେ ପାଏନ୍‌ ହୁଏ, ପାୟନ୍‌ ହୁଏ ନାହିଁ । ସେହିପରି ଓଡ଼ିଆର ମଇଳା, ପଇତା, ଅଇଁଠା, ବଇଠା ଆଦି ସମ୍ବଲପୁରୀରେ ମୟଲା, ପୟତା, ଅୟଁଠା, ବୟଠା ହୁଏ ଏବଂ ସେହି ଅନୁକ୍ରମେ ବହିଦାରଙ୍କର ପଇସା ସମ୍ବଲପୁରୀରେ ପୟସା ହେବା କଥା ବୋଲି ଲେଖିଛନ୍ତି । ସଂସ୍କୃତ ଭାଷାର ବଧୂ ଶବ୍ଦ ପ୍ରାକୃତ୍‌ ବାଟେଁ ଉଡ଼ିଆର ଉକାରାଁତ୍‌ ବୋହୂ ଶବ୍ଦ ହେଇଛେ, କିନ୍ତୁ ହେଟା ସମ୍ବଲପୁରୀ ଥିଁ ବହ ହେଇଯାୟସି । ଏହିପରି ଶବ୍ଦର ଅନ୍ୟ ଉଦାହରଣ ସେ ଦେଇଛନ୍ତି- ଶାସୁ-ଶାସ୍‌, ଧାତୁ-ଧାତ୍‌, ଦାନ୍ତୁରା-ଦଁତରା, ଦୁଦୁରା-ଦୁଦ୍‌ରା, କୁହୁଳା-କୁହ୍‌ଲା, ଗାମୁଛା-ଗାମ୍‌ଛା, କୁଟୁଣୀ-କୁଟ୍‌ନୀ, ଝୁପୁଡ଼ି-ଝୁପ୍ଡ଼ି, ଗୁଲ୍‌ଗୁଳି-ଗୁଲ୍‌ଗୁଲି, ଜୁଳୁଜୁଳିଆ-ଜୁଲ୍‌ଜୁଲିଆ ଇତ୍ୟାଦି । ‘‘ଇଭାବେ’’, ଯଦି ଭି ଉଡ଼ିଆ ଭାଷା ଥିଁ ‘ଘୁବୁକୁଡ଼ୁ’ ଶବ୍ଦଟା ଥିତା, ତ ସମ୍ବଲପୁରୀ ଭାଷା ଥିଁ ହେଁଟା ‘ଘୁବ୍‌କୁଡ଼’ ହେତା । ଓଡ଼ିଆରେ-ଘୁବୁକୁଡ଼ୁ ଘୁବୁକୁଡ଼ୁ ବାଜୁଛି କହିଥାନ୍ତେ ଓ ସମଲପୁରୀରେ ଘୁବ୍‌କୁଡ଼ୁ ଘୁବ୍‌ଘୁବ୍‌ ବାଜୁଛେ । ଓଡ଼ିଆରେ ଯେତେବେଳେ ଝରଣା କୁଳୁକୁଳୁ ବହୁଛି ହୁଏ, ସମ୍ୱଲପୁରୀରେ ତାହା ଝରନ୍‌ ଖୁଲ୍‌ଖୁଲ୍‌ ବୁହୁଛେ ହୁଏ । ଓଡ଼ିଆ ଭାଷାର ପ୍ରଭାବ ହେତୁ ଗଙ୍ଗାଧର ଲେଖିଥିଲେ-

 

ପିଲାମାନଙ୍କର ଛେର୍‌ଛେରା ଭରାବେ ବାଡ଼ିଠୁକୁଠୁକୁ ସ୍ଵରେ

(ଗଙ୍ଗାଧର ଗ୍ରନ୍ଥାବଳୀ -୧ମ ପୃ.୩୪୯)

 

ପାଣିଗ୍ରାହୀ ଲେଖିଛନ୍ତି- “ଆମ୍‌ ହର ଭାଷା ଥିଁ କି ହେ ବାଡ଼ି ଠୁକୁଠୁକୁ କରୁଛେ ନାଇଁ କହନ୍‌, ବଲ୍‌ସନ୍‌ ଠୁକ୍‌ଠୁକ୍‌ କରୁଛେ । ହେନ୍ତା, ଘୁବ୍‌କୁଡ଼ୁ ଘବୋଘବୋ କି ଘବ୍‌ଘବ୍‌ ବାଜୁଛେ ବଲ୍‌ସନ୍‌ । ହେଁ ଥିର ଲାଗି ସତ୍‌ନାରେନ୍‌ ଦଦାର ବହି ଥିଁ ଘୁବୁକୁଡ଼ୁ ଶବ୍‌ଦ ଦେଖିକରି ମୋର ମନ୍‌ଟିକେ ଫାଟିଗଲା । (ମହରା ଆର୍‌ ମହୁ-ପୃ.ଡ)

 

ତଥାପି ଅନ୍ୟତ୍ର ସତ୍ୟନାରାୟଣ ‘ମୁଇଁ ଓ ତୁଇଁ’ କବିତାରେ ଜନମ୍‌ ଜନମ୍‌ ମାଁଦଲ-ନାଟେଁ ଘୁବ୍‌କୁଡ଼ୁ ନ ଝାଏଁ ଲେଖିଥିବାରୁ ନୀଳମାଧବ ପାଣିଗ୍ରାହୀ ଆନନ୍ଦ ପ୍ରକାଶ କରିଛନ୍ତି । ଏହାପରେ ସମ୍ବଲପୁରୀ କ୍ରିୟାପଦ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି- ଏଥିରେ ସି, ସନ୍‌, ସୁ, ସ, ସିଁ, ସୁଁ ଲାଗେ-। ଖା-ଧାତୁରେ ଖାୟ୍‌ସି, ଖାୟ୍‌ସନ୍‌, ଖାୟ୍‌ସୁ, ଖାୟ୍‌ସ, ଖାୟ୍‌ସିଁ, ଖାୟ୍‌ସୁଁ ହୁଏ । ଭବିଷ୍ୟତ କାଳରେ ହୁଏ, ‘ଖାୟ୍‌ବା, ଖାୟ୍‌ବେ, ଖାୟ୍‌ବୁ, ଖାୟ୍‌ବା ସତ୍ୟନାରାୟଣଙ୍କ କବିତାରେ ଏହି ‘ୟ’ ସ୍ଥାନରେ କେତେକତ୍ର ଏ ପ୍ରୟୋଗ କରାଯାଇଛି । ଶ୍ରୀଯୁକ୍ତ ପାଣିଗ୍ରାହୀ ‘ଏ’ ପ୍ରୟୋଗକୁ ଭ୍ରମାତ୍ମକ ବୋଲି କହିଛନ୍ତି । ବାସ୍ତବରେ ତାହା ନୁହେଁ । ସମ୍ବଲପୁରୀରେ ଖାୟ୍‌ସି ନୁହେଁ ଖାଏସି କୁହାଯାଏ । ଅବଶ୍ୟ ଉଚ୍ଚାରଣଗତ ପାର୍ଥକ୍ୟ ଦୃଷ୍ଟିରୁ ଏହା ଭିନ୍ନ ଭିନ୍ନ ଶୁଣାଯାଇ ପାରେ । ଆଲୋଚକଙ୍କ ମତରେ- ‘‘ଆମ୍‌ହର୍‌ ଭାଷା ଥିଁ ଶବଦ୍‌ ମାନ୍‌କର୍‌ ମୟଧେଁ କି ଶେଷେଁ ଏ ଧ୍ୱନି ନାଇଁ ରହେ, ୟ ହେଇ ଯାୟସି ବଲିଁ ମୋର୍‌ କାନ୍‌କେ ଲାଗ୍‌ସି ।’’ ସତ୍ୟନାରାୟଣ ସମ୍ବଲପୁରୀ ଅସମାପିକା କ୍ରିୟା ଭାବେ-ଛଡ଼େଇ, ଗଦେଇ, ଲୁକେଇ, ଲଦେଇ, ବଂଧେଇ, ଭଗେଇ ଆଦି ପ୍ରୟୋଗ କରିଛନ୍ତି, କିନ୍ତୁ କେତେକ ସ୍ଥାନରେ ଉଡ଼ାଇ, ପୁଡ଼ାଇ ମଧ୍ୟ ଅଛି । ଏହି ସ୍ଥାନରେ ଉଡ଼ୈ, ପୁଡ଼ୈ ଥିଲେ ଯଥାର୍ଥ ସମ୍ବଲପୁରୀ ହୋଇଥାନ୍ତା ବୋଲି ଆଲୋଚକ କହିଛନ୍ତି । ସତ୍ୟାନାରାୟଣ- କହ, ସହ, ରହ ଆଦି ହକାରାନ୍ତ ଧାତୁମାନଙ୍କର ବର୍ତ୍ତମାନ, ଅତୀତ ଏବଂ ଉବିଷ୍ୟତକାଳରେ ରହେସି, ରହେସନ୍, ରହେସୁ, କହେସ, ସହେମି, ସହେମୁଁ ଆଦି ଲେଖାମାନଙ୍କରେ ପ୍ରୟୋଗ କରିଥିଲେ । ତାଙ୍କ ବହିର ଅନ୍ୟତ୍ର-ସହଏଲୁଁ, ବାହଏଲ, ରହ୍‌ଏବେ, କହ ଏବା, କହଏଲା, ଦହଏଲା ଆଦି ଅଛି । କ୍ରିୟା ପ୍ରୟୋଗର ଏହି ପାର୍ଥକ୍ୟ ଓ ଅସଙ୍ଗତି ଲକ୍ଷ୍ୟକରି ଆଲୋକେ ଲେଖିଛନ୍ତି- ସତ୍‌ନାରେନ୍‌ ଦଦାଇ କଥାଟା ଅଧା ଅନ୍‌ଭବ କରିଥିଲେ ବାଗିର୍‌ ଲାଗ୍‌ସି’ (ପୃ.ଝ) ତାଙ୍କ ମତରେ- ‘ୟ’ ଯୋଗରେ ସମ୍ବଲପୁରୀ ପ୍ରୟୋଗ ଉଚ୍ଚାରଣ ଓ ଲିଖନରେ ସାମ୍ୟ ସୃଷ୍ଟି କରନ୍ତା । ଏହାର ଉଚ୍ଚାରଣଗତ ପାର୍ଥକ୍ୟ ଅନୁସାରେ, ଭାଷାର ବୈଶିଷ୍ଟ୍ୟ ନିରୂପିତ ହୁଅନ୍ତା । ସଂସ୍କୃତ ସନ୍ଧିନିୟମ ଉଲ୍ଲେଖ କରି ସେ କହିଛନ୍ତି- ଏ ସ୍ଵର ଉତ୍‌ରୁଁ ଉନ୍ୟା ସ୍ଵର୍‌ ଥିଲେଁ ସଂସ୍କୃତ୍‌ ଭାଷା ଥିଁ ସନ୍ଧିର ନିୟମ୍‌ ମୁତାବକ ଏ ଟା ଅୟ ହୈ ଯାୟସି । ବାକି କାୟଁ ଝଁଗେଁ ଆମ୍‌ ହର୍‌ ସମଲ୍‌ପୁରୀ ଭାଷି ଥିଁ କହେଲେ’ ନାଇଁ ହଇକରି କହ୍‌ୟଲେ କି କୟ୍‌ହଲେ ହେସି ହେଁଟା ମୁଇଁ ଠିକ୍‌ ନାଇଁ କହିପାରେ । (ପୃ. ଞ୍ଜ) ବାସ୍ତବରେ ସମ୍ବଲପୁରୀ ଭାଷାରେ ‘କହେଲେ’ ହୁଏ । ଅନ୍ୟ ପ୍ରୟୋଗ ହୁଏତ କବିଙ୍କର ଇଚ୍ଛାକୃତ । ଏ ପ୍ରସଙ୍ଗ ନୀଳମାଧବ ପାଣିଗ୍ରାହୀ ଉପସ୍ଥାପନ କରିବାର କାରଣ ହେଉଛି ଯେ, ଉଚ୍ଚାରଣ ଓ ଲିଖନ, ଧ୍ୱନି ଏବଂ ରୂପ ମଧ୍ୟରେ ଏକ ସାମଞ୍ଜସ୍ୟ ରହିବା ଉଚିଚ୍‌ ବୋଲି ସେ ମନେକରିଛନ୍ତି । ଯାହାଦ୍ୱାରା ସମ୍ବଲପୁରୀ ଭାଷାର ଏକ ନିର୍ଦ୍ଦିଷ୍ଟ ରୂପ ଉପସ୍ଥାପିତ ହୋଇପାରିବ । ପୁନଶ୍ଚ ଏହି ଭାଷାରେ ରଚିତ ପଦ୍ୟମାନଙ୍କରେ-ଟାନିବେ, ଡାକିଲୁ, ମାରିଲୁ, ଶୁନିବାକେ, ଛାଡ଼ିଲି, ଲାଗିଲା, କରିବେ, ମନରୁ ଦିଶୁଅଛେ, ଆଗରେ, ପଛରେ ଆଦି ଓଡ଼ିଆ ଶବ୍ଦମାନଙ୍କର ମିଶ୍ରଣ ଦେଖାଯାଉଛି । ସତର୍କ ହୋଇ ବିଶୁଦ୍ଧ ସମ୍ବଲପୁରୀ ଶବ୍ଦ ସଂଯୋଜନା କରି କବିମାନେ କବିତା ରଚନା କଲେ ଏ ଭାଷାର ସୌଷ୍ଠବ ଫୁଟିପାରନ୍ତା ବୋଲି ସେ କହିଛନ୍ତି । ଛନ୍ଦ ଦୃଷ୍ଟିରୁ ମଧ୍ୟ ଶହଶହ ସମ୍ବଲପୁରୀ କବିତା ପଢ଼ି ସେ ନିରାଶ ହୋଇଥିବା ଲେଖିଛନ୍ତି । ଶବ୍ଦମାନଙ୍କର ଧ୍ୱନିର ଅନୁପାତ ସମ୍ପର୍କରେ କବିର ସଚେତନତା ରହିବା ଆବଶ୍ୟକ ବୋଲି ତାଙ୍କର ମତ । ଶେଷରେ ସତ୍ୟନାରାୟଣ ବହିଦାର୍‌ଙ୍କର କବିତାମାନଙ୍କରୁ ସମ୍ବଲପୁରୀ ଭାଷାର ବିଭିନ୍ନ ବିଷୟରେ ଦିଗ୍‌ଦର୍ଶନ ମିଳୁଥିବାରୁ ସେ ଚିରସ୍ମରଣୀୟ ଏବଂ ଆମେ ତାଙ୍କ ଅବଦାନର ସଦ୍‌ବ୍ୟବହାର କରିବା ଉଚିତ୍‌ ବୋଲି ସେ କହିଛନ୍ତି-

 

(ଖ) ସମଲ୍‌ପୁରୀ ଭାଷା ସାହିତ୍ୟ (ପ୍ରତ୍ୟାଲୋଚନା)

‘ସମଲ୍‌ପୁରୀ ଭାଷା ସାହିତ୍ୟ’ ବିଷୟକ ପ୍ରତ୍ୟାଲୋଚନାରେ ସେ ଷୋହଳଟି ବିଭିନ୍ନ ଶୀର୍ଷକରେ ଏହି ଭାଷାର ବିଶେଷତ୍ଵ ଦର୍ଶାଇଛନ୍ତି । ସ୍ଵାମୀ ଚେତନାନନ୍ଦ ନାମକ ଜଣେ ବ୍ୟକ୍ତି ‘ମାତୃଭୂମି’ ଦୈନିକ ସମ୍ବାଦପତ୍ରର ୮।୧।୯୦ ସଂଖ୍ୟାର ‘ସଂସ୍କୃତି ପରିକ୍ରମା’ ମଧ୍ୟରେ ଏକ ରଚନା ପ୍ରକାଶ କରିଥିଲେ । ସେଥିରେ ସେ ଓଡ଼ିଆ ସାହିତ୍ୟକୁ ସେମାନଙ୍କର ଅବଦାନ ନିମନ୍ତେ ବ୍ରଜମୋହନ ପଣ୍ଡା ପ୍ରମୁଖ କେତେଜଣଙ୍କର ନାମ ଉଲ୍ଲେଖ କରି ସେମାନଙ୍କୁ ‘ପୁଣ୍ୟଶ୍ଳୋକ’ ଆଖ୍ୟା ଦେଇଥିଲେ । ଏହା ସହିତ ସେ ଲେଖିଥିଲେ ଯେ, “କାହିଁ କେହି ତ ଖଣ୍ଡିଏ ହେଲେ ବହି ସମ୍ବଲପୁରୀ ଭାଷାରେ ଲେଖିନାହାନ୍ତି ।’’ ଏହି ଉକ୍ତିର ପ୍ରତିକ୍ରିୟା ସ୍ଵରୂପ ଶ୍ରୀଯୁକ୍ତ ପାଣିଗ୍ରାହୀ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ଵାତନ୍ତ୍ର୍ୟ ଦର୍ଶାଇବା ନିମନ୍ତେ ଏ ପୁସ୍ତକ ରଚନା କରିଛନ୍ତି-

 

ସମ୍ବଲପୁରୀ ଭାଷାରେ ଯେ ସାହିତ୍ୟ ରହିଛି, ତାହାର ଦୃଷ୍ଟାନ୍ତ ଭାବେ ସେ ‘ଭୂଖା’ ନାମକ ନାଟକ ଓ ‘ଲୁରା’ ନାମକ ରୂପକର ଉଲ୍ଲେଖ କରିଛନ୍ତି । ପ୍ରସଙ୍ଗ କ୍ରମେ ଏହା ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ସମ୍ବଲପୁରୀ ନାଟକ ଭାବେ ସ୍ଵୀକୃତ ‘ଗଉଁତିଆବାବୁ’ ୧୯୫୭ ମସିହାରେ ମୁରାରୀ ମିଶ୍ର, ଶିବ ପ୍ରସାଦ ମିଶ୍ର ଓ କୃଷ୍ଣ ପ୍ରସାଦ ମିଶ୍ରଙ୍କର ମିଳିତ ଉଦ୍ୟମର ଫଳଶ୍ରୁତି ଥିଲା । ଏ ନାଟକଟି ୧୯୫୮ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ବାର୍ଷିକ ଉତ୍ସବରେ ଅଭିନୀତ ହୋଇଥିଲା । ଏଥିରେ କେତେକ ସମ୍ବଲପୁରୀ ସଂଳାପ ରହିଥିଲା । ଅଟଲବିହାରୀ ପଣ୍ଡାଙ୍କର ଫଟାକପାଲ (୧୯୬୫) ଫଟାମାଂଦଲ, କୁମନା ଭିତରେ ଡେଡୁଁ, ଲେଂଜାତରା ଆଦି, ବିନୋଦ ପଶାୟତଙ୍କର ଠହରବା (୧୯୭୫) ମୁଇଁ ନାଇଁ ମରେ (୧୯୭୮) ବୁଡିଗଲା ଗୋଡ଼୍‌ ତଲ୍‌କେ ତଲ୍‌କେ (୧୯୭୯) ଭଖୀ (୧୯୮୧) ପ୍ରକାଶ ପାଇଥିଲା । ଏହି କ୍ରମରେ ଶ୍ରଦ୍ଧାକର ସୂପକାରଙ୍କର କସ୍ତୁରୀମୃଗ, ମଙ୍ଗଳୁଚରଣ ବିଶ୍ୱାଳଙ୍କର ଭୁଖା (୧୯୮୩) ପ୍ରଥମେ ରାଉରକେଲା କଲ୍‌ଚରାଲ୍‌ ଏକାଡେମୀର ଲୋକନାଟକ ମହୋତ୍ସବରେ ମଞ୍ଚସ୍ଥ ହୋଇଥିଲା । ସମାଜର ନିମ୍ନସ୍ତରରେ ଥିବା ଲୋକସଂସ୍କୃତିର ବାହକ ବଜନିଆଁ ସମ୍ପ୍ରଦାୟର ଜୀବନଚିତ୍ର ଏଥିରେ ସେ ସଫଳ ଭାବରେ ଉପସ୍ଥାପନ କରିଥିଲେ । ପରେ ଏହା କଳାତ୍ମକ ଚଳଚିତ୍ର ଭାବରେ ଲୋକପ୍ରିୟ ହୋଇଥିଲା ।

 

ଲିଖିତ ରୂପରେ ସୃଷ୍ଟି ହେବା ପୂର୍ବରୁ ମୌଖିକ ସମ୍ବଲପୁରୀ ସାହିତ୍ୟ ମଧ୍ୟରେ କପିଳ ମହାପାତ୍ରଙ୍କ ଢଗ ରାମାୟଣ, ଚୈତନ୍ୟ ପୁରୋହିତଙ୍କ ଢଗ ମହାଭାରତ ଆତ୍ମପ୍ରକାଶ କରିଥିବା ଜଣାଯାଏ । ୧୯୪୫ ମସିହାରେ ‘ଶଙ୍ଖ’ ପତ୍ରିକାରେ ଲେଖିଥିବା କେତେକ କଥାନୀରେ ଡଃ ଶ୍ରଦ୍ଧାକର ସୂପକାର ଅନେକ ସମ୍ବଲପୁରୀ ଶବ୍ଦ ପ୍ରୟୋଗ କରିଥିଲେ । ତାଙ୍କର ‘ବିଷକନ୍ୟା’ ଗ୍ରନ୍ଥର କାହାଣୀମାନଙ୍କରେ ମଧ୍ୟ ସେ ଏହିପରି ସମ୍ବଲପୁରୀ ଶବ୍ଦ ପ୍ରୟୋଗ କରିବାର ସତ୍‌ସାହସ ଦେଖାଇଥି‌ଲେ ବୋଲି ଆଲୋଚକ ଡଃ ପାଣିଗ୍ରାହୀ ଲେଖିଛନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କର ସମ୍ବଲପୁରୀ ଶବ୍ଦକୋଷ ୧୯୮୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶ କରିଥିଲେ । ସମ୍ବଲପୁରର ବରପୁତ୍ର କବି ସତ୍ୟନାରାୟଣ ବହିଦାର, ଲେଖକ ଶ୍ରଦ୍ଧାକର ସୂପକାର, ଆଲୋଚକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କର ଅବଦାନ ସ୍ଵାମୀଜୀ ବିସ୍ମୃତ ହୋଇଥିବାରୁ ଡଃ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଛନ୍ତି- ‘‘କିନ୍ତୁ ଏନ୍ତା କେତେଝନ୍‌ କର୍‌ ନାଁ ଦେଇଛନ୍‌, ଯେନ୍‌ମାନେ କେନ୍‌ ବାଣୀର ବରପୁତ୍ର କି ବରପାତ୍ର ଯେ ମୁଇଁ ନାଇଁ ଜାନି (ପୃ-୪) ସ୍ଵାମୀଜୀ ଏହିପରି ଏକ ସ୍ପର୍ଶକାତର ପ୍ରସଙ୍ଗ ଚର୍ଚ୍ଚା କରି - ଟେଁକର୍‌ ଘରାକେ କାଁଜେ ଚାହାଲି ଦେଲେ ? (ପୃ.୫) ବୋଲି ଲେଖିଛନ୍ତି । ଏହି ପ୍ରସଙ୍ଗରେ ଲେଖକ ଦୁଃଖ ପ୍ରକାଶ କରିଛନ୍ତି ଯେ, ଓଡ଼ିଆ ଭାଷାର ଲେଖକମାନେ ଓଡ଼ିଶା ବାହାର ତଥା ଭାରତ ବାହାରର ଏକ ବା ଏକାଧିକ ଭାଷା ଜାଣନ୍ତି । ସେ ଭାଷାରେ ସାହିତ୍ୟ ସୃଷ୍ଟି ବି କରିପାରନ୍ତି । ମାତ୍ର ଖାସ୍‌ ଓଡ଼ିଶା ମଧ୍ୟରେ ଯେଉଁ ଭାଷାରେ ଏକ କୋଟିରୁ ଊର୍ଦ୍ଧ୍ୱଲୋକ କଥାବାର୍ତ୍ତା କରନ୍ତି, ସେ ଭାଷା ଶିକ୍ଷା କରି, ସେ ଭାଷାରେ ସାହିତ୍ୟ ସୃଷ୍ଟିକରି ନିଜ ଦେଶର ଏକ କୋଟିରୁ ଊର୍ଦ୍ଧ୍ୱଲୋକଙ୍କର ମନୋରଞ୍ଜନ ଅଥବା ଶିକ୍ଷା ପ୍ରଦାନର ପ୍ରଚେଷ୍ଟା କରନ୍ତି ନାହିଁ । ଡଃ ଶ୍ରଦ୍ଧାକର ସୂପକାରଙ୍କର ଉକ୍ତି ଏ ପ୍ରସଙ୍ଗରେ ସେ ଉଦ୍ଧାର କରିଛନ୍ତି-

 

ମୁଟାମୁଟି କହୟବାକେ ଗଲେଁ, ପଶ୍ଚିମ୍‌ ଉଡ଼୍‌ଶାର ଅନେକ୍‌ ସାହିତ୍ୟ ସାଧକ ଝାର୍‌ର୍‌ ମାଲ୍‌ତୀ ବାଗିର୍‌ ଝାରେଁ ଝଡ଼ି ପଡୁଛନ୍‌ । ଆୟଜ୍‌ କାୟଲ ବିଜ୍ଞାପନର ଯୁଗ୍‌ । ସାହିତ୍ୟ ସାଧକ ଯଦି ହାମ୍‌ବଡ଼ା ପର୍ଚାର୍‌ ନାଇଁ କରନ୍, ଆର୍‌ ନିଜର୍‌ ସାହିତ୍ୟ ବାହାର୍‌ କଲା ଉତ୍‌ରୁଁ ତା’ର ପର୍ଚାର ପର୍ସାର୍‌ ଲାଗିଁ ଝାଲ୍‌ ଘମ୍‌ଘମ୍‌ ନାଇଁ ହୁଅନ୍‌ ତ ଏଭର୍‌ ଯୁଗେଁ ସେ ପଛେଁ ପଡ଼ିଯିବାର୍‌ ଡର୍‌ ଅଛେ । ଅନେକ ପର୍କୁତ ପର୍ତିଭାବାନ୍‌ ଲେଖ୍‌କର ଅନେକ ଦାମୀ ଲେଖା ଅପ୍ରକାଶିତ୍‌ ହେଇ ରହିଛେ । କାରନ୍‌, ଇ ପଢ଼ାବହିର୍‌ ଯୁଗେଁ, ଶସ୍ତା ସାହିତ୍ୟର ଯୁଗେଁ ସାହିତ୍ୟର ମୂଲ୍ୟାୟନ୍‌ ବେପାରୀର ହାତେ ଅଛେ । (ପୃ.୬/୭) ଶତାଧିକ ବର୍ଷ ହେଲା, ଓଡ଼ିଆ ଭାଷା ରୂପକ ବିଶାଳ ବଟଦ୍ରୁମ ତଳେ, ଏ ଭାଷା ଯେ ବଞ୍ଚି ରହିଛି, ତାହା ହିଁ ତା’ର ପ୍ରାଣଶକ୍ତିର ପ୍ରମାଣ । ଆଲୋଚକଙ୍କ ମତରେ ତା’ର ସାହିତ୍ୟ ବାହାର୍ଲାନ, ସେଟା ଫୁଟ୍‌ ବା, କହର୍ବା, ତନ୍ଦ୍ରା ନାଇଁ ହ (ପୃ.୭)

 

ପ୍ରସଙ୍ଗକ୍ରମେ ଲେଖକ ସମ୍ବଲପୁରୀ ନୃତ୍ୟ ଯେ ଜନଜୀବନର ସଂବାଦ ନେଇ ଆତ୍ମପ୍ରକାଶ କରୁଥିବା ଲୋକକଳା (Folk Dance) ଏବଂ ଏହା ଅକୃତ୍ରିମ, ପ୍ରାଣବନ୍ତ ଓ ହୃଦୟ ସଂବେଦ୍ୟ । ସମ୍ବଲପୁରୀ ନୃତ୍ୟର ତାଳ ଓ ଲୟ ଅନ୍ୟ ଆଞ୍ଚଳିକ ନୃତ୍ୟରେ ବିରଳ । ସେହିପରି ସମ୍ବଲପୁରୀ ଗୀତର ସୁର ତାଳ ନିମନ୍ତେ ଲୋକପ୍ରିୟ । ଅନ୍ୟଥା ଭାଷା ନ ବୁଝି ଏହାର ଭାବ ଅନୁଭବ କରିବା ଦୁଃସାଧ୍ୟ ହୁଅନ୍ତା । ସମ୍ବଲପୁରୀ ଗୀତର ଉପଭୋଗ୍ୟତା ସମ୍ପର୍କରେ ଆଲୋଚକ ଏକ ଉପାଖ୍ୟାନ ଶୁଣାଇଛନ୍ତି- ମହାଦେବଙ୍କ ସହ ପାର୍ବତୀଙ୍କର ପରିଣୟ ନିମନ୍ତେ ଦେବଗଣ ଉଦ୍ୟମରତ ଥିଲେ, କିନ୍ତୁ ବହୁ ପ୍ରତୀକ୍ଷା ପରେ କାର୍ଯ୍ୟସିଦ୍ଧ ନ ହେବାରୁ କନ୍ଦର୍ପଙ୍କୁ ଶିବଙ୍କର ତପ-ଭଙ୍ଗର ଦାୟିତ୍ୱ ଦିଆଗଲା । କନ୍ଦର୍ପ ତାଙ୍କର ପତ୍ନୀ ରତିଙ୍କୁ ଗୀତ ଗାଇବାକୁ ନିର୍ଦ୍ଦେଶ ଦେଲେ । ରତି ଯେଉଁ ରାଗରେ ଭାରତୀୟ ସଙ୍ଗୀତମାନ ଗାନକଲେ- ହିନ୍ଦୁସ୍ଥାନୀ, ଧୃପଦ, ଧାମାର, ସାଦ୍ରା, ଖେୟାଲ୍‌, ତରାନା, ଟପ୍‌ପା, ଠୁମରୀ, ଚୈତି କଜ୍‌ରୀ ତଥା କର୍ଣ୍ଣାଟକୀ ତାନମ୍‌, ବର୍ଣ୍ଣମ୍‌, ପଲ୍ଲବୀ, ତିଲ୍ଲାନା, କୃତି, ଜାବାଲୀ ଆଦିର ନାମୋଲ୍ଲେଖରୁ କବିଙ୍କର ରାଗସଙ୍ଗୀତ ବିଷୟକ ଧାରଣା କେତେ ଗଭୀର ତାହା ପ୍ରତିପନ୍ନ ହୁଏ । ଓଡ଼ିଆ କବି ଉପେନ୍ଦ୍ର କବିସୂର୍ଯ୍ୟ, ବନମାଳୀ ଆଦିଙ୍କର ଚୌପଦୀମାନଙ୍କରେ ଯେତେବେଳେ ମହାଦେବ ପ୍ରସନ୍ନ ହେଲେ ନାହିଁ, କାମଦେବ ନିର୍ଦ୍ଦେଶ ଦେଲେ-‘ଲେଗ ତ ଗୁଟା କେତେ ସମଲ୍‌ପୁରୀ ଗୀତ୍ ।’’ ଦୁଇ ତିନିଟା ମାତ୍ର ଗୀତରେ ମହାଦେବ ଚକ୍ଷୁ ଉନ୍ମୀଳନ କରି ଆନନ୍ଦିତ ହେଲେ । ତାଙ୍କର ଗଳାବେଷ୍ଟିତ ସର୍ପମାନେ ମଧ୍ୟ ମନ୍ତ୍ରମୁଗ୍ଧ ହୋଇଗଲେ । ସମ୍ବଲପୁରୀ ଗୀତର ଏତେ ଆକର୍ଷଣ । ସମ୍ବଲପୁରୀ ନୃତ୍ୟପ୍ରବୀଣା ନାୟିକା ପ୍ରସଙ୍ଗରେ ସେ ଲେଖିଛନ୍ତି-ସମଲ୍‌ପୁରୀ ଟଭାଫଲ୍ କି ଟଭାଫାଲ୍‌ ପରି ଖୋଷା ଖୁଷି ଥିବାର ଡଉଲ୍‌ଡାଉଲ୍‌ ଯୋଦ୍ଧାମାନେ, ସକ୍‌ଟାପର ଆଦି କପ୍‌ଟା ପିନ୍ଧିକରି ସମଲପୁର ଫାଲର୍‌ ଆଘର୍‌ କାଲର୍‌ କତ୍ରିଆ, ବଂଦ୍ରିଆ, ଟାଡ଼, ବାହ୍‌ସୂତା, ଖଗ୍‌ଲା, ଝଲ୍‌କା ଆଦି ଆୟଅଁଲ୍‌କାର୍‌ ଖଁଜି ହେଇକରିଁ ମୁହ୍ଁ ମଲ୍‌କାଲେଁ କିଏ ତାକର୍‌ ନାଚ୍‌ଗୀତ୍‌କେ ପସନ୍ ନାଇଁ କର୍‌ବା ? (ପୃ.୧୩)

 

ଆଲୋଚକ ସମ୍ବଲପୁରୀ ବସ୍ତ୍ର, ଅଳଙ୍କାର, ଆଭୂଷଣର ସ୍ଵାତନ୍ତ୍ର୍ୟ ଦର୍ଶାଇଛନ୍ତି, ଏଠାକାର ନାରୀମାନେ ଯେପରି ଦଶଫୁଲିଆ, ପାଞ୍ଚଫୁଲିଆ, କକେନ୍‌ପର୍‌, ସକ୍‌ଟାପର୍‌, ସଚ୍ଚୀପର୍‌, ନାଗବନ୍ଦୀ ଧଡ଼ି, ପର୍ଦ୍ଦାଧଡ଼ି, ଆଦି ବହୁବିଧ କଳାତ୍ମକ ଓ ପାରମ୍ପରିକ ବସ୍ତ୍ର ପରିଧାନ କରୁଥିଲେ, ସେହିପରି ଏଠାକାର ଆଭୂଷଣ-ପରିପାଟୀ ଥିଲା ସ୍ଵତନ୍ତ୍ର ।

 

ସମ୍ବଲପୁରୀ ଗୀତ କିନ୍ତୁ ସମୟ କ୍ରମେ ଯେଉଁ ବିକୃତ ଭାଷା ପ୍ରୟୋଗ ସହ ଉପସ୍ଥାପିତ ହେଉଛି, ତାହା ଆଲୋଚକଙ୍କୁ ବ୍ୟଥିତ କରିଛି । ବିଶେଷକରି ସମ୍ବଲପୁର ଆକାଶବାଣୀରେ ପ୍ରସାରିତ ବିଶୁଦ୍ଧ ସମ୍ବଲପୁରୀ ଶବ୍ଦଗୁଡ଼ିକ ଶ୍ରୋତାମାନଙ୍କର ବୋଧଗମ୍ୟ ହେଉ ନଥିବାରୁ ମଧ୍ୟେ ମଧ୍ୟେ ଓଡ଼ିଆ ଶବ୍ଦ ସଂଯୋଗରେ ଗୀତିକାରମାନେ ଗୀତ ଲେଖିଛନ୍ତି । ଏପରି ପରିବର୍ତ୍ତନର ଦୃଷ୍ଟାନ୍ତ ସେ ଦେଇଛନ୍ତି- ଟାନ୍‌ବେ (ଟାନିବେ) ପଡ଼ିଛନ୍‌ (ପଡ଼ିଅଛନ୍‌) ସାଜ୍‌ସି (ସାଜେ) ଖଂଜ୍‌ସି (ଖଞ୍ଜେ) ମାର୍ଲୁ (ମାରିଲୁ) ଡାକ୍‌ଲୁ- (ଡାକିଲୁ) ଆଦି । ୫ମୀ ବିଭକ୍ତି ପ୍ରୟୋଗବେଳେ ମନୁ-ମନରୁ, ୭ମୀ ବିଭକ୍ତିରେ ପାଦେଁ-ପାଦରେ, ପଛେଁ-ପଛରେ ଉଇଁ ସ୍ଥାନରେ ତୁ, ଲାଗ୍‌ସି ସ୍ଥାନରେ ଲାଗେ ଇତ୍ୟାଦି ବିକୃତିର ଉଦାହରଣ ସେ ଦେଖାଇଛନ୍ତି । ଉଦାହରଣ ଦେଇ ସେ ବୁଝାଇଛନ୍ତି, କିପରି ଛନ୍ଦ ଓ ମିତ୍ରସ୍ଵନ ପ୍ରତି ଦୃଷ୍ଟି ନ ଦେଇ କବିମାନେ ଗୀତ ଲେଖୁଛନ୍ତି । ରସର୍‌କେଲି ଗୀତର ଉଦାହରଣଟିଏ ସେ ଦେଇଛନ୍ତି-

 

ରସର୍‌କେଲୀ ବୋ...ରସର୍‌ କେଲୀ ବୋ-

ପୁରୁନୀ ବନ୍ଧର ପାନି କରେ ଝଲ୍‌ମଲ୍‌

ବନ୍ଧଯାକର୍‌ କଇଁଫୁଲ ଫୁଟି ଦିଶେ ଲାଲ

ଚାନ୍ଦିଲି ଡଗର ତଲେଁ ପାଚିଅଛେ ଚାର

ମହକି ଯାଉଛେ କୁରେ ଫୁଲର କଁହର ।

 

ସମ୍ବଲପୁରୀ ଉଚ୍ଚାରଣ ଅନୁସାରେ ହୋଇଥାନ୍ତା-

 

ପୁର୍‌ନୀ (ପୁର୍ନୀ) ବନ୍ଧର୍‌ପାନି କରେ ଝଲ୍‌ମଲ୍‌

ବନ୍ଧଯାକର୍‌ କଇଁଫୁଲ୍‌ ଫୁଟି ଦିଶେ ଲାଲ୍‌

ଚାନ୍ଦ୍‌ଲୀ ଡଙ୍ଗର୍‌ ତଲେଁ ପାଚିଅଛେ ଚାର୍‌

ମହ୍‌କି ଯାଉଛେ କୁରେ ଫୁଲର କହଁର୍‌

 

ଅଧିକାଂଶତଃ ଉଚ୍ଚାରଣରେ ହଳନ୍ତର ପାର୍ଥକ୍ୟ । ସେ କହନ୍ତି-‘ସମଲପୁରୀର୍‌ ହଲନ୍ତ୍‌ ଗୁଟକ୍‌ ଗଲେ ପାପ୍‌ ଯାୟତା ! (ପୃ. ୧୯) ବୋଲି ଓଡ଼ିଆ ଭାଷାଭାଷୀମାନେ ଭାବୁଥିବେ । ପ୍ରଚଳିତ ଲୋକଗୀତମାନଙ୍କରେ ଓଡ଼ିଆ ଭାଷାର ଅନେକ ମିଶ୍ରଣ ଲକ୍ଷ୍ୟ କରାଯାଏ । ଏହା ଆତ୍ମୀକରଣ ନୁହେଁ, ଆତ୍ମହତ୍ୟା ବୋଲି ତାଙ୍କର ମତ । ସଜନୀ, ହୁମୋ ବଉଲୀ, ଡାଲ୍‌ଖାଇ ଆଦି ଗୀତରେ-ସମ୍ୱଲପୁରୀ ଦ୍ୱିତୀୟା ବିଭକ୍ତିର କେ ‘ସ୍ଥାନରେ’ ‘କୁ’, ପଞ୍ଚମୀ ବିଭକ୍ତିର ନୁଁ, ଠାନୁଁ, ଉଁ, ଥୁଁ ପରିବର୍ତ୍ତେ ଓଡ଼ିଆର ‘ରୁ’, ସପ୍ତମୀ ବିଭକ୍ତିର ଏଁ, ନ ସ୍ଥାନରେ ଓଡ଼ିଆ ‘ରେ’ ପ୍ରୟୋଗକୁ ସେ ଅପମିଶ୍ରଣ ଓ ବିକୃତି ବୋଲି ମତ ଦେଇଛନ୍ତି । ସେହିପରି କ୍ରିୟାପଦ ପ୍ରୟୋଗ ପରିବର୍ତ୍ତେ କରନ୍ତି, କରିବେ, ବିଦା କରିଦିଅ, ରହିବି ଆଦି, ଅସମାପିକା ଅର୍ଥରେ ହୋଇଣ, ଦେଇଣ ପ୍ରୟୋଗ କରାଯାଇଛି । ସାଦୃଶ୍ୟାତ୍ମକ ଅବ୍ୟୟ ଲେଖେଁ, ବାଗିର୍‌, ମିତାଲ୍‌ ଜାଗାରେ ପରି, ପରିକା, ଏପରିକି, କାହିଁକି କିପରି ଆଦି ପ୍ରଶ୍ନବାଚକ ଅବ୍ୟୟ ମଧ୍ୟ ଅଛି । ସେହିପରି ନିତି, ବାପଘର, ଦିଖଣ୍ଡ, ଘିଅ ଆଦି ଓଡ଼ିଆ ଶବ୍ଦମାନ ଅଛି ଯାହା ଭାଷାକୁ ବିକୃତ ହେବାକୁ ନ ଦେଇ ତା’ର ସ୍ଵାତନ୍ତ୍ର୍ୟ ସୁରକ୍ଷିତ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ସମଲପୁରୀର ‘ପର୍ବଚନ, ଛଟା, ଦାୟକା ଆର୍‌ ଭକାନୀର ଭାଷାଟା ଖାଁଟି ବାଗିର୍‌ ଲାଗ୍‌ସି ଆର୍‌ ସଜନୀ ଆଦି ଗୀତର ଭାଷା ବହୁତ୍‌ ଜାଗା ଥିଁ ବିକୃତ୍‌ ହଇଛେ-।’’ (ପୃ. ୨୬) ଏହିପରି ବିକୃତିର କାରଣ ନିରୂପଣ କରି ସେ କହିଛନ୍ତି ଯେ, ପୂର୍ବେ ଏହିପରି ଗୀତ-ନୃତ୍ୟ ସମାଜର ନିମ୍ନବର୍ଗର ପୁରୁଷ ଓ ସ୍ତ୍ରୀମାନଙ୍କ ମଧ୍ୟରେ ସୀମିତ ଥିଲା । ଉଚ୍ଚବର୍ଣ୍ଣର ଲୋକେ ଏହା ଶୁଣିବାକୁ କିମ୍ବା ଦେଖିବାକୁ ଯାଉ ନଥିଲେ । ଲେଖକ ତାଙ୍କର ବାଲ୍ୟସ୍ମୃତି କ୍ରମେ ଲେଖିଛନ୍ତି ଯେ, ‘ଆମ୍‌ହର ଗାଁର ବିଷ୍ଣୁ ଗଁଡ଼ା ନାନା ଜାତିର୍ ଲୋକଗୀତ୍‌ ଏନ୍ତା ସୁନ୍ଦର ସୁର୍‌ ତାଲ୍‌ ଥିଁ ଗାଉଥିଲା ଯେ, ଆକବର ବାଦ୍‌ଶାର୍‌ ଜମାନା ହେଇଥିତା ବୟ୍‌ଲେଁ ସେ ସଙ୍ଗୀତ ସମ୍ରାଟ୍‌ ତାନ୍‌ସେନ୍‌ର କାନ୍‌କାଟି ଦେଇଥିତା ବଲିଁ କହୟ୍‌ଲେଁ ସିନେ କଥାଟା ବଢୈଚଢୈ କରିଁ କହା ହଉଛେ ବଲ୍‌ବ, ଲୋକଗୀତ୍ ଗାହାକ୍‌ ମାନ୍‌କର୍‌ ଭିତ୍‌ରେଁ ସେ ମିଆଁ ତାନ୍‌ସେନ୍ ବାଗିର୍‌ ସମ୍ମାନ ପାଇଥିତା’ ଇ କଥାଥିଁଟିଖେ ଅତିରଞ୍ଜନ ନାଇଁନ (ପୃ.୨୭) ସେ ମଧୁର ଗୀତ ଶୁଣିଥିବା କୋଇଲିମାନେ ଚାରିପାଞ୍ଚମାସ ତକ ଚୁପ୍‌ଚାପ୍‌ ରହୁଥିଲେ । ସାମାଜିକ ବିଧିନିଷେଧ ହେତୁ ଲେଖକ ଏହିପରି ମଧୁର ଗୀତ ଉପଭୋଗରୁ ବଞ୍ଚିତ ଥିଲେ । ସମ୍ବଲପୁରରେ ରେଡ଼ିଓ ଷ୍ଟେସନ ହେବା ପରେ ଲୋକଗୀତ ଭାବରେ ଏଗୁଡ଼ିକ ପ୍ରସାରିତ କରାଗଲା, କିନ୍ତୁ ଇତି ମଧ୍ୟରେ ଏହ ଗୀତଗୁଡ଼ିକରେ ଶୁଦ୍ଧ ସମ୍ବଲପୁରୀ ପରିବର୍ତ୍ତେ ଅନେକ ଓଡ଼ିଆ ଶବ୍ଦର ମିଶ୍ରଣ ଘଟିସାରିଥିଲା । ଏହାର କାରଣଗୁଡ଼ିକ ସମ୍ପର୍କରେ ସେ ସମ୍ଭାବନା କରିଛନ୍ତି ଯେ, ସ୍କୁଲମାନଙ୍କର ଓଡ଼ିଆ ଅଭିଧାନ, ବିଭିନ୍ନ ଅଫିସ୍‌ କର୍ମଚାରୀମାନଙ୍କ ମଧ୍ୟରେ ଭାଷା-ପ୍ରଭାବ ସୃଷ୍ଟି ହୋଇଥିବା ପୁନଶ୍ଚ ଏଗୁଡ଼ିକ ମୌଖିକ ହୋଇଥିବାରୁ ସମକାଳୀନ ନାମ, ସ୍ଥାନ, ପ୍ରସଙ୍ଗ ଏଥିରେ ସ୍ଥାନ ପାଇବା ସ୍ଵାଭାବିକ ।

 

ଏଥିପାଇଁ ସମ୍ବଲପୁର ଅଞ୍ଚଳର କବିମାନଙ୍କର ସଚେତନତା ଅଭାବକୁ ସେ ଦାୟୀ କରିଛନ୍ତି । ସମ୍ବଲପୁରର ଉଚ୍ଚବର୍ଣ୍ଣର ଲୋକେ ଷୋଡଶ ଶତାବ୍ଦୀରୁ ଓଡ଼ିଆ ସାହିତ୍ୟଦ୍ଵାରା ଅନେକ କାରଣରୁ ପ୍ରଭାବିତ ହୋଇଥିଲେ । ଓଡ଼ିଆ ଏ ଅଞ୍ଚଳର ଲିଖିତ ସାହିତ୍ୟ ରୂପେ ସ୍ଵୀକୃତ ହୋଇଗଲା-। କବି ଓ ଲେଖକମାନେ ମଧ୍ୟ ଓଡ଼ିଆରେ ଲେଖିଲେ । ତଥାପି ମୌଖିକ ଭାବେ ମାତୃଭାଷାର ଶବ୍ଦ ଓ ଧାତୁରୂପ ବଳବତ୍ତର ରହିଲା । ଯେତେବେଳେ ସମ୍ବଲପୁରୀ ଭାଷାରେ ଆକାଶବାଣୀ ମାଧ୍ୟମରେ ଗୀତ ପ୍ରସାରିତ ହେଉଛି, ସେତେବେଳେ ଗୀତିକାରମାନେ ଏ ଭାଷାର ସ୍ଵାତନ୍ତ୍ର୍ୟ ପ୍ରତି ଦୃଷ୍ଟି ଦେଇ ଏହାର ମୌଳିକରୂପରେ ରଚନା କରନ୍ତୁ ବୋଲି ସେ ମତ ଦେଇଛନ୍ତି-‘‘ସମଲ୍‌ପୁର ଆକାଶ୍‌ବାଣୀର ସମଲ୍‌ପୁରୀ ଗୀତ ଲେଖକ୍‌ କବିମାନଙ୍କୁ ମୁଇଁ ଜୁହାର୍‌ ବିନ୍‌ତି କରି ଇନେ କହୁଛେଁ ଯେ, ସମଲପୁରୀ ଗୀତ୍‌ମାନକେଁ ସେମାନେ ଉଡ଼ିଆ ଭାଷାର୍‌ ଶବଦ୍‌ ଆର୍‌ ଉଚ୍ଚାରନ୍‌ ଯେନ୍ତା ନାଇଁ ସମ୍‌ବା ସେଥିର୍‌ ଯତନ୍‌ କରୁନ୍‌ । (ପୃ.୩୧)

 

ସ୍ଵାମୀ ଚେତନାନନ୍ଦ ସମ୍ବଲପୁରୀ ଗୀତର ପ୍ରଶଂସା ତାଙ୍କ ପ୍ରବନ୍ଧରେ କରିଥିଲେ । ଏହାପରେ ସେ ଭାଷା ପ୍ରସଙ୍ଗ ଉଠେଇଥିଲେ । ସେ ଲେଖିଥିଲେ ଯେ, ଶଙ୍ଖ, ଚତୁରଙ୍ଗ ଏବଂ ଝଙ୍କାର ପତ୍ରିକାରେ ସମ୍ବଲପୁରୀ ଭାଷା ଉପରେ ଓଡ଼ିଆରେ କେତେକ ପ୍ରବନ୍ଧ ପ୍ରକାଶିତ ହେବାପରେ ସମ୍ବଲପୁରୀ ଭାଷା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲା । ଆଲୋଚକ ଏହାର ବିରୋଧ କରି କହିଛନ୍ତି ଯେ, ଏହାର ଅନେକ ପୂର୍ବରୁ ଯେଉଁ ଉପକୂଳ ଅଞ୍ଚଳର କର୍ମକର୍ତ୍ତା ବା ଅଫିସରମାନେ ଏ ଅଞ୍ଚଳକୁ ଆସିଥିଲେ, ସେମାନଙ୍କର ଦୃଷ୍ଟିରେ ନ ହେଲେ ମଧ୍ୟ ଶ୍ରୁତିରେ ଏ ଭାଷା ନିଶ୍ଚୟ ପଡ଼ିଥିବ । ଅବଶ୍ୟ ସମ୍ବଲପୁର ଅଞ୍ଚଳର ଲୋକେ ଓଡ଼ିଆଭାଷୀ ଲୋକଙ୍କ ସାଙ୍ଗରେ ବାର୍ତ୍ତାଳାପ କଲାବେଳେ ଓଡ଼ିଆରେ କହନ୍ତି, ତେଣୁ ସଭ୍ୟ ଓ ଶିକ୍ଷିତ ବ୍ୟକ୍ତିଙ୍କ ମୁଖରୁ ହୁଏତ ଶୁଣି ନଥିବେ, କିନ୍ତୁ ସାଧାରଣଲୋକମାନଙ୍କଠାରୁ ନିଶ୍ଚୟ ଶୁଣିବାକୁ ପାଇଥିବେ ।

 

ସମ୍ବଲପୁରୀ ଭାଷା ସମ୍ପର୍କରେ ଅନେକ ଭ୍ରମାତ୍ମକ ଧାରଣା ଥିବା ପ୍ରସଙ୍ଗରେ ଆଲୋଚକ ଲେଖିଛନ୍ତି ଯେ, ‘‘× × × ଭାବୁଥିଲେ ଆର୍‌ ଭାବୁଛନ୍‌ ଯେ ସମଲପୁର୍‌ ଆଡ଼ର୍ ଲୁକେ ଜଙ୍ଗଲୀ ଆର୍ ଅଶିକ୍ଷିତ୍, ସେମାନେ ଉଡ଼ିଆ ଭାଷାର୍‌ ଉଚ୍ଚାରନ୍‌ ନାଇଁ କରିପାରି ଆର୍‌ ଭାଷାକେ ବିକୃତ କରିପକେଇଛନ୍‌ । ଇଚ୍ଛେନ୍‌ ଭି ଅନେକାନେକ ଶିକ୍ଷିତ୍ ଉଡ଼ିଆ ଭାଷୀ ଭାବ୍‌ସନ୍‌ ଯେ, ସମଲପୁରୀ ଭାଷାଟା ଉଡ଼ିଆ ଭାଷାର୍‌ ଗୁଟେ ବିକୃତ୍ ରୂପାନ୍ତର ଆୟ୍ । ଏଭେଁ ଏଭେଁ କିଏ କେନ୍ତା ସେଟାକେ ଉଡ଼ିଆର୍‌ ଗୁଟେ ଉପଭାଷା ବଲି ମାନୁଛନ୍‌ । ଆଘସଭେ ସମଲ୍‌ପୁରୀକେ ଗୁଟେ ଅପ୍‌ଭାଷା ଭାବୁଥିଲେ, ହେୟଜ୍ଞାନ୍‌ କରୁଥିଲେ, ଘୃଣା କରୁଥିଲେ । (ପୃ.୩୨)

 

ସମ୍ବଲପୁରୀ ଭାଷା ଉପରେ କେତେକ ପ୍ରବନ୍ଧ ସ୍ଵର୍ଗତ ଅଶ୍ୱିନୀ କୁମାର ପୂଜାରୀ ଝଙ୍କାର ଆଦି ପତ୍ରିକାରେ ଲେଖିଥିଲେ । ସେଗୁଡ଼ିକୁ ସ୍ଵାମୀଜୀ ‘‘ନଗ୍ରଜନପଦରେ ପ୍ରଶଂସିତ ହୋଇଥିଲା’’ ବୋଲି ଲେଖିଥିଲେ, କିନ୍ତୁ ସମ୍ୱଲପୁରରୁ ପ୍ରକାଶିତ ତତ୍କାଳୀନ ‘ହୀରାଖଣ୍ଡ’ ଦୈନିକର ୧୯୮୨ ରୁ ୧୯୮୪ ମଧ୍ୟରେ ଧାରାବାହିକ ଭାବରେ ସେ ଯେଉଁ ୧୪ ଦଫାର ବିରାଟ ଲେଖା ସମ୍ବଲପୁରୀ ଭାଷା ଉପରେ ଲେଖିଥିଲେ ତାହାର ଉଲ୍ଲେଖ ସୁଦ୍ଧା ସେ କରିନଥିଲେ । ସ୍ୱର୍ଗତ ପୂଜାରୀ ଏହାର ୧୩ ଭାଗରେ ଲେଖିଥିଲେ ‘‘ସମ୍ବଲପୁରୀ ଭାଷା କ’ଣ ଏକ ଉପ ଉପଭାଷା’’ ? ନାମକ ପ୍ରବନ୍ଧ । ଏଥିରେ ସେ ଲେଖିଥିଲେ- ‘‘ଏହି ସବୁ କାରଣରୁ ସମ୍ବଲପୁରୀ ଭାଷାକୁ ଏକ ଉପଭାଷା ଆଖ୍ୟା ଦେବା ନିତାନ୍ତ ଅଜ୍ଞତାର ପରିଚୟ ହେବ । ଏଗୁଡ଼ିକ ଯଥେଷ୍ଟ ପ୍ରମାଣ ଯେ, ସମ୍ୱଲପୁରୀ ଭାଷା ଓଡ଼ିଶାର ଏକ ସ୍ଵତନ୍ତ୍ର ଆଞ୍ଚଳିକ ଭାଷା, କିନ୍ତୁ ଓଡ଼ିଆ ଭାଷାର ଉପଭାଷା ନୁହେଁ, ଏବଂ କଟକୀ, ଗଞ୍ଜାମୀ, ବାଲେଶ୍ୱରୀ ଆଦି ଭାଷାଗୁଡ଼ିକ ଓଡ଼ିଆ ଭାଷାର ଉପଭାଷା ।’’

 

ସ୍ଵାମୀଜୀ ଲେଖିଥିଲେ-‘ସମ୍ବଲପୁରୀ ଏଜ ସ୍ଵତନ୍ତ୍ର ଭାଷା ନୁହେଁ । ଏହା ଏକ ଆଞ୍ଚଳିକ ଭାଷା ଏବଂ ଓଡ଼ିଆ ଭାଷାର ଜ୍ୟେଷ୍ଠା କନ୍ୟା । x x x ବହୁ ଦେଶଜ ଶବ୍ଦ ଓଡ଼ିଆ ଭାଷାର ସର୍ବାଙ୍ଗୀନ ଉନ୍ନତି ସାଧନ କରିଛି । ସେହିପରି ସମ୍ବଲପୁରୀ ଭାଷାର ଯାହା ଶ୍ରେଷ୍ଠଶବ୍ଦ ତାକୁ ଆହରଣ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରାଯିବା ଦରକାର ।’’ ଏହା ଆଲୋଚକ ପାଣିଗ୍ରାହୀଙ୍କୁ ମର୍ମାହତ କରିଛି । ସେ ପ୍ରଶ୍ନ କରିଛନ୍ତି, ସମ୍ବଲପୁରୀକୁ କାହିଁକି ଓଡ଼ିଆର ଜ୍ୟେଷ୍ଠାକନ୍ୟା କୁହାଯିବ ? ସେହି ସ୍ଵାମୀଜୀଙ୍କ ଭାଷାରେ ତ ସବୁ ପ୍ରାଦେଶିକ ଭାଷାର ଜନନୀ ହେଉଛି ସଂସ୍କୃତ । ଯଦି ଜ୍ୟେଷ୍ଠାକନ୍ୟା, ତା’ର ଜନ୍ମ କେଉଁ ଶତାବ୍ଦୀରେ ଏବଂ ଓଡ଼ିଆ ଭାଷା ବୟସରେ ବଡ଼ ଏହାର କି ପ୍ରମାଣ ଅଛି ? ତାଙ୍କ ଭାଷାରେ-‘ନଦୀ ଯେନ୍‌ ଆଡ଼ୁଁ ଯେନ୍‌ ଆଡ଼୍‌କେ ବୁହି ଯାୟସି ସେ ଆଡ଼ୁ ସେ ଆଡ଼୍‌କେ ସଭ୍ୟତା ଭି ନେଇ ଯାୟସି, ଇ ଐତିହାସିକଙ୍କ ପର୍ମାନ୍‌ ଟା କାଣା ମିଛ ଆୟ ? ତ ମହାନଦୀ ପଶ୍ଚିମ୍‌ ଉଡ଼୍‌ଶା ଆଡୁଁ ସଭ୍ୟତା, ଭାଷା ଆଦି ପୂରୁବ୍‌ ଆଡ଼୍‌କେ ନେଇଛେ ବୟଲେଁ କାଣା ମିଛ୍‌ ହେବା ? (ପୃ.୩୫) । ପୁନଶ୍ଚ ସମ୍ବଲପୁରର ସଭ୍ୟତା ଯେ ବହୁ ପୁରାତନ, ତାହା ପ୍ରମାଣ କରିବାକୁ ଯାଇ ସେ ଶିବପ୍ରସାଦ ଦାସଙ୍କର ସମ୍ୱଲପୁର ଇତିହାସ’ (ଦ୍ୱିତୀୟ ମୁଦ୍ରଣ-୧୯୬୯) ର ତଥ୍ୟ ଉଦ୍ଧାର କରିଛନ୍ତି-

 

ସମ୍ୱଲପୁର ଜିଲ୍ଲାର ଝାର୍‌ସୁଗୁଡ଼ା ରେଳ ଜଙ୍କ୍‌ସନ୍‌ଠାରୁ ପ୍ରାୟ ୧୬ ମାଇଲ୍‌ ଦୂରରେ ପଶ୍ଚମଦିଗରେ ନିବିଡ଼ ଜଂଗଲମଧ୍ୟରେ ଅବସ୍ଥିତ ଏହି ବିକ୍ରମ ଅଧିତ୍ୟକା । ବିକ୍ରମ ଅଧିତ୍ୟକାର ଏକ ପାହାଡ଼ ଗୁମ୍ଫାର ନାମ ବିକ୍ରମ ଖୋଲ । ସେହି ଗୁମ୍ଫାରେ ୩୨ ଫୁଟ ଦୀର୍ଘ-୭ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଶିଳାଲିପି ଅଛି । ବିଶେଷଜ୍ଞମାନେ କହନ୍ତି ଯେ, ଖ୍ରୀଷ୍ଟଜନ୍ମର ଦୁଇତିନି ହଜାର ବର୍ଷ ପୂର୍ବେ ବିକ୍ରମ ଖୋଲ ଶିଳାଲିପି ଖୋଦିତ ହୋଇଥିଲା ଏବଂ ସେହି ଲିପିରୁ ବ୍ରାହ୍ମୀ ଓ ଫିନିସୀୟ ଲିପିର ଉଦ୍ଭବ ହୋଇଅଛି । ସ୍ଥୂଳତ ଓ ବିଶେଷତଃ ଏଥିରୁ କୁହାଯାଇ ପାରିବ ଯେ, ବିକ୍ରମ ଖୋଲର ଲିପି ସୈନ୍ଧବ ଲିପି ଓ ବ୍ରାହ୍ମୀଲିପିର ଅନ୍ତର୍ବତ୍ତୀ ବା ଯୋଗବାହ ।

 

ବିକ୍ରମ ଖୋଲଠାରୁ ଦଶମାଇଲ୍‌ ବ୍ୟବଧାନରେ ରହିଛି ଉଲାପଗଡ଼ ନାମକ ଏକ ପାର୍ବତ୍ୟ ଦୁର୍ଗର ଭଗ୍ନାବଶେଷ ଏବଂ କେତେକ ବର୍ଗାକାର ଓ ଆୟତାକାର ପ୍ରସ୍ତର କୁଣ୍ଡ ତଥା ଉଷାକୁଟୀ ନାମକ ଏକ ଗୁମ୍ଫା । ଏହି ଗୁମ୍ଫା ଭିତରେ କେତେକ ଶିଳାଲିପି, ଶିଳାଚିତ୍ର ଓ ହସ୍ତାଙ୍କ ଦେଖାଯାଏ । x x x ଏକଥା ସୁନିଶ୍ଚିତ ଯେ, ଆଜିକୁ ପାଞ୍ଚହଜାର ବର୍ଷ ପୂର୍ବେ ଏହି ଅଞ୍ଚଳରେ ଏକ ସଭ୍ୟ ଓ ଉନ୍ନତ ଜାତି ବାସ କରୁଥିଲେ । ସେମାନେ ଦୁର୍ଗନିର୍ମାଣ, ଯୁଦ୍ଧବିଦ୍ୟା, ପ୍ରସ୍ତର ଖୋଦନ ଜାଣିଥିଲେ । ସେମାନଙ୍କର ଲିପି ଓ ଭାଷା ଥିଲା । ସମ୍ଭବତଃ ସେମାନେ ଥିଲେ ସୈନ୍ଧବ ଅବବାହିକାର ସଭ୍ୟଜାତିର ବଂଶଧର (ସମ୍ବଲପୁର ଇତିହାସ-ଶିବପ୍ରସାଦ ଦାସ-ପୃ.୩/୫)

 

ଆଲୋଚକ ଡଃ ପାଣିଗ୍ରାହୀଙ୍କ ମତରେ, ଅବଶ୍ୟ ବିକ୍ରମଖୋଲର ଶିଳାଲିପି ଏବେ ସୁଦ୍ଧା ପଠିତ ହୋଇପାରି ନାହିଁ । ତଥାପି ଅନୁମାନ କରାଯାଇପାରେ, ଆର୍ଯ୍ୟମାନଙ୍କର ବୈଦିକ ଭାଷା ମଧ୍ୟଭାରତର ବିନ୍ଧ୍ୟ ଆଉ ମୈନାକ ପର୍ବତ ଅତିକ୍ରମ କରି ଦକ୍ଷିଣ ଭାରତ ଆଡ଼କୁ ଗଲାବେଳେ ଯେଉଁ ଭାଷା ସ୍ଥାନୀୟ ବା ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ ଥିଲା, ସେହି ଭାଷାରେ ବିକ୍ରମଖୋଲର ଲିପି ଖୋଦିତ ହୋଇଥିବ । ସେ ଭାଷା ସହିତ ଦ୍ରାବିଡ଼, ନିଷାଦ, କୋଲ, ଖଡ଼ିଆ, ମୁଣ୍ଡା ଇତ୍ୟାଦି ଭାଷା ଆର୍ଯ୍ୟମାନଙ୍କର ଭାଷାରେ ମିଶିଯାଇଥିବ ।

 

ସ୍ଵାମୀ ଚେତନା ନନ୍ଦ ସବୁ ପ୍ରାଦେଶିକ ଭାଷାର ଜନନୀ ସଂସ୍କୃତ ବୋଲି ଲେଖିଥିବାରୁ ଆଲୋଚକ ଏହାର ବିରୋଧ କରିଛନ୍ତି । ଉତ୍ତର ଭାରତର ପ୍ରାକୃତ ଭାଷା ମାନଙ୍କରେ ହୁଏତ କିଛି କିଛି ପ୍ରଭାବ ଥାଇପାରେ, କିନ୍ତୁ ଦକ୍ଷିଣ ଭାରତରେ ଏହାର ପ୍ରଭାବ ନଗଣ୍ୟ । ଏହି ପ୍ରସଙ୍ଗ କ୍ରମେ ସେ ପାଲି-ପ୍ରାକୃତ-ଅପଭ୍ରଂଶ ଭାଷାର ବିଶ୍ଲେଷଣ କରିଛନ୍ତି । ପ୍ରାକୃତ ଭାଷାର ପ୍ରଥମ ନିଦର୍ଶନ ହେଉଛି ପାଲି ଭାଷା, ଯାହା ଅଶୋକଙ୍କର ଶିଳାଲେଖମାନଙ୍କରେ ବ୍ୟବହୃତ ହୋଇଥିଲା । ପ୍ରାକୃତ ଭାଷାର ମଧ୍ୟ ଆଞ୍ଚଳିକ ଭେଦ ଥିଲା । ସଂସ୍କୃତ ଭାଷାର ଇତିହାସ ଲେଖକ ମ୍ୟାକ୍‌ଡୋନାଲ୍‌ଙ୍କୁ ଅନୁସରଣ କରି ସେ ଲେଖିଛନ୍ତି-ପଞ୍ଜାବ-ସିନ୍ଧ୍‌ ଆଡ଼େ ଯେନ୍ ପ୍ରାକୃତ୍ ଚଲୁଥି‌ଲା ସେଟା ଅପଭ୍ରଂଶ, ଆର୍‌ ଗଙ୍ଗାଯମୁନା ଦୋ ଆବ୍‌ ଥିଁ ଯେନ୍‌ଟା ଚଲୁଥିଲା, ସେଟା ଶୌରସେନୀ ଯେନ୍‌ଟା କି ଗୌର୍ଜରୀ, ଆବନ୍ତୀ ଆର୍‌ ମହାରାଷ୍ଟ୍ରୀ ଭାବେଁ ତିନ୍‌ ପ୍ରକାର୍‌ ରୂପ୍‌ ନେଇଥିଲା । ଫେର୍ ବନାରସ୍‌ ଆଡେଁ ଅର୍ଦ୍ଧମାଗଧୀ ଆର୍‌ ବିହାର୍ ସମେତ୍ତ ପୂର୍ବ ଭାରତ ଥିଁ ଚଲୁଥିଲା ‘ମାଗଧୀ’ ପ୍ରାକୃତ । ହେଁ ମାଗଧୀ ପ୍ରାକୃତଁନୁ ଉଡ଼ିଆ, ବଙ୍ଗଲା ଆର୍‌ ଅସମୀୟା ଭାଷାର ଜନମ୍‌ ହଇଛେ-ପୃ, ୩୫)

 

ଏହି ବିଚାରରେ ଉତ୍ତର ଭାରତରେ ପ୍ରଚଳିତ ଭାଷାମାନଙ୍କର ଜନନୀ ସଂସ୍କୃତ ନୁହେଁ, ପ୍ରାକୃତ ଅଟେ, ଏହି ସୂତ୍ରରେ ଉତ୍ତର ଭାରତର ଭାଷାମାନଙ୍କର ମୂଳ ସଂସ୍କୃତ ନୁହେଁ, ମାଗଧୀ ଓ ଅର୍ଦ୍ଧମାଗଧୀ ମଧ୍ୟରେ ଅନେକ ସମାନତା ଅଛି ଏବଂ ସେମାନେ ଭିନ୍ନ ଭିନ୍ନ ସମୟରେ ଜନ୍ମ ନେଇଥିଲେ ସୁଦ୍ଧା କେହି କାହାରି ଜ୍ୟେଷ୍ଠା କନ୍ୟା ନୁହନ୍ତି ।

 

ସମ୍ବଲପୁରୀ ଓ ଓଡ଼ିଆ ଭାଷାର ତୁଳନା କରି ସେ କେତେକ ଶବ୍ଦ ଏବଂ ଧାତୁଗତ ପ୍ରଭେଦ ଦର୍ଶାଇଛନ୍ତି-

 

୧. ଚୁବ୍‌ଲିବା-କୌଣସି ପାତ୍ରର ପାଣିରେ ହାତବୁଡ଼ାଇ ଗୋଳିଆ କରିବା ।

୨. ଛନ୍‌କିବା-କୁଲାରେ ପାଛୁଡ଼ି ଗୁଣ୍ଡ ଉଡ଼ାଇବା ।

 

ଏହା ସଂସ୍କୃତ ନୁହେଁ । ଏହିପରି ଶହଶହ ଧାତୁ ସମ୍ବଲପୁରୀରେ ଅଛି । ଅଥଚ ଓଡ଼ିଆରେ ନାହିଁ । ଗୋଟିଏ ତତ୍ସମଧାତୁର ଉଦାହରଣ ସେ ଦେଇଛନ୍ତି-

 

ବଟ୍‌ବା-ଛଣପଟରୁ ଦଉଡ଼ି ତିଆରି ପାଇଁ ବଳିବା ।

 

ଏହା ସଂସ୍କୃତ ବଟ୍‌ ଧାତୁରେ ସମ୍ବଲପୁରୀ ପ୍ରତ୍ୟୟ ଯୋଗରେ ହୋଇଛି । ସେହିପରି-ଲହଁକିଲା-ନଦୀ ଆଦି ପାରିହେବା ଏହା ସଂସ୍କୃତ ‘ଲନ୍‌ଘ’ ଧାତୁରୁ ଆସିଥିବା ତଦ୍ଭବ ଧାତୁ । ବଖ୍‌ଲିବା-ପାକଳ ହେବା ଆଗରୁ ଗଛରୁ ଝଡ଼ିଯିବା । ଏହା ସଂସ୍କୃତ ‘ସ୍ଖଲ୍‌’ ଧାତୁରୁ ଆସିଛି । ସମ୍ବଲପୁରୀ ଭାଷାରେ ସଂସ୍କୃତ ଶବ୍ଦମାନଙ୍କର ବ୍ୟବହାର ବିଷୟରେ ସେ ଡଃ ଶ୍ରଦ୍ଧାକର ସୂପକାରଙ୍କର ଲେଖାର ଗୋଟିଏ ଉଦ୍ଦୃତି ଦେଇଛନ୍ତି-‘‘ସେହିପରି ସମ୍ବଲପୁରୀ ଭାଷାରେ କେତେକ ସଂସ୍କୃତ (ଏପରିକି ବୈଦିକ) ଶବ୍ଦ ଦେଖି ଆଚମ୍ବିତ ହେବାକୁ ପଡ଼େ । ସେ ଶବ୍ଦମାନ ଓଡ଼ିଆ ଭାଷାରେ ନାହିଁ । ଉଦାହରଣ ସ୍ଵରୂପ ‘ଖର୍‌ସି’ ଅର୍ଥାତ୍‌ ଗୋବର । ବେଦରେ କରୀଷ ଶବ୍ଦର ବ୍ୟବହାର ଅଛି ଓ କରୀଷିଣୀ ଶବ୍ଦର ବ୍ୟବହାର ପ୍ରସିଦ୍ଧ । ବ୍ରତ ବିବାହରେ ମନ୍ତ୍ରରେ ଏ ଶବ୍ଦର ବ୍ୟବହାର ଅଛି । ସଂସ୍କୃତରେ ‘ଐଷମ’ ସମ୍ବଲପୁରୀ ଭାଷାରେ ‘ଏସୁର୍‌’, ସଂସ୍କୃତର ‘ପରୁତ’ ସମ୍ବଲପୁରୀରେ ‘ପର୍‌ହୁର୍‌’ ଓ ସଂସ୍କୃତର ପରାରି ସମ୍ବଲପୁରୀରେ ପର୍‌ହିଆରି ହୋଇଛି । ଓଡ଼ିଆରେ ଏହା ଏ ବର୍ଷ, ଗତବର୍ଷ ଓ ତହିଁ ପୂର୍ବବର୍ଷ । ଏହିପରି ବହୁ ଶବ୍ଦର ଉଦାହରଣ ଦିଆଯାଇପାରେ ।’’ (ସମ୍ବଲପୁରୀ ଭାଷା ସାହିତ୍ୟ ବିଶେଷାଙ୍କ-ସପ୍ତର୍ଷି-୧୯୮୨) ତେଣୁ ସମ୍ବଲପୁରୀ ଭାଷା ଓଡ଼ିଆ ଭାଷାର ଜ୍ୟେଷ୍ଠାକନ୍ୟା ନୁହେଁ । ଯଦି ଓଡ଼ିଆ ଲେଖକମାନେ ଶହେ ବର୍ଷରେ ବିତୃଷ୍ଣା ତ୍ୟାଗ କରି ସମ୍ବଲପୁରୀ ଭାଷାର ଶବ୍ଦାବଳୀ ଓଡ଼ିଆ ମଧ୍ୟକୁ ଆହରଣ କରିବେ, ତେବେ ସୁଦ୍ଧା ଏହା ବିକୃତ ରୂପରେ ଆତ୍ମପ୍ରକାଶ କରିବ । ଆଲୋଚକ ଦୃଷ୍ଟାନ୍ତ ଦେଇଛନ୍ତି ଗଙ୍ଗାଧରଙ୍କ କବିତାଂଶରୁ- ଛେର୍‌ଛେରା, ଟୁପୁଲୀ, ଠୁକୁଠୁକୁ ଆଦି (ଉଜ୍ଜ୍ୱଳ ସେବକର ନବବର୍ଷ) ଉପଲକ୍ଷେ ରଚିତ କବିତାରୁ ଗୃହୀତ) ଶବ୍ଦର ବିଶ୍ଳେଷଣ କରି ସେ ଦର୍ଶାଇଛନ୍ତି ଯେ, ଛେର୍‌ଛେରା ଓ ଟୁପୁଲୀ ଦୁଇଟିଯାକ ଖାଣ୍ଟି ସମ୍ବଲପୁରୀ ଶବ୍ଦ, କିନ୍ତୁ ଏହାର ଉଚ୍ଚାରଣ ହେବ-ଛେର୍ଛେରା, ଟୁପ୍‌ଲୀ । ଠୁକୁଠୁକୁ ମଧ୍ୟ ଏ ଭାଷାରେ ଠୁକ୍‌ ଠୁକ୍‌ ହେବ । କାରଣ ଓଡ଼ିଆ ଭାଷା ସ୍ଵରାନ୍ତ । ‘‘ଓଡ଼ିଆ ଭାଷାର ଉଚ୍ଚାରଣରେ କୁତ୍ରାପି ଶେଷରେ ହଳନ୍ତ ଉଚ୍ଚାରଣ ନାହିଁ ।’’ (ପଣ୍ଡିତ ନୀଳକଣ୍ଠ ଓଡ଼ିଆ ଭାଷା ଓ ସାହିତ୍ୟ-ପୃ. ୬୭) ଅନ୍ୟପକ୍ଷରେ ‘ସମ୍ବଲପୁରୀ ଭାଷାରେ ପ୍ରାୟ ସବୁ ଶବ୍ଦ ବ୍ୟଞ୍ଜନାନ୍ତ । (ଡକ୍ଟର ଶ୍ରଦ୍ଧାକର ସୂପକାର-ସପ୍ତର୍ଷି-ନଭେମ୍ବର ୧୯୮୨-ପୃ. ୨୮) ହୁଏତ ଏହା ସତ୍ତ୍ୱେ ଓଡ଼ିଆରେ କେତେକ ସମ୍ବଲପୁରୀ ଶବ୍ଦ ଆହରଣ କରାଯାଇପାରେ, କିନ୍ତୁ ସମ୍ୱଲପୁରୀ କ୍ରିୟାର ରୂପ-କର୍ସି, କର୍ମି, କର୍ମୁ, କସୁଁ, କର୍ସନ ଆଦି ବ୍ୟାକରଣିକ ବୈଶିଷ୍ଟ୍ୟ ତ ଆହରଣ କିମ୍ବା ପ୍ରୟୋଗ କରାଯିବ ନାହିଁ-

 

ଚର୍ଯ୍ୟାପଦ ଯୁଗରେ ଏ ସମସ୍ତ ଅଞ୍ଚଳରେ ଅପଭ୍ରଂଶ ଭାଷା ପ୍ରଚଳିତ ଥିଲା । ସେଥିରୁ କାଳକ୍ରମେ ବିହାରୀ, ମୈଥିଳୀ, ଓଡ଼ିଆ, ବଙ୍ଗଳା, ଆସାମୀ ଭାଷା ସେଥିରୁ ଆତ୍ମପ୍ରକାଶ କଲା । ସେଥିରେ କେହି କାହାରି ଜ୍ୟେଷ୍ଠାକନ୍ୟା ନୁହନ୍ତି । ତଥାପି ‘‘ଏ ଅଞ୍ଚଳର ଭାଷାର ଉପାଦାନ ନେଇ, ସଦୁପଯୋଗ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା କଥା ଓଡ଼ଶାର ଜଣେ ଦୁଇଜଣ ବିଶିଷ୍ଟ ଲେଖକଙ୍କ ମୁହଁରୁ ଏବେ ଶୁଣାଯାଉଛି । ପୂର୍ବ ଓଡ଼ିଶାର ପ୍ରତିଷ୍ଠିତ କଥା ସାହିତ୍ୟକାର ତଥା ଅନ୍ୟ ସାହିତ୍ୟ ସ୍ରଷ୍ଟାମାନେ ଏ ଦିଗରେ ଖୁବ୍‌ କିଛି କରିପାରନ୍ତେ । ସମ୍ବଲପୁରୀ ଭାଷାର ସୁନ୍ଦର ସୁନ୍ଦର ଶବ୍ଦାବଳୀ ଓ ପ୍ରୟୋଗମାନ ଅଭିଜାତ ଓଡ଼ିଆ ସାହିତ୍ୟରେ କ୍ରମଶଃ ସ୍ଥାନ ପାଇଲେ ସମନ୍ଵୟ ଅଣାଯାଇପାରିବ (ନୀଳମାଧବ ପାଣିଗ୍ରାହୀ-ସପ୍ତର୍ଷି-ଫେବୃୟାରୀ-୧୯୮୧-ପୃ.୧୧)

 

ପଶ୍ଚିମ ଓଡ଼ିଶାର ପ୍ରଥିତଯଶା କବି ଗଙ୍ଗାଧର ମେହେର ଏ ପ୍ରଚେଷ୍ଟା ଅବଶ୍ୟ କରିଥିଲେ-। ତାଙ୍କର ‘କୀଚକବଧ’ କାବ୍ୟରେ ସେ ବସନ୍ତ ବର୍ଣ୍ଣନା କରି ଲେଖିଥିଲେ-

 

ପ୍ରମୋଦ ନିମନ୍ତେ କାନନ ମଣ୍ଡାଗଲା ଯତନେ

ମଧୁକ ମୁକୁତା ପୁଂଜରେ ଚାରନୀଳରତନେ ।

 

(ଏହାର ଅର୍ଥ ବସନ୍ତ ରୂପକ ରାଜାଙ୍କର ଆଗମନ ଉଦ୍ଦେଶ୍ୟରେ ଅରଣ୍ୟକୁ ଉପଭୋଗ ଉପଯୋଗୀ ଭାବରେ ସଜ୍ଜିତ କରାଗଲା । ମହୁଲ ଫୁଲ ରୂପକ ମୁକ୍ତାମାଳ ଓ ଚାରଫଳ ରୂପକ ନୀଳରତ୍ନ ସାହାଯ୍ୟରେ) ଏହାକୁ ଅଧ୍ୟାପକ ଅର୍ଥ କରିଥିଲେ ଯେ, ମଧୁ ବା ବସନ୍ତଋତୁ ମୁଦ୍ରଣ ତୃଟି ହେତୁ ମଧୁଙ୍କ ଏବଂ ଚାରୁ ବା ସୁନ୍ଦର ନୀଳରତ୍ନ ମୁଦ୍ରଣତ୍ରୁଟି ହେତୁ ଚାର ହୋଇଯାଇଛି । ଗଙ୍ଗାଧର ନିଜର କୃଷକ ସଙ୍ଗୀତ’ରେ ବହୁ ସମ୍ବଲପୁରୀ ଶବ୍ଦ ପ୍ରୟୋଗ କରିଥିଲେ ବୋଲି ଆଲୋଚକ ସଦୃଷ୍ଟାନ୍ତ ଦର୍ଶାଇଛନ୍ତି । ସେହିପରି ଆକାଶବାଣୀର ‘କୃଷିସଂସାର’ ଓ ‘ପଲ୍ଲୀଶ୍ରୋତାମଣ୍ଡଳୀ’ ପରି କାର୍ଯ୍ୟକ୍ରମରେ କୃଷକମାନଙ୍କର ବୋଧଗମ୍ୟ ଶବ୍ଦ ବ୍ୟବହାର କରାଯିବା ବାଞ୍ଛନୀୟ । ସେ ଉଦାହରଣଟିଏ ଦେଇଛନ୍ତି ଯେ, ଉପକୂଳ ଅଞ୍ଚଳର ‘ବେଉଷଣ’, ସମ୍ୱଲପୁରୀରେ ‘ବିହଡ଼ା’ ହୁଏ । ସେହିପରି ‘ଖରାଟିଆ ଚାଷ’ ନ କହି ଏ ଅଞ୍ଚଳର ଚାଷୀ ବୁଝିବା ନିମନ୍ତେ ‘ଖର୍ଡିଯୋତ୍‌’, ଚଷିବା ପରିବର୍ତ୍ତେ ‘ଯୁତ୍‌ବା, କୃଷ୍‌ ଧାତୁରୁ ସମ୍ବଲପୁରୀ ‘କାଷ୍‌’ ଶବ୍ଦର ସୃଷ୍ଟି, ଯାହାକୁ ଓଡ଼ିଆରେ ‘ଓଡ଼୍‌’ କୁହାଯାଏ । ସେହିପରି ସଂସ୍କୃତର ‘ବେଶ୍ମ’ରୁ ସମ୍ବଲପୁରୀ ବେଶ୍‌ (ସମ୍ମୁଖ ଭାଗର ବସିବା ସ୍ଥାନ) ଶବ୍ଦର ସୃଷ୍ଟି, ଯାହା ଓଡ଼ିଆରେ ନାହିଁ । ସଂସ୍କୃତର ‘କରକା’ ସମ୍ବଲପୁରୀରେ ‘କରା’, କିନ୍ତୁ ଓଡ଼ିଆରେ କୁଆପଥର, ସ୍ଵାମୀଜୀ ତାଙ୍କ ବନ୍ତବ୍ୟରେ x x x ‘‘ଯେଉଁମାନେ ଏହି ଆନ୍ଦୋଳନକୁ ଉସ୍‌କାଉଛନ୍ତି’’ x x x ଲେଖିଥିଲେ । ଓଡ଼ିଆରେ ଉସ୍‌କେଇବା ଅର୍ଥ ଉତ୍ତେଜିତ କରାଇବା, କିନ୍ତୁ ସମ୍ୱଲପୁରୀରେ ଏହା ଉତ୍ପାଟନ କରିବା (ସଂସ୍କୃତ ‘ସ୍କୁ’ ଧାତୁର ପୂର୍ବେ ଉତ୍‌ରଣ ଉପସର୍ଗ ଯୋଗରେ) । ଭାଷା ଭେଦର ଅନ୍ୟଏକ ବଡ଼ କାରଣ ହେଉଛି ଉଚ୍ଚାରଣ । ସଂସ୍କୃତର ‘ଯୁବନ’ ଶବ୍ଦ ଲାଟିନ୍‌ରେ Juvenis, ଇଂରାଜୀରେ Young, ଜର୍ମାନୀରେ Jung, ଇଟାଲୀୟ ଭାଷାରେ Giovine, ହିନ୍ଦୀରେ (Jawan), ବଙ୍ଗଲାରେ Juba, ଓଡ଼ିଆରେ ଯୁବକ Jubak, ସମ୍ୱଲପୁରୀରେ ଜୁଆନ Juwan ହୁଏ । ଓଡ଼ିଆର ମନୁଷ୍ୟ ବା ମଣିଷ, ବଙ୍ଗଳାରେ ମାନୁଷ୍‌, ହୁଏ । ସମ୍ବଲପୁରୀରେ ମୁନୁଷ୍‌ କୁହାଯାଏ । ଏହା ତାରି ସ୍ଵାତନ୍ତ୍ର୍ୟ । ସେହିପରି ସମ୍ବଲପୁରୀରେ ନ୍ୟାୟ-ନିୟେ, ବ୍ୟୟ-ବୟ୍‌, କ୍ଷୟ-ଛୟ, ମାନ୍ୟ-ମାୟନ୍‌, ଅନନ୍ୟ-ଅୟନ, (ଅଏନ୍‌) ନନ୍ଦିନୀ-ନନୀ, ଅନ୍ୟ-ଉନ୍ୟା, କିମ୍ୱା ଉଂଝା, ନଦୀ-ନୟଦ୍‌, ପାଣି-ପାୟ୍‌ନ, ମାଟି-ମାୟ୍‌ଟ, ସାଧ୍ୟ-ସାୟ୍‌ଧ, ଅନାୟତ୍ତ-ଅନାୟତ୍‌, ଆଶ୍ଚର୍ଯ୍ୟ-ଆଶ୍ରିଜ, ଅଧିକା-ଅୟତ୍‌କା, ଅଂଜଳି-ଉଂଝଲା, ଫିଟାଇଲି-ହିଟାଲି, କର୍କଶ-ଖର୍ଖସ, କର୍ବୁର-କବ୍ରା ଇତ୍ୟାଦି ଶହଶହ ଶବ୍ଦ ଓ ଧାତୁ ସମ୍ବଲପୁରୀର ସ୍ଵାତନ୍ତ୍ର୍ୟ ପ୍ରତିପାଦନ କରନ୍ତି । ସେହିପରି ଅନେକ ଶବ୍ଦ ଅଛି, ଯାହା ଓଡ଼ିଆଠାରୁ ସମ୍ପୂର୍ଣ୍ଣ ପୃଥକ୍‌ । ଉଦାହରଣ ସ୍ଵରୁପ-ବଣି-ମୟ୍‌ନା, ବଥ-ବେଦେନ୍, ବଂଧକ-ଗହନା, ବାୟାଣୀ-ବାଉଁରୀ, ବାଦୁଡ଼ି- ଗିଧ୍‌ଲା, ବିଛଣା-ଦସ୍‌ନା, ବିଲୁଆ- କୁଲ୍‌ହିଆ, ବିରୁଡ଼ି-ଟେଁକର, ବୁଦା-ଗୁଛା, ବେଂଗଳା-ମାଡ଼େନ୍‌, କଳେଇଗଦା-ଖରି, ଜିଆ-କେଞ୍ଚୁଆ ଆଦି ଅନେକ ସମାର୍ଥକ ଅଥଚ ସ୍ଵତନ୍ତ୍ର ଶବ୍ଦ ଅଛି । ସେହିପରି ଟିହଁକାବା, ତହଁକାବା, ଲହଁକାବା, ବହଁକାବା ଆଦି ଶହଶହ ସ୍ଵତନ୍ତ୍ର ଧାତୁ ଅଛି । ସମ୍ବଲପୁରୀ ଭାଷାର କ୍ରିୟା ରୂପ, ବିଭକ୍ତିରୂପ, କୃଦନ୍ତ, ତଦ୍ଧିତ ପଦ୍ଧତି ଓଡ଼ିଆଠାରୁ ପୃଥକ୍‌ । ତାହା ଓଡ଼ିଆର ଉପଭାଷା କିପରି ହେବ-?

 

ଦିନେ ଓଡ଼ିଆ ଭାଷାକୁ ମଧ୍ୟ ‘ଓଡ଼ିଆ ଏକ୍‌ଟି ସ୍ଵତନ୍ତ୍ର ଭାଷା ନୟ’ ବୋଲି କୁହାଯାଉଥିଲା । ସମୟକ୍ରମେ ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ରୂପେ ପ୍ରମାଣିତ ହେଲା । ସେହିପରି ସମ୍ବଲପୁରୀ ଏକ ସ୍ଵତନ୍ତ୍ର ଭାଷା । ଏହାର ଏକ ପ୍ରକାଶିତ ଶବ୍ଦ କୋଷରେ ଦଶହଜାରରୁ ଅଧିକ ଶବ୍ଦ ଅଛି । ସେଥିରୁ କେତେକ ତତ୍ସମ ଶବ୍ଦ ଏବଂ ତଦ୍‌ଭବ ଏବଂ ଦେଶଜ ଶବ୍ଦ ଦୃଷ୍ଟିରୁ ସମ୍ବଲପୁରୀ ଅଧିକ ସମୃଦ୍ଧ ଭାଷା-। ଲେଖକ ବଙ୍ଗଳା, ଓଡ଼ିଆ ଓ ସମ୍ବଲପୁରୀର ବର୍ତ୍ତମାନ ଓ ଭବିଷ୍ୟତ କାଳର ରୂପ, ବଚନ ଓ ପୁରୁଷ ଭେଦ ଉଦାହରଣ ଦର୍ଶାଇଛନ୍ତି-

 

ବଂ-ଆମ କରିନା, ଓ-ମୁଁ କରେନା, ସଂ-ମୁଇଁ ନାଇଁ କରେ । ସେହିପରି ଓଡ଼ିଆର ଦ୍ୱିତୀୟା ବିଭକ୍ତି ‘କୁ’ କୁ ସମ୍ୱଲପୁରୀ ଭାଷାରେ ‘କେ’ ହୁଏ, ତୃତୀୟାର ଦ୍ୱାରା-ବୁତେ, ୫ମୀର ଠାରୁ-ନୁ, ୭ମୀର ଠାରେ-ଠାନେ ହୁଏ । ସ୍ଵାମୀଜୀ ଲେଖିଥିଲେ-‘‘କଥିତ ଭାଷାକୁ ଏକ ଷ୍ଟାଣ୍ତାର୍ଡ଼ ଭାଷାର ରୂପ ଦେଇଦେଲେ ପରିଣାମ ଯେ ଭୟଙ୍କର ହେବ ।’’ ଏହାର ଉତ୍ତର କ୍ରମେ ଆଲୋଚକ ଲେଖିଛନ୍ତି-ଅତ୍ୟଧିକ ଶୁଦ୍ଧଭାଷା ସାଧାରଣ ଜନତାର ବୋଧଗମ୍ୟ ହୁଏ ନାହିଁ । ପଣ୍ଡିତ ନୀଳକଣ୍ଠଙ୍କର ଗୋଟିଏ ଭକ୍ତି ଏଠାରେ ସେ ଉଦ୍ଧାର କରିଛନ୍ତି- ‘‘ଲେଖାର ଉଚ୍ଚାରଣ ଲୋକ ସାଧାରଣଙ୍କର ଉଚ୍ଚାରଣରୁ ଭିନ୍ନ ହେଲେ ଲୋକେ ଭାବରେ ପ୍ରଭାବିତ ହେବେ କିପରି ?’’ (ଓଡ଼ିଆ ଭାଷା ଓ ସାହିତ୍ୟ-ଦ୍ୱିତୀୟ ସଂସ୍କରଣ-ପୃ, ୮/୯) ଓଡ଼ିଶାର ସର୍ବତ୍ର କଥିତ ଭାଷାର ରୂପ ସମାନ ନୁହେଁ । ଏଠାକାର ଓରାଂ, କନ୍ଧ, କୁଇ, କୁଡ଼ମି, କୋୟା, କୋଲ, ଗଁଡ଼, ଜୁଆଙ୍ଗ, ମୁଣ୍ଡା, ଖଡ଼୍‌ହିଆ ପରି ଆଦିବାସୀମାନେ ନିଜ ନିଜର ସ୍ଵତନ୍ତ୍ର ମାତୃଭାଷା କହନ୍ତି । ସମ୍ବଲପୁରୀ ସେହିପରି ଏକ ସ୍ଵତନ୍ତ୍ର ଭାଷା । ସମ୍ବଲପୁର ଅଞ୍ଚଳର ଶିଶୁକୁ ମାତୃଭାଷାରେ ଶିକ୍ଷାଦେବାର ଆବଶ୍ୟକତା ଦର୍ଶାଇ ସେ ଏକ ଦୃଷ୍ଟାନ୍ତ ଦେଇଛନ୍ତି-

 

ଓଡ଼ିଆରେ-ବିଲୁଆନନା ବିଲୁଆନନା

ଘରପୋଡ଼ିଗଲା ପଛକୁ ଅନା

 

ସମ୍ବଲପୁରୀ ଭାଷାରେ ବିଲୁଆ-କୁଲ୍‌ହିଆ, ନନା-ପିଉସୀ, ଅନା-ସଂକୀର୍ଣ୍ଣ କୃତ୍ରିମ ପାଣିନାଳ ଅର୍ଥରେ ବ୍ୟବହାର କରାଯାଏ । ଜଣେ କୋମଳମତି ଶିଶୁ ଏହା କିପରି ବୁଝିପାରିବ ? ବରଂ ଲେଖକଙ୍କ ଭାଷାରେ-

 

‘‘କୁଲ୍‌ହିଆ ଟୁରା କୁଲ୍‌ହିଆଟୁରା

କିନ୍ଦ୍ରିଦେ ଆର୍‌ ମୁଡ଼୍‌କେ ଟେକ୍‌

ଘର ପୁଡ଼ିଗଲା ଦାଓଁ ଦାଓଁ

ଡଗ୍ରାଇ କରି ଦେଖ୍‌ରେ ଦେଖ୍‌’’

 

ଲେଖିଲେ ବକ୍ତବ୍ୟର ପ୍ରକୃତ ଅର୍ଥସୂଚୀତ ହୋଇପାରିବ ।

 

ପରିଶେଷରେ ଚେତନାନନ୍ଦ ଲେଖିଛନ୍ତି ଯେ-ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାର ଲୋକ କଟକ, ପୁରୀ, ଭୁବନେଶ୍ୱର ଓ ବାଲେଶ୍ଵରରେ ଅଶେଷ ସମ୍ମାନ ଲାଭ କରିଥାଆନ୍ତି । ମାତ୍ର ଉକ୍ତ ଜିଲ୍ଲାର ଲୋକେ ପଶ୍ଚିମ ଓଡ଼ିଶାରେ ପାଦ ଦେଲାମାତ୍ରେ ବିଦେଶକୁ ଗଲାପରି ଲାଗେ (ପୃ.୯୩) । ଆଲୋଚକ ଏହାକୁ ସଂକୀର୍ଣ୍ଣ ମାନସିକତା ମାତ୍ର ବୋଲି କହିଛନ୍ତି । ଏହିପରି ମନୋବୃତ୍ତି ପରିହାର କରି ସମ୍ବଲପୁରୀ ଭାଷାକୁ ସ୍ଵୀକୃତି ଦିଅନ୍ତୁ, ଶିଖନ୍ତୁ, ଏ ଭାଷାରେ ଚିନ୍ତା ଚେତନା ପ୍ରକାଶର ପ୍ରଚେଷ୍ଟା କରନ୍ତୁ । ଅତ୍ୟନ୍ତ ଭାବାବେଗର ସହିତ ଏହି ସମ୍ବେଦନଶୀଳ ପ୍ରସଙ୍ଗ ସମାପ୍ତ କରି ଆଲୋଚକ ଲେଖିଛନ୍ତି-‘‘ଆସ । ମୋର୍‌ ପାଶ୍‌କେ ଆସ । ତମ୍‌ହର୍‌ ଛାତି ଥିଁ ମୋର୍‌ ଛାତି ମିଲାମି, ମୋର୍‌ ଦୁକ୍‌ଦୁକିର୍‌ ସ୍ପନ୍ଦନ୍ ତମ୍‌ହେଁ ଟିକେ ଅନ୍‌ଭବ୍‌ କର୍‌ବ । ମୋର୍‌ ଭିତ୍ରେ କାଣା ଅଛେ ଟିକେ ଅନ୍ଦାଜ୍‌ କରିପାର୍‌ବ । ଆସ ଆଉର୍‌ ପାଶ୍‌କେ ଆସ । ମିଶିଯା’’ (ପୃ.୯୫)

 

‘ମହରା ଆର୍‌ ମହୁ’-ବିଷ ଓ ଅମୃତ ପରି ଭାଷାର ବିରୋଧ ଓ ବୈଶିଷ୍ଟ୍ୟର ପ୍ରତ୍ୟାଲୋଚନା ଗ୍ରନ୍ଥ । ସମାଲୋଚନାର ଆଂଗିକ ସୌଷ୍ଠବ ପ୍ରତି ସଚେତନତା ରକ୍ଷା କରି ଏ ଗ୍ରନ୍ଥ ରଚିତ ହୋଇନାହିଁ । ନିଜର ରୁଦ୍ଧ ହୃଦୟର ଉଦ୍‌ଗାର ଏଥିରେ ମୁଖ୍ୟତଃ ଉପସ୍ଥାପିତ ହୋଇଛି । ସାହିତ୍ୟ ସୃଷ୍ଟି ତାଙ୍କର ଲକ୍ଷ୍ୟ ନ ଥିଲା । ତାଙ୍କର ଉଦ୍ଦେଶ୍ୟ ଥିଲା ସମ୍ବଲପୁରୀ ଭାଷାର ସୌନ୍ଦର୍ଯ୍ୟ ଓ ବୈଶିଷ୍ଟ୍ୟ ପ୍ରଖ୍ୟାପନ । ଏହା ସହିତ ସମ୍ବଲପୁରୀ ନୃତ୍ୟ, ଗୀତ ଓ ସଂସ୍କୃତିର ସୁରକ୍ଷା କିପରି ହୋଇପାରିବ, ସେଥି ନିମନ୍ତେ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସମ୍ବଲପୁରୀ ଭାଷାର ମୌଳିକତା କିପରି ଅକ୍ଷୁର୍ଣ୍ଣ ରହିବ, ଅପମିଶ୍ରିତ ଅଥବା ବିକୃତ ହେବ ନାହିଁ, ସେଥିନିମନ୍ତେ ସେ ସଚେତନତା ସୃଷ୍ଟି କରିବାକୁ ଇଚ୍ଛା କରନ୍ତି । ଏଥିପାଇଁ ସେ ଯେଉଁ ଦୃଢ଼-ଦୃଷ୍ଟାନ୍ତଗୁଡ଼ିକ ଉପସ୍ଥାପନ କରଛନ୍ତି, ଏ ଭାଷାର ସ୍ଵାତନ୍ତ୍ର୍ୟ ଓ ସ୍ୱୀକୃତି ନିମନ୍ତେ ଯେଉଁ ଆବଝଗୈକ ଭାବ ଓ ଭାଷା ପ୍ରୟୋଗ କରିଛନ୍ତି, ଅତୀତର ବିସ୍ମୃତି ମଧ୍ୟରୁ ଶବ୍ଦର ଅଜସ୍ର ଶାମୁକା ଆହରଣ କରି ଦେଖାଇ ଦେଇଛନ୍ତି ଏ ଭାଷାର ବଳିଷ୍ଠତା, ଅନନ୍ୟତା ଓ ସ୍ଵୟଂସମ୍ପୂର୍ଣ୍ଣତା ।

 

(ଖ) ନିସାନ୍‌-ସମ୍ବଲପୁରୀ ସାହିତ୍ୟ ପତ୍ରିକା-(୧୯୯୦)

୧୯୯୦ ମସିହା ମେ’ ମାସ ଶୀତଳଷଷ୍ଠୀ ତିଥିରେ ଉନ୍ମୋଚିତ ହୋଇଥିଲା ନିସାନ୍‌, ମାସିକ ସମ୍ବଲପୁରୀ ସାହିତ୍ୟ ପତ୍ରିକା । ଶୀତଳ ଷଷ୍ଠୀର ବିଶାଳ ଜନସମାଗମ ମଧ୍ୟରେ ତା’ର ଜନ୍ମର ପରିକଳ୍ପନା ଡଃ ପାଣିଗ୍ରାହୀ କରିଥିଲେ । କାରଣ ସ୍ୱରୂପ କହିଥିଲେ ଯେ, ‘‘ସଭେଜାନ୍‌ବେ ଯେ କାଣାଟେ ଜନମ୍‌ ହେଇଛେ ।’’ ଯାହା ସେ କଳ୍ପନା କରିଥିଲେ, ତାହା ହୁଏତ ହୋଇପାରିଲା ନାହିଁ । ହୃଷ୍ଟପୁଷ୍ଟ ଦଶମାସିଆ ଛୁଆ ନ ହୋଇ ‘ନିସାନ୍‌’ ହେଲା, ଟିଆଁ ଲିପ୍‌ଲିପିଆ ଛୁଆ । ଏକସ୍ତରୀ ବର୍ଷ ବୟସରେ ଏଗାର କିଲୋମିଟର ଦୂରବର୍ତ୍ତୀ ଗ୍ରାମ ଗୁଲୁଣ୍ଡାରୁ ଲୁନା ସାହାଯ୍ୟରେ ଯିବା ଆସିବା କରି ସେ ସମ୍ବଲପୁରସ୍ଥିତ ପ୍ରିଟିଂପ୍ରେସ୍‌ରେ ପ୍ରୁଫ୍‌ ସଂଶୋଧନ କରୁଥିଲେ । ଏହାର ପ୍ରଥମ ସଂଖ୍ୟା ପ୍ରକାଶିତ ହେଲାମାତ୍ରେ ଅନେକ ଶୁଭେଚ୍ଛା ଜଣାଇଥିଲେ । ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍‌ ଡକ୍ଟର ଶ୍ରଦ୍ଧାକର ସୂପକାର ଲେଖିଥିଲେ- ‘‘ସମଲ୍‌ପୁରୀ ଭାଷାକେ ଲୋକପ୍ରିୟ କର୍ବାର ଲାଗି ସମଲ୍‌ପୁରୀ ଭାଷା ଥିଁ ଅଧିକ୍ ସାହିତ୍ୟ ସୃଷ୍ଟି ହେବାର୍‌ ନିହାତି ଦର୍କାର ।’’ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଓଡ଼ିଆ ପ୍ରାଧ୍ୟାପକ ସୁଲେଖକ ଡଃ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ଲେଖିଥିଲେ ନିସାନ୍‌ ଭାବନା । ତାଙ୍କ ମତରେ-‘‘ମାଁର୍‌ ଟୁଣୁ ଉଚ୍ଚାରନ୍‌ ଶିଖିଥିବାର୍‌ ଭାଷା ଶବ୍‌ଦ ଆର୍‌ଘାୟ ଜନମ୍‌ ଦେସି ଆମ୍‌ହର୍‌ମନ୍‌କେ-ଆମ୍‌ହର୍‌ ଅସଲ ଜୀବନ୍‌କେ । ମାତୃଭାଷାକେ ମାଁ ବଲ୍‌ବାର ସାର୍‌ଯୁକ୍ତି ଇଟା ଆୟ । ଇହ ସବେ ସଁବଲପୁରୀ ଭାଷା ଆମ୍‌ହର୍‌ ସମଲପୁର ମୁଲକ୍‌ର ମାଁ । xxx ଇଥିର୍‌ ଲାଗି ମା ସମ୍‌ଲେଇ ପାଣିଗ୍ରାହୀ ଆଗ୍ୟାଁକର ମନ୍‌ଭିତ୍ରେ ଯେନ ଚେତ୍‌ନା ତେଜୈ ଦେଇଛନ୍‌, ତାହାକେ ବାଟ୍‌ କଢ଼େଇ ନଉ ସେହି ସମ୍‌ଲେଇ ମାଁର୍‌ ଧଁଡ଼ା ସିନ୍ଦୁର । ପ୍ରଥମ ସଂଖ୍ୟାର ଗଦ୍ୟ ବିଭାଗରେ ଚଉଦଟି ପଦ୍ୟ ଓ ଦଶଟି ଗଦ୍ୟ ରଚନା ସ୍ଥାନିତ ହୋଇଥିଲା । ଏଥିରେ ଶ୍ରୀବଲ୍ଲଭ ପାଣିଗ୍ରାହୀ, ଧନପତି ମହାପାତ୍ର, ଲାଲ୍‌ ରଘୁନନ୍ଦନ ସାଏ ଦେଓ, ସନ୍ତୋଷ ପ୍ରଧାନ, ପ୍ରଫୁଲ୍ଲ ତ୍ରିପାଠୀ, ମଙ୍ଗଳୁଚରଣ ବିଶ୍ଵାଳ, ଉମାଶଙ୍କର ପଣ୍ଡା, ଅରୁଣ ସେଠ୍‌ ପ୍ରମୁଖ ପଶ୍ଚିମ ଓଡ଼ିଶାର କେତେକ ଗଣ୍ୟମାନ୍ୟ ଲେଖକଙ୍କ ବ୍ୟତୀତ ସମ୍ପାଦକ ପାଣିଗ୍ରାହୀ ମହାଶୟଙ୍କର ଦୁଇଟି ଗଦ୍ୟ ଓ ପାଞ୍ଚଟି ପଦ୍ୟ ପ୍ରକାଶିତ ହୋଇଥିଲା । ବିଶେଷତଃ ଦୁଇଟି ଜୀବନବୃତ୍ତ ବିଷୟକ ପ୍ରବନ୍ଧ- ଇତିହାସର ବୌଦ୍ଧତପସ୍ଵୀ ନବୀନବାବୁ ଏବଂ ରାୟରାମାନନ୍ଦ ହାୟ ! ହାୟ ! ସେ ଲେଖିଥିଲେ । ଶ୍ରୀବଲ୍ଲଭ ପାଣିଗ୍ରାହୀ ଲେଖିଥିଲେ ‘ଆମର୍‌ ଭାଷା’ ଶୀର୍ଷକ ପ୍ରବନ୍ଧ । ସମ୍ବଲପୁରୀ ଭାଷା ପ୍ରସଙ୍ଗ ଆଲୋଚନା କରି ଏଥିରେ ସେ ଲେଖିଥିଲେ-‘‘ଆମର୍‌ ରାୟଜର୍‌ ପଶ୍ଚିମ ଇଲାକାନ୍‌ ଯେନ୍‌ ଭାଷା ଲୁକେ କହୟସନ୍‌‌ ସେଟା ତ ସର୍କାରି ପ୍ରାଦେଶିକ ଉଡ଼ିଆ ଭାଷାନୁ ଯେ ବହୁତ ଫରକ୍‌ ଆୟ୍‌-ଇଥି ଟିକେ ଭି ଶଂକା ନାଇଁ ନ ହିସାବ୍‌ କଲେ ଆମ୍‌ହର୍‌ ରାଇଜର୍‌ ଅଢୈ ଭାଗୁଁ ଭାଗେ ଇଲାକାଥିଁ ଇ ଭାଷା ଚଲ୍‌ସି ଆଉର୍‌ ଲୋକସଂଖ୍ୟା ହିସାବ୍‌ ଥୁଁ ଆମ୍‌ହର୍‌ ରାୟଜର୍‌ ତିନିଭାଗ୍‌ର ଭାଗେ ଲୋକ ଇ ଭାଷା କହୟସନ୍‌ । ଇ ଭାଷା ‘ସମଲପୁରୀ’ ନାଆଁ ଥି ପରିଚିତ୍‌ । ଭୋଜ୍‌ପୁରୀ ଆର୍‌ ମୈଥିଲୀ ଭାଷା, ଯାର୍‌ କି ଲିପି ହଉଛେ ଦେବ୍‌ନାଗରୀ ଗୁଟେ ଗୁଟେ ପୂରାପୁରି ଅଲ୍‌ଗା ଭାଷା ବଲିକରିଁ କେହୁଁ ମାୟନ୍‌ତା ପାଇସାରିଛନ୍‌ । ଇ ଦୁହି ଭାଷା ଆରୁ ହିନ୍ଦୀ ଭିତ୍ରେ ଯେତ୍‌କି ଫରକ୍‌ ଅଛେ, ତାର୍‌ନୁଁ ଜହ ଫରକ୍‌ ଉଡ଼ିଆ ଆରୁ ସମଲପୁରୀ ଭିତରେଁ ଥିବାର୍‌ଟା ଜାନ୍‌ବା ଶୁନ୍‌ବା ଲୁକେ କହୁଛନ୍‌ । ସେନ୍ତା ବଂଗ୍‌ଲା ଅସମିୟା ଭାଷା ଭିତରେ ଯେତ୍‌କି ଫରକ୍‌ ତାର୍‌ନୁ ଅୟତ୍‌କା ଫରକ୍‌ ଉଡ଼ିଆ ଆରୁ ସମଲପୁରୀ ମୟଧେଁ ଅଛେ ।

(ଆମର ଭାଷା-ଶ୍ରୀବଲ୍ଲଭ ପାଣିଗ୍ରାହୀ-ନିସାନ୍‌-୧, ପୃ, ୮)

 

‘ନିସାନ୍‌’ ର ପ୍ରଥମ ସଂଖ୍ୟାର ଲେଖକ ଓ ଶୁଭେଚ୍ଛୁମାନଙ୍କର ସମ୍ବଲପୁରୀ ଭାଷାର ପ୍ରତିଷ୍ଠା ନିମନ୍ତେ ଆନ୍ତରିକତା ଲକ୍ଷଣୀୟ ଥିଲା ।

 

‘ନିସାନ୍‌’ ଦ୍ୱିତୀୟ ସଂଖ୍ୟା ରଥ ଦ୍ୱିତୀୟା ୧୯୯୦ରେ ପ୍ରକାଶିତ ହୋଇଥିଲା । ମଲାଟ ପୃଷ୍ଠାରେ ଜଗନ୍ନାଥଙ୍କୁ ସମ୍ବଲପୁରୀ କବିତା ମାଧ୍ୟମରେ ପ୍ରଣତି ଜଣାଇବା ପରେ ଭିତର ପୃଷ୍ଠାରେ ସମ୍ପାଦକ ଲେଖିଥିଲେ-

 

ବାଜ୍‌ରେ ନିସାନ୍‌ ଶୁନ ଦେଇକାନ୍‌

      ଆଶ୍‌ ନାଇଁ କର୍‌ କାହ୍‌କେ

ଜୁହାର୍‌ ମାଆଁର୍‌ ପାହାକେ ଆଉର୍‌

      ଜୁହାର୍‌ ନିଜର୍‌ ବାହ୍‌କେ ।

 

ଅସୀମ ଉତ୍ସାହରେ ମା’ ସମଲେଶ୍ଵରୀ ଏବଂ ନିଜର ଆତ୍ମବିଶ୍ଵାସକୁ ସଂବଳ କରି ନିସାନ୍‌ ଆରମ୍ଭ କରିଥିଲେ । କବି ବିନୋଦ ନାୟକ ଏଥିରେ ଲେଖିଥିଲେ-

 

‘‘ନିସାନ୍‌ ବଜାବାର୍‌ ଅନୁକୂଲ୍‌ କରୁଛଁ ତ । ଚାରିଆଡ଼୍‌ହ ଇଡ଼ାର୍‌ ଶବ୍‌ଦଥି ଦୁଲ୍‌କିବା । ନିଶ୍‌ନି ଆଁର କପାଲ୍‌ଥିଁ ମୁଇଁ ସିଂଦୂର ମଖେଇ ଦେଉଛେଁ ।’’ ବିନୋଦ ନାୟକ ଏଥିରେ କେବଳ ମନ୍ତବ୍ୟ ଲେଖି ନଥିଲେ । ତାଙ୍କର ଘଟୁଆଲ୍‌’ ଶୀର୍ଷକ କବିତାଟିଏ ଏଥିରେ ପ୍ରକାଶିତ ହୋଇଥିଲା । ଆଞ୍ଚଳିକ ଭାଷାରେ ରଚିତ ଏ କବିତା କବି ଶ୍ରୀ ନାୟକଙ୍କର ଆବେଗିକ ଭାଷାର ଲାଳିତ୍ୟରେ ଥିଲା ପ୍ରାଣବନ୍ତ-ଘଟୁଆଲ୍‌ ବୋ...

 

ଡୁଁଗାର ବଁଧନ୍‌ ଖୁଲ୍‌

ହଲ୍‌କା ହଲ୍‌କା ଲହର୍‌ ମାର୍‌ସି

ମଁଗଥି ଲାଗ୍‌ସି ଦୁଲ୍‌ ବୋ

ଘଟୁଆଲ୍‌ ! ଡୁଁଗାର୍‌ ବଁଧନ ଖୁଲ୍‌

 

ଏହି ସଂଖ୍ୟାରେ ଗଦ୍ୟରେ ୬ଟି, ପଦ୍ୟରେ ୬ଟି ରଚନା ବ୍ୟତୀତ ସମ୍ପାଦକଙ୍କର ପାଞ୍ଚୋଟି ଲେଖା ତଥା ‘ଏହଲିଆ’ ଶୀର୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କର ଗୀତର ସ୍ଵରଲିପି ଅରୁଣ ସେଠ କରିଥିଲେ । ନିସାନ୍‌-୩ ଥିଲା ଗଙ୍ଗାଧର, ଦୟାନିଧି, ସତ୍‌ନାରେନ୍‌ ସ୍ମରଣିକା । ପଶ୍ଚିମ ଓଡ଼ିଶାର ଗଙ୍ଗାଧର ମେହେର, ଦୟାନିଧି ମଶ୍ର ଓ ସତ୍ୟନାରାୟଣ ବହିଦାରଙ୍କ ନାମରେ ଏହା ନାମିତ ହେ।ଇଥିଲା । ଏହାର ସମ୍ପାଦକୀୟରେ ଉପରୋକ୍ତ ତିନିଜଣଙ୍କର ସ୍ମୃତିଚାରଣ ଏ ସଂଖ୍ୟାରେ କରାଯାଇଥିଲା । ବିଶେଷ କରି ଦୟାନିଧି ମିଶ୍ରଙ୍କ ସମ୍ପର୍କରେ ବହୁ ଅନାଲୋଚିତ ତଥ୍ୟ ଏଥିରେ ଉପସ୍ଥାପନ କରାଯାଇଥିଲା ।

 

‘ନିସାନ୍’ର ପରବର୍ତ୍ତୀ ସଂଖ୍ୟାରେ କୁମାର ହସନ୍‌ଙ୍କର ଆଲୋଚନା, ଶ୍ରଦ୍ଧାକର ସୂପକାରଙ୍କର ‘ସାବିତ୍ରୀ ଉଆଁସ କଥାନି’ ସମ୍ପାଦକଙ୍କର ଗୋଟିଏ ଆଲୋଚନା ତଥା ତିନୋଟି କବିତା ସ୍ଥାନିତ ହୋଇଥିଲା । ଏଥିରେ କବି କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ସ୍ମୃତିଚାରଣ କରାଯାଇଥିଲା । ଏହା ବ୍ୟତୀତ ‘ବଡ଼ ନିସାନର ବିଦାକି ପାର୍‌’ ଶୀର୍ଷକରେ ସମ୍ପାଦକ ଲେଖିଥିଲେ- ‘‘ପୁରା ବର୍ଷେ ହେଲା ନ ନିସ୍‌ନିଆଁ ବୁଢ଼ା ଏଡ଼୍‌କି ନିସାନ୍‌ ଅଁଟାଥିଁ ବୁହି ଆୟଲା ଆର୍‌ ଇଚ୍ଛେନ୍‌ ହେଥିଁରୁ ଦହସତେଁ ଅଥା ଅର୍ଲା ହେଇକରି ହିଟି ପଡ଼୍‌ବାର୍‌ ତକ୍‌କଥା ଗଲାନୋ ତ ଯଦି ଇଟା ବଡ଼୍‌ ନିସାନ୍‌ର ଆଖିପାର୍‌ ହେଇଯିବା ବୟଲେ ବୁଢ଼ାକେ କିହେ ଗାଲି ସମ୍ପାକୁଟା ନାଇଁ ଶୁନାବେ ବଲିଁ ହାତ୍‌ ଯୁଡ଼ୁଛେଁ ।’’ ସମ୍ପାଦକ ମହାଶୟ ହୁଏତ ନିଜର ବର୍ଦ୍ଧିତ ବୟସ ଓ ଉତ୍ତରଦାୟିତ୍ୱକୁ ନେଇ ଚିନ୍ତିତ ଥିଲେ । ତେଣୁ ସେ କହିଥିଲେ, ଯଦି କିଏ ‘ବାହାରିକରି ନିସାନ୍‌ ବଜାଇବେ, ସେ ତାଙ୍କୁ ମାସିକ ୫୦୦ ଦେବେ । ‘ନିସାନ୍‌’ କିନ୍ତୁ ନିସ୍ତବ୍ଧ ହୋଇଗଲା । ଏହାର ପ୍ରଥମ ତିନୋଟି ସଂଖ୍ୟାର ସମସ୍ତ ଗଦ୍ୟ ଓ ପଦ୍ୟରଚନାକୁ ନେଇ ସେ ‘କବ୍ରାଚିତ୍ରା’ ଶୀର୍ଷକ ସଙ୍କଳନଟିଏ କରିଥିଲେ । ଏହାର ପ୍ରକାଶନ (୧୯୯୧) ସମ୍ପର୍କରେ ସେ ଲେଖିଥିଲେ-ସମଲ୍‌ପୁରୀଭାଷାକେ ଲିଖିତ ରୂପ ଥିଁ ଠିଆ କର୍‌ବାକେ ଯେନ୍‌ ଉଦ୍ୟମ ଗଲା ସାଲ୍‌ ପଚାଶେ ହେଲାନ କରା ହେଇ ଆସୁଛେ, ସେଟାକେ ଆଉର୍‌ ଟିକେ ଜବର୍‌ କରାବାର୍‌ ଲାଗି ଗଦ୍ୟ ଲେଖାମାନ ଜହ ଦର୍କାର, ହେଁଥିର୍‌ ଲାଗି ଖାସ୍‌ ଉଚ୍ଚା ଚିନ୍ତା ଆର୍‌ ସମାଲୋଚନା ଥିଲା ପ୍ରବନ୍ଧ ବାହାର୍‌ କର୍ବାର ଜରୁରୀ ଆୟେ । ଏହି ସଙ୍କଳନରେ ୨୫ଟି ଗଦ୍ୟ ଏବଂ ୨୧ଟି ପଦ୍ୟ ସ୍ଥାନିତ ହୋଇଥିଲା ।

 

ପତ୍ରିକା ସମ୍ପାଦନା ହେଉ ଅଥବା ସଙ୍କଳନର ପରିକଳ୍ପନା, ନୀଳମାଧବଙ୍କର ଏକମାତ୍ର ଲକ୍ଷ୍ୟଥିଲା ସମ୍ବଲପୁରୀ ଭାଷାର ଶ୍ରୀବୃଦ୍ଧି ସାଧନା ପରିଣତ ବୟସରେ, ପେନ୍‌ସନ୍‌ର ସ୍ଵଳ୍ପ ଉପାର୍ଜନରେ, ସମ୍ବଲପୁର ସହରଠାରୁ ଏଗାରମାଇଲ୍‌ ଦୂରରେ ଅବସ୍ଥାନ ଆଦି ପ୍ରତିକୂଳତା ହୁଏତ ନିସାନ୍‌ର ଅବସାନ ଘଟାଇଥିଲା । ଏହାର ମାତ୍ର ପାଞ୍ଚଟି ସଂଖ୍ୟା ପ୍ରକାଶ ପାଇଥିଲା । କିନ୍ତୁ ପଶ୍ଚିମ ଓଡ଼ିଶାର କବି, ଲେଖକ, ପ୍ରାବନ୍ଧିକମାନେ ଏହାକୁ ଯେପରି ସମର୍ଥନ ଦେଉଥିଲେ, ବଞ୍ଚିଥିଲେ ଏହା ଏକ ଶ୍ରେଷ୍ଠ ସମ୍ବଲପୁରୀ ପତ୍ରିକା ରୂପେ ହୁଏତ ଭବିଷ୍ୟତରେ ପ୍ରତିଷ୍ଠିତ ହୋଇପାରିଥାନ୍ତା, ଯାହା ହୋଇପାରି ନାହିଁ । ମାତ୍ର ବର୍ଷକ ମଧ୍ୟରେ ଏହାର ଅନ୍ତ ଘଟିଲା ।

 

(ଗ) ସମଲ୍‌ପୁରୀ କୋଶଲୀ ବ୍ୟାକରଣ-(୨୦୦୧)

ସମ୍ବଲପୁରୀ ଯେ ଏକ ସ୍ଵତନ୍ତ୍ର ଭାଷା, ଏହା ଓଡ଼ିଆର ଉପଭାଷା ନୁହେଁ । ଏହା ପ୍ରମାଣ କରିବା ପାଇଁ ସମ୍ବଲପୁରୀ ଭାଷାରେ ଏକ ବ୍ୟାକରଣ ବହି ରଚନା କରିବା ଥିଲା ଅନିବାର୍ଯ୍ୟ ଆବଶ୍ୟକତା । ଏହା ପୂର୍ବରୁ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷାର ଶବ୍ଦ ବିଭବ ବା ‘ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ଓ ରଚନା’ ଶୀର୍ଷକ ଏକ କ୍ଷୁଦ୍ର ବ୍ୟାକରଣ ୧୯୭୭ ମସିହାରେ ରଚନା କରିଥିଲେ । ଏହା ୪୧ ପୃଷ୍ଠା ବିଶିଷ୍ଟ ଏକ କ୍ଷୁଦ୍ର ପୁସ୍ତିକା ଥିଲା । ସମ୍ବଲପୁରୀ ଭାଷାରେ ବ୍ୟାକରଣ ରଚନା ନିମନ୍ତେ ଦାୟିତ୍ୱ ନେଲେ ଡଃ ନୀଳମାଧବ ପାଣିଗ୍ରାହୀ ଓ ଡଃ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଉଭୟଙ୍କର ଏହି ମିଳିତ ଉଦ୍ୟମକୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପୁସ୍ତକ ଭାବରେ ୨୦୦୧ ମସିହାରେ ପ୍ରକାଶ କରିଥିଲେ ।

 

ଏହାର ମୁଖବନ୍ଧ ‘ପହେଲା ପତର୍‌’ରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକ ଲେଖିଥିଲେ-‘ସମଲପୁରୀ-କୋସ୍‌ଲି ଗୁଟେ ଅଲଗ ଭାଷା ଆଏ, ଉଡ଼ିଆ ଭାଷାର ଉପଭାଷା ନୁହେ । ଉଡ଼ିଆ ଭାସାଥିଁ ଗୁର୍‌ଦୁ ବ୍ୟାକରଣ ବହି ଅଛେ, ନ ହାମର୍‌ ସମଲପୁରୀ-କୋସ୍‌ଲି ଭାସାଥିଁ ଭଲ୍‌ ବ୍ୟାକରଣ ବହି ଖଣ୍ଡେ ନାଇଁ ନ ।’’ ଏହି ଅଭାବ ପୂରଣ କରିବା ନିମନ୍ତେ ରଚନା କରାଯାଇଛି ଏହି ବ୍ୟାକରଣ ଗ୍ରନ୍ଥ ସଂସ୍କୃତ ବ୍ୟାକରଣ ଆଧାରରେ ତଥା ଭାଷାବିଜ୍ଞାନ ସହାୟତାରେ ଲିଖିତ ଏହି ଗ୍ରନ୍ଥରେ ସମ୍ବଲ୍‌ପୁରୀ-କୋଶ୍‌ଲୀ ଭାଷାର ସ୍ଵାତନ୍ତ୍ର୍ୟ ଦର୍ଶାଯାଇଛି । ଅନେକ ଐତିହାସିକ, ଭୌଗୋଳିକ, ସାମାଜିକ ତଥା ରାଜନୈତିକ କାରଣରୁ ଓଡ଼ିଆ ଭାଷା ସହ ଏହାର ନିବିଡ଼ ସମ୍ପର୍କ ରହିଅଛି, କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ଭାଷା । ଦଶମ ଏକାଦଶ ଶତାବ୍ଦୀରୁ ପ୍ରାୟ ସମସ୍ତ ନବ୍ୟ ଭାରତୀୟ ଆର୍ଯ୍ୟ ଭାଷାର ବିକାଶ ହୋଇଛି । ଏହି ଭାଷା କିନ୍ତୁ ଅରଣ୍ୟ ବେଷ୍ଟିତ ଏହି ପଶ୍ଚିମାଞ୍ଚଳର ଗ୍ରାମାଞ୍ଚଳରେ ଅତି ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଭାରତର ପାରମ୍ପରିକ ଓ ପୁରାତନ ଭାଷାକୁ ଅବ୍ୟାହତ ରଖିଛି । ଏହି ଭାଷାରେ ଲିଖିତ ସାହିତ୍ୟ ପୂର୍ବେ ନଥିଲା । ତେଣୁ ଏହାର କଥିତ ଓ ଲିଖିତ ଭାଷାରେ ପାର୍ଥକ୍ୟ ନଥିଲା । ବିଗତ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେହେତୁ ଏହି ଭାଷାରେ ଅନେକ ସାହିତ୍ୟ ସୃଷ୍ଟି ହୋଇସାରିଛି, ତେଣୁ ଏହାର ଲିଖିତ ସ୍ଵରୂପକୁ ନିର୍ଦ୍ଦିଷ୍ଟ କରିବା ପାଇଁ ବ୍ୟାକରଣର ଆବଶ୍ୟକତା ରହିଛି ।

 

ପୁସ୍ତକଟିକୁ ପ୍ରସ୍ତାବନା, ବର୍ଣ୍ଣନା, ଶବ୍ଦଗଠନ କ୍ରିୟା, ସମସ୍ତୋତ୍ରୀୟ ଶବ୍ଦମାଳା, ବନାନ୍‌ଧାରା, ବାକ୍ୟଗଠନ, ଲିପି, ପରିଶିଷ୍ଟ ଆଦି ବିଭିନ୍ନ ଭାଗରେ ବିଭାଜନ କରାଯାଇଛି । କ’ ପ୍ରସ୍ତାବନା ହେଉଛି, ବନ ବିଭାଗ । ଏଥିରେ ବର୍ଗ୍ୟ, ଅବର୍ଗ୍ୟ, ସ୍ୱର, ଯୁକ୍ତ ସ୍ୱର, ଯୁକ୍ତ ବ୍ୟଞ୍ଜନ, ବନାନ ଶବ୍ଦ, ବାକ୍ୟ, ବିଭକ୍ତି, ପଦ, ବିଶେଷ୍ୟ, ଲିଙ୍ଗ, ବଚନ, ସର୍ବନାମ, ବିଶେଷଣ, ଅବ୍ୟୟ, ବିଭକ୍ତ, କାରକ ଓ ସମ୍ୱନ୍ଧ ପଦ ଆଦିର ଆଲୋଚନା କରାଯାଇଛି । ବଚନ ପ୍ରସଙ୍ଗରେ ସମଲପୁରୀର ବୈଶିଷ୍ଟ୍ୟ ଦର୍ଶାଯାଇଛି, ଯେପରି ଏକ ବଚନରେ ଏକ, ଜନେ, ଗୁଟେ, ପଟେ, ଖଣ୍ଡେ, ଟା, ଗଛେ, ଘରେ, କ ଆଦି ପ୍ରୟୋଗ କରାଯାଏ, ଦ୍ୱିବଚନରେ ହଲ, ଜୁରା, ଭାର୍‌, ସାର୍‌ ଆଦି ସମଷ୍ଟି ବାଚକରେ ଗୁହୁଡ଼ି, ହୁଦା, ଭିଲ୍, ପୁଂଜା, ମାଲ୍‌, ଦାନ୍‌, ଗେଚ୍ଛା, ଖେଜା, ଝୁଁକା, ଦଲ୍‌, କଠା, ଜମା ଆଦି ବ୍ୟବହାର କରାଯାଏ । ସେହିପରି ବିଭକ୍ତି ପ୍ରୟୋଗ ମଧ୍ୟ ସମଲପୁରୀରେ ସ୍ଵତନ୍ତ୍ର । ପ୍ରଥମା, ଏମନ୍‌, ମାନ୍‌, ମାନେ, ଦ୍ୱିତୀୟା-କେ, ତୃତୀୟା-ଥିଁ, ଏଁ, ସେ, କେଁ, ୪ର୍ଥୀ-କେ, ୫ମୀ-ଉଁ.ନୁ. ଥୁଁ, ଷଷ୍ଠୀ-ଅର୍‌, ର, ୭ମୀ-ଏଁ, ନ, ନେ, ଥି ଥିଁ । ‘ଖ’ ବା ଦ୍ୱିତୀୟ ପ୍ରସଙ୍ଗ ହେଉଛି ବର୍ଣ୍ଣନା । ଏଥିରେ ବର୍ଣ୍ଣ ବ୍ୟବସ୍ଥା, ସ୍ଵରବର୍ଣ୍ଣ ତୁଳନା, ବ୍ୟଞ୍ଜନବର୍ଣ୍ଣ ତୁଳନା, ଅନୁନାସିକର ବ୍ୟାପ୍ତି, ଅନୁନାସିକତା ତୁଳନା, ଦୀର୍ଘତା, ସନ୍ଧିସ୍ଥଳ, ବଳାଘାତ ତୁଳନା, ଅନୁସ୍ଵାର ପରିବର୍ତ୍ତେ ଚନ୍ଦ୍ରବିନ୍ଦୁ, ସ୍ୱର ସଂସର୍ଗ, ସ୍ଵର ବ୍ୟଞ୍ଜନ ସଂସର୍ଗ, ବ୍ୟଞ୍ଜନ ସ୍ଵରବର୍ଣ୍ଣ ସଂସର୍ଗ, ବ୍ୟଞ୍ଜନରେ ମାତ୍ରା ଯୋଗ, ବ୍ୟଞ୍ଜନ ସଂସର୍ଗ, ଦୁଇ ବ୍ୟଞ୍ଜନ ସଂସର୍ଗ, ଅକ୍ଷର ଭିତରେ ସ୍ଵନିମ ବିତରଣ ଆଦି । ‘ଗ’ ଶବ୍ଦ ଗଠନରେ ଯୋଗ, ପୂର୍ବଶବ୍ଦାଂଶ, ପର ଶବ୍ଦାଂଶ, ତଦ୍ଧିତ, କ୍ରିୟାରେ ପ୍ରତ୍ୟୟ ଯୋଗ, ଶବ୍ଦଜ କ୍ରିୟା, ଶବ୍ଦ ଗଠନର ଉପାଦାନ ସମାସ, କଥାଲଥା ଓ ଦ୍ୱିରୁକ୍ତି ଅଛି । ‘ଘ’ ଭାଗ କ୍ରିୟା ନିମନ୍ତେ ଉଦ୍ଦିଷ୍ଟ । ଏଥିରେ କ୍ରିୟାମୂଳ, ଏହାର ପ୍ରକାର, ଅର୍ଥତାତ୍ତ୍ୱିକ ବିଭାଗ, ଅସମାପିକା, ସମାପିକା, କାଳସୂଚକ ପ୍ରତ୍ୟୟ, ପୁରୁଷ, ବଚନ ପ୍ରତ୍ୟୟ, କ୍ରିୟାମୂଳରେ ପରିବର୍ତ୍ତନ, ଭାବ ସୂଚକ ପ୍ରତ୍ୟୟ, ଭାବସୂଚକ, ଆଭିମୁଖ୍ୟ ସହାୟକ, ଆଦେଶ, ପ୍ରେରଣାର୍ଥିକ ପ୍ରତ୍ୟୟ, କ୍ରିୟାର ଦ୍ୱିରୁକ୍ତି, ମିଶ୍ରକ୍ରିୟା, ଯୌଗିକ କ୍ରିୟା ଆଦି ଆଲୋଚନା କରାଯାଇଛି । ‘ଙ’-ସମସ୍ତୋତ୍ରୀୟ ଶବ୍ଦମାଳାରେ ପ୍ରାୟ ୪୪ଟି ଭାଷାର ସମ୍ବଲପୁରୀ ସହ କେତେକ ଶବ୍ଦଗତ ସାମ୍ୟ ଦର୍ଶାଯାଇଛି । ବିଶେଷ କରି ଛତିଶଗଡ଼ୀ ଭାଷାର ପ୍ରାୟ ତିନି ଶହ ଶବ୍ଦ ସମ୍ବଲପୁରୀ ସହ ସମାନ ଥିବା ଉଦାହରଣ ସହ ଉପସ୍ଥାପନ କରାଯାଇଛି। ‘ଚ’ ବନାନ୍‌ ଧାରାରେ ଅକ୍ଷର ଲେଖିବା ସମୟରେ ସାବଧାନତା, ହଳନ୍ତ ଚିହ୍ନ ପ୍ରୟୋଗ କ୍ରିୟାପଦର ସଠିକ୍‌ ଲିଖନ ଶୈଳୀ, ଶବ୍ଦର ନିର୍ଭୁଲ୍‌ ଲିଖନଆଦି ଏହା ସହିତ ଉଚ୍ଚାରଣ ସମାନ ହେଲେ ମଧ୍ୟ ଓଡ଼ିଆଠାରୁ ସମ୍ବଲପୁରୀର ଅନ୍ତର୍ଗତ ପ୍ରଭେଦ କିପରି ଅଛି, ତାହାର କେତେକ ଉଦାହରଣ ଦିଆଯାଇଛି-

 

ଶବ୍ଦ

ସମ୍ବଲପୁରୀ ଅର୍ଥ

ଓଡ଼ିଆ ଅର୍ଥ

ଗରା

ଅଣ୍ଡା

ଜଳପାତ୍ର

ଗେଡ଼ା

କବାଟକିଳା ବାଡ଼ି

ବାଂଗରା

ଛେନା

ଗୋବର ଘଷି

ଦୁଗ୍ଧଜାତ ଦ୍ରବ୍ୟ

ଡିଆଁ

ଉଇ

ଡେଇଁବା

ଥିର

ତୋରାଣି

ସ୍ଥିର

ଛିଡ଼ା

ଛିଣ୍ଡାକନା

ଠିଆ

ରୂପ

ଶୁଆପକ୍ଷୀ

ଚେହେରା ଆଦି ।

 

ସେହିପରି ସମ୍ବଲପୁରୀ ମୌଳିକ ଶବ୍ଦମାଳା କ୍ରମରେ ପ୍ରାୟ ୨୦୦ଟି ଶବ୍ଦର ତାଲିକା ଦିଆଯାଇଛି । ଓଡ଼ିଆ ଓ ସମ୍ବଲପୁରୀରେ ସମାନ ଅର୍ଥରେ ଭିନ୍ନ ଭିନ୍ନ ଶବ୍ଦ ପ୍ରୟୋଗ କରାଯାଏ-

 

ଓଡ଼ିଆ

ସମ୍ବଲପୁରୀ

ପଶୁ

ଜଠତ୍‌

ମଂଦ

ଅସାର୍‌

ପାଉଁଶ

ଖାର୍‌

ଥଣ୍ଡା

ଶୀତଲ୍‌

ଖୋଳ୍‌

କୁଡ୍

ଓଲୁ

ବେଡ଼ା

ଅଣ୍ଡା

ଗରା

ଚର୍ବି

ବସ୍‌

ନିଆଁ

ଜୁଏ

ପର

ପଏଁଖ

ଜମାଟ

ବସିଯିବା

ଧୂଆଁ

କୁହୁଲା

ମଂଜି

ବିଜା

ସିଲେଇବା

ଟିପ୍‌ବା

ବୋହିବା

ଉହୁଲିବା ଆଦି ଅନେକ ଶବ୍ଦ ଅଛି ।

 

‘ଛ’ ବାକ୍ୟଗଠନରେ ବାକ୍ୟର ପ୍ରକାର ଭେଦ, କର୍ତ୍ତା, କର୍ମ, ପ୍ରୟୋଗ, ଉଚ୍ଚାରଣ, ଶବ୍ଦରୁଚି ଆଦି ଅଛି । ବାକ୍ୟ କାହାକୁ କୁହାଯାଏ, ବାକ୍ୟାଂଶ, ନାସ୍ତିବାଚକ ପ୍ରୟୋଗରେ ସମ୍ବଲପୁରୀର ବୈଶିଷ୍ଟ୍ୟ-ମୁଇଁ ନାଇଁ କରେ, ତୁମେ ନାଇଁ କର । ସେମାନେ ନାଇଁ କରନ୍‌ ଆଦି । କ୍ରିୟାର ବର୍ତ୍ତମାନ କାଳ ପରିବର୍ତ୍ତିତ ହେଲେ ଅଛି ସ୍ଥାନରେ ନାଇଁନ ହୁଏ । ଖଣ୍ଡ ବାକ୍ୟ କାହାକୁ କହନ୍ତି ବାକ୍ୟର ପ୍ରକାର ଭେଦ, ନାସ୍ତିବାଚକ ଆଦିର ଉଦାହରଣ ଦିଆଯାଇଛି । କର୍ତ୍ତା ଓ କର୍ମର ପ୍ରକାର ଭେଦ, ପ୍ରୟୋଗଧାରା, ଉଚ୍ଚାରଣ ଓ ଶବ୍ଦ ଋଚି ଆଦିର ବୈଶିଷ୍ଟ୍ୟ ଦର୍ଶାଯାଇଛି । ପ୍ରୟୋଗ ଧାରାରେ ଆଲ୍‌ ମାଲ୍‌, ଭାଏଲ୍‌, ତାଏଲ୍‌, ଇଚ୍ଛେନ୍‌ ଆଦି ବ୍ୟବହାର କରାଯାଏ । ଶହ ରୁଚି କ୍ରମରେ ସମ୍ବଲପୁରୀରେ କିପରି ମୌଳିକ ଶବ୍ଦ ପ୍ରୟୋଗ କରାଯିବା ଉଚିତ୍‌ ଉଦାହରଣ ଦିଆଯାଇଛି । ‘ଜ’ ହେଉଛି ଲିପି । ଓଡ଼ିଆରେ ଯଦିଓ ଲେଖାଯାଉଛି, କିନ୍ତୁ ସମ୍ୱଲପୁରୀ ଅନ୍ୟ ଲିପିରେ ବି ଲେଖାଯାଇପାରିବ । ଓଡ଼ିଆ ଲିପିରେ ଲେଖିବା ସମୟରେ ସମ୍ବଲପୁରୀର ବୈଶିଷ୍ଟ୍ୟ କିପରି ରକ୍ଷା କରାଯିବା ଉଚିତ୍‌ ତା’ର ଦୃଷ୍ଟାନ୍ତ ଦିଆଯାଇଛି- ଟେଁରାଟା, କୁଁଢ଼ି କାଞ୍ଚି, କଁଟିଆ, କୁଚ୍‌ନି, ହୁଁଡ଼ାର, ପାତଲ୍‌ଘଁଟା ଆଦି ଶବ୍ଦକୁ ଯଦି ଓଡ଼ିଆରେ ଟେଙ୍ଗଟା, କୁଣ୍ଢିକାଞ୍ଚବ, କୁଚଣି, ହୁଣ୍ଡାର ପାତଳଘଣ୍ଟା ଲେଖାଯାଏ, ତେବେ ଉଚ୍ଚାରଣ ଓ ଲିପିରେ ଅମେଳ ଦେଖାଦେବ । ଶବ୍ଦର ପ୍ରକାରଭେଦ, ତତ୍ସମ, ଅର୍ଦ୍ଧତତ୍ସମ, ତଦ୍ଭବ, ବୈଦେଶିକ, ମୌଳିକ, ରୂଢ଼ ଶବ୍ଦ ଆଦି ରୂପେ ଦର୍ଶାଯାଇଛି । ବ୍ୟଞ୍ଜନ ବର୍ଣ୍ଣରେ ମାତ୍ରା, ଫଳା ଯୋଗ, ଲିଖନର କୌଶଳଗତ ବିଭାଗ ଆଦି ଉଲ୍ଲେଖ କରାଯାଇଛି । ‘ଝ’ ପରିଶିଷ୍ଟରେ ସତ୍ୟନାରାୟଣ ବହିଦାରଙ୍କର ‘ସଂକ୍ଷିପ୍ତ ସମ୍ୱଲପୁରୀ ବ୍ୟାକରଣ ଓ ରଚନା’ ସଂଯୋଜିତ କରାଯାଇଛି । ୪୧ ପୃଷ୍ଠା ବିଶିଷ୍ଟ ଏହି କ୍ଷୁଦ୍ର ପୁସ୍ତିକାଟି ୧୯୭୭ ମସିହାରେ ସମ୍ବଲପୁରରୁ ପ୍ରକାଶିତ ହୋଇଥିଲା । ଏଥିରେ ବିଶେଷ୍ୟ, ସମାର୍ଥକ, ଭିନ୍ନାର୍ଥ ଶବ୍ଦ, ପୁରୁଷ, ବଚନ, ଲିଙ୍ଗ, ସନ୍ଧି, ସମାସ, ପ୍ରତ୍ୟୟ, ବାଚ୍ୟ, ବିପରୀତ ଶବ୍ଦର ସମ୍ୟକ୍ ସୂଚନା ସହିତ ସମ୍ବଲପୁରୀ ଭାଷାର ସ୍ଵାତନ୍ତ୍ର୍ୟ ଦର୍ଶାଇ ଆଲୋଚନା କରାଯାଇଛି । ଯେପରିକି ଛୋଟମାଛର ପ୍ରକାର-ଠୁରୁ, ଡଣ୍ଡେଇ, କୁକିଆ, ବଚା ସେହିପରି କାଇ-ଘରା, ଉଇ- ବିନୁଆଁ, ନିଦ-ଝାଁକେ, ମଦ-ଛ୍ୟକେ ପାଏନ୍‌-ଢୁକେ । ଉପସଂହାରରେ ସତ୍ୟନାରାୟଣ ବହିଦାର କହିଛନ୍ତି ଯେ,-‘‘ଅନେକତ୍ର ସମ୍ବଲପୁରୀ ଶବ୍ଦମାନଙ୍କର ସଂସ୍କୃତ ପରିଣତି ପ୍ରତିପାଦନ କରିଅଛି, ମାତ୍ର ଏତ ଦେଶୀୟ ଓ ସଂସ୍କୃତ ପରିଣତି ମଧ୍ୟରୁ କେଉଁଟି ପ୍ରାଚୀନତର ସେ କଥା କିଏ କହିବ ? x x x ସେହିପରି ପଶ୍ଚିମ ଓଡ଼ିଆବାସୀଙ୍କର ନିର୍ଲିପ୍ତତା ପାଇଁ ଏ ଭାଷାର ଅବାଧ ଗତି ପ୍ରତିହତ ହେଉଅଛି । କେବେ ଏ ନିର୍ଲିପ୍ତତା ଘୁଞ୍ଚିବ ଭଗବାନଙ୍କୁ ଗୋଚର (ପରିଶିଷ୍ଟ- ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ଓ ରଚନା ସତ୍ୟନାରାୟଣ ବହିଦାର-ମୂଳବହି-ପୃ. ୪୦/୪୧)

 

ସମ୍ବଲପୁରୀ ଭାଷାରେ ବ୍ୟାକରଣ ରଚନାର ଯେଉଁ ପ୍ରୟାସ ସତ୍ୟନାରାୟଣ ବହିଦାର କରିଥିଲେ, ତାହାର ପରବର୍ତ୍ତୀ ବିସ୍ତୃତ ବିଶ୍ଳେଷଣ ଉଭୟ ଲେଖକ ଏହି ବ୍ୟାକରଣ ଗ୍ରନ୍ଥରେ କରିଛନ୍ତି ଏବଂ ମନ୍ତବ୍ୟ ଦେଇଛନ୍ତି ଯେ-‘‘ଇ ଦୁନିଆଁର୍‌ ଉନିଆମାନେ ଜାନୁନ୍‌ କି ନାଇଁ ଜାନୁନ୍‌, ଆମେ ଯେନ୍‌ମାନେ ଇ ଭାଷା ଥିଁ ଜନମ୍‌ ହେଇକରି ଜୀବନ୍ ଜିଇଁଛୁ, ଆମେ ତ ଜାନ୍‌ବାର୍‌ କଥା ଯେ ଇଟା ଭିଲ୍‌ ଗୁଟେ ଆଧୁନିକ ଭାରତୀୟ ଭାଷା ଆୟ୍‌ । ଆମେ ଜହଜହ କହେଲେଁ, ଶୁନ୍‌ଲେଁ, ପଢ଼ଲେଁ ଆର୍‌ ଲେଖ୍‌ଲେଁ ଇ ଭାଷା ମିଶେ ଦିନେ ଦୁନିଆଁର ଭାଷା ମାନ୍‌କର୍‌ ମୟ୍‌ଧେଁ ନିଜର୍‌ ଠାନ୍‌ ପାଇପାର୍‌ବା ।

(ସମଲ୍‌ପୁରୀ କୋସ୍‌ଲି ବ୍ୟାକରଣ-ପୃ. ୧୮୪)

 

***

 

Unknown

ପଞ୍ଚମ ପରିଚ୍ଛେଦ

ସମ୍ବଲପୁରୀ (କୋଶଲୀ) ମାହାଭାରତ କଥା (୧୯୯୬)

 

(କ) ବର୍ଣ୍ଣନା ବୈଶିଷ୍ଟ୍ୟରେ ଭୂମି ସଂଲଗ୍ନତା

ମହାଭାରତରେ ଯେଉଁ ସାମାଜିକ, ସାଂସ୍କୃତିକ ଚିତ୍ରଣ ବ୍ୟାସଦେବ ବହୁସହସ୍ର ବର୍ଷ ପୂର୍ବେ କରିଯାଇଥିଲେ, ବର୍ତ୍ତମାନ ସୁଦ୍ଧା ତାହାହିଁ ଗୋଟିଏ ଜାତୀୟ ଚେତନାର ଆଧାର ରୂପେ ବିବେଚିତ ହୋଇଆସିଛି । ସୃଷ୍ଟି ହୋଇଛି ଅନେକ ପ୍ରାଦେଶିକ ଭାଷାର ନିଜସ୍ଵ ସମ୍ପଦ । ନିଜ ଅଞ୍ଚଳର ସାମାଜିକ ଜୀବନଧାରା, ଏହାର ସାଂସ୍କୃତିକ ବୈଶିଷ୍ଟ୍ୟ, ଭାଷା ଓ ସାହିତ୍ୟର ସ୍ଵାତନ୍ତ୍ର୍ୟ ଆବେଗ ତଥା ଆବେଦନ ସହ ଉପସ୍ଥାପିତ ହୋଇଆସିଛି । ଓଡ଼ିଆ ମହାଭାରତର ଲେଖକ ସାରଳା ଦାସ ସ୍ଵକୀୟ ସୃଷ୍ଟି ମାଧ୍ୟମରେ ସମସାମୟିକ ସମାଜଜୀବନର ସମସ୍ତ ଦିଗ ଉନ୍ମୋଚନ କରି ମହାଭାରତକୁ ଏକ କାଳଜୟୀ ସୃଷ୍ଟିର ମର୍ଯ୍ୟାଦା କେବଳ ପ୍ରଦାନ କରିନାହାନ୍ତି, ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଏକ ସୁଦୃଢ଼ ଭିତ୍ତିସ୍ଥାପନ କରିଯାଇଛନ୍ତି ।

 

ସମ୍ୱଲପୁରୀ (କୋଶଲୀ) ମାହାଭାରତ କଥାର ଲେଖକ ପ୍ରଥମେ ଜଣେ କବି ନ ଥିଲେ, ଅଥବା ନ ଥିଲେ ସମ୍ୱଲପୁରୀ ଭାଷାର ସାହିତ୍ୟିକ । ଅବସର ଗ୍ରହଣର ବହୁବର୍ଷ ପରେ ଏକସ୍ତରୀ ବର୍ଷ ବୟସରେ (୧୯୯୦) ସେ ସମ୍ୱଲପୁରୀ ଭାଷାରେ ତାଙ୍କର ପ୍ରଥମ ଗ୍ରନ୍ଥ ରଚନା କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଆ ସାହିତ୍ୟରେ ଜଣେ ଛନ୍ଦ ଓ ସଙ୍ଗୀତ ବିଶାରଦ, ଗବେଷକ, ଗ୍ରନ୍ଥକାର ଓ ପ୍ରବନ୍ଧ ଲେଖକ ଭାବରେ ସୁପରିଚିତ ଥିଲେ । ପଞ୍ଚସ୍ତରୀ ବର୍ଷ ବୟସ ବେଳକୁ ସେ ଜାଣିବାକୁ ପାଇଥିଲେ ଯେ, ଗୋଟିଏ ଭାଷାର ସାମ୍ୱିଧାନିକ ସ୍ଵୀକୃତି ନିମନ୍ତେ ସମ୍ପୃକ୍ତ ଭାଷା କେତେକ ନିର୍ଦ୍ଦିଷ୍ଟ ସର୍ତ୍ତପୂରଣ କରୁଥିବା ଆବଶ୍ୟକ । ଉଦାହରଣ ସ୍ଵରୂପ-ସେହି ଭାଷା ବେଶ୍‌ କିଛି ଲୋକଙ୍କର ମାତୃଭାଷା ହୋଇଥିବ, ସେହି ଭାଷାରେ ରାମାୟଣ ମହାଭାରତ ପରି ସାହିତ୍ୟ ସୃଷ୍ଟି ରହିଥିବ, ସେହି ଭାଷାରେ ବ୍ୟାକରଣ ଗ୍ରନ୍ଥଟିଏ ନିଶ୍ଚୟ ଥିବ ।

 

ସ୍ଵର୍ଗତଃ ନୀଳମାଧବ ପାଣିଗ୍ରାହୀ ଲିଖିତରୂପରେ ସମ୍ୱଲପୁରୀ ଭାଷାରେ ମହାଭାରତ ରଚନା କରିବା ପୂର୍ବରୁ କେତେକ ଆଶୁକବି ମୌଖିକ ଭାବରେ ରାମାୟଣ ଓ ମହାଭାରତର ଅଂଶମାନ ସମ୍ୱଲପୁରୀ ଭାଷାରେ ସ୍ଥାନୀୟ ଲୋକଙ୍କୁ ଶୁଣାଉଥିଲେ । ଏହିପରି ଜଣେ କବି ଚୈତନ୍ୟ ପୁରୋହିତଙ୍କର ‘ଢଗ ମହାଭାରତ’ର ଚାଳିଶଟି ଅଧ୍ୟାୟ ଆବିଷ୍କୃତ ହୋଇଥିବା ଜଣାଯାଏ-। ପାରମ୍ପରିକ ଲୋକଗୀତର ଜନପ୍ରିୟ ସ୍ଵରସଂଯୋଗରେ ଓଡ଼ିଆ-ମିଶ୍ରିତ ସମ୍ବଲପୁରୀ ଭାଷାରେ ଏହା ରଚିତ ହୋଇଛି । ଭୀମଙ୍କର ଜନ୍ମଠାରୁ ପାଣ୍ଡବଙ୍କର ମହାପ୍ରୟାଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗକୁ ସଞ୍ଚାର, ପାଲା, ଦାସକାଠିଆ, ହୁମୋ, କର୍‌ମା, ଡାଲ୍‌ଖାଇ, ରସର୍‌କେଲୀ ତଥା ବିଭିନ୍ନ ରାଗରାଗିଣୀ ସମନ୍ଵିତ ନବାକ୍ଷରୀ, ଚତୁର୍ଦ୍ଦଶାକ୍ଷରୀ ଆଦି ବୃତ୍ତରେ ସେ ରଚନା କରିଥିଲେ । କପିଳ ମହାପାତ୍ର ନାମକ ଜଣେ ଲେଖକ ଥିଲେ ଢଗ ରାମାୟଣର ସ୍ରଷ୍ଟା । ସେ ସମ୍ପୂର୍ଣ୍ଣ ରାମାୟଣ ଲେଖିଥିଲେ କି ନାହିଁ ଜଣାନାହିଁ । ତାଙ୍କର ଗୀତଗୁଡ଼ିକରୁ ସୁନ୍ଦରାକାଣ୍ଡ ଅଯୋଧ୍ୟାକାଣ୍ଡର କେତେକ ଅଧ୍ୟାୟ ତାଙ୍କ ଦ୍ଵାରା ରଚିତ ବୋଲି ପ୍ରମାଣିତ ହୁଏ । ସମ୍ୱଲପୁରୀ (କୋଶଲୀ) ଭାଷାରେ ରାମାୟଣ ରଚନା କରିଛନ୍ତି ହେମଚନ୍ଦ୍ର ଆଚାର୍ଯ୍ୟ । ଏହି ପୃଷ୍ଠଭୂମିରେ ସମ୍ୱଲପୁରୀ ଭାଷାରେ ମହାଭାରତ ରଚନା କରିବା ନିମନ୍ତେ ଯେତେବେଳେ ନୀଳମାଧବ ପାଣିଗ୍ରାହୀ ସଙ୍କଳ୍ପବଦ୍ଧ ହେଲେ, ସେତେବେଳେ ସେ ଜୀବନର ଏକ ତୃତୀୟାଂଶ ଅତିକ୍ରମ କରିସାରିଥିଲେ । ମାତୃଭାଷା ତଥା ସଂସ୍କୃତି ସଚେତନତା ଜନିତ ସ୍ଵାଭିମାନ ତାଙ୍କୁ ଏତେ ମାତ୍ରାରେ ପ୍ରରୋଚିତ କରିଥଲା ଯେ, ସେ ବିସ୍ମୃତ ହୋଇଗଲେ ନିଜର ବୟସ, ସ୍ଵାସ୍ଥ୍ୟ, ଅର୍ଥ, ସାମର୍ଥ୍ୟ ସବୁକିଛି । କୌଣସି ଆନୁଷ୍ଠାନିକ ପ୍ରଚେଷ୍ଟା ପରିବର୍ତ୍ତେ ବ୍ୟକ୍ତିଗତ ଉଦ୍ୟମରେ ଆରମ୍ଭ କଲେ ମହାଭାରତ କଥାରଚନା ଓ ପ୍ରକାଶନ । ପଞ୍ଚସ୍ତରୀ ବର୍ଷ ବୟସରେ ମହାଭାରତ ରଚନା ଆରମ୍ଭ କରିବାର ମନୋବୃତ୍ତି କେବଳ ବିସ୍ମୟକର ନୁହେଁ । ଅତ୍ୟନ୍ତ ବିରଳ ।

 

ମୂଳ ସଂସ୍କୃତ ମହାଭାରତକୁ ବ୍ୟାସ ତାଙ୍କର ମାନସପୁତ୍ର ଶୁକଦେବଙ୍କୁ ପ୍ରଥମେ ଶୁଣାଇଥିଲେ । ପରେ ତାଙ୍କର ଶିଷ୍ୟ ବୈଶମ୍ପାୟନ ଏହାର ପ୍ରଚାର କରିଥିଲେ । ପରୀକ୍ଷିତଙ୍କର ପୁତ୍ର ଜନ୍ମେଜୟ ଏକ ସର୍ପଯଜ୍ଞର ଆୟୋଜନ କରିଥିଲେ ଏହି ସମୟରେ ବୈଶମ୍ପାୟନ ମହାଭାରତ ବର୍ଣ୍ଣନା କରିଥିଲେ । ସୁତମୁନି ଏହା ମନେରଖି ଏକଦା ନୈମିଷାରଣ୍ୟରେ ଶୌନକ ମହର୍ଷିଙ୍କ ଦ୍ଵାରା ଆୟୋଜିତ ଯଜ୍ଞସ୍ଥଳୀରେ ସମସ୍ତଙ୍କୁ ଶୁଣାଇଥିଲେ । ଏକ ଲକ୍ଷ ଶ୍ଳୋକ ସମନ୍ଵିତ ଏହି ଗ୍ରନ୍ଥରେ ବକ୍ତା, ଶ୍ରୋତା ଓ ମଙ୍ଗଳାଚରଣ ଆଦି ରହିଛି ।

 

ଅଠରଖଣ୍ଡ ମହାଭାରତକୁ ସମ୍ୱଲପୁରୀ ଭାଷାରେ ଲେଖିବା ସମୟରେ ଲେଖକ ବ୍ୟାସକୃତ ସଂସ୍କୃତ ମହାଭାରତ ଅପେକ୍ଷା ଗୀତାପ୍ରେସ୍‌ ଦ୍ଵାରା ପ୍ରକାଶିତ ମହାଭାରତର ସହାୟତା ଅଧିକ ନେଇଛନ୍ତି । ତାଙ୍କର ମାହାଭାରତ କଥାର ୬ ଭାଗ ପ୍ରକାଶିତ ହୋଇସାରିଛି । କେତେକ ଅପ୍ରକାଶିତ ଅଛି । ଦୁଇଖଣ୍ଡ ଲେଖାଯାଇ ପାରି ନାହିଁ । ‘ବିରାଟ ପର୍ବ’ ଓ ‘ଉଦ୍‌ଯୋଗପର୍ବ’ର କେତେକାଂଶ କବିତା ଆକାରରେ ସନ୍ନିବେଶିତ କରାଯାଇଛି । ‘ଆଦିପର୍ବ’ର ବିଷୟବସ୍ତୁକୁ ତିନିଭାଗରେ ବିଭକ୍ତ କରାଯାଇଛି । ମାହାଭାରତ କଥା-୧,୨,୩ । ମାହାଭାରତ କଥା-୧ ରେ ଅଛି ୬୦୦୦ ପଂକ୍ତି । ସଂସ୍କୃତ ମହାଭାରତ ୯୬ ଅଧ୍ୟାୟରୁ ଗ୍ରନ୍ଥାରମ୍ଭ ହୋଇଛି । ମାହାଭାରତ କଥାର ପ୍ରାରମ୍ଭରେ କୌଣସି ମଙ୍ଗଳାଚରଣ ନାହିଁ। ‘ଶାନ୍ତନୁ ମହାରାଜର ଜାତକ୍’ରୁ ମହାଭାରତ କଥାରମ୍ଭ ହୋଇଛି । ପରେ ୬୩ ଅଧ୍ୟାୟର ସତ୍ୟବତୀ ପ୍ରସଙ୍ଗ ୧୧୩ ଅଧ୍ୟାୟର ପାଣ୍ଡୁଙ୍କର ବନବାସ ଆଦି । ଏପରି ବର୍ଣ୍ଣନା କିନ୍ତୁ ମହାଭାରତର ଗତିଶୀଳତାକୁ ଆଦୌ ବ୍ୟାହତ କରିନାହିଁ । ଦ୍ଵିତୀୟ ଭାଗରେ ଅଛି ପାଣ୍ଡବମାନଙ୍କୁ ବାରୁଣାବନ୍ତ ପ୍ରେରଣ ଜନିତ ମନ୍ତ୍ରଣା, ଅର୍ଜୁନ ଦ୍ଵାରା ନିୟମ ଭଙ୍ଗ ଓ ବନବାସ ପର୍ଯ୍ୟନ୍ତ । ୩୭୫୦ ପଂକ୍ତିରେ ଏହା ସମ୍ପୂର୍ଣ୍ଣ କରାଯାଇଛି । ଏହାର ପ୍ରଥମ ଓ ଦ୍ଵିତୀୟ ଭାଗ ଯଥାକ୍ରମେ ୧୯୯୬ ଓ ୧୯୯୭ ମସିହାରେ ଲାର୍କବୁକ୍‌ସ ଭୁବନେଶ୍ଵରଙ୍କ ଆନୁକୂଲ୍ୟରେ ପ୍ରକାଶିତ ହୋଇଥିଲା । ପରେ ୨୦୦୯ ମସିହାରେ ଲେଖକଙ୍କ ଉପସ୍ଥିତିରେ ପ୍ରଥମ ଭାଗର ପ୍ରଥମ ସଂସ୍କରଣ ପୁନର୍ମୁଦ୍ରିତ ହୋଇ ପ୍ରକାଶ ଲାଭ କରିଥିଲା । ତୃତୀୟ ଭାଗ ଅର୍ଜୁନବନବାସ ପ୍ରସଙ୍ଗ, ଅର୍ଜୁନ ଉଲୁପୀ ମିଳନରୁ ଖାଣ୍ଡବଦହନ ପରବର୍ତ୍ତୀ ବର୍ଣ୍ଣନାରେ ଏହା ଶେଷ ହୋଇଛି । ଏଥିରେ ୪ ପଂକ୍ତି ବିଶିଷ୍ଟ ୫୭୭ ପଦ ରହିଛି । ‘ବିରାଟ ପର୍ବ’ର କଥାବସ୍ତୁକୁ ନେଇ ଶ୍ରୀଯୁକ୍ତ ପାଣିଗ୍ରାହୀ, ପରବର୍ତ୍ତୀ ସମୟରେ (୨୦୦୭) ‘କୀଚକ ବିନାଶ୍‌ ଆର୍‌ କୌରବଦଲନ’ ନାମକ କାବ୍ୟ ଲେଖିଛନ୍ତି-। ମହାପ୍ରସ୍ଥାନିକ ପର୍ବଟି ଦ୍ୱିତୀୟ ଭାଗ ସମ୍ପୂର୍ଣ୍ଣ ହେବା ପୂର୍ବରୁ ପ୍ରକାଶିତ ହୋଇ ସାରିଥିଲା ।

 

ପୂର୍ବରୁ ‘ମହରା ଆର୍‌ ମହୁ’ ଶୀର୍ଷକ ସମାଲୋଚନା ଏବଂ ‘ନିସାନ୍‌’ ପତ୍ରିକା ମାଧ୍ୟମରେ ସମ୍ୱଲପୁରୀ ଭାଷାର ବଳିଷ୍ଠତା ଓ ସ୍ଵୀକୃତିର ସ୍ଵପ୍ନ ଦେଖିଥିବା ନୀଳମାଧବ ପାଣିଗ୍ରାହୀ ହୁଏତ ସମ୍ବଲପୁରୀ ଲୋକଜୀବନର ଧାରା ଓ ଲୋକମୁଖର ଭାଷାକୁ ଉପସ୍ଥାପିତ କରିବାର ଏକମାତ୍ର ବଳିଷ୍ଠ ମାଧ୍ୟମ ମହାପୁରାଣ ମହାଭାରତ ବୋଲି ମନେକରିଛନ୍ତି, ତେଣୁ ‘ମାହାଭାରତ’ର ଉପାଖ୍ୟାନଗୁଡ଼ିକର ବର୍ଣ୍ଣନାର ଛତ୍ରେଛତ୍ରେ ଗତିଶୀଳ ହୋଇଛି ସମ୍ବଲପୁରୀ ଭାଷା ଓ ସଂସ୍କୃତିର ସୌଷ୍ଠବ । ଏହି ବର୍ଣ୍ଣନା ମଧ୍ୟରେ ସେ ସମ୍ବଲପୁରୀ ଉଚ୍ଚାରଣର ସ୍ଵାତନ୍ତ୍ର୍ୟ ଯେପରି ପ୍ରତିପାଦନ କରିଛନ୍ତି, ସେହିପରି ସର୍ବତ୍ର ଏକ ଗାନଯୋଗ୍ୟ ଛନ୍ଦ ଦ୍ଵାରା କଥାବସ୍ତୁକୁ ଗତିଶୀଳ କରାଇଛନ୍ତି । ସମ୍ବଲପୁରୀ ମୌଳିକ ଶବ୍ଦ, ଧାତୁ, କ୍ରିୟା, ରୂଢ଼ି ଆଦିର ସମନ୍ୱୟରେ ଏହା ରସୋତୀର୍ଣ୍ଣ । ବ୍ୟାସଙ୍କ ମହାଭାରତର ବିଷୟ ବିନ୍ୟାସ ସତ୍ତ୍ଵେ କବିଙ୍କର ସ୍ଵକୀୟ କଳ୍ପନାର ଚମତ୍କାରିତା ବିଭିନ୍ନ ବର୍ଣ୍ଣନା, ଚରିତ୍ର ଚିତ୍ରଣ, ଘଟଣାବିନ୍ୟାସ, ରସ ସମାବେଶ ଜୀବନ ଦର୍ଶନ ଆଦି ମାଧ୍ୟମରେ ପ୍ରତିଭାତ ହୋଇଥାଏ । ସାରଳା ଦାସ ଯେପରି ବ୍ୟାସକୃତ ମହାଭାରତକୁ ଉତ୍କଳୀୟ ଜୀବନଧାରାରେ ଅନୁରଞ୍ଜିତ କରିଥିଲେ, ନୀଳମାଧବଙ୍କର ମହାଭାରତ ସେହିପରି ସମ୍ବଲପୁର ଅଞ୍ଚଳର ଲୌକିକ ଜୀବନଧାରାର ଅବିକଳ ପ୍ରତିଲିପି । ତାଙ୍କ ମହାଭାରତର ନଦୀପବିତ, ଗ୍ରାମୀଣ ଜନତା, ଜୀବଜନ୍ତୁ ସମସ୍ତେ ସମ୍ବଲପୁରୀ ସଂସ୍କୃତି, ଚିନ୍ତାଚେତନା, ଆଚାର ଆଚରଣରେ ଜୀବନ୍ତ, ଗତିଶୀଳ ।

 

ଅବଶ୍ୟ ଅଲୌକିକତାରୁ କଥାରମ୍ଭ ହୋଇଛି । ଈକ୍ଷ୍ୱାକୁ ବଂଶୀୟ ମହାବୀର ମହାଭିଷ ଥିଲେ ଧାର୍ମିକ, ଯାହାଙ୍କର ହଜାର ଅଶ୍ଵମେଧ ଓ ଶତ ରାଜସ୍ଵୟଯଜ୍ଞ ଇନ୍ଦ୍ରଙ୍କର ଆସ୍ଥାନକୁ ଆନ୍ଦୋଳିତ କଲା । ଭୟରେ ଇନ୍ଦ୍ର ତାଙ୍କୁ ସମ୍ମାନ ସହ ଦେବସଭାକୁ ଆମନ୍ତ୍ରଣ କଲେ, କିନ୍ତୁ ଯେତେବେଳେ-

 

ସମାବେଗ୍‌ ଜମିଥାୟ ଭର୍‌ଦର

ଗଙ୍ଗା ଆୟଲେ ହେଇ ହର୍‌ବର୍‌

(୧ମ ଭାଗ-ପୃ.୨)

 

ସେତେବେଳେ ଉତ୍ତାଳପବନର ପ୍ରବାହ ଅପସାରିତ କରିନେଲା ଗଙ୍ଗାଙ୍କର ଓଢ଼ଣୀ ଓ ଶାଢ଼ୀ । ସମସ୍ତେ ଶିଷ୍ଟତାର ସହ ମସ୍ତକ ଅବନତ କରିନେଲେ, କିନ୍ତୁ କଲେ ନାହିଁ ମହାଭିଷ । ଅପଲକ ନୟନରେ ଚାହିଁ ରହିଲେ । ଏହି ପୃଷ୍ଠଭୂମିରେ ବ୍ରହ୍ମାଙ୍କର ଅଭିଶାପ କ୍ରମେ ମହାଭିଷ ଜନ୍ମ ନେଲେ ଭରତବଂଶୀ ରାଜା ପ୍ରତୀପଙ୍କର ପୁତ୍ର ଭାବରେ । ତାଙ୍କର ନାମ ହେଲା ଶାନ୍ତନୁ । ଶାପ ଅନୁରୂପେ ସେ ଗଙ୍ଗାଙ୍କୁ ବିବାହ କଲେ ଏବଂ

 

-କେତେ ମଧୁଋତୁ ଆସି ବିତିଗଲା, କେତେ ଋତୁ ବର୍ଷାର

ଶାନ୍ତନୁ କିଛି ହେଜା ଲେଖା ନାଇଁ କରୁଥାଇଁ କେଉେଁ ତା’ର୍‌

କାମ ଦେବତାର ଅର୍ଚ୍ଚନା କରି ଶାନ୍ତନୁ ମହାରାଜ୍‌

ଚର୍ଚ୍ଚରୀ ତାଲେଁ ବଳାତେଲ ଗଲେ ହର୍ମିସା ପଖ୍‌ବାଜ୍‌

ଜାନ୍‌ହବୀ ରାଗ୍‌ ବସଁତ-ବାହାର୍‌ ଗାଇ

ତାକର୍‌ ମାର୍‌ ଗେଁ କରିଯାଉଥିଲେ ବସୁ ମନକର କାଜ୍‌

(୧ମ ଭାଗ-ପୃ.୧୪)

 

ସାଂଗୀତିକ ରୀତିରେ ଲେଖକ ଶାନ୍ତନୁଙ୍କର ଜୀବନଶୈଳୀର ବର୍ଣ୍ଣନା କରିଛନ୍ତି । ଏହି ଆତ୍ମବିଭୋରତା ପ୍ରତିହତ ହୋଇଛି, ଯେତେବେଳେ ସାତବର୍ଷରେ ଜନ୍ମିତ ସାତଟି ସନ୍ତାନଙ୍କୁ ଗଙ୍ଗା ନିଜର ଜଳରେ କ୍ରମାଗତ ଭାବରେ ବିସର୍ଜନ କରିଦେଲେ । ଶାନ୍ତନୁ ବିଚଳିତ ହୋଇଗଲେ, କାରଣ-

 

ଗୁଟେଭିଲ୍‌ ପୁଓ କେଭେଁ ବୁଟ୍‌ବୁଟ୍‌ ପକେଇ ପକେଇ ପାହା

ଧୁରୁଁ ଧାଇଁ ଆସି ଗତ୍‌ରେଁ ଝଁପେଇ ନାଇଁ ହେଇକେଭେଁ ଆହା ।

(୧ମ ଭାଗ-ପୃ. ୧୫)

 

ଶାନ୍ତନୁ ମନେମନେ ନିଶ୍ଚୟ କଲେ ଯେ, ସେ ଏଥର ଜନ୍ମିତ ପୁତ୍ରକୁ କୌଣସି ପ୍ରକାରେ ମାରିବାକୁ ଦେବେ ନାହିଁ-

 

ଛୁଆ ମାରି ମାହାରାନୀକେ ଝାଡ଼୍‌ବେ ଘୁଡ଼୍‌କାନ୍‌ ସାଫ୍‌ସା

ବଂଦ୍‌ କରାବେ ଛୁଆ ମାର୍‌ବାର୍‌ ଦାରୁଣ୍‌-ମହାନ୍‌ ପାପ ।

(୧ମ ଭାଗ-ପୃ.୧୫)

 

ଏନ୍ତୁଡ଼ିଶାଳରେ ପ୍ରବେଶ କରି ମହାରାଜ ଶାନ୍ତନୁ ନିଜର ମର୍ମବ୍ୟଥା ପ୍ରକାଶ କରିଛନ୍ତି-‘‘ଆରେ ପୁଓଖାଇ । କିଏ ଆରତୁଃ ଉତ୍ତରରେ ଗଙ୍ଗା ସମସ୍ତ ପୂର୍ବାପର ତଥ୍ୟ ଶୁଣାଇଛନ୍ତି-। ଋଷିଙ୍କର ଆଶ୍ରମରୁ କଥାବିସ୍ତାର କରାଯାଇଛି । ଆପ୍‌ ଅର୍ଥ ଜଳର ଦେବତା ଗୃହରେ ଜନ୍ମ ନେଇଥିବା ଆପବ ଅର୍ଥ ବଶିଷ୍ଠ ମେରୁ ପର୍ବତରେ ଆଶ୍ରମ କରିଥଲେ । ଯେଉଁ ଆଶ୍ରମ-‘‘ଚାର୍‌ହି ଦିଗ୍‌ ଖାଲି ଖମନ୍ ଡଂଗର୍‌, ଝାରେ ଯାଇଥାୟ ଭରି,

 

x            x      x      x       x

ଲେଦା ଖବ୍‌ଡାବ କାଁ କରି ? ଫଲ୍‌ ଉଲ୍‌ ମିଛେ ଝୁକାଝୁକା

ବଦ୍‌ବାଦ୍‌ ହିଟି ପଡ଼ୁଥିବା ଯଦି ହେବା ହୁର୍‌ହୁର୍‌ ଧୂକା

ହାତ୍‌-ଲହଁପେନ୍‌ ଅଛେ ଭିଲ୍‌ ଝୁଁପା ଝୁଁପା,

ଆଶ୍ରମ୍‌ବାସୀ ଋଷିମୁନି ଅବା ତପସ୍ଵିନୀ ବି ଯଦି

ଟୁଲିଯିବେ ହେଲେଁ ଘାୟକେଁ ଭର୍‌ତି ଡାଲିଆ

ଛିଟ୍‌ନା, ଟୁପା (୧ମ ଭାଗ, ପୃ.୧୯)

 

ଏହି ଆଶ୍ରମରେ ଅବସ୍ଥାନ କରୁଥିଲା କାମଧେନୁ ନନ୍ଦିନୀ । ଏକଦା ସ୍ଵର୍ଗରେ ବସୁମାନେ ଋଷି ଆଶ୍ରମ ନିକଟସ୍ଥ ଅଞ୍ଚଳରେ ପ୍ରବେଶ କଲେ । ତନ୍ମଧ୍ୟରୁ ‘ଦ୍ୟୋ’ ନାମକ ବସୁର ସୁନ୍ଦରୀ ପତ୍ନୀ ନନ୍ଦିନୀକୁ ଦେଖି ପ୍ରଲୋଭିତ ହୋଇଗଲା ।

 

ନନ୍ଦିନୀର ଧୋବ୍‌ ଖିର୍‌ ଖିର୍‌ ଦିହ୍‌କେ ଚିକନ୍‌ କଲା ମିସ୍‌ମିସ୍‌ ଖୁରା

ଲମ୍ବା ଲେଞ୍ଜର୍‌ ଅଗିଁ ‘ଲମ୍‌ଲହ୍‌’ ରମକଲା ବାଲଝୁରା ।

(୧ମ ଭାଗ-ପୃ, ୨୧)

 

ପତ୍ନୀର ପ୍ରରୋଚନାରେ ଦ୍ୟୋ ନନ୍ଦିନୀକୁ ଅପହରଣ କରିନେଲା ।

-ଇଆଡ଼େ ଆପବ ଋଷି ଠୁଲାଠୁଲି କରି ଝାରେଁ ଫଲଫୁଲା

ଫିରି ଆସିକରି ଦେଖ୍‌ଲେ ତାକର୍‌‌ ଗାୟ ଗୁହାଲଟାଖୁଲା

 

ଋଷିଙ୍କର ଅଭିଶାପକ୍ରମେ ଅଷ୍ଟବସୁ ଜନ୍ମ ହୋଇଥିଲେ । ଅଷ୍ଟମ ପୁତ୍ର ‘ଦ୍ୟୋ’ ହେଲେ ଗଙ୍ଗାଦତ୍ତ, ଭୀଷ୍ମ । ଏହାପରେ ସତ୍ୟବତୀଙ୍କର ଜନ୍ମବୃତ୍ତାନ୍ତ।

 

ଚେଦିବଂଶର ରାଜା ଉପରିଚରଙ୍କର ଅରଣ୍ୟ ଭ୍ରମଣ ଅବସରରେ ଲେଖକ ବସନ୍ତ ବର୍ଣ୍ଣନା କରିଛନ୍ତି- ବସଁତରଜାର୍‌ ଫୁଲର୍‌ ତିହାର୍‌ ଲାଗିଛେ ଇଠାନେ ଆୟଜ୍‌

 

ଦିଶୁଛେ ମସ୍ତ ଝକାଝକ ଝାର୍‌ ରାୟଜ୍‌

ଚଁପା କନିଅର, ପୁନାଗ କେସର କେତ୍‌କି ଅଶୋକଫୁଲ୍‌

ଜେତ୍‌ନି ମହକି କରି କରୁଛନ୍‌ ଦିଶ୍‌ଦିଗ୍‌ ମସ୍‌ଗୁଲ୍‌

(୧ମ ଭାଗ-ପୃ-୩୫)

 

ଘଟଣାକ୍ରମେ ମତ୍ସ୍ୟରୂପିଣୀ ଅଦ୍ରିକା ନାମ୍ନୀ ଅପ୍‌ସରୀ ଉପରିଚରଙ୍କର ଯମଜ ସନ୍ତାନଙ୍କୁ ଗର୍ଭରେ ଧାରଣ କଲା । କୈବର୍ତ୍ତର ଜାଲରେ ଯେତେବେଳେ ‘ଭୁସ୍‌କୀ ପେର୍‌ରୀ ଝୁରି’ ଲାଗିଗଲା, ସେତେବେଳେ ମାଛମଂଜି ସଂଗ୍ରହ ପାଇଁ ସେ ମାଛପେଟରେ ଛୁରୀ ଚଳାଇଲା । ବାହାରିଲେ ପୁଅ ଓ ଝିଅ ଛୁଆ ଦୁଇଜଣ । କୈବର୍ତ୍ତ ବିଚରା ହତବାକ୍‌ ହୋଇଗଲା- ‘ହାକ୍‌ଲା ଗାଆଁର ଲୋକ’ଙ୍କୁ । ଲୋକେ କହିଲେ -ଇଟା କାୟଁ କଥା ? ଫୟସଲା କରୁଁ ଝଟ୍‌ ପଞ୍ଚେତ୍‌ ଡାକ ! କେଉଟ ପାଲୀରେ- ବନିହାଁ କେଉଁଟ ଘର୍‌ ଛାଡ଼ିକରି ଘର୍‌ ତିନେ ଥିଲେ ମାଲି । ରକ୍ଷାଭେଲା ବାହ୍ମନ ଗୌନ୍ତିଆ ନଥିଲେ-। ସରଳ ଗ୍ରାମବାସୀ ସ୍ଥିର କଲେ- ଗାଆଁର କଚ୍ଛିମ୍‌, କଁକରା, ଝୁରିକି ଚିଂଗ୍‌ରା, ଘୁଲି, କୁଲ୍‌କୁଲା ତକ୍‌ ସେମାନଙ୍କର ଅଧିକାର । କିନ୍ତୁ ଏ ଶିଶୁଦ୍ଵୟଙ୍କ ଉପରେ ରାଜାଙ୍କର କେବଳ ଅଧିକାର । ଅତଏବ ଉଭୟେ ରାଜାଙ୍କ ନିକଟକୁ ଡଲାଭାରରେ ବୁହା ହେଇଗଲେ । ‘ଜାଲୁଆ କେଉଟ ଡୁଆରେ ଗୁରସ୍‌ ଟିକେ ଟିକେ ଦଉଥାୟ ।’ ରାଜା ଉପରିଚର ପୁତ୍ର ସନ୍ତାନଟିକୁ ଗ୍ରହଣ କଲେ । ଭବିଷ୍ୟତରେ ସେ ହେଲେ ମତ୍ସ୍ୟ ନାମକ ନରପତି, କିନ୍ତୁ ମତ୍ସ୍ୟଗନ୍ଧା (ବିସର୍‌ଭକ୍‌) କନ୍ୟାକୁ ଫେରାଇଦେଲେ କାରଣ-

 

କୁହାକୁହା ଗନ୍ଧ୍‌- ଉଆଲା- ସୁଖୁଆ, ସର୍ଗିଢେଁଠିଆଭରା

ଭରିଥିବା ସେନେ, ଜେନେଁ ମାଆଁ ଝୁରି ପେଟେଁ ଚକୁ ହେଲା ମରା ।

ମାଲ୍‌ମାଲ୍‌ ସଲ୍‌ବଲୌଥିବେ ସେଠାଁନେ

ମୃସ୍‌ଟିର୍‌ ଯେତେ ଜାବରଜାତିଆ ଅସ୍‌କଟ୍‌ କିରାମାନେ

(୧ମ ଭାଗ-ପୃ.୪୦)

 

ଏହିପରି ଦୁର୍ଗନ୍ଧମୟ ପରିବେଶରେ ଜନ୍ମିତା ଓ ପାଳିତା କନ୍ୟାକୁ ରାଜା ଉଆସରେ ରଖିବାକୁ ଚାହିଁଲେ ନାହିଁ । କୈବର୍ତ୍ତର ପାଳିତା କନ୍ୟା ସତ୍ୟବତୀକୁ ଲୋକେ ଦୁର୍ଗନ୍ଧହେତୁ ମତ୍ସ୍ୟଗନ୍ଧା ନାମରେ ଜାଣିଲେ । କୈବର୍ତ୍ତ ପିତାଙ୍କର ‘କୁଶ୍‌ଲୀ’ ଡଙ୍ଗା ବାହୁଥିବା କୁମାରୀ କନ୍ୟା ସତ୍ୟବତୀଙ୍କ ଡଙ୍ଗାରେ ଏକଦା ଋଷି ପରାଶର୍‌ ପାରିହେବା ନିମନ୍ତେ ଆରୋହଣ କଲେ । ପୂର୍ବରୁ କେତେ ଅନାର୍ଯ୍ୟ ଜାତିର ଧର୍ମ ଆର ସଂସ୍କୃତିର ସାର୍‌ ଆର୍ୟ୍ୟତୀର୍ଥଠାନେଁ ଘାଁଟି ସାନି କରୁଥିଲେ ଏକାକାର । (୧ମ ଭାଗ-ପୃ.୪୩)

 

ମହାଜ୍ଞାନୀ ଋଷିଙ୍କର ମାନବୀୟ ଦୁର୍ବଳତା ହିଁ ଏଠାରେ ଚିତ୍ରିତ ହୋଇଛି । ସତ୍ୟବତୀଙ୍କର କୁମାରୀତ୍ଵ ବିନିମୟରେ ସେ ଦେଇଗଲେ- ‘‘କେଉଁଟ୍‌ପାଲୀର୍‌ ଗଁ ଧରି ଅନ୍ଧକୂପେଁ’’ କୁହୁଥିବା ଆର୍ୟ୍ୟକନ୍ୟା- ସୁମନ୍‌ ସତ୍ୟବତୀ’ଙ୍କୁ ଯୋଜନଗନ୍ଧା, ସୁଶ୍ରୀ ହେବାର ବରଦାନ । ଯେଉଁ ସୁଗନ୍ଧରେ ସମ୍ମୋହିତ ହେଲେ ମହାରାଜ୍‌ ଶାନ୍ତନୁ । ସତ୍ୟବତୀ ହୋଇଗଲେ ‘‘ବିଶାଲ ଭାରତବର୍ଷର ଶିରିମତୀ ମହାରାନୀ ।’’ ମହାଭାରତ କଥାନକର ଭତ୍ତିସ୍ଥାପିତ ହୋଇଗଲ। । ଶାନ୍ତନୁଙ୍କର ମୃତ୍ୟୁପରେ ଭୀଷ୍ମ ପ୍ରତିଶ୍ରୁତି ଅନୁକ୍ରମେ ସତ୍ୟବତୀଙ୍କର ଜ୍ୟେଷ୍ଠପୁତ୍ର ଚିତ୍ରାଙ୍ଗଦଙ୍କୁ ସିଂହାସନରେ ଅଭିଶିକ୍ତ କଲେ । ଲେଖକଙ୍କର ବିଷୟ ବିନ୍ୟାସରେ ନାଟକୀୟତା ଏଠାରେ ଲକ୍ଷ୍ୟ କରାଯାଇପାରେ, ଚିତ୍ରାଙ୍ଗଦା ଥିଲେ ଅତ୍ୟନ୍ତ ଆତ୍ମଗର୍ବୀ । ସେ ଭାବୁଥିଲେ-

 

‘ବାକୀ ସଭେ କ୍ଷେତ୍‌ ବାହଲ୍‌ର ଢେଲ୍‌ ଏକ୍‌ଲା ସେ କୋହିନୂର୍‌ ।’

 

ତାଙ୍କର ଔଦ୍ଧତ୍ୟକୁ ପ୍ରତିହତ କରିବା ନିମନ୍ତେ ଉପସ୍ଥିତ ହେଲା ସ୍ଵର୍ଗର ଚିତ୍ରାଙ୍ଗଦା ନାମଧାରୀ ଗନ୍ଧର୍ବ । ଉଭୟଙ୍କର ତିନିବର୍ଷବ୍ୟାପୀ ସଂଗ୍ରାମରେ -

 

କୁରୁକ୍ଷେତରର୍‌ ସମାନ୍‌ ଜମିନ୍‌ ହେଇଗଲା ଗାଡ଼୍‌ଖାଲ୍‌

କେନେ ଫାଟିକରି ହେଇଗଲା ଫାଲ୍‌ଫାଲ୍‌

ଲଢ଼ୁଥାନ୍‌ ଦୁହି ମାଲ୍‌, କୁରୁକ୍ଷେତର୍‌ର ଥଲ୍‌

ନୀଲ୍‌ସରସ୍‌ତୀ ଜଲ୍‌,

ଦୁହିକର୍‌ ସେନାବାହିନୀ ରକ୍‌ତେ ଦିଶ୍‌ଲା ଅୟସୋଲାଲ୍‌

(୧ମ ଭାଗ-ପୃ. ୬୩)

 

ଚିତ୍ରାଙ୍ଗଦଙ୍କର ମୃତ୍ୟୁପରେ ବାଳକ ବିଚିତ୍ରବୀର୍ଯ୍ୟଙ୍କୁ ଭୀଷ୍ମ ଅଭିଶିକ୍ତ କଲେ । କାଶୀରାଜଙ୍କ କନ୍ୟାଙ୍କର ସ୍ଵୟଂବର ସଭାରେ ଭୀଷ୍ମ କନିଷ୍ଠ ଭ୍ରାତାଙ୍କ ନିମନ୍ତେ କନ୍ୟା ଅନ୍ଵେଷଣ ନିମନ୍ତେ ଯେତେବେଳେ ଉପସ୍ଥିତ ହେଲେ, ଉପସ୍ଥିତ ଯୁବକ ରାଜନ୍ୟ ବର୍ଗ କୁହାକୁହି ହେଲେ-

 

‘‘ଦେଖ୍‌ ହୋ କନିଆଁ ନୁରୁଛନ୍‌ ବିହା ହେବାକେ ଭୀଷ୍ମ ଅଜା

ଦର୍‌ବୁଢ଼ାବେକେଁ ବର୍‌ମାଲା କିଏ ପକାବାଦେଖ୍‌ମା ମଜା ।

(୧ମ ଭାଗ-ପୃ.୬୫)

 

ଭୀଷ୍ମ ପ୍ରତି ଆହ୍ୱାନ ଦେଲେ-

 

ଲଡ଼୍‌ବାର ଜଦି ଦମ୍‌ ଅଛେ,

ସଭେ ଠୋଲ୍‌ ହେଇ ଲଗଜୋର୍‌

ରାସ୍ତା ଅଟକ୍‌ ମୋର ।

(୧ମ ଭାଗ-ପୃ. ୬୬)

 

ସମସ୍ତଙ୍କୁ ପରାହତ କରି ତିନିକନ୍ୟାଙ୍କୁ ଭୀଷ୍ମ ସଙ୍ଗରେ ନେଇଗଲେ, କିନ୍ତୁ ଅମ୍ବା କନ୍ୟା ଶାଲ୍ଵଂକୁ ପୂର୍ବରୁ ବରଣ କରିଥିବା ଜାଣି -ଶାଲ୍ଵର ନିକେ ବଟାଲେ ନନୀକେ × × × ।

 

ବିଚିତ୍ରବୀର୍ଯ୍ୟଙ୍କର ଦେହାନ୍ତ ପରେ ସତ୍ୟବତୀ ବଧୂ ଅମ୍ବିକାଙ୍କ ନିକଟକୁ ବ୍ୟାସଋଷିଙ୍କୁ ଯେତେବେଳେ ପଠାଇଛନ୍ତି-

 

- ମୁଁତୋ ମୁଡ଼ାମୁଡ଼ି ପିଁଗଲ୍‌ ରଁଗର୍‌ ଜଟ୍‌

ମୁହେଁ ମେଛା ଡାଢି ଲମ୍‌ଲମ୍‌ ଅସ୍‌କଟ୍‌

ଢେଲାଢେଲା ଆଁୟଖ, ହୁଁଡ଼ାର୍‌ ଡିମା ଲେଖେଁ ମାଲ୍‌କୁଛେ ରାତିଁ

ଉତ୍ତକଟ୍‌ ଦିହ୍‌ - ଦୁର୍‌ଗଁଧି ନାକେଁ ବାଜ୍‌ଲେ ଲାଗ୍‌ବା ବାଁତି ।

(୧ମ ଭାଗ-ପୃ. ୭୭)

 

ପାଣ୍ଠୁଙ୍କର ଦିଗ୍‌ବିଜୟ କାଳରେ ମୂଳ ଘଟଣାର ସାଦୃଶ୍ୟ ରକ୍ଷିତ ହୋଇଥିବା ସତ୍ତ୍ୱେ ପାଣ୍ଡୁ କେବଳ ଗୁରୁଜନଙ୍କୁ ପ୍ରଣାମ କରି ପ୍ରସ୍ଥାନ କରିବାର ଦୃଶ୍ୟକୁ କବି ଅଧିକ ବର୍ଦ୍ଧିତ କରିବାର ଆଗ୍ରହ ସମ୍ୱରଣ କରିପାରି ନାହାନ୍ତି । ମାସକର ବ୍ୟବଧାନରେ ବିବାହ କରିଥିବା ଦୁଇ ନବପରିଣୀତା ପତ୍ନୀ କୁନ୍ତୀ ଓ ମାଦ୍ରୀଙ୍କଠାରୁ ବିଦାୟ ନ ନେଇ ପଣ୍ଡୁ ଯାଇପାରି ନାହାନ୍ତି । ଉଭୟ ପତ୍ନୀଙ୍କୁ ସାକ୍ଷାତ କରି ଶିଘ୍ର ପ୍ରତ୍ୟାବର୍ତ୍ତନର ପ୍ରତିଶ୍ରୁତି ଦେଇ ଦିଗ୍‌ବିଜୟ ଯାତ୍ରା କରିଛନ୍ତି । ପରାଜିତ ପ୍ରତିସ୍ପର୍ଦ୍ଧୀମାନଙ୍କର ପ୍ରତିକ୍ରିୟା ପ୍ରସଙ୍ଗରେ ଲେଖକ ଲେଖିଛନ୍ତି-

 

- କିଏ ଦଉଥାୟ ଘରଘର ହାଥୀ, କିଏ କୋର୍‌କୋର୍‌ ଓଟ୍‌

କିଏ ଗାୟ ଛେଲ୍‌ ମେଲ୍‌ଛା ଗର୍‌ରାମେଢ଼ୀ ଭଏଁ ସର୍‌ ଗୋଠ୍‌

କିଏ ଆନିଦିଏ ସିନ୍ଧୁ ଦେଶର୍‌ ଘୁଡ଼ା

କିଏ ଗୋଲ୍‌ ଗୋଲ୍‌ ଅୟସୋ ନିରୋଲ୍‌ ବଢ଼େବଢେ ସୁନାମୁଡ଼ା

×      ×      ×      ×      ×

କୋହିନୂର ବାଗି ବଢ଼ିଆ କିସମ୍‌ ହୀରା

ଦେଖି ବଡ଼ାତାର୍‌ ତାରିଫ୍‌ କଲେ ସେ ପାର୍‌ଖୀ ପାଣ୍ଡୁବୀରା

ବୟଲେ, ‘‘କେନ୍‌ନେ ମିଲ୍‌ସି ଏନ୍‌ତା ଅୟେନ୍‌ ଜାତିର ମାଲ୍‌ ?’’

ସୁନ୍‌ଲେ, ‘‘କୋଶଲ୍‌ ସମଲ୍‌ପୁର୍‌ନେଁ ଜନ୍‌ମିସି ବଡ଼ା ତାଲ୍‌ ।’’

(୧ମ ଭାଗ-ପୃ. ୧୨୩)

 

ଦିଗ୍‌ବିଜୟୀ ବୀର ପାଣ୍ଡୁଙ୍କର ହସ୍ତିନା ପ୍ରତ୍ୟାବର୍ତ୍ତନର ଦୃଶ୍ୟ ପ୍ରସଙ୍ଗରେ ସେ ଲେଖିଛନ୍ତି -

 

ଭୀଷ୍ମ ସମେତ ସିଆନ୍‌ ଜୁଆନ୍ ସଭେ ଆହାଲାଦ୍‌ ହେଇ

ପାଣ୍ଡୁର କଲେ ପର୍ଘାନି ଢୋଲ ମୁହୁରୀ ନିସାନ୍‌ ନେଇ

ଠାଟ୍‌ କରି ବାଟ୍‌ ବରନ୍‌ କର୍‌ଲେ × × ×

ଗାଲ୍‌ ସେଁକା କରି ବଁଦାଲେ ମଖାଲେ ପ୍ରେମ୍‌ ସେନୋସନ୍‌ମାନ୍‌

(୧ମ ଭାଗ-ପୃ. ୧୨୪)

 

କୁନ୍ତୀଙ୍କଠାରୁ ତିନୋଟି ପୁତ୍ରପ୍ରାପ୍ତି ପରେ ମଧ୍ୟ ପଣ୍ଡୁଙ୍କର ଆଉ ଗୋଟିଏ ପୁତ୍ର ନିମନ୍ତେ ଲୋଭ ହେଲା-

 

ଥୁରେ ପାଇଗଲେଁ ମୁନୁଷ୍‌ ଚାହୟ୍‌ସି ଆହୁରି ଆହୁରି ହଉ ।

ଖୁସା ଥିଲେ ନାରୀ ଜେନ୍‌ତା ଚାହ୍‌ୟସି ଉପ୍‌ରେଁ ଚାଉଁରୀ ହଉ ।

ସହେ ହେଲେଁ ହଉ ହଜାରେ, ହଜାରେ ହେଲେଁ ହେମି ଲଖ୍‌ପତି

ଲଖ୍‌ପତି ହେଲେଁ କୋଟିପତି ହେତା ବଲ୍‌ସି ଲୁକର୍‌ ମତି ।

(୧ମ ଭାଗ-ପୃ ୧୪୪)

 

ମାଦ୍ରୀ ମଧ୍ୟ ଗୋଟିଏ ପୁତ୍ରପ୍ରାପ୍ତି ନିମନ୍ତେ ଇଚ୍ଛା ପ୍ରକାଶ କଲେ-

 

-ନିଜେ କହୟତିଁ ଯେ ମୁହୁଁକେ ଲାଗୁଛେ ଲାଜ୍‌

ଯେତେହେଲେଁ ମିଶେ ସଉତେନ୍‌ ପରେ ଜାନୁଛତ

ମହାରାଜ୍‌ (୧ମ ଭାଗ-ପୃ. ୧୪୫)

 

ଯଥା ସମୟରେ ଅଶ୍ଵିନୀକୁମାରଙ୍କୁ ଆବାହନ କରି ମାଦ୍ରୀ କହିଲେ- ‘ଯେତେ ଜାହା ହେଲେଁ ଘଲେ ତ କୁନ୍ତୀ ସଉତେନ୍‌ ଆନ୍‌ ମୋର’ । ସେହିପରି ଗାନ୍ଧାରୀ ବ୍ୟାସଙ୍କ ନିକଟରେ ଅଭିଯୋଗ କଲେ ଯେ, ‘ମାଉଁସ୍‌ ମୁଡ଼ାଟେ × × × ପିଚ୍‌କି ପଡ଼ିଲା ।’

 

ବ୍ୟାସ ଉତ୍ତର ଦେଲେ-

 

ପଖନ୍‌ ମିତାନ୍‌ ଠଡ୍‌କୋ ଟାଁକୋର୍‌ ବେଁଉତ୍‌ ଜତନ୍‌ କଲେଁ

ଗଛ୍‌ ହେସି ଆର୍‌ ଫଲ୍‌ ପଛେ ଦେସି ଅନେକ ବଛରଗଲେଁ

(୧ମ ଭାଗ-ପୃ.୧୪୮)

 

ପାଣ୍ଡୁଙ୍କର ମୃତ୍ୟୁପରେ ବ୍ୟାସଋଷି ସତ୍ୟବତୀଙ୍କୁ ‘ଶଙ୍ଖଲି’ (ପ୍ରବୋଧନା ଦେବାକୁ ଆସିବା ପଶ୍ଚିମ ଓଡ଼ିଶାର ଏକ ପ୍ରଚଳିତ ବିଧି) ଆସିଲେ ଏବଂ କହିଲେ, ମା’ ସମୟ ଭଲ ନାହିଁ । ରାଜମହଲର ସୁଖ ତ୍ୟାଗ କରି ତପୋବନରେ ଯୋଗର ଆଶ୍ରୟ ନିଅ ।

 

-ଠକା କହୁଛୁରେ ବୁଆ ବଲିକରିଁ ଉଠ୍‌ଲେ ସତ୍ୟବତୀ

ବଡ଼୍‌ଖା ବହକେ ବୟ୍‌ଲେ, ଆଉର୍‌ ନାଇଁ ହୟ୍‌ ଭଲ୍‌ ଗତି ।

(୧ମ ଭାଗ-ପୃ. ୧୬୫)

 

ପାଣ୍ଡବମାନଙ୍କର ବାଲ୍ୟଜୀବନ ବର୍ଣ୍ଣନାକ୍ରମେ ଲେଖକ ଡଃ ପାଣିଗ୍ରାହୀ ଭୀମର ବିଷଲଡ଼ୁ ଭକ୍ଷଣ ପ୍ରସଙ୍ଗରେ ଲେଖିଛନ୍ତି-

 

ଆସ ଗୁଟେଠାନେ ଗଙ୍ଗାରପାନି ଖେଲ୍‌ମାକର୍‌ମାମଜା ।

ରଁଧା ହେଇଥିବା ଖାୟମା ପଲଉ ଛଅତୁନ୍‌ ନଅ ଭଜା

କରା ହେଇଥିବା ରାବ୍‌ଡ଼ି, ସର୍‌ସତିଆ

ବଢ଼ିଆ କାକ୍‌ରା, ରସ୍‌ବରା, ମଡ଼ା, ଚାର୍‌ବିଜାପୁର୍‌ଦିଆ ।

(୧ମ ଭାଗ-ପୃ.୧୬୮)

 

ଉଲ୍ଲେଖଯୋଗ୍ୟ ଯେ, ସର୍‌ସତିଆ ଏକ ପ୍ରକାର ଆରଣ୍ୟକ ବୃକ୍ଷର ଡାଂଗ ବତୁରାଇ ଚାଉଳଚୁନା ମିଶ୍ରଣରେ ସ୍ଵତନ୍ତ୍ର ଭାବରେ କେବଳ ସମ୍ବଲପୁର ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ପିଷ୍ଟକ ବିଶେଷ । ସେହିପରି ଚାରମଂଜିପୁର ଦିଆଯାଇ ମଣ୍ଡାପିଠା ଏ ଅଞ୍ଚଳରେ ତିଆରି କରାଯାଉଥିଲା । ଖାଦ୍ୟରେ ଦୁର୍ଯ୍ୟୋଧନ ଦ୍ଵାରା ମିଶ୍ରିତ ବିଷର ପ୍ରଭାବରେ ଭୀମ ଭାସିଭାସି ନାଗଲୋକରେ ପହଞ୍ଚିଲେ । ସେଠାରେ ବାସୁକୀ, ଆର୍ଯ୍ୟକ ଆଦି ନାଗମାନଙ୍କ ସହ ପରିଚୟ ପରେ ଆଠଟି କୁଣ୍ଡରେ ପରିବେଷିତ ‘ହଜାରେ ହାଥୀର ବଲ୍‌’ର କ୍ଷମତା ସମ୍ପନ୍ନ ସ୍ଵତନ୍ତ୍ର ରସପାନ କରି, ‘‘ଭୀମ ଭଡ଼ୋଭଡ଼ୋ ଆୟ୍‌ଲେ ଘର୍‌କେ ।’’ ସବୁକଥା ଶୁଣି ଯୁଧିଷ୍ଠିର କହିଲେ, ‘ଲବାର ଦିର୍ଜୋ ଯାହା କଲା’’ ତାହା ବର୍ତ୍ତମାନ ବାହାରଲୋକଙ୍କ ନିକଟରେ ପ୍ରକାଶ କରନାହିଁ । ବିଦୁର ମଧ୍ୟ କହିଲେ, ‘ଦିର୍ଜେ କେ କିଛି ନାଇଁ କହ । ପାଣ୍ଡବମାନେ କ୍ରୋଧ ଦମନ କରି ରହିଲେ । ଧୃତରାଷ୍ଟ୍ର ବୁଝିଲେ, ‘‘ପୁଏ ଉଦୁର୍ଚ୍ଛା ହଉଛନ୍‌ ।’’ ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା କଲେ । ଏକଦା କୁରୁପାଣ୍ଡବ ଶିଷ୍ୟଗଣ ଗୁରୁଙ୍କର ଅନୁମତି କ୍ରମେ ଅରଣ୍ୟରେ ଭ୍ରମଣ କରୁଥିବା ସମୟରେ ତାଙ୍କର ଶିକାରୀ କୁକୁର ଏକଲବ୍ୟକୁ ଦେଖିଲା -

 

କଲିଆଗତ୍‌ର କଲିଆ ମିରିଗ୍‌ଛଲେଁ ହେଇଥାୟ ଛାଇ

ଲହ ଲେଖେଁ ଜଟ୍‌ ଲମିଥାଏ ମୁଁଣୁଁ ତା’ର

ଦେଖି, ହିରକ୍‌କି ସେ କୁକୁର୍‌ ଭୁକ୍‌ଲା ।

(୧ମ ଭାଗ-ପୃ.୧୯୦)

 

ନିଷାଦରାଜ ହରିଣ୍ୟଧନୁର ପୁତ୍ର ଏକଲବ୍ୟ ଗୁରୁଦ୍ରୋଣଙ୍କୁ ପରବର୍ତ୍ତୀ ଘଟଣାକ୍ରମରେ ପ୍ରଶ୍ନ କଲା,

 

କାଏଁ ଦକ୍ଷିଣା ଦେମି ମୁଇଁ ମାହାପୁରୁ ?

ଦ୍ରୋଣ ଉତ୍ତର ଦେଲେ-‘‘ଭୁଜ୍‌ନୀ ହାତର୍‌ ମୂଳା ଆଁଗୁଠ୍‌ ।’’

××× ଚୋକ୍‌ ଅସ୍‌ତର ଧରି

ଭୁଜନିର ମୂଲା ଆଁଗୁଠ୍‌ ଗୁଟକ୍‌

ଛେଦିଦେଲା ଛକ୍‌ କରି

(୧ମ ଭାଗ-ପୃ- ୧୯୩)

 

ସତ୍ୟରକ୍ଷା କରି ଏକଲବ୍ୟ ଆନନ୍ଦିତ ହେଲା । ଗୁରୁ ମନେମନେ ଆନନ୍ଦ ଲାଭ କଲେ । ସମସ୍ପର୍ଦ୍ଧୀ ବୀର ଆଉ ନାହାନ୍ତି ବୋଲି ଅର୍ଜୁନ ମଧ୍ୟ ନିଶ୍ଚିନ୍ତ ହୋଇଗଲେ ।

 

ଅସ୍ତ୍ରବିଦ୍ୟା ଶିକ୍ଷା ସମାପ୍ତି ପରେ ଶିଷ୍ୟମାନଙ୍କର ପାରଦର୍ଶିତା ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତିପର୍ବ ଆରମ୍ଭ ଏ ହୋଇଗଲା । ଉପଯୁକ୍ତ ସ୍ଥାନ ଚୟନ ନିମନ୍ତେ-

 

ରାଜ ସଂମତି ପାଇ ଗୁରୁ ଆଉ ବିଦୁର ବାହାରିଗଲେ

ରାଜଧାନୀ ପାଶେଁ ସଜ୍‌ରିଆ ଜାଗା ଖୁଜି ଢୁଁଡି ଥାବ୍‌କଲେ

ବର୍‌ଗିଲେ ଗୁତି ଭୁତିଆର୍‌ ରେଜା କୁଲି

କଟାଲେ ଚୁଁଦାଲେ ସେ ଜାଗାର୍‌ ଜେତେ ବୁଦାଖୁଁଟା ବୁଲିବୁଲି

ଧଂଗ୍‌ରେ ଟାଂଗର୍‌ ପଖନ୍‌ ଜଗ୍‌ଡ଼ା ସବ୍‌ ଦେଲେ ଚତ୍‌ରେଇ ।

ଧାଂଗ୍‌ରେ ଲିପ୍‌ଲେ ପୁର୍‌ପୁର୍‌ ମାଏଟ୍‌ ନିକୋକରି ବତ୍‌ରେଇ

ଭଁଏଷ୍‌ ଖର୍‌ସି ବହଲ୍‌ ବୁଥଲ୍‌ କରିଁ ସର୍‌ଡାଲେ ତଲ୍‌

ସର୍‌କା ମାୟଲେ ରେସ୍‌ମି ଧର୍‌କା ମାୟ୍‌କିନା ଦଲ୍‌ଦଲ୍‌

(୧ମ ଭାଗ-ପୃ. ୧୯୮)

 

ପଶ୍ଚିମ ଓଡ଼ିଶାର ଜନଜୀବନର ବାସ୍ତବଚିତ୍ର ଏଠାରେ ଦୃଶ୍ୟମାନ ହୁଏ । ଅସ୍ତ୍ର ପରୀକ୍ଷା ପରେ ପାଣ୍ଡବଙ୍କର ବୀରତ୍ଵର ପରିଚୟ ପାଇ ଧୃତରାଷ୍ଟ୍ର ଅନ୍ଧ ମନ୍ତ୍ରୀ କଣିକ ସହ ପରାମର୍ଶ କରିଛନ୍ତି-

 

‘‘କାଣା କର୍‌ମି ଇଛନ୍‌ କହ ?

ପାଣ୍ଡୁର୍‌ ପୁଓ ମାନ୍‌କର୍‌ ସଂଗେ ସନ୍ଧି କି ବିଗ୍ରହ ?

 

କଣିକର ପରାମର୍ଶ କ୍ରମେ ଆରମ୍ଭ ହୋଇଯାଇଛି ପାଣ୍ଡବମାରଣ ନୀତି । ‘ମାହାଭାରତ କଥା - ଦୁସ୍‌ରା ଭାଗ୍‌’କୁ ଲେଖକ ଜଉଘର ଉପପର୍ବ ଭାବରେ ବର୍ଣ୍ଣନା କରିଛନ୍ତି । ବାରୁଣାବନ୍ତ ପ୍ରେରଣ ଓ ଜତୁଗୃହ ଦାହର ମନ୍ତ୍ରଣାରୁ ଏହାର କଥାରମ୍ଭ ହୋଇଛି । ଆଦିପର୍ବର ୧୩୮ ତମ ଅଧ୍ୟାୟରୁ ୨୦୧ ଅଧ୍ୟାୟ ପର୍ଯ୍ୟନ୍ତ ବ୍ୟାସକୃତ ମହାଭାରତର କଥାବସ୍ତୁ ଏଥିରେ ରହିଛି । ସ୍ଥଳ ବିଶେଷରେ ବିସ୍ମୃତିକରଣ ଅଥବା ସଂକ୍ଷିପ୍ତିକରଣ ସତ୍ତ୍ଵେ କୌଣସି କ୍ଷେତ୍ରରେ ମୂଳ ପ୍ରସଙ୍ଗକୁ ପରିହାର କରିନାହାନ୍ତି ।

 

ଅନ୍ଧ ଧୃତରାଷ୍ଟ୍ରଙ୍କର କର୍ଣ୍ଣରେ ବାରମ୍ୱାର ପ୍ରତିଧ୍ୱନିତ ହୋଇଛି କୂଟନୀତିଜ୍ଞ ମନ୍ତ୍ରୀ କଣିକର ଉକ୍ତି –

 

ତୁମର୍‌ ଶତ୍‌ରୁ କୁଲ୍‌

 

ପାନ୍‌ଡବ ବଢ଼େ ବୀର, ବରକସ୍‌ ଆର୍‌ ବଢ଼େ ମସ୍‌କୁଲ୍‌ । ଦୁର୍ଯ୍ୟୋଧନ ମଧ୍ୟ ପିତାଙ୍କୁ ସମ୍ୱୋଧନ କରି କହିଛି-

- ବୁଆ, କୁନ୍ତୀର ପୁଓକୁଁ କୁନ୍ତି ସଂଗେ

×            ×            ×

ବାରଣାବତ୍‌ କେ ପାଠାବାର୍‌ ବାଟ୍‌କର

 

ବାରୁଣାବନ୍ତର ମୁଖ୍ୟ ଆକର୍ଷଣ ଷଷ୍ଠୀ ଜାତରା । ସମସ୍ତଙ୍କର ଧାରଣା ଯେ- ‘ହେଡ଼ ଠାଟ୍‌ ପଟୁଆର୍‌ ଜାତ୍‌ରା’ ଦୁନିଆଁର ଅନ୍ୟତ୍ର ନାହିଁ । ପାଣ୍ଡବମାନେ ମଧ୍ୟ ଷଷ୍ଠୀଯାତ୍ରା ଦେଖିବାକୁ ବ୍ୟାକୁଳ ହେଲେ / ଅବସର ସୁଯୋଗ ନେଲେ ଧୃତରାଷ୍ଟ୍ର-

 

କେନ୍‌ତା ହାଲ୍‌ଚାଲ୍‌ ବୁଆମାନେ ?

ସିତଲ୍‌ସମ୍‌ଠି ଜାତ୍‌ରାର କଥା ପଡ଼ିଛେ କି ନେଇଁ କାନେଁ ?

ବାର୍‌ନାବତ୍‌ଟା ବଢ଼େ ନାଇଁ ବଢ଼େ ପୁଇନ୍‌ ତୀରଥ ଆୟ୍‌

ସେଠାନର୍‌ ଶିବ୍‌ ଜାତ୍‌ରା ଏ ଶୁର ଜମ୍‌କୁଛେ ବଢ଼େ ଘାୟ

କୁଟୁମ୍‌ ବସିଆ ଯିବ ହେଲେଁ ଘାଏଜ’

(୨ୟ ଭାଗ-ପୃ. ୯)

 

ବାରୁଣାବନ୍ତରେ ଜତୁଗୃହ ଦହନକାରକ ବସ୍ତୁରେ ନିର୍ମିତ ହୋଇଥିବା ପାଣ୍ଡବମାନେ ଜାଣିପାରିଥିଲେ,

 

-ଘିଉ ଜଉ ଆଉ ବସାର୍‌ କହର୍‌ ମିଲୁଛେ ଇଘର୍‌ କାଁଥେ

ହେଇଛେ ତିଆର୍‌ ବଡ଼ା ହୁସିଆର୍‌ ସିଆନ୍‌ ମିସ୍‌ତ୍ରି ହାଥେଁ

ଛନ୍‌ପଟ୍‌, ଶୁଖା ବାଉଁଶ୍‌, ସର୍‌ଗିଲସା

ଘିଉ, ତେଲ ଆର୍‌ ବସା

(୨ୟ ଭାଗ-ପୃ. ୧୩)

 

ଯଥା ସମୟରେ ପାଣ୍ଡବଗଣ ଏବଂ କୁନ୍ତୀ ସୁଡ଼ଙ୍ଗ ପଥରେ ଜତୁଗୃହରୁ ବାହାରି ଗଭୀର ଅରଣ୍ୟରେ ପ୍ରବେଶ କଲେ, ହିଡ଼ିମ୍ବ ରାକ୍ଷସକୁ ବଧ କରି ଭୀମ ହିଡ଼ିମ୍ବୀକ ପତ୍ନୀରୂପେ ଗ୍ରହଣ କଲେ-। ହିଡ଼ିମ୍ବା ସହିତ ଭୀମ ମଧୁଚନ୍ଦ୍ରିକା ଯାପନ ଅବସରରେ ପହଞ୍ଚି ଥିଲେ କୋଶଲ୍‌ ଦେଶର୍‌ ହୀରାକୁଦ୍‌ରେ, ଯେଉଁଠାରେ ଆଦିବାସୀମାନେ ହୁଦାହୁଦା (ଦଳଦଳ) ହୋଇ ଉଭୟଙ୍କର ସ୍ଵାଗତ ସତ୍କାର କଲେ । କୁନୁଆଁ ଚର୍‌ଚା କଲେ, ଅଏଁନ ଚମକ୍‌ଦାର ହୀରାଖଣ୍ଡମାନ ଉପହାର ଦେଲେ । ସେଠାରୁ ଭୀମଖୋଜ୍‌ ବାଟେ ସୋନପୁର ଗଲେ । ସୋନପୁର ବା ସୁବର୍ଣ୍ଣପୁରରେ ଖାଁଟି ସୁନା ଉପହାର ପାଇ ଆଭୂଷଣପ୍ରିୟା ହିଡ଼ିମ୍ବା ଯେଉଁ ଅଳଙ୍କାରମାନ ଗଢ଼ାଇଲା, ତାହା ପଶ୍ଚିମ ଓଡ଼ିଶାର ନାରୀମାନଙ୍କର ପାରମ୍ପରିକ ଆଭୂଷଣ-

 

ଉସାର୍‌ ଗୁନ୍‌ଚି, ହାତର୍‌ ବତର୍‌ କତ୍‌ରିଆ କନ୍ଦରିଆ

ଟାଡ଼ ବାହାସୂତା ଚୁଡ଼ି ମୁଦି ସବ୍ ହୀରାବସା ସଜ୍‌ରିଆ

ନଥ ଫୁଲିଗୁନା, ପୁଟ୍‌କି, କରନ୍‌ଫୁଲ୍‌

ଗଁଠିଆ ସିକ୍‌ଲା, ବେଁଟଲା, ଝଲ୍‌କା ଦୁଲ୍‌

ଖୁସା ଲାଗିଁ ହୀରା ବସାଲା ଚାଉଁରୀମୁଡ଼ି ଆର୍‌ପାହାକାଜେ

ପଂଜନା, ପଏଁରୀ × × ×

(୨ୟ ଭାଗ-ପୃ. ୩୮)

 

ଭୀମ ବୁଝିଗଲେ, ସୁନାହୀରା ଆଦି ଆଭୂଷଣର ମୋହରେ ହିଡ଼ିମ୍ବା ତାଙ୍କୁ ଏତେଦୂର ନେଇ ଆସିଛି । ବ୍ୟାସକୃତ ମହାଭାରତରେ ଭୀମ- ହିଡ଼ିମ୍ବାର ଭ୍ରମଣ ପ୍ରସଙ୍ଗ ଏହିପରି -

 

ତଥୈବ ବନଦୁର୍ଗେଷୁ ପର୍ବତ ଦ୍ରୁମ ସାନୁଷୁ

ସରସ୍ତୁ ରମଣୀୟେଷୁ ପଦ୍ମୋତ୍ପଳ ବନେଷୁ ଚ

×      ×      ×      ×

କେଦାରଣ୍ୟେଷୁ ପୁଣ୍ୟେଷୁ ତାପସାୟତନେଷୁ ଚ

ଗୁହ୍ୟକାନା ନିବାସେଷୁ କୁଳପର୍ବତ ସାନୁଷୁ ।

(ଆଦିପର୍ବ-୧୫୨ ଅଧ୍ୟାୟ-୨୩/୨୫ ଶ୍ଳୋକ)

 

ପାଣିଗ୍ରାହୀ ମହାଶୟ ଲେଖିଛନ୍ତି-

 

-କେତେଘନ ଘାଇ ଖମ୍‌ନେ ଲୁକିଛେ ମୁନିଋଷି ଆଶ୍‌ରମ୍‌

ତୁନ୍‌ତାନ୍‌ ଠାନ୍‌ ଅଛନ୍‌ ଗୁମ୍‌ନୁ ମୁନି ରଖି ସଂଯମ

କେନେ ଅଛେ ଦିଗ୍‌ବଳୟ ଘେର୍‌ଲା ସୁବିଶାଲ ସରୋବର୍‌

ହଜାର୍‌ ହଜାର୍‌ ପାୟନ୍‌ ଚରିଚରେ ରହିଛନ୍‌ ଦିନ୍‌ଭର୍‌

(୨ୟଭାଗ-ପୃ. ୩୯)

 

ଭୀମ ଓ ହିଡ଼ିମ୍ବାର ପୁତ୍ର ଘଟୋତ୍କଚର ରୂପ ବର୍ଣ୍ଣନା କରି ଗ୍ରନ୍ଥକାର ଲେଖିଛନ୍ତି –

 

କୁଲାକୁଲା କାନ୍‌ ଲୁହୁରାଧୁକ୍‌ନା ଲେଖେଁନାକ୍‌ ଥିଲା ତା’ର୍‌

ରଫା ଲେଖେଁ ତା’ର୍‌ ମୁହଁର୍‌ ଆଘାର ଦାଁତ୍‌

ହାଥୀ ଥୁର୍‌ପାଲ୍‌ ଜିତିଲମ୍‌ରୋଟ୍‌ ହାଥ୍‌

ଦୁଇପୁରିଠାଟ୍‌, ଡେଂଗ୍‌ ଡହରୋ- ସେ ବହଂଗର୍‌ ବଲ୍‌ବାନ୍‌

(୨ୟ ଭାଗ-ପୃ. ୪୦)

 

ଘଟଣାକ୍ରମେ ଏକଚକ୍ରା ନଗରୀରେ ପାଣ୍ଡବଗଣ ପ୍ରବେଶ କରିଛନ୍ତି । ଗୃହକର୍ତ୍ତା ବ୍ରାହ୍ମଣ ବକାସୁରର ଭୋଜ୍ୟହେବା ପାଇଁ ପାଳିଥିବା ହେତୁ ସ୍ଵୟଂ ଯିବାକୁ ଚାହୁଁଥିଲେ, କାରଣ ପୁଅ ଝିଅ, ସ୍ତ୍ରୀ ଯାହାକୁ ମଧ୍ୟ ପରିତ୍ୟାଗ କଲେ ନିଷ୍ଠୁରତା ହେବ । ବ୍ରାହ୍ମଣଙ୍କର ପତ୍ନୀ କହିଛନ୍ତି-

 

- ତମ୍‌ହର୍‌ କୁଲର୍‌ ପୂର୍ବାପାତିର୍‌ ସତ୍‌ ଧର୍ମର ବାଟେଁ

ଝିଟାକେ ମୁଇଁ ରାଆଁଡିଟେ ହେଇ ନାଇଁ ନେଇପାରେଁ ଛାଟେଁ

×       ×       ×       ×       ×

ନାଲାୟକ୍‌ ହାଥେଁ ଝି ପଡ଼ିଯିବା ପୁଓନାଲାୟକ୍‌ ହେବା

କେନ୍‌ ଦୁର୍ଜନ୍‌ ଜବ୍‌ରାନ୍‌ ମୋର୍‌ ଇଜତ୍‌ ମହତ୍‌ ନେବା

(୨ୟ ଭାଗ-ପୃ. ୪୮)

 

ଝିଅ କହୁଛି-

 

ଘରେ ଝି ଥିଲେଁ ଘର୍‌ କରା ଆୟ ବଡ଼ାତାର୍‌ ଫଟ୍‌ଫଟ୍‌

 

ଶିଶୁପୁତ୍ର କହିଛି -

 

ମନୁଷ୍‌ ଖାଉ ତୋର୍‌ ବେଁକ୍‌ ପତରେଁ ପକାମି ହାନି ।

 

କାହାକୁ ଯିବାକୁ ନ ଦେଇ ଭୀମ ଯାଇଛନ୍ତି । ସେଠାରେ- ମସ୍‌କି ମସ୍‌କି ରାକ୍‌ସର୍‌ ଖାୟ୍‌ଦି, ଧରି ବକାସୁରର୍‌ ନାଆଁ

ହାକ୍‌ରା ଛାଡ଼୍‌ଲା- ‘‘ହବୋ ବକ୍‌ ! କେନେ ଲୁକିଛୁ, ଉତୁର୍‌ଆ ।

(୨ୟ ଭାଗ-ପୃ. ୫୫)

 

ପାଞ୍ଚାଳରାଜ ଦ୍ରୁପଦ ଦ୍ରୋଣଙ୍କଠାରୁ ପାଇଥିବା ପରାଭବର ପ୍ରତିଶୋଧ ନେବା ପାଇଁ ଏକ ସୁଯୋଗ୍ୟ ସନ୍ତାନ କାମନା କଲେ । ଏ ପ୍ରସଙ୍ଗରେ ଉପଜାଜ ଓ ଜାଜ ନାମକ ଦୁଇ ବ୍ରାହ୍ମଣ ଭ୍ରାତାଙ୍କର ତପସ୍ଥଳରେ ଉପସ୍ଥିତ ହେଲେ । ଉପଜାଜ ଏହିପରି ପ୍ରତିଶୋଧ ପରାୟଣତାର ସପକ୍ଷତା କଲେ ନାହିଁ । କିନ୍ତୁ ଉପଦେଶ ଦେଲେ, ଜାଜ୍‌ଙ୍କୁ ଆମନ୍ତ୍ରଣ କର । କାରଣ,

 

ନୀଚ୍ଚମନା ମୋର୍‌ ଦଦାର୍‌ ଆଦତ୍‌ ମକେ ଭଲ୍‌ ଭାବେ ଜନା ଜୀଜଙ୍କର ପୋରୋହିତ୍ୟରେ ଯଜ୍ଞ ଆରମ୍ଭ ହେଲା । ଧୃଷ୍ଟଦ୍ୟୁମ୍ନ ତଥା ଦ୍ରୌପଦୀ ଆଦି ଜନ୍ମଗ୍ରହଣ କଲେ । କଥକ ବ୍ରାହ୍ମଣ ସମୟ କ୍ରମେ ଦ୍ରୂପଦଙ୍କର ସ୍ଵୟଂବର ଆୟୋଜନ ପ୍ରସଙ୍ଗ ପାଣ୍ଡବଙ୍କୁ ଶୁଣାଇଲେ-

 

- ବାମ୍‌ହନି । ତୁମର୍‌ ପାଁଚ୍‌ଟା କୁମର ଜୁଆନ୍‌ ସୁଦର୍ଶନ୍‌

କାଏଁ ବଡ଼୍‌ ଧୁର୍‌ କୁଆଁରୀ କୁସଟାଁ ଝନ୍‌ କେ କର୍‌ ବା ମନ୍‌

(୨ୟ ଭାଗ-ପୃ. ୬୫)

 

ପାଣ୍ଡବମାନେ ପାଞ୍ଚାଳ ଯିବାର ନିଷ୍ପତ୍ତି ନେଇଥାନ୍ତି, କିନ୍ତୁ ଏକଚକ୍ରା ଛାଡ଼ିନଥାନ୍ତି । ବ୍ୟାସ ଆସି ଦୁର୍ପତି (ଦ୍ରୌପଦୀ)ଙ୍କର ପୂର୍ବଜନ୍ମର ଘଟଣାକ୍ରମ ଶୁଣାଇଲେ- ଯୋଗ୍ୟପତି ପ୍ରାପ୍ତି- ନିମନ୍ତେ ଦ୍ରୌପଦୀ ପଞ୍ଚମୁଖା ମହେଶ୍ଵରଙ୍କର ଆରାଧନା କରିଥିଲେ । ଭୋଳାନାଥ-

 

‘‘ପାୟବୁ ପାଁଚଟା ଭରତ୍‌ ବଉଁଶୀ ବର୍‌ ।’’ ବୋଲି ବର ଯାଚି ଦେଲେ । ଦ୍ରୌପଦୀ ଆଶ୍ଚର୍ଯ୍ୟ ହେଲେ- ମାଗିଥିଲିଁ ଗୁଟେ ପତି !’ ପଞ୍ଚାନନ ଉତ୍ତର ଦେଲେ, ଯେହେତୁ ବରମାଗିଲାବେଳେ- ‘‘ବର୍‌ ବର୍‌ ହେଲୁ ମୁହେଁ ଯହୁଁ ପାଁଚ ଥର୍‌

 

ନୂଆଁ ଦିଲ୍‌ ତୁଇ ପାୟ୍‌ବୁ ଆଉର୍‌ ହେବେ ତୋର ପାଁଚ ବର୍‌

(୨ୟ ଭାଗ-ପୃ. ୬୮)

 

ପାଞ୍ଚାଳ ଅଭିମୁଖେ ଯାତ୍ରା କାଳରେ ପଥ ମଧ୍ୟରେ ପାଣ୍ଡବଗଣ ଅଙ୍ଗାର ପନ୍ନଗ ଗନ୍ଧର୍ବର ସମ୍ମୁଖୀନ ହେଲେ -

 

- ଚୋର୍ ଚୁହାଡ଼୍‌ କେ ଘୁଡ଼୍‌କିଲା ଲେଖେଁ ଝାଡ୍‌ଲା ମହାନ ତୁଡ଼େଁ

‘‘ଚୁଡ଼୍‌ବକ୍ ଭିଲ୍ । ନାଇଁ ଜାନି ? ଦିନ୍ ସିନ୍ଦ୍‌ରିଆ ବେଲ୍‌ ବୁଡ଼େଁ ।

କେତେ ଛନ୍ ଯାହା ମୁନୁଷର୍‌ ଆୟ୍‌ ବେଲ

ରାତି ଗନ୍ଧର୍ବ, ଜଖ୍‌, ରାଖ୍ୟସ୍‌ମାନେ ଖେଲ୍‌ସନ୍ ଖେଲ୍‌

ତମ୍‌ହେ କେନ୍ ଦମ୍‌ହେ ସମଲ୍‌ ଏନ୍ତା ଅବେଲେଁ

ଗଙ୍ଗାର୍‌ ପାନି-

(୨ୟ ଭାଗ, ପୃ.୬୯)

 

ଅଂଗାର ପନ୍ନଗ ସହ ଯୁଦ୍ଧ ଓ ମିତ୍ରତା ପରେ ଧୌମ୍ୟଙ୍କର ଆଶୀର୍ବାଦ ଗ୍ରହଣ କରି ପାଞ୍ଚାଳରେ ପାଣ୍ଡବଗଣ ପ୍ରବେଶ କଲେ । ଦ୍ରୌପଦୀ ସ୍ଵୟଂବର ସମ୍ୱାଦ ପାଇ ‘ଅକଳନା ନରନାରୀ’ ପାଞ୍ଚାଳ ଆଡ଼େ ଯାତ୍ରା କଲେ । ଦାନାର୍ଥୀ ବ୍ରାହ୍ମଣମାନଙ୍କର ଯାତ୍ରା ପ୍ରସଙ୍ଗରେ ସେ ଲେଖିଛନ୍ତି-

 

ଚାଁଟିଧାର୍‌ ଲମି ଥାୟ୍‌ସି ଜେନ୍‌ତା ପାୟ୍‌ବାର୍‌ ଲାଗିଚିନି

ବାମ୍‌ହନ୍ ସେନ୍‌ତା ଲମିଥାନ୍ ରଜା ଗୁହୁଡ଼ିର୍ ଦାନ୍ ଛିନି

(୨ୟ ଭାଗ-ପୃ.୭୫)

 

ଯେତେବେଳେ ସ୍ଵୟଂବର କାର୍ଯ୍ୟକ୍ରମ ଆରମ୍ଭ ହେଲା, କୃଷ୍ଣ ମୃଦୁହାସ୍ୟ ସହିତ ବଡ଼ଭାଇ ବଳରାମଙ୍କୁ କହିଲେ-

 

‘‘ଦଦା ! ହେ’ ଦେଖ, ବସିଛନ୍‌ ହେନେ ପାଞ୍ଚି ପାଣ୍ଡବଭାୟ

ମାଖିଛନ୍‌ ଖାର୍‌ ଦେଖିଲେଁ ଆକାର୍‌ ଠିକ୍‌ ଚିନ୍‌ହା ନାଇଁ ଜାୟ

କହିଥିଲି ମୁଇଁ ପାଣ୍ଡବ ଜମା ଜଉଘରେ ନାଇଁ ମରି,

ନାଇଁ କରୁଥିଲ ପର୍‌ତେ, ଇହାଦେ ଦେଖ୍‌ଟିକେ ନିକ କରି

(୨ୟ ଭାଗ-ପୃ. ୭୭)

 

ଲାଖବିନ୍ଧା ପର୍ବ ଆରମ୍ଭ ହେଇଗଲା । ରଥୀମାନେ ପାରଦର୍ଶିତା ପ୍ରଦର୍ଶନ କରିବାକୁ ପ୍ରଚେଷ୍ଟା କଲେ । ଜରାସନ୍ଧ ପ୍ରସଙ୍ଗରେ ଲେଖକ ବର୍ଣ୍ଣନା କରିଛନ୍ତି-

 

କିନ୍ତୁ ଟେକ୍‌ଲା ବେଲ୍‌କେ ସେ ଧୁନ୍ ମହାମଲ ଜରାସଁଧ୍‌

ଘିଡ଼୍‌ମୁସ୍‌ ହେଇ ପଡ଼୍‌ଲେ ତାକର୍‌ ରବ୍‌କିଲା ପିଠ୍ ଖଁଧ୍‌

(୨ୟ ଭାଗ-ପୃ.୭୯)

 

‘ହଜାର୍‌ ହଜାର୍‌ ହତାଶ୍‌ ନଜର୍ ସାମ୍‌ନେ ବରନ୍‌ମାଲା୍’ ଯେତେବେଳେ ପାର୍ଥର ଗଳାରେ ଦ୍ରୌପଦୀ ସମର୍ପଣ କଲେ, ପରାଜିତ ରାଜାମାନଙ୍କର ପ୍ରତିକ୍ରିୟା ଲେଖକ ବର୍ଣ୍ଣନା କରିଛନ୍ତି -

 

ଧିକ୍, ପାଂଚାଲ୍‌ ରଜାର୍‌ ଚଲନ୍ × × ×

ମଗ୍‌ନିଆଁ ହିନ୍ ବାମ୍‌ହନ୍ ଝନ୍ କେ

ଦଉଛନ୍‌ ଝି ଦାନ୍ × × ×

ଯଦି ଦୁର୍ପିତି ହାମର୍‌ କାହ୍‌କେ ନାଇଁ କର୍‌ବାର୍‌ ପତି ।

ଜଲ୍‌ତା ଜୁଏଥିଁ ବୁଡ଼୍‌ ବୁଡ଼ି ଦଉଁ, ହଉ ସେ କୁଆଁରି ସତି

(୨ୟ ଭାଗ-ପୃ.୮୩)

 

ଦ୍ରୌପଦୀଙ୍କୁ ବିଧିମତେ ବିବାହ କରି ପାଣ୍ଡବଗଣ ହସ୍ତିନା ପ୍ରତ୍ୟାବର୍ତ୍ତନ କଲେ । ଧୃତରାଷ୍ଟ୍ର, ସେମାନଙ୍କୁ ଖାଣ୍ଡବପ୍ରସ୍ଥ ଦାନ କଲେ । ସ୍ଥାପିତ ହେଲା ଇନ୍ଦ୍ରପ୍ରସ୍ଥ ନଗରୀ । ଅନେକ ବ୍ରାହ୍ମଣ ବ୍ୟବସାୟୀଙ୍କର ସମାଗମ ହେଲା । ବ୍ୟବସାୟୀମାନଙ୍କୁ ଭୀମଙ୍କର ଚେତାବନୀରେ ଲୌକିକତା ସ୍ପଷ୍ଟ-

 

-ସୁନ୍‌ ସାଉ। ।

ବଢ଼େଇ ବସ୍‌ଲେଁ ଜିନିଷ୍‌ ପତର ଭାଉ ।

ନିକ୍‌ରାମି ଇନୁ, ଜର୍‌ବାନା କରି ସବ୍ ଅର୍‌ଜିତ୍ ଧନ୍

ହୁସିଆର୍ । ଇନେ ନାଇଁ ଚଲିପାରେ ମଖିଚୁଷ୍‌ ଆଚରନ୍ ।

(୨ୟ ଭାଗ-ପୃ.୧୨୯-୧୩୦)

 

କ୍ରମଶଃ ଇନ୍ଦ୍ରପ୍ରସ୍ଥରେ ସୁଖ୍‌ବାସୀ, ଚଷା, କାମ୍‌ଗାର୍‌, କାରିଗର୍‌ ଆଦି ବିଭିନ୍ନ ଲୋକଙ୍କର ସମାଗମ ହେଲା । ଇନ୍ଦ୍ରପ୍ରସ୍ଥ ହେଇଗଲା ‘ଗହଗହ ମହମହ’ । କେବଳ ନଗର ବର୍ଣ୍ଣନା ନୁହେଁ, ନଗର ଚତୁଃପାର୍ଶ୍ଵର ବୁରେଇ, ପତରା, ଝାର୍, ଆମ୍‌ବୁରେଇ ଆଦିରେ ରହିଥିଲା ଅନେକ ସୁଲଭ ବଣ୍ୟଫଳ-ଆମ୍‌, ମାୟା, ଜାମ୍‌, ଆମ୍ଡ଼ା, ଡାଲିମ୍‌, ବଢ଼େଇ, ନାରେଂଗ, ବେଲ୍‌, ଜର୍ମୁଡ଼ା, କୁର୍‌ଲୁ, କଇଥ, ପନସ୍‌, ଖେଜୁର୍, ତାଲ, ଚାର୍‌ ବୁରୋ, କେନ୍ଦୁ । କାଷ୍ଠ ଉପକରଣ ନିମନ୍ତେ ବ୍ୟବହୃତ ହେଉଥିବା ବିଭିନ୍ନ ବୃକ୍ଷ, ସର୍‌ଗି, ସାଗୁନ୍, ଗଁଭେର୍, ବାଁଧନ, ବିଜା, ସିସ୍‌, ସାହାଜ୍‌, ଖଇସ୍‌, ଧଁଅରା, ମୁଇଡ଼୍‌, ଖଏର୍‌, କେଯା କେକଟ, କଅ, ଲିମ୍‌ ଆଦିର ଉଲ୍ଲେଖ ଏ ପ୍ରସଙ୍ଗରେ ରହିଛି, ଯାହା ଲୋକମଙ୍ଗଳ ନିମନ୍ତେ ପୂର୍ବପୁରୁଷମାନେ ରୋପଣ କରିଥିଲେ । ଅରଣ୍ୟ ଉପାନ୍ତରେ ଥାଏ ପ୍ରମୋଦ ଉଦ୍ୟାନ । ଯେଉଁଠାରେ-

 

ହୁର୍‌ହୁର୍‌ ଧୁକା ଲହର୍ ହେଁସବ୍ ଫୁଲର୍‌ କହର୍‌ନେଇ

ହରୁହର୍ଦ୍ଦମ ବିହାର-ବଗାନ୍ ଦତ୍ତଥାୟ ମହକାଇ

(୨ୟଭାଗ-ପୃ.୧୩୧)

 

ଏସବୁ ଫଳ, ଫୁଲ, ବୃକ୍ଷ ଆଦିର ବର୍ଣ୍ଣନା ଲେଖକଙ୍କର ମାତୃଭୂମି ପ୍ରୀତିର ନିଦର୍ଶନ ମାତ୍ର-। ନିଜ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟର ପରିଚୟ ପ୍ରଖ୍ୟାପନ ନିମନ୍ତେ ପ୍ରତ୍ୟେକଟି ବୃକ୍ଷଲତାର ଆଞ୍ଚଳିକ ନାମ ବର୍ଣ୍ଣନା ସେ କରିଛନ୍ତି । ମାହାଭାରତକଥା- ଦୁସ୍‌ରାଭାଗ୍‌ର ଶେଷ ପର୍ଯ୍ୟାୟରେ ଜଣେ ବ୍ରାହ୍ମଣ ଆସିଛନ୍ତି-

 

କିର୍‌ଲାଲା, ଆହୋ ପାନ୍ଡ଼ବମାନେ ! କେତେ ନଷ୍‌ଠୁର ଚୋର୍‌

ବର୍କସ୍‌ ଖେଦି ନଉଛନ୍ ଜେତେଜେତେ ଗାୟ ଥିଲେ ମୋର୍

(୨ୟ ଭାଗ-ପୃ. ୧୪୧)

 

ଅର୍ଜୁନ ଅସ୍ତ୍ର ଆଣିବା ନିମନ୍ତେ ଟିକେ ଖାସିଦେଇ ଯୁଧିଷ୍ଠିର ଓ କୃଷ୍ଣଙ୍କର ଏକାନ୍ତ ପ୍ରକୋଷ୍ଠରେ ପ୍ରବେଶ କଲେ । ଅସ୍‌ତ୍‌ର ଆନି, ନର୍‌ଦାଲେ ରଥ ବିପ୍ରକେ ସାଂଗେ ଧରି ।’’ ବ୍ରାହ୍ମଣର ଗାଈ ଉଦ୍ଧାର ହେଲେ, କିନ୍ତୁ ସର୍ତ୍ତ ମୁତାବକ ବାରବର୍ଷର ବନବାସ ନିମନ୍ତେ ଅର୍ଜୁନ ପ୍ରସ୍ତୁତ ହୋଇଗଲେ । କଥା ଥିଲା, କୃଷ୍ଣାଙ୍କ ସହ କୌଣସି ଭାଇଙ୍କ ଏକାନ୍ତ ବାସ କାଳରେ ଯିଏ ପ୍ରବେଶ କରିବ, ତାକୁ ବାର ବର୍ଷ ବନବାସ ଦଣ୍ଡ ଭୋଗିବାକୁ ହେବ । ଯୁଧିଷ୍ଠିର ତଥାପି ଅନେକ ସପକ୍ଷଯୁକ୍ତି ଦର୍ଶାଇଲେ, ଯାହା ତାଙ୍କୁ ଆଦୌ ବିଚଳିତ କରି ପାରିଲା ନାହିଁ । ନିଜ ନିଷ୍ପତ୍ତିରେ ଅଟଳ ବୀର ଧନଞ୍ଜୟ ଦ୍ରୌପଦୀଙ୍କୁ ସାକ୍ଷାତ ସୁଦ୍ଧା ନକରି-

 

ଘର ଛାଡ଼ିକରି ବନ୍‌ବାସ୍‌ ଲାଗି ଲମି ଗଲେ ଟର୍ବଟର୍ । ୩୭୫୦ ପଂକ୍ତିରେ ଦୁସ୍‌ରା ଭାଗ୍‌ ଏହିଠାରେ ଶେଷ ହୋଇଛି । ଜତୁଗୃହ ଦାହ ମନ୍ତ୍ରଣାଠାରୁ ବାରୁଣାବନ୍ତର ଷଷ୍ଠୀଯାତ୍ରା, ହିଡିମ୍ବିକୀର ଆଭୂଷଣପ୍ରିୟତା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ପ୍ରଚଳିତ ପାରମ୍ପରିକ ଅଳଙ୍କାର, ଜୀବନଶୈଳୀ, ବୃକ୍ଷଲତା ଆଦିର ବର୍ଣ୍ଣନା ତାଙ୍କର ସାଂସ୍କୃତିକ ସଚେତନତା ହିଁ ଦର୍ଶାଏ । ମହାଭାରତର କଥାନକ ଅନ୍ତରାଳରେ ଏ ଅଞ୍ଚଳର ଜନଜୀବନର, ପରିବେଶ ପରମ୍ପରାର ପ୍ରତିଫଳନ ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ । ମାହାଭାରତ କଥା- ଦୁସ୍‌ରା ଭାଗ ପ୍ରକାଶନର ଦୁଇବର୍ଷ ବ୍ୟବଧାନରେ ପ୍ରକାଶିତ ହୋଇଥିଲା, ‘ମାହାଭାରତ- ତିସ୍‌ରାଭାଗ୍’ । ମୂଳ ମହାଭାରତ ଆଦିପର୍ବର କଥାବସ୍ତୁକୁ ଲେଖକ ଯେଉଁ ତିନିଭାଗରେ ବିଭକ୍ତ କରିଥିଲେ, ସେଥି ମଧ୍ୟରୁ ଏହି ୫୭୭ ପଦ ବିଶିଷ୍ଟ ତୃତୀୟ ଭାଗର କଥାବସ୍ତୁ ପରିବେଷଣରେ ସ୍ଵାତନ୍ତ୍ର୍ୟ ଓ ନାଟକୀୟତା ରହିଛି । ମହାଭାରତୀୟ କଥାବସ୍ତୁର ଗତିଶୀଳତା ଅବ୍ୟାହତ ରହିଥିଲେ ସୁଦ୍ଧା ଏହି ଭାଗର କାବ୍ୟନାୟକ କେବଳ ଅର୍ଜୁନ । ତାଙ୍କର ପ୍ରେମ, ପ୍ରଣୟ ଓ ପରିଣୟ ମାଧ୍ୟମରେ ଏହା ଗତିଶୀଳ ।

 

ବାରବର୍ଷ ବନବାସ ନିମନ୍ତେ ଯାତ୍ରାରମ୍ଭ କରିଥିବା ଅର୍ଜୁନ ଅନେକ ରାଜ୍ୟ, ତୀର୍ଥ, ଋଷି ଆଶ୍ରମ, ବନ ଇତ୍ୟାଦି ଅତିକ୍ରମ କରିଛନ୍ତି । ରୂପରମ୍ୟ ପାର୍ଥ ଜନପଦରେ ଥିଲେ ଅତୀବ ଲୋକପ୍ରିୟ । ବନବାସ କାଳରେ ତେଣୁ ତାଙ୍କର ସଙ୍ଗୀ ହେବା ପାଇଁ ଅନେକ ବନ୍ଧୁ ଇଚ୍ଛା କରିଥିଲେ-। ଅର୍ଜୁନ ଯେଉଁ କେତେଜଣଙ୍କୁ ତାଙ୍କ ସାଙ୍ଗରେ ନେଇ ଯାତ୍ରାରମ୍ଭ କଲେ, ସେମାନେ ଥିଲେ ପୁରାଣ ଗାୟକ, ବେଦ ବିଦ୍ୱାନ୍, ବ୍ରହ୍ମଚାରୀ, ଭାଟ, କଥାକାର ଏବଂ ଭୂତ୍ୟ । ଏମାନଙ୍କର ଅର୍ଜୁନଙ୍କ ସହିତ ସାହଚର୍ଯ୍ୟ ତାଙ୍କର କଳାପ୍ରିୟତାର ନିଦର୍ଶନ । ଯାତ୍ରାର ପ୍ରଥମ ପାଦରେ ବିଭିନ୍ନ ତୀର୍ଥ ନଗର ଦେଶ ଅତିକ୍ରମ କରି ହରଦ୍ଵାରରେ ପହଞ୍ଚିଲେ । ଯେଉଁଠାରେ-

 

ଜାନ୍‌ହବି ସେନେ ଜାନ୍‌ ଝୁଲି ନାଚି

ବୁହି ଜାୟସନ୍ ଆନନ୍ଦ ମନେ

ଗାୟସନ୍ ଜୟ ଗାନ୍ ସେ ହରର୍

ଖଲ୍‌ ଖଲ୍‌ ରସ୍‌ ଉଚ୍ଛଲ୍‌ ସ୍ଵନେ

(ତୃତୀୟ ଭାଗ-ପୃ.୨୧)

 

କେବଳ ଜାହ୍ନବୀ ନୁହେଁ, କବି ନୀଳମାଧବଙ୍କର କାବ୍ୟିକ ଗଙ୍ଗୋତ୍ରୀ ପୂର୍ବଭାଗଗୁଡ଼ିକ ଅପେକ୍ଷା ଅଧି‌କ ରସୋଚ୍ଛଳ ରୀତିରେ ଏଥିରେ ଆତ୍ମପ୍ରକାଶ କରିଛି । ଅର୍ଜୁନ ଯେତେବେଳେ ଗଙ୍ଗାନଦୀରେ-

 

ଗାଧ୍‌ଲେ ବନିହାଁ ଉତ୍‌କି ଉତ୍‌କି

ପହଁରି ପହଁରି ଗହିର୍ ପାନି

ବୁଡ଼୍‌ଲେ ବେଲ୍‌କେ କାୟ୍‌ଟେ ଗୁଡ୍‌କେ

ଛଂଦଲେଇ ଦେଲା ପାର୍‌ଲେ ଜାନି

(ତୃତୀୟ ଭାଗ-ପୃ.୨୧)

 

ନାଗନାଗରୀ ଉଲୁପୀ ତାଙ୍କୁ ଗୋଡ଼ରେ ଛନ୍ଦି ନାଗଲୋକକୁ ନେଇଯାଇଛି । ଅର୍ଜୁନଙ୍କ ସହିତ ଗୋଟିଏ ମାତ୍ର ପ୍ରେମର ଦିନ କଟାଇଥିବା ଉଲୁପୀ ପରଦିନ ତାଙ୍କୁ ତୀରରେ ପହଞ୍ଚାଇ ଦେଇଛି । ବିସ୍ମୃତ ହୋଇଯାଇଛି ପାର୍ଥଙ୍କ ଜୀବନରୁ ତାଙ୍କର ପରିଚୟ କିନ୍ତୁ ଉଲୁପୀର ପୁତ୍ର ଇରାବାନ୍ ମହାଭାରତ ଯୁଦ୍ଧରେ ପିତାଙ୍କୁ ସହଯୋଗ କରି ଯୁଦ୍ଧର ଅଷ୍ଟମ ଦିନରେ ମୃତ୍ୟୁବରଣ କରିଛି । ଏକଦା କିରୀଟୀ ଯେତେବେଳେ ମଣିପୁରର ଯୁବରାଜ ପୁତ୍ର ବବ୍ରୁବାହନ ହସ୍ତରେ ପ୍ରାଣତ୍ୟାଗ କଲେ, ସେତେବେଳେ ନାଗକନ୍ୟା ଉଲୁପୀ ଜୀବନିକାମଣି ସାହାଯ୍ୟରେ ତାଙ୍କର ଜୀବନ ଫେରାଇ ଆଣିଛନ୍ତି । କିଛିଦିନ ଇନ୍ଦ୍ରପ୍ରସ୍ଥରେ କଟାଇବା ପରେ ପାଣ୍ଡବଙ୍କର ମହାପ୍ରସ୍ଥାନ କାଳରେ ଉଲୁପୀ ଗଙ୍ଗାନଦୀରେ ଝାସ ଦେଇ ସ୍ଵରାଜ୍ୟକୁ ଫେରିଯାଇଛନ୍ତି । ପ୍ରୀତି-ପ୍ରତିଦାନରେ ଏହି କରୁଣ ଗାଥା ଏକ ନାଟକୀୟ ବିନ୍ୟାସ ମଧ୍ୟରେ ଶେଷ ହୋଇଛି । ଏହାପରେ ଅର୍ଜୁନ ହିମାଳୟର ଅଗସ୍ତ୍ୟବଟ, ବଶିଷ୍ଠଗିରି, ଭୃଗୁଶୈଳ ଆଦି ସ୍ଥାନ ଭ୍ରମଣ ପରେ ଅରଣ୍ୟବିନ୍ଦୁ ତୀର୍ଥରେ ସ୍ନାନ ସମାପନ କରି ପୂର୍ବାଭିମୁଖୀ ଭାବରେ ଯାଇ ନୈମିଷାରଣ୍ୟରେ ପ୍ରବେଶ କଲେ । ସେଠାରେ ନନ୍ଦା, ଅପରନନ୍ଦା, ମହାନଦୀ, ଜାହ୍ନବୀ ଆଦି ନଦୀ ଓ ଗୟା ଦର୍ଶନ କଲେ । ଏହାପରେ ଅଙ୍ଗବଙ୍ଗ କଳିଙ୍ଗ ଦେଶରେ ପ୍ରବେଶ କଲେ । ଏହିଠାରୁ ଅନୁଚର ବର୍ଗଙ୍କୁ ବିଦାୟ ଦେଇ ସ୍ଵଳ୍ପ କେତେକଙ୍କ ସହ ମହେନ୍ଦ୍ରଗିରି ଅତିକ୍ରମ କରି ଦୂରବର୍ତ୍ତୀ ମହୋଦଧି ତୀରରେ ଅବସ୍ଥିତ ମଣିପୁରରେ ପ୍ରବେଶ କଲେ । ଉଲୁପୀ ସ୍ଵୟଂ ଅର୍ଜୁନଙ୍କୁ ବରଣ କରିଥିଲେ । ଅର୍ଜୁନ କିନ୍ତୁ ମଣିପୁରର ରାଜକନ୍ୟା ଚିତ୍ରାଙ୍ଗଦାଙ୍କର ପିତା ଚିତ୍ରବାହନଙ୍କ ନିକଟରେ ନିଜର ବିବାହ ଅଭିଳାଷ ବ୍ୟକ୍ତ କରିଥିଲେ । ଚିତ୍ରବାହନଙ୍କ ସର୍ତ୍ତ ଥିଲା, ଏ ବିବାହର ପରିଣତିରେ ଜାତ ସନ୍ତାନ ତାଙ୍କର ବଂଶରକ୍ଷକ ହେବ । ଅର୍ଜୁନ ସମ୍ମତ ହେଲେ ଓ ତିନିବର୍ଷ ମଣିପୁରରେ ଅତିବାହିତ କଲେ । ଏହାପରେ ଅର୍ଜୁନ ଦକ୍ଷିଣସାଗର ଦିଗରେ ଯାତ୍ରାକରି ଅଗସ୍ତ୍ୟ, ସରଭଦ୍ର, ପୌଲୋମ, ଭାରଦ୍ୱାଜ, କାରଂଧମ ଆଦି ପଞ୍ଚତୀର୍ଥ ଦର୍ଶନ କଲେ, କିନ୍ତୁ ସେ ପର୍ଯ୍ୟନ୍ତ ଏହି ପଞ୍ଚପୂଣ୍ୟତୀର୍ଥରେ କେହି ପାଦ ସୁଦ୍ଧା ଦେଉ ନଥିଲେ । କାରଣ ପାଞ୍ଚୋଟି କୁମ୍ଭୀର ସେଠାରେ ବାସ କରୁଥିଲେ, ପାର୍ଥକୁ କେହି କେହି ଭୟଭୀତ କରାଇ କହିଲେ-

 

ବୁଆ ! ପାହା ନାଇଁ ଦେବ ହେଦି

ଘରେଁ ଯଦି ରହିଛନ୍ ପିଲାଛୁଆ

(୩ୟ ଭାଗ-ପୃ.୩୬)

 

ଅର୍ଜୁନ କିନ୍ତୁ ଜଳରେ ପ୍ରବେଶ କରି କିମ୍ଭିରିଣୀଟିକୁ ପାଦ ପ୍ରହାର କଲେ । ତତ୍‌କ୍ଷଣାତ୍ ସେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇଗଲା । ସେ ଥିଲା କୁବେରର୍‌ ପ୍ରିୟା ବର୍ଷାନାମ୍ନୀ ଅପ୍‌ସରୀ, ଚାରି ସହଚରୀଙ୍କ ସହ କୌଣସି ବ୍ରାହ୍ମଣ ପଥଚାରୀଙ୍କୁ ବ୍ୟସ୍ତ କରିବାରୁ ସେ ସେମାନଙ୍କୁ ଅଭିଶାପ ଦେଇଥିଲେ । ନାରଦଙ୍କ ପରାମର୍ଶ କ୍ରମେ ବର୍ଷା ଓ ସହଚରୀ ଲତା, ବୁଦ୍‌ବୁଦା, ସମିଚି, ସୌରଭେୟୀ ସେଠାରେ ବାସ କରୁଥିଲେ । ଅର୍ଜୁନ ସେମାନଙ୍କ ଶାପମୋଚନ କଲେ । ସେହିଠାରୁ ପୁନର୍ବାର ମଣିପୁର ପ୍ରତ୍ୟାବର୍ତ୍ତନ କରି ପତ୍ନୀ ଚିତ୍ରାଙ୍ଗଦା ଓ ପୁତ୍ର ବବ୍ରୁବାହନଙ୍କ ସହ ମିଳିତ ହେଲେ-। ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିର ରାଜସୂୟ ଯଜ୍ଞାନୁଷ୍ଠାନ କରୁଥିବା ସମୟରେ ତୁମେ ପୁତ୍ର ସହିତ ଉପସ୍ଥିତ ହୋଇ ତୁମର ପରିଚୟ ଦେବ ବୋଲି ଚିତ୍ରାଙ୍ଗଦାଙ୍କୁ ନିର୍ଦ୍ଦେଶ ଦେଇ ଅର୍ଜୁନ ପ୍ରଭାସତୀର୍ଥ ଦିଗରେ ଯାତ୍ରା କଲେ । ସମ୍ବାଦ ପ୍ରାପ୍ତି ମାତ୍ରେ କୃଷ୍ଣ ଉପସ୍ଥିତ ହେଲେ-

 

ସେନୁ ଦୁହି ସଖା ରୟ୍‌ବତ୍ ଗିରି

ବଂଗ୍‌ଲା ଘର୍‌କେ ଜାଇ

ଦୁଃଖ୍‌ ସୁଖ୍‌ ହେଲେ ମଜ୍‌ଲିସ୍‌ କଲେ

ନାନା ରାଜ୍‌ଖାନା ଖାଇ

x      x      x

ନୂଆଁ ହେଇ ଘରେଁ କୁନୁଆଁ କର୍‌ବେ

ବଂଧୁକେ ନେଇକରିଁ ।

(୩ୟ ଭାଗ-ପୃ.୪୯)

 

ସମ୍ପର୍କରେ କୃଷ୍ଣ ଅର୍ଜୁନଙ୍କର ମାମୁଁ ପୁଅ ଭାଇ । ମାତୁଳାଳୟରେ ସ୍ଵାଗତ, ସମାଦର, ପ୍ରଥମ ଥର ପାଇଁ ବନ୍ଧୁଘରକୁ ଯାଉଥିବାରୁ ନୂତନ ବସ୍ତ୍ର ସମ୍ପ୍ରଦାନ ଆଦି ଲୌକିକ ଆଚାରର ଉଲ୍ଲେଖ ଏଠାରେ କରାଯାଇଛି । କୃଷ୍ଣଙ୍କର ପରାମର୍ଶ କ୍ରମେ ସୁଭଦ୍ରାହରଣ ଏବଂ ପରେ ସୁଭଦ୍ରା ପରିଣୟ ଅନୁଷ୍ଠିତ ହେଲା । ଏକବର୍ଷ ଅର୍ଜୁନ ଦ୍ଵାରକାରେ ଅତିବାହିତ କଲେ । ସେଠାରୁ ପୁଷ୍କର ଧାମରେ କିଛିକାଳ କଟାଇ ବାରବର୍ଷ ପୂର୍ଣ୍ଣକଲେ । ଶେଷରେ ପତ୍ନୀଙ୍କ ସହ ଇନ୍ଦ୍ରପ୍ରସ୍ଥ ପ୍ରତ୍ୟାବର୍ତ୍ତନ କରି ଗୁରୁ ଧୌମ୍ୟ, ମାତା କୁନ୍ତୀ ଓ ଭ୍ରାତାମାନଙ୍କ ସହ ପୁନର୍ମିଳନ ପରେ ନାଟକୀୟ ରୀତିରେ ଅର୍ଜୁନ ପାଞ୍ଚାଳୀଭେଟ୍‌ ବର୍ଣ୍ଣିତ ହୋଇଛି । ପାଞ୍ଚାଳୀଙ୍କର ସପତ୍ନୀସୁଲଭ ଈର୍ଷା ଓ ଅଭିମାନର ଅଭିବ୍ୟକ୍ତି କବିଙ୍କ ଭାଷାରେ-

 

ବୁଝାର୍‌ ଉପରେଁ ଦୁହରା ବଂଧନ୍ ପଡ଼୍‌ସିଜଦ୍‌ରି ଫୁନ୍

ପହିଲ୍‌ ବଂଧନ୍‌ ହୁର୍‌ଗୁଲା ହେସି ମିଛ୍‌ ନୁହେ ଅରଜୁନ୍

(୩ୟ ଭାଗ-ପୃ. ୬୫)

 

ପାଞ୍ଚାଳୀଙ୍କର ହୃଦୟର କୋହ ଲୁହ ହୋଇ ବହି ଯାଉଥାଏ-

 

ତାହିଁ ମିସେ ମୁହୁଁ ଲହଁ ସେଇ କରିଁ

ଦରୋଦରୋ ଲହ୍‌ଢ଼ାଲି

ଛାତିର୍‌ ସଁପୁର୍‌ ପାଟ୍‌ ସର୍‌ସରା

କରିଥାନ୍‌ ପାନ୍‌ଚାଲୀ ।

(୩ୟ ଭାଗ-ପୃ.୬୬)

 

ଅର୍ଜୁନ ଉପାୟ ପାଞ୍ଚିଲେ । ସୁଭଦ୍ରା ଗଉଡ଼ୁଣୀ ବେଶରେ କାଖରେ ‘ଡଲା’ ଚିତ୍ରଟିଏ ଧରି ଉପସ୍ଥିତ ହେଲେ- ‘ଆଇଛେ ତମ୍‌ହର୍‌ ଦାସୀ’ ବୋଲି କହି ପାଞ୍ଚାଳୀଙ୍କର ମନ ପରିବର୍ତ୍ତନ କରିଦେଲେ । ନବପରିଣୀତା ଭଗିନୀ ନିମନ୍ତେ ଯୌତୁକ ଯୋଗାଡ଼ରେ ଲାଗିଗଲେ ଶ୍ରୀକୃଷ୍ଣ । ଚାରୋଟି ଲେଖାଏଁ ଘୋଡ଼ା ଯୋଚା ହୋଇଥିବା ଏକ ହଜାର ସୁନାର ରଥ, ମଥୁରାରୁ ଆନୀତ ଦଶହଜାର ‘ଗୁର୍‌ସାଲୀ ଗାଈ, ସୁସଜ୍ଜିତା ସୁଶିକ୍ଷିତା ଏକ ହଜାର ଦାସୀ, ଦଶଭାର ଖାଣ୍ଟିସୁନାର ମୋହର, ଖାଣ୍ଟି ମୁଣ୍ଡା ସୁନା ପିଠିରେ ଲଦା ହଜାରେ ଘୋଡ଼ା, ହଜାରେ ହାତୀ ନେଇ କୃଷ୍ଣ ସଦଳବଳେ ଯେତେବେଳେ ପହଞ୍ଚିଗଲେ, କନ୍ୟାପକ୍ଷଙ୍କର ‘କୁନୁଆଁ’ମାନଙ୍କର ଅଭ୍ୟର୍ଥନା ନିମନ୍ତେ-

 

ବନ୍‌ଢ଼ା ଚତ୍‌ରା କରେଇ ସହର ବଜାର୍‌ ସଡ଼୍‌ଖ୍‌ଗଲି

ଦର୍‌ଲେଇ ଥିଲେ ଉଷୋମିଶା ପାୟନ୍‌ ବାସୁଥାୟ ମଲିମଲି

(୩ୟ ଭାଗ-ପୃ.୭୩)

 

ଆଗନ୍ତୁକ ଦ୍ଵାରକାପକ୍ଷଙ୍କୁ ଇନ୍ଦ୍ରପ୍ରସ୍ଥ ତରଫରୁ ଆଦର ସତ୍କାର, ଖାଦ୍ୟପାନୀୟ, ବାସସ୍ଥାନ ଆଦିର ବ୍ୟବସ୍ଥା ସହ ବଳରାମଙ୍କ ନିମନ୍ତେ ତାଙ୍କର ପ୍ରିୟ ପାନୀୟ କାଦମ୍ବରୀର ବ୍ୟବସ୍ଥା ଥିଲା । ମନୋରଞ୍ଜନ ନିମନ୍ତେ ଭରତଙ୍କ ପୂର୍ବସୂରୀ ଗୁରୁଜନଙ୍କଠାରୁ ଶିକ୍ଷ୍ୟାପ୍ରାପ୍ତ ଗାୟକ, ବାଦକଙ୍କ ସହ ମାର୍ଜିତ ନାଟ୍ୟକଳା ପରିବେଷଣ କରାଗଲା । ସାଧାରଣ ଜନତାଙ୍କ ନିମନ୍ତେ ଢୋଲ ମୁହୁରୀ ସାଂଗେ ରସର୍‌କେଲୀ, ସଜନୀଗୀତ, ଡାଲ୍‌ଖାଇ ଗୀତ, ମୁହରିଆ ଓ ବଜନିଆଁଙ୍କ ସହଯୋଗରେ ଗୀତନୃତ୍ୟର ବ୍ୟବସ୍ଥା ହେଲା । ଇନ୍ଦ୍ରପ୍ରସ୍ଥର ରାଜଧାନୀ ସଂଲଗ୍ନ ଯମୁନାର ଅପର ପାର୍ଶ୍ଵରେ ଖାଣ୍ଡବବନ । ଶ୍ଵେତଯୁଗରେ ଶ୍ଵେତକି ନାମକ ଜଣେ ରାଜା ଅନେକ ଯଜ୍ଞାନୁଷ୍ଠାନ କରିଥିଲେ । ବହୁ ସଂଖ୍ୟକ ବ୍ରାହ୍ମଣ ଏଠାରେ ଯଜ୍ଞ କର୍ମରେ ନିୟୋଜିତ ଥିଲେ । ଯଜ୍ଞଘୃତ ଜନିତ ଧୂମର ପ୍ରଭାବରେ-

 

ଜୟଗଁ କୁହୁଲା ଉଠି ବଡ଼ାତାର୍‌

ଗୁଂଦଲେଇ ହେଇ ପାଖେଁ

ଢୁକୁଥାୟ ଥୁଡ଼େ ଥୁଡ଼େ ଋତ୍ୱିକ୍

ମନ୍‌କର୍‌ ଆୟଁଖ୍‌ ନାକେଁ

ଟୁଣ୍‌ ବାଟେଁ ମିସେ ଧୁକଧୁକି ନିକେ

ଥୁଡ଼େ ଯାଉଥାୟ ଢୁକି

କେକେ ଉକ୍‌ଲେଇ ଉକ୍‌ଲେଇ ଅଥା

କାକେ ଲାଗେ ଉକ୍‌ବୁକି

(୩ୟ ଭାଗ- ପୃ. ୯୩)

 

ବ୍ରାହ୍ମଣମାନଙ୍କର ଯଦି ଅବସ୍ଥା ଏହା, ତେବେ ଅଗ୍ନିଦେବଙ୍କର ପ୍ରତିକ୍ରିୟା ନିଶ୍ଚୟ ଏହାଠାରୁ ଅଧିକ ଥିବ । ଅତ୍ୟଧିକ ଘୃତପାନ ହେତୁ ସୃଷ୍ଟି ହୋଇଥିବା ଅଗ୍ନିଙ୍କର ଅଜୀର୍ଣ୍ଣ ରୋଗ ନିମନ୍ତେ ଖାଣ୍ଡବବନ ଦହନ ଥିଲା ଶେଷ ଉପଚାର । ତେଣୁ ଅର୍ଜୁନକୁ ରଥ ଅସ୍ତ୍ର ଆଦି ଯୋଗାଇ ଦେଇ ଖଣ୍ଡବବନ ଦହନ ନିମନ୍ତେ ଅନୁରୋଧ କଲେ । ଅରଣ୍ୟରେ ଯେତେବେଳେ ଅଗ୍ନି ସଞ୍ଚାର ହେଲା, ହଜାର ହଜାର ‘ହାଥୀ ଝାର୍‌ ପହଟୁଥିବା ଦେଖି ଥିର୍‌ପାଲ୍‌ରେ ପାଏନ୍ ଆନି ଦର୍‌ଲି ଦିଅନ୍ ।’ ଐରାବତ ମଧ୍ୟ ଆସି ଅଗ୍ନିକୁ ‘ଖପେଇ’ ଦେଉଥାନ୍ତି । ତଥାପି ରକ୍ଷା ନ ଥିଲା । ଅର୍ଦ୍ଧଦଗ୍ଧ ଜୀବଜନ୍ତୁ ସ୍ଥଳ, ବ୍ୟୋମ ଓ ଜଳଚର ପ୍ରାଣୀମାନଙ୍କର ପରିଣତି ଥିଲା ଅତୀବ ମର୍ମନ୍ତୁଦ ।

 

-ଜୁଏ ଲାଗିଚରେ ମନ୍‌କର୍‌ ଡେନା

ପୟଁଖ୍‌ ଆରୁ ଆୟଁଖ୍‌ ପୁଡ଼ି

ଜାନ୍ ଛାଡ଼ୁଥାନ୍ ଜୁଏ ମୁହେଁ ପି

ନାଇଁ ପାରୁଥାନ୍‌ ଉଡ଼ି ।

x      x      x

କୁତ୍‌ରି ମିତାର୍‌ ସୁରୁସୁରୁ ଝୁରି

ଆର୍‌ ଘୁଲି କୁଲ୍‌ କୁଲା

ଚିଂଗ୍‌ରା କଁକ୍‌ରା ଆଦି ସିଝି ସିଝି

ମଲେ ହେଇ ଗୁଲ୍‌ଗୁଲା

 

ଅଗ୍ନିଦେବ ପକ୍ଷେ କାଳ ଖାଣ୍ଡବର ଦଗ୍ଧ ଜୀବଜନ୍ତୁଙ୍କୁ ଖାଇ ସୁସ୍ଥ ହେଇଗଲେ-

 

ପଖେ କାଲ୍‌ ଖାଇ ଜିବମନ୍ କର୍‌

ବସା ଆରୁ ହାଡ଼୍‌ ରସା

ଫିର୍‌ଲା ଦିହିକେ ଆଘର କାନ୍‌ତି

ମୁହୁଁକେ ଆଗର୍‌ ହଁସା ।

(୩ୟ ଭାଗ, ପୃ.୧୨୨)

 

ଖାଣ୍ଡବଦହନ ପରେ ମଂଦପାଳ ଋଷିଙ୍କର ଉପାଖ୍ୟାନ ବର୍ଣ୍ଣିତ ହୋଇଛି । ଖାଣ୍ଡବର ପ୍ରଜ୍ୱଳିତ ବିଭୀଷିକା ମଧ୍ୟରେ ପାଞ୍ଚଟି ସାରଂଗପକ୍ଷୀ କିପରି ବର୍ତ୍ତିଗଲେ, ତା’ର ପୂର୍ବ ଘଟଣାକ୍ରମେ, ମନ୍ଦପାଳ ଋଷି କିପରି ମୃତ୍ୟୁପରେ ପୁତ୍ରହୀନ ହୋଇଥିବାରୁ ପୁନର୍ବାର ମର୍ତ୍ତ୍ୟକୁ ପକ୍ଷୀ ରୂପରେ ପ୍ରତ୍ୟାବର୍ତ୍ତନ କଲେ । ମନୁଷ୍ୟ ଜୀବନର ତିନୋଟି କର୍ତ୍ତବ୍ୟ-ବ୍ରହ୍ମଚର୍ଯ୍ୟ, ଯଜ୍ଞ ଏବଂ ପୁତ୍ରୋତ୍ପାଦନ । ଏଥିମଧ୍ୟରୁ ତୃତୀୟଟି ସାଧନ କରିବା ନିମନ୍ତେ ସେ ପକ୍ଷୀ ଶରୀର ଧାରଣ କରି ଜରିତ ନାମ୍ନୀ ବିହଙ୍ଗିନୀକୁ ସହଧର୍ମିଣୀ ରୂପେ ବରଣ କଲେ । କ୍ରମେ ଚାରୋଟି ଅଣ୍ଡାରୁ ଶାବକ ବାହାରିଲେ । ଜରିତା ଶାବକଙ୍କୁ ପାଳନ କରୁଥିବା ସମୟରେ ଋଷି ଲପିତା ନାମ୍ନୀ ପକ୍ଷିଣୀ ସହ ଆମୋଦ ପ୍ରମୋଦରେ ନିମଗ୍ନ ଥିଲେ । ଅଗ୍ନିର ବିସ୍ତାର ଦେଖି ଜରିତା ତା’ର ଶାବକମାନଙ୍କୁ କହିଛି-

 

-ତଲେଁ ଅଛେ ମୂଷା ଦୋଲ୍‌ଗୁଟେ ଆରେ ପୁଏ

ସମିଜିବ ହେଲେଁ ତମ୍‌ହର୍‌ ଦିହିଁକେ ନେଇଁ ଛିଇପାରେ ଜୁଏ

ତମ୍‌ହେ ସମିଗଲେଁ ଦୋଲ୍‌ ମୁହୁଁ ଢାପି ଦେମି

ଥୁରେ ଧୁଏଲ୍‌ ଦେଇ

ଜୁଏ ଲିଭି ଖପିଗଲେଁ ଝଟ୍‌କଲା

ଆସି ଦେମି ଅଲ୍‌ଗେଇ

(୩ୟ ଭାଗ, ପୃ-୧୩୦)

 

ସନ୍ତାନ ନିମନ୍ତେ ମାତୃହୃଦୟର ବ୍ୟାକୁଳତା ଏଠାରେ ଅତି ମର୍ମସ୍ପର୍ଶୀ ଭାବରେ ବର୍ଣ୍ଣିତ ହୋଇଛି । ଆଉ ଯେତେବେଳେ-

 

ଦେଖ୍‌ଲା କେହେନି ଛୁଆର୍‌ ରୁଆଁଟେ ମିସେ ନାଇଁ ଗୁଡ଼ିଥାଇଁ

x      x      x      x      x

ସୁଖେ ତା’ର ଦୁହି ଆୟ୍‌ଖ ଭରି ଲହ ବୁହିଗଲା ଅସଂଭାଲ

(୩ୟ ଭାଗ-ପୃ. ୧୩୨)

 

ଋଷି ମନ୍ଦପାଳ ପତ୍ନୀ ଓ ସନ୍ତାନମାନଙ୍କର ଚିନ୍ତାରେ ବିବ୍ରତ ଥିବାବେଳେ ଲପିତା ତାଙ୍କୁ ବହୁ କଟୁକଥା ଶୁଣାଇଛି । ୠଷି ତାଙ୍କର ପୂର୍ବ ପରିବାର ନିକଟକୁ ଫେରିଆସି ଆଦରରେ ପ୍ରଶ୍ନ କରୁଛନ୍ତି-

 

କେନ୍‌ଟା ଆମ୍‌ହର୍‌ ବଡ଼୍‌ବାବୁ ଆର୍‌

ତା’ର ତଲର୍‌ଟା କିଏ ?

କେନ୍‌ଟା ମଝ୍‌ଲା କିଏ ସୁରୁପିଲା

ମୁଇଁ କିଛି ଜାନେ ନିହେ ।

(୩ୟ ଭାଗ-ପୃ.୧୩୭)

 

ଜରିତାର ଉତ୍ତର ଥିଲା ଅନୁରୂପ ଶାଣିତ-

 

ଜରିତା ବୟ୍‌ଲା, ‘କିଏ କେନ୍‌ ପୁଓ

ଇସବ୍ ଖବର୍ ଆର୍‌

ତମ୍‌ହର୍‌ ମିତାର୍‌ ବାପ୍‌ ଜାନୁବାର୍‌ ।

ଅଛେ କାୟଁ ଦର୍‌କାର୍‌ ?

(୩ୟ ଭାଗ-ପୃ.୧୩୭)

 

ଖାଣ୍ଡବବନ ଦହନ ଅନ୍ତେ ଇନ୍ଦ୍ର କୃଷ୍ଣାର୍ଜୁନଙ୍କୁ ସାକ୍ଷାତ କରି ଉଭୟଙ୍କର ଜଗତମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ କର୍ମ ନିମନ୍ତେ ଆନନ୍ଦ ବ୍ୟକ୍ତ କଲେ ଏବଂ ବର ଦେବାକୁ ଇଚ୍ଛା କଲେ । ଅର୍ଜୁନ ଦିବ୍ୟାସ୍ତ୍ର ପ୍ରାପ୍ତି ଏବଂ କୃଷ୍ଣ ଅର୍ଜୁନଙ୍କ ସହ ଚିରକାଳ ମୈତ୍ରୀ କାମନା କଲେ । ତୃତୀୟ ଭାଗ ସହିତ ମହାଭାରତ ଆଦି ପର୍ବ ପ୍ରାୟ ୧୦୦୦ ପଂକ୍ତିରେ ସମାପ୍ତ ହୋଇଥିଲା । ଏହି ତୃତୀୟ ଭାଗଟି ଥିଲା ନାଟକୀୟ, ରସୋଚ୍ଛଳ ଓ ପ୍ରାଣବନ୍ତ । କେବଳ ଅର୍ଜୁନ ଥିଲେ ତୃତୀୟଭାଗର କାବ୍ୟନାୟକ । ସମଗ୍ର ଆଦିପର୍ବରେ ଲେଖକ ମହାଭାରତୀୟ କଥାବସ୍ତୁରେ କୌଣସି ପରିବର୍ତ୍ତନ ନକରି ଏହା ମାଧ୍ୟମରେ ଆଞ୍ଚଳିକ ଭାଷା, ସଂସ୍କୃତି, ପ୍ରକୃତି, ଚଳଣି, ଖାଦ୍ୟପେୟ, ବେଶଭୂଷା ଆଦି ସ୍ଵକୀୟ ଭୂମି ଏବଂ ଭୂମିସଂଲଗ୍ନ ସମସ୍ତ ପ୍ରସଙ୍ଗର ବର୍ଣ୍ଣନା ନିମନ୍ତେ ଅବସର ପ୍ରାପ୍ତ ହୋଇଛନ୍ତି । ଅନ୍ୟଭାଗଗୁଡ଼ିକ ମଧ୍ୟ ଏହି ରୀତିରେ ଗତିଶୀଳ ହୋଇଛି ।

 

(ଖ) ସମ୍ବଲପୁରୀ ମାହାଭାରତର ଭାଷା

ନୀଳମାଧବଙ୍କର ମାହାଭାରତ କଥା କେବଳ ଉପାଖ୍ୟାନ ଶୁଣାଇବା ଉଦ୍ଦେଶ୍ୟରେ ରଚିତ ହୋଇନାହିଁ । ଭାଷା ଓ ସଂସ୍କୃତିର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ ଏହାର ପ୍ରମୁଖ ଉଦ୍ଦେଶ୍ୟ । ତେଣୁ ଭାଷା ପ୍ରୟୋଗର ବୈଶିଷ୍ଟ୍ୟ ଏହାର ଛତ୍ରେଛତ୍ରେ ପରିଲକ୍ଷିତ ହୋଇଥାଏ । ଏ ସମ୍ପର୍କରେ ପ୍ରଫେସର୍‌ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତାଙ୍କର ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ-

 

ସମ୍ବଲପୁରୀ ଭାଷାର ନାଟକ ସର୍ବଭାରତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେଲାବେଳେ ଏ ଭାଷାର ଲାଳିତ୍ୟ ବି ଲୋକଙ୍କ ଆଖିରେ ପଡ଼ିଛି । ଏ ଧାରା ଆରମ୍ଭ ହୋଇଥିଲା ‘ଗୌନ୍ତିଆ ବାବୁ’ ନାଟକରେ । କିନ୍ତୁ ନାଟକରେ ଲାଳିତ୍ୟପୂର୍ଣ୍ଣ ସଂଳାପର ଭାଷା ଏକ ଶ୍ରାବ୍ୟ ଅଭିନୟ ହୋଇଥିଲେ ହେଁ ଦୃଶ୍ୟ ଅଭିନୟ ସାତ୍ତ୍ୱିକ, ଆଂଗିକ, ଆହାର୍ଯ୍ୟର ମନୋରମତ୍ଵ ବଳବତ୍ତର ହୋଇଥିବାରୁ ଗଦ୍ୟରଚନାର ଅଧ୍ୟୟନ ଅଭାବରେ ଭାଷା ସୌଷ୍ଠବ ଅବଧାରଣ କରିବା ସାଧାରଣ ବ୍ୟାପାର ନୁହେଁ (ମାହାଭାରତ କଥା- ଭାଗ ୧, ପୃ-ଣ) । ତେଣୁ ସମ୍ୱଲପୁରୀ ଭାଷାକୁ ଚିହ୍ନିବା ନିମନ୍ତେ ଦୁଇଟି ଉପାୟ ଅନୁସୃତ ହୋଇପାରେ । ପ୍ରଥମତଃ ଗ୍ରାମାଞ୍ଚଳରେ ରହି ଗବେଷଣା, ଦ୍ଵିତୀୟତଃ ସମ୍ବଲପୁରୀ ସାହିତ୍ୟର ରଚନା ଓ ପ୍ରସାର । ଏହିପରି ଉଦ୍ୟମ ମାତ୍ର ପଚାଷ ଷାଠିଏ ବର୍ଷ ତଳୁ ଆରମ୍ଭ ହୋଇଛି । ଇତି ମଧ୍ୟରେ କେତେକ ପତ୍ରପତ୍ରିକାରେ ପ୍ରକାଶିତ କ୍ଵଚିତ୍‌ ଆଲୋଚନା, ବିଭିନ୍ନ ଲେଖକ ସଙ୍ଗଠନ, ପତ୍ରିକା ଓ ପୁସ୍ତକ ପ୍ରକାଶନ ଆଦି ମାଧ୍ୟମରେ ଏହି ଉଦ୍ୟମ ଫଳବତୀ ହେଉଛି ।

 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କର ସମ୍ବଲପୁରୀ ଶବ୍ଦକୋଷ, ଡଃ ବିଜୟ କୃଷ୍ଣ ତ୍ରିପାଠୀଙ୍କର ଗବେଷଣା ବ୍ୟତୀତ ସମ୍ବଲପୁରୀକୁ ଏକ ଉପଭାଷା ବୋଲି ଦର୍ଶାଇ ଗୋପବନ୍ଧୁ ରଥଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶ କରିଛନ୍ତି । ଖଡ଼ିଆଳ ନିବାସୀ ସଂସ୍କୃତଜ୍ଞ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀ ସମ୍ବଲପୁରୀ ଭାଷା ଓ ଶବ୍ଦାବଳୀର ବ୍ୟୁତ୍ପତ୍ତି ନିର୍ଣ୍ଣୟ ନିମନ୍ତେ ଆନ୍ତରିକ ପ୍ରଚେଷ୍ଟା କରିଛନ୍ତି । ପ୍ରାଚୀନ କାଳରୁ ସମଗ୍ର ଭାରତରେ ପ୍ରଚଳିତ କୋଶଲୀ ଭାଷାର ସମୟ କ୍ରମେ ପରିବର୍ତ୍ତିତ ରୂପ ବର୍ତ୍ତମାନର ସମଲ୍‌ପୁରୀ (କୋଶଲୀ) ଭାଷା ଯେ ଏକ ଐତିହ୍ୟ ମଣ୍ଡିତ ସଂସ୍କୃତି ସମ୍ପନ୍ନ ଭାଷା, ତାହା କ୍ରମଶଃ ପ୍ରମାଣିତ ହେଉଛି ।

 

ଡଃ ନୀଳମାଧବ ପାଣିଗ୍ରାହୀ ତାଙ୍କର ମାହାଭାରତ କଥାରେ ପ୍ରଯୁକ୍ତ ଶବ୍ଦ ମାଧ୍ୟମରେ ଏହି ଭାଷାର ବୈଶିଷ୍ଟ୍ୟ ଦର୍ଶାଇଛନ୍ତି । ମାହାଭାରତ ମାଧ୍ୟମରେ ସେ ଦର୍ଶାଇଛନ୍ତି ଯେ, ସମ୍ବଲପୁରୀ ଭାଷାରେ ଅନେକ ତତ୍ସମ ଶବ୍ଦ ଅଛି । କେବଳ ସେଥିରେ ହଳନ୍ତ୍‌ ସଂଯୋଗ କରାଯାଇଛି- ଫଲ୍‌, ଦେଶ୍‌, ଦୋଷ, ଧନ୍‌, ଯମ୍‌, ରାଗ୍‌, ଯଶ୍‌, ବୀର୍‌, କୁଟୁମ୍‌, ନାଶ୍‌, ଦର୍ଶନ, ବଂଶ୍‌, ଚରନ୍‌ ଆଦି । କେତେକ ଶବ୍ଦ ସଂସ୍କୃତରୁ ଜାତ ହେବା ସତ୍ତ୍ଵେ ସାମାନ୍ୟ ପରିବର୍ତ୍ତିତ ହୋଇ ଉଚ୍ଚାରିତ ହୁଏ- ଧରମ୍‌,ପଦମ୍‌, କରମ୍‌, ଭକତ୍‌, ପୂରବ୍‌, କିର୍‌ତି, ବରତ୍, କରନ୍, ଅରନ୍‌ ଆଦି । ଏଗୁଡ଼ିକୁ ଅର୍ଦ୍ଧତତ୍ସମ କୁହାଯାଇପାରେ । ସଂସ୍କୃତରୁ ଜାତ ଅଥଚ ପାଲି, ପ୍ରାକୃତ, ଅପଭ୍ରଂଶ ମାଧ୍ୟମରେ ବିକଶିତ ଅନେକ ତଦ୍ଭବ ଶବ୍ଦ- ମହାଭାରତରେ ଅଛି- ଅଏଁଠା (ଉଚ୍ଛିଷ୍ଟ) ଆଗ (ଅଗ୍ର) ଅଛେ (ଅସ୍ତି) ଗତର୍‌ (ଗାତ୍ର), ମାଛି (ମକ୍ଷିକା) ପିଠା (ପିଷ୍ଟକ) ଅନ୍ଧାର୍‌ (ଅନ୍ଧକାର) ଅନ୍ଧୁ (ଅଳନ୍ଧୁ) ଆଂଗ୍‌ଠି (ଅଙ୍ଗୁଷ୍ଟି) ତୁର୍‌ତି (ତ୍ୱରିତ) ଆଞ୍ଚିବା (ଆଚମନ) କପଟା (କର୍ପଟକ) ମହରା (ମଧୁର) ବାଏର୍ (ବାଟିକା) ମା (ମାତୃ), କୁଠି (କୋଷ୍ଠ), ଲଟା (ଲତିକା), ତେଲ (ତୈଳ), ଅଁଏଲା (ଆମଳକୀ) ଇତ୍ୟାଦି । ଏହା ବ୍ୟତୀତ ମାହାଭାରତରେ ପ୍ରଯୁକ୍ତ ଏବଂ ସମ୍ବଲପୁରୀ ଭାଷାରେ ପ୍ରଚଳିତ ଅନେକ ଶବ୍ଦ ଅଛି, ଯାହା ଓଡ଼ିଆରେ ନାହିଁ- ଚୋକ୍ (ଧାର କରିବା), ସୋଜ୍‌ (କେବଳ), ଭିଲ୍‌ (ମଧ୍ୟ) ଓ (ଦଳ), ଫାବି (ରକ୍ଷା ପାଇବା) ଥାବେଁ (ଯଥାସ୍ଥାନରେ), ପହଦି (ଅଭ୍ୟସ୍ତ), ଲେଛାବା (ଅଗ୍ନି ସଂଯୋଗ କରିବା), ଖପାବା (ଲିଭାଇବା), ବୁଗ୍ଡ଼ି (ମୁକୁଳି), ବନିହାଁ (ବହୁତ), ଲେନି (ହୀନ), ଉକ୍‌ବୁଦ୍ଧି (ଉଦ୍‌ବେଗ), ଖମନ୍‌ (ଜଂଗଲ), ଘୁଡ଼୍‌କାନ୍‌ (ଭର୍ତ୍ସନା), ହରୋବଟୋ (ବ୍ୟସ୍ତତା), ଅସ୍‌କଟ୍‌ (କୁତ୍ସିତ), ଟିର୍‌କୁ (ବଦ୍‌ରାଗୀ), ଖୁଁ ତାବା (ବହୁଦିନ ଧରି ଗୋଟିଏ ସ୍ଥାନରେ ରହିଯିବା), ଘତାବା (ଜଗିବା), ଭିର୍‌ବା (ଶୋଭାପାଇବା), ଅୟସୋ (ଅତ୍ୟନ୍ତ), ଟୁରା (ଛେଉଣ୍ଡ), ଅଲ୍‌ହନ୍ (ବିପଦ), ଲବାର (ଦୁଷ୍ଟ), ବହଂଗର୍ (ଉଦ୍ଦାମ), ବୟସିରା (ଅଭ୍ୟାସ), ତହଁକ୍ (ଉତ୍ସାହ), ଯଦ୍‌ରି (ଯଦ୍ୟପି), ପିଠ୍‌ଗୁନା (ଲାଭ ହେବା), ଛିନା (ନିର୍ଜନ), ଉଦୁର୍ଚ୍ଛା (ଦୁଷ୍ଟ), ଉଡୁମ୍‌ (ନିର୍ବୋଧ), ଡସ୍‌ନା (ବିଛଣା), ହରୁହର୍‌ଦମ୍‌ (ସର୍ବଦା), ଅଠିପର (ଅଷ୍ଟ ପ୍ରହର), ଟୁର୍‌ଟୁର୍‌ (ଶୀଘ୍ର ଶିଘ୍ର), ପୁଟଲେଇ (କୁଣ୍ଢେଇବା), ଉଟୁସ୍‌, ପୁଟୁସ୍‌ (ଅସ୍ତବ୍ୟସ୍ତ), ତୁଆତୁଆ (ବାରମ୍ୱାର), କଲେଁ କଲେଁ (ଧୀରେ), ସର୍‌ଲଗ୍‌ (ଏକକାଳୀନ), ଏକସ୍‌କଣ୍ଟି (ଏକଲୟରେ), ଠହକାବା (ସ୍ଥିର କରିବା), ଲହଁକିବା (ପାର୍‌ହେବା), ଗୁଂଦଲାବା (ଗୋଳିଆ କରିବା), ହଂଦ୍‌ଲାବା (ଆନ୍ଦୋଳିତ କରିବା, ଟେନ୍‌ଚେନ୍ (ସୁସ୍ଥ), ଗୁଣ ଉଚାର (ପଚରା ପଚରି), ହୁର୍‌ହୁର୍‌ଧୁକା (ମୃଦୁ ପବନ) । ଏହିପରି ଅନେକ ଶବ୍ଦ ମୌଳିକ ସମ୍ବଲପୁରୀ ଭାବରେ ପ୍ରାଚୀନ କାଳରୁ ପ୍ରଚଳିତ ଅଛି । ସମ୍ବଲପୁରୀରେ ସମୟ ସମ୍ବନ୍ଧୀୟ ଅନେକ ଶବ୍ଦ ଅଛି- ପହ ପହ, ଫଜଲ୍‌, କୁକ୍‌ରାଡ଼କା, ବେଲ୍‌ଭଦା, ବେଲା ମଏଧାନ୍, ବେଲ୍‌ଢଲା, ବେଲ୍‌ ବୁଢ଼ା, ମାଛି ଅନ୍ଧରିଆ, ଜନକ୍ ରାଏତ୍ ଆଦି ସମ୍ବଲପୁରୀ ମହାଭାରତରେ ଲେଖକ ପ୍ରୟୋଗ କରିଛନ୍ତି । ସମ୍ବଲପୁରୀ ଭାଷାରେ ଓଡ଼ିଆ ପରି ଦ୍ରାବିଡ଼ ଶବ୍ଦ ବାହୁଲ୍ୟ ପରିଲକ୍ଷିତ ହୁଏ ନାହିଁ । ଯଦିଓ ସ୍ୱଳ୍ପ କେତେକ-ଗୁଡ଼ି, ମୁନ୍‌ଗା, ଖୁର୍‌ଡ଼ି, ଅର୍ଗଲ, ଅର୍ଦ୍ଦଲି, ଚଟୁ, ପିଲା, ଖଲି ଦନା ଆଦି ବ୍ୟବହୃତ ହୁଏ । ସମ୍ବଲପୁରୀ ଭାଷାରେ ଆଦିବାସୀ ଭାଷାର ପ୍ରଭାବରେ ରହିଥିବା ଶବ୍ଦ-ଖଡ଼୍‌କା, ଟୁପର୍, ଠେଁକି, ଢେଁକି, ଢେଁକାର୍‌, ମୁର୍‌ହି, ମହି, ଟାଟି, କେରା, ମାହାଲିଆ, ବା ଡିବ୍‌ରୀ, ନନୀ, ବୁଆ, ହେଟା, ଜୁଏ ଆଦି ମହାଭାରତକାର ତାଙ୍କ ‘ମାହାଭାରତ କଥା’ରେ ବ୍ୟବହାର କରିଛନ୍ତି, କେତେକ ଅବ୍ୟୁତ୍ପନ୍ନ ଶବ୍ଦ ଅର୍ଥାତ୍ ଯାହାର ଉତ୍ପତ୍ତି ନିରୂପିତ ହୋଇପାରି ନାହିଁ । ସେହିପରି ଶବ୍ଦ ଅଁଟା, କେଚ୍‌ରା, ଚାଣ୍ଟି, ଝୁରି, ଟିହା, ଟୁକ୍‌ନା, ଡୁଂଗି, ଡୋର୍‌, ଧୁକା, ଧୁକ୍‌ନା, ଧୁମା, ପୁଆଲ୍‌, ବିତ୍‌ବିତା, ଭକୁଆ, ଭୁଷ୍‌କା ଆଦି ଲେଖକ ମାହାଭାରତରେ ପ୍ରୟୋଗ କରିଛନ୍ତି । ଓଡ଼ିଆ ଭାଷାର କିଛି ଶବ୍ଦ ମଧ୍ୟ ଅଛି । ପ୍ରିୟ, ନାଚାର, ଖୁସି, ଜୁଆର, ବାସିନ୍ଦା, ଧକ୍କା, ପକ୍କା, ତଟିନୀ କେହି ଆଦି । କେତେକ ଯାବନିକ ଶବ୍ଦ-କୁସିସ୍‌, ବେହୁଦା, ଫେରାବ୍‌, ଲାଲ୍‌ଚୀ, ସିଲ୍‌ସିଲା, ବେସକ୍‌, ବହବୁ, ତଖ୍‌ଲିତ୍‌, ସିବାୟ, ମୌକା, ଦୁଶ୍‌ମନ୍, କିମ୍‌ତି, ଗଲତ୍, ଗମଲା, ତାଲିମ, ବାରିକ୍‌, ତାଗିଦ୍, ପୟଦଲ୍‌, ରାସ୍ତା ଇତ୍ୟାଦି ପ୍ରୟୋଗ କରାଯାଇଛି । ଇଞ୍ଜିନିୟର ପରି ଇଂରାଜୀ ଶବ୍ଦ ମଧ୍ୟ କ୍ଵଚିତ୍ ପ୍ରୟୋଗ କରାଯାଇଛି । ତାଙ୍କର ନିଜସ୍ଵ ପ୍ରୟୋଗ ମଧ୍ୟ ଅଛି- କାମ୍‌ତେନ୍, ନିସ୍‌ଫିକର, ନିଚପଟ, ଦୁବ୍‌ଧା, ଡର୍‌କିରା, ଭିର୍‌କୀ ମିର୍‌ଗୀ, ଦୁର୍‌ଦାର, କୁହିକୁହି ଆଦି ସଲବଲୋଛେ, ସର୍‌ସରୌ ଛେ, ସତୌଛେ, ସଟୋସଟୋ, ଟାଁଚିଟାଁଚି, ଲହଁକେନ, ଲହଁପେନ ପରି ନାମଧାତୁକ୍ରିୟା ସହିତ ଲେଦା ଖବ୍‌ଡାବ । ଉକୁରୁବୁକୁର୍‌, ଉଛୁଲ୍‌ପୁଛୁଲ୍‌ ଆଦି ରୂଢ଼ି ରହିଛି । ସମ୍ବଲପୁରୀ ଭାଷାର କ୍ରିୟାଗୁଡ଼ିକ ସଂସ୍କୃତ ପରି ବ୍ୟଞ୍ଜନାନ୍ତ-ଟାକ୍, ତାକ୍, ଥାକ୍‌, ଠୁକ୍, ଧୁକ୍, ଫୁଁକ୍, ରୁକ୍, ଛେଁକ୍, ଦେଖ୍‌, ଜୁଁହ, ଚୁଁଦ, ଟାଁଚ୍‌, ଘିଚ୍, ଝିଁଟ୍‌, କୁଟ୍‌, ଚୁଁଟ୍‌, ଗାଧ୍‌, ସାନ୍, ଲିପ୍‌, ଛିନ୍, ଲୁକ୍‌, ଟେକ୍, ଲଡ଼୍‌ ଆଦି ଏହାର ଦୃଷ୍ଟାନ୍ତ । ଆକାରାନ୍ତ ଭାବରେ କଚ୍‌ରା, ଜୁରାରା, ଭର୍‌ଗୁଡ଼ା, ଘେଚା, ବୁଥ୍‌ବୁଥା, କୁଁଥା, ଭୁର୍‌ତା, ଲହଁପା, ଗିଜ୍‌ରା, ଉକ୍‌ଲା, ଉପ୍‌ଲା, କିର୍‌ଲା, ପୁଟ୍‌ଲା, ଛିଗ୍‌ଲା ଆଦି ଶବ୍ଦର ପ୍ରୟୋଗ ମାହାଭାରତ କଥାରେ ଅଛି । ସେହିପରି ଏ କାରାନ୍ତ, ହେଁକଉଛେ, ତହଁକଉଛେ, ‘ହ’ ଆଗମ ଥାଇ ଲୁହିଁ ଲୁହିଁ, କୁହିଁ କୁହିଁ ଆଦି ସେ ପ୍ରୟୋଗ କରିଛନ୍ତି ।

 

ସମ୍ବଲପୁରୀ ଭାଷାରେ ନି, ନାଇଁ ନୁହେ, ନିହେ ଆଦି ନାସ୍ତ୍ୟର୍ଥକ ଉପସର୍ଗ କ୍ରିୟାର ପୂର୍ବରୁ ବ୍ୟବହୃତ ହୁଏ । ସାରଳା ମହାଭାରତରେ କ୍ରିୟା ପୂର୍ବରୁ ଏହିପରି ନାସ୍ତ୍ୟର୍ଥକ ପ୍ରୟୋଗ ଅତ୍ୟନ୍ତ ସୁଲଭ । ସଂସ୍କୃତରେ ଏହିପରି ରୀତିରେ କ୍ରିୟାପୂର୍ବରୁ ନାସ୍ତିବାଚକ ଶବ୍ଦ ପ୍ରାୟ ପ୍ରୟୋଗ କରାଯାଏ, କିନ୍ତୁ ଓଡ଼ିଆରେ କ୍ରିୟା ପରେ ଏହା ବ୍ୟବହୃତ ହୁଏ । ମାହାଭାରତ କଥାରେ ଉଚ୍ଚାରଣ ପଦ୍ଧତି ଅନୁସରଣରେ ଶବ୍ଦଗୁଡ଼ିକର ବନାନ ନିରୂପଣ କରାଯାଇଛି । ଭୀଷ୍ମଙ୍କୁ ଭିସ୍‌ମ, କୃଷ୍ଣଙ୍କୁ କୃସ୍‌ଟଁ, ଯାଜ୍ଞସେନୀକୁ ଯାଏଗଁସେନୀ ପ୍ରାୟତଃ ଶଷସ ସ୍ଥାନରେ କେବଳ ‘ସ’ ଦୀର୍ଘଈ ସ୍ଥାନରେ ହ୍ରସ୍ଵ ଇ ପ୍ରୟୋଗ କରାଯାଇଛି । ଲେଖକଙ୍କ ମତରେ, ସମ୍ବଲପୁରୀ ଭାଷାରେ, ହସ୍ଵଦୀର୍ଘ ଓ ସକାରାଦିର ଭେଦ ରହେ ନାହିଁ । ତେଣୁ ଉଚ୍ଚାରଣ ଅନୁସାରେ ଶବ୍ଦ ଲିଖିତ ହୋଇଛି ।

 

ମାହାଭାରତ କଥାରେ ସଂସ୍କୃତ ଓ ହିନ୍ଦୀ ଶବ୍ଦର ଆଧିକ୍ୟ ସମ୍ପର୍କରେ ସେ କହିଛନ୍ତି –

 

‘‘ମୁଇଁ କାଁକରି ହେତେ ସଂସ୍‌କୁରୁତ୍‌ ଆରୁ ହିନ୍ଦୀ ଶବ୍ଦ କୋଶଲୀ ସମଲ୍‌ପୁରୀ ମାହାଭାରତ କଥା ଭିତରେଁ ବୁଡ଼୍‌ବୁଡ଼ିଛେଁ ବଲିଁ କେ କେ ବଡ଼ା କଡ଼ା ଆପତ୍ତି କର୍‌ବାର୍‌ ମୁଇଁ ଜାନିଛେଁ । (ମାହାଭାରତ୍ କଥାକାର୍‌ର ପଦେ - ୧ମ ଭାଗ) ବୈଦିକ ତଥା ସଂସ୍କୃତ ଶବ୍ଦାବଳୀର ପ୍ରଭାବ ପ୍ରାଚୀନ କାଳରୁ ସମ୍ବଲପୁରୀ ଭାଷାରେ ରହିଛି । ହିନ୍ଦୀଭାଷୀ ଅଞ୍ଚଳ କେବଳ ଏହାର ପ୍ରତିବେଶୀ ବୋଲି ନୁହେଁ, ଯେଉଁ ଅର୍ଦ୍ଧମାଗଧୀରୁ ଓଡ଼ିଆ ଓ ସମ୍ବଲପୁରୀ ଭାଷାର ସୃଷ୍ଟି ବୋଲି ସମ୍ଭାବନା କରାଯାଉଛି, ସେହି ଅର୍ଦ୍ଧମାଗଧୀ ହିନ୍ଦୀଭାଷାର ସୃଷ୍ଟି ଉତ୍ସ । ତେଣୁ ସମାନତା ଅସ୍ଵାଭାବିକ୍ ନୁହେଁ । ଅବଶ୍ୟ ସଚେତନ ଭାବରେ ‘ମହାଭାରତ କଥା’ର ଲେଖକ ଅଧିକ ହିନ୍ଦୀଶବ୍ଦ ପ୍ରୟୋଗ କରିଛନ୍ତି । ତାଙ୍କ ମତରେ-

 

ଜାହା ଭି ହଉ, ହାମର୍‌ କୋଶ୍‌ଲୀ- ସମଲ୍‌ପୁରୀ ହଉଛେ

ହିନ୍ଦୀ ଭାଷା ଗୁହୁଡ଼ିର୍‌ । ଉଚ୍ଚାରନ୍‌ ତ ପୁରା ହିନ୍ଦୀ ବାଗିର୍‌ ।

ହିନ୍ଦୀ ଭାଷା କ୍ଷେତ୍ରକେ ଲାଗିଛେ ଆମର୍‌ ଭାଷାକ୍ଷେତ୍ର

(ମାହାଭାରତ କଥାକାରରୁ ପଦେ- ପ୍ରଥମ ଭାଗ)

 

ମାହାଭାରତ କଥା ପ୍ରଥମ, ଦ୍ଵିତୀୟ ଭାଗରେ ଯେଉଁ ଗଦ୍ୟଧର୍ମୀ ଭାଷା ପ୍ରୟୋଗ ଏବଂ ପ୍ରାଚୀନ ଶବ୍ଦର ବିନ୍ୟାସ ଅଧିକ ପରିଲକ୍ଷିତ ହେଉଥିଲା, ତୃତୀୟ ଭାଗରେ ଏହା ପରିବର୍ତ୍ତିତ ହୋଇଯାଇଛି । କ୍ରମଶଃ ପଦ୍ୟଭାଷା ଓ ସାମ୍ପ୍ରତିକ ଚଳଣିର ଶବ୍ଦ ସମ୍ଭାରର ଆଧିକ୍ୟ ତୃତୀୟ ଭାଗରେ ଦେଖାଯାଏ । ଭାଷା ପ୍ରୟୋଗ କାଳରେ ବୃତ୍ତ ଓ ଛନ୍ଦ ପ୍ରତି ସଚେତନତା ତାଙ୍କ ରଚନାର ସର୍ବତ୍ର ଲକ୍ଷ୍ୟ କରାଯାଏ । ଲେଖକଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏ ଅଞ୍ଚଳର ଭାଷା ଓ ସଂସ୍କୃତିର ସ୍ଵାତନ୍ତ୍ର୍ୟ ପ୍ରତିପାଦନ । କୌଣସି ପୃଷ୍ଠଭୂମି ନ ଥାଇ ପରୀକ୍ଷାମୂଳକ ଭାବରେ ମୌଖିକ ବା କଥିତ ଭାଷାରୁ ଶବ୍ଦାବଳୀ ଆହରଣ କରି ତାକୁ କବିତ୍ୱର କମନୀୟ ସୌକର୍ଯ୍ୟରେ ରୂପାନ୍ତରୀତ କରିବା କେବଳ କବିର ସାଧନା ସାପେକ୍ଷ । କବି ନୀଳମାଧବ ତାଙ୍କର ବର୍ଣ୍ଣନାରେ ଅନୁରୂପ ସଫଳତା ଦର୍ଶାଇଛନ୍ତି-

 

-ଦେଖ୍‌ଲେ ସ୍ୱର୍‌ଗୁଁ ଆଠ୍‌ ଝନ୍‌ ବସୁ ଖସ୍‌ରି ଖସ୍‌ରି କରି

ତଲ୍‌କେ ତଲ୍‌କେ ଜାଉଛନ୍‌ ବଡ଼ା ଖୟଖିନାରୂପ୍‌ ଧରି,

ମୋହ୍-ଲଟ୍‌ପଟ୍‌ ଚେହେରା, ଗତର୍ ଚମ ଖୋବ୍ ଖର୍ଖସା

ଜାନ୍‌ହବୀ ଗୁତା ଉଚାର କର୍‌ଲେ, ‘‘କାଏଁଜେ ଏନ୍ତାଦଶା ?’’

(ମାହାଭାରତ କଥା- ୧ମ ଭାଗ-ପୃ.୩)

 

ସେହିପରି ପ୍ରକୃତି ବର୍ଣ୍ଣନା ପ୍ରସଙ୍ଗରେ ସେ ଲେଖିଛନ୍ତି-

 

-ବସଁତ୍‌ ରଜାର୍‌ ଫୂଲର୍‌ ତିହାର୍‌ ଲାଗିଛେ ଇଠାନେ ଆୟଜ୍‌,

ଦିଶୁଛେ ମସ୍ତ ‘ଝକାଝକ୍‌’ ‘ଝାର୍‌ ରାୟଜ୍‌’,

ଚମ୍ପା କନିଅର, ପୁନାଗ୍‌ କେଶର୍‌ କେତ୍‌କୀ, ଅଶୋକଫୁଲ୍‌

ଜେତ୍‌କି ମହ୍‌କି କରି କରୁଛନ୍‌ ଦସ୍‌- ଦିଗ୍‌ ମସ୍‌ଗୁଲ୍‌,

ସେତ୍‌କିନୁ ସହଗୁନ୍‌ ମହକିବା ବଲିବେଡ଼ୀ ଝାର୍‌ମଲୀ

ବନ୍‌ଦେବ୍‌ ତରୁ ବେକେଁ ହାର୍‌ବନି କରୁଛେ ଜବର୍‌ ଅଲି !

(୧ମ ଭାଗ-ପୃ. ୩୫)

 

ସେହିପରି ମତ୍ସ୍ୟରୂପିଣୀ ଅଦ୍ରିକାର ଗର୍ଭରୁ ଜାତ ହୋଇଥିବା ଏବଂ କୈବର୍ତ୍ତର ଗୃହରେ ଏଯାବତ୍ ପାଳିତା ହୋଇଥିବା ସତ୍ୟବତୀଙ୍କ ସମ୍ପର୍କରେ ରାଜା ଉପରିଚରଙ୍କର ମନେ ହେଇଛି-

 

-କୁହାକୁହା ଗନ୍ଧ୍‌ ଉଆଲା ସୁଖୁଆ ସଗି ଢେଁଠିଆ ଭରା,

ଭରିଥିବା ସେନେ, ଜେନେଁ ମାଆଁ ଟୁରିପେଟେଁ ଚକୁ ହେଲା ମରା ।

x      x      x      x      x      x

ଜଗ୍‌ଡ଼ା- ୟଜ୍ଞେଁ କେଉଁଟ୍‌ କୁଟୁମ୍‌ ହେଇଥିବେ ୟଜ୍‌ମାନ୍‌

ବଡ଼େ ବଢ଼େ ଢନା ଉଦ୍‌ଗାତା ହେଇ କରୁଥିବେ ବେଦଗାନ୍‌

ବେଦ୍‌ରା ବେଦ୍‌ରା ମୟଲା ଗଦାର୍‌ ଉପ୍ରେଁ ପଦ୍‌ମାସନେଁ ।

ବସି ଗୁଟାକେତେ ସ୍ଥିତଧୀ ସୁନେଲି ମାଛି ଧୀର୍‌ଥିର୍‌ ମନେ

ଦିଶୁଥିବେ ସଥେଁ ଯେନ୍ତା ମାୟ୍‌ଝୀଋଷି,

ପାରୁଥିବେ ସୁରୁସୁରୁ ସୁନ୍ଦର କିରା, ଦେଖିକରି ଖୁସି

ହଉଥିବା ଘରୱାଲୀ କେଉଁଟେନ୍‌ × × ×

(୧ମ ଭାଗ-ପୃ. ୪୦)

 

ରଷି ଦୁର୍ବାସା କୁନ୍ତୀ ଭୋଜଙ୍କର ଆତିଥ୍ୟ ସ୍ଵୀକାର କରିବା ସମୟରେ ସର୍ତ୍ତ ରଖିଲେ-

 

-‘ମନ୍‌କେ ଆୟଲେଁ ଘରୁଁ ଜିମି, ଫିରି ଆଉ ଥିମି ମନ୍‌ ହେଲେଁ

ଜେତେବେଲେଁ ପାରି ସେତେବେଲେଁ, କେଭେଁ ଉବେଲ୍‌, ଅଡୁଆବେଲେଁ

ନୁହେ ଅଧରାୟତ୍‌, ନୁହେ ପହପହ, ପହିଲ୍‌ -କୁକୁରାଡ଼କା,

ନୁହେ ଭାତ୍‌ଖିଆ, ମାଛି-ଅନ୍ଧରିଆ, ଠାଡ଼୍‌ ମୟଧାନ୍‌ ଠକା ।

(ମାହାଭାରତ କଥା-୧ମ ଭାଗ-ପୃ ୮୯)

 

ରସାତ୍ମକ ରୀତିରେ ଭାଷା ପ୍ରୟୋଗ କରି ଶାନ୍ତନୁଙ୍କ ମନରେ ଯୋଜନଗନ୍ଧା ସତ୍ୟବତୀଙ୍କ ପ୍ରତି ଆକର୍ଷଣର ପୃଷ୍ଠଭୂମି ପ୍ରସ୍ତୁତ କରି ସେ ଲେଖିଛନ୍ତି -

 

ରାସ୍‌ଲୀଲାକାଲ୍‌ ଆସ୍‌ଲାନ୍‌ବଲିଁ ବାସ୍‌ନା- କଦମ୍‌ଫୁଲ

ଅଧୀର ଅଦମ୍‌ ହେଇ ଫୁଟି କାୟଁ ବାସୁଛେ ୟମୁନା କୂଲ୍‌ ?

ଭାୟଲ୍‌ ରାଧା ଆରୁ ଗୋପର୍‌ ରୂପସୀ ରାହାସ ନାଚ୍‌ଲା କାଲେଁ

ଖୁସ୍‌ବେ ତାକର୍‌ ଢଲିଆ ଖୁସାର୍‌ କଲିଆ ଚିକବାଲେଁ

 

ନାଚ୍‌ବେ ସଁପୁର୍‌ ଅଁଟା ମଲ୍‌କେଇ

ଯୌବନଶିରୀ ଦେଖେଇ ଦେଖେଇ

ବଲିକରି କାୟଁ ମଲ୍‌ମଲି ଝାର୍‌ମଲି,

ପସ୍‌ରେଇ ଖୁଲି ଦେଇଛେ ଖୁସ୍‌ଚୁ ଟୁଲି ନିଅମକେ ବଲି ?

ଅବା ୟମୁନାର୍‌ କେନ୍‌ଘାଟେଁ କେନ୍‌ ସୌକେନ୍‌ ନୂଆଁବହ

ମାଳୁଛେ ଗତର୍‌ ରାତିର୍‌ ଅତର୍‌ ମହକୁଛେ ଏତେ ଜହ ?

(୧ମ ଭାଗ ପୃ. ୪୮)

 

ପଣ୍ଡୁଙ୍କର ମୃତ୍ୟୁପରେ ମାଦ୍ରୀଙ୍କର ବିଳାପ ବର୍ଣ୍ଣନା କରାଯାଇଛି-

 

‘କାଁଦଲି, ରଡ଼୍‌ଲିଁ, ଛେଁକଲି, ଘୁଚ୍‌ଲି ହାର୍‌ଲିଁ ଦେଖ୍‌ଲିଁ ଶେଷେ

ବିଧାତା ଚାହୁଁଛେ ହାମ୍‌କେ ଦୁହିକେ ଦେଖ୍‌ବାରାଆଁଡ଼ ଭେସେଁ ।

(୧ମ ଭାଗ-ପୃ. ୧୫୭)

 

ସେହିପରି କର୍ଣ୍ଣକୁ ଦେଖି କୁନ୍ତୀଙ୍କର ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଛି, ତାହାର ଏକ ସଜୀବ ଚିତ୍ରଣ ଲେଖକ କରିଛନ୍ତି ରସାତ୍ମକ ରୀତିରେ-

 

ନର୍‌ଦି ଆୟଲା ମାଆଁର୍‌ ଦରଦ୍ ହେଇକରି ଲହଧାର୍‌

ସେନୋ ଆର୍‌ ମମତାର୍‌

କୁହି କୁହି ତହୁଁ କାଁଦ୍‌ଲେ କୁଂତୀ କେତ୍‌ ନେଇ କେତେବେଲେ୍‌ ।

କହୟ ତେଲ୍‌ କହୟ ତେଲ୍‌ ।

‘‘ବୁଢ଼ା ହେଇଥିବୁ ଆରେ ପୁଓ ମୋର ! ଆକାଶ୍‌ ପୁରଥି- ପାନି

ଜାହିଁବି ଅଛନ୍‌ ଜେତ୍‌କି ଦିବ୍ୟ ଆଉର୍‌ ଦୁସର୍‌ ପ୍ରାନୀ

ତୋର୍‌ ମଙ୍ଗଲ୍‌ କରୁନ୍‌, ବାଚ୍ଚା ! ଉଭି ଜାଉ ଡର ଭୟ,

ଆହା ମୋର୍‌ ପୁଓ ! ରାହା ତୋର ହଉ ଶିବ ମଙ୍ଗଲମୟ

x      x      x      x

ପରଦେଶେଁ ମିସେ ପୁତାରେ ! ଜଦ୍‌ରିତୁଇ ବଁଚି ରହିଥାଉ

କବଚ୍‌ କୁଣ୍ଡଲ୍‌ ଦେଖ୍‌ଲେଁ ଜାନ୍‌ମି ତୁଇ ମୋର ପୁଓଆଉ ।

(୧ମ ଭାଗ-ପୃ.୧୦୮)

 

ସେହିପରି ହିଡ଼ିମ୍ବିକୀର ପୁତ୍ର ଘଟୋତ୍କଚର ବର୍ଣ୍ଣନା ଲେଖକ ହାସ୍ୟରସାତ୍ମକ ଭାବରେ ପରିବେଷଣ କରିଛନ୍ତି-

 

ଭୀମର୍‌ ପୁଓର୍‌ ରୂପ୍‌ ମାହାଭୀମ୍‌, କିମ୍ଭୂତ କିମାକାର୍‌

କୁଲାକୁଲା କାନ୍‌, ଲୁହ୍‌ରା ଧୁକ୍‌ନା ଲେଖେଁ ନାକ୍‌ଥିଲା ତା’ର୍‌

ରଫା ଲେ୍ଖେଁ ତା’ର୍‌ ମୁହଁର୍‌ ଆଘର୍‌ ଦାଁଚ୍‌

ହାଥୀ ଥୁର୍‌ପାଲ୍‌ ଜିତି ଲମ୍‌ ରୋଟ୍‌ ହାଥ୍‌

(୨ୟ ଭାଗ-ପୃ ୪୦)

 

ସେହିପରି ବ୍ୟାସ ଋଷିଙ୍କର ଭୟାନକ ରୂପର ବର୍ଣ୍ଣନା ଲେଖକ ସଜୀବ ରୀତିରେ କରିଛନ୍ତି –

 

ମୁଁଡେ ମୁଡ଼ାମୁଡ଼ା ପିଂଗଲ୍‌ ରଂଗର୍‌ ଜଟ୍‌

ମୁହେଁ ମେଛା ଡାଢ଼ି ଲମ୍‌ଲମ୍‌ ଅସ୍‌କଟ୍‌

ଢେଲାଢେଲା ଆୟଁଖ୍ ହୁଁଡ଼ାରର୍‌ ଡିମା

ଲେଖେଁ ମଲ୍‌କୁଛେ ରାତିଁ

ଉତ୍କଟ ଦିହ୍‌ ହୁର୍‌ଗଁଧିନାକେ ବାଜ୍‌ଲେ

ଲାଗ୍‌ବା ବାଁତି ।

(୧ମ ଭାଗ-ପୃ. ୭୭)

 

ଭାବର ସୌଷ୍ଠବମୟ ପ୍ରଖ୍ୟାପନ ନିମନ୍ତେ କେଉଁ ସ୍ଥାନରେ କେଉଁ ଶବ୍ଦର ବିନ୍ୟାସ ଭାବାତ୍ମକ ଆବେଗ ସୃଷ୍ଟି କରିବ, ତାହା ଏହି ଉଦାହରଣ ଗୁଡ଼ିକରୁ ଲକ୍ଷ୍ୟ କରାଯାଇପାରେ । କେବଳ ସମ୍ବଲପୁରୀ ଭାଷାରେ ମହାଭାରତ ରଚନା କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଏହି ସୃଷ୍ଟି ମାଧ୍ୟମରେ ସମ୍ବଲପୁରୀର ଭାଷିକ ସମୃଦ୍ଧି ସାଧନ ତାଙ୍କର ପ୍ରମୁଖ ଲକ୍ଷ୍ୟ ଥିଲା ।

 

ସମ୍ବଲପୁରୀ ଯେ ଏକ ପ୍ରାଚୀନ ସଂସ୍କତିସମ୍ପନ୍ନ ଭାଷା, ଏହା ଓଡ଼ିଆର ଉପଭାଷା, ଅପଭାଷା, ଅଥବା କୌଣସି ଜାଙ୍ଗଲିକ ଭାଷା ନୁହେଁ । ଏହାର ଏକ ଗୌରବମୟ ଅତୀତ ରହିଛି । ବର୍ଣ୍ଣାଢ଼୍ୟ ଏବଂ ଭାବଦ୍ୟୋତକ ଶବ୍ଦାବଳୀରେ ଏହା ସମୃଦ୍ଧ । ଏ ସମ୍ପର୍କରେ ଡଃ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତାଙ୍କର ମନ୍ତବ୍ୟ ଉଲ୍ଲେଖ କରାଯାଇପାରେ । ସେ ଓଡ଼ିଆଭାଷୀ ଲୋକଙ୍କୁ ଏହି ଭାଷାର ଅନୁଧ୍ୟାନ ଓ ଉପଲବ୍ଧି ନିମନ୍ତେ ଆହ୍ୱାନ କରି କହିଛନ୍ତି- ‘‘ନିର୍ବିରୋଧରେ ଏବଂ ଅତ୍ୟନ୍ତ ପ୍ରାକୃତିକ ଧାରାରେ ପଶ୍ଚିମାଞ୍ଚଳୀୟ ଲୋକଙ୍କ ନିଜ ସମ୍ପତ୍ତିରେ ପରିଣତ ହୋଇଛି ଓଡ଼ିଆ ଭାଷା । ସେମାନଙ୍କୁ ଦୁଇଟି ଭାଷାର ଅଧିକାର ମିଳିଛି, କ୍ଷତି ତ କିଛି ହୋଇନାହିଁ । ସେହିପରି କେବଳ ଓଡ଼ିଆଭାଷୀ ଲୋକଙ୍କ ପାଇଁ ସମ୍ବଲପୁରୀକୁ ଚିହ୍ନିଜାଣି ଆପଣାର କରିବାର ସୁଯୋଗ ମିଳିବ ଏହି ଗ୍ରନ୍ଥରୁ । ଏହା ଫଳରେ ଓଡ଼ିଆରେ କେତେକେତେ ନୂତନ ସୁନ୍ଦର ଭାଷିକ ଉପାଦାନର ସଂଯୋଗ ଯୋଗୁଁ ଓଡ଼ିଆ ଭାଷାର ଭାବି ସମୃଦ୍ଧି ମଧ୍ୟ ଅନିବାର୍ଯ୍ୟ । ଏହି ମିଶ୍ରଣର ପ୍ରଭାବ ସଂସ୍ଫୃତି ଓ ସଂହତି ଦୃଷ୍ଟିରୁ ହେବ ସୁଦୂର ପ୍ରସାରୀ । ବିଶ୍ଵାସ ହୁଏ, ସମ୍ବଲପୁରୀ ଭାଷାକୁ ଓଡ଼ିଶାର ଦ୍ୱିତୀୟ ଭାଷାର ଗୌରବ ଓ ସ୍ଵୀକୃତି ଦେବାରେ ଆଉ କୌଣସି ଅନ୍ତରାୟ ରହିବ ନାହିଁ ।

(ସମଲପୁରୀ ଭାଷାର ମାହାଭାରତ କଥା- ୧ମ ଭାଗ-ପୃ.ଲ)

 

ନୀଳମାଧବ ପାଣିଗ୍ରାହୀଙ୍କର ମହାଭାରତ କଥା ଅସମ୍ପୂର୍ଣ୍ଣ ହେଲେ ମଧ୍ୟ ଏହାର ପ୍ରକାଶିତ ଖଣ୍ଡମାନଙ୍କର ଯେଉଁ ଶାବ୍ଦିକ ସାମର୍ଥ୍ୟ ଓ ଭାଷିକ ଆବେଦନ ରହିଛି, ତାହା ଅନସ୍ୱୀକାର୍ଯ୍ୟ । ପୂର୍ବରୁ ଲିଖିତ ସାହିତ୍ୟର ବିଶେଷ ପୃଷ୍ଠଭୂମି ନଥାଇ କଥିତ ଭାଷାରୁ ଶବ୍ଦ ସଂଗ୍ରହ କରିବା ସମୟରେ ଏହା ଅନେକ ସମୟରେ ବ୍ୟକ୍ତିଗତ ଅବବୋଧ ଆଧାରିତ ମନେହୋଇଛି । ସ୍ଥଳ ବିଶେଷରେ ଓଡ଼ିଆ ଶବ୍ଦ ପ୍ରୟୋଗ ଏବଂ ‘ହିନ୍ଦୀ ଭାଷାଗୁହୁଡ଼ିର ବୋଲି ମନେକରି ହିନ୍ଦୀ ଶବ୍ଦର ବହୁଳ ପ୍ରୟୋଗ ସେ କରିଥିବା ହେତୁ କେହି କେହି ନାପସନ୍ଦ କରୁଥିବା ମଧ୍ୟ ସେ ଜାଣିଥିଲେ । ସରଳ, ସୁବୋଧ୍ୟ, ସାର୍ବଜନୀନ, ଗ୍ରାମୀଣ ଜନତାର ବାର୍ତ୍ତାଳାପ ମଧ୍ୟକୁ ପ୍ରବେଶ କରିପାରିଥିଲେ ଏ ଭାଷା ଅଧିକ ପ୍ରାଣସ୍ପର୍ଶୀ ହୋଇପାରିଥାନ୍ତି ! ଦ୍ଵିତୀୟତଃ ଲେଖକ କବି ନଥିଲେ, ଥିଲେ ଗଦ୍ୟ ଲେଖକ । ଭାଷାର ମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ପରିଣତ ବୟସରେ ସେ ଯେଉଁ ଉଦ୍ୟମ କରିଛନ୍ତି, କବି ହେବା ପାଇଁ, ପୁଣି ନିଜର ମାତୃଭାଷାରେ, ଏହାର କଷ୍ଟସାଧ୍ୟତାକୁ ଅସ୍ଵୀକାର କରାଯାଇପାରିବ ନାହିଁ ।

 

ମାତୃଭାଷା ନିମନ୍ତେ ସେ ଯେଉଁ ଭିତ୍ତି ସ୍ଥାପନ କରି ଯାଇଛନ୍ତି, ତାହା ଉପରେ ସୁରମ୍ୟ ସୌଧ ନିର୍ମାଣ କରିବାର ଦାୟିତ୍ଵ ପରବର୍ତ୍ତୀ ପିଢ଼ିଙ୍କର । ପ୍ରାୟ ତିନିହଜାର ବର୍ଷ ଧରି ଏ ସମଗ୍ର ଅଞ୍ଚଳରେ ପ୍ରଚଳିତ ଥିବା ଏହି ପ୍ରାଚୀନ ଓ ପାରମ୍ପରିକ ଭାଷାର ସ୍ଵାତନ୍ତ୍ର୍ୟ ଓ ସୁରକ୍ଷା ପ୍ରତିପାଦନ ଦାୟିତ୍ଵ ହେଉଛି ସେହିମାନଙ୍କର, ଯେଉଁ ଅଗଣିତ କବି ଲେଖକ, ନାଟ୍ୟକାର, ଔପନ୍ୟାସିକ, ପ୍ରାବନ୍ଧିକ ଓ ସମାଲୋଚକ ମାତୃଭାଷାର ସେବା ନିମନ୍ତେ ସଙ୍କଳ୍ପବଦ୍ଧ ଓ ସମର୍ପିତ ।

 

(ଗ) ସମ୍ବଲ୍‌ପୁରୀ ମାହାଭାରତର ଛନ୍ଦ

ମନୁଷ୍ୟର ହୃଦୟର ଆବେଗ ତା’ର କଣ୍ଠଧ୍ଵନିରେ ମଂଦ୍ରିତ ହୋଇ ସୃଷ୍ଟିକରେ ଛନ୍ଦ । ଛନ୍ଦୋବଦ୍ଧ ହେଲେ ପଦ୍ୟ ହୋଇଥାଏ (ଛନ୍ଦୋବଦ୍ଧ ପଦଂ ପଦ୍ୟମ୍‌ - ସାହିତ୍ୟ ଦର୍ପଣ) । ଏହା ହୃଦୟକୁ ଛନ୍ଦାୟିତ ବା ଆହ୍ଲାଦୟତି । ଆହଲା୍‌ଦ ପ୍ରଦାନ କରୁଥିବାରୁ ଏହାର ନାମ ଛନ୍ଦ । କବିତା ବା ସଙ୍ଗୀତର ପ୍ରାପ୍ତବର୍ଣ୍ଣର ମିଳନକୁ ରାଇମ୍‌ ଏବଂ ଅକ୍ଷରମେଳକୁ ସିଲାବଲ୍‌ କୁହାଯାଏ । ଏହାର ପ୍ରୟୋଗ ହେତୁ କବିତା ବା ପଦ୍ୟରେ ଅଭିଧେୟ ଅର୍ଥ ବ୍ୟତୀତ ଏକ ଧ୍ଵନିଗତ ଚମତ୍କାରିତା ମଧ୍ୟ ସୃଷ୍ଟିହୁଏ । ଯାହା କବିତାର ଲାଳିତ୍ୟ ଓ ସୌକୁମାର୍ଯ୍ୟ ବର୍ଦ୍ଧନ କରେ, ପ୍ରତ୍ୟେକ ପାଦର ପ୍ରାନ୍ତରେ ରହୁଥିବା ପଦର ମେଳ ଏହାର ଗଠନରୀତିରେ ମଧ୍ୟ ବୈଚିତ୍ର୍ୟ ସମ୍ପାଦନ କରେ । ସ୍ଥୂଳତଃ ଭାବକୁ ସାର୍ଥକ ଭାବେ ଅଭିବ୍ୟକ୍ତ କରିବାର ମାଧ୍ୟମ ଛନ୍ଦ ।

 

ବୈଦିକ ସାହିତ୍ୟରେ ଗାୟତ୍ରୀ, ଉଷ୍‌ଣିକ, ଅନୁଷ୍ଟୁପ୍‌, ବୃହତୀ, ପଂକ୍ତି, ତ୍ରିଷ୍ଟୁପ ଆଦି ସାତୋଟି ଛନ୍ଦର ପ୍ରୟୋଗ ରହିଥିଲା । ଏହା ବ୍ୟତୀତ ବହୁ ଲୌକିକ ଛନ୍ଦ କାଳକ୍ରମେ ବିକାଶ ଲାଭ କରିଛି । ଛନ୍ଦକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ମାତ୍ରିକ ବା ମାତ୍ରାବୃତ୍ତ ଛନ୍ଦ ଓ ଅକ୍ଷର ବୃତ୍ତ ଛନ୍ଦ । ଅଇଉଏଓ ଏବଂ କ ଠାରୁ ହ ପର୍ଯ୍ୟନ୍ତ ବର୍ଣ୍ଣକୁ ଏକମାତ୍ରା କୁହାଯାଏ । ସେହିପରି ଆଈଊ,ଐ ଔ ତଥା ମାତ୍ରାଯୁକ୍ତ ବ୍ୟଞ୍ଜନବର୍ଣ୍ଣ, ଅନୁସ୍ୱାର, ବିସର୍ଗଯୁକ୍ତ ବର୍ଣ୍ଣ ଆଦିକୁ ଦୁଇମାତ୍ରା ରୂପେ ଗ୍ରହଣ କରାଯାଏ । ଏକ ମାତ୍ରା ବିଶିଷ୍ଟ ବର୍ଣ୍ଣକୁ ଲଘୁ ତଥା ଦୁଇମାତ୍ରା ବିଶିଷ୍ଟ ବର୍ଣ୍ଣକୁ ଗୁରୁ କୁହାଯାଏ-। ପଦ୍ୟରେ ଏହାର ପ୍ରୟୋଗକୁ ମାତ୍ରିକ ବା ମାତ୍ରାବୃତ୍ତ ଛନ୍ଦ କୁହାଯାଏ । ଦ୍ଵିତୀୟତଃ ପଦ୍ୟରେ ଅକ୍ଷର ବା ବର୍ଣ୍ଣର ସମତା ଥିଲେ ତାହାକୁ ଅକ୍ଷରବୃତ୍ତ କୁହାଯାଏ । ମାତ୍ରା ଭେଦରେ ପୁନଶ୍ଚ ପଦ୍ୟକୁ ତିନିଭାଗରେ ବିଭକ୍ତ କରାଯାଇପାରେ- ସମ, ଅସମ ଓ ବିଷମ । ଦୁଇମାତ୍ରା ବା ଦୁଇଟି ବର୍ଣ୍ଣର ଚଳନ ବିଶିଷ୍ଟ ଛନ୍ଦକୁ ସମ, ତିନିଗୋଟି ବର୍ଣ୍ଣର ଚଳନ ବିଶିଷ୍ଟ ଛନ୍ଦକୁ ଅସମ, ଦୁଇ ବା ତିନୋଟି ବର୍ଣ୍ଣ ବା ଅକ୍ଷରର ମିଶ୍ରଣରେ ଗଠିତ ଛନ୍ଦକୁ ବିଷମ କୁହାଯାଏ । ଓଡ଼ିଆରେ ଛନ୍ଦକୁ ସମ ଓ ବିଷମ ଦୁଇ ଭାଗରେ ବିଭାଜନ କରାଯାଇଛି । ଏହା ବ୍ୟତୀତ ପ୍ରଥମ ଏବଂ ତୃତୀୟ, ଦ୍ୱିତୀୟ ଏବଂ ଚତୁର୍ଥ ଧାଡ଼ିର ଅନ୍ତ୍ୟବର୍ଣ୍ଣର ମିଳନକୁ ଏକାନ୍ତ ମିତ୍ରାକ୍ଷର କୁହାଯାଏ । ଛନ୍ଦର ସମାପ୍ତି କିମ୍ବା ପଦମଧ୍ୟସ୍ଥ କେତେକ ସ୍ଥାନରେ ନିଆଯାଉଥିବା ବିରତିକୁ ଯତି କୁହାଯାଏ । ପଦ୍ୟର ପ୍ରତ୍ୟେକ ପଂକ୍ତିକୁ ପାଦ କୁହାଯାଏ । କେତେକ ପଂକ୍ତି ବା ପାଦର ସମନ୍ଵୟରେ ସୃଷ୍ଟିହୁଏ ପଦ ।

 

ପ୍ରାଚୀନ ଓଡ଼ିଆ କବିତାରେ ଅକ୍ଷର ବୃତ୍ତରେ ପ୍ରଚଳନ ଅଧିକ ଥିଲା । ଦେବଦୁର୍ଲଭ ଦାସଙ୍କର ‘ରହସ୍ୟମଞ୍ଜରୀ’ର ଦଶମ ଛାନ୍ଦରେ ମାତ୍ରାବୃତ୍ତ ଛନ୍ଦର ପ୍ରୟୋଗ ପରିଲକ୍ଷିତ ହୁଏ । ଓଡ଼ିଆରେ ସଂସ୍କୃତ ଛନ୍ଦ ପ୍ରୟୋଗ ପ୍ରସଙ୍ଗରେ ଜୟଦେବଙ୍କର ଗୀତଗୋବିନ୍ଦର ମହତ୍ତ୍ଵ ସର୍ବାଧିକ । ବାରଗୋଟି ସର୍ଗ ବିଶିଷ୍ଟ ଗୀତଗୋବିନ୍ଦରେ ଆଠପଦ ବିଶିଷ୍ଟ ୨୪ଟି ଗୀତ ଏବଂ ଗୀତଗୁଡ଼ିକର ଆରମ୍ଭ ଓ ଶେଷରେ ସମୁଦାୟ ୮୮ ଶ୍ଳୋକ ରହିଛି । ଶ୍ଳୋକଗୁଡ଼ିକ ଅକ୍ଷରବୃତ୍ତ ଏବଂ ଗୀତଗୁଡ଼ିକ ମାତ୍ରାବୃତ୍ତ ଛନ୍ଦରେ ରଚିତ ହୋଇଛି ।

 

ନୀଳମାଧବ ପାଣିଗ୍ରାହୀ ଜଣେ ସଙ୍ଗୀତଶାସ୍ତ୍ରଜ୍ଞ ରସଗ୍ରାହୀ କବି । ସଙ୍ଗୀତ ଶାସ୍ତ୍ରର ଗବେଷକ ଭାବରେ ତାଙ୍କର ଭାରତୀୟ ସଙ୍ଗୀତ (୧୯୬୫) ଗ୍ରନ୍ଥ ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ । ଦ୍ଵିତୀୟତଃ ଜୟଦେବ ଓ ଗୀତଗୋବିନ୍ଦ ବିଷୟକ ଗବେଷଣା ସେ ୧୯୮୨ ଓ ୧୯୮୪ ମସିହାରେ କରିଥିଲେ । ତୃତୀୟତଃ ସେ ଥିଲେ ଓଡ଼ିଶାର ପ୍ରଖ୍ୟାତ ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକଙ୍କର ଅନ୍ତରଙ୍ଗ ବନ୍ଧୁ । ଦୀର୍ଘ ଅର୍ଦ୍ଧଶତାବ୍ଦୀର ଏହି ବନ୍ଧୁତା ନୀଳମାଧବଙ୍କ ଛନ୍ଦ ସଚେତନତାର ଅନ୍ୟତମ କାରଣ । ତାଙ୍କ ମତରେ, ଧ୍ଵନିକୁ ଏକ ଶୃଙ୍ଖଳାରେ ଆବଦ୍ଧ କରି ଉଚ୍ଚାରଣ କରିଗଲେ ଯେଉଁ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟଜନିତ ଆନନ୍ଦ ଅନୁଭବ କରାଯାଏ, ତାହାହିଁ ଛନ୍ଦ । ଛନ୍ଦକୁ ସେ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଛନ୍ତି- ମିତ୍ରାକ୍ଷର ଓ ଅମିତ୍ରାକ୍ଷର । ଯେଉଁ ପଦ୍ୟର ପଂକ୍ତିମାନଙ୍କର ଶେଷ ଗୋଟିଏ ବା ଦୁଇଟି ଅକ୍ଷର ସମାନ ଥାଏ, ତାକୁ ମିତ୍ରାକ୍ଷର ପଦ୍ୟ କୁହାଯାଏ । ସେହିପରି ପାଦ ବା ପଂକ୍ତିର ମେଳ ନଥିଲେ ଅମିତ୍ରାକ୍ଷର ହୁଏ । ପୁନଶ୍ଚ ଯଦି ପୂର୍ବପଂକ୍ତିର ଶେଷବର୍ଣ୍ଣ ଓ ପରପଂକ୍ତିର ଶେଷବର୍ଣ୍ଣ ସମାନ ହୁଏ ତାହାକୁ ସମାକ୍ଷର କୁହାଯାଏ । ଯଦି ପୂର୍ବପଂକ୍ତି ଓ ପରପଂକ୍ତିରେ ସମଧର୍ମୀ (କ ଓ ଖ) ବର୍ଣ୍ଣଥାଏ, ସେଠାରେ ମିତ୍ରାକ୍ଷର ହୁଏ ।

 

ଉଭୟ ଓଡ଼ିଆ ଓ ସମ୍ୱଲପୁରୀ ବର୍ଣ୍ଣମାଳାରେ ବ୍ୟଞ୍ଜନବର୍ଣ୍ଣମାନଙ୍କୁ ପାଞ୍ଚୋଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ପ୍ରଥମ ସହିତ ଦ୍ଵିତୀୟ ତଥା ତୃତୀୟ ସହିତ ଚତୁର୍ଥ ବର୍ଣ୍ଣର ମେଳ ପ୍ରାୟ ରହିଥାଏ । ସେହିପରି ଡ, ର, ଳ, ବର୍ଣ୍ଣ ମଧ୍ୟରେ ସାମାନ୍ୟ ସାଦୃଶ୍ୟ ଥାଏ । ନ ଓ ଣ ମଧ୍ୟ ସେହିପରି ସମଧର୍ମା । କୌଣସି ପଦ୍ୟରେ ଗୋଟିଏ ପଂକ୍ତିର ଶେଷବର୍ଣ୍ଣ ସହିତ ପରପଂକ୍ତିର ଶେଷବର୍ଣ୍ଣର ସାଦୃଶ୍ୟରେ କେବଳ ଛନ୍ଦ ସୃଷ୍ଟି ହୁଏ ନାହିଁ । ଛନ୍ଦର ମେଳକୁ କବି ନୀଳମାଧବ କାବ୍ୟର ଅଙ୍ଗ ପରିବର୍ତ୍ତେ ଅଳଙ୍କରଣର ମାଧ୍ୟମ ମାତ୍ର ବୋଲି କହିଛନ୍ତି । ମେଳ ନଥାଇ ମଧ୍ୟ ଛନ୍ଦର ସୌନ୍ଦର୍ଯ୍ୟ ପ୍ରକାଶିତ ହୋଇପାରେ । ଅକ୍ଷର ସଂଖ୍ୟା, ମାତ୍ରାସଂଖ୍ୟା ଶବ୍ଦମାନଙ୍କର ମାପ ଓ ଓଜନ ଆଦି ହିସାବ କରି ଛନ୍ଦ ସୃଷ୍ଟି କରାଯାଇପାରେ । ମାପ ଅର୍ଥାତ୍‌ କେତୋଟି ଅକ୍ଷର ଅଛି, ଶବ୍ଦରେ କେତେ ମାତ୍ରା ଉଚ୍ଚାରିତ ହେଉଛି ସେହି ଅନୁସାରେ ସୃଷ୍ଟି ହୁଏ ଛନ୍ଦଗତ ସୌନ୍ଦର୍ଯ୍ୟ । କବିତାର ଆତ୍ମା ହେଉଛି ଭାବ, କିନ୍ତୁ ଛନ୍ଦଗତିକତା କବିତାର ସୌନ୍ଦର୍ଯ୍ୟ ନିରୂପଣ କରେ । ଏଥିପାଇଁ କବି ନୀଳମାଧବ ଯତି ବା ‘କଦମ୍‌’ ଉପରେ ଗୁରୁତ୍ୱ ଦେଇଛନ୍ତି । ଯଦି ଯତି ବା କଦମ୍‌ ସମାନ ସଂଖ୍ୟକ ବ୍ୟବଧାନରେ ରଖାଯାଏ, ତେବେ କବିତାର ଗତି ସ୍ଵଚ୍ଛନ୍ଦ ହେବ । ଯଦି ପ୍ରତ୍ୟେକ କଦମ୍‌ ମଧ୍ୟରେ ସମାନ ସଂଖ୍ୟକ ମାତ୍ରା ବା ଅକ୍ଷର ରହେ, ତେବେ କଦମ୍‌ ସମାନ ବ୍ୟବଧାନ ରକ୍ଷା କରିପାରିବ । ଛନ୍ଦ ଅକ୍ଷରକୁ ହିସାବ କରି ତଥା ମାତ୍ରାକୁ ହିସାବ କରି ନିରୂପଣ କରାଯାଏ । ଉଭୟ ଅକ୍ଷର ଓ ମାତ୍ରାକୁ ହିସାବ କରି ମଧ୍ୟ ଛନ୍ଦ ସୃଷ୍ଟି କରାଯାଏ ।

 

ମାତ୍ରାବୃତ୍ତ ଛନ୍ଦରେ ଗୁରୁ ଓ ଲଘୁବର୍ଣ୍ଣର ଅକ୍ଷର ଭେଦ ଧରାଯାଏ । ସଂସ୍କୃତ ଛନ୍ଦବିଧି ଅନୁସାରେ –

 

ସାନୁସ୍ଵାରଶ୍ଚ ଦୀର୍ଘଶ୍ଚ ବିସର୍ଗୀ ଚ ଗୁରୁର୍ଭବେତ୍‌

ବର୍ଣ୍ଣଃ ସଂଯୋଗ ପୂର୍ବଶ୍ଚ ତଥା ପାଦାନ୍ତଗୋଦ୍ଧପିବା ।

(ଛନ୍ଦୋମଞ୍ଜରୀ-୧୧)

 

ସମସ୍ତ ଦୀର୍ଘବର୍ଣ୍ଣ, ଯଥା-ଈ, ଊ, ଋ, ଏ, ଐ, ଓ, ଔ ଏବଂ ଅନୁସ୍ୱାର ଯୁକ୍ତ ବର୍ଣ୍ଣ, ବିସର୍ଗଯୁକ୍ତ ବର୍ଣ୍ଣକୁ ଗୁରୁବର୍ଣ୍ଣ କୁହାଯାଏ । ଯୁକ୍ତାକ୍ଷରରେ ସଂଯୁକ୍ତ ବର୍ଣ୍ଣର ପୂର୍ବବର୍ଣ୍ଣ ମଧ୍ୟ ଗୁରୁ । ଏହା ବ୍ୟତୀତ ଧାଡ଼ି ଶେଷର ଲଘୁବର୍ଣ୍ଣ ମଧ୍ୟ ବିକଳ୍ପରେ ଗୁରୁ ହୁଏ । ଓଡ଼ିଆ, ବଙ୍ଗଳା ଓ ସମ୍ୱଲପୁରୀ ଭାଷାରେ, ଐ, ଔ, ଅନୁସ୍ୱାର ଓ ବିସର୍ଗ ଯୁକ୍ତବର୍ଣ୍ଣ, ସଂଯୁକ୍ତ ବର୍ଣ୍ଣର ପୂର୍ବବର୍ଣ୍ଣ, ହଳନ୍ତଯୁକ୍ତ ବର୍ଣ୍ଣର ପୂର୍ବବର୍ଣ୍ଣ, ପଂକ୍ତିଶେଷର ଲଘୁବର୍ଣ୍ଣକୁ ଗୁରୁବର୍ଣ୍ଣ ବା ଦୁଇମାତ୍ରାରୂପେ ଧରାଯାଏ ବୋଲି ଡଃ ପାଣିଗ୍ରାହୀଙ୍କର ମତ । ଏକଦା ଲୋକମହୋତ୍ସବ ୨୦୦୧- ସମ୍ବଲପୁର ସଂଖ୍ୟାରେ ସେ-କୋଶଲୀ (ସମଲ୍‌ପୁରୀ) ପଦ୍ୟର ଛନ୍ଦ୍ ଶୀର୍ଷକ ଏକ ସମ୍ବଲପୁରୀ ଆଲୋଚନା ଲେଖି ଛନ୍ଦ ସମ୍ପର୍କରେ ତାଙ୍କର ମତ ବିଶ୍ଳେଷଣଧର୍ମୀ ରୀତିରେ ବ୍ୟକ୍ତ କରିଥିଲେ । ମାହାଭାରତ କଥା ପ୍ରଥମ ଭାଗର ମୁଖବନ୍ଧ- ‘ଲେଖକର୍‌ ବକ୍ତବ୍ୟରେ’ ମଧ୍ୟ ‘‘ମାହାଭାରତ କଥା’’ରେ ଛନ୍ଦ୍ର ପ୍ରୟୋଗ ସମ୍ପର୍କରେ ନୀଳମାଧବ ପାଣିଗ୍ରାହୀ ଲେଖିଛନ୍ତି- ‘‘ମାହାଭାରତ କଥା’’ର ଛନ୍ଦ ବି କୋସ୍‌ଲି- ସମ୍ବଲପୁରୀ ଭାସାଥି ଅବ୍‌ ଗା ନୂଆଁ ଇ ଛନ୍ଦଥି ଜୁକ୍‌ତାଖ୍ୟର୍‌ର ଆଘର ବର୍ନ (ଜେନ୍‌ତା ‘ଇଖ୍ୱାକୁ’ ସବ୍‌ଦର ‘ଇ’ ), ହଲଁତ୍‌ ଲାଗ୍‌ଲା ବର୍ନର୍ ଆଘର୍‌ ବର୍ନ (ଜେନ୍‌ତା ‘କୁଲର୍’, ସବ୍‌ଦର୍‌ ‘ଇ’ ବର୍ନ), କିନ୍ତୁ ତୁମ୍‌ ହେଁ, ଆମ୍‌ ହେଁ, ତମ୍‌ହର୍‌ ଆଦି ସବଦ୍‌ର ‘ତ’ ଟା ବ୍ୟତିକ୍ରମ), ଅନୁସ୍ଵାର ଲାଗ୍‌ଲା ବର୍ନ, (ଜେନ୍‌ତା ଗଙ୍ଗା ସବ୍‌ଦରଂଗ) ଐ, ଔ ଆରୁ ହରେକ୍‌ ଧାଡ଼ିର ଆଖ୍‌ରି ବର୍ନ-ଇ ସବୁଜାକ ଗୁରୁ ବର୍ନ ଆର ବାକୀ ସବ୍‌ ବର୍ନ ଲଘୁବଲି ଧରାହେଇଛେ x x x

 

ଇ ଛନ୍ଦର ଭିତ୍ତି ହେଉଛେ ‘ମାତ୍ରା’, ଅଖ୍ୟର୍‌ ନୁହେ । ହରେକ୍‌ ଧାଡ଼ିର୍‌ ମୋଟ୍‌ ମାତ୍ରା ସଂଖ୍ୟା ଭି ସମାନ ନୁହେଁ, କେନ୍‌ଥି ମୋଟ ମାତ୍ରା ସଂଖ୍ୟା ୨୧, କେନ୍‌ଥି ୧୫, କେନ୍‌ଥି ୯ ଆରୁ ହରେକ୍‌ ଧାଡ଼ିର ମାତ୍ରା ବିଭାଗ ୬ + ୩, ୬ + ୬ + ୩, ୬ + ୬ +୬ + ୩, ଜେନ୍‌ତା ଧରମ୍‌-କମିହାଁ/ କେଉଁଟ୍‌ ବୁଆର୍‌/ ବୁଲେଁ- (୬ + ୬ + ୩) ମାଆଁର୍‌ ସମାନ୍‌ / ଜମ୍‌ନା ନଦିର୍‌/ କୁଲେଁ- (୬ + ୬ + ୩)(ଇପାର୍‌- ସେପାର୍‌ / ଲହଁକୌଥିଲେ / ଲୁକ୍‌କୁଁ ସତ୍ୟ/ ବତି (୬ + ୬ +୬ + ୩) ସୁଁଦ୍‌ରି ସୁଗୁନ୍/ ବତି (୬ + ୩)

 

କେହ୍‌ନି ଧାଡ଼ି ଥି ୯ କି ୧୫ କି ୨୧ ନୁଁ ଜହ ମାତ୍ରା କି କମ୍‌ମାତ୍ରା ଥିଲେ ସେଟା ଭୁଲ୍‌ । କେନେ କେନ୍‌ତା ଗୁଟେ ଗୁଟେ ଓ ‘ଉପଚରନ୍‌’ ଅଛେ । ତା’ର୍‌ ମୋଟ୍‌ ମାତ୍ରା ସଂଖ୍ୟା ୧୨, ଜେନ୍‌ତା-

 

ପୁର୍‌ବା ପାତିର୍            କେଡ଼େ ନାଇଁ କେଡ଼େ            ଧରମ୍‌ ଭଁଡାର୍‌ ଘର୍‌

୬ +                         ୬+                         ୬+      

ଧରମର୍‌ ଧନେ            ଭର୍‌ବାର କାଜେ

ଉଛୁଲ୍‌ ପୁଛୁଲ୍‌            କର୍‌ବାର୍‌ କାଜେ                  ଉପଚରନ୍‌

୬ +                              =                  ୧୨

 

ରାଜ୍‌ ସୁଖ୍‌ ଛାଡ଼ି କାଜ୍‌ କରୁଥିଲେ ମାହାଭିସ୍‌ ଅଠିପର୍‌ କେତେଟା ଧାଡ଼ିର୍‌ ମାତ୍ରା ସଂଖ୍ୟା ହେଉଛେ ୨୪

 

ବାଘ୍‌ରଜା କଥା      ସୁନ୍‌ଲା କୁଲିହା      କହେଲା ବାଘର୍‌ କାନେକାନେ

୬ +            ୬ +             ୬ +             ୬ = ୨୪

 

(ଲେଖକର ବକ୍ତବ୍ୟ-ମାହାଭାରତ କଥା-୧ମ ଭାଗ-ପୃ-ଘ-ଙ) ମାହାଭାରତ ୧ମ ଭାଗର ଭୂମିକା- ସମ୍ବଲପୁରୀ ଭାଷାର ‘ମାହାଭାରତ କଥା’ ଶୀର୍ଷକରେ ଲେଖିଥିଲେ ଡଃ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା । ମାହାଭାରତର ଛନ୍ଦ ସମ୍ପର୍କରେ ସେ ଲେଖିଥିଲେ- ସମ୍ବଲପୁରୀର ଉଚ୍ଚାରଣଧର୍ମୀ ରକ୍ଷା ସଙ୍ଗେ ସଙ୍ଗେ ସର୍ବତ୍ର ସେ ଏକ ଗାନଯୋଗ୍ୟ ଛନ୍ଦ ରଖିଛନ୍ତି । କହିବା ବାହୁଲ୍ୟ, ସମ୍ବଲପୁରୀରେ ଛନ୍ଦ ଅକ୍ଷରଧର୍ମୀ ହେବା ଅପେକ୍ଷା ମାତ୍ରାଧର୍ମୀ ହେବା ସ୍ଵାଭାବିକତା ଦୃଷ୍ଟିରୁ ସୃହଣୀୟ ଓ ସୁନ୍ଦରତର । ‘ମାହାଭାରତ କଥା’ର ସବୁଧାଡ଼ିରେ ଅକ୍ଷର କିମ୍ବା ମାତ୍ରାର ସଂଖ୍ୟା ସମାନ ନୁହେଁ, କିନ୍ତୁ ଏହି ଅସମାନତା ମଧ୍ୟରେ ରହିଛି ୬ ଓ ୩ ସଂଖ୍ୟକ ମାତ୍ରାର ଥାକ ବା ପର୍ବ । ସଙ୍ଗୀତ ଉପଯୋଗୀ ଏହି ଛନ୍ଦର ନିୟମ ମଧ୍ୟ ସଙ୍ଗୀତଜ୍ଞ ପାଣିଗ୍ରାହୀ ମହାଶୟଙ୍କ ଦ୍ଵାରା ତାଙ୍କ ବକ୍ତ୍ୟରେ ସୂଚିତ ହୋଇଛି । ୬ + ୩, (୬ + ୬ + ୩), (୬ + ୬ +୬ + ୩), ଏବଂ ୫୭୫୭ ସଂଖ୍ୟକ ପଂକ୍ତିପରେ ଅଳ୍ପକେତୋଟି ପଂକ୍ତିରେ (୬ + ୬ +୬ + ୬ ମାତ୍ରାର ପର୍ବବିନ୍ୟାସ ରହିଛି ।

x            x            x            x            x

ସଂକ୍ଷେପରେ କହିଲେ ଏ ଆଙ୍ଗିକ ରକ୍ଷା ଅତ୍ୟନ୍ତ କଷ୍ଟକର, ଏଥିରେ ତାଙ୍କ ସଫଳତା ଲାଗି ତାଙ୍କ ସଂସ୍କୃତ ଛନ୍ଦଜ୍ଞାନ, ସଙ୍ଗୀତ ସାଧନା ଏବଂ ନିଜ ଭାଷାର ଅନୁପ୍ରାରଣ ହିଁ କାରଣ । (ମାହାଭାରତକଥା-୧ମ ଭାଗ-ପୃ-ନ)

 

ମାହାଭାରତ କଥାର ୧ମରୁ ତୃତୀୟ ଭାଗ ଶେଷ ପର୍ଯ୍ୟନ୍ତ ପ୍ରାୟ ୧୦୦୦୦ ପଂକ୍ତି ପୂର୍ଣ୍ଣ ମିତ୍ରାକ୍ଷର ରୀତିରେ ଏବଂ ଉପଧାନିୟମ ଅନୁସରଣରେ ରଚିତ ହୋଇଛି । ଯଦିଓ ମାହାଭାରତର ୧ମ ଓ ୨ୟ ଭାଗରେ ଅକ୍ଷର ଓ ମାତ୍ରାର ସମତାରକ୍ଷା କରାଯାଇ ନାହିଁ । କିନ୍ତୁ ୬ ଓ ୩ ମାତ୍ରାର କଦମ୍‌ ବା ଥାକ ବା ପର୍ବ ସହାୟତାରେ ଏକ ସାଂଗୀତିକ ଧ୍ୱନିଶୃଙ୍ଖଳା ସୃଷ୍ଟି କରାଯାଇଛି । ତୃତୀୟ ଭାଗରେ ସର୍ବତ୍ର ଅକ୍ଷର ବିନ୍ୟାସର ସମାନତା ରହିଛି । (୬ + ୬ + ୬ + ୨) ଅକ୍ଷର ପରେ ପରେ ଯତିପାତ ଏହାକୁ ଶ୍ରୁତି ସୁଖକର କରିଛି ।

 

ସମ୍‌ଲପୁରୀ ମହାଭାରତକଥାର ଭାଗଗୁଡ଼ିକ ଏବଂ ବିରାଟପର୍ବ ଅବଲମ୍ବନରେ ରଚିତ ‘କୀଚକ ବିନାଶ ଆର୍‌ କୌରବ ଦଲନ୍‌’ରେ ସେ ଉଭୟ ଅକ୍ଷର ଓ ମାତ୍ରା ଆଧାରିତ ଛନ୍ଦ ପ୍ରୟୋଗ କରିଛନ୍ତି । ବିଶେଷତଃ ତାଙ୍କର କୀଚକ ବିନାଶ ଆର୍‌ କୌରବ ଦଲନ୍‌ ପୁସ୍ତକରେ ସେ ବିଭିନ୍ନ ଅଧ୍ୟାୟରେ ଭିନ୍ନ ଭିନ୍ନ ଛନ୍ଦର ପ୍ରୟୋଗ କରିଛନ୍ତି । ତାଙ୍କ ଭାଷାରେ-

 

ଜାନ୍‌ବାର୍‌ମାନେ ବୁଝିପାର୍‌ବେ ଯେ ଇ ରଚନାର୍ ଅଧ୍ୟାମାନ୍‌କେଁ ଅନେକ ଏନ୍‌ତା ଛନ୍ଦର ପ୍ରୟୋଗ କରାହେଇଛେ, ଜେନଟା ମାନ ହାମର୍‌‌ ସମଲ୍‌ପୁରୀ- କୋଶଲୀ କାବ୍ୟ ମନ୍‌କେଁ ଇଥିର୍‌ ପୂର୍ବେ ପ୍ରାୟ ନାଇଁ ଥାଇ । ଦୁଃଖର କଥା, ହାମର୍‌ ବିଦ୍ଵାନ୍‌ ପାଠକ୍‌ମାନେ ଭି ନିର୍ଭୁଲ୍‌ ଛନ୍ଦୋବଦ୍ଧ ରଚନା ଠିକ୍‌ସେ ପଢ଼ି ନାଇଁ ପାର୍‌ବାର୍‌ । କେଭେଁ ଇ ଦୁର୍ଦ୍ଦଶା ଘୁଚ୍‌ ବା କେଜାନେ ।

(କୀଚକ ବିନାଶ ଆର୍‌ କୌରବ ଦଲନ୍-ପୃ.ଜ)

 

ଏହି କୀଚକ ବିନାଶ ଆର୍‌ କୌରବ ଦଲନ୍‌ ଶୀର୍ଷକ ପୁସ୍ତକରେ ସେ ବହୁଛନ୍ଦର ପରୀକ୍ଷାଧର୍ମୀ ପ୍ରୟୋଗ କରିଛନ୍ତି । ପ୍ରସଙ୍ଗ କ୍ରମେ ସେଥିରୁ କେତେକର ଉଦାହରଣ ଦିଆଯାଇପାରେ । ଅକ୍ଷର ଭିତ୍ତିକ ଛନ୍ଦ-

 

ଭିତରେଁ ଭିତରେଁ ହାୟ କଲେ ଆର୍‌ ବୟଲେ ଧରମ୍‌ ନନ୍ଦନ୍‌

ଧର୍‌ମା ବତାର୍‌ ରାଜନ୍‌ ! ପର୍‌ଜାବନ୍ଦନ୍‌ ।

ପାଖାପାଖି ବାର୍‌ ବଛର୍‌ ଆଘେଁ ।

ସଖାଭାବେଁ ଥିଲିଁ ସମ୍ରାଟ ଯୁଧିଷ୍ଠିରର୍‌ ସାଂଗେ

କଂକ ମୋର୍‌ ନାଁ ବୈୟାଘ୍ରପାଦ୍‌ ଗୁତର୍‌,

ଜାନିଛେ ରାଜ୍‌ସଭାର୍‌ କବାର୍‌, ପଶାଖେଲ୍‌ର୍‌ ସ୍ଵତର୍‌

(କୀଚକବିନାଶ ଆର୍‌ କୌରବଦଲନ୍‌-ପୃ. ୧୩)

 

ଏହି ଛନ୍ଦରେ ଗୋଟିଏ ଗୋଟିଏ ପର୍ବ ୪ ଅକ୍ଷର ପରେ ପଡ଼ିଥାଏ । ଶେଷପର୍ବ ୨ ଅକ୍ଷର ବା ହଳନ୍ତ ଥିଲେ ୧ ଅକ୍ଷର ହୋଇପାରେ । ପଂକ୍ତିରେ ୨ରୁ ୫ ପର୍ଯ୍ୟନ୍ତ ପର୍ବ ରହିପାରେ, କିନ୍ତୁ କେଉଁ ଧାଡ଼ିରେ କେତେ ପର୍ବ ରହିବ ତା’ର କୌଣସି ନିର୍ଦ୍ଦିଷ୍ଟତା ନଥାଏ । ତେଣୁ ଲେଖକ ଏହାକୁ ପ୍ରବହମାନ ଛନ୍ଦ ବା ମୁକ୍ତଛନ୍ଦ କହିଛନ୍ତି ।

 

ମାତ୍ରାବୃତ୍ତ ଛନ୍ଦ-

 

ଅଜ୍ଞାତ୍‌ବାସ୍‌ ପରିକଲ୍‌ପନା ଭଲ୍‌ଭାବେ କରି ଶେଷ୍‌

ବଡ଼୍‌ ପାନ୍‌ଡବ୍‌ ବୟଲେ, ‘‘ଧୌମ୍ୟ ଜିବେ ପାଞ୍ଚାଲ୍‌ ଦେଶ୍‌

ହାମର୍‌ ପାଚକ୍ ଦଲ୍‌ ନେଇଗୁରୁ ଧୌମ୍ୟସେନ୍‌କେ ଜାଇ

ଅଗ୍‌ନି ହୋତର୍- ଅଗ୍‌ନି ରଖ୍‌ବେ ରଜାର୍‌ମହଲେଁ ଥାଇ

ବାକିମାନେ ଜିବେ ଦ୍ଵାରକା, ସାର୍‌ଥି ଇନ୍ଦରସେନ୍‌ର ସାଁଗେଁ ।

ହାମର୍‌ଠିକାନା ଅଜ୍ଞାତ୍‌ବଲିଁ କହୟ୍‌ବେ ଲୁକର୍‌ ଆଙ୍ଗେଁ ।

 

ଏଠାରେ ୬ +୬ +୬ +୬ ମାତ୍ରାର କଦମ୍‌ ପ୍ରୟୋଗ କରାଯାଇଛି । ଯଦିଓ ପ୍ରାନ୍ତ ଅକ୍ଷର୍ ‘ଶେଷ୍‌’ ଦୁଇଟି ବର୍ଣ୍ଣ କିନ୍ତୁ ଏହା ଲମ୍ବିଯାଇ ୬ ମାତ୍ରା ହୋଇଯାଏ । ଚାରିମାତ୍ରା ବିଶିଷ୍ଟ ମିତ୍ରାକ୍ଷର-

 

ଠାଟ୍‌ ସେ ମତ୍‌ସ୍ୟରନା ବିରାଟ ବସିଥାନ୍‍ ଦର୍‌ବାରେଁ

ପାନ୍‌ଡବ ସମେତ ସବ୍‌ଦର୍‌ବାରୀ ତାକର୍‌ ଚାର୍‌ହି ପାରେଁ ।

x      x      x      x      x

ହାମର୍‌ ସାରାଗାୟ ଗୋଠ୍‌ଖେଦି ନଉଛନ୍‌ ବର୍‌କସି

ମାହାରାଜ୍‌ - ଜଲ୍‌ଦି କରୁନ୍‌-ନାଁୟତ ସବୁଜିବା ନସି ।

 

ପ୍ରବହମାନ ମିତ୍ରାକ୍ଷର-

ମାହାବାହା ! ତୁମ୍‌ହର୍ ସାହା ଭର୍‌ସାପାଇ ମୁଇଁ

ଅମର୍‌ ମାନ୍‌କର ସାମ୍‌ନା କରି ପାର୍‌ମ ସମର୍‌ ଭୂଇଁ ।

ବିଲ୍‌କୁଲ୍‌ ମେଟି ଗଲାନେ ମୋର୍‌ ଭୟ,

ଜାହା ବଲ୍‌ବ ତାହା କର୍‌ମି ଇହାଦେ ନିଶ୍‌ଚୟ

 

ମୁକ୍ତ ମିତ୍ରାକ୍ଷର-

ଦ୍ରୋଣର କଥା ସୁନି କୁତୁର୍‌ପିଆ ଦୁର୍ଯୋଧନ୍‌

ଖେଖ୍‌ନିନୀତିର ଆସ୍‌ରାନେଇ ସୁନାଲାଭାଷଣ୍‌

ବୟଲା, ‘‘କର୍ନ ଆରୁ ମୁଇଁ କହିଛୁଁ ବାର୍‌ବାର୍‌

ଫେର୍‌ କହୁଛେଁ ସେହିକଥା, ଫେର୍‌କର ବିଚାର୍‌

 

ସ୍ଵର ଲହର ଛନ୍ଦ-

ବାର୍‌ ବଛର୍ ବନ୍‌ବାସ୍‌ ଆୟଜ୍‌ ପାୟବାଜହୁଁ ଶେଷ୍‌

ଭାଜୁର୍‌କୁଟୁର୍‌ ହେଲେ ପାନ୍‌ଡବ୍‌ କାୟଲ୍‌ ଜିବେକେନ୍‌ ଦେଶ୍‌

ଅଜ୍ଞାତବାସ୍‌ କର୍‌ବେ କେନେ ବଛର୍‌ ଗୁଟେ ପୁରା

ପକ୍‌ଡ଼ା ନାଇଁ ପଡ଼୍‌ବେ କେହି କର୍‌ଲେଁ ଖୁଜାନୁରା

 

ବଙ୍ଗଳା ସ୍ଵରବୃତ୍ତ ଅନୁସରଣରେ ନୀଳମାଧବ ପାଣିଗ୍ରାହୀ ମାହାଭାରତ କଥା କୀଚକ୍‌ ବିନାଶ ଆର୍‌ କୌରବ ଦଲନ୍‌ କାବ୍ୟରେ ସ୍ଵର ଲହର ଛନ୍ଦ ପ୍ରୟୋଗ କରିଛନ୍ତି । ଏଥିରେ ପ୍ରତ୍ୟେକ କଦମ୍‌ ୬ ମାତ୍ରିଆ ଏବଂ ୪ ଅକ୍ଷର ବିଶିଷ୍ଟ ହୋଇଥିଲେ ଯେ କୌଣସି ଦୁଇଟି ଅକ୍ଷରକୁ ଲହରେଇ କରି ଦୁଇମାତ୍ରା କରାଯାଏ । ସେହିପରି କୌଣସି ସ୍ଥାନରେ ୩ କିମ୍ବା ୫ଟି ଅକ୍ଷର ଥିଲେ ସୁଦ୍ଧା ତାହାକୁ ଲହରେଇ କରି ୬ ମାତ୍ରା କରାଯାଏ । ପାୟାର ଛନ୍ଦ-

 

ବୃହନ୍ନଲାର କଥେଁପର୍‌ତେ ନାଇଁଗଲେ ଉତ୍ତର,

ବୟଲେ, ‘‘ପୂର୍‌ବୁଁ ଦସ୍‌ଟା ନାଆଁ ସୁନିଥିଲି ପାର୍‌ଥର୍‌ ।

ତମ୍‌ହେ ଜଦ୍‌ରି କହିଦେବ ପାର୍ଥର୍‌ ଦସିନାଆଁ

ପର୍‌ତେ ଜିମି ତମ୍‌ହେଁ ଅର୍‌ଜୁନ୍‌ କୁଂତୀତମ୍‌ହରମାଆଁ ।

 

ପୟାର ଛନ୍ଦରେ ବାକ୍‌ରୀତି ଓ କାବ୍ୟରୀତିର ମିଳନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଥାଏ । ଏହାର ସଂକୋଚନ ଓ ପ୍ରସାରଣ କ୍ଷମତା ଅଧିକ । ଗ୍ରାମ୍ୟ ଓ ଶିଷ୍ଟ ଉଭୟ ଶବ୍ଦ ସମ୍ମିଶ୍ରଣରେ ଏହା ଗଠିତ ହୋଇଥାଏ । ଉଭୟ ପ୍ରାଚୀନ ଓ ଆଧୁନିକ କବିତା ନିମନ୍ତେ ଏ ଛନ୍ଦ ଉପଯୋଗୀ । କବି ନୀଳମାଧବ ୧୩ ଓ ୧୪ ଅକ୍ଷରୀ ପୟାର ଛନ୍ଦ ବିରାଟ ପର୍ବ ଓ କୀଚକ ବିନାଶ୍‌ ଆର୍‌ କୌରବ ଦଲନ୍‌ରେ ପ୍ରୟୋଗ କରିଛନ୍ତି ।

 

ଅମିତ୍ରାକ୍ଷର ଛନ୍ଦ- ଓଡ଼ିଆ ସାହିତ୍ୟରେ ପ୍ରଥମେ ରାଧାନାଥ ରାୟ ଇଂରାଜୀ ବ୍ଳାଂକ୍‌ ଭର୍ସ ଓ ବଙ୍ଗୀୟ କବି ମାଇକେଲ୍‌ ମଧୁସୂଦନ ତାଙ୍କର ମେଘନାଦ ବଧ’ କାବ୍ୟରେ ପ୍ରୟୋଗ କରିଥିବା ଅମିତ୍ରାକ୍ଷର ଛନ୍ଦ ଅନୁକରଣରେ ‘ମହାଯାତ୍ରା ଶୀର୍ଷକ ମହାକାବ୍ୟ ଅମିତ୍ରାକ୍ଷର ଛନ୍ଦରେ ଲେଖିଥିଲେ-। ନୀଳମାଧବ ବିରାଟ ପର୍ବ ଓ କୀଚକ୍‌ବିନାଶ ଆର୍‌ କୌରବଦଲନ୍‌ରେ ଅମିତ୍ରାକ୍ଷର ଛନ୍ଦ ପ୍ରୟୋଗ କରିଛନ୍ତି-

 

-ସ୍ୱର୍‌ୟ ନିଜର୍‌ ଅଶେଷ୍‌ ରଶ୍‌ମି ବର୍‌ଷା କର୍‌ତେଲ୍‌ ଜେନ୍ତା

ଛାଇ ଦେସନ୍‌ ପୁର୍‌ଥୀ, ସେନ୍‌ତା ସବ୍ୟସାଚୀ ମିସେଲ୍‌

ଗାଣ୍ଡୀବ ନିର୍‌ଗତ ଅନର୍‌ଗେଲା ଶରେଁ ଚତୁର ଦିଗ୍‌କେ

ଛାଇଦେଲେ, ଛେକି ଦେଲେ ଶତ୍‌ରୁ ସେନାର୍‌ ରାସ୍‌ତା,

ସାଗର୍‌ - ବେଲା - ସାଗର୍‌ ଲହର୍‌ ମନ୍‌କେ ଛେକ୍‌ଲା ମିତାଲ୍‌

ସବ୍ୟସାଚୀର୍‌ ଦିବ୍ୟ ଅସ୍‌ତର ପ୍ରୟୋଗ କାର୍‌ବାର୍‌ କମାଲ୍‌

 

ବିରାଟ ପର୍ବ ଏବଂ କୀଚକ ବିନାଶ ଆର୍‌ କୌରବ ଦଲନ୍‌ର ପାଞ୍ଚ, ପାଞ୍ଚୋଟି ଅଧ୍ୟାୟ ବ୍ୟତୀତ ଦେଢ଼ଶହ ପୃଷ୍ଠାରୁ ଉର୍ଦ୍ଧ୍ୱ ସମଗ୍ର ସଭାପର୍ବରେ ୧୮ ଅକ୍ଷରୀ ଅମିତ୍ରାକ୍ଷର ଛନ୍ଦ ପ୍ରୟୋଗ କରାଯାଇଛି । ଏହି ଛନ୍ଦରେ ଯେହେତୁ ପାଦ ବିଭାଜନ ଓ ପଦମେଳ ଆବଶ୍ୟକ ନୁହେଁ, ତେଣୁ ଏହାର ନାମ ଅମିତ୍ରାକ୍ଷର, କିନ୍ତୁ ଏହା ମାତ୍ର ଦୁଇଟି ପାଦରେ ସୀମିତ ନଥାଏ । ଭାବ- ଅଭିବ୍ୟକ୍ତି ନିମନ୍ତେ ଏହା ବହୁ ପଂକ୍ତି ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ । ଭାବ ଅନୁସାରେ ଏଥିରେ ଛନ୍ଦର ଯତି ନିୟନ୍ତ୍ରିତ ହୋଇଥାଏ । ତେଣୁ ଆବଶ୍ୟକତା ଅନୁରୂପେ ଏଥିରେ ବିଭିନ୍ନ ସ୍ଥାନରେ ଯତିପାତ ହୋଇଥାଏ । ତେଣୁ ଏଥିରେ ଯତିର ନିର୍ଦ୍ଦିଷ୍ଟ କ୍ରମ ନଥାଏ । ଉପଧାମିଳନ-

 

ନୀଳମାଧବଙ୍କ ମହାଭାରତର ପ୍ରାୟ ଅଧିକାଂଶ ସ୍ଥାନରେ ଉପଧାମିଳନ ଲକ୍ଷ୍ୟ କରାଯାଏ-। ପାଦର ପ୍ରାନ୍ତବର୍ଣ୍ଣର ପୂର୍ବବର୍ତ୍ତୀ ବର୍ଣ୍ଣର ମାତ୍ରା ସମାନ ହେଲେ ଉପଧା ହୁଏ । ଓଡ଼ିଆରେ ଏହାର ପ୍ରଚଳନ ପ୍ରାୟ ୧୮୭୫ ମସିହାରୁ ହୋଇଥିଲେ ମଧ୍ୟ ରାଧାନାଥ, ମଧୁସୂଦନଙ୍କ କାବ୍ୟ କବିତାରେ ଏହା ବିଶେଷ ରୂପେ ପରିଦୃଷ୍ଟ ହୋଇଥିଲା । ଉପଧାଯୁକ୍ତ ପଦ୍ୟକୁ ପୂର୍ଣ୍ଣମିତ୍ରାକ୍ଷର ଓ ଉପଧାବିହୀନ ପଦ୍ୟକୁ ଅପୂର୍ଣ୍ଣ ମିତ୍ରାକ୍ଷର କୁହାଯାଉଥିଲା ।

 

ସମ୍ବଲପୁରୀ ମହାଭାରତ ରଚନା କାଳରେ ଛନ୍ଦର ଏହିପରି ବହୁବିଧ ପ୍ରୟୋଗର ମୁଖ୍ୟତଃ ତିନୋଟି କାରଣ ଲକ୍ଷ୍ୟ କରାଯାଇପାରେ । ପ୍ରଥମତଃ ନୀଳମାଧବ ପାଣିଗ୍ରାହୀ ସମ୍ବଲପୁରୀ ଭାଷାରେ ଗଦ୍ୟ ଓ ପଦ୍ୟ ରଚନା କରିବା ପୂର୍ବରୁ ଓଡ଼ିଆ ସାହିତ୍ୟରେ ଜଣେ ଛନ୍ଦ ଆଲୋଚକ ଭାବରେ ସୁଖ୍ୟାତିପ୍ରାପ୍ତ ଲେଖକ ଥିଲେ । ସଂସ୍କୃତ ଓ ଓଡ଼ିଆ କାବ୍ୟ କବିତାରେ ଛନ୍ଦ ପ୍ରୟୋଗ ସମ୍ପର୍କରେ ତାଙ୍କର ଜ୍ଞାନ ଗଭୀର । ଦ୍ଵିତୀୟତଃ ଓଡ଼ିଶାର ଶ୍ରେଷ୍ଠ ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଥିଲେ ଆଲୋଚକଙ୍କର ଅତି ଅନ୍ତରଙ୍ଗ ବନ୍ଧୁ । ତୃତୀୟରେ ସମ୍ବଲପୁରୀ ଭାଷାର ସ୍ଵଭାବ ସୁଲଭ ଲାଳିତ୍ୟ, କମନୀୟତା ଓ ସାଂଗୀତିକତା ଛନ୍ଦ ମାଧ୍ୟମରେ ପରିସ୍ଫୁଟ ହେବ ବୋଲି ମନେ କରିଥିଲେ, କିନ୍ତୁ ଛନ୍ଦ ପ୍ରତି ଅତ୍ୟଧିକ ସଚେତନତା ସମୟ ବିଶେଷରେ ତାଙ୍କର ଭାବବିନ୍ୟାସକୁ ବ୍ୟାହତ କରିଛି । ଏହା ବ୍ୟତୀତ ଏ ସମସ୍ତ ଛନ୍ଦର ଯତି ଓ ଗତି ସାଧାରଣ ପାଠକର ବୋଧଗମ୍ୟ ହେବା ସହଜ ନୁହେଁ ଆଲୋଚନା କ୍ରମେ ମଙ୍ଗଳୁଚରଣ ବିଶ୍ଵାଳ ଲେଖିଛନ୍ତି- ନୀଲ୍‌ମାଧବବାବୁ ‘ଛନ୍ଦ’ର ସମ୍ରାଟ୍‌ ଆନ୍‌ । ସଙ୍ଗୀତ ଶାସ୍‌ତର ଭିତରକେ ଗମିଛନ୍‌ । ସଙ୍ଗୀତ ଥିଁ ଛନ୍ଦର କାର୍‌ବାର୍‌, ହେଲେଁ ଫି’ ଠାନର୍‌ ଗୁଟେ ଅଲ୍‌ଗା ଠାନି ଅଛେ । ମାଟି ଗୁଟେ ହେଲେଁ ବିଁ ଇ ଗାଁ ନୁ ସେ ଗାଁ’ର ଗତିରୂପ୍‌ ଅଲଗ୍‌ ଆଏ । ସମଲ୍‌ପୁରୀ ଥିଁ କଥା କହେବାର୍‌ ଢଙ୍ଗ୍‌ ଆରୁ ଉନିଆଁ ଭାଷାର୍‌ ବାକ୍‌ରୀତି ଗୁଟାରଂଗେ ଅଲଗ୍‌ ଆଏ । ମଯୁର୍‌ ଚାଏଲ୍‌ ବାଗିର୍‌ ‘ଛନ୍ଦ’ର ଚାଏଲଟେ ଅଛେ । ଆବାଜ୍‌ଟେ ଅଛେ । ଫି ଅଖର୍‌ ଘଁଟ ପିଟ୍‌ଲା ଲେଖେଁ ରାଏଁ ରାଏଁ ନାଇଁ ଶୁଭିଁ, ଶଂଖ୍‌ ଫୁକ୍‌ଲା ବାଗିର୍‌ କାଏଁ ସୁନ୍ଦର୍‌ ଶୁଭସି । ସେ ‘ଖୁଲା ମେଲା ଛନ୍ଦ୍‌କେ ତତ୍‌ସମ-

 

ତଦ୍‌ଭବ ଡେଡୁଁ ଛଟ୍‌ଲାଲା ମିତାର୍‌ ଛଟ୍‌ଲେଇ ପକଉଛନ୍‌ । ପେରିଭିତ୍ରେ ଯେନ୍ତା ସାଁପ ଛାଟ୍‌ ନାଇଁ ହେଇପାରେ, ଛାଟେ ଛାଟେ ରଂଗି ନାଇଁ ପାର୍‌ବାର୍‌ । ମଜୁର୍‌ ଚାଲି, ମଏନାର୍‌ ଚାଲିନୁଁ ଅଲଗ୍‌ ଆଏ ।

(ବାଟ୍‌ ମୁହୁଁ- କୀଚକ୍‌ ବିନାଶ୍‌ ଆର୍‌ କୌରବଦଲନ୍‌-ପୃ. ଚ)

 

ସମ୍ବଲପୁରୀ ଭାଷାରେ କେଉଁ ଛନ୍ଦ କିଭଳି ନିର୍ଦ୍ଦିଷ୍ଟ ମାପ ଓ ଓଜନରେ ବସା ଯାଇପାରେ, ତାହାର ସଫଳ ପ୍ରୟୋଗ ସେ କରିଛନ୍ତି, କିନ୍ତୁ ସମ୍ବଲପୁରୀ ଭାଷାର ସ୍ଵଭାବସିଦ୍ଧ ଛନ୍ଦଗତିକତା ଏହାକୁ ଯେପରି ପ୍ରବାହିତ ମୁକ୍ତ ସ୍ରୋତସ୍ଵିନୀ ପରି ଛଳଛଳ ଓ ପ୍ରାଣବନ୍ତ କରିଥାନ୍ତା, ତାହା ହୁଏତ କିଛି ପରିମାଣରେ ହୋଇପାରି ନାହିଁ । ତେଣୁ ସାଧାରଣ ପାଠକକୁ ଏହା ବୋଧଗମ୍ୟ ନ ହେବାର ସମ୍ଭାବନା ଅଧିକ ।

 

(ଘ) କୀଚକ୍‌ ବିନାଶ୍‌ ଆର୍‌ କୌରବଦଲନ୍‌

ସଂସ୍କୃତ ମହାଭାରତର ବିରାଟ ପର୍ବ ଅବଲମ୍ବନରେ ନୀଳମାଧବ ପାଣିଗ୍ରାହୀ ସମ୍ବଲପୁରୀ ଭାଷାରେ ବିରାଟ ପର୍ବ ରଚନା କରିଥିଲେ । ସେହି ବିରାଟ ପର୍ବର ଅନୁସୃତି କ୍ରମେ ‘କୀଚକ ବିନାଶ ଆର୍‌ କୌରବ ଦଲନ୍‌’ (୨୦୦୭) ରଚନା କରାଯାଇଛି । ୪୩ ଅଧ୍ୟାୟ ବିଶିଷ୍ଟ ଏହି ଗ୍ରନ୍ଥର କଥାବସ୍ତୁ ପାଣ୍ଡବମାନଙ୍କର ଅଜ୍ଞାତବାସ ଚିନ୍ତାରୁ ଆରମ୍ଭ ହୋଇ ଉତ୍ତରା-ଅଭିମନ୍ୟୁଙ୍କର ବିବାହ ତଥା ବନ୍ଧୁମିଳନରେ ଶେଷ ହୋଇଛି । ଶୀର୍ଷକ ଅନୁକ୍ରମେ କଥାବସ୍ତୁର ଦୁଇଟି ଭାଗ ରହିଛି । ପ୍ରଥମ ଭାଗର ପ୍ରାରମ୍ଭିକ ଚାରୋଟି ଅଧ୍ୟାୟରେ ପାଣ୍ଡବମାନଙ୍କର ଅଜ୍ଞାତବାସ ଚିନ୍ତା, ସେମାନଙ୍କର ବିରାଟପୁର ଗମନ, ପ୍ରତ୍ୟେକଙ୍କର କାଯ୍ୟ ବା ‘ବୁତା’ ନିର୍ଣ୍ଣୟ ଆଦିପରେ । ପରବର୍ତ୍ତୀ ଆଠଟି ଅଧ୍ୟାୟରେ ପରଦାରା ‘ଲାଲ୍‌ଚୀ’ କୀଚକର ପାଞ୍ଚାଳୀଙ୍କ ଉପରେ ପାପଦୃଷ୍ଟି ଏବଂ କୀଚକ ତଥା ଉପକୀଚକମାନଙ୍କର ବିନାଶ ବର୍ଣ୍ଣନା କରାଯାଇଛି । ତ୍ରୟୋଦଶ ଅଧ୍ୟାୟରୁ ୪୦ ଅଧ୍ୟାୟ ପର୍ଯ୍ୟନ୍ତ କୌରବଦଳନ ଏବଂ ୪୧ରୁ ପ୍ରତ୍ୟାବର୍ତ୍ତନ, ପାଣ୍ଡବଙ୍କର ପରିଚୟ ଉନ୍ମୋଚନ, ଉତ୍ତରା ଏବଂ ଅଭିମନ୍ୟୁଙ୍କର ବିବାହ ତଥା ବନ୍ଧୁବାନ୍ଧବଙ୍କ ସହ ମିଳନରେ ଗ୍ରନ୍ଥ ଶେଷ କରାଯାଇଛି,

 

ଆଲୋଚ୍ୟ ଗ୍ରନ୍ଥର ଚରିତ୍ରମାନଙ୍କୁ ଲେଖକ ସମ୍ପୂର୍ଣ୍ଣ ନିଜସ୍ଵରୀତିରେ ବର୍ଣ୍ଣନା କରିଛନ୍ତି । କଙ୍କ ନାମରେ ପରିଚିତ ଯୁଧିଷ୍ଠିର ଯେତେବେଳେ ରାଜସଭାରେ ପ୍ରବେଶ କଲେ, ତାଙ୍କର-

 

ଫକ୍‌ଫକାବଦନ

ଶାରଦ୍‌ପୁନି ଜନ୍‌

ପରି ରମଣୀୟ ଦିଶୁଥାଏ । ମନେ ହେଉଥାଏ -

ପଟା ଖଁଡକେ କେତେଟା ରଂଗ୍‌ ଦେଇ

ଦୃଶ୍ୟଗୁଟେ ଚିତ୍‌ରିଥିଲେ କେହି । (ପୃ. ୧୧)

ଅବା- ପୁର୍‌ନି ବନ୍ଧ୍‌କେ ସମ୍‌ସି ଜେନ୍‌ତା ବଢ଼େଟେ ମସ୍‌ତହାଥୀ

ସେନ୍‌ତା ଇୟେ ସମ୍‌ଲେ, ଇତ୍‌କର୍‌ ବଢ଼େ ଦମ୍‌ଦାର୍‌ ଛାତି

(ପୃ-୧୨)

 

ଭୀମଙ୍କର ଆଗମନର ଦୃଶ୍ୟ-

 

ଭୀମ୍‌ ଧରିଥାନ୍ ଗଖାଗଖା ଅନ୍‌କାଚଟୁ ଡଁକା କଲାକର୍‌ରି

ଦିହର୍‌‌ ବସ୍‌ତର୍‌ ବିଟ୍‌ବିଟ୍‌ କଲା ଲେକିନ୍‌ ଚେହେରା

ଦିଶୁଥାୟ ଫକ୍‌ ପଁର୍‌ରୀ- (ପୃ. ୧୫)

 

ପାଞ୍ଚାଳୀ ଯେତେବେଳେ ସୁଦେଷ୍ଣାଙ୍କ ନିକଟରେ ପ୍ରବେଶ କଲେ ତାଙ୍କର ରୂପ ବର୍ଣ୍ଣନା କରି ରାଣୀ କହିଛନ୍ତି-

 

ତୁମ୍‌ହର୍‌ ରେଢ଼ି ଅନୁଚ୍ଚା ଆର୍ ଦୁହିଜାନୁ

ସୁସଂହତ୍‌ ଆର୍‌ ସୁଁଦର୍‌

ନାହି ଗହୀର୍‌, ବୁଦ୍‌ଧି ଗହୀର୍‌, ବାଣୀ ଗହୀର୍‌, ତୁମ୍‌ହର

ଉଚ୍ଚା ତମର ନାସା କର୍ନ ଚକ୍ଷୁଆରୁ ବକ୍ଷାଦି ଅଂଗଛଟା

ହାତର୍‌ ପଦ୍‌ମ ଅଧର୍‌ ଆଦି ପାଂଚି ଅଂଗେ ଖେଲୁଛେ ଲାଲ୍‌ ଛଟା

(ପୃ.୧୯)

 

ସୌନ୍ଦର୍ଯ୍ୟଗ୍ରାହୀ ଦୃଷ୍ଟି ପରିବର୍ତ୍ତେ ଏହି ବର୍ଣ୍ଣନାରେ ଅସ୍ଵାଭାବିକତା ଅଧିକ । ସେହିପରି ସୁଦେଷ୍ଣା କହିଥିଲେ-

 

- ରଜା ବିରାଟ୍‌ ଦେଖ୍‌ଲାଖିନି ତୁମ୍‌ହର୍‌ ଦିବ୍ୟସ୍ଵରୂପ୍‌ ନିତମ୍ବିନୀ

ମକେ ଛାର୍‌ରୀ କରି ମୁର୍‌ଛି ଦେବେ ତୁମ୍‌ହର୍‌ ରୂପେ ହେଇ ଘିନି

ମରନ୍‌ ବରନ୍‌ କର୍‌ସି କଁକରା ଗରଭ୍‌ ଧାରନ୍ କର୍‌ସିଯେତେବେଲେଁ

ଡରୁଛେଁ ମୋର କଁକରା ମରନ୍ ହେବା ତୁମ୍‌ କେ ଘରେଁ ଶରନ୍‌ ଦେଲେଁ-

(ପୃ. ୨୧)

 

କଙ୍କଡ଼ା ଗର୍ଭାଧାନ କଲେ ମୃତ୍ୟୁବରଣ କରେ, ଏହା ସହ ସୁଦେଷ୍ଣାଙ୍କର ଦୁଶ୍ଚିନ୍ତାର ସମ୍ପର୍କ ଅପ୍ରାସଂଗିକ ମନେହୁଏ । ସହଦେବ ସେହିପରି ହେଲେ ଗୋରକ୍ଷକ ତନ୍ତୀପାଳ ଏବଂ ନକୁଳ ଗ୍ରନ୍ଥିକ ନାମକ ଅଶ୍ୱରକ୍ଷକ ହେଲେ । ଅର୍ଜୁନ ଜଣାଇଲେ- ମହାରାଜ୍‌, ମକେ ଜନା ଗାନା

 

ବାଜ୍‌ନା ନର୍‌ତନ କଲା

ମୋର୍‌ ନାଁ ବୃହନ୍ନଳା (ପୃ.୨୬)

ସହଦେବ ଜଣାଇଲେ-

ଚତୁର୍‌ ଦିଗେଁ ଦଶ୍‌ଯୋଜନ୍ ଧୁର୍‌ ଭିତରେଁ

ଯେତେଟା ଗାୟ ଥିଲେ, ଅଛନ୍‌, ହେବେ ଇଥିର୍‌ ଉତ୍‌ରେଁ । (ପୃ. ୨୪)

 

ସେ ସମସ୍ତ ଗାଈଙ୍କର ସଂଖ୍ୟା, ଅତୀତ ଓ ଭବିଷ୍ୟତ ତାଙ୍କୁ ଜଣା । ନକୁଳ ସେ ଅଶ୍ଵଶାସ୍ତ୍ରର ବିଜ୍ଞାନୀ, ତାହା ବିରାଟ ରାଜା ବୁଝିପାରି ତାଙ୍କୁ ଅଶ୍ଵରକ୍ଷକ ପଦରେ ନିଯୁକ୍ତ କଲେ । ବିରାଟ ରାଜାଙ୍କର ଶଳା ତଥା ସେନାପତି କୀଚକ ଏକଦା ପାଞ୍ଚାଳୀଙ୍କୁ ଦେଖି ଆକର୍ଷିତ ହୋଇଗଲା-। ଅନେକ ପ୍ରଲୋଭନ ଦେଖାଇ ନିରାଶ ହେବା ପରେ ରାଣୀ ସୁଦେଷ୍ଣାଙ୍କର ସହାୟତା ନେଲା, କୌଣସି ପର୍ବ ଦିନରେ ସୁରା ଆଣିବା ନିମନ୍ତେ କୀଚକପୁରକୁ ସୁଦେଷ୍ଣା ସୌରୀନ୍ଧ୍ରୀଙ୍କୁ ପ୍ରେରଣ କଲେ । ସୈରିନ୍ଧ୍ରୀ ବିପଦର ଆଶଂକା କରି ସୂର୍ଯ୍ୟ ଦେବଙ୍କୁ ସ୍ମରଣ କଲେ । ଆଶଙ୍କା ସତ୍ୟ ପ୍ରମାଣିତ ହେଲା । ପାପୀ କୀଚକ ପାଞ୍ଚାଳୀଙ୍କୁ ବିରାଟ ରାଜାଙ୍କର ସଭାଗୃହ ପର୍ଯ୍ୟନ୍ତ ଗୋଡ଼ାଇ - ‘‘ପୁହୁଁଚିଲା କୁଦିକୁଦି’’

 

ପକ୍‌ଡ଼ି ପକାଲା ପାଁ ଚାଲୀର୍‌ କୁଁଚ କୁଁଚିଆ ମୁକ୍‌ଲା ଚୁଁଦି (ପୃ.୪୨)

 

କେବଳ ଏତିକି ନୁହେଁ, ତାଙ୍କୁ ଭୂଇଁ ସାତ୍ କରି, ‘‘ନିରଦୟ ଭାବେଁ, ନୀଚ ପରଘା୍‌ଲା ଲାତର୍‌ ଉପରେଁ ଲାତ୍‌ ।’’ ନିରୂପାୟ ଛଦ୍ନବେଶୀ କଂକଙ୍କ ସହ ଭୀମ ବା ବଲ୍ଲଭ ସୂପକାର ବସିଥାନ୍ତି-। ଭୀମଙ୍କର ଅସମ୍ଭାଳ କ୍ରୋଧ ଲକ୍ଷ୍ୟକରି କଂକ ଆଦେଶ ଦେଲେ- ‘ବଲ୍‌ଲବ ! ରଁଧା ଶାଲେଁ

 

ଯଦି କାଠ୍ ଚାହି ଖୁଜ୍‌ ତୁମ୍‌ହେ ଯାଇ ଘରର୍‌ ବାହାର ଫାଲେଁ ଭୀମ ଗଲାପରେ ଅସହାୟା ପାଞ୍ଚାଳୀ ଯେତେବେଳେ କଂକ ଏବଂ ବିରାଟଙ୍କ ନିକଟରେ ଅଭିଯୋଗ କଲେ, ସେତେବେଳେ ‘ନାଚାର୍‌ ନରେଶ୍‌ ବିରାଟ’ କହିଛନ୍ତି-

 

- ନିଜେଁ ନାଇଁ ଦେଖି କାଁଏଜେ ଲାଗ୍‌ଲା

      ଗାଲି ଆୟଜ୍‌ ତୁମ ହେଦୁହେ

 

ଏନ୍‌ତାଥିଁ ବନେ ନିୟେ ବେହେରେନ୍ କାହିଁ ନାଇଁ କରିହୁଏ । (ପୃ. ୪୫) ଅଗତ୍ୟା ସୌରୀନ୍ଧ୍ରୀ ଭୀମଙ୍କର ଶରଣାପନ୍ନ ହେଲେ । ନିଶାର୍ଦ୍ଧରେ ଯାଇ-

 

ବୟଲେ, ‘‘ଭୀମସେନ୍‌, ଉଠ୍‌ ଜାଗ୍‌ରତ୍‌ ହୁଅ

ମଲୀ ମୁନୁଷ୍‌ ମେତାଲ୍‌ ନାଇଁ ସୁଅ

ଜୀବିତର୍‌ ତିରୀକେ ଛୁଇଁ

ନାଇଁ ବଚେ ପାପୀ (ପୃ.୫୨)

 

‘କୀଚକ ବିନାଶ ଆର୍‌ କୌରବ ଦଲନ’ରେ ଲେଖକମାନଙ୍କର ପ୍ରତିଭାର ଅବରୋହଣ ଲକ୍ଷ୍ୟ କରାଯାଏ । ଭୀମଙ୍କୁ ତାଙ୍କର ଏବଂବିଧ ସବୋଧନ ଏବଂ ମନ୍ତବ୍ୟ ଏହାର ଏକ ଦୃଷ୍ଟାନ୍ତ ମାତ୍ର । କୀଚକ ସହ ଭୀମଙ୍କର ସଂଗ୍ରାମ କାଳର କେତେକ ଉପମାଧର୍ମୀ ଦୃଷ୍ଟାନ୍ତ ଲେଖକ ଦେଇଛନ୍ତି-

 

ମାୟଲେ ଛଲାଁଗ୍‌ ଯେନିତା ବଢ଼େ ସ୍ପ୍ରିଂଗ- (ଇଂରାଜୀ ଶବ୍ଦ)

x            x            x            x

ହାଥୀ କେ ସଂ ଦଲ୍‌କା ବାଗିର୍‌ ଇଛନ୍‌ ଦେମି ଦଲି

ଇତ୍ୟାଦି କହି ଭୀମ କୀଚକର କେଶାକର୍ଷଣ କରିଛନ୍ତି ।

ଏବଂ- ଝଟ୍‌କା ମାରି ନେଲା କୀଚକ ଛଡ଼େଇ ତା’ର୍‌ ବାଲ୍‌

ଏହି ସମୟର ଦୃଶ୍ୟ ଚିତ୍ରଣ କରି କବି ଲେଖିଛନ୍ତି -

- ‘‘ବସନ୍ତକାଲେ ହାଥେନ୍‌ ଲାଗି ଜୁଡ଼େ ବଲ୍‌ବାନ୍‌ ହାଥୀ

କିମ୍ବା

ପୂବେଁ ଯେନ୍‌ତା ବାନର୍‌ ମୁଖ୍ୟ ସୁଗ୍ରୀବ ଆଉର୍‌ବାଲୀ (ପୃ.୭୧)

 

ଏହି ଉଭୟ ତୁଳନା ଅପ୍ରାସଙ୍ଗିକ ମନେହୁଏ, କାରଣ ସୌରୀନ୍ଧ୍ରୀ ରୂପିଣୀ ହସ୍ତିନୀଙ୍କ ନିମନ୍ତେ ହୁଇଜଣ ବଳବାନ୍ ହାତୀ ଲଢ଼ୁ ନଥିଲେ, ଜଣେ ଥିଲେ ପାପାଚାରୀ ପରଦାରାସକ୍ତ ଓ ଅନ୍ୟଜଣେ ଥିଲେ ପତି । ସେହିପରି ଉଭୟେ ବାଳୀ ଓ ସୁଗ୍ରୀବ ପରି ଭାଇ ଭାଇ ନ ଥିଲେ । ବର୍ଣ୍ଣନା ସମୟ ବିଶେଷରେ ନାଟକୀୟ ମଧ୍ୟ ହୋଇପଡ଼ିଛି -

 

ପାଞ୍ଚାଳୀ- ଭୀମ୍‌କେ ବୟ୍‌ଲେ, ‘‘ଗନ୍ଧର୍ବବୀରର୍‌ ପାଦେଁ ନମସ୍‌କାର୍‌

ହେଡ୍‌ କି ଅଲ୍‌ହନ୍‌- ମୁହୁଁ ମକେ ଜେ କଲେ ଉଦ୍‌ଧାର ।’’

ଭୀମ ଉଲ୍‌ଟାଲେ- ‘‘ଦେବୀ ତୁମ୍‌ହର୍‌ ହେଇ ଆଜ୍ଞାଧୀନ୍‌

ଜେନ୍‌ ପାଁଚି ଲୋକ୍‌, ଇ ରାଜ୍‌ମହଲେଁ ଗନୁ ଛନ୍‌ ଦୁର୍‌ଦିନ୍, (ପୃ. ୭୭)

 

ପ୍ରଥମ ବାରଟି ଅଧ୍ୟାୟରେ କୀଚକ ଓ ଉପକୀଚକମାନଙ୍କର ବଧରେ କଥାବସ୍ତୁ ଶେଷ ହେବା ପରେ କୌରବ ଦଲନ୍‌ର ପୃଷ୍ଠଭୂମି ଭାବରେ ତ୍ରୟୋଦଶ ଅଧ୍ୟାୟ ହସ୍ତିନାପୁରର ହାଲ୍‌ରୁ ଆରମ୍ଭ ହୋଇଛି । ଦୁର୍ଯ୍ୟୋଧନର ଜାସୁସ୍‌ମାନେ ବିଭିନ୍ନ ସ୍ଥାନରେ ପାଣ୍ଡବମାନଙ୍କୁ ଅନ୍ଵେଷଣ କରି ନିରାଶ ହୋଇଛନ୍ତି-

 

ଭାବୁଥିଲୁଁ ନିଝାଝାରେଁ ପାୟମୁଁ ତାକର୍‌ ପତା

ଲେକିନ୍‌ ଛୁଛା କଥା, ଖମ୍‌ନେ ରହିଛେ ଗଛଲତା

x            x            x            x

ସେନୁ ଚଘ୍‌ଲୁ ମାହାନ୍ ଡେଁଗା, ଡଁଗର୍‌ ପରବତ୍‌ ସିଗେଁ,

ନିଘା କଲୁଁ, ଖୁଜ୍‌ଲୁଁ, ଚାର୍‌ହିଦିଗେଁ (ପୃ- ୮୨)

 

ସାରଥି‌ ଇଂଦସେନର ରଥରେ ଦ୍ଵାରକା ଦିଗରେ କେହି କେହି ଯାଉଥିବାରୁ ସେମାନେ ହୁଏତ ପାଣ୍ଡବ ହୋଇଥିବେ ବୋଲି ଗୁପ୍ତଚରମାନେ ମନେକଲେ, କିନ୍ତୁ ପାଣ୍ଡବମାନେ ଇନ୍ଦ୍ରସେନର ରଥରେ ନଥିଲେ, କିମ୍ବା ଦ୍ଵାରକା ଯାଇ ନଥିଲେ । ତେଣୁ ସେମାନେ ସ୍ୱର୍ଗପୁରକୁ ପ୍ରସ୍ଥାନ କରିଥିବେ ବୋଲି ସିଦ୍ଧାନ୍ତ ନିଆଗଲା,

 

ପୂର୍ବରୁ କୀଚକ ତ୍ରିଗର୍ଭଦେଶ ଆକ୍ରମଣ କରି ବିଜୟୀ ହୋଇଥିଲା । କୀଚକର ମୃତ୍ୟୁପରେ କୌରବମାନଙ୍କ ସହ ମନ୍ତ୍ରଣା କରି ତ୍ରିଗର୍ଭର ରାଜା ସୁଶର୍ମା ମତ୍ସ୍ୟଦେଶ ଆକ୍ରମଣ କଲେ । ମତ୍ସ୍ୟରାଜ ପରାସ୍ତ ମଧ୍ୟ ହେଉଥିଲେ, କିନ୍ତୁ ପାଣ୍ଡବଗଣଙ୍କ ସହାୟତାରେ ମତ୍ସ୍ୟରାଜ ବିଜୟୀ ହେଲେ । କୌରବମାନେ ବିରାଟରାଜାଙ୍କ ଗୋଧନ ଅପହରଣ କରିନେବାରୁ ବୃହନ୍ନଳା ସାରଥୀବେଶରେ ଉତ୍ତରକୁମାରଙ୍କୁ ଯୁଦ୍ଧକ୍ଷେତ୍ରକୁ ନେଇଗଲେ । ଶମୀବୃକ୍ଷରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରି ଅର୍ଜୁନ ନିଜର ପରିଚୟ ଉନ୍ମୋଚନ କରିବା ସମୟରେ ଉତ୍ତର କୁମାର ବିଶ୍ଵାସ କରିପାରି ନାହିଁ । ଅର୍ଜୁନ ତାଙ୍କର ଦଶନାମ ଏବଂ ଏହାର ବ୍ୟୁତ୍ପତ୍ତି ବୁଝାଇଛନ୍ତି । ପୁନର୍ବାର ଉତ୍ତର ଅର୍ଜୁନକୁ ତାଙ୍କର ବୃହନ୍ନଳା ରୂପର କାରଣ ପଚାରିଛନ୍ତି । ସମସ୍ତ ପ୍ରସଙ୍ଗ ଜାଣି ଉତ୍ତର ପ୍ରକୃତିସ୍ଥ ହେବା ପରେ ଅର୍ଜୁନ କହୁଛନ୍ତି-

 

-‘‘ଉତ୍ତର ମୁଇଁ ଶଂଖ୍‌ ଫୁକୁଛେ ଫୁନ୍‌

ତୁମ୍‌ହେ ତୁମ୍‌ହର୍‌ ଠାନେଁ ଆଁଠୁଦଁତ ଆରୁ ବସ ।

ଘୁଡ଼ାର୍‌ ଲଗାମ୍‌ ବନେକରି କଷ।’’ (ପୃ. ୧୨୫)

 

ରଥର ଘର୍ଘର ନିର୍ଘୋଷ ଏବଂ ଶଙ୍ଖନାଦ ଶୁଣି ଦ୍ରୋଣାଚାର୍ଯ୍ୟ କହିଲେ, ଅନେକ ଅଶୁଭ ଲକ୍ଷଣ ପରିଲକ୍ଷିତ ହେଉଛି, ତୁମର ସମସ୍ତଙ୍କର ଅମଙ୍ଗଳ ଯୋଗ ପଡ଼ିଛି । କର୍ନ ଏବଂ ଦୁର୍ଯ୍ୟୋଧନ ତାଙ୍କ କଥାରେ କର୍ଣ୍ଣପାତ କଲେ ନାହିଁ । କର୍ନ ଦ୍ରୋଣଙ୍କୁ ସମାଲୋଚନା କଲେ ଯେ-

 

ଦୁସର୍‌ ଲୁକର୍‌ ଛିଦ୍ର -ଗିଆନ୍‌ ବନେ ଲଗନ୍‌ - ଗିଆନ୍‌

ଦେବାର କାଜେଁ ପଣ୍ଡିତମାନେ ଲୟେକ ବ୍ୟକ୍ତିଆନ୍‌

x            x            x            x

ରାଜନ୍‌ ! ଶତରୁର୍‌ ସ୍ତାବକ୍‌ ପଂଡ଼ିତମାନ୍‌କେ ପଛେଁ ଛାଡ଼ି

ଶତ୍‌ରୁ ସଂହାର୍‌ ନୀତିଧରି ଜିମା ଆଗ୍‌କେ ମାଡ଼ି । (ପୃ. ୧୩୧)

 

କୃପାଚାର୍ଯ୍ୟ କର୍ଣ୍ଣକୁ ଚେତାବନୀ ଦେଲେ, ‘‘ଜାର୍‌ତାର୍‌ କଥେଁ ଦୁର୍‌ମୁଖିଆ ନାଇଁ କରନ୍‌ ଯୁଦ୍ଧ ।’’ ତେଣୁ-

 

କର୍ନ ! ତୁମ୍‌ହର୍‌ ଆପ୍‌ରୁପିଆ ଭାଷଣ୍‌ ଶୁନିକରି

ନାଇଁ କରୁଁ ହଠାତ୍‌ ମାହାବୀର ଅର୍ଜୁନ୍‌ ସାଁଗେଁ ଯୁଦ୍ଧ (ପୃ. ୧୩୪)

 

କର୍ନ ମୁଖରେ ଦ୍ରୋଣାଚାର୍ଯ୍ୟଙ୍କର ନିନ୍ଦା ଶୁଣି କ୍ରୋଧିତ ହୋଇ ରହିଥିବ- ଅଶ୍ଵତ୍‌ଥାମା ଝାଡ଼୍‌ଲେ, ‘‘କର୍ନ ! ଇଛନ୍‌ଚକଭିହାମେ

 

ଗୋଧନ୍‌ ନିଜେ ଜିତୁଁ, ନିହେ ଲଁହ୍‌କୁଁ ମତ୍‌ସ୍ୟର ସର୍‌ହଦ୍‌

ନିହେ ଫିରୁଁ ହସ୍‌ତିନାପୁର୍‌ ସହର । ତବି ତୁମ୍‌ ହେଁ

ବେକାର୍‌ ଗୁର୍‌ଦୁ ବକର୍‌ ବକର୍‌ ହଉଛ କାଁ କରି (ପୃ.୧୩୮)

 

କେବଳ ଏତିକି ନୁହେଁ, ସେ ସ୍ପଷ୍ଟ ଶୁଣାଇଦେଲେ ଯେ, ଅର୍ଜୁନ ବିରୋଧରେ ଯୁଦ୍ଧ-ନୈବ ଚ ନୈବଚ ! କଦାପି ନୁହେଁ ।

 

ଭୀଷ୍ମଙ୍କର ମଧ୍ୟସ୍ଥତାରେ ଅବଶ୍ୟ ସମାଧାନ ହୋଇଗଲା, ଦୁର୍ଯ୍ୟୋଧନକୁ ସେ ପ୍ରସ୍ତାବ ଦେଲେ-

 

ଧୃତରାଷ୍ଟ୍ର ନନ୍ଦନ୍ ! ଇଚ୍ଛନ୍ ତୁମ୍‌ହର୍‌ ଜେନ୍‌ତା ବିଚାର୍‌

ସେନ୍ତା କରତବ୍‌ କରତୁର୍‌ତି, ତୁମ୍‌ ହେ ସନ୍ଧିକରି

ଦେଇଦିଅ ତାକର୍‌ ରାୟ୍‌ଜର୍‌ ଅଧିକାର୍‌ ସେମାନ୍‌କେ

x            x            x            x

ଦୁର୍ଯ୍ୟୋଧନ୍‌ ଝଟ୍‌ ଫଟିକ୍‌ ଜବାବ୍‌ ଦେଲା, ପିତାମହ !

ପାଣ୍ଡବମାନ୍‌କେ ରାଜ୍ୟାଧିକାର୍‌ ବିଲ୍‌କୁଲ୍‌ ନାଇଁ ଦିଏଁ

x            x            x            x

ଭୀଷ୍ମ ବୟଲେ କୁରୁନନ୍ଦନ୍‌ ! ତୁମହର୍‌ ମନ୍‌କେ ଆୟ୍‌ଲେଁ

ସୁନ ଠିକ୍‌ସେ ଯୁଦ୍ଧ ଲାଗି ମୋର୍‌ ପରିକଲ୍‌ପନା । (ପୃ. ୧୪୬)

 

ଏହାପରେ ଅର୍ଜୁନ କୌରବ ସେନା ଉପରେ ଆକ୍ରମଣ କରି ସେମାନଙ୍କୁ ପରାଜିତ କଲେ ଏବଂ ବିରାଟଙ୍କ ଗୋଧନ ଉଦ୍ଧାର ହେଲା । କର୍ଣ୍ଣଙ୍କର ଅବସ୍ଥା ଚିତ୍ରଣ କରି ସେ ଲେଖିଛନ୍ତି-

 

ଲେକିନ୍‌ କର୍ନର୍‌ ଦୁହି ବାହା, ଜଁଘେଁ, ମୁଁ ତେ, ବେଁ କେଁ,

କପାଲେଁ ଶର୍‌ବାଜି ବାଜି ହେଲା ଭୀଷଣ ପୀଡ଼ା

କର୍ନ କିର୍‌ଲା ଛାଡ଼ି ତର୍‌ସର୍‌ ଭାଗ୍‌ଲେ ପାରୁଥର୍‌ ଆଙ୍ଗୁ (ପୃ.୧୫୨)

 

କୌରବ ସୈନ୍ୟ ଏହାପରେ ଅବଶ୍ୟ ଅସ୍ତ୍ର ବର୍ଷା କଲେ, କିନ୍ତୁ - ସବ୍ୟସାଚୀ ତହୁଁ ସାୟଁ ସାୟଁ ଦିବ୍ୟଶର୍‌ ମାନ୍ ମାରି

 

ସେ ସବ୍‌ ଅସ୍‌ଡର୍‌‌ କାଟିକୁଟି ନୁନଚୁନ୍‌ କରିଦେଲେ (ପୃ.୧୫୨)

 

ଆହୁରି ମଧ୍ୟ-

 

ସବ୍ୟସାଚୀର ଦିବ୍ୟ ଅସ୍‌ତର୍‌ ମନ୍‌କର୍‌ ମାହାନ୍‌ ଦୀପ୍‌ତି,

ତାକର୍‌ ଗାଂଡୀବ୍‌ ଶରାସନରୁ ରୁଆଁ-ଟାଙ୍କରା ଟଂକାର୍‌,

ରଥର୍‌ ଧଜା- ଆସ୍‌ରୀ ଅଦୃଶ୍‌ ଭୂତ୍‌ଗୁହୁଡ଼ିର୍‌ ରଡ଼ି

ରଥର୍‌ କେତନ୍‌ବାସୀ କପିର୍‌ ଉତ୍‌କଟ୍‌ କିର୍‌ଲା ଗଗା,

ପାର୍‌ଥର୍‌ ଶଙ୍ଖର୍‌, କଲ୍‌ଜା- କଁପା ଭୀଷଣ ଗଂଭୀର ନିର୍‌ଘୋଷ୍

ଇସବ୍‌ ମିଶି ସୃଜୁଥିଲା କୌରବ ସେନାର ଆତଙ୍କ୍‌ (ପୃ.୧୫୩)

 

ଅବସର ପାଇ ଅର୍ଜୁନ ଉତ୍ତରକୁମାରଙ୍କୁ କୌରବରଥୀମାନଙ୍କର ପରିଚୟ ଦେଲେ- ‘ନୀଲା ରଂଗର୍‌ ଧଜା ବାଲା ରଥେଁ ବାଘ୍‌ ଛାଲ୍‌ ପିନ୍ଧି ? ବସିଛନ୍ତି କୃପାଚାର୍ଯ୍ୟ, ‘‘ସୁନାର କମଣ୍ଡଲୁ ଚିନ୍‌ହାଁ ଚିତ୍‌ରା ହେଲା ଧଜା ଉଡ଼ୁଛେ’’ ଯାହାର ରଥରେ ସେ ଦ୍ରୋଣାଚାର୍ଯ୍ୟ, ଯାହାର ଧ୍ଵଜାରେ ‘ଧୁନ୍‌ର ସଂକେତ’, ଅଛି ସେ ଅଶ୍ୱତ୍‌ଥାମା, ମୋର ସତୀର୍ଥ ଏବଂ ଗୁରୁ ଦ୍ରୋଣଙ୍କର ପୁତ୍ର, ‘ନାଗ ସାଁପ ସଂକେତ୍‌ ଲେଖା ହେଇ ସୁନାର୍‌ ଧଜା’ ଯାହାର ସେ ଦୁର୍ଯ୍ୟୋଧନ, ‘ହାଥୀ ସିଂକଲା ସଂକେତ୍‌ ୱାଲା ଧଜା ଲଗାରଥେଁ, ଥିବା କନଁ, ପାଁଚଟା ତରା ସଂକେତ୍‌ୱାଲା ଧଜା ଲଗାରଥେଁ ଥିବା କନଁ, ପାଞ୍ଚଟା ତରା ସଂକେତ୍‌ୱାଲା ଧଜା ଖଁଜା ରଥେଁ ଅଛନ୍‌ ଭୀଷ୍ମଭିଡ଼ି କବଚ୍ । ଧରିବଢ଼େ ଧନୁସ୍‌ । କୃପ, ଦ୍ରୋଣାଚାର୍ଯ୍ୟ ଅଶ୍ୱତ୍‌ଥାମା ଆଦିଙ୍କ ସହ ସଂଗ୍ରାମର ଜୀବନ୍ତ ବର୍ଣ୍ଣନା ସେ କରିଛନ୍ତି । କର୍ନ ପୁନର୍ବାର ଯୁଦ୍ଧ କରି ପରାସ୍ତ ହେବା ପରେ ଦୁଃଶାସନ ଆଦି ଯୁଦ୍ଧ କରିଛନ୍ତି,

 

କିନ୍ତୁ-

ବଜ୍ରର ଘିଡ଼୍‌ଘିଡ଼୍‌ ସମାନ୍ ଗାଣ୍ଡୀବ ଧନୁର୍‌ ଘୋର୍‌ ଭୟଙ୍କର

ଟଙ୍କାର୍‌ ସୁନି ସୈନିକମାନେ ଭାଗୁଥାନ୍ ଭୟ୍‌ପାଇ (ପୃ. ୧୭୧)

ପରଶେଷରେ ଭୀଷ୍ମ ଆସିଲେ ଏବଂ -

-ପର୍‌ବତ୍‌ ଉପରେଁ ମେଘର୍‌ ରଝୋରଝୋ ବରଷା ସମାନ୍‌

ଭୀଷ୍‌ମର୍‌ ଉପରେଁ ପଡ଼ୁଥିଲା ପାର୍‌ଥର୍‌ ସାୟକ୍‌ ବରଷା । (ପୃ. ୧୭୫)

 

ସାରଥୀ ପରିସ୍ଥିତି ଜାଣି ଭୀଷ୍ମକୁ ନେଇଗଲା ଅନ୍ୟଦିଗକୁ । ବାକି ରହିଗଲେ ଦୁର୍ଯୋଧନ, ପାର୍ଥର ଶରରେ ଘାୟଲା ହୋଇ-

 

ରକତ୍‌ବାନ୍ତି କର୍‌ତେ ଭାଗ୍‌ଲାବେଲେଁ ଦୁର୍‌ୟୋଧନର୍‌

ସ୍ଵରୂପ, ଦିଶୁଥିଲା ବଡ଼ା ଭିର୍‌ଭିର୍‌ନା ଆର୍‌ ଭୀଷଣ୍‌ (ପୃ.୧୭୭)

 

ସେଥିରେ ପୁଣି ଅର୍ଜୁନର ଆକ୍ଷେପ-

 

ଧୃତରାଷ୍ଟ୍ରର୍‌ ବେଟା ! ଯୁଦ୍ଧେଁ ପିଠ୍‌ ଦେଖ୍‌ଉଛୁ କାଁଜେ ?

ଦୁର୍ଯୋଧନଙ୍କୁ ଏହିପରି ଆକ୍ଷେପ ଅସହ୍ୟ ମନେହେଲା ।

 

ପୁନର୍ବାର ସେ ପ୍ରତ୍ୟାବର୍ତ୍ତନ କଲେ । ଅନ୍ୟମାନେ ମଧ୍ୟ ତାଙ୍କୁ ରକ୍ଷା କରବାକୁ ଆଗେଇ ଆସିଲେ, କିନ୍ତୁ ଗାଣ୍ଡୀବର ଟଙ୍କାର ଓ ଶଙ୍ଖନାଦ ସମସ୍ତଙ୍କୁ ଅଚେତନ କରିଦେଲା । ଅର୍ଜୁନ ଉତ୍ତରାର ଅନୁରୋଧ ସ୍ମରଣ କରି ଉତ୍ତର କୁମାରଙ୍କୁ ମୂର୍ଚ୍ଛିତ ରଥୀମାନଙ୍କର ବସ୍ତ୍ର ନେଇ ଆସିବାକୁ କହିଛନ୍ତି । ଦକ୍ଷିଣ ଦିଗରୁ ବିଜୟୀ ହୋଇ ଉତ୍ତର କୁମାର ଫେରିବା ପରେ ପାଣ୍ଡବଗଣଙ୍କର ପରିଚୟ ପ୍ରାପ୍ତି ଏବଂ ଉତ୍ତରାକୁମାରୀ ଏବଂ ଅଭିମନ୍ୟୁର ବିବାହ ନିର୍ଦ୍ଦିଷ୍ଟ ହେଇଛି । ଏ ବିବାହର ଆୟୋଜନ, ବାଦ୍ୟ ନୃତ୍ୟ - ଗୀତ ଆଦି ମଧ୍ୟରେ ସମ୍ପନ୍ନ ହୋଇଛି ।

 

ଏହି ‘କୀଚକ ବିନାଶ୍‌ ଆର୍‌ କୌରବଦଲନ୍‌’ରେ କୀଚକର ମୃତ୍ୟୁ ଅପେକ୍ଷା କୌରବମାନଙ୍କର ଯୁଦ୍ଧ ବର୍ଣ୍ଣନା ଅଧିକ ନାଟକୀୟ ଓ ଉପଭୋଗ୍ୟ ହୋଇଛି । ଲେଖକ ଅନେକ ଉପମାଧର୍ମୀ ଚିତ୍ରଣ କରିଛନ୍ତି, ଯାହା ବର୍ଣ୍ଣନାକୁ ଅଧିକ ବାସ୍ତବ ଓ ମନୋରମ କରିଛି । ଏହି ଗ୍ରନ୍ଥ ରଚନା କାଳରେ ଲେଖକଙ୍କର ବୟସ ୮୮ ହୋଇଥିଲା, ମୃତ୍ୟୁର ମାତ୍ର ପାଞ୍ଚବର୍ଷ ପୂର୍ବରୁ ବିରାଟ ପର୍ବର କାବ୍ୟରୂପ ଭାବରେ ଏହି ଗ୍ରନ୍ଥଟି ଲେଖିଥିଲେ । ଅକ୍ଷର ବୃତ୍ତ, ମିତ୍ରାକ୍ଷର, ଏକାନ୍ତ ମିତ୍ରାକ୍ଷର, ଲହର, ପୟାର, ଅମିତ୍ରାକ୍ଷର ଆଦି ଛନ୍ଦର ପରୀକ୍ଷାମୂଳକ ପ୍ରୟୋଗ ସେ ଏଥିରେ କରିଛନ୍ତି । ତଥାପି ସ୍ଥଳବିଶେଷରେ ବର୍ଣ୍ଣନା ଓ ଭାଷାରେ ଅସଙ୍ଗତିକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ୧୯୯୦ ମସିହାରୁ ସମ୍ବଲପୁରୀ ସାହିତ୍ୟ ରଚନାର ଯେଉଁ ଦୁର୍ବାର ସଙ୍କଳ୍ପ ସେ ନେଇଥିଲେ, ଯେଉଁପରି ସଫଳତାର ସହିତ ଭାବ ଓ ଭାଷାର ସୁସଂହତ ଉପସ୍ଥାପନା କରିଥିଲେ, ଏହି ଗ୍ରନ୍ଥରେ ତାହା କ୍ରମଶଃ ଶିଥିଳ ହୋଇଯାଇଛି ।

 

***

 

ଉପସଂହାର

 

କୌଣସି ବ୍ୟକ୍ତିଗତ ବିବାଦ ହେତୁ ନୁହେଁ, ସାହିତ୍ୟ ଅନ୍ୱେଷାରେ ଯୁକ୍ତିସିଦ୍ଧତା ପ୍ରତିପାଦନ କରିବାକୁ ଯାଇ ନୀଳମାଧବ ପାଣିଗ୍ରାହୀ ଅନେକ ଅପ୍ରିୟତା ଅର୍ଜନ କରିଛନ୍ତି । କୌଣସି ଭୟ ଅଥବା ଆଶଙ୍କା ତାଙ୍କୁ ସେଥିରୁ ନିବୃତ୍ତ କରିପାରି ନାହିଁ । ତରୁଣ ବୟସରେ ନୁହେଁ କି ବାର୍ଦ୍ଧକ୍ୟରେ ବି ନୁହେଁ । ତାଙ୍କୁ ଯାହା ଉଚିତ୍ ମନେ ହେଇଛି, ନିଃସଂକୋଚରେ ସେ ବ୍ୟକ୍ତ କରିଛନ୍ତି । ତାହା ଓଡ଼ିଆ ଭାଷାରେ ରଚିତ ତାଙ୍କର ପ୍ରଥମ ଗଦ୍ୟସୃଷ୍ଟି ‘ଭାରତୀୟ ସଙ୍ଗୀତ’ ହେଉ ଅଥବା ସମ୍ବଲପୁରୀ ଭାଷାରେ ରଚିତ ପ୍ରଥମ ଗଦ୍ୟଗ୍ରନ୍ଥ ‘ମହରା ଆର୍‌ ମହୁ’ ହେଉ । ‘ଭାରତୀୟ ସଙ୍ଗୀତ’ର ‘ବାକ୍ୟାଳାପ’ ଶୀର୍ଷକ ମୁଖବନ୍ଧରେ ସେ ପ୍ରସଙ୍ଗକ୍ରମେ ଲେଖିଛନ୍ତି -‘‘ସଙ୍ଗୀତ ସମ୍ପର୍କରେ ପଣ୍ଡିତମାନଙ୍କର ଧାରଣାର ସାମାନ୍ୟ କିନ୍ତୁ ସ୍ପଷ୍ଟ ଆଭାସ ମିଳେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଲେଖାରୁ- (ଦେଖନ୍ତୁ -ଓଡ଼ିଆ ସାହିତ୍ୟର କ୍ରମ ପରିଣାମ-ଦ୍ୱିତୀୟଭାଗ-ପୃ.୯୧, ୯୨, ୯୩, ୯୪, ୯୭ ପୂଜ୍ୟ ପଣ୍ଡିତ ମହାଶୟଙ୍କ ବିଚାରରେ, - ‘ସଙ୍ଗୀତର ପ୍ରତିଷ୍ଠା ହେଉଛି ମାନବର ଜୀବିଧର୍ମରେ ଓ ‘‘ତ।ହ।ର ମୂଳ ହେଉଛି ଯୌନକାମନା ଓ ଯୌନଯୋଗର ସ୍ପୃହା ।’’ ଓଡ଼ିଆର ଜିତା ପରମ୍ପରା ଓ ସଂସ୍କୃତି ସହିତ ଖାପ ଖାଇଲା ପରି ଜିନିଷ ଯୌନବିଳାସ ସଂକେତ ସଂକୁଳ ସଙ୍ଗୀତକଳାରେ ନାହିଁ-। ନୀଳମାଧବ ପାଣିଗ୍ରାହୀ ଏହାର ପ୍ରତିବାଦ କରି କହିଛନ୍ତି ଯେ, ଜୈନ ସମ୍ରାଟ ଖାରବେଳଙ୍କର ହାତୀଗୁମ୍ଫା ଶିଳାଲେଖ ଅନୁସାରେ ସେ ଥିଲେ ‘‘ଗାନ୍ଧର୍ବ ବେଦ ବୁଧଃ ।’’ ଦ୍ଵିତୀୟତଃ ଆଦ୍ୟଜୈନ ତୀର୍ଥଙ୍କର ଋଷଭ ଦେବଙ୍କ ନାମାନୁସାରେ ହୁଏତ ସପ୍ତସ୍ଵର ମଧ୍ୟରୁ ଦ୍ୱିତୀୟ ସ୍ଵରର ନାମ ରଷଭ । ଆଲେ।ଚକ ସମ୍ଭାବନା କରିଛନ୍ତି ଯେ, ସେ ହୁଏତ ଏହି ସୁରଟି ଆବିଷ୍କାର କରିଥିଲେ, କିମ୍ୱା ଏହା ତାଙ୍କର ପ୍ରିୟ ଥିଲା । ସାତଘର ଗୁମ୍ଫାରେ ଥିବା ତାଙ୍କର ମୂର୍ତ୍ତିର ଉଭୟ ପାର୍ଶ୍ଵରେ ବାଦ୍ୟଯନ୍ତ୍ରଧାରୀ ଦୁଇଟି ପାର୍ଶ୍ଵଚର ମୂର୍ତ୍ତି ରହିଛି । ତୃତୀୟତଃ ଭାରତର ସଙ୍ଗୀତ ଶାସ୍ତ୍ର- ସଙ୍ଗୀତ ସମୟ ସାର ପ୍ରଣେତା ପାର୍ଶ୍ଵଦେବ ହେଉଛନ୍ତି ଜୈନ । ତେଣୁ ସଙ୍ଗୀତ ଯୌନ ବିଳାସ ସଂକୁଳ କଳା ନୁହେଁ ତଥା ବିଶୁଦ୍ଧ ସଙ୍ଗୀତରେ କୌଣସି କଳୁଷ ନାହିଁ ବୋଲି ସେ କହିଛନ୍ତି । ସଙ୍ଗୀତ ପ୍ରତି ବିତୃଷ୍ଣା ହେତୁ ହୁଏତ ଓଡ଼ିଆରେ ଏକ ପ୍ରଚଳିତ ପ୍ରବଚନ ଅଛି -

 

ଅତି ନିର୍ଲଜ ଗୀତ ଗାଏ, ପୋଡ଼ାମୁହାଁ ନାଚିଯାଏ । ଏହା ବ୍ୟତୀତ ଆଧୁନିକ ଶିକ୍ଷିତ ସମାଜ ମଧ୍ୟ କେବଳ ଲଘୁ ସଙ୍ଗୀତରେ ସନ୍ତୁଷ୍ଟ ହୋଇଥାନ୍ତି । ସେମାନେ ଜାଣନ୍ତି ନାହିଁ ଯେ, ସଙ୍ଗୀତ ମଧ୍ୟ ଗୋଟି ବିଦ୍ୟା । ଏ ବିଦ୍ୟା ସମ୍ପର୍କରେ ଶତ ସହସ୍ର ଶାସ୍ତ୍ର ଓ ଗ୍ରନ୍ଥ ଲେଖା ହୋଇଛି । ତେଣୁ ଓଡ଼ିଶାର ପାଠକମାନଙ୍କୁ ସଙ୍ଗୀତର ସ୍ଵରୂପ ସହିତ ପରିଚିତ କରାଇବା ନିମନ୍ତେ ସେ ‘ଭାରତୀୟ ସଙ୍ଗୀତ’ ଲେଖିଲେ ।

 

ସେହିପରି ସମ୍ବଲପୁରୀ ଭାଷାରେ ରଚିତ ତାଙ୍କର ପ୍ରଥମ ଆଲୋଚନା ପୁସ୍ତକ ‘ମହରା ଆର୍‌ ମହୁ’ର ପୃଷ୍ଠଭୂମି ମଧ୍ୟ ଏହିପରି-ତା. ୮.୧.୯୦ ର ‘ମାତୃଭୂମି’ ଦୈନିକରେ ସ୍ଵାମୀ ଚେତନାନନ୍ଦ ନାମକ କୌଣସି ଲେଖକ ତାଙ୍କ ଦୃଷ୍ଟିରେ ସମ୍ବଲପୁରୀର ମାନହାନି କରୁଥିବା ପରି ବୋଧ ହୋଇଥିବା ହେତୁ ସେ ଏହି ପୁସ୍ତକର ପରିକଳ୍ପନା କରିଥିଲେ । ଏକସ୍ତରୀ ବର୍ଷ ବୟସରେ ସମ୍ୱଲପୁରୀ ଭାଷା ଓ ସାହିତ୍ୟର ସୁରକ୍ଷା ନିମନ୍ତେ ସଙ୍କଳ୍ପବଦ୍ଧ ହୋଇ ଏହି ଭାଷାରେ ସେ ସମାଲୋଚନା, କାବ୍ୟକବିତା, ଗଦ୍ୟ, ପ୍ରବନ୍ଧ, ମହାଭାରତ ବ୍ୟାକରଣ ଓ କାବ୍ୟ ଆଦି ଲେଖିଥିଲେ-। ଜୀବନର ଶେଷ ବାଇଶବର୍ଷ ସେ ସମ୍ବଲପୁରୀ ଭାଷା ଓ ସାହିତ୍ୟ ନିମନ୍ତେ ଉତ୍ସର୍ଗ କରି ଦେଇଥିଲେ ।

 

ସାହିତ୍ୟ ସାଧନା ନିମନ୍ତେ ଜୀବନର ସମସ୍ତ ପ୍ରତିକୂଳତାକୁ ସେ ସହର୍ଷ ସ୍ୱୀକାର କରିଛନ୍ତି-। ଅବକାରୀ ବିଭାଗର ସାଧାରଣ କର୍ମଚାରୀ, ପାରିବାରିକ ଜଞ୍ଜାଳ, ଶରୀର କ୍ଳେଶ, ବାର୍ଦ୍ଧକ୍ୟ ଆଦି କୌଣସି ପ୍ରତିବନ୍ଧକ ତାଙ୍କୁ ବିଚଳିତ କରିପାରି ନାହିଁ, ବରଂ ଯୋଗାଇଛି ଅମୋଦର ଖୋରାକ୍‌ । ତାଙ୍କ ଭାଷାରେ - ‘‘ମୁଁ ଓଡ଼ିଶା ସରକାରଙ୍କର ସୁରା ବିଭାଗରେ ପେଟ ପୋଷେ । x x x ସୁର ଓ ସୁରା ଭିତରେ ଭେଦ କେବଳ ଆକାର ଘେନି । ସୁରା ସାକାର, ସୁର ନିରାକାର, କିନ୍ତୁ ଉଭୟଙ୍କ ପ୍ରକୃତିରେ ସାମ୍ୟର ପରିମାଣ କମ୍‌ ନୁହେଁ । ସୁରା ଯେପରି ଗୋଟିଏ ମାଦକ, ସୁର ବି ସେହିପରି ଅନ୍ୟ ଏକ ମାଦକ । ଧଇଲେ ଛାଡ଼େ ନାଇଁ ବା ଛାଡ଼ି ହୁଏ ନାଇଁ । ଅତଏବ ମୋର ଜୀବିକା ଆବ୍‌ସଲ୍ୟୁଟ୍‌ଲି ନନ୍‌ - ମ୍ୟୁଜିକାଲ୍‌ ନୁହେଁ । (ବାକ୍ୟାଳାପ - ଭାରତୀୟ ସଙ୍ଗୀତ)

 

ସତୁରୀବର୍ଷ ବୟସ ପର୍ଯ୍ୟନ୍ତ ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସଙ୍ଗୀତ ଅଥବା ନୃତ୍ୟ, ଛନ୍ଦ, ରାଗ ଆଦିର ଆଲୋଚନା କରିଛନ୍ତି । ଏକସ୍ତରୀରୁ ଅବଶିଷ୍ଟ ଜୀବନ ସମ୍ବଲପୁରୀ ଭାଷା ଓ ସାହିତ୍ୟର ସେବାରେ ସମର୍ପଣ କରିଛନ୍ତି । ସେ କବି ନଥିଲେ । ୧୯୭୦ ମସିହା ପର୍ଯ୍ୟନ୍ତ ସେ ଗୋଟିଏ ସୁଦ୍ଧା କବିତା ଲେଖି ନଥିବା କଥା ତାଙ୍କର ‘ପାଣିଗ୍ରାହୀ ପଦ୍ୟାବଳୀ’ର ପୃଷ୍ଠବନ୍ଧ ‘ଶେଷ୍‌ପତର୍‌’ ରେ ଉଲ୍ଲେଖ କରିଛନ୍ତି । ଅଥଚ ସମ୍ବଲପୁରୀ ଭାଷାରେ କାବ୍ୟ କବିତା ରଚନା ସହିତ ମହାକାବ୍ୟ ବା ମହାଭାରତ ରଚନାରେ ପ୍ରବୃତ୍ତ ହେଇଛନ୍ତି । ୧୯୯୦ ମସିହାରୁ ଏକ ନୂତନ ସଙ୍କଳ୍ପ ସହିତ ସେ ଯାତ୍ରାରମ୍ଭ କରିଛନ୍ତି । ସମ୍ବଲପୁରୀ ଭାଷାରେ ଗଦ୍ୟ ଓ ପଦ୍ୟରଚନା ସହିତ ସ୍ଵଳ୍ପ କାଳ ପାଇଁ ହେଉପଛେ ପତ୍ରିକା ପ୍ରକାଶ କରିଛନ୍ତି । ସ୍ଵକୀୟ ଉଦ୍ୟମ, ଶ୍ରମ ଓ ଅର୍ଥ ବିନିଯୋଗ କରି, କେବେ କବିତା ଲେଖି ନଥିବା ଗଦ୍ୟସ୍ରାବୀ ଲେଖନୀରୁ ଝରାଇଛନ୍ତି ମହାଭାରତ ରଚନାର ଧାରା । ହୁଏତ ତାହା ଗଦ୍ୟଧର୍ମୀ ହୋଇଯାଇଛି, କିନ୍ତୁ ଛନ୍ଦର ନିର୍ଦ୍ଦିଷ୍ଟ ବନ୍ଧନରେ ଆବଦ୍ଧ ପ୍ରତ୍ୟେକ ପଂକ୍ତି କବିତ୍ଵର ସାବଲୀଳ ଧାରାବାହିକତାରେ ହୋଇଛି ରସୋତୀର୍ଣ୍ଣ । ଅନିର୍ବଚନୀୟ ଉଲ୍ଲାସର ସହିତ ସେ ଲେଖିଚାଲିଥିଲେ, ପକ୍ଷ।ଘାତ ଗ୍ରସ୍ତ ହାତ ଅଚଳ ହେବା ପର୍ଯ୍ୟନ୍ତ, ମୁହଁରେ ଡାକି ଦେଉଥିଲେ, ଶେଷରେ ସମୟ ସେ ସୁଯୋଗ ମଧ୍ୟ ଦେଲା ନାହିଁ । ଅସମାପ୍ତ ରହିଗଲା ସ୍ଵପ୍ନ ଆଉ ଅସମ୍ପୂର୍ଣ୍ଣ ରହିଗଲା ‘ମାହାଭାରତ କଥା’ । ସମ୍ବଲପୁରୀ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ତାଙ୍କର ଉତ୍ତରସୂରୀମାନେ ହୁଏତ ଏ ଦାୟିତ୍ଵ ନିଶ୍ଚୟ ନେବେ ।

 

***